ମାଟ୍ରିକ୍ ବିଭ୍ରାଟ

ଓଡ଼ିଶା ମାଧୢମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ ବା ମାଟ୍ରିକ୍‌ ପରୀକ୍ଷା ବିଭ୍ରାଟ, ବିଶୃଙ୍ଖଳା ଓ ଅବ୍ୟବସ୍ଥାର ପ୍ରତିଶବ୍ଦ ପାଲଟି ଯାଇଛି। ବିଗତ ଗୋଟିଏ ଦଶନ୍ଧିରେ ବୋଧହୁଏ କ୍ବଚିତ୍‌ ଏମିତି କୌଣସି ବର୍ଷ ଥିବ, ଯେଉଁ ବର୍ଷ ରାଜ୍ୟରେ ସ୍କୁଲ ଶିକ୍ଷାର ଏହି ଶେଷ ତଥା ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ବିନା ବିଭ୍ରାଟରେ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ପରିଚାଳିତ ହୋଇଥିବ। କେଉଁ ବର୍ଷ ପ୍ରଶ୍ନ ପତ୍ର ଲିକ୍‌ ହୋଇଛି ତ ଆଉ କେଉଁ ବର୍ଷ ପରୀକ୍ଷା ଖାତା ମୂଲ୍ୟାୟନରେ ବିଭ୍ରାଟ ହୋଇଛି। ପୁଣି କେଉଁ ବର୍ଷ ପରୀକ୍ଷାକେନ୍ଦ୍ର ଚୟନରେ ପ୍ରିୟାପ୍ରୀତି, ଅନିୟମିତତା ମାଟ୍ରିକ୍‌ ପରୀକ୍ଷାର ସ୍ବଚ୍ଛତା ଓ ପବିତ୍ରତାକୁ କ୍ଷୁଣ୍ଣ କରିଛି। ଛୋଟମୋଟକୁ ବାଦ୍‌ ଦେଲେ ଗଲା ବାର ବର୍ଷ ଭିତରେ ମାଟ୍ରିକ ପରୀକ୍ଷାରେ ଅନ୍ତତଃ ଛଅଟି ବଡ଼ ବିଭ୍ରାଟ ଘଟିଛି। ଯାହାର ପରିଣତି ପରୀକ୍ଷା ବ୍ୟବସ୍ଥା ଉପରେ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କ ଆସ୍ଥା ଓ ବିଶ୍ବାସ ଦୁର୍ବଳ ପଡ଼ିଛି।

ବିଭ୍ରାଟ ଓ ବିଶୃଙ୍ଖଳାର କ୍ରମରେ ଏଥର ମଧୢ ମାଟ୍ରିକ୍‌ ପରୀକ୍ଷାରେ ସ୍ବଚ୍ଛତା ଓ ପବିତ୍ରତା ଉପରେ ପ୍ରଶ୍ନ ଉଠାଇ ପ୍ରଥମ ଦିନ ହିଁ ପରୀକ୍ଷା ଆରମ୍ଭର କିଛି ମିନିଟ୍‌ ମଧୢରେ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଛି। ଛାତ୍ରଛାତ୍ରୀ, ନିରୀକ୍ଷକଙ୍କ ସମେତ ପରୀକ୍ଷା ପରିଚାଳନା ସହ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍‌ ଫୋନ୍‌ ନେବା ଉପରେ କଡ଼ା ନିଷେଧାଜ୍ଞା ସତ୍ତ୍ବେ ପ୍ରଶ୍ନପତ୍ର ଭାଇରାଲ ହେଲା କେମିତି? ଆଶ୍ଚର୍ଯ୍ୟର ବିଷୟ ହେଲା, ଗତଥର ମଧୢ ୨୦୧୮, ଫେବ୍ରୁଆରି ୨୩ରେ ପରୀକ୍ଷାର ପ୍ରଥମ ଦିନରେ ଏହି ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଡେଇଁ ଚାଲିଥିଲା। ଗତ ବର୍ଷ କେବଳ ଗୋଟିଏ ବିଷୟର ନୁହେଁ, ତିନିଟି ବିଷୟ- ମାତୃଭାଷା ଓଡ଼ିଆ, ଇ˚ରେଜୀ ଓ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ବେଶ୍‌ ତନାଘନା ହେଲା, କ୍ରାଇମ୍‌ ବ୍ରାଞ୍ଚ ଦ୍ବାରା ତଦନ୍ତ ପର୍ଯ୍ୟନ୍ତ ମଧୢ କଥା ଗଲା। ଅଥଚ, ‘ଯେତେ ମାଠିବୁ ମାଠ୍‌, ସେହି ଦରପୋଡ଼ା କାଠ’ ନ୍ୟାୟରେ ଏ ବର୍ଷ ମଧୢ ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାର ପୁନରାବୃତ୍ତି ଘଟିଛି। ଏହାର ଅର୍ଥ ମାଧୢମିକ ଶିକ୍ଷା ବୋର୍ଡ ଏବ˚ ଗଣଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଗତଥରର ଅଭିଜ୍ଞତାରୁ କିଛି ଶିକ୍ଷା ଲାଭ କଲେ ନାହିଁ। ‘ଅବସ୍ଥା ଯଥା ପୂର୍ବ˚ ତଥା ପର˚’। ସବୁ ଯେମିତି ଚାଲିଥିଲା, ସେମିତି ଚାଲିଛି, ତଥାକଥିତ ତନାଘନା, ତଦନ୍ତ ଆଦି କେବଳ ଛଳନା ମାତ୍ର। ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଲା, ଗତଥର ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ନେଇ ମାଧୢମିକ ଶିକ୍ଷା ବୋର୍ଡ କର୍ତ୍ତୃପକ୍ଷ, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ମାନଙ୍କ ପ୍ରତିକ୍ରିୟା ଯାହା ଥିଲା, ଏଥର ମଧୢ ସେହି ସମାନ ପ୍ରତିକ୍ରିୟା ରହିଛି। ଏହାକୁ ‘ପ୍ରଶ୍ନ ପତ୍ର ଲିକ୍‌’ ବୋଲି କର୍ତ୍ତୃପକ୍ଷ ସ୍ବୀକାର କରିବାକୁ ନାରାଜ। କିନ୍ତୁ ନିର୍ଦ୍ଧାରିତ ପରୀକ୍ଷା ଅବଧି ଶେଷ ହେବା ପୂର୍ବରୁ ଯଦି ପ୍ରଶ୍ନପତ୍ର ବାଟରେ ହାଟରେ ବୁଲେ, ତେବେ ତାହାକୁ ଲିକ୍‌ ବୋଲି କୁହାଯିବ ନାହିଁ କେମିତି? ଯେଉଁ ମୋବାଇଲ ମାଧୢମରେ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ବାହାରକୁ ଆସିଲା, ସେହି ମୋବାଇଲ ମାଧୢମରେ ଏହାର ଉତ୍ତର ମଧୢ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାର ସମ୍ଭାବନାକୁ କେମିତି ଏଡ଼ାଯାଇ ପାରିବ? ଯେଉଁ ପରୀକ୍ଷାର୍ଥୀମାନେ ପଦାରୁ ଆସିଥିବା ଉତ୍ତର ଜାଣିଲେ, ସେମାନେ ଅନ୍ୟ ପରୀକ୍ଷାର୍ଥୀଙ୍କଠାରୁ ନିଶ୍ଚୟ ସୁବିଧାଜନକ ସ୍ଥିତିରେ ରହିଲେ। ଏହାଦ୍ବାରା ପରୀକ୍ଷାରେ ସାଧୁତା ରହିଲା କେଉଁଠିି? ପ୍ରଶ୍ନପତ୍ର ଭାଇରାଲ ଜନିତ ଅସାଧୁ କାରବାରକୁ ଅସ୍ବୀକାର କରିବା ଅର୍ଥ ଧର୍ମକୁ ଆଖିଠାର, ଦିନ ଦ୍ବିପହରରେ ସୂର୍ଯ୍ୟଙ୍କୁ ଲଣ୍ଠନ ଦେଖା।

ଏବେ ମୌଳିକ ପ୍ରଶ୍ନ, କାହିଁକି ପ୍ରାୟ ପ୍ରତିବର୍ଷ ମାଟ୍ରିକ୍‌ ପରୀକ୍ଷାରେ କିଛି ନା କିଛି ବିଭ୍ରାଟର ଶିକାର ହେଉଛନ୍ତି ଲକ୍ଷ ଲକ୍ଷ ନିରୀହ ପରୀକ୍ଷାର୍ଥୀ? ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବ ବଦଳୁଛନ୍ତି, ମାଧୢମିକ ଶିକ୍ଷା ପରିଷଦର ଅଧୢକ୍ଷ ଓ ସ˚ପାଦକ ମଧୢ ବଦଳୁଛନ୍ତି। ଅଥଚ, ବ୍ୟବସ୍ଥାରେ ଆବଶ୍ୟକ ସ˚ସ୍କାର ଆସୁନାହିଁ କିମ୍ବା ପରୀକ୍ଷା ପରିଚାଳନା ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ବଦଳୁ ନାହିଁ। ମାଟ୍ରିକ୍‌ ପରୀକ୍ଷାରେ ସ୍ବଚ୍ଛତା, ସାଧୁତା ଓ ପବିତ୍ରତା ରକ୍ଷା ଲାଗି କର୍ତ୍ତୃପକ୍ଷଙ୍କଠାରେ ଯେଉଁ ନିଷ୍ଠା ଓ ଆନ୍ତରିକତା ଆଶା କରାଯାଏ, ତା’ର ଘୋର ଅଭାବ ପରୀକ୍ଷା ପରିଚାଳନାକୁ ଆକ୍ରାନ୍ତ କରିଛି। ଏହା ଦୁର୍ଭାଗ୍ୟଜନକ ହେଲେ ମଧୢ ଏକ ନିଷ୍ଠୁର ବାସ୍ତବତା। ଏହାର କ୍ଷତି ସହୁଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। କେବଳ ‘ଥାଥା ମାମା’ ନୀତିରେ କିଛି ତରବରିଆ କାର୍ଯ୍ୟାନୁଷ୍ଠାନ, ଯେମିତି ପ୍ରଥମ ଦିନର ଅଘଟଣ ପାଇଁ ତିନିଟି କେନ୍ଦ୍ରର ଅଧୀକ୍ଷକ ଏବ˚ ନିରୀକ୍ଷକଙ୍କ ନିଲମ୍ବନ ଓ ଅବ୍ୟବସ୍ଥାର ତଦନ୍ତ ନିର୍ଦ୍ଦେଶ ଦେଇ କୌଣସି ମତେ ଯଥାତଥା କରି ପରୀକ୍ଷା ସାରି ଦେବାକୁ ସମସ୍ତେ ବ୍ୟଗ୍ର। ସମସ୍ୟାର ମୂଳ କାରଣକୁ ନଗଲେ ନିରାକରଣର ବାଟ ବାହାରିବ କେମିତି? ସମସ୍ୟାର ମୂଳକୁ ଯିବା ଲାଗି କର୍ତ୍ତୃପକ୍ଷଙ୍କଠାରେ ସ୍ପୃହାର ଅଭାବ ଯୋଗୁ ପରୀକ୍ଷା ପରିଚାଳନାରେ ଦୀର୍ଘମିଆଦି ସୁଧାର ଆସୁନାହିଁ। ବିଭ୍ରାଟ, ବିଶୃଙ୍ଖଳାର ତଦନ୍ତ ନିର୍ଦ୍ଦେଶ ଦିଆଯାଉଛି। ଏ ସମ୍ପର୍କରେ ସମସ୍ତେ ଜାଣନ୍ତି। ଏହାର ବ୍ୟାପକ ପ୍ରଚାର ମଧୢ କରାଯାଏ। କିନ୍ତୁ ତଦନ୍ତରୁ କ’ଣ ବାହାରିଲା? ବିଭ୍ରାଟ ପାଇଁ କିଏ ଉତ୍ତରଦାୟୀ? ଭବଷ୍ୟତରେ ବିଭ୍ରାଟର ପୁନରାବୃତ୍ତିକୁ ରୋକିବା ଲାଗି କ’ଣ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଗଲା? ଏହି ପ୍ରଶ୍ନଗୁଡ଼ିକ ସେମିତିି ପ୍ରଶ୍ନ ହୋଇ ରହିଯାଏ। ଅପ୍ରୀତିକର ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଲାଗି କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ହିଁ ବିଭ୍ରାଟ ଓ ବିଶୃଙ୍ଖଳାର କ୍ରମ ପୁଣି ଜାରି ରହେ। ପ୍ରଶ୍ନପତ୍ରର ସୁରକ୍ଷା ପାଇଁ ୨୦୧୨ରେ ନୋଡାଲ ସେଣ୍ଟର ବ୍ୟବସ୍ଥାର ପ୍ରବର୍ତ୍ତନ ହେଲା। କିନ୍ତୁ ସେହିବର୍ଷ ପୁରୀ ଜିଲ୍ଲାର ଏକ ସ୍କୁଲରୁ ପ୍ରଶ୍ନପତ୍ର ଚୋରି ହେଲା। ଆଜି ପର୍ଯ୍ୟନ୍ତ ଏହି ଘଟଣାର ରହସ୍ୟ ଉନ୍ମୋଚିତ ହୋଇ ପାରିନାହିଁ। ଚୋରିର କାରଣ ଜଣାନାହିଁ, କାର୍ଯ୍ୟାନୁଷ୍ଠାନ ହେବ କେମିତି? ଏହା ଭବିଷ୍ୟତରେ ପୁଣି ଆପରାଧିକ ଘଟଣାକୁ ଆମନ୍ତ୍ରଣ ନୁହେଁ ତ? ଗତବର୍ଷ ତିନି ତିନି ଥର ପ୍ରଶ୍ନପତ୍ର ଭାଇରାଲ ଘଟଣାର କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରୁ କୌଣସି ସୁଫଳ ମିଳିନଥିବାର ପ୍ରମାଣ ହେଲା, ଏବର୍ଷ ପୁଣି ପ୍ରଥମ ଦିନର ପ୍ରଶ୍ନପତ୍ର ଭାଇରାଲ୍‌ ହେବା। ୨୦୧୦ରେ ରାତାରାତି ସମ୍ବଲପୁର ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ବଦଳାଇ ଦିଆଗଲା। ଏ ପ୍ରକ୍ରିୟାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ମଧୢ ଅଭିଯୋଗ ହେଲା। ବିଭାଗୀୟ ତଦନ୍ତ ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ମଧୢ ରୁଜୁ ହେଲା। ଅଥଚ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏହା କ’ଣ ବାର୍ତ୍ତା ଦେଉଛି? ବିଭ୍ରାଟ ଓ ବିଶୃଙ୍ଖଳାକୁ ପ୍ରଶ୍ରୟ।

ଗତ କିଛି ବର୍ଷରେ ପ୍ରସାଧନ ଧର୍ମୀ ହେଲେ ସୁଦ୍ଧା ନିଶ୍ଚୟ କେତେକ ସ˚ସ୍କାରମୂଳକ ପଦକ୍ଷେପ ନିଆଯାଇଛି। କିନ୍ତୁ ଆଭିମୁଖ୍ୟ ନ ବଦଳିବା ଫଳରେ ସେଥିରୁ ଈପ୍‌ସିତ ଫଳ ନ ମିଳିବାର ଏକାଧିକ ଉଦାହରଣ ରହିଛି। ୨୦୧୪ରେ ଓଏମ୍‌ଆର‌୍‌ ଉତ୍ତର ଖାତାର ପ୍ରଚଳନ ହେଲା। ଅଥଚ କମ୍ପ୍ୟୁଟର ମୂଲ୍ୟାୟନରେ ଏମିତି ବିଭ୍ରାଟ ହେଲା ଯେ, ଏହାଦ୍ବାରା କ୍ଷତିଗ୍ରସ୍ତ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ପଡ଼ିଲା।

ମନେ ରଖିବାକୁ ପଡ଼ିବ ଯେ, ପରୀକ୍ଷା ପରିଚାଳନା ହେଉ କିମ୍ବା ମୂଲ୍ୟାୟନ କ୍ଷେତ୍ରରେ ସାମାନ୍ୟତମ ବିଭ୍ରାଟ, ବିଶୃଙ୍ଖଳା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ଅଥଚ ଗତବର୍ଷ ଗୋଟିଏ ପରୀକ୍ଷା କେନ୍ଦ୍ରର ଉତ୍ତର ଖାତା କୁଆଡେ଼ ନିଖୋଜ ହୋଇଗଲା କେହି ଜାଣି ପାରିଲେ ନାହିଁ। ତେଣୁ ମାଟ୍ରିକ୍‌ ପରୀକ୍ଷାରେ ଅବ୍ୟବସ୍ଥା, ବିଭ୍ରାଟ, ବିଶୃଙ୍ଖଳା ପ୍ରତି କର୍ତ୍ତୃପକ୍ଷ କଠୋର ହୋଇ କୌଣସି ପ୍ରକାର ଦାୟିତ୍ବହୀନତା, ଉଦାସୀନତା ପ୍ରତି ‘ଜିରୋ ଟଲରେନ୍‌ସ’ ନୀତି ଗ୍ରହଣ କରିବାକୁ ପଡ଼ିବ। ଅବଶ୍ୟ ଏଥିପାଇଁ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସ˚ସ୍କାର ଯେତେ ଆବଶ୍ୟକ, ପରୀକ୍ଷା ପରିଚାଳନା ଦାୟିତ୍ବରେ ରହୁଥିବା କର୍ତ୍ତୃପକ୍ଷ, ଶିକ୍ଷକ ଓ କର୍ମଚାରୀ ସମସ୍ତଙ୍କ ଆଭିମୁଖ୍ୟରେ ସ˚ସ୍କାର ତା’ଠାରୁ ବହୁ ଗୁଣରେ ଅଧିକ ଆବଶ୍ୟକ।

ସମ୍ବନ୍ଧିତ ଖବର