‘କ୍ଲିନ୍‌ ଚିଟ୍‌’ ନୁହେଁ

ବର୍ଷେରୁ ଅଧିକ ସମୟ ଧରି ବିବାଦର କେନ୍ଦ୍ରରେ ରହି ଆସିଥିବା ରାଫେଲ୍‌ ଯୁଦ୍ଧ ବିମାନ ଖର୍ଦ୍ଦି କାରବାର ନେଇ ବହୁ ପ୍ରତୀକ୍ଷିତ ସିଏଜି ରିପୋର୍ଟ ପ୍ରକାଶ ପାଇଛି। କିନ୍ତୁ ସିଏଜିଙ୍କ ରିପୋର୍ଟ ବିବାଦର ନିଆଁରେ ପାଣି ପକାଇବା ପରିବର୍ତ୍ତେ ଘିଅ ଢାଳିଛି ଏବ˚ ଶାସକ-ବିରୋଧୀ ରାଫେଲ୍‌ ଲଢେ଼ଇକୁ ଆହୁରି ଘମାଘୋଟ କରିବା ଲାଗି ଉଭୟ ପକ୍ଷଙ୍କୁୁ ଯଥେଷ୍ଟ ରସଦ ଯୋଗାଇଛି। କାରଣ, ସିଏଜିଙ୍କ ରିପୋର୍ଟ ରାଫେଲ୍‌ କାରବାର ଉପରେ ଘନୀଭୂତ ସନ୍ଦେହକୁ ଯେତିକି ମାତ୍ରାରେ ଦୂର କରିଛି, ପୁଣି ସେତିକି ମାତ୍ରାରେ ସନ୍ଦେହ ସୃଷ୍ଟି କରିଛି। ଫଳରେ ରାଫେଲ୍‌ କାରବାର ଯେମିତି ରହସ୍ୟମୟ ଥିଲା, ସିଏଜିଙ୍କ ରିପୋର୍ଟ ପରେ ମଧୢ ସେମିତି ରହସ୍ୟମୟ ହୋଇ ରହିଛି। ଉଲ୍ଲେଖନୀୟ ହେଲା, ରାଫେଲ୍‌ କାରବାରର ଆଉ ଏକ ଅତ୍ୟନ୍ତ ବିବାଦୀୟ ଦିଗ- ଅନୀଲ ଅମ୍ବାନୀଙ୍କ କମ୍ପାନିର ସମ୍ପର୍କ ଥିବା ‘ଅଫ୍‌ସେଟ ସହଯୋଗୀ’ ପ୍ରସଙ୍ଗରେ ସିଏଜିଙ୍କ ସମୀକ୍ଷାକୁ ଅପେକ୍ଷା କରାଯାଇଛି।

ପ୍ରଥମେ, ମଧୢମ ବହୁମୁଖୀ ଯୁଦ୍ଧ ବିମାନ (ଏମଏମଆରସିଏ) ରାଫେଲ୍‌ର ଦାମ୍‌ ପ୍ରସଙ୍ଗରେ ସିଏଜିଙ୍କ ଟିପ୍ପଣୀ ବିଷୟ ଆଲୋଚନା କରାଯାଉ। ସିଏଜିଙ୍କ ହିସାବ ଅନୁଯାୟୀ ପୂର୍ବବର୍ତ୍ତୀ ୟୁପିଏ ଅମଳରେ ଯେତିକି ମୂଲ୍ୟରେ ଫ୍ରାନ୍‌ସର ‘ଡାସଲଟ’ କମ୍ପାନି ଦ୍ବାରା ନିର୍ମିତ ରାଫେଲ କିଣିବା ଲାଗି ବୁଝାମଣା ହୋଇଥିଲା, ଏନ୍‌ଡିଏ ସରକାର ତା’ଠାରୁ ୨.୮୪% କମ୍‌ ଦାମ୍‌ରେ ଚୁକ୍ତି ସ୍ବାକ୍ଷର କରିଛନ୍ତି। ସିଏଜିଙ୍କ ଏହି ହିସାବ ଚଢ଼ା ଦରରେ ଯୁଦ୍ଧ ବିମାନ କିଣା ଯାଉଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ପ୍ରତିହତ କରିବା ଲାଗି ମୋଦୀ ସରକାରଙ୍କ ହାତରେ ଏକ ଢାଲ ହୋଇପାରେ। କିନ୍ତୁ କଦାପି ସରକାରଙ୍କୁ ‘କ୍ଲିନ୍‌ ଚିଟ୍‌’ ବୋଲି କୁହାଯାଇ ପାରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସ˚ସଦରେ ଦାବି କରିଥିଲେ ଯେ, ପୂର୍ବବର୍ତ୍ତୀ ସରକାରଙ୍କ ତୁଳନାରେ ୯% କମ୍‌ ମୂଲ୍ୟରେ ରାଫେଲ କିଣାଯାଉଛି। ସିଏଜି ରିପୋର୍ଟ ସରକାରଙ୍କ ଏହି ଦାବିକୁ ଭୁଲ ସାବ୍ୟସ୍ତ କରିଛି। ପ୍ରାୟ ୬୦ ହଜାର କୋଟି ଟଙ୍କାର ରାଫେଲ୍‌ କାରବାରକୁ ସିଏଜି ଏଗାରଟି ଭାଗରେ ବିଭକ୍ତ କରି ୟୁପିଏ ଓ ଏନ୍‌ଡିଏ ଅମଳର ବୁଝାମଣା ମଧୢରେ ତୁଳନା କରିଛନ୍ତି। ଖାଲି ବିମାନ ସମେତ ତିନିଟି ବିଭାଗରେ ଦର ଦୁଇ ସରକାରଙ୍କ ସମୟରେ ସମାନ ଓ ଅପରିବର୍ତ୍ତିତ ରହିଛି। ଭାରତର ଆବଶ୍ୟକତା ମୁତାବକ ଅତିରିକ୍ତ ଉପକରଣ ଖଞ୍ଜା ସମେତ ଚାରିଟି ବିଭାଗରେ ଦର କମିଛି ଓ ଇଞ୍ଜିନିୟରି˚ ସହାୟତା ସମେତ ଅନ୍ୟ ଚାରିଟି ବିଭାଗରେ ଖର୍ଚ୍ଚ ବଢ଼ିଛି। ମୋଟାମୋଟି ୨.୮୪% କମ୍‌ ମୂଲ୍ୟରେ କାରବାର ଚୂଡ଼ାନ୍ତ ହୋଇଛି।

ମାତ୍ର ୨.୮୪% ହେଲେ ସୁଦ୍ଧା ୨୦୦୭ ତୁଳନାରେ ୨୦୧୬ରେ କମ୍‌ ଦାମ୍‌ରେ ରାଫେଲ୍‌ ଖର୍ଦ୍ଦି ବିରୋଧୀଙ୍କ ଆକ୍ରମଣର ମୁକାବିଲା ଲାଗି ମୋଦୀ ସରକାରଙ୍କ ସ୍ଥିତିକୁ ଅବଶ୍ୟ ଦୃଢ଼ କରୁଛି। ଅନ୍ୟପକ୍ଷରେ କିନ୍ତୁ ‘ସୋଭୋରେନ୍‌ ଓ ବ୍ୟାଙ୍କ୍‌ ଗ୍ୟାରେଣ୍ଟି’ ସର୍ତ୍ତକୁ ନୂଆ ବୁଝାମଣାରେ ବାଦ୍‌ ଦିଆଯିବା ସମ୍ପର୍କରେ ସିଏଜିଙ୍କ ଟିପ୍ପଣୀ ସରକାରଙ୍କ ସ୍ଥିତିକୁ ବେଶ୍‌ ଦୁର୍ବଳ କରିଦେଉଛି। ୟୁପିଏ ସରକାରଙ୍କ ବୁଝାମଣାରେ ‘ସୋଭୋରେନ୍‌ ଗ୍ୟାରେଣ୍ଟି’ର ବ୍ୟବସ୍ଥା ଥିଲା। ଅର୍ଥାତ୍‌ ଖର୍ଦ୍ଦି ଚୁକ୍ତିର କୌଣସି ସର୍ତ୍ତ ପୂରଣରେ ‘ଡାସଲଟ’ କମ୍ପାନି ଖିଲାପ କରିଥିଲେ, ସେଥିପାଇଁ ଫ୍ରାନ୍‌ସ ସରକାର ଦାୟୀ ରହିଥାନ୍ତେ। ପୁଣି ରାଫେଲ୍‌ ନିର୍ମାତା ‘ଡାସଲଟ’ କମ୍ପାନି ପକ୍ଷରେ ‘ବ୍ୟାଙ୍କ୍‌ ଗ୍ୟାରେଣ୍ଟି’ ଦେବା ମଧୢ ବାଧୢତାମୂଳକ ଥିଲା। କିନ୍ତୁ ମୋଦୀ ସରକାର ସ୍ବାକ୍ଷର କରିଥିବା ଚୁକ୍ତିରେ ନା ସୋଭୋରେନ୍‌ ଗ୍ୟାରେଣ୍ଟି ନା ବ୍ୟାଙ୍କ୍‌ ଗ୍ୟାରେଣ୍ଟିର ବ୍ୟବସ୍ଥା ଅଛି। ଏ ପ୍ରସଙ୍ଗରେ ସିଏଜିଙ୍କ ମନ୍ତବ୍ୟ ହେଲା, ‘ବ୍ୟାଙ୍କ୍‌ ଗ୍ୟାରେଣ୍ଟି’କୁ ବାଦ୍‌ ଦିଆଯିବା ଫଳରେ ଆର୍ଥିକ ଦୃଷ୍ଟିରୁ ‘ଡାସଲଟ’ କମ୍ପାନି ଲାଭବାନ୍‌ ହୋଇଛି। ଯଦି ଏହି ଲାଭ ଭାରତକୁ ହସ୍ତାନ୍ତର କରିଥାନ୍ତା, ତେବେ ରାଫେଲ୍‌ର ମୂଲ୍ୟ ଆହୁରି କମ୍‌ ହୋଇଥାନ୍ତା। ‘ବ୍ୟାଙ୍କ୍‌ ଗ୍ୟାରେଣ୍ଟି’ ସର୍ତ୍ତକୁ ବାଦ୍‌ ଦିଆଯିବା ଫଳରେ ‘ଡାସଲଟ’କୁ ମିଳିଥିବା ଲାଭର ପରିମାଣ କିଛି କମ୍‌ ନୁହେଁ। ‘ଡାସଲଟ’କୁ ମିଳିଥିବା ଲାଭର ପରିମାଣ ପ୍ରାୟ ୫୭୪ ନିୟୁତ ୟୁରୋ। ଅର୍ଥାତ୍‌, ଭାରତୀୟ ମୁଦ୍ରାରେ ୪,୫୦୦ କୋଟି ଟଙ୍କାରୁ ଅଧିକ। ଭାରତକୁ ଏହି ୪,୫୦୦ କୋଟି ଟଙ୍କାର କ୍ଷତିର ଆଲୋକରେ ଦେଖିଲେ ୨.୮୪% କମ୍‌ ମୂଲ୍ୟରେ ରାଫେଲ୍‌ କିଣା ଯାଇଥିବା ଦାବି ଆହୁରି ଅନୁଜ୍ଜ୍ବଳ ଦେଖାଯାଉଛି। ସିଏଜିଙ୍କ ଏହି ଆକଳନ ନିଶ୍ଚିତ ଭାବେ ସରକାରଙ୍କୁ ଆକ୍ରମଣ ପାଇଁ ବିରୋଧୀଙ୍କୁ ନୂଆ ଅସ୍ତ୍ର ଯୋଗାଇଛି। ‘ଡାସଲଟ’ର ଲାଭ, ଭାରତ ପାଇଁ କ୍ଷତି।

ରାଫେଲ୍‌ କାରବାର ନେଇ ଆଉ ଗୋଟିଏ ପ୍ରସଙ୍ଗରେ ସିଏଜିଙ୍କ ରିପୋର୍ଟ ମୋଦୀ ସରକାରଙ୍କ ପକ୍ଷରେ ଅନୁକୂଳ ହୋଇଛି। ୟୁପିଏ ସମୟର ବୁଝାମଣା ଅନୁଯାୟୀ ୭୨ ମାସ ମଧୢରେ ‘ଡାସଲଟ’ କମ୍ପାନି ଭାରତକୁ ୩୬ଟି ରାଫେଲ୍‌ ଯୋଗାଇଥାନ୍ତା। ଏନ୍‌ଡିଏ ସରକାର କରିଥିବା ଚୁକ୍ତି ମୁତାବକ ରାଫେଲ୍‌ ଯୋଗାଣ ସମୟ ୬୭ ମାସକୁ କମିଛି। ଅର୍ଥାତ୍‌, ପୂର୍ବାପେକ୍ଷା ପାଞ୍ଚ ମାସ ଆଗରୁ ଭାରତ କିଣୁଥିବା ୩୬ଟି ଯାକ ରାଫେଲ୍‌ ଯୁଦ୍ଧ ବିମାନ ଆସିଯିବ। ବାୟୁସେନାର ଜରୁରି ଆବଶ୍ୟକତା ଦୃଷ୍ଟିରୁ ଯୁଦ୍ଧ ବିମାନ ଯୋଗାଣ ସମୟ ଆଗୁଆ ଧାର୍ଯ୍ୟ ହେବା ନିଶ୍ଚିତ ଭାବେ ଏକ ଭଲ ସ˚କେତ। ତେବେ, ଏହା ଆଶଙ୍କାରୁ ସ˚ପୂର୍ଣ୍ଣ ମୁକ୍ତ ନୁହେଁ। ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ନିର୍ଦ୍ଧାରିତ ୬୭ ମାସ ମଧୢରେ ୩୬ଟି ରାଫେଲ ଯୋଗାଣ ନେଇ ନିର୍ମାତା ‘ଡାସଲଟ’ କମ୍ପାନିର ପ୍ରତିଶ୍ରୁତି ଉପରେ କଥାବାର୍ତ୍ତାରେ ନିୟୋଜିତ ଭାରତୀୟ ପ୍ରତିନିଧି ଦଳ (ଇଣ୍ତିଆନ୍‌ ନେଗୋସିଏଟିଙ୍ଗ୍‌ ଟିମ୍‌) ଯଥେଷ୍ଟ ସନ୍ଦେହ ପ୍ରକାଶ କରିଥିଲେ। କାରଣ, ଚୁକ୍ତି ଚୂଡ଼ାନ୍ତ ହେଲା ବେଳକୁ କମ୍ପାନି ପୂର୍ବରୁ ‘ଅର୍ଡର’ ପାଇଥିବା ୮୩ଟି ରାଫେଲ ବିମାନ ତଥାପି ଯୋଗାଇବାକୁ ବାକି ଥିଲା। କମ୍ପାନିର ଉତ୍ପାଦନ କ୍ଷମତା ବାର୍ଷିକ ହାରାହାରି ୧୧ ରୁ ୧୨ ଯୁଦ୍ଧ ବିମାନ ତିଆରିରେ ସୀମିତ। ଏହି ହାରରେ ବିମାନ ତିଆରି ଜାରି ରହିଲେ ନିର୍ଦ୍ଧାରିତ ସମୟ ମଧୢରେ ୩୬ଟି ଯାକ ଯୁଦ୍ଧ ବିମାନ ଯୋଗାଣ କେତେ ଦୂର ସମ୍ଭବ ହେବ, ତାହା ଏକ ବଡ଼ ପ୍ରଶ୍ନ।

ରାଫେଲ୍‌ର ଦର ଓ ଯୋଗାଣ ସମୟ ପ୍ରସଙ୍ଗରେ ସିଏଜିଙ୍କ ରିପୋର୍ଟ ଗୋଟିଏ ପକ୍ଷରେ ମୋଦୀ ସରକାରଙ୍କ ଅଡ଼ୁଆକୁ କିଛି ମାତ୍ରାରେ ନିଶ୍ଚୟ କମାଇଛି। ଅନ୍ୟପକ୍ଷରେ ଆଉ କେତେକ ପ୍ରସଙ୍ଗରେ ସିଏଜିଙ୍କ ଟିପ୍ପଣୀ ସରକାରଙ୍କ ଅଡ଼ୁଆକୁ ଆହୁରି ବଢ଼ାଇଛି। ଉଦାହରଣ ସ୍ବରୂପ, ଭାରତର ବରାଦ ମୁତାବକ ରାଫେଲ୍‌ରେ ଖଞ୍ଜା ଯାଇଥିବା କେତେକ ଅତିରିକ୍ତ ଯନ୍ତ୍ର˚ାଶ ଓ ଉପକରଣ ସ˚ପୂର୍ଣ୍ଣ ‘ଅନାବଶ୍ୟକ’ ବୋଲି ସିଏଜି ଉଲ୍ଲେଖ କରିଛନ୍ତି। ପୁଣି ସିଏଜି ପ୍ରଶ୍ନ କରିଛନ୍ତି ଯେ, ଯୁଦ୍ଧ ବିମାନ ଯୋଗାଣ ପାଇଁ ନିଜ ଆଡୁ ଆଗ୍ରହ ପ୍ରକାଶ କରିଥିବା ‘ୟୁରୋଫାଇଟର’ ନିର୍ମାତାଙ୍କ ପ୍ରସ୍ତାବ କାହିଁକି ବିଚାରକୁ ନିଆଗଲା ନାହିଁ? ସିଏଜିଙ୍କ ମତ ହେଲା ‘ୟୁରୋଫାଇଟର’ ନିର୍ମାତା କମ୍ପାନିଙ୍କ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିଲେ ପ୍ରତିଯୋଗିତାର ସମ୍ଭାବନା ମଧୢରେ ରାଫେଲ୍‌ ସହ ମୂଲଚାଲରେ ଭାରତ ଅଧିକ ଦୃଢ଼ ଓ ସୁବିଧାଜନକ ସ୍ଥିତିରେ ରହିଥାନ୍ତା। ପ୍ରତିରକ୍ଷା ସାମଗ୍ରୀ ଖର୍ଦ୍ଦି ନୀତି ଓ ପ୍ରକ୍ରିୟାରେ କେତେକ ଅସ˚ଗତି ଦର୍ଶାଇ ସିଏଜି ମତ ଦେଇଛନ୍ତି ଯେ, ଏନ୍‌ଡିଏ ସରକାର ଚୂଡ଼ାନ୍ତ କରିଥିବା ରାଫେଲ୍‌ କାରବାର ଭାରତର ଦୃଷ୍ଟିକୋଣରୁ ଆହୁରି ଅଧିକ ଭଲ ହୋଇପାରିଥାନ୍ତା। ଏହା ସରକାରଙ୍କ ବିରୋଧରେ ଏକ ମୃଦୁ ଭର୍ତ୍ସନା କୁହାଯାଇପାରେ।

ତେଣୁ ସରକାର ଯେତେ ବଡ଼ ପାଟିରେ ଦାବି କଲେ ସୁଦ୍ଧା ସିଏଜି ରିପୋର୍ଟ କଦାପି ଏକ ‘କ୍ଲିନ୍‌ ଚିଟ୍‌’ ନୁହେଁ। ଉଭୟ ବିରୋଧୀ ଓ ସରକାରଙ୍କ ପାଇଁ ଏହା ଏକ ମିଶ୍ର ଫଳ। ପରିଣତି, ରାଫେଲ୍‌ ନେଇ ଲଢେ଼ଇ ଆହୁରି ଲମ୍ବା ଚାଲିବ ଓ ଊଣେଇଶ ନିର୍ବାଚନରେ ଏହା ଏକ ମୁଖ୍ୟ ପ୍ରସଙ୍ଗ ହେବ।

ସମ୍ବନ୍ଧିତ ଖବର