ଲାଭ କ୍ଷତି

ଜିଏସ୍‌ଟି (ଦ୍ରବ୍ୟ ଓ ସେବାକର) ସପକ୍ଷରେ କରାଯାଉଥିବା ଏକ ମୁଖ୍ୟ ଯୁକ୍ତି ହେଉଛି ଏହା କାର୍ଯ୍ୟକାରୀ ହେବା ପରେ ଆଗରୁ ଯେମିତି କେତେକ କ୍ଷେତ୍ରରେ ଦ୍ରବ୍ୟ ବା ସେବାର ମୂଲ୍ୟରେ ପୂର୍ବରୁ ଅନ୍ତର୍ଭୁକ୍ତ ଟିକସ ଉପରେ ମଧ୍ୟ ପୁଣିଥରେ ଟିକସ ଲାଗୁ କରି ଦିଆଯାଉଥିଲା (କ୍ୟାସ୍‌କେଡିଙ୍ଗ୍‌), ସେମିତି ଆଉ ହେବ ନାହିଁ- କେବଳ ବିକ୍ରୟ ଶୃଙ୍ଖଳାର ପ୍ରତ୍ୟେକ ପଏଣ୍ଟ୍‌ରେ ବିଶୁଦ୍ଧ ଭାବରେ ଦ୍ରବ୍ୟ ବା ସେବାର ମୂଲ୍ୟରେ ଯେତିକି ବୃଦ୍ଧି କରାଯାଇଥାଏ, ତାହାରି ଉପରେ ହିଁ ଟିକସ ହିସାବ କରାଯିବ। ଏଥିଯୋଗୁଁ ଟିକସ ବୋଝରେ ହ୍ରାସ ଘଟୁଥିବାରୁ ଖାଉଟିମାନଙ୍କ ପାଇଁ ଦ୍ରବ୍ୟ ଓ ସେବା ପୂର୍ବ ଅପେକ୍ଷା ଶସ୍ତା ହେବ। କିନ୍ତୁ ବାସ୍ତବରେ ଖାଉଟିମାନଙ୍କ ପାଖରେ ଏହି ଲାଭ ପହଞ୍ଚିବ କି ନାହିଁ ତାହା ନିର୍ଭର କରେ ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ଆଚରଣ ଉପରେ। ସେମାନେ ଯଦି ଏହି କାସ୍‌କେଡିଙ୍ଗ୍‌ରେ ଅନ୍ତଜନିତ ଟିକସ ବୋଝ ସଂକୋଚନ ଅନୁଯାୟୀ ଦ୍ରବ୍ୟ ବା ସେବାର ବିକ୍ରୟ ଦରରେ ହ୍ରାସ ଘଟାନ୍ତି, ତେବେ ଖାଉଟିମାନେ ଜିଏସ୍‌ଟିର ଲାଭ ପାଇବେ, ଆଉ ସେମାନେ ଯଦି ବିକ୍ରୟ ଦରରେ ହ୍ରାସ ନଘଟାଇ ନିଜେ ଏ ଲାଭର ବାଟବାରଣା କରନ୍ତି ତେବେ ଖାଉଟିମାନଙ୍କ ପାଇଁ ଜିଏସ୍‌ଟି ଯୋଗୁଁ କିଛି ଫରକ ପଡ଼ିବ ନାହିଁ।

ଶିଳ୍ପ ବାଣିଜ୍ୟରେ ଏପରି ସମ୍ଭାବ୍ୟ ଜିଏସ୍‌ଟି-ପରବର୍ତ୍ତୀ ଲାଭଖୋରିକୁ ରୋକିବା ପାଇଁ ଜିଏସ୍‌ଟି ଆଇନରେ ଏକ ‘ଜାତୀୟ ଲାଭଖୋରି-ବିରୋଧୀ ଅଥରିଟି’ (‘ଏନ୍‌ଏଏ’) ସୃଷ୍ଟି ପାଇଁ ବ୍ୟବସ୍ଥା ରଖାଯାଇଛି। ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ ଏହି ‘ଏନ୍‌ଏଏ’ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମତି ପ୍ରଦାନ କରି ଆଇନରେ ଥିବା ବ୍ୟବସ୍ଥାକୁ ବାସ୍ତବ ରୂପ ଦେଇଛି। ଏଥି ପୂର୍ବରୁ ନଭେମ୍ବର ୧୦ ତାରିଖରେ ବସିଥିବା ଜିଏସ୍‌ଟି କାଉନ୍‌ସିଲ୍‌ ଏକାଥରକେ ୧୭୮ଟି ଦ୍ରବ୍ୟ ଉପରେ ପ୍ରଥମେ ଲାଗୁ କରାଯାଇଥିବା ୨୮% ଟିକସ ହାରକୁ ଚାଞ୍ଛି ଦେଇ ୧୮% (ଏହାର ଦୁଇଟି ଉପରେ ୧୨%) କରି ଦେଇଥିଲେ। ଏହି ତାଲିକାରେ ଅନ୍ତର୍ଭୁକ୍ତ ଦ୍ରବ୍ୟମାନଙ୍କ ମଧ୍ୟରେ ଥିଲା ଟୁଥ୍‌ପେଷ୍ଟ, ସାବୁନ୍‌, ସାମ୍ପୁ, ଲୁଗାସଫା ଡିଟର୍ଜେଣ୍ଟ, ଚକୋଲେଟ୍‌ ଭଳି ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟମାନ। ଟିକସ ହାରରେ ହ୍ରାସ ଯୋଗୁଁ ଖାଉଟିମାନଙ୍କ ପାଇଁ ଏସବୁ ଜିନିଷ ଅପେକ୍ଷାକୃତ ଶସ୍ତା ହେବ ବୋଲି ଜିଏସ୍‌ଟି କାଉନ୍‌ସିଲ୍‌ ତଥା ସରକାରଙ୍କର ବିଶ୍ୱାସ। କିନ୍ତୁ ଟିକସହାରରେ ହ୍ରାସ ଘଟିବା ପରେ ମଧ୍ୟ ଯଦି କମ୍ପାନି କିମ୍ବା ବିତରକ କିମ୍ବା ଖୁଚୁରା ବିକ୍ରେତା ଜିନିଷର ମୂଲ୍ୟରେ ଅନୁରୂପ ହ୍ରାସ ନଘଟାନ୍ତି ତେବେ ଖାଉଟିମାନେ ଏହି ବ୍ୟାପକ ଟିକସ ହ୍ରାସ ପଦକ୍ଷେପର କୌଣସି ସୁଫଳ ପାଇ ପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ମଧ୍ୟ ‘ଏନ୍‌ଏଏ’ ପ୍ରତିଷ୍ଠା ପାଇଁ କ୍ୟାବିନେଟ୍‌ ଗ୍ରହଣ କରିଥିବା ନିଷ୍ପତ୍ତି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ।

ଜିଏସ୍‌ଟି ପ୍ରବର୍ତ୍ତନ ପରବର୍ତ୍ତୀ ଲାଭଖୋରି ସମ୍ଭାବନାକୁ ପ୍ରତିହତ କରିବା ପାଇଁ ସରକାର ଯେ ଦୃଢ଼ ପ୍ରତିଜ୍ଞ ତାହା ‘ଏନ୍‌ଏଏ’ ପ୍ରତିଷ୍ଠା ନିଷ୍ପତ୍ତି ଗ୍ରହଣ ପରେ ପରେ ସୋମବାର ଦିନ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସାଇଜ୍‌ ଆଣ୍ଡ୍‌ କଷ୍ଟମ୍‌ସ (ସିବିଇସି)ର ଚେଆର୍‌ମ୍ୟାନ୍‌ ବନଜା ସର୍‌ନା ଉପରୋକ୍ତ ଦ୍ରବ୍ୟ ସବୁର ଉତ୍ପାଦନକାରୀ ବଡ଼ ବଡ଼ କମ୍ପାନିମାନଙ୍କୁ ଲେଖିଥିବା ପତ୍ରରୁ ସ୍ପଷ୍ଟ। ହିନ୍ଦୁସ୍ତାନ ୟୁନିଲିଭର୍‌, ନେସ୍‌ଲେ, ଆଇଟିସି, ଡାବର, ଗୋଦ୍‌ରେଜ୍‌ ଆଦି ଭଳି ଏକଶହରୁ ଊର୍ଦ୍ଧ୍ୱ କମ୍ପାନିମାନଙ୍କୁ ପତ୍ର ଲେଖି ସେ ଉପରୋକ୍ତ ଟିକସ ହାର କାଟର ଲାଭ ଦର ହ୍ରାସ ମାଧ୍ୟମରେ ଖାଉଟି ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଅନୁରୋଧ କରିଛନ୍ତି। ତାଙ୍କ ପୂର୍ବରୁ ସରକାରଙ୍କ ତରଫରୁ ଅର୍ଥ ସଚିବ ହସମୁଖ ଆଢ଼ିଆ ଅଧିକ କଟୋର ଭାଷା ବ୍ୟବହାର କରି କମ୍ପାନିମାନଙ୍କୁ ଏହି ଉଦ୍ଦେଶ୍ୟରେ ଆହ୍ଵାନ ଦେଇଥିଲେ। ସେ ସ୍ପଷ୍ଟ କରି ଦେଇଥିଲେ ଯେ ଏହି କମ୍ପାନିମାନେ ଯଦି ଜିଏସ୍‌ଟି ଆଇନରେ ଥିବା ଲାଭଖୋରି-ବିରୋଧୀ ଧାରା କବଳରୁ ରକ୍ଷା ପାଇବାକୁ ଚାହାନ୍ତି, ସେମାନେ ସୁନାପିଲା ପରି ନିଶ୍ଚିତ କରନ୍ତୁ ଯେ ଖୁଚୁରା ବିକ୍ରେତାଙ୍କ ପର୍ଯ୍ୟନ୍ତ ଯେପରି ଉପରୋକ୍ତ ଦ୍ରବ୍ୟମାନଙ୍କର ଦରରେ ଟିକସ ହ୍ରାସ ଅନୁପାତରେ ହ୍ରାସ ଘଟାନ୍ତି। ସେ କହିଛନ୍ତି ଯେହେତୁ ପ୍ରତ୍ୟେକ ଖୁଚୁରା ବ୍ୟବସାୟୀ ଉପରେ ସରକାର ନଜର ରଖିବା ସମ୍ଭବ ନୁହେଁ, ସରକାର କମ୍ପାନି ମାନଙ୍କୁ ହିଁ ଉତ୍ତରଦାୟୀ କରିବେ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାରତୀୟ ଖାଉଟିମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ସଂକଳ୍ପବଦ୍ଧ। ଏହା ସମ୍ପୂର୍ଣ୍ଣ ସ୍ୱାଗତଯୋଗ୍ୟ; ଯଦିବା ବିରୋଧୀମାନେ ଏଥିରେ ରାଜନୀତିର ଗନ୍ଧ ବାରିବାରେ ଲାଗିଛନ୍ତି। ସେମାନଙ୍କର ଅଭିଯୋଗ ହେଲା ଆଗାମୀ ନିର୍ବାଚନ ପୂର୍ବରୁ ମତଦାତାମାନଙ୍କୁ ପ୍ରଭାବିତ କରିବା ପାଇଁ ଏହା ଏକ ଉଦ୍ୟମ।

ଏଭଳି ଅଭିଯୋଗକୁ କୌଣସି ଗୁରୁତ୍ୱ ନଦେଇ ଯଦି ଏକ ସମ୍ପୂର୍ଣ୍ଣ ଅଣରାଜନୈତିକ ଦୃଷ୍ଟିରେ ଦେଖାଯାଏ, ତେବେ ଏହି ଲାଭଖୋରି ବିରୋଧୀ ଉଦ୍ୟମର ଦୁଇଟି ଦୁର୍ବଳତା ଆମ ପାଇଁ ଏକ ଅସ୍ୱସ୍ତି ଭାବ ସୃଷ୍ଟି କରିଥାଏ। ସରକାରଙ୍କର ଉପରୋକ୍ତ ଆଭିମୁଖ୍ୟ ଦେଖିଲେ ମନେହୁଏ ସରକାର ବୋଧହୁଏ ବିଶ୍ୱାସ କରନ୍ତି ଯେ ଟିକସ ହେଉଛି କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ବହନ କରାଯାଉଥିବା ଏକମାତ୍ର ଖର୍ଚ୍ଚ। ସତକଥା ହେଲା ଟିକସ ହେଉଛି ସମୁଦାୟ ଉତ୍ପାଦନ ବ୍ୟୟର ଏକ କ୍ଷୁଦ୍ର ଅଂଶ ମାତ୍ର। ଉତ୍ପାଦନକାରୀ ଯେତେବେଳେ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ଦର ସ୍ଥିର କରିଥାନ୍ତି ସେ ଉତ୍ପାଦନରେ ବ୍ୟବହୃତ ସମସ୍ତ ସମ୍ବଳର ମୂଲ୍ୟକୁ ସେଥିରେ ଅନ୍ତର୍ଭୁକ୍ତ କରିଥାନ୍ତି। ଉଦାହରଣ ସ୍ୱରୂପ କଞ୍ଚାମାଲର ମୂଲ୍ୟ, ଘରଭଡ଼ା, ବିଦ୍ୟୁତ୍‌ ଖର୍ଚ୍ଚ, ସୁଧ, ମଜୁରି… ଆଦି ଦ୍ରବ୍ୟର ବିକ୍ରୟ ଦରର ଅଂଶ ହୋଇଥାନ୍ତି। ସେହିପରି ସ୍ଥଳ ବିଶେଷରେ ଦ୍ରବ୍ୟ ବହନ କରୁଥିବା ବ୍ରାଣ୍ଡ୍‌ର ମୂଲ୍ୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥାଏ। ସର୍ବୋପରି ଉତ୍ପାଦନକାରୀ ନିଜେ ଆବଶ୍ୟକ କରୁଥିବା ସର୍ବନିମ୍ନ ଲାଭ ମଧ୍ୟ ବିକ୍ରୟ ଦରରେ ମିଶି ରହିଥାଏ। ଯଦି ଟିକସ ହାରରେ କୌଣସି ପରିବର୍ତ୍ତନ ନ ଘଟି ଏଥିମଧ୍ୟରୁ କୌଣସି ଉପାଦାନର ମୂଲ୍ୟରେ ପରିବର୍ତ୍ତନ ଘଟେ, ତେବେ ଉତ୍ପାଦନକାରୀ ଦ୍ରବ୍ୟର ବିକ୍ରୟ ଦରରେ ପରିବର୍ତ୍ତନ ଘଟାଇବାକୁ ବାଧ୍ୟ ହେବା ସ୍ୱାଭାବିକ।

ସେହିପରି ଟିକସ ହାରରେ ହ୍ରାସ ଘଟିବା ସହିତ ଉପାଦାନ ମୂଲ୍ୟରେ ଯଦି ତା’ଠାରୁ ଅଧିକ ଆକାରରେ ବୃଦ୍ଧି ଘଟେ ତେବେ ହୁଏତ ଟିକସ ରିହାତି ସତ୍ତ୍ୱେ ଉତ୍ପାଦନକାରୀଙ୍କୁ ଦ୍ରବ୍ୟର ବିକ୍ରୟ ଦରରେ ବୃଦ୍ଧି ଘଟାଇବାକୁ ପଡ଼ିପାରେ। ନଚେତ ବ୍ୟବସାୟ କ୍ଷତିରେ ଚାଲିବ ଏବଂ ଶେଷରେ ବନ୍ଦ ହୋଇଯିବ। ଏକ ଆଦର୍ଶ ବ୍ୟବସ୍ଥାରେ ତେଣୁ ଦ୍ରବ୍ୟ ଓ ସେବାର ବଜାର ଦର ନିର୍ଦ୍ଧାରଣକୁ ବଜାର ଉପରେ ହିଁ ଛାଡ଼ି ଦିଆଯାଇଥାଏ। ପ୍ରଶାସନିକ ହସ୍ତକ୍ଷେପ ଦ୍ୱାରା ବଜାର ଦର ନିୟନ୍ତ୍ରଣ ଏକ ମୁକ୍ତ ଅର୍ଥନୀତିର ଚରିତ୍ର ନୁହେଁ, ଏହା କମ୍ୟୁନିଷ୍ଟ ବ୍ୟବସ୍ଥାରେ ଦେଖାଯାଇଥାଏ। ଯଦି ସରକାର ଖାଉଟି ସ୍ୱାର୍ଥ ରକ୍ଷା ପାଇଁ ଏବେ ଜିଏସ୍‌ଟି ପରର ବଜାର ଦର ନିୟନ୍ତ୍ରଣ କରିବାକୁ ଯାଉଛନ୍ତି, ସେଥିରେ ତାଙ୍କୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ। ଆମର ଅସ୍ୱସ୍ତିର ଦ୍ୱିତୀୟ କାରଣ ହେଉଛି ‘ଏନ୍‌ଏଏ’ ଭଳି ଏକ ଅମଲାକୈନ୍ଦ୍ରିକ ହସ୍ତକ୍ଷେପକାରୀ ଅନୁଷ୍ଠାନର ଆବିର୍ଭାବ। ଭାରତର ଲାଞ୍ଚଖୋର ଅମଲାତନ୍ତ୍ର ପାଇଁ ଏହା ଏକ ନୂତନ ସୁଯୋଗ ସୃଷ୍ଟି କରିବା ନିଶ୍ଚିତ। ଏହା ପୁଣି ଏକ ଇନ୍‌ସ୍ପେକ୍ଟର ରାଜ୍‌ ସୃଷ୍ଟି କରି ଶିଳ୍ପ ବ୍ୟବସାୟକୁ ହଇରାଣ ହରକତ ଓ ଶୋଷଣ କରିବାର ସମସ୍ତ ସମ୍ଭାବନା ରଖିଛି। ତାହା ହେଲେ ଲାଭଖୋରି ବନ୍ଦ କରିବାକୁ ଯାଇ ସରକାର ସମଗ୍ର ଅର୍ଥନୀତିକୁ କ୍ଷତିରେ ପକାଇବା ସାର ହେବ।

ସମ୍ବନ୍ଧିତ ଖବର