ଦୁଇ ଉଦ୍ଧୃତି

ଗଲା ବୁଧବାର ଏବ˚ ଗୁରୁବାର ଦିନ ଏହି ସମ୍ବାଦପତ୍ରର ଏହି ପୃଷ୍ଠାରେ ସ୍ଥାନିତ ‘ଉଦ୍ଧୃତି’ ସ୍ତମ୍ଭରେ ପ୍ରକାଶିତ ଭିନ୍ନ ଭିନ୍ନ ରାଷ୍ଟ୍ରର ଦୁଇ ମହାନ ଚିନ୍ତକଙ୍କ ମହାର୍ଘ ଉକ୍ତି ସତେ ଯେପରି ‘କରୋନା’ ଭୂତାଣୁର ସ˚କ୍ରମଣକାଳୀନ ଭାରତରେ ବାସ୍ତବ କ୍ଷେତ୍ରରେ ଅଭିନୀତ ହେଉଥିବା ଦେଖିବାକୁ ମିଳିଛି। ସେଥିରୁ ଗୋଟିଏ ହେଉଛି ଜର୍ମାନ ଦାର୍ଶନିକ ଫ୍ରେଡ୍‌ରିକ ନିଚାଙ୍କ ଦ୍ବାରା ପ୍ରଦତ୍ତ ଉକ୍ତି: ‘ଯାହା ମୋତେ ମାରି ପାରିନାହିଁ, ତାହା ମୋତେ କେବଳ ଶକ୍ତିଶାଳୀ କରିଛି’ ଏବ˚ ଅନ୍ୟଟି ମହାନ ଆମେରିକୀୟ ଚିନ୍ତକ ରାଲଫ ଵାଲଡୋ ଏମରସନଙ୍କ ବକ୍ତବ୍ୟ:‘ଅନ୍ୟ ଯେ କୌଣସି ଜିନିଷ ତୁଳନାରେ ଭୟ ହିଁ ସର୍ବାଧିକ ଲୋକଙ୍କୁ ପରାସ୍ତ କରିଥାଏ।’ ଭାରତ ପରିପ୍ରେକ୍ଷୀରେ ଏ ଦୁଇଟି ବକ୍ତବ୍ୟରୁ ଗୋଟିଏ ସଦ୍ୟ ଘଟିଥିବା ଏକ ଅତ୍ୟନ୍ତ ହତାଶାଜନକ ଘଟଣାରେ ପରିଦୃଷ୍ଟ ହୋଇଥିବା ବେଳେ ଅନ୍ୟଟି ଏକ ଇ˚ରେଜୀ ଦୈନିକରେ ପ୍ରକାଶିତ ଅତ୍ୟନ୍ତ ଉଚ୍ଚକୋଟୀର ଗବେଷଣା ପ୍ରସୂତ ଆଶ୍ବାସନା ପ୍ରଦାନକାରୀ ନିବନ୍ଧରେ ଦେଖିବାକୁ ମିଳିଛି; ପ୍ରଥମଟି ଘଟିଛି ମଧୢପ୍ରଦେଶର ଇନ୍ଦୋର ଠାରେ ଯେଉଁଠି ‘କୋଭିଡ୍‌-୧୯’ ସ˚କ୍ରମଣକୁ ରୋକିବା ଲାଗି ନିଜ ଜୀବନକୁ ବାଜି ଳଗାଇ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଏକ ଡାକ୍ତର ଦଳ ଉପରେ ଏକ ‘ଭିଡ଼’ର ହି˚ସକ ଆକ୍ରମଣ ଏବ˚ ଦ୍ବିତୀୟଟି ଜଣେ ବିଶ୍ବ ପ୍ରସିଦ୍ଧ ଭାରତୀୟ ‘ଇମ୍ୟୁନୋଲୋଜିଷ୍ଟ’ ଡକ୍ଟର ନରେନ୍ଦ୍ର କୁମାର ମେହେରାଙ୍କ ଦ୍ବାରା ଲିଖିତ ଏବ˚ ‘ହିନ୍ଦୁସ୍ଥାନ ଟାଇମ୍‌ସ’ରେ ପ୍ରକାଶିତ ଏକ ନିବନ୍ଧର ବିଷୟବସ୍ତୁ ଯାହା ସୂଚନା ପ୍ରଦାନ କରିଥାଏ ଯେ ଭାରତୀୟମାନଙ୍କ ‘ଜିନ୍‌’ଗତ ସ˚ରଚନାର ବିଶେଷତ୍ବ ସମ୍ଭବତଃ ସେମାନଙ୍କୁ ‘କରୋନା’ ପ୍ରାଦୁର୍ଭାବ ଦ୍ବାରା କମ୍‌ କ୍ଷତିଗ୍ରସ୍ତ ହେବାରେ ସହାୟକ ହୋଇପାରେ।

ପ୍ରଥମରୁ ଉଲ୍ଲେଖ ଥାଉ ଯେ ଭାରତୀୟମାନଙ୍କ ଶରୀରର ଦୃଢ଼ ରୋଗ ପ୍ରତିରୋଧକ ଶକ୍ତି ହେଉ ବା ସେମାନଙ୍କ ମନରେ ବସା ବାନ୍ଧିଥିବା ଅସୁରକ୍ଷା, ଭୟ, କୁସଂସ୍କାର ତଥା ଗୁଜବ ଆଦି ଦ୍ବାରା ପ୍ରଭାବିତ ହୋଇଯାଉଥିବା ଭଳି ଭାବ ହେଉ: ଏ ସମସ୍ତର ଉତ୍ପତ୍ତି ବିସ୍ମୟକର ଭାବେ ସେହି ଗୋଟିଏ ଉତ୍ସରୁ ଅର୍ଥାତ୍‌ ପ୍ରାକୃତିକ ଦୁର୍ବିପାକ, ଅଭାବ ଅନଟନ, ଅନାହାର, ରୋଗ, ମହାମାରୀ ଇତ୍ୟାଦି ଦ୍ବାରା ଗ୍ରସ୍ତ ଜୀବନରୁ। ଏହି ସବୁ ସତ୍ତ୍ବେ ଯେଉଁ ଭାରତୀୟମାନେ ସତ୍ତା ନ ହରାଇ ବଞ୍ଚି ରହିଛନ୍ତି, ସେମାନେ ନିଚାଙ୍କ ବକ୍ତବ୍ୟ ଅନୁସାରେ ଅଧିକ ଶକ୍ତ (ଦୃଢ଼) ହୋଇଛନ୍ତି ସତ; କିନ୍ତୁ ଅପର ପକ୍ଷରେ ଏହିଭଳି ପରିସ୍ଥିତି ଦ୍ବାରା ଜାତ ଭୟ ଓ ଅସୁରକ୍ଷାର ଭାବନା ଅନେକ ସ୍ଥଳରେ ସେମାନଙ୍କୁ ପରାହତ କରିଛି ମଧୢ। ଗଲା ବୁଧବାର ଦିନ ଭାରତର ଅନ୍ୟତମ ‘କରୋନା ହଟ୍‌ସ୍ପଟ୍‌’ ଭାବେ ପରିଚିତ ମଧୢପ୍ରଦେଶସ୍ଥ ଇନ୍ଦୋର ଠାରେ ରୋଗୀ ଚିହ୍ନଟ ଲାଗି ଯାଇଥିବା ଏକ ଡାକ୍ତରୀ ଦଳ ଉପରେ ହୋଇଥିବା ଏକ ଲଜ୍ଜାକର ‘ଭିଡ଼’ ହି˚ସାର କାରଣ ସେଭଳି ଭୟ, ସମ୍ଭବତଃ ଯାହା ସ˚ପ୍ରତି କାୟା ବିସ୍ତାର କରିଥିବା ଗୁଜବର ଝଡ଼ରୁ ଜନ୍ମ ନେଇଛି। ଏବେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସରକାର ତଥା ମାନ୍ୟବର ସର୍ବୋଚ୍ଚ ଅଦାଲତ ମଧୢ କରୋନା ସ˚କ୍ରମଣ ପରିପ୍ରେକ୍ଷୀରେ କହିସାରିଛନ୍ତି ଯେ ଗୁଜବ ଏବ˚ ତଜ୍ଜନିତ ଭୟ ହେଉଛି ‘କାରୋନା’ ସ˚କ୍ରମଣ ଠାରୁ ଅଧିକ ମାରାତ୍ମକ। ଏପରିକି ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ ମଧୢ କରୋନାକୁ ନେଇ ସ˚ଚାରିତ ହେଉଥିବା ଭୟ ବିରୋଧରେ ସତର୍କ କରାଇ ଦେଇଛନ୍ତି। ଗୁଜବ ଜନିତ ବିଭ୍ରାନ୍ତିର ଶରବ୍ୟ ଲୋକେ ସେମାନଙ୍କ ଘରୁ ଭଡ଼ାରେ ରହୁଥିବା ଡାକ୍ତରମାନଙ୍କୁ ବିତାଡ଼ନ କରିବା ବା ‘ପି.ପି.ଇ.’(ପର୍ସନାଲ ପ୍ରୋଟେକ୍‌ଟିଭ ଇକ୍ବିପମେଣ୍ଟ)ରେ ଥିବା ଡାକ୍ତରୀ ଦଳ ବା ସରକାରୀ କର୍ମଚାରୀଙ୍କୁ ‘କରୋନା’ ଭୂତାଣୁର ବାହକ ବୋଲି ମନେ କରି ଆକ୍ରମଣ କରିବା ହେଉଛି ଏହାର ପରିଣାମ। ପୁଣି ଏହା ମଧୢ ପ୍ରଣିଧାନଯୋଗ୍ୟ ଯେ ଇନ୍ଦୋରରେ ଘଟିଥିବା ଘଟଣା ପ୍ରଥମ ନୁହେଁ। ଏଭଳି ଘଟଣା ତେଲେଙ୍ଗାନା, ହାଇଦ୍ରାବାଦ ଏବ˚ ସୁରାଟରେ ଘଟି ସାରିଛି। ଏହାକୁ ବନ୍ଦ କରିବାକୁ ହେଲେ ଗୁଜବ ରଟନାକୁ ଦୃଢ଼ ମୁଷ୍ଟିରେ ଦମନ କରିବାକୁ ହେବ ଏବ˚ ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧୢମରେ ଗୁଜବ ପ୍ରଚାରକାରୀମାନଙ୍କୁ ଦେଶ‌ଦ୍ରୋହୀ ରୂପେ ବିବେଚନା କରାଯିବାର ସମୟ ଉପନୀତ।

ଦ୍ବିିତୀୟ ପ୍ରସଙ୍ଗ ଯାହା ଭାରତୀୟମାନଙ୍କ ଶରୀରର ଶକ୍ତି ପ୍ରତିରୋଧକ କ୍ଷମତା ଆଡ଼କୁ ଇଙ୍ଗିତ କରିଥାଏ, ତାହା ଚମତ୍କାର ଶୈଳୀରେ ଗମ୍ଭୀର ଗବେଷଣାମୂଳକ ତଥ୍ୟ ଦ୍ବାରା ପ୍ରମାଣିତ କରାଯିବାର ଉଦ୍ୟମ ହୋଇଛି ବୈଜ୍ଞାନିକ ନରେନ୍ଦ୍ର କୁମାର ମେହେରାଙ୍କ ନିବନ୍ଧରେ। ଏହି ବିଷୟକୁ ସ˚ପ୍ରସାରିତ କରିବା ପୂର୍ବରୁ ପ୍ରଥମେ ଭାରତରେ ହୋଇଥିବା କରୋନା ମୃତକଙ୍କ ସ˚ପର୍କିତ ଏକ ‘ଡାଟା’ ଉପରେ ଦୃଷ୍ଟିପାତ କରାଯାଉ। ଏବେ ସୁଦ୍ଧା ମୃତ୍ୟୁବରଣ କରିଥିବା ପଚାଶରୁୂ ଅଧିକ ଭାରତୀୟଙ୍କ ମଧୢରୁ ପ୍ରାୟ ୬ ଜଣଙ୍କ ଠାରେ ଭେଣ୍ଟିଲେଟର ଲାଗିଥିବା କଥା ଜଣାପଡ଼ିଛି; ଯାହାର ଅର୍ଥ କେବଳ ସେମାନେ ହିଁ ତୀବ୍ର ‘କରୋନା’ ସ˚କ୍ରମଣଜନିତ କାରଣରୁ ହିଁ ମୃତ୍ୟୁବରଣ କରିଛନ୍ତି। ପୁଣି ଏହି ମୃତକଙ୍କ ମଧୢରୁ ୮ ଜଣଙ୍କ କ୍ଷେତ୍ରରେ ସେମାନଙ୍କ ମୃତ୍ୟୁ ପରେ ହିଁ ଜଣାପଡ଼ିଥିଲା ଯେ ସେମାନେ ‘କୋଭିଡ୍‌-୧୯’ ଦ୍ବାରା ସ˚କ୍ରମିତ ଥିଲେ। ଏବ˚ ଏହା ସହିତ ଆଉ ଯାହା ଦୃଷ୍ଟିଗୋଚର ହୋଇଛି ତାହା ହେଲା ମୃତକଙ୍କ ମଧୢରୁ ଅଧିକା˚ଶ ପୂର୍ବରୁ ଭୋଗୁଥିବା ଯକୃତ ବା ବୃକ୍କ ଜନିତ ଗୁରୁତର ବ୍ୟାଧି (ଯାହାକୁ ବର୍ତ୍ତମାନ ‘କୋ- ମର୍ବିଡିଟି’ ବୋଲି କୁହାଯାଉଛି) ଦ୍ବାରା ଆକ୍ରାନ୍ତ ହୋଇଥିଲେ। ତେବେ ତୀବ୍ର ‘କରୋନା ସଂକ୍ରମଣ’ କାରଣରୁ ଏତେ କମ୍ ସଂଖ୍ୟକ ଲୋକ(ଛଅ ଜଣ) ମୃତ୍ୟୁ ବରଣ କରିବାର କାରଣ ସ୍ବରୂପ ନିବନ୍ଧଟି ଯାହା କହିଥାଏ, ତାହା ହେଲା ବର୍ଷ ବର୍ଷ ଧରି ବିଭିନ୍ନ ପ୍ରକାର ସ˚କ୍ରାମକ ରୋଗ ବ୍ୟାଧି, ଅନାହାର ଓ ଅନ୍ୟାନ୍ୟ କ୍ଳେଶ ସହନ କରି ଆସିିଥିବା ଭାରତୀୟମାନଙ୍କ ‘ଜିନ୍‌’ଗତ ସ˚ରଚନା ସେମାନଙ୍କୁ ହୁଏ’ତ ‘କୋଭିଡ୍‌-୧୯’ ମୁକାବିଲା କରିବା ଲାଗି ଏକ ଭିନ୍ନ ପ୍ରକାର ଶକ୍ତି ପ୍ରଦାନ କରିଥାଇପାରେ, ଯାହା କରୋନା ଭୂତାଣୁ ବିରୋଧରେ ଅଧିକ ସଫଳତାର ସହିତ ମୁକାବିଲା କରିପାରିବ। ଏହାର ଆଧାର ସ୍ବରୂପ ଯେଉଁ ବିଜ୍ଞାନ ଭିତ୍ତିକ କାରଣଟି ଦର୍ଶାଯାଇଛି ତାହା ହେଲା ଭାରତୀୟମାନଙ୍କ ‘ଜିନ୍‌’ରେ ‘ହ୍ୟୁମାନ ଲ୍ୟୁକୋସାଇଟ୍‌ ଆଣ୍ଟିଜେନ୍‌’ ବା ‘ଏଚ୍‌.ଏଲ୍‌.ଏ.’ ନାମକ ଏକ ଏନ୍‌ଜାଇମ୍‌ର ବିବିଧତା। ଏହି ଏନ୍‌ଜାଇମର ଭୂମିକାଟି କୌଣସି ଅନୁପ୍ରବେଶକାରୀ ଭୂତାଣୁ ବା ବୀଜାଣୁକୁ ଚିହ୍ନଟ କରିବାରେ ନିହିତ, ଯାହା ପ୍ରକାରାନ୍ତରେ ଆମ ଶରୀରର ‘ଆଣ୍ଟି-ବଡ଼ି’(ରୋଗ ପ୍ରତିରୋଧକ ଶକ୍ତି)କୁ ରୋଗ ସୃଷ୍ଟିକାରୀ ଅଣୁ ଜୀବ ନଷ୍ଟ କରିବାରେ ସକ୍ଷମ କରାନ୍ତି। ତେଣୁ ଯେଉଁମାନଙ୍କ ଶରୀରରେ ‘ଏଚ୍‌.ଏଲ୍‌.ଏ.’ ଯେତେ ବିବିଧ, ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଜୀବାଣୁ ବା ଭୂତାଣୁ ଚିହ୍ନା ପଡ଼ି ନଷ୍ଟ ହେବାର ଆଶା ସେତେ ଉଜ୍ଜ୍ବଳ। ସେଇ ଦୃଷ୍ଟିରୁ, ନିବନ୍ଧଟି ଅନୁସାରେ, ଭାରତୀୟମାନେ ‘କୋଭିଡ୍‌-୧୯’ ଭୂତାଣୁ ଦ୍ବାରା ଅପେକ୍ଷାକୃତ କମ୍‌ କ୍ଷତିଗ୍ରସ୍ତ ହେବାର ଆଶା ରହିଛି। ହୋଇପାରେ, ଏହା ପ୍ରତିପାଦିତ ହେବା ଅପେକ୍ଷାରେ; କିନ୍ତୁ ଏଥିରେ ରହିଥିବା କାରଣ ମଧ୍ୟ ବେଶ୍ ସବଳ। ଏହା ସତ ଯେ କରୋନା ସ˚କ୍ରମଣଜନିତ ଘନଘଟାର ଅବସାନ ପରେ ପୃଥିବୀ ଆଉ ପୂର୍ବବତ୍‌ ରହିବ ନାହିଁ। ସେତିକି ବେଳେ ହୁଏତ ଆମ ଦେଶ ଭାରତ ଏବ˚ ଆମେ ସମସ୍ତେ ନିଜକୁ ମଧୢ ପୁନରାବିଷ୍କାର କରିପାରୁ। ଆଜି ଆମେ କିଭଳି ହୋଇଛେ ଏବ˚ ଆମ ଆଚରଣ କିଭଳି ହୋଇଛି ତାହା ନିର୍ଦ୍ଧାରଣ କରିବ ଯେ ଆମେ ଭବିଷ୍ୟତ୍‌ରେ ଲଜ୍ଜିତ ହେବୁ ନା ଗର୍ବ ଅନୁଭବ କରିବୁ।

ସମ୍ବନ୍ଧିତ ଖବର