ନା ଭାରତ, ନା ପାକିସ୍ତାନ ଯୁଦ୍ଧ ଘୋଷଣା କରିଛି। କିନ୍ତୁ ପୁଲଵାମା ଆତଙ୍କବାଦୀ ଆକ୍ରମଣର ପାଲଟା ଜବାବ ସ୍ବରୂପ ପାକିସ୍ତାନର ବାଲାକୋଟସ୍ଥିତ ଜୈସ-ଏ-ମହମ୍ମଦ ଆଡ୍ଡା ଉପରେ ଭାରତୀୟ ବାୟୁସେନାର ‘ଅଣ-ସାମରିକ କାର୍ଯ୍ୟାନୁଷ୍ଠାନ’ର ଅଠଚାଳିଶ ଘଣ୍ଟା ପରେ ଦୁଇ ପଡେ଼ାଶୀ ଦେଶ ମଧୢରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ବୁଧବାର ପାକିସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ଆକାଶ ସୀମା ଉଲ୍ଲ˚ଘନ କରି ପଶି ଆସିବା ଫଳରେ ଦୁଇପକ୍ଷର ବାୟୁସେନା ମଧୢରେ ‘ଡଗ୍ଫାଇଟ୍’ରେ ପାକ୍ର ଗୋଟିଏ ଏଫ୍-୧୬ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ଖସାଇ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ମଧୢ ଗୋଟିଏ ମିଗ୍-୨୧ ବିମାନ ହରାଇଛି। ପାକିସ୍ତାନୀସେନା ଜଣେ ଲଢ଼ୁଆ ଭାରତୀୟ ପାଇଲଟ୍ଙ୍କୁ ବନ୍ଦୀ କରି ନେଇଛି। ସେପଟେ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ ଦୁଇପକ୍ଷ ମଧୢରେ ପ୍ରବଳ ଗୁଳିଗୋଳା ବିନିମୟ ଚାଲିଛି।
ଯୁଦ୍ଧ ଆହୁରି ଅଧିକ ଘମାଘୋଟ ହେବାର ଆଶଙ୍କା ଓ କେଉଁ ପକ୍ଷରୁ ପରବର୍ତ୍ତୀ ସାମରିକ ପଦକ୍ଷେପ କ’ଣ ହେବ ସେ ନେଇ ଉତ୍କଣ୍ଠା ମଧୢରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତ ସହ ଶାନ୍ତି କଥାବାର୍ତ୍ତା ଲାଗି ପ୍ରସ୍ତାବକୁ ପୁଣି ଦୋହରାଇଛନ୍ତି। ଫେବ୍ରୁଆରି ୧୪ର ପୁଲଵାମା ଫିଦାୟିନ୍ ଆକ୍ରମଣ ପରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ଏହା ତୃତୀୟ ଥର ପାଇଁ ଶାନ୍ତି ପ୍ରସ୍ତାବ। ପ୍ରଥମ ଦୁଇଥର ଇମ୍ରାନ୍ଙ୍କ ଶାନ୍ତି କଥାବାର୍ତ୍ତା ପ୍ରସ୍ତାବ ଯେମିତି ଭାରତୀୟ ନେତୃତ୍ବଙ୍କୁ ପ୍ରଭାବିତ କରି ପାରିିନଥିଲା, ତୃତୀୟ ଥର ପାଇଁ ମଧୢ ତାଙ୍କର ପ୍ରସ୍ତାବ ଉପରେ ଭାରତର ପ୍ରତିକ୍ରିୟା ସେମିତି ଅତ୍ୟନ୍ତ ଶୀତଳ ରହିଛି। କାରଣ, ଇମ୍ରାନ୍ଙ୍କ ଶାନ୍ତି ପ୍ରସ୍ତାବ କେବଳ ଉପରଠାଉାରିଆ, ଏହାପଛରେ ନା ଅଛି ନିଷ୍ଠା, ନା ଅଛି ଆନ୍ତରିକତା। ଶାନ୍ତି କଥାବାର୍ତ୍ତା ଶୂନ୍ୟରେ ସମ୍ଭବ ନୁହେଁ। ପାରସ୍ପରିକ ଅବିଶ୍ବାସ, ସନ୍ଦେହ ଓ ଉତ୍ତେଜନା ମଧୢରେ କଥାବାର୍ତ୍ତା ଏକ ନିଷ୍ଫଳ କସରତ ମାତ୍ର। ଏଥିପାଇଁ ପାରସ୍ପରିକ ବିଶ୍ବାସର ଏକ ଅନୁକୂଳ ପରିବେଶ ସୃଷ୍ଟି ହେବା ଏକାନ୍ତ ଆବଶ୍ୟକ। ଏହା ସେ ପର୍ଯ୍ୟନ୍ତ ସମ୍ଭବ ନୁହେଁ, ଯେ ପର୍ଯ୍ୟନ୍ତ ପ୍ରତିପକ୍ଷର ମନରେ ବିଶ୍ବାସ ଜନ୍ମାଇବା ପାଇଁ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଭାରତୀୟ ନେତୃତ୍ବଙ୍କ ମନରେ ପାକିସ୍ତାନ ପ୍ରତି ଅବଶ୍ୟ ବିଶ୍ବାସ ସୃଷ୍ଟି ହୋଇଥାନ୍ତା ଓ ଇମ୍ରାନଙ୍କ ନିଷ୍ଠା ଓ ଆନ୍ତରିକତା ସନ୍ଦିଗ୍ଧ ହୋଇ ନଥାନ୍ତା, ଯଦି ଆତଙ୍କବାଦୀଙ୍କ ବିରୋଧରେ କିଛି କଠୋର ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ। ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର, ଲସ୍କର-ଏ-ତୋଇବାର ମୁଖ୍ୟ ହଫିଜ ସୟିଦ୍ ଆଦିଙ୍କ ଭଳି ଭାରତର ‘ମୋଷ୍ଟ ଵାଣ୍ଟେଡ୍’ ତାଲିକାରେ ଥିବା ଆତଙ୍କବାଦୀଙ୍କୁ ହସ୍ତାନ୍ତର ଲାଗି ପଦକ୍ଷେପ ନେଇଥିଲେ ଭାରତୀୟ ନେତୃତ୍ବ ନିଶ୍ଚୟ କଥାବାର୍ତ୍ତା ପ୍ରସ୍ତାବ ଉପରେ ବିଚାର କରିଥାନ୍ତେ।
ଗୋଟିଏ ପକ୍ଷରେ ପୁଲଵାମା ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଖୋଲାଖୋଲି ଶ୍ରେୟ ଦାବି କରୁଛି। ଅଥଚ ଅନ୍ୟପକ୍ଷରେ ପାକ୍ ପ୍ରଧାନମନ୍ତ୍ରୀ ପ୍ରମାଣ ଦାବି କରୁଛନ୍ତି। ଏହା ଛଳନା ଓ ଶଠତା ନୁହେଁ ତ ଆଉ କ’ଣ? ଜୈସ-ଏ-ମହମ୍ମଦର କାର୍ଯ୍ୟାଳୟ ଓ ତାଲିମ କେନ୍ଦ୍ର କ’ଣ ପାକିସ୍ତାନରେ ନାହିଁ? ମାସୁଦ ଆଝାର କ’ଣ ପାକ୍- ସେନାର ସୁରକ୍ଷାରେ ଥାଇ ଭାରତ ବିରୋଧରେ ‘ଜିହାଦ’ ଲାଗି ଖୋଲା ଆହ୍ବାନ ଦେଉନାହିଁ? ପାକ୍ ପକ୍ଷରୁ କୌଣସି ପ୍ରକାର କଥାବାର୍ତ୍ତା ସବୁବେଳେ ଭାରତ ପ୍ରତି ଛଳନା, ପ୍ରତାରଣାର ପ୍ରତିଶବ୍ଦ ହୋଇ ରହିଆସିଛି। ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ନଵାଜ୍ ସରିଫ୍ ଓ ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କଥାବାର୍ତ୍ତା ପରେ ଜାରି ହୋଇଥିଲା ଲାହୋର ଘୋଷଣାନାମା। ଦୁଇ ଦେଶ ମଧୢରେ ସମ୍ପର୍କରେ ସ୍ବାଭାବିକତା ଫେରାଇ ଆଣି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ଲାହୋର ଘୋଷଣାନାମା ଥିଲା ଏକ ନୀଳ ନକ୍ସା। କିନ୍ତୁ କ’ଣ ହେଲା? ଘୋଷଣାନାମାରେ ହୋଇଥିବା ଦସ୍ତଖତର କାଳି ଶୁଖିଲା ପୂର୍ବରୁ ଭାରତ ଉପରେ କାରଗିଲ୍ ଯୁଦ୍ଧ ଲଦି ଦିଆଯାଇଥିଲା। ଶାନ୍ତି ଆଳରେ ଏହା ଥିଲା ଭାରତ ପ୍ରତି ବିଶ୍ବାସଘାତକତା। ୨୦୦୧ ପାର୍ଲାମେଣ୍ଟ ଆକ୍ରମଣ ଓ ୨୦୦୮ରେ ମୁମ୍ବାଇ ଆକ୍ରମଣରେ ପାକିସ୍ତାନ ମାଟିରେ ଆଡ୍ଡା ଜମାଇଥିବା ଜିହାଦୀ ଆତଙ୍କବାଦୀଙ୍କ ସ˚ପୃକ୍ତି ନେଇ ଭାରତର ଅକାଟ୍ୟ ପ୍ରମାଣ ଆନ୍ତର୍ଜାତିକ ସମୁଦାୟଙ୍କୁ ସନ୍ତୁଷ୍ଟ କଲା। ଅଥଚ, ପାକ୍ ବିଚାରରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରମାଣ ଯଥେଷ୍ଟ ହେଲା ନାହିଁ। ଜିହାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେମିତି ହେବ, ଯେତେବେଳେ ଖୋଦ୍ ସରକାର ଓ ପାକ୍ ସେନା ଆତଙ୍କବାଦକୁ ପୃଷ୍ଠପୋଷକତା ଓ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଦୋମୁହାଁ ନୀତି ହିଁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ଶାନ୍ତି ପ୍ରସ୍ତାବକୁ ଅଧିକ ସନ୍ଦିଗ୍ଧ କରି ଦେଉଛି।
ତଥାପି ବି ଯଦି ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ପଛରେ ପାକିସ୍ତାନର ଆନ୍ତରିକତା ଅଛି, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ପ୍ରକୃତରେ ଶାନ୍ତିକୁ ଏକ ସୁଯୋଗ ଦେବା ଲାଗି ଆଗ୍ରହୀ, ତେବେ ତାଙ୍କ ପାଇଁ ଏକ ସାନି ସୁଯୋଗ ଅବଶ୍ୟ ଆସିଛି। ନିଃସର୍ତ୍ତ ଭାବେ ପାକ୍-ସେନା ହାତରେ ବନ୍ଦୀ ହୋଇଥିବା ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ତୁରନ୍ତ ମୁକ୍ତ କରି ଦିଅନ୍ତୁ। ଭାରତର ବିଶ୍ବାସ ଜିଣିବା ଲାଗି ଏତିକି ନିଶ୍ଚିତ ଭାବେ ଯଥେଷ୍ଟ ହେବ ନାହିଁ। କିନ୍ତୁ ଏହା ଶାନ୍ତି ନେଇ ପାକ୍ ପକ୍ଷର ନିଷ୍ଠା ଓ ଆନ୍ତରିକତା ସମ୍ପର୍କରେ ନିଶ୍ଚୟ ଏକ କ୍ଷୀଣ ସକରାତ୍ମକ ସ˚କେତ ଦେବ। ଉଭୟ ଦେଶର ସାଧାରଣ ଜନତାଙ୍କ ମଧୢରେ ଉଠୁଥିବା ଶାନ୍ତିର ସ୍ବରକୁ ମଧୢ ଏହା କିଛି ମାତ୍ରାରେ ବଳ ଦେବ। ଦୁଇ ଦେଶରେ ଯେଉଁ ‘ଡ୍ରଇ˚ ରୁମ୍ ଯୋଦ୍ଧା’ ଓ ଟେଲିଭିଜନ ଷ୍ଟୁଡ଼ିଓର କମାଣ୍ତରମାନେ ଛଦ୍ମ ଦେଶପ୍ରେମର ଉନ୍ମାଦନାରେ ଏକପ୍ରକାର ଯୁଦ୍ଧ ପାଗଳ ହୋଇ ରଡି ଛାଡୁଛନ୍ତି, ସେମାନଙ୍କୁ ଅନ୍ତତଃ ପୁନଃଚିନ୍ତନ ଲାଗି ମଧୢ ବାଧୢ କରିପାରେ। ଅନ୍ୟ ପକ୍ଷରେ ବନ୍ଦୀ ପାଇଲଟ ଅଭିନନ୍ଦନଙ୍କ ମୁକ୍ତି ପାଇଁ ପାକ୍ର କୌଣସି ପ୍ରକାର ବିଳମ୍ବ କିମ୍ବା ସର୍ତ୍ତ ଏକ ଭୁଲ ସ˚କେତ ଦେବ, ଯାହା ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ। ବୁଝାଯିବ ଯେ ପାଇଲଟ୍ଙ୍କୁ ମୁଣ୍ତ ହାମିନ ରଖି ଇସଲାମାବାଦ ମୂଲଚାଲ ବା ବ୍ଲାକ୍ମେଲ୍ କରିବାର ହୀନ ପ୍ରୟାସ କରୁଛି। ବନ୍ଦୀ ପାଇଲଟଙ୍କ ତୁରନ୍ତ ଓ ନିଃସର୍ତ୍ତ ମୁକ୍ତି ହଠାତ୍ କଥାବାର୍ତ୍ତାର ବାଟ ନ ଫିଟାଇଲେ ମଧୢ ଉତ୍ତେଜନାକୁ କିଛି ମାତ୍ରାରେ ପ୍ରଶମିତ କରିବାରେ ସହାୟକ ହେବ; ଯାହା ଶାନ୍ତି ପାଇଁ ସୂକ୍ଷ୍ମ ରେଖାଟିଏ ଭଳି ସୁଯୋଗ ମଧୢ ସୃଷ୍ଟି କରିପାରେ।
ଯୁଦ୍ଧ କାହାରି ପାଇଁ ମଙ୍ଗଳକର ନୁହେଁ। କେଉଁ ପକ୍ଷର କ୍ଷତି ବେଶି ଓ କେଉଁ ପକ୍ଷର କମ୍ କ୍ଷତି ହୋଇପାରେ। କିନ୍ତୁ ଉଭୟ-ପକ୍ଷ କ୍ଷତିଗ୍ରସ୍ତ ହେବା ଅବଶ୍ୟମ୍ଭାବୀ। ଟେଲିଭିଜନ ସାମ୍ନାରେ ଆରାମ ଚୌକିରେ ବସି ଯୁଦ୍ଧ ଦୃଶ୍ୟ ଉପଭୋଗ କରୁଥିବା ଡ୍ରଇ˚ ରୁମ୍ ଯୋଦ୍ଧା ଓ ଶୀତତାପ ନିୟନ୍ତ୍ରିତ ଟେଲିଭିଜନ ଷ୍ଟୁଡ଼ିଓର ‘କମାଣ୍ତର’ ମାନେ ବୁଝି ପାରିବେନି ଯୁଦ୍ଧର ବିଭୀଷିକା କେତେ ଭୟଙ୍କର। କ୍ରିକେଟ୍ର ମଇଦାନରେ ଏହା ଆଉ ଏକ ଭାରତ-ପାକ୍ ଦିନିକିଆ କି ଟି-ଟ୍ବେଣ୍ଟି ମ୍ୟାଚ୍ ନୁହେଁ। ଯୁଦ୍ଧର ଘନଘଟା ଅଙ୍ଗେ ନିଭେଇଥିବା ସୀମାନ୍ତବର୍ତ୍ତୀ ଇଲାକାର ପିଲାଛୁଆ ପରିବାର ଧରି ରହିଥିବା ଗ୍ରାମ ଓ ସହରର ଲୋକେ ଜାଣନ୍ତି, ଯୁଦ୍ଧର ବିଭୀଷିକା କେତେ ଭୟଙ୍କର। ଏହା ଜୀବନ ମୃତ୍ୟୁର ଲୁଚକାଳି ଖେଳ। ସୀମାନ୍ତରେ ଉଜାଗର ରହି ଦେଶର ସୀମା ଜଗିଥିବା ସୈନ୍ୟ ଓ ‘ସହିଦ’ ହେଉଥିବା ଯବାନଙ୍କ ପରିବାର ପାଇଁ ଯୁଦ୍ଧ ଏକ ଅକାଳ ବିପର୍ଯ୍ୟୟ। ଏହି ଉନ୍ମତ୍ତ ‘ଡ୍ରଇ˚ରୁମ ଯୋଦ୍ଧା’ ଓ ‘ଷ୍ଟୁଡ଼ିଓ କମାଣ୍ତର’ଙ୍କ ଭଳି ଛଦ୍ମ ଦେଶପ୍ରେମୀଙ୍କୁ ଅଣଦେଖା କରି ଦୁଇ ଦେଶର ନେତୃତ୍ବ ସ˚ଯମ ଓ ଧୈର୍ଯ୍ୟର ସହ ନିଜର ବିବେକ, ବିଚାର ବୁଦ୍ଧି ପ୍ରୟୋଗ କରି ଶାନ୍ତି ପାଇଁ ପ୍ରୟାସ କରନ୍ତୁ। ଏହା କେବଳ ଦୁଇ ଦେଶ ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ କଲ୍ୟାଣକର ହେବ। ତେବେ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିର ସୂତ୍ରଧର ଯେହେତୁ ପାକିସ୍ତାନ, ଇସ୍ଲାମାବାଦକୁ ହିଁ ପ୍ରଥମେ ପଦକ୍ଷେପ ନେବାକୁ ପଡ଼ିବ। ଦୁର୍ବଳଙ୍କଠାରୁ ଶାନ୍ତି ଆଶା କରାଯାଏ ନାହିଁ। ଶାନ୍ତି ପାଇଁ ସାହସ ଦରକାର। ପାକିସ୍ତାନ ସାହସ ଦେଖାଇଲେ, ଶାନ୍ତି ପାଇଁ ଭାରତର ସାହସ ନିଶ୍ଚୟ ଅକୁଳାଣ ହେବ ନାହିିଁ।