ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ସର୍ବୋଚ୍ଚ ସାଂଗଠନିକ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ଏହା ସହ ଗୋଟିଏ ପକ୍ଷରେ ସବୁଠାରୁ ଲମ୍ବା ସମୟ ଧରି ଦଳର ମଙ୍ଗ ଧରି ଆସିଥିବା ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଅବ୍ୟାହତି ଏବଂ ଅନ୍ୟ ପକ୍ଷରେ କଂଗ୍ରେସ ମୁଖ୍ୟ ଭାବେ ଗାନ୍ଧୀ-ନେହରୁ ପରିବାରର ଚତୁର୍ଥ ପିଢ଼ିର ଅଭିଷେକ ପାଇଁ ଅବଗଣନା ଆରମ୍ଭ ହୋଇ ଯାଇଛି। ସମ୍ଭବତଃ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବା ପୂର୍ବରୁ ଦଳର ସଭାପତି ଭାବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପଦୋନ୍ନତିର ଔପଚାରିକତା ସଂପୂର୍ଣ୍ଣ ହୋଇଯିବ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିଧନର ସାତ ବର୍ଷ ପରେ ୧୯୯୮ରେ କଂଗ୍ରେସର ଡୋରି ହାତକୁ ନେବା ପଛରେ ସୋନିଆଙ୍କ ଉଦ୍ଦେଶ୍ୟ କ୍ଷମତା ହାସଲ ଯେତେ ନଥିଲା, କଂଗ୍ରେସରେ ପରିବାରର ‘ଲେଗାସି’ ବଜାୟ ରଖିବା ତା’ଠାରୁ ଅଧିକ ଥିଲା। ସୋନିଆ କିନ୍ତୁ ତାଙ୍କର ଦୁଇ ଦଶକର କାର୍ଯ୍ୟକାଳ ମଧ୍ୟରେ ସୀମିତ ଉଦ୍ଦେଶ୍ୟର ସରହଦ ପାର କରି ବହୁତ ଅଧିକ ସଫଳତା ହାସଲ କରିପାରିଛନ୍ତି। ସୋନିଆ କେବଳ ଦଳକୁ ପ୍ରାୟତଃ ଏକାଠି ରଖିବାରେ ସକ୍ଷମ ହୋଇଛନ୍ତି, ତାହା ନୁହେଁ, ତାଙ୍କ ନେତୃତ୍ୱରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ମେଣ୍ଟ ଦୁଇ ଦୁଇ ଥର କ୍ଷମତାକୁ ଆସିଛି। ଯେଉଁମାନେ ଏକଦା ସୋନିଆଙ୍କୁ ‘ବିଦେଶିନୀ’ କହି ତାଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରି ଦଳ ଛାଡ଼ିଥିଲେ, ପରବର୍ତ୍ତୀ ସମୟରେ ସେମାନେ ପୁଣି ୟୁପିଏ ମେଣ୍ଟକୁ ଫେରି କଂଗ୍ରେସ ସଭାନେତ୍ରୀଙ୍କ ନେତୃତ୍ୱକୁ ସ୍ୱୀକାର କରିଛନ୍ତି। ୨୦୦୪ରେ ନିଜେ ସୋନିଆ ପ୍ରଧାନମନ୍ତ୍ରୀ ହୋଇ ପାରିଥାନ୍ତେ। କିନ୍ତୁ ସେ ମନମୋହନ ସିଂହଙ୍କୁ ସରକାରର ଦାୟିତ୍ୱ ଦେଇଥିଲେ। ଅବଶ୍ୟ, ଏହା ମଧ୍ୟ ସତ ଯେ ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ଅନ୍ୟ ଦଳମାନଙ୍କ ସହଭାଗିତାରେ କ୍ରମାଗତ ଦୁଇଥର ଦିଲ୍ଲୀରେ ସରକାର ଗଢ଼ିଥିଲେ ସୁଦ୍ଧା, ସର୍ବପୁରାତନ ଦଳ ଇନ୍ଦିରା-ରାଜୀବ ଅମଳର ଶକ୍ତି ତଥାପି ଫେରି ପାଇ ନାହିଁ। ମେଣ୍ଟ ରାଜନୀତିର ଚାପରେ କଂଗ୍ରେସ ଆହୁରି ଅବକ୍ଷୟର ଶିକାର ହୋଇ ଅଧିକ ଦୁର୍ବଳ ହୋଇଛି। ଯାହାର ପରିଣତି ଦୀର୍ଘ ଦଶବର୍ଷ ଶାସନରେ ରହିଥିବା ଦଳ ୨୦୧୪ ନିର୍ବାଚନରେ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଚଉଦ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ମଧ୍ୟ ଦଳର ପରାଜୟ ଧାରା ଜାରି ରହିଛି। ଚଉଦ ପରେ କାଁ ଭାଁ ଗୋଟିଏ ଦୁଇଟି ବିଧାନସଭା ନିର୍ବାଚନରେ କଂଗ୍ରେସ ସଫଳତା ପାଇଥିବା ବେଳେ, ଅଧିକାଂଶ ରାଜ୍ୟରେ ଦଳ କ୍ଷମତା ହରାଇଛି। ଦଳର ଜନାଧାରର କ୍ରମାଗତ ସଙ୍କୋଚନ ପ୍ରତି ଏହା ଇଙ୍ଗିତ କରୁଛି।
ଏ ଭଳି ଏକ ପୃଷ୍ଠଭୂମିରେ କଂଗ୍ରେସ ଦଳର ମଙ୍ଗ ଗାନ୍ଧୀ-ନେହରୁ ପରିବାରର ପରବର୍ତ୍ତୀ ପିଢ଼ି ହାତକୁ ଯାଉଛି। ଭାରତୀୟ ଗଣତନ୍ତ୍ରର ଏହା ଏକ ବିଡ଼ମ୍ବନା ଯେ ଦେଶର ସର୍ବପୁରାତନ ଦଳ ବଂଶବାଦର ଦାସ। ନେତୃତ୍ୱ ପାଇଁ ଦଳର ତୃଣମୂଳ ସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ତୁଙ୍ଗ ସ୍ତରର ନେତା ପର୍ଯ୍ୟନ୍ତ କେହି ବି ଦଳୀୟ ନେତୃତ୍ୱ ପାଇଁ ଗାନ୍ଧୀ-ନେହରୁ ପରିବାର ସୀମା ଡେଇଁ ବାହାରକୁ ଦେଖି ପାରନ୍ତି ନାହିଁ। ଗାନ୍ଧୀ-ନେହରୁ ପରିବାର ପାଇଁ କଂଗ୍ରେସ ଯେତେ ଆବଶ୍ୟକ, କଂଗ୍ରେସ ପାଇଁ ଗାନ୍ଧୀ-ନେହରୁ ପରିବାରର ଆବଶ୍ୟକତା ତା’ଠାରୁ ଅଧିକ। ଏହି ଶାସକ ପରିବାରରୁ କେହି ସଦସ୍ୟ ଯଦି ମୁଖିଆ ନ ହୁଅନ୍ତି, ତେବେ ଦଳ ଏକାଠି ରହିପାରିବ ନାହିଁ। ଏ ଭଳି ଧାରଣା ଖାଲି କଂଗ୍ରେସ ଭିତରେ ନୁହେଁ, ଦଳର ନୀତି, ଆଦର୍ଶର ସମର୍ଥକ ଜନତାଙ୍କ ମଧ୍ୟରେ ବି ରହିଛି। ଅବଶ୍ୟ, ପରିବାରବାଦ କେବଳ କଂଗ୍ରେସରେ ନୁହେଁ, ବାମପନ୍ଥୀ ଦଳଙ୍କୁ ଛାଡ଼ିଦେଲେ ବର୍ତ୍ତମାନର କ୍ଷମତାସୀନ ଦଳ ବିଜେପି ସମେତ ଅନ୍ୟ ପ୍ରାୟ ସବୁ ଦଳରେ ରହିଛି।
ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କରି ୨୦୦୪ରେ ଆମେଥି ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ତାଙ୍କୁ ଓ ଦେଶବାସୀଙ୍କୁ ଜଣାଥିଲା ଯେ, ଉତ୍ତରାଧିକାରୀ ସୂତ୍ରରେ ସେ ହେବେ କଂଗ୍ରେସ ଦଳର ପରବର୍ତ୍ତୀ ମୁଖ୍ୟ। କେବଳ ଗୋଟିଏ ପ୍ରଶ୍ନ ଥିଲା ଏ ଔପଚାରିକତା ପୂରଣ ହେବ କେବେ? ଦେଢ଼ ଦଶକ ତଳେ ବର୍ତ୍ତମାନର ୪୮ ବର୍ଷ ବୟସ୍କ ରାହୁଲ ରାଜନୀତିରେ ପ୍ରବେଶ ବେଳେ କଂଗ୍ରେସ ସଂଗଠନ ସମ୍ଭାଳିବା ଲାଗି ନା ଥିଲା ତାଙ୍କର ବୟସ ନା ଥିଲା ରାଜନୈତିକ ପରିପକ୍ୱତା। ଅଭିଷେକ ଆହୁରି ଆଗରୁ ବି ହୋଇପାରିଥାନ୍ତା, ଯଦି ଶିକ୍ଷାନବିସ ଥିବା ସମୟରେ ତାଙ୍କ ଠାରେ ରାଜନୈତିକ ପରିପକ୍ୱତାର କିଛି ଲକ୍ଷଣ ଦେଖାଯାଇଥାନ୍ତା। ବରଂ ଅନ୍ୟପକ୍ଷରେ ବିଭିନ୍ନ ସମୟରେ କଂଗ୍ରେସ ରାଜକୁମାରଙ୍କ ଆଚରଣ ଓ ଉଚ୍ଚାରଣ କେବଳ ତାଙ୍କର ଅପରିପକ୍ୱତାର ସଂକେତ ଦେଉ ନଥିଲା, କ୍ଷମତା ରାଜନୀତି ପ୍ରତି ତାଙ୍କର ଅନାଗ୍ରହ ପ୍ରତି ମଧ୍ୟ ଇଙ୍ଗିତ କରୁଥିଲା। ଜଣେ ନେତା ପାଇଁ ଭାବମୂର୍ତ୍ତି, ଜନତାଙ୍କ ଦୃଷ୍ଟିକୋଣ ସବୁଠାରୁ ବଡ଼ ପୁଞ୍ଜି। କିନ୍ତୁ ସବୁ କିଛି ଥାଇ ସୁଦ୍ଧା ଏହି ପୁଞ୍ଜି ଯୋଗାଡ଼ କରିବାରେ ରାହୁଲ ଅନେକାଂଶରେ ଅସଫଳ ରହିଥିଲେ।
ତେବେ ରାଜନୀତି ସବୁବେଳେ ପରିବର୍ତ୍ତନଶୀଳ। ଏବେ ପରିସ୍ଥିତି ବଦଳି ଯାଇଛି ଓ କଂଗ୍ରେସର ଦାୟିତ୍ୱ ଗ୍ରହଣ ପାଇଁ ଏହା ଠାରୁ ଅଧିକ ଅନୁକୂଳ ପରିବେଶ କିଛି ହୋଇ ନପାରେ। ଏହି ଅନୁକୂଳ ପରିବେଶ ରାହୁଲ କିଂବା ତାଙ୍କ ନିଜ ଦଳ କଂଗ୍ରେସ ଯେତେ ତିଆରି କରିନାହିଁ, ପ୍ରତିପକ୍ଷ ବିଜେପି ଓ ଏହାର ନେତୃତ୍ୱ ତା’ଠାରୁ ଅଧିକ ତିଆରି କରିଛନ୍ତି। ଏନ୍ଡିଏ ସରକାରଙ୍କ ତିନିବର୍ଷର ଶାସନ ପରେ ସାଧାରଣ ଲୋକଙ୍କ ମନରେ ପରିବର୍ତ୍ତନ ପାଇଁ ଆଗ୍ରହ ସୃଷ୍ଟି ହେଉଛି, ସେମାନେ ବିକଳ୍ପ ଖୋଜୁଛନ୍ତି। ଏହା ଭାବୀ କଂଗ୍ରେସ ମୁଖ୍ୟ ରାହୁଲ ଓ ତାଙ୍କ ଦଳ କଂଗ୍ରେସ ପାଇଁ ଉଭୟ ସୁଯୋଗ ଓ ଆହ୍ଵାନ। ସୁଯୋଗ ହେଲା ଲୋକଙ୍କ ମନକୁ ପରିବର୍ତ୍ତନର ଚିନ୍ତା ଆସିଲାଣି, ସେମାନେ ବିକଳ୍ପ ଖୋଜୁଛନ୍ତି। ଆହ୍ଵାନ ହେଲା, ମୋଦୀଙ୍କ ନେତୃତ୍ୱ ଓ ବିଜେପିର ବିକଳ୍ପ ଭାବେ ନିଜକୁ ଉପସ୍ଥାପନ କରିବା। କେବଳ ମୋଦୀ ସରକାରଙ୍କ ନୀତି, କାର୍ଯ୍ୟକ୍ରମର ସମାଲୋଚନା ବିକଳ୍ପ ହେବା ଲାଗି ଯଥେଷ୍ଟ ନୁହେଁ। ଦେଶବାସୀଙ୍କ ଆଗରେ ନିଜସ୍ୱ ବିକଳ୍ପ ନୀତି, ଆଦର୍ଶକୁ ଉପସ୍ଥାପନ କରି ସେମାନଙ୍କ ଗ୍ରହଣୀୟତା, ବିଶ୍ୱାସ ଓ ଆସ୍ଥା ଜିଣିବାକୁ ପଡ଼ିବ।
ଦୁଇ ଦଶକ ତଳେ ମାତା ସୋନିଆ ଗାନ୍ଧୀଙ୍କ ପାଇଁ କଂଗ୍ରେସ ନେତୃତ୍ୱ ଯେତିକି ଆହ୍ଵାନଭରା ଥିଲା, ଆଜି ପୁତ୍ର ରାହୁଲଙ୍କ ପାଇଁ ତାହା ବହୁଗୁଣ ଅଧିକ ଆହ୍ଵାନପୂର୍ଣ୍ଣ। କଂଗ୍ରେସର ସ୍ଥିତି ୧୯୯୮ରେ ଯାହା ଥିଲା, ୨୦୧୭-୧୮ରେ ସ୍ଥିତି ତା’ଠାରୁ ବହୁତ ଖରାପ। ଆଗାମୀ ସମୟ କହିବ, ରାହୁଲ ସେ ସୁଯୋଗକୁ ଉପଯୋଗ କରିବାରେ ଓ ଆହ୍ଵାନକୁ ମୁକାବିଲା କରିବାରେ କେତେ ସଫଳ ହେଉଛନ୍ତି ଓ ତାଙ୍କ ନେତୃତ୍ୱରେ କଂଗ୍ରେସ କୁଆଡ଼େ ଯାଉଛି, କେଉଁଠି ପହଞ୍ଚୁଛି।