କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ନାୟିକା ନିଜର ରଜସ୍ବଳା ଅବସ୍ଥା ସମ୍ବନ୍ଧରେ ସୂଚନା ଦେବାପାଇଁ ଲାଲରଙ୍ଗର ମନ୍ଦାର ଫୁଲଟିଏ ବ୍ୟବହାର କରିବା ସହିତ ବିଦଗ୍ଧ ଭଞ୍ଜ ରସିକମାନେ ସୁପରିଚିତ। ନାୟିକାଙ୍କର ଏଭଳି ସ˚କୋଚର କାରଣ ଅବଶ୍ୟ ଥିଲା ତତ୍କାଳୀନ ଓଡ଼ିଶାର ସା˚ସ୍କୃତିିକୁ ପରିବେଶରେ ମହିଳାମାନଙ୍କର ଏହି ସ୍ବାଭାବିକ ଜୈବିକ ପ୍ରକ୍ରିୟା ଉପରେ ଥାପି ଦିଆଯାଇଥିବା ଏକ ନିଷିଦ୍ଧ ମୋହର, ଯାହା ପ୍ରାଚୀନ କାଳରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବଳବତ୍ତର ରହି ଆସିଥିଲା। ସେଇ ଦୃଷ୍ଟିରୁ ଦେଖିଲେ ବାଳିକାମାନଙ୍କ ପାଇଁ ଖୋଲାଖୋଲି ଭାବରେ ଋତୁସ୍ରାବ ସମୟରେ ବ୍ୟବହାର ପାଇଁ ପରିଚ୍ଛନ୍ନ ସ୍ବାସ୍ଥ୍ୟକର ସାନିଟାରୀ ପ୍ୟାଡ୍ ବିତରଣ ନିମିତ୍ତ ଓଡ଼ିଶା ସରକାର ଆରମ୍ଭ କରିଥିବା ‘ଖୁସି’ କାର୍ଯ୍ୟକ୍ରମ ଏକ ଗୁରୁତ୍ବପୂର୍ଣ୍ଣ ସା˚ସ୍କୃତିକ ବିପ୍ଳବଠାରୁ କୌଣସି ଗୁଣରେ କମ୍ ନୁହେଁ: ଏହା କେବଳ ମାତ୍ର ଏକ ଜନକଲ୍ୟାଣ କାର୍ଯ୍ୟକ୍ରମ ନୁହେଁ। ସୂଚାଇବା ଅନାବଶ୍ୟକ, ଋତୁସ୍ରାବ ସହିତ ଜଡ଼ିତ ସା˚ସ୍କୃତିକ କୁଣ୍ଠା ଦୂର ହୋଇଗଲେ ଏଥିଜନିତ ଅନେକ ଅସ୍ବସ୍ତି ଓ ଅସୁବିଧା ଆପେ ଆପେ ଉଭାନ୍ ହୋଇ ଯାଇ ମହିଳାମାନଙ୍କ ପାଇଁ ଖୁସିର ବାତାବରଣ ସୃଷ୍ଟି ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ଜଣାଶୁଣା ଯେ ଓଡ଼ିଶା ସରକାର ଏହି ‘ଖୁସି’ ବିପ୍ଳବ ପ୍ରବର୍ତ୍ତନ କରି ନିକଟ ଅତୀତରେ ଭାରତରେ ଦେଖା ଦେଇଥିବା ଏକ ଦେଶବ୍ୟାପୀ ଋତୁମୁକ୍ତି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଯାହାର ସଶବ୍ଦ ପ୍ରତିଧ୍ବନି ଅକ୍ଷୟ କୁମାରଙ୍କର ଅପହଞ୍ଚ ଇଲାକାରେ ଅନୁପ୍ରବେଶକାରୀ ଫିଲ୍ମ ‘ପ୍ୟାଡ୍ମ୍ୟାନ୍’ରୁ ଆରମ୍ଭ କରି ଶବରୀମାଳାର ଆୟାପ୍ପା ମନ୍ଦିରରେ ଋତୁମତୀମାନଙ୍କର ପ୍ରବେଶ ଉପରେ ଥିବା ପାରମ୍ପରିକ ନିଷେଧ ଉଠାଇବା ପାଇଁ ସୁପ୍ରିମ୍ କୋର୍ଟଙ୍କର ତତ୍କାଳୀନ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କର ସାହସିକ ନିର୍ଦ୍ଦେଶ ପର୍ଯ୍ୟନ୍ତରେ ଶୁଣିବାକୁ ଓ ଦେଖିବାକୁ ମିଳିଛି। ଏବେ କିନ୍ତୁ ଏପରି ଏକ ଘଟଣା ଘଟିଛି ଯାହା ଭାରତରେ ନାରୀମାନଙ୍କର ଏହି ବିଶେଷ ମୁକ୍ତି ଜନିତ ଖୁସିକୁ ଏକ ବିରଳ ଆନ୍ତର୍ଜାତିକ ସ୍ବୀକୃତି ପ୍ରଦାନ କରି ଏକ ବିଶ୍ବବ୍ୟାପୀ ଖୁସିର ଲହରୀ ସୃଷ୍ଟି କରିଛି।
ଘଟଣାଟି ଘଟିଥିଲା ଗତ ୨୪ ତାରିଖ ଦିନ ହଲିଉଡ୍ସ୍ଥିତ ଡଲ୍ବି ଥିଏଟର୍ରେ। ସେଠାରେ ୯୧ତମ ଏକାଡେମୀ ଆଵାର୍ଡସ୍ ବା ସିନେମାର ସର୍ବାଧିକ ସମ୍ମାନଜନକ ପୁରସ୍କାର ଅସ୍କାର ବିଭିନ୍ନ ଶ୍ରେଣୀ ପାଇଁ ବିଜେତାମାନଙ୍କୁ ପ୍ରଦାନ କରା ହେଉଥାଏ। ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରି ଫିଲ୍ମ ପାଇଁ ପ୍ରଦତ୍ତ ପୁରସ୍କାର ଗ୍ରହଣ କରିବା ପାଇଁ ପୁରସ୍କୃତ ଫିଲ୍ମଟିର ନିର୍ଦ୍ଦେଶିକା ରେକା ଜେହ୍ତାବ୍ଚି ଯେତେବେଳେ ମଞ୍ଚ ଉପରକୁ ଉଠିଲେ, ସେ କ୍ରନ୍ଦନ କରୁଥିବା ଦେଖାଗଲା। ଯେତେବେଳେ ସେ ପୁରସ୍କାର ଗ୍ରହଣ ପରେ ପରମ୍ପରା ଅନୁସାରେ ତାଙ୍କର କ୍ଷୁଦ୍ର ଭାଷଣଟି ପ୍ରଦାନ କଲେ ତାହା ବୋଧହୁଏ ଅସ୍କାରର ଦୀର୍ଘ ଇତିହାସରେ ସର୍ବଶ୍ରେଷ୍ଠ ଥିଲା। ସେ କହିଥିଲେ: ‘‘ମୁଁ ମୋର ଋତୁସ୍ରାବ ଜନିତ ଯନ୍ତ୍ରଣା ଯୋଗୁଁ କାନ୍ଦୁ ନାହିଁ।’’ ତାଙ୍କ କାନ୍ଦିବାର କାରଣ ପ୍ରକାଶ କରି ସେ କହିଥିଲେ: ‘‘ମୁଁ ବିଶ୍ବାସ କରିପାରୁନାହିଁ ଯେ ଋତୁସ୍ରାବ ବିଷୟରେ ଏକ ଫିଲ୍ମ ଏଇମାତ୍ର ଏକ ଅସ୍କାର ଜିତିଛି!’’ ଇତିମଧୢରେ ପୃଥିବୀ ବ୍ୟାପୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଯାଇଥିବା ଜେହ୍ତାବ୍ଚିଙ୍କ ସେଇ ଭାରତୀୟ ପୃଷ୍ଠଭୂମିରେ ନିର୍ମିତ ଡକ୍ୟୁମେଣ୍ଟାରୀ ଫିଲ୍ମର ନାମ ହେଲା- ‘ପିରିଅଡ୍.ଏଣ୍ତ୍ ଅଫ୍ ସେଣ୍ଟେନ୍ସ.’’।
ଇ˚ରେଜୀ ଭାଷା ବ୍ୟବହାରକାରୀମାନଙ୍କ ପାଇଁ ଫିଲ୍ମର ଶୀର୍ଷକଟି ବେଶ୍ ସିଧାସଳଖ ଅର୍ଥ ବହନ କରିଥାଏ। ଇ˚ରେଜୀ ବାକ୍ୟ ବା ସେଣ୍ଟେନ୍ସର ଶେଷରେ ବ୍ୟବହାର କରାଯାଉଥିବା ବିରାମ ଚିହ୍ନ ବିନ୍ଦୁ (.) ‘ଫୁଲ୍ଷ୍ଟପ୍’ର ଅନ୍ୟ ନାମ ହେଉଛି ‘ପିରିଅଡ୍’। ତେଣୁ ଶୀର୍ଷକର ସିଧାସଳଖ ଅର୍ଥ ହେଲା- ପିରିଅଡ୍ ଏକ ବାକ୍ୟର ଅନ୍ତ ଘଟାଏ। ତେବେ ମହିଳାମାନଙ୍କ ମାସିକ ଋତୁସ୍ରାବକୁ ଇ˚ରେଜୀରେ ମଧୢ କୁହାଯାଇଥାଏ- ‘ପିରିଅଡ୍’। ଭାରତର ଗ୍ରାମାଞ୍ଚଳରେ ଏହି ବାକ୍ୟରେ ପୂର୍ଣ୍ଣଚ୍ଛେଦ ଟାଣୁଥିବା ପିରିଅଡ୍ ଭଳି ଅନେକ ସମୟରେ ଋତୁଚକ୍ରର ପିରିଅଡ୍ ବାଳିକାମାନଙ୍କ ଶିକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିଥାଏ। ଏହି ସାମାଜିକ-ଲିଙ୍ଗଗତ ଅନ୍ୟାୟ ଉପରେ ଆଲୋକପାତ ହେଉଛି ଡକ୍ୟୁମେଣ୍ଟାରିଟିର ଉଦ୍ଦେଶ୍ୟ ଏବ˚ ଶୀର୍ଷକରୁ ହିଁ ସେ ଅଭିଯାନର ଯେ ଆରମ୍ଭ, ତାହା ସ୍ପଷ୍ଟ ହୋଇ ଯାଇଥିଲା ସେଠାରେ ଯେତେବେଳେ ପ୍ରଯୋଜିକା ମେଲିସା ବର୍ଟନ୍ ସେ ପୁରସ୍କାର ଉତ୍ସବରେ କହିଲେ: ‘‘ଏକ ପିରିଅଡ୍ ଏକ ବାକ୍ୟର ଅନ୍ତ ଘଟାଇବା ଉଚିତ, ଜଣେ ବାଳିକାର ଶିକ୍ଷାରେ ନୁହେଁ।’’
କାଲିଫର୍ଣ୍ଣିଆର ଦଳେ ସ୍କୁଲ୍ ଛାତ୍ରୀ ଭାରତର ଗ୍ରାମାଞ୍ଚଳରେ ମହିଳମାନଙ୍କ ପାଇଁ ସ୍ଥାନୀୟ ଉପାଦାନ ବ୍ୟବହାର କରି ପ୍ରସ୍ତୁତ କରୁଥିବା ଶସ୍ତା ବାୟୋଡିଗ୍ରେଡେବ୍ଲ ସାନିଟାରି ପ୍ୟାଡ୍ ତିଆରି ମେସିନ୍ ସ୍ଥାପନ କରିବା ଉଦ୍ଦେଶ୍ୟରେ ‘ଦି ପ୍ୟାଡ୍ ପ୍ରୋଜେକ୍ଟ’ ନାମକ ଏକ ପ୍ରକଳ୍ପ ଆରମ୍ଭ କରନ୍ତି। ଏ ମେସିନ୍ର ଉଦ୍ଭାବକ ହେଉଛନ୍ତି ଅରୁଣାଚଳମ୍ ମୁରୁଗାନାଥମ୍, ଯିଏ ବର୍ତ୍ତମାନ କି˚ବଦନ୍ତି ପାଲଟିଛନ୍ତି। ଉତ୍ତରପ୍ରଦେଶର ହାପୁର ଜିଲ୍ଲାର କାଠିକେଡ଼ା ଗ୍ରାମରେ ଏହି ମେସିନ୍ଟିଏ ସ୍ଥାପନ ହେବା ପରେ ସେଠାକାର ବାଳିକା ଓ ମହିଳାମାନଙ୍କର କାହାଣୀକୁ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ କରିଛି। ଡକ୍ୟୁମେଣ୍ଟାରିର ୨୫ ବର୍ଷୀୟା ନିର୍ଦ୍ଦେଶିକା ଜେହତାବ୍ଚିଙ୍କ କିଶୋରୀ ଅବସ୍ଥାରେ ଯେତେବେଳେ ସେ କିମ୍ବା ତାଙ୍କ ଭଉଣୀଙ୍କର ପିରିଅଡ୍ ଆରମ୍ଭ ହେଉଥିଲା ତାଙ୍କ ପିତା ସେମାନଙ୍କ ପାଇଁ ଚକୋଲେଟ୍ ନେଇ ଘରକୁ ଫେରୁଥିଲେ। ଜେହ୍ତାବ୍ଚି କହନ୍ତି ସେତେବେଳେ ସେ ହୃଦୟଙ୍ଗମ କରି ନଥିଲେ ସେ କେତେ ଭାଗ୍ୟଶାଳିନୀ ଥିଲେ, ଯାହା ସେ ଦଶ ବର୍ଷରୁ ଅଧିକ କାଳ ପରେ ସେଇ ଋତୁସ୍ରାବ ସମ୍ବନ୍ଧରେ ଫିଲ୍ମ ନିର୍ମାଣ କରିବା ପାଇଁ ଭାରତକୁ ଆସିବା ପରେ ଜାଣିଲେ। ଏଠାକୁ ଆସି ସେ ଜାଣିବାକୁ ପାଇଲେ ପ୍ରାୟ ଏକତୃତୀୟା˚ଶ ଭାରତୀୟ ସ୍କୁଲ୍ ଛାତ୍ରୀ ସେମାନଙ୍କର ପିରିଅଡ୍ ସମୟରେ ସ୍କୁଲ୍କୁ ଯିବା ବନ୍ଦ କରିଦିଅନ୍ତି, ସେ ସମୟରେ ମହିଳାମାନେ ପୂଜା କରିବା ନିଷିଦ୍ଧ, ଏପରିକି ସେ କେତେକ ଯୁବକମାନଙ୍କୁ ଭେଟିଲେ ଯେଉଁମାନଙ୍କର ବଦ୍ଧମୂଳ ଧାରଣା ହେଉଛି ଯେ ଋତୁସ୍ରାବ ହେଉଛି ଏକ ବ୍ୟାଧି।
ତେବେ ଯଦିବା ଜେହ୍ତାବ୍ଚିଙ୍କ ଫିଲ୍ମ ହେଉଛି ଭାରତକେନ୍ଦ୍ରିତ (ଅସ୍କାର ଉତ୍ସବରେ କାଠିକେଡ଼ାର ଯୁବତୀମାନେ ମଧୢ ଉପସ୍ଥିତ ଥିଲେ), ତାହା ବର୍ତ୍ତମାନ ଦେଖାଦେଇଥିବା ବିଶ୍ବବ୍ୟାପୀ ଋତୁ-ନ୍ୟାୟ ସଚେତନତା ପ୍ରତି ଏକ ବଳିଷ୍ଠ ଅବଦାନ ରୂପେ ଉଚ୍ଚ ପ୍ରଶ˚ସା ଲାଭ କରିଛି। ଆମେରିକା ପରି ଉନ୍ନତ ପାଶ୍ଚାତ୍ୟ ସମାଜରେ ମଧୢ ଋତୁ-ବିଦ୍ବେଷ ଏକ ଗୁରୁତ୍ବପୂର୍ଣ୍ଣ ଲିଙ୍ଗଗତ ଅନ୍ୟାୟ ରୂପେ ବିବେଚିତ ହେଉଛି। ସେଠାରେ ତେଣୁ ଟାମ୍ପନ୍ ଉପରୁ ସେଲ୍ସ ଟ୍ୟାକ୍ସ ହଟାଇବା ପାଇଁ କିମ୍ବା ସୁବିଧାରେ ସାନିଟାରି ପଦାର୍ଥ ଉପଲବ୍ଧ ହେବା ପାଇଁ କିମ୍ବା ଋତୁସ୍ରାବ ସମ୍ବନ୍ଧରେ ଖୋଲା ଆଲୋଚନା ପାଇଁ ଆନ୍ଦୋଳନ ହେବା ଦେଖା ଯାଇଥାଏ। ଏହି କାରଣରୁ ପାଶ୍ଚାତ୍ୟ ମହିଳା ସେଲିବ୍ରିଟିମାନେ ଜେହ୍ତାବ୍ଚିଙ୍କ ଫିଲ୍ମକୁ ବାହୁ ପ୍ରସାରୀ ସ୍ବାଗତ କରିଛନ୍ତି। ଋତୁସ୍ରାବ ଉପରୁ କଳଙ୍କ ହଟାଇବା ପାଇଁ ଏହି ଫିଲ୍ମର ଅବଦାନ କିପରି ବିଶ୍ବବ୍ୟାପୀ ଗୁରୁତ୍ବ ବହନ କରିଥାଏ ତାହା ଏହି ଗୋଟିଏ ପରିସ˚ଖ୍ୟାନରୁ ସ୍ପଷ୍ଟ ହୋଇଥାଏ- ପୃଥିବୀରେ ପ୍ରତି ମାସରେ ପ୍ରାୟ ୮୦୦ ନିୟୁତ ମହିଳା ସେମାନଙ୍କର ପିରିଅଡ୍ ଦେଇ ଗତି କରିଥାନ୍ତି। ‘ପିରିଅଡ୍.ଏଣ୍ତ୍ ଅଫ୍ ସେଣ୍ଟେନ୍ସ.’ ସେ ସମସ୍ତଙ୍କ ପାଇଁ ‘ଖୁସି’ର ସନ୍ଦେଶ ବହନ କରିଥାଏ।