ଭୋଟ୍‌- ନୋଟ୍‌ର ନାଟ

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଆହୁରି କିନ୍ତୁ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବାକୁ ବାକି ଅଛି। ପରବର୍ତ୍ତୀ ପନ୍ଦର ଦିନ ପରେ ଯାଇ ମତଦାନ କେନ୍ଦ୍ରରେ ପ୍ରଥମ ଭୋଟ ଦାନ ହେବ। କିନ୍ତୁ ବିଶ୍ବର ସର୍ବବୃହତ୍‌ ଗଣତନ୍ତ୍ରର ନିର୍ବାଚନ ପ୍ରକ୍ରିୟାକୁ ଆକ୍ରାନ୍ତ କରି ରଖିଥିବା ଏକ ଗୁରୁତର ବ୍ୟାଧିର ଲକ୍ଷଣ ପୁଣି ସ୍ପଷ୍ଟ ବାରି ହେଲାଣି। ପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀମାନେ ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ନିର୍ବାଚନ ମଞ୍ଚରେ ‘ଭୋଟ-ନୋଟର ନାଟକ’ ଆରମ୍ଭ ହୋଇ ଗଲାଣି। ନିର୍ବାଚନ ସୂଚୀ ଘୋଷଣା ହେବାର ମାତ୍ର ପନ୍ଦର ଦିନ ମଧୢରେ ଦେଶର ବିଭିନ୍ନ ସ୍ଥାନରୁ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଉଦ୍ଦିଷ୍ଟ ୧୪୩.୪୭ କୋଟି ନଗଦ ଟଙ୍କା, ୧୬୨.୯୩ କୋଟି ଟଙ୍କା ମୂଲ୍ୟର ସୁନା, ରୁପା ଓ ପ୍ରାୟ ୨୨୦ କୋଟି ଟଙ୍କା ମୂଲ୍ୟର ମଦ, ମାଦକଦ୍ରବ୍ୟ ଜବତ ହେଲାଣି। ଗତ ଚଉଦରେ ପୂରା ନିର୍ବାଚନ ଅବଧିରେ ମୋଟ ସନ୍ଦିଗ୍‌ଧ ୩୦୪ କୋଟି ଟଙ୍କା ନଗଦ ଜବତ ହୋଇଥିବା ବେଳେ, ଏଥର ତାରିଖ ଘୋଷଣାର କେବଳ ପନ୍ଦର ଦିନ ମଧୢରେ ତାର ଅଧା ଟଙ୍କା ଜବତ ହୋଇଛି। ସେହିପରି, ଗତଥର ପୂରା ନିର୍ବାଚନ ସମୟରେ ୯୨ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇଥିବା ବେଳେ ଏଥର ପ୍ରଥମ ଦୁଇ ସପ୍ତାହରେ ପ୍ରାୟ ୯୦ କୋଟି ଟଙ୍କା ମୂଲ୍ୟର ମଦ ଜବତ ହୋଇ ସାରିଲାଣି।

ଚଉଦ ଅପେକ୍ଷା ଊଣେଇଶ ନିର୍ବାଚନରେ ଯେ ଅର୍ଥବଳର ପ୍ରାଦୁର୍ଭାବ ବହୁଗୁଣିତ ହେବ, ଏହା ତାର ଅଶୁଭ ସ˚କେତ। ପୂର୍ବଥର ଅପେକ୍ଷା ଏଥର ସପ୍ତଦଶ ସାଧାରଣ ନିର୍ବାଚନ ଅଧିକ ବ୍ୟୟବହୁଳ ହେବ। ଅର୍ଥବଳର ପ୍ରଭାବକୁ ପ୍ରତିହତ କରି ନିର୍ବାଚନର ‘ଅବାଧ ଓ ମୁକ୍ତ’ ଚରିତ୍ର ନିଶ୍ଚିତ କରିବା ନିର୍ବାଚନ ଆୟୋଗଙ୍କ ପକ୍ଷରେ ପୂର୍ବାପେକ୍ଷା ଅଧିକ କଠିନ ଏକ ଆହ୍ବାନ ହେବ। ସେଣ୍ଟର ଫର ମିଡିଆ ଷ୍ଟଡିଜ୍‌ (ସିଏମ୍‌ଏସ୍‌) ପକ୍ଷରୁ କରାଯାଇଥିବା ଏ ପ୍ରକାର ଆକଳନ ଯେ ଆଦୌ ଅତିରଞ୍ଜନ ନୁହେଁ, ଏହାର ପ୍ରମାଣ ହେଲା ପ୍ରଥମ ଦୁଇ ସପ୍ତାହ ମଧୢରେ ନଗଦ ସମେତ ଜବତ ହୋଇଥିବା ପ୍ରାୟ ୫୩୯ କୋଟି ଟଙ୍କାର ବେଆଇନ ସାମଗ୍ରୀ। ସିଏମ୍‌ଏସ୍‌ର ଆକଳନ ଅନୁଯାୟୀ ଚଉଦ ନିର୍ବାଚନରେ ବିଭିନ୍ନ ଦଳ ଓ ପ୍ରାର୍ଥୀମାନେ ପ୍ରାୟ ୩୫୦୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେଥିରୁ ପାଖାପାଖି ୨୭୦୦୦ କୋଟି ଟଙ୍କା ହିସାବ ବହିର୍ଭୁତ। ଏଥର ଏହି ଖର୍ଚ୍ଚ ୫୦ରୁ ୬୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଏହି ବିପୁଳ ପରିମାଣ ଖର୍ଚ୍ଚରୁ ତିନି ଚତୁର୍ଥା˚ଶ ‘ବେ ହିସାବ’ ଶ୍ରେଣୀରେ ରହିବ।

ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଭାରତରେ ନିର୍ବାଚନ କାହିଁକି ଏମିତି ଅଧିକରୁ ଅଧିକ ବ୍ୟୟବହୁଳ ହେଉଛି? କାହିଁକି ‘ବେ ହିସାବ’ ନିର୍ବାଚନ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇ ଅର୍ଥବଳର ପ୍ରାଦୁର୍ଭାବକୁ ପ୍ରତିହତ କରାଯାଇ ପାରୁନାହିଁ? ଏହାର ସରଳ ଉତ୍ତର ହେଲା, ବ୍ୟବସ୍ଥାରେ ଅନ୍ତର୍ନିହିତ ଛିଦ୍ର ଏବ˚ ଦୁର୍ବଳ ଯାଞ୍ଚ ବ୍ୟବସ୍ଥା। ନିୟମାନୁଯାୟୀ ୫୩୩ଟି ଲୋକସଭା ଆସନରେ ଜଣେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ସର୍ବୋଚ୍ଚ ସୀମା ୭୦ ଲକ୍ଷ ଟଙ୍କା। ଅବଶିଷ୍ଟ ୧୦ଟି ଆସନରେ ନିର୍ବାଚନ ଖର୍ଚ୍ଚର ସର୍ବୋଚ୍ଚ ସୀମା ୫୪ ଲକ୍ଷ ଟଙ୍କା। କିନ୍ତୁ ବିସ୍ମୟର ବିଷୟ ହେଲା, କାଗଜପତ୍ରରେ କ୍ବଚିତ୍‌ କୌଣସି ପ୍ରାର୍ଥୀଙ୍କ ଖର୍ଚ୍ଚ ଏହି ସର୍ବୋଚ୍ଚ ସୀମା ଟପେ କିମ୍ବା ପାଖାପାଖି ବି ପହଞ୍ଚେ। ଯଦିଓ, ବାସ୍ତବତା ଏହାର ବିପରୀତ। ସବୁ ଆସନରେ ବାସ୍ତବ ନିର୍ବାଚନ ଖର୍ଚ୍ଚ ସର୍ବୋଚ୍ଚ ସୀମାଠାରୁ ବହୁଗୁଣ ଅଧିକ। ଏକାଧିକ ସ୍ବାଧୀନ ଅନୁଧୢାନରୁ ଜଣାପଡ଼ିଛି ଯେ, ଗୋଟିଏ ଲୋକସଭା ନିର୍ବାଚନ ମଣ୍ତଳୀର ହାରାହାରି ଖର୍ଚ୍ଚ ଅନ୍ୟୂନ ୧୦ କୋଟି ଟଙ୍କା। କେତେକ ନିର୍ବାଚନ ମଣ୍ତଳୀରେ ଖର୍ଚ୍ଚ ୫୦ରୁ ୧୦୦ କୋଟି ମଧୢରେ ହୋଇଥିବା ନିର୍ବାଚିତ ସା˚ସଦମାନେ ଘରୋଇ ଭାବେ ସ୍ବୀକାର ମଧୢ କରିଛନ୍ତି। ଅଥଚ ଗତ ଚଉଦ ନିର୍ବାଚନରେ ପ୍ରାର୍ଥୀମାନେ ନିର୍ବାଚନ କମିସନଙ୍କ ଠାରେ ଦାଖଲ କରିଥିବା ହିସାବ ଅନୁଯାୟୀ ଗୋଟିଏ ଲୋକସଭା ଆସନରେ ପ୍ରାର୍ଥୀଙ୍କ ହାରାହାରି ଖର୍ଚ୍ଚ ମାତ୍ର ୨୫ ଲକ୍ଷ ଟଙ୍କା। ବିଜେପି ପ୍ରାର୍ଥୀମାନେ କାଗଜପତ୍ରରେ ହାରାହାରି ୪୪, ୨୩, ୮୯୦ ଟଙ୍କା ଖର୍ଚ୍ଚର ହିସାବ ଦେଇଥିବା ବେଳେ କ˚ଗ୍ରେସ ପ୍ରାର୍ଥୀମାନେ ନିର୍ବାଚନ ମଣ୍ତଳୀ ପିଛା ହାରାହାରି ୪୧,୯୭,୨୫୧ ଟଙ୍କା ଖର୍ଚ୍ଚର ହିସାବ ଦେଇଥିଲେ। ଓଡ଼ିଶାରେ ବିଜେଡି ପ୍ରାର୍ଥୀମାନଙ୍କ ହାରହାରି ନିର୍ବାଚନ ଖର୍ଚ୍ଚ ୨୯,୬,୦୯୧ ଟଙ୍କା। ନିର୍ବାଚନ ଖର୍ଚ୍ଚର ଏହି କାଗଜ ହିସାବ କ’ଣ ବିଶ୍ବାସଯୋଗ୍ୟ? ପ୍ରାର୍ଥୀମାନେ ଦାଖଲ କରିଥିବା ଏ ହିସାବ ନିଶ୍ଚିତ ଭାବେ ବାସ୍ତବ ଖର୍ଚ୍ଚର ପ୍ରତିଫଳନ ନୁହେଁ। ନିର୍ବାଚନ ଖର୍ଚ୍ଚର ଏହି ଭୁଲ ହିସାବ ଉପରେ ଟିପ୍ପଣୀ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା ସ˚ସଦରେ କହିଥିଲେ, ‘ଆମେ ମିଥ୍ୟା ସହ ଆମର ସ˚ସଦୀୟ ଜୀବନ ଆରମ୍ଭ କରୁ’। ଏହା ଭାରତୀୟ ରାଜନୀତିରେ ନୀତି-ନୈତିକତାର ଫମ୍ପାପଣର ମଧୢ ବୟାନ କରେ।

ନିର୍ବାଚନ ଖର୍ଚ୍ଚର ଭୁଲ ହିସାବ ଦେଇ ପ୍ରାର୍ଥୀମାନେ ଖସି ଯାଉଛନ୍ତି କେମିତି? ପ୍ରାର୍ଥୀମାନେ ହିସାବ ଦେଉଥିବା ଖର୍ଚ୍ଚର ଯାଞ୍ଚ ଲାଗି କୌଣସି ଠୋସ ବ୍ୟବସ୍ଥା ନାହିଁ। ପୁଣି ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ସୀମା ଧାର୍ଯ୍ୟ ହୋଇଛି। ଅଥଚ, ରାଜନୈତିକ ଦଳମାନଙ୍କ ଖର୍ଚ୍ଚ ଉପରେ କୌଣସି ସୀମା ନାହିଁ। ନିର୍ବାଚନରେ କେଉଁ ଖର୍ଚ୍ଚ ପ୍ରାର୍ଥୀଙ୍କ ଓ କେଉଁ ଖର୍ଚ୍ଚ ଦଳର, ସେ ନେଇ ରହିଥିବା ବିଭ୍ରାନ୍ତି ବାସ୍ତବ ଖର୍ଚ୍ଚ ଲୁଚାଇବାରେ ସହାୟକ ହେଉଛି। ନିର୍ବାଚନ କମିସନ ଊଣେଇଶ ନିର୍ବାଚନ ପାଇଁ ୧୧୦ଟି ଲୋକସଭା ଆସନକୁ ଖର୍ଚ୍ଚ ଦୃଷ୍ଟିରୁ ସ୍ପର୍ଶକାତର ବୋଲି ଚିହ୍ନଟ କରିଛନ୍ତି। ଖର୍ଚ୍ଚ ଦୃଷ୍ଟିରୁ ଏ ପ୍ରକାର ସ୍ପର୍ଶକାତର ଆସନର ସ˚ଖ୍ୟା ଆହୁରି ବଢ଼ିପାରେ। ଏହି ସବୁ ନିର୍ବାଚନ ମଣ୍ତଳୀରେ ଖର୍ଚ୍ଚ ଉପରେ ନଜର ରଖିବା ଲାଗି କମିସନ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି। କିନ୍ତୁ ଏଥିରୁ ସୁଫଳ ମିଳିବା ଆଶା କ୍ଷୀଣ। କାରଣ, ପୂର୍ବରୁ ମଧୢ ପ୍ରତ୍ୟେକ ନିର୍ବାଚନ ମଣ୍ତଳୀ ପାଇଁ ସ୍ବତନ୍ତ୍ର ଭାବେ ଖର୍ଚ୍ଚ ଉପରେ ନଜର ରଖିବା ଲାଗି ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇ ଆସୁଛନ୍ତି। ଅଥଚ, ନିର୍ବାଚନ ବ୍ୟୟ ଉପରେ ଏହା କୌଣସି ବିଶେଷ ପ୍ରଭାବ ପକାଇ ପାରିନାହିଁ। ନିୟମ କଡ଼ାକଡ଼ି ହେଲେ କାଗଜପତ୍ର କାମ ବଢ଼ୁଛି ସିନା ନିର୍ବାଚନର ଖର୍ଚ୍ଚ କମୁନାହିଁ। ଆରବିଆଇ ମଧୢ ଏକାଧିକ ରିପୋର୍ଟରେ ଏହା ଦର୍ଶାଇଛନ୍ତି ଯେ, ନିର୍ବାଚନ ସମୟରେ ନଗଦ ଟଙ୍କାର ଚାହିଦା ଅସ୍ବାଭାବିକ ଭାବେ ବୃଦ୍ଧି ପାଏ; ଯାହା ନିର୍ବାଚନରେ ଅର୍ଥବଳର ପ୍ରକୋପ ବୃଦ୍ଧି ପ୍ରତି ଇଙ୍ଗିତ କରୁଛି। ନିର୍ବାଚନ ଏକ ସମାନ୍ତରାଳ ଅର୍ଥନୀତି। ଏହାକୁ ସ୍ବୀକାର କରିବାକୁ ପଡ଼ିବ।

ନିର୍ବାଚନରେ ଅର୍ଥବଳର ପ୍ରକୋପ ବୃଦ୍ଧି ବିଷୟ ଆଲୋଚନା ବେଳେ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ଅସ୍ବଚ୍ଛତା ପ୍ରସଙ୍ଗକୁ ଅଣଦେଖା କରାଯାଇ ନପାରେ। ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସ୍ବଚ୍ଛତାର ଅଭାବ ନିର୍ବାଚନରେ କଳାଧନର ପ୍ରବାହ ପାଇଁ ବାଟ ଖୋଲି ଏହି ସରଳ ଗଣତାନ୍ତ୍ରିକ କସରତକୁ କଳୁଷିତ କରୁଛି। ରାଜନୈତିକ ଦଳଙ୍କୁ ନଗଦରେ ଚାନ୍ଦା ଦେବା ପରିମାଣ ୨୦ ହଜାରରୁ ୨ ହଜାର ଟଙ୍କାକୁ କମାଇ ଦିଆଗଲା। ଅଥଚ, ଯେଉଁ ଇଲେକ୍ଟରାଲ ‘ବଣ୍ତ୍‌’ ବ୍ୟବସ୍ଥାର ପ୍ରବର୍ତ୍ତନ କରାଗଲା, ତାହା ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ଅସ୍ବଚ୍ଛତାକୁ ଏକପ୍ରକାର ଆନୁଷ୍ଠାନିକ ମାନ୍ୟତା ଦେଲା। କେଉଁ ଦଳକୁ କେଉଁ ବ୍ୟକ୍ତିବିଶେଷ ବା ବ୍ୟବସାୟିକ ସ˚ସ୍ଥା ଚାନ୍ଦା ଦେଲେ ତାହା ଗୋପନ ରଖାଗଲା। କୌଣସି ପ୍ରକ୍ରିିୟାରେ ଗୋପନୀୟତା ସ୍ବଚ୍ଛତାର ପରିପନ୍ଥୀ। ପୁଣି ବ୍ୟବସାୟିକ ଶିଳ୍ପ ସ˚ସ୍ଥାଙ୍କ ଚାନ୍ଦା ଉପରେ ପୂର୍ବରୁଥିବା ସିଲି˚କୁ ମଧୢ ଉଠାଇ ଦିଆଗଲା। ଅନ୍ୟ କେହି ନୁହେଁ, ଖୋଦ୍‌ ନିର୍ବାଚନ କମିସନ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ‘ଇଲେକ୍ଟରାଲ୍‌ ବଣ୍ତ୍‌’ ବ୍ୟବସ୍ଥା ଜନପ୍ରତିନିଧି ଆଇନର ବିରୋଧାଚରଣ ଏବ˚ ‘ଅବାଧ-ମୁକ୍ତ’ ନିର୍ବାଚନର ଭାବନାର ପରିପନ୍ଥୀ ବୋଲି ଜଣାଇଛନ୍ତି।

ବିଶ୍ବର ସର୍ବବୃହତ୍‌ ଗଣତାନ୍ତ୍ରିକ କସରତ ଭାବେ ସୁନାମ ଅର୍ଜନ କରିଥିବା ଭାରତୀୟ ନିର୍ବାଚନରେ ଶୁଦ୍ଧତା ଓ ବିଶ୍ବସନୀୟତା ପାଇଁ ଏହାର ଅବାଧ ଓ ମୁକ୍ତ ଚରିତ୍ର ଉପରେ କୌଣସି ପ୍ରକାର ସନ୍ଦେହର ଅବକାଶ ରହିବା ଉଚିତ ନୁହେଁ। କିନ୍ତୁ ଏହା ଏକ ନିଷ୍ଠୁର ବାସ୍ତବତା ଯେ ନିର୍ବାଚନର ‘ଅବାଧ ମୁକ୍ତ’ ଚରିତ୍ର ପ୍ରତି ଅନ୍ୟତମ ବଡ଼ ବିପଦ ଅର୍ଥବଳର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏହା ଉପରେ ଅଙ୍କୁଶ ଲଗାଇବା ସକାଶେ ଉଭୟ ନିର୍ବାଚନ ଖର୍ଚ୍ଚ ଓ ଖର୍ଚ୍ଚର ‘ଉତ୍ସ’ ରାଜନୈତିକ ଚାନ୍ଦାରେ ସ୍ବଚ୍ଛତା ଆଣିବା ଲାଗି ବ୍ୟବସ୍ଥାଗତ ସ˚ସ୍କାର ଏକାନ୍ତ ଅପରିହାର୍ଯ୍ୟ। ଅନ୍ୟଥା ଭୋଟ-ନୋଟର ନାଟ ମଧୢରେ ଭାରତୀୟ ନିର୍ବାଚନ ଓ ଗଣତନ୍ତ୍ର ଗୁରୁତ୍ବ ଓ ଗରିମା ହରାଇବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର