ନା ଦେଶପ୍ରେମ, ନା ରାଷ୍ଟ୍ରବାଦ!

ଫେବ୍ରୁଆରି ୧୪ ପୁଲଵାମା ଆତଙ୍କବାଦୀ ଘଟଣା ପରେ ଦେଶର ବିଭିନ୍ନ ସ୍ଥାନରେ ଧମକଚମକ, ଆକ୍ରମଣ ଓ ସାମାଜିକ ବାସନ୍ଦର ଶିକାର ହେଉଥିବା କଶ୍ମୀରୀ ଛାତ୍ର, କର୍ମଚାରୀ ଓ ବ୍ୟବସାୟୀଙ୍କୁ ସୁରକ୍ଷା ଯୋଗାଇ ଦେବା ଲାଗି ମାନ୍ୟବର ସୁପ୍ରିମ୍‌କୋର୍ଟ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ପ୍ରସଙ୍ଗରେ ଏକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗଗୋଇଙ୍କ ଅଧୢକ୍ଷତାରେ ଗଠିତ ଏକ ବେଞ୍ଚ ୧୧ଟି ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ୍‌ ମହାନିର୍ଦ୍ଦେଶକମାନଙ୍କୁ ନିଜ ନିଜ ରାଜ୍ୟରେ କଶ୍ମୀରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଲାଗି ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ ସହ ହି˚ସାକାରୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗୋ-ସୁରକ୍ଷା ନାମରେ ଭିଡ଼ ହି˚ସା ରୋକିବା ଲାଗି ରାଜ୍ୟ ସ୍ତରରେ ନିଯୁକ୍ତ ‘ନୋଡାଲ ଅଧିକାରୀ’ ମାନଙ୍କୁ କଶ୍ମୀରୀଙ୍କ ସୁରକ୍ଷା ପାଇଁ ମଧୢ ଦାୟୀ ରଖାଯିବ। କଶ୍ମୀରୀଙ୍କ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ଉଚ୍ଚତମ ନ୍ୟାୟାଳୟ ଏ ସ˚କ୍ରାନ୍ତରେ ସବୁ ରାଜ୍ୟଙ୍କ ସକାଶେ ଏକ ମାର୍ଗ ନିର୍ଦ୍ଦେଶାବଳୀ ଜାରି ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ମଧୢ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବିଧାନର ଶପଥ ନେଇ ନାଗରିକଙ୍କ ଧନ ଜୀବନର ସୁରକ୍ଷା ଦାୟିତ୍ବ ଗ୍ରହଣ କରିଥିବା ନିର୍ବାଚିତ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କଠାରୁ କଶ୍ମୀରୀଙ୍କ ସୁରକ୍ଷା ନିଶ୍ଚିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ନିର୍ବାଚିତ ସରକାରମାନେ ନିଜ କର୍ତ୍ତବ୍ୟରେ ଖିଲାପ କରିବାରୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ଶେଷରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ଏହାହିଁ ଆମ ଭାରତୀୟ ଶାସନ ବ୍ୟବସ୍ଥାର ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା। ନିର୍ବାଚିତ ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ କର୍ତ୍ତବ୍ୟ ସ˚ପାଦନରେ ବିଫଳତା ଜନିତ ଶୂନ୍ୟତା ନ୍ୟାୟପାଳିକାର ହସ୍ତକ୍ଷେପ ପାଇଁ ଅଯଥା ଅବକାଶ ସୃଷ୍ଟି କରୁଛି। ଫଳରେ ଶାସନ ବ୍ୟବସ୍ଥାର ବିଭିନ୍ନ ଅଙ୍ଗ ମଧୢରେ ଭାରସାମ୍ୟ ରହୁନାହିଁ। ପୁଲଵାମା ଘଟଣା ପରେ କଶ୍ମୀରୀଙ୍କ ବିରୋଧରେ ଆକ୍ରମଣକୁ ରୋକିବାରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସଫଳ ହୋଇଥିଲେ ସୁପ୍ରିମ୍‌କୋର୍ଟଙ୍କ ହସ୍ତକ୍ଷେପର ଆବଶ୍ୟକ ନଥିଲା। କଶ୍ମୀରୀଙ୍କ ଉପରେ ଆକ୍ରମଣ ଓ ସେମାନଙ୍କୁ ସୁରକ୍ଷା ଦେବା ଦିଗରେ ଶାସନ ବ୍ୟବସ୍ଥାର ବିଫଳତା ଏକ ଉଦ୍‌ବେଗର ବିଷୟ। ଭାରତର ଏକତା, ସ˚ହତି, ତଥା ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଚରିତ୍ରକୁ ଏହା ଆଦୌ ଉଜ୍ଜ୍ବଳ ଆଲୋକରେ ଦେଖାଉ ନାହିଁ।

ଗୋଟିଏ ପକ୍ଷରେ କଶ୍ମୀରକୁ ଭାରତମାତାର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦାବି କରାଯାଉଛି। ଅନ୍ୟପକ୍ଷରେ ସେହି କଶ୍ମୀର ମାଟିର ସନ୍ତାନ କଶ୍ମୀରୀଙ୍କ ପ୍ରତି ଘୃଣା, ବିଦ୍ବେଷ ସମାଜରେ ମୁଖ୍ୟସ୍ରୋତରୁ ଦୂରେଇ ରଖିବାର ପ୍ରୟାସ। ଏହା ପରସ୍ପରର ବିରୋଧାତ୍ମକ। କଶ୍ମୀର କୁହାଯାଉଥିବା ଭୂଖଣ୍ତ ଯଦି ଭାରତର, ତେବେ ସେହି ଭୂମିର ଲୋକେ ଭାରତରେ ଅଲୋଡ଼ା କାହିଁକି? ସେମାନଙ୍କ ଧାର୍ମିକ ବିଶ୍ବାସ ଆଡ଼କୁ ଅଙ୍ଗୁଳି ଦେଖାଯିବ କାହିକି? ଏହା ଭାରତୀୟ ରାଷ୍ଟ୍ରବାଦର ପରିଭାଷା ନୁହେଁ କି ଦେଶପ୍ରେମର ପ୍ରଦର୍ଶନ ନୁହେଁ। ପୁଲଵାମା ଘଟଣା ପରେ ଗତ ସପ୍ତାହେ ଧରି କଶ୍ମୀରୀଙ୍କ ବିରୋଧରେ ଆକ୍ରମଣ ଚାଲିଛି। କଶ୍ମୀର ଉତ୍ପାଦିତ ସାମଗ୍ରୀ ବର୍ଜନ ଓ କଶ୍ମୀରୀ ବ୍ୟବସାୟୀଙ୍କ ବାସନ୍ଦ ଲାଗି ନାରା ଦେଇ ବହୁ ସ୍ଥାନରେ ଅଭିଯାନ ଚାଲିଛି। କେବଳ ପାକିସ୍ତାନ ନୁହେଁ, ଏକ ନିର୍ଦ୍ଦିଷ୍ଟ ସ˚ଖ୍ୟାଲଘୁ ଧାର୍ମିକ ସ˚ପ୍ରଦାୟ ବିରୋଧରେ ସ୍ଳୋଗାନ ଦେଇ ଶୋଭାଯାତ୍ରାର ଆୟୋଜନ କରାଯାଉଛି। ଏହାକୁ ଭାରତୀୟ ଜାତୀୟତାବାଦ କହି ଯଥାର୍ଥ ସାବ୍ୟସ୍ତ କରାଯାଇ ପାରିବ ନାହିଁ। ବର˚ ଏହା ଭାରତର ଏକତା ସ˚ହତି ତଥା ଦେଶର ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଭାବନାର ପରିପନ୍ଥୀ। ଯେଉଁମାନେ ହି˚ସାକୁ ବିରୋଧ କରୁଛନ୍ତି ଏବ˚ ଏ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି ସେମାନଙ୍କ ପିଠିରେ ଦୋ ବିରୋଧୀ ମୋହର ଲଗାଇ ନିନ୍ଦା କରାଯାଉଛି।

ମନେ ରଖିବାକୁ ହେବ ଯେ, ଭୀରତ ବିରୋଧରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ହି˚ସାର ଏକ ପ୍ରଧାନ ଲକ୍ଷ୍ୟ- ଦେଶରେ ସାମାଜିକ ବିଭାଜନ, ସା˚ପ୍ରଦାୟିକ ବିଦ୍ବେଷର ବିଷମଞ୍ଜି ବୁଣି ଅସ୍ଥିରତା ସୃଷ୍ଟି। ପୁଲଵାମା ଘଟଣା ପରବର୍ତ୍ତୀ କଶ୍ମୀରୀ ଓ ନିର୍ଦ୍ଦିଷ୍ଟ ସ˚ଖ୍ୟାଲଘୁ ସ˚ପ୍ରଦାୟ ବିରୋଧୀ ଅଭିଯାନ ସେହି ଲକ୍ଷ୍ୟ ହାସଲରେ ଶତ୍ରୁ ପକ୍ଷର ସହାୟକ ହେଉଛି। ଜାଣତରେ ହେଉ କି ଅଜାଣତରେ, ଆମେ ଭାରତ ମାତାର ସନ୍ତାନମାନେ ଶତ୍ରୁ ପକ୍ଷର ଷଡ଼୍ଯନ୍ତ୍ରର ଶିକାର ହୋଇ ସେମାନଙ୍କ ଲକ୍ଷ୍ୟ ହାସଲରେ ସ୍ବେଚ୍ଛାରେ ଯୋଗଦାନ ଦେଉଛନ୍ତି। ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ ସମ୍ବିଧାନର ଶପଥ ନେଇ ଶାସନ ବ୍ୟବସ୍ଥାରେ ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତିମାନେ ମଧୢ ଏ ହୀନ ଚକ୍ରାନ୍ତକୁ ବୁଝି ନ ପାରି ଶତ୍ରୁପକ୍ଷର କ୍ରୀଡ଼ନକ ସାଜୁଛନ୍ତି। ଏ ପ୍ରସଙ୍ଗରେ ମେଘାଳୟର ମାନ୍ୟବର ରାଜ୍ୟପାଳ ତଥାଗତ ରାୟଙ୍କ ଟ୍ବିଟ୍‌ ଉଲ୍ଲେଖ କରାଯାଇପାରେ। କଶ୍ମୀରୀଙ୍କ ସାମାଜିକ ବାସନ୍ଦ ଓ କଶ୍ମୀର ଉତ୍ପାଦିତ ସାମଗ୍ରୀର ଦେଶବ୍ୟାପୀ ବର୍ଜନ ଲାଗି ସାମାଜିକ ଗଣମାଧୢମରେ ଦିଆଯାଇଥିବା ଆହ୍ବାନକୁ ମେଘାଳୟ ରାଜ୍ୟପାଳ ସମର୍ଥନ ଜଣାଇଛନ୍ତି। ଜଣେ ବ୍ୟକ୍ତିର ବ୍ୟକ୍ତିଗତ ରାଜନୈତିକ ଦର୍ଶନ କିମ୍ବା ଆଭିମୁଖ୍ୟ ଯାହାବି ହେଉ, ସାମ୍ବିଧାନିକ ପଦରେ ଅବସ୍ଥାପିତ ହେଲା ପରେ ସାମ୍ବିଧାନିକ ବ୍ୟବସ୍ଥା ଓ ସମ୍ବିଧାନରେ ଅନ୍ତର୍ନିହିତ ଦର୍ଶନ ଓ ଆଭିମୁଖ୍ୟ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ଆନୁଗତ୍ୟ ସମର୍ପଣ ଭାବ ଆଶା କରାଯାଏ। କିନ୍ତୁ ବିଡ଼ମ୍ବନା ହେଲା, ଚଳିତ ଶାସନରେ ସାମ୍ବିଧାନିକ ପଦପଦବିରେ ଅବସ୍ଥାପିତ ଅନେକ ବ୍ୟକ୍ତିଙ୍କ ଆଚରଣ ଓ ଉଚ୍ଚାରଣରେ ଭାରତୀୟ ସମ୍ବିଧାନରେ ଅନ୍ତର୍ନିହିତ ଦର୍ଶନ ଓ ଭାବନାର ପ୍ରତିଫଳନ ଦେଖାଯିବା ପରିବର୍ତ୍ତେ, ସେମାନଙ୍କ ରାଜନୈତିକ ଦର୍ଶନ ଓ ଆଭିମୁଖ୍ୟର ପ୍ରତିଫଳନ ଅଧିକ ଦେଖାଯାଉଛି। ଏହାର ପରିଣତି, ରାଜନୈତିକ- ସାମାଜିକ ଅସହିଷ୍ଣୁତା, ସା˚ପ୍ରଦାୟିକ ବିଦ୍ବେଷ ଏବ˚ ଗୋ-ସୁରକ୍ଷା ନାମରେ ହି˚ସାର ସ˚କ୍ରମଣ।

ମେଘାଳୟର ମାନ୍ୟବର ରାଜ୍ୟପାଳଙ୍କ କଶ୍ମୀରୀ ବିରୋଧୀ ଟ୍ବିଟ୍‌ ଯେତିକି ଦୁର୍ଭାଗ୍ୟଜନକ, ଏହା ଉପରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ ଓ ସର୍ବୋପରି ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିିଷ୍ଠିତ ରାଷ୍ଟ୍ରପତି ପ୍ରମୁଖ ଉଚ୍ଚ ସାମ୍ବିଧାନିକ ପଦବିଧାରୀଙ୍କ ନିରବତା ତା’ଠାରୁ ଅଧିକ ଦୁର୍ଭାଗ୍ୟଜନକ। ଏ ନିରବତା କଶ୍ମୀରୀଙ୍କ ବିରୋଧରେ ହି˚ସାକୁ ଶାସନର ପ୍ରୋତ୍ସାହନ ନୁହେଁ ତ ଆଉ କ’ଣ? ଅଳ୍ପକିଛି ଉଦ୍‌ଭ୍ରାନ୍ତ ଯୁବକ କିମ୍ବା ସ୍ବାର୍ଥନ୍ବେଷୀ ବିଚ୍ଛିନ୍ନତାବାଦୀଙ୍କ ଉପଦ୍ରବ ପାଇଁ କଶ୍ମୀରର ୧ କୋଟି ୨୫ ଲକ୍ଷ ସାଧାରଣ ଜନତାଙ୍କୁ ଦାୟୀ କରାଯାଇ ପାରିବ ନାହିଁ। ଆତଙ୍କବାଦର କୌଣସି ଧର୍ମ କିମ୍ବା ଦେଶ ନଥାଏ। ଆତଙ୍କବାଦ ବିରୋଧରେ ମିଳିତ ଲଢେ଼ଇ ପାଇଁ ଆହ୍ବାନ ଦିଆଯାଉଛି। କଶ୍ମୀରକୁ ଚରାଭୂଇଁ କରିଥିବା ଆତଙ୍କବାଦ ବିରୋଧରେ ମିଳିତ ଲଢେ଼ଇ କଶ୍ମୀରୀଙ୍କୁ ବାଦ୍‌ ଦେଇ ସମ୍ଭବ ନୁହେଁ। ପାକ୍‌- ପ୍ରାୟୋଜିତ ଆତଙ୍କବାଦର ସଫଳ ମୁକାବିଲା ପାଇଁ କଶ୍ମୀରୀଙ୍କୁୁ ବିଶ୍ବାସକୁ ନେଇ ସେମାନଙ୍କୁ ଏହି ଲଢେ଼ଇରେ ସାମିଲ କରାଇବାକୁ ପଡ଼ିବ। କଶ୍ମୀରକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ମନେ କରିବା ସହ କଶ୍ମୀରୀଙ୍କୁ ମଧୢ ଭାରତ ମାତାର ସନ୍ତାନ ଭଳି ଦେଖିବାକୁ ହେବ। ଏଥିପାଇଁ ଆତଙ୍କବାଦୀ ଆକ୍ରମଣର ପାଲଟା ଜବାବ ଦେବା ଲାଗି ସାମରିକ ଅଭିଯାନର ଯୋଜନା ସହ କଶ୍ମୀରୀବାସୀଙ୍କୁ ଜାତୀୟ ମହାସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ଚାଲିଥିବା ରାଜନୈତିକ ପ୍ରକ୍ରିୟାକୁ ମଧୢ ତ୍ବରାନ୍ବିତ କରାଯିବା ଆବଶ୍ୟକ। କଶ୍ମୀରୀ ଯୁବକ ଡାକ୍ତର ଇଞ୍ଜିନିୟର ହେବା ବଦଳରେ ବନ୍ଧୁକ ଉଠାଇ କାହିଁକି ଆତଙ୍କବାଦୀଙ୍କ ସହ ସାମିଲ ହେଉଛନ୍ତି? କାହିଁକି କଶ୍ମୀରୀ ଯୁବକଙ୍କ ମନରେ ଆଜି ଆଉ ମୃତ୍ୟୁର ଭୟ ନାହିଁ? ବର୍ଷ ବର୍ଷ ଧରି କଥାବାର୍ତ୍ତା ଚାଲିଥିଲେ ମଧୢ ସୁଫଳ କାହିଁକି ମିଳୁନାହିଁ? ସକରାତ୍ମକ ମନୋଭାବ ସହ ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ଭାରତୀୟ ରାଜନୈତିକ ନେତ୍ବତ୍ବର ଦାୟିତ୍ବ।

ସମ୍ବନ୍ଧିତ ଖବର