ସତ୍ୟ ଅସତ୍ୟ

ପୃଥିବୀ ପୃଷ୍ଠରେ ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ବାସ୍ତବ ସତ୍ୟକୁ ବଙ୍କାଇ ଦେଇ ଏକ କଳ୍ପିତ ସତ୍ୟ ସୃଷ୍ଟି କରିପାରେ। ସାମାଜିକ ପରମ୍ପରାରୁ ଆରମ୍ଭ କରି ଧର୍ମ ପର୍ଯ୍ୟନ୍ତ, ନୈତିକ ମୂଲ୍ୟବୋଧରୁ ଆରମ୍ଭ କରି ଦେଶଭକ୍ତିି ପର୍ଯ୍ୟନ୍ତ କୌଣସି ନା କୌଣସି କଳ୍ପିତ ସତ୍ୟ ଉପରେ ପ୍ରତିଷ୍ଠିତ ହୋଇଥାଏ। ଯେମିତି ପ୍ରକୃତ ସତ୍ୟ ହେଉଛି ପୃଥିବୀର ପ୍ରତ୍ୟେକ ମନୁଷ୍ୟ ଜୈବିକ ଦୃଷ୍ଟିରୁ ହେଉଛନ୍ତି ପରସ୍ପରଠାରୁ ପୃଥକ୍‌, କିନ୍ତୁ ଅଧିକାଂଶ ଦେଶର ସମ୍ବିଧାନ ସେମାନଙ୍କୁ ସମାନ ବୋଲି ବିଚାର କରିଥାଏ, ଯାହା ହେଉଛି ଏକ କଳ୍ପିତ ସତ୍ୟ। ଏହି କଳ୍ପିତ ସତ୍ୟ ମିଥ୍ୟାର ନିକଟବର୍ତ୍ତୀ ହୋଇଥିଲେ ହେଁ, ଏକ ଗଣତାନ୍ତ୍ରିକ ଦେଶରେ ସମସ୍ତେ ଏହାକୁ ସତ୍ୟ ରୂପେ ଗ୍ରହଣ କରି ମାନି ଚଳିଥାନ୍ତି।

ଯଦି କୌଣସି ଏକ କ୍ଷେତ୍ରରେ ଏହି କଳ୍ପିତ ସତ୍ୟର ସର୍ବାଧିକ ପ୍ରୟୋଗ ହେବା ଦେଖାଯାଇଥାଏ ତାହା ହେଉଛି- କଳା। ଗଳ୍ପ, ଉପନ୍ୟାସ, ଚିତ୍ରକଳା, ସ୍ଥାପତ୍ୟ- କଳାର ସମସ୍ତ ବିଭାଗର ମୂଳଭିତ୍ତି ହେଉଛି ଏହି କଳ୍ପିତ ସତ୍ୟ। ମନୁଷ୍ୟର କଳ୍ପନା ପ୍ରସୂତ ଏହି କଳ୍ପିତ ସତ୍ୟ କିପରି ବାସ୍ତବ ସତ୍ୟକୁ ବଙ୍କାଇ ଦେଇଥାଏ, ତା’ର ପ୍ରାଚୀନତମ ଉଦାହରଣ ଆବିଷ୍କୃତ ହୋଇଥିଲା ୧୯୩୯ରେ ଜର୍ମାନୀର ହୋଲେନ୍‌ଷ୍ଟାଇନ୍‌- ଷ୍ଟାଡ଼େଲ୍‌ସ୍ଥିତ ଏକ ଗୁମ୍ଫାରେ। ଗୁମ୍ଫାରୁ ମିଳିଥିବା ପ୍ରାଗୈତିହାସିକ ଯୁଗରେ ସେ ଅଞ୍ଚଳରେ ବିଚରଣ କରୁଥିବା ଅତିକାୟ ହାତୀ ସଦୃଶ ମାମଥ୍‌ର ଦାନ୍ତରେ ଖୋଦେଇ କରାଯାଇଥିବା ଏହି ମୂର୍ତ୍ତିଟି ଥିଲା ଏକ ‘ସିଂହ ମାନବର’। ଏହି ଦଣ୍ଡାୟମାନ ମନୁଷ୍ୟ ମୂର୍ତ୍ତିର ମସ୍ତକଟି ଥିଲା ଏକ ସିଂହର- ହିନ୍ଦୁୁମାନେ ପୂଜା କରୁଥିବା ନୃସିଂହଙ୍କ ଭଳି। ପରୀକ୍ଷା ଦ୍ୱାରା ସାବ୍ୟସ୍ତ ହୋଇଛି ଯେ ଏହା ନିର୍ମିତ ହୋଇଥିଲା ୩୫,୦୦୦ରୁ ୪୦,୦୦୦ ବର୍ଷ ତଳେ। କଳାରେ କଳ୍ପିତ ସତ୍ୟ କିପରି ସମ୍ପୂର୍ଣ୍ଣ ଅବାସ୍ତବ ହୋଇପାରେ, ଏହା ହେଉଛି ତା’ର ପ୍ରାଚୀନତମ ତଥା ପ୍ରବୃଷ୍ଟତମ ପ୍ରମାଣ।

ବର୍ତ୍ତମାନ ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଉତ୍ତେଜନାକୁ ନିରୀକ୍ଷଣ କରି ଦେଖିଲେ ଯାହା ଜଣାପଡ଼େ ତାହା ହେଲା ଏହା ମୂଳରେ ରହିଛି ଏଇଭଳି ଏକ କଳ୍ପିତ ସତ୍ୟ। ଚିତ୍ତୋରର ଅସାମାନ୍ୟ ସୁନ୍ଦରୀ ରାଣୀ ପଦ୍ମିନୀ ହେଉଛନ୍ତି ଷୋଡ଼ଶ ଶତାବ୍ଦୀର ସୁଫି କବି ମାଲିକ୍‌ ମହମ୍ମଦ ଜୟାସିଙ୍କ ଦ୍ୱାରା ରଚିତ କବିତା ‘ପଦ୍ମାବତ୍‌’ର ନାୟିକା। ମାଲିକ୍‌ଙ୍କ ବର୍ଣ୍ଣନା ଅନୁସାରେ ପଦ୍ମିନୀ ଥିଲେ ଏପରି ଜଣେ ସୁନ୍ଦରୀ ଯାହାଙ୍କ ସହିତ ସାରା ପୃଥିବୀର ଅନ୍ୟ କୌଣସି ନାରୀ ତୁଳନୀୟ ନଥିଲେ। ସେ ଥିଲେ ସିଂହଳ ଦ୍ୱୀପର ରାଜକୁମାରୀ। ତାଙ୍କର ପୋଷା ଶୁଆ ହୀରାମନ୍‌ ସିଂହଳ ରାଜାଙ୍କର ରୋଷରୁ ବର୍ତ୍ତିବା ପାଇଁ ଉଡ଼ି ଉଡ଼ି ଆସି ଚିତ୍ତୋରରେ ପହଞ୍ଚିଛି ଓ ଚିତ୍ତୋରର ରାଜା ରତନ ସେନ୍‌ଙ୍କୁ ପଦ୍ମାବତୀ ଓରଫ୍‌ ପଦ୍ମିନୀଙ୍କର ଅଲୌକିକ ସୌନ୍ଦର୍ଯ୍ୟ ସମ୍ବନ୍ଧରେ କହିଛି। ରତନ ସେନ୍‌ ଶୁଆର ବର୍ଣ୍ଣନା ଦ୍ୱାରା ଆକର୍ଷିତ ହୋଇ ଦୀର୍ଘ ପଥ ଯାତ୍ରା କରି (ରାଜସ୍ଥାନରୁ ଶ୍ରୀଲଙ୍କା) ସିଂହଳରେ ପହଞ୍ଚିଛନ୍ତି ଓ ପଦ୍ମିନୀଙ୍କୁ ବିବାହ କରିଛନ୍ତି। ପରେ ସେ ଓଡ଼ିଶାର ପୁରୀ ଦେଇ ଚିତ୍ତୋରକୁ ପଦ୍ମିନୀଙ୍କ ସହ ଫେରିଛନ୍ତି।

ରତନ୍‌ ସେନ୍‌ଙ୍କ ସଭାରେ ରାଘବ ଚୈତନ୍ୟ ନାମକ ଜଣେ କବି ଥିଲେ ଯିଏ ଗୁଣିଗାରେଡ଼ି ଜାଣିଥିଲେ। ଏହି କାରଣରୁ ରତନ୍‌ସେନ୍‌ ତାଙ୍କୁ ରାଜ୍ୟରୁ ନିର୍ବାସିତ କରି ଦେଇଥିଲେ। କବି ରାଘବ ପ୍ରତିଶୋଧ ପରାୟଣ ହୋଇ ଦିଲ୍ଲୀର ସୁଲତାନ୍‌ ଆଲାଉଦ୍ଦିନ୍‌ ଖିଲ୍‌ଜିଙ୍କ ନିକଟରେ ପହଞ୍ଚି ତାଙ୍କୁ ରାଣୀ ପଦ୍ମିନୀଙ୍କ ଅପୂର୍ବ ସୌନ୍ଦର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଲେ। ପଦ୍ମିନୀଙ୍କୁ ହାସଲ କରିବା ପାଇଁ ଆଲାଉଦ୍ଦିନ୍‌ ଖିଲ୍‌ଜି ସୈନ୍ୟସାମନ୍ତ ଧରି ଚିତ୍ତୋର ଆକ୍ରମଣ କଲେ। କାହାଣୀର ଆଉ ଅଧିକ ଟିକିନିଖି ବର୍ଣ୍ଣନା ନକରି ଏତିକି କୁହାଯାଇପାରେ ଯେ ଚିତ୍ତୋର ଦୁର୍ଗର ପତନ ଅବଶ୍ୟମ୍ଭାବୀ ହୋଇପଡ଼ିବା ପରେ ପଦ୍ମିନୀ ଆଲାଉଦ୍ଦିନ୍‌ଙ୍କ କବଳରୁ ନିଜର ସତୀତ୍ୱ ରକ୍ଷା କରିବା ପାଇଁ ଦୁର୍ଗର ଅନ୍ୟ ସମସ୍ତ ନାରୀମାନଙ୍କ ସହିତ ଅଗ୍ନିକୁଣ୍ଡରେ ଝାସ ଦେଲେ (ଜୌହର୍‌)।

ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଳା ଭଁସାଲି ଏହି କାହାଣୀକୁ ଆଧାର କରି ଏକ ବ୍ୟାବସାୟିକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଯେଉଁଥିରେ ରାଣୀ ପଦ୍ମିନୀ ଓ ଆଲାଉଦ୍ଦିନ୍‌ ଖିଲ୍‌ଜିଙ୍କ ମଧ୍ୟରେ କିଛି ଅନ୍ତରଙ୍ଗ ଦୃଶ୍ୟ ରହିଛି ବୋଲି ଅଭିଯୋଗ ହେଉଛି। ଭଁସାଲିଙ୍କ ସପକ୍ଷରେ ଯୁକ୍ତି କରାଯାଉଛି ଯେ ପଦ୍ମିନୀ କାହାଣୀ ଏକ ଐତିହାସିକ ଘଟଣା ନୁହେଁ, ଏକ କବିର କଳ୍ପନା ମାତ୍ର; ତେଣୁ ଭଁସାଲି ଇତିହାସକୁ ବିକୃତ କରିନାହାନ୍ତି। ଏହା ସତ ଯେ ମନୁଷ୍ୟର ମସ୍ତକ ଯେପରି ସିଂହର ମସ୍ତକ ହୋଇ ନପାରେ, ସିଂହଳ ଦ୍ୱୀପରେ ସେପରି ପଦ୍ମିନୀଙ୍କ ଭଳି ସୁନ୍ଦରୀ ଉପଲବ୍‌ଧ ହୋଇ ନପାରନ୍ତି। ଶୁଆଟିର କାର୍ଯ୍ୟ ମଧ୍ୟ ସେଇଭଳି ସମ୍ପୂର୍ଣ୍ଣ କପୋଳକଳ୍ପିତ ଏବଂ ସର୍ବୋପରି ଇତିହାସରେ ଏଭଳି କୌଣସି ଘଟଣାର ଉଲ୍ଲେଖ ନାହିଁ। କିନ୍ତୁ ଏ କଥା ମଧ୍ୟ ସତ ଯେ ପଦ୍ମିନୀଙ୍କ କାହାଣୀ ଏକ କଳ୍ପିତ ସତ୍ୟ ହୋଇଥିଲେ ହେଁ ତାହା ଶହ ଶହ ବର୍ଷ ଧରି ରାଜସ୍ଥାନ ଲୋକ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶରେ ପରିଣତ ହୋଇ ସାରିଛି ଏବଂ ପଦ୍ମିନୀ ରାଜସ୍ଥାନୀ ମନସ୍ତତ୍ତ୍ୱର ଏକ ନିବିଡ଼ତମ ସ୍ଥାନ ଦଖଲ କରି ରହିଛନ୍ତି। ରାଜପୁତମାନଙ୍କ ପାଇଁ ପଦ୍ମିନୀ ନାମକ ‘କଳ୍ପିତ ସତ୍ୟ’ ଏକ ‘ବାସ୍ତବ ସତ୍ୟ’ର ରୂପ ନେଇ ସାରିଛି। ଭଁସାଲି ଅର୍ଥ ରୋଜଗାର କରିବା ମୋହରେ ଏହା ସହିତ ଖେଳିବାକୁ ଏକ ଦୁଃସାହସ କିଂବା ବୋକାମି ରୂପେ ବିଚାର କରାଯାଇପାରେ।

କିନ୍ତୁ ଆଲାଉଦ୍ଦିନ୍‌ ଖିଲ୍‌ଜି ଭଳି ଏକ ଅତ୍ୟାଚାରୀ ନର ରାକ୍ଷସ କୌଣସି କବିର କଳ୍ପନା କିଂବା ‘କଳ୍ପିତ ସତ୍ୟ’ ନୁହେଁ, ସେ ହେଉଛନ୍ତି ଏକ ବାସ୍ତବ ଐତିହାସିକ ଚରିତ୍ର। ଭଁସାଲି ତାଙ୍କ ଚଳଚ୍ଚିତ୍ରରେ ଏହି ଚରିତ୍ରକୁ ପଦ୍ମିନୀଙ୍କର ଏକତରଫା ପ୍ରେମିକ ରୂପେ ପ୍ରଦର୍ଶିତ କରିଥିବାର ସୂଚନାମାନ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି। ଏକ କାମୁକ ସୁଲତାନ୍‌ ତା’ର ହାରେମ୍‌ରେ ଆଉ ଏକ ସୁନ୍ଦରୀ ନାରୀକୁ ଆଣି ଭର୍ତ୍ତି କରିବାର ପ୍ରବଳ ଇଚ୍ଛାକୁ ପ୍ରେମ ବୋଲି କହି ଏହି ଘୃଣ୍ୟ ଅତ୍ୟାଚାରୀର ଚରିତ୍ରକୁ ଏକ କୋମଳ ସ୍ପର୍ଶ ଦେବା ପାଇଁ ଚଳଚ୍ଚିତ୍ର ନିର୍ମାତାଙ୍କ ଉଦ୍ୟମ ସମ୍ପୂର୍ଣ୍ଣ ନିନ୍ଦନୀୟ। ଚଳଚ୍ଚିତ୍ରଟି ମୁକ୍ତିଲାଭ କରି ନଥିଲେ ମଧ୍ୟ ସେଥିରେ ଆଲାଉଦ୍ଦିନ୍‌ ଓ ପଦ୍ମିନୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାର ମାନଙ୍କୁ ଦେଖି ସନ୍ଦେହ ହୁଏ ଯେ ସେ ଦୁହେଁ ହିଁ ହେଉଛନ୍ତି ଚିତ୍ରଟିର କେନ୍ଦ୍ରୀୟ ଚରିତ୍ର। ଆଲାଉଦ୍ଦିନ୍‌ ଥିଲେ ଜଣେ ଚରମ ଧର୍ମାନ୍ଧ ଯିଏ ଅସୀମ ବର୍ବରତାର ସହିତ (ମା’ ସମ୍ମୁଖରେ ଶିଶୁକୁ ହତ୍ୟା କରିବା ଭଳି) ହିନ୍ଦୁମାନଙ୍କର ଗଣହତ୍ୟା କରିବା ସହିତ ନାରୀମାନଙ୍କୁ ବ୍ୟକ୍ତି ରୂପେ ବିଚାର ନକରି କେବଳ ନିଜର ଉପଭୋଗର ସାମଗ୍ରୀ ରୂପେ ବିଚାର କରୁଥିଲେ। ଏପରି ଏକ ଚରିତ୍ରକୁ ଏକ ରୋମାଣ୍ଟିକ୍‌ ତୂଳିର ସ୍ପର୍ଶ ଦେବା ପାଇଁ କରାଯାଇଥିବା ଉଦ୍ୟମ ଯେ ଏକ ହୀନ ବ୍ୟାବସାୟିକ ଉଦ୍ୟମ ମାତ୍ର, ଏଥିରେ କୌଣସି ସନ୍ଦେହ ନାହିଁ। ପୁଣି ଆଜିର ସମୟରେ ସତୀତ୍ୱ ରକ୍ଷା ପାଇଁ ନାରୀ ନିଆଁରେ ଝାସ ଦେବାକୁ ଗୌରବର କଥା ବୋଲି ବିଚାର କରିବା ଠାରୁ ଅଧିକ ନାରୀ ବିରୋଧୀ କାର୍ଯ୍ୟ କ’ଣ ହୋଇ ପାରେ?

ସମ୍ବନ୍ଧିତ ଖବର