ଆଦର-ଅନାଦର

ପୁଲଵାମାରେ ପାକିସ୍ତାନ ବାହୁଛାୟାରେ ଥିବା ଜିହାଦୀ ସ˚ଗଠନ ଜୈସ୍‌-ଏ-ମହମ୍ମଦ ଦ୍ବାରା ରଚିତ ଆତଙ୍କବାଦୀ ନରସ˚ହାର ପରେ ଭାରତ ପାକିସ୍ତାନକୁ ଏ ପର୍ଯ୍ୟନ୍ତ ପ୍ରଦାନ କରିଆସିଥିବା ଏକତରଫା ‘ମୋଷ୍ଟ ଫେଭର‌୍‌ଡ ନେସନ୍‌’ (ସର୍ବାଧିକ ଆଦରର ଦେଶ) ବା ସ˚କ୍ଷିପ୍ତରେ ‘ଏମ୍‌ଏଫ୍‌ଏନ୍‌’ ମର୍ଯ୍ୟାଦା ପ୍ରତ୍ୟାହାର କରି ନେଇ ଏବେ ପାକିସ୍ତାନରୁ ଆମଦାନି ହେଉଥିବା ଦ୍ରବ୍ୟସବୁ ଉପରେ ଏକ ଉଚ୍ଚା ୨୦୦% ଆମଦାନି ଶୁଳ୍‌କ ଲାଗୁ କରିଛି। ଅବାଧ ବାଣିଜ୍ୟର ନୀତିଗତ ଉପାସକମାନଙ୍କୁ ଏହା ଡୋନାଲ୍‌ଡ ଟ୍ରମ୍ପ୍‌ ଯୁଗରେ ଦେଖାଦେଇଥିବା ପୃଥିବୀରେ ଅବାଧ ବାଣିଜ୍ୟର ମନ୍ଥର ମୃତ୍ୟୁର ଅଗ୍ରଗତି ଘୋଷଣା କରୁଥିବା ଏକ ସଦ୍ୟତମ ଘଣ୍ଟି ଭଳି ଶୁଭୁଥାଇ ପାରେ। କାରଣ ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ହେଉଛି ବିଶ୍ବ ବାଣିଜ୍ୟ ସ˚ଗଠନ (ଡବ୍ଲ୍ୟୁଟିଓ) ଦ୍ବାରା ପ୍ରବର୍ତ୍ତିତ ଅବାଧ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା।

ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଅବାଧ ବାଣିଜ୍ୟ କୌଣସି ଏକ ଦେଶ ପାଇଁ ହେଉଛି ସର୍ବୋତ୍ତମ ଦୀର୍ଘକାଳୀନ ନୀତି। କିନ୍ତୁ ତାତ୍କାଳିକ ବା ସ୍ପଳ୍ପକାଳୀନ ଆବଶ୍ୟକତା ଯୋଗୁଁ ଅବାଧ ବାଣିଜ୍ୟର ଦୃଢ଼ତମ ଅନୁଗାମୀମାନଙ୍କୁ ମଧୢ ସମୟ ସମୟରେ ଏହି ମୁକ୍ତନୀତି ପରିତ୍ୟାଗ କରି ଆମଦାନି ରପ୍ତାନି ଉପରେ କଟକଣା ଜାରି କରିବାକୁ ପଡ଼ିଥାଏ, ଯେମିତି ଦୀର୍ଘ ପ୍ରାୟ ୨୩ ବର୍ଷ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଏବେ ପଦକ୍ଷେପ ନେଇଛି। ଅବାଧ ବାଣିଜ୍ୟର ସମର୍ଥକ ପ୍ରସିଦ୍ଧ ଅର୍ଥନୀତିଜ୍ଞମାନେ ମଧୢ ଯେ ସାମୟିକ ଜାତୀୟ ସ୍ବାର୍ଥ ସୁରକ୍ଷା ନିମିତ୍ତ ନିଜର ପ୍ରତିଷ୍ଠିତ ନୀତିରେ ପରିବର୍ତ୍ତନ ଘଟାଇଥାନ୍ତି, ତାହାର ବୋଧହୁଏ ପ୍ରକୃଷ୍ଟତମ ଉଦାହରଣ ହେଉଛନ୍ତି ସର୍ବକାଳୀନ ମହାନ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କୀନ୍‌ସ। ଏ ସମ୍ବନ୍ଧରେ ଏକ କଠୋର ନୈତିକ ଆଭିମୁଖ୍ୟ ଗ୍ରହଣ କରି କୀନ୍‌ସ ୧୯୨୩ରେ ଲେଖିଥିଲେ: ‘‘ଆମେ କେବଳ ମାତ୍ର ଏକ ଅର୍ଥନୈତିକ ସୁବିଧା ନୀତି ରୂପେ ନୁହେଁ, ଆନ୍ତର୍ଜାତିକ ନୈତିକତାର ଏକ ନିୟମ ରୂପେ ଅବାଧ ବାଣିଜ୍ୟକୁ ଜାବୁଡ଼ି ଧରିିବା ଉଚିତ।’’ କିନ୍ତୁ ଏହାର କେତେ ବର୍ଷ ପରେ ଯେତେବେଳେ ବ୍ରିଟେନ୍‌ର ଅର୍ଥନୀତି ପୃଥିବୀ ବ୍ୟାପୀ ଦେଖାଦେଇଥିବା ମହାଅବସ୍ଫୀତି ଦ୍ବାରା କବଳିତ ହେଲା, ସେଇ କୀନ୍‌ସ ୧୯୩୬ରେ ପ୍ରକାଶିତ ତାଙ୍କର ଶ୍ରେଷ୍ଠତମ କୃତି ‘ଜେନେରାଲ୍‌ ଥିଓରି’ରେ ରପ୍ତାନି ବଳକାର ଉପଯୋଗିତା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ଦେଖା ଯାଇଥିଲା। ସେ ସମୟରେ ଏକ ପାର୍ଲାମେଣ୍ଟାରି କମିସନ୍‌ ନିକଟରେ ନିଜର ମତ ଉପସ୍ଥାପନ କରି ସେ କହିଥିଲେ ଯେ ଏକ ଦୀର୍ଘକାଳୀନ ନୀତି ରୂପେ ସେ ବାଣିଜ୍ୟ ସୁରକ୍ଷା ନୀତି (ପ୍ରୋଟେକ୍‌ସନ୍‌)କୁ ଭୀଷଣ ଭୟ କରନ୍ତି, କିନ୍ତୁ କୌଣସି ଜରୁରୀ ତାତ୍କାଳିକ ଆବଶ୍ୟକତା ପୂରଣ ନିମିତ୍ତ ସେ ଦୀର୍ଘକାଳୀନ ସ୍ବାର୍ଥ ପ୍ରତି ବାଧା ପହଞ୍ଚାଇ ସାମୟିକ ଭାବରେ ବାଣିଜ୍ୟ ନିୟନ୍ତ୍ରଣ ନୀତି ଅବଲମ୍ବନ କରିବାକୁ କୁଣ୍ଠିତ ନୁହନ୍ତି। କୀନ୍‌ସଙ୍କର ଏକ ଜଣାଶୁଣା ପ୍ରସିଦ୍ଧ ଉକ୍ତି ହେଲା: ‘‘ଇନ୍‌ ଦି ଲଙ୍ଗ୍‌ ରନ୍‌, ଵି ଆର‌୍‌ ଅଲ୍‌ ଡେଡ୍‌’’ (ଦୀର୍ଘକାଳରେ ଆମେ ସମସ୍ତେ ମରିସାରିଥିବା)। କୀନ୍‌ସ ସେତେବେଳେ ମତ ପ୍ରକାଶ କରିଥିଲେ ଯେ ମାନ୍ଦା ଅବସ୍ଥାରେ ସୁଧାର ଆସି ବ୍ରିଟିସ୍‌ ଅର୍ଥନୀତି ପୁଣି ଶକ୍ତି ଫେରି ପାଇବା ପରେ ବ୍ରିଟେନ୍‌ ଆଉଥରେ ଅବାଧ ବାଣିଜ୍ୟ ନୀତି ଅବଲମ୍ବନ କରିପାରିବ, ବର୍ତ୍ତମାନ କିନ୍ତୁ ଉଚ୍ଚା ଆମଦାନି ଶୁଳ୍‌କ ଲଗାଇ ବାସ୍ତବ ମଜୁରିକୁ ନୀଚା ରଖିବା ଏବ˚ ଜାତୀୟ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ହେଉଛି ଜରୁରୀ।

କୀନ୍‌ସଙ୍କ ପରି ଭାରତ ମଧୢ ଦୀର୍ଘକାଳୀନ ଭିତ୍ତିରେ ଅବାଧ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସ୍ଥାର ଉପାଦେୟତାରେ ବିଶ୍ବାସ କରେ। ଭାରତ ସେଥିପାଇଁ ହେଉଛି ବିଶ୍ବ ବାଣିଜ୍ୟ ସ˚ଗଠନର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଏବ˚ ଏହାର ଅବାଧ ବାଣିଜ୍ୟ ନୀତି ପାଳନ କରି ୧୯୯୬ଠାରୁ ପାକିସ୍ତାନକୁ ‘ଏମ୍‌ଏଫ୍‌ଏନ୍‌’ ମର୍ଯ୍ୟାଦା ପ୍ରଦାନ କରି ଆସିଛି। କିନ୍ତୁ ଏହି ନାମ ସାମାନ୍ୟ ବିଭ୍ରାନ୍ତି ସୃଷ୍ଟି କରିପାରେ। କୌଣସି ଦେଶକୁ ଏହା ଦ୍ବାରା ଅତି ଆଦରର ଦେଶର ମାନ୍ୟତା ପ୍ରଦାନ କରିବା ଅର୍ଥ ନୁହେଁ ସେ ଦେଶକୁ କୌଣସି ବିଶେଷ ବାଣିଜ୍ୟିକ ସୁବିଧା ସୁଯୋଗ ପ୍ରଦାନ କରିବା। ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ଅର୍ଥ ହେଉଛି ସମ୍ପୃକ୍ତ ଦେଶ ପ୍ରତି କୌଣସି ବାଛବିଚାର ପ୍ରଦର୍ଶନ ନକରିବା। ଏକ ଦେଶ ତା’ର କୌଣସି ଏକ ବାଣିଜ୍ୟିକ ପାର୍ଟନର‌୍‌ ଦେଶ ପ୍ରତି ଯେଉଁ ଭଳି ବାଣିଜ୍ୟ ନୀତି ପ୍ରୟୋଗ କରିଥାଏ, ତା’ର ସମସ୍ତ ପାର୍ଟନର ଦେଶମାନଙ୍କ ପ୍ରତି ମଧୢ ଅନୁରୂପ ନୀତି ଅବଲମ୍ବନ କରିବା ହେଉଛି ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ପ୍ରଦାନର ତାତ୍ପର୍ଯ୍ୟ। ସାଧାରଣତଃ ସର୍ବନିମ୍ନ ବାଣିଜ୍ୟ ପ୍ରତିବନ୍ଧ, ନୀଚା ଆମଦାନି ଶୁଳ୍‌କ ଏବ˚ ଉଚ୍ଚା ଆମଦାନି କୋଟା ଆଦି ହେଉଛି ‘ଏମ୍‌ଏଫ୍‌ଏନ୍‌’ର ଅ˚ଶବିଶେଷ। ଭାରତ ବିଶ୍ବ ବାଣିଜ୍ୟ ସ˚ଗଠନର ଶୃଙ୍ଖଳିତ ସଦସ୍ୟ ଭାବରେ ପାକିସ୍ତାନକୁ ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ପ୍ରଦାନ କରିବାର ଏତେ ବର୍ଷ ବିତି ଯାଇଥିଲେ ମଧୢ ପାକିସ୍ତାନ ଭାରତକୁ ପ୍ରତିବଦଳରେ ଅନୁରୂପ ମାନ୍ୟତା ପ୍ରଦାନ କରି ନାହିଁ। ବିଶ୍ବ ବାଣିଜ୍ୟ ସ˚ଗଠନର ବ୍ୟବସ୍ଥା ଅନୁସାରେ ଯଦି ଏକ ସଦସ୍ୟ ଦେଶ ଏପରି ଅବାଧୢ ଆଚରଣ ପ୍ରଦର୍ଶନ କରେ ତା’ହେଲେ ପ୍ରଭାବିତ ଦେଶ ସେ ଦେଶକୁ ସ˚ଗଠନର ବିବାଦ ସମାଧାନ ପ୍ୟାନେଲ୍‌ ସମ୍ମୁଖକୁ ଭିଡ଼ି ନେଇ ପାରିବ। ଭାରତ କିନ୍ତୁ ତାହା ନକରି ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଧୈର୍ଯ୍ୟର ସହ ପାକିସ୍ତାନର ପ୍ରତିଦାନକୁ ଅପେକ୍ଷା କରି ରହିଛି। ପାକିସ୍ତାନ କିନ୍ତୁ ଭାରତର ଆଦର ବଦଳରେ କେବଳ ଅନାଦର ବ୍ୟତୀତ ଆଉ କିଛି ତା’ର ଏହି ପଡେ଼ାଶୀକୁ ଦେଇ ନାହିଁ। ୨୦୧୧ରେ ପାକିସ୍ତାନ କହିଥିଲା ଯେ ୨୦୧୩ ଜାନୁଆରି ୧ ତାରିଖ ସୁଦ୍ଧା ସେ ଭାରତକୁ ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ପ୍ରଦାନ କରିବ। କିନ୍ତୁ ସେ ଦେଶରେ ଏ ପ୍ରସ୍ତାବ ପ୍ରତି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀମାନଙ୍କ ଦ୍ବାରା ବିରୋଧ ପ୍ରକାଶ ପାଇବାରୁ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ୨୦୧୮ ନଭେମ୍ବରରେ ବର୍ତ୍ତମାନର ଇମ୍ରାନ୍‌ ଖାନ୍‌ ସରକାରରେ ବାଣିଜ୍ୟ ମନ୍ତ୍ରୀ ଥିବା ରଜାକ୍‌ ଦାଉଦ୍‌ ଏ ବ୍ୟାପାରରେ ସର୍ବଶେଷ ମନ୍ତବ୍ୟ ପ୍ରଦାନ କରି କହିଛନ୍ତି ଯେ ଭାରତକୁ ନିକଟରେ ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ପ୍ରଦାନ ପାଇଁ ତାଙ୍କ ସରକାରଙ୍କର କୌଣସି ଯୋଜନା ନାହିଁ।

ଭାରତ ବର୍ତ୍ତମାନ ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ପ୍ରତ୍ୟାହାର କରି ପାକିସ୍ତାନ ପ୍ରତି ବିଭିନ୍ନ ବାଣିଜ୍ୟ ପ୍ରତିରୋଧକ ମାନ ଲାଗୁ କରିବା ଦ୍ବାରା ପାକିସ୍ତାନର ସିମେଣ୍ଟରୁ ଆରମ୍ଭ କରି ରାସାୟନିକ ପଦାର୍ଥ, ତୁଳା, ଚିନି, ପିଆଜ ଆଦି ପର୍ଯ୍ୟନ୍ତ ଭାରତକୁ ହେଉଥିବା ରପ୍ତାନି ବାଧାପ୍ରାପ୍ତ ହେବ। ୨୦୧୭-୧୮ରେ ପାକିସ୍ତାନରୁ ଭାରତକୁ ହୋଇଥିବା ରପ୍ତାନିର ମୂଲ୍ୟ ଥିଲା ପ୍ରାୟ ୫୦୦ ମିଲିଅନ୍‌ ଡଲାର‌୍‌। ଉଭୟ ଦେଶ ମଧୢରେ ମୋଟ ବାର୍ଷିକ ବାଣିଜ୍ୟ କାରବାରର ମୂଲ୍ୟ ହେଉଛି ପ୍ରାୟ ୨ ବିଲିଅନ୍‌ ଡଲାର‌୍‌। ଏହା ବିଶାଳ ନହେଲେ ମଧୢ ଭାରତର ପଦକ୍ଷେପ ପାକିସ୍ତାନ ପାଇଁ ଅଧିକ କଷ୍ଟଦାୟକ ହେବ। ପ୍ରତୀକାତ୍ମକ ଭାବରେ ଭାରତ ‘ଏମ୍‌ଏଫ୍‌ଏନ୍‌’ ମାନ୍ୟତା ପ୍ରତ୍ୟାହାର କରିବାର ଜବାବରେ ପାକିସ୍ତାନ ପାଖରେ ପ୍ରତ୍ୟାହାର କରିବା ପାଇଁ କିଛି ନାହିଁ। ଜିହାଦୀ କବଳିତ ପାକିସ୍ତାନ ନିକଟ ଭବିଷ୍ୟତରେ ଭାରତର ଆଦର ଫେରି ପାଇବାର ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର