ଦିନ ଥିଲା ଝିଅ ପାଇଁ ଯୋଗ୍ୟ ବରଟିଏ ବା ଅର୍ଥନୀତିଜ୍ଞ- ଔପନ୍ୟାସିକ ବିକ୍ରମ ସେଠ୍ଙ୍କ ଭାଷାରେ ‘ଏ ସୁଇଟେବ୍ଲ ବଏ’ ପାଇବା ପାଇଁ ଅନୁସନ୍ଧାନ କ୍ଷେତ୍ରର ଭୌଗୋଳିକ ପରିସୀମାକୁ ଏପରି ସୀମିତ ରଖା ଯାଉଥିଲା ଯେମିତି ଝିଅର ବାପା, ଭାଇ ସକାଳେ ଘରୁ ବାହାରି ପାଦରେ ଚାଲି ଚାଲି ଯାଇ ଝିଅ ଶାଶୂଘରେ ପହଞ୍ଚି, ଝିଅର ଭଲ ମନ୍ଦ ବୁଝି, ପୁଣି ପାଦରେ ଚାଲି ଚାଲି ଫେରି ଆସି ସନ୍ଧ୍ୟା ସୁଦ୍ଧା ନିଜ ଘରେ ପହଞ୍ଚି ହେବ। (ସେଠ୍ଙ୍କ ଉପନ୍ୟାସର ନାୟିକା ଲତା ପାଇଁ ‘ସୁଇଟେବ୍ଲ ବଏ’ଟିଏ ପାଇବା ପାଇଁ ପାଠକକୁ କିନ୍ତୁ ସୁଦୀର୍ଘ ୧୪୮୮ ପୃଷ୍ଠା ସହିତ କସରତ୍ କରି ଅତିକ୍ରମ କରିବାକୁ ପଡ଼ିଥାଏ)। ତେଣୁ ପାଖ ଆଖ ଗାଁର ବରପାତ୍ରଟିଏ ସହିତ ହିଁ ଝିଅକୁ ବାହା କରି ଦିଆଯାଉଥିଲା।
ସମୟ ବଦଳି ଯାଇଛି। ଏବେ ‘ସୁଇଟେବ୍ଲ ବଏ’ର ଠିକଣା ଆଉ ପାଖ ଗାଁ କ’ଣ, ଦୂରର କେଉଁ ଗାଁ ବା ସହରରେ ସୀମିତ ନରହି, ବିଲାତ ଆମେରିକା ପରି କୌଣସି ବିଦେଶ ଭୂଇଁ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଯାଇଛି। ବିଦେଶରେ ଥିବା ଏହି ଦେଶୀ ବରପାତ୍ରମାନଙ୍କୁ ‘ଏନ୍ଆର୍ଆଇ’ (ନନ୍ ରେସିଡେଣ୍ଟ୍ ଇଣ୍ତିଆନ୍) ବର ରୂପେ ସାଧାରଣ ଭାବରେ ବର୍ଣ୍ଣନା କରାଯାଇଥାଏ। ନିକଟ ଅତୀତରେ ବିଦେଶରେ ବସବାସ କରୁଥିବା ଭାରତୀୟ ମାନଙ୍କର ସ˚ଖ୍ୟାରେ ବୃଦ୍ଧି ଘଟିବା ସହିତ ତାଳଦେଇ ଏଠାକାର ଝିଅମାନଙ୍କ ସହିତ ଏହି ଏନ୍ଆର୍ଆଇ ବରମାନଙ୍କର ବିବାହ ସ˚ଖ୍ୟାରେ ବେଶ୍ ବୃଦ୍ଧି ଘଟିବା ଦେଖାଯାଉଛି। ଦୂର ପର୍ବତ ସୁନ୍ଦର ଭଳି ବିଦେଶର ସମ୍ଭାବ୍ୟ ଉନ୍ନତ ଜୀବନ ଶୈଳୀ ଦ୍ବାରା ଆକର୍ଷିତ ହୋଇ ‘ଏନ୍ଆର୍ଆଇ’ ବରମାନଙ୍କ ହାତରେ ଟେକି ଦିଆଯାଇଥିବା ଝିଅମାନଙ୍କ ମଧୢରୁ ଅନେକ ପରବର୍ତ୍ତୀ ସମୟରେ ଏକ ଦୁର୍ଦ୍ଦଶାର ଶିକାର ହେବା ଦେଖାଯାଉଛି- ଏହି ବିଦେଶୀ ବରମାନେ ସେମାନଙ୍କୁ ପରିତ୍ୟାଗ କରି ପଳାୟନ କରୁଛନ୍ତି।
ପରିସ୍ଥିତି ଏପରି ହୋଇଛି ‘ଏନ୍ଆର୍ଆଇ’ ବରପ୍ରାର୍ଥୀମାନେ ଏଠାରେ ନିଜର ପାସପୋର୍ଟ, ଗ୍ରୀନ୍କାର୍ଡ ଆଦି ଦେଖାଇ କନ୍ୟାପକ୍ଷଙ୍କୁ ପ୍ରଲୋଭିତ କରି, କନ୍ୟାଟିକୁ ବିବାହ କରିବାରେ ସଫଳ ହୋଇ ଏଠାରେ ତା ସହିତ କିଛିଦିନ ଏକତ୍ର ବାସ କଲାପରେ କୌଣସି ଆଳ ଦେଖାଇ ଏକୁଟିଆ ବିଦେଶକୁ ଚାଲିଯାଉଛନ୍ତି ଏବ˚ ପରେ ଆଉ ଫେରୁ ନାହିଁ କି ନିଜର ବିବାହିତା ପତ୍ନୀକୁ ନିଜ ପାଖକୁ ନେଉ ନାହାନ୍ତି। ଏପରି ବିବାହ ଓ ତା’ପରର ଘଟଣା ଏପରି ସାଧାରଣ ହୋଇ ଗଲାଣି ଯେ ଏହାର ନାମକରଣ କରାଗଲାଣି: ‘ହନିମୁନ୍ ମ୍ୟାରେଜ୍’ ବା ‘ମଧୁଚନ୍ଦ୍ରିକା ବିବାହ’। ଅର୍ଥାତ୍ ଏପରି ବିବାହର ସମୁଦାୟ ଉଦ୍ଦେଶ୍ୟ ହେଉଛି କନ୍ୟାଟି ସହିତ ସାମୟିକ ଯୌନ ସମ୍ଭୋଗ। ଏହାପରେ ବିବାହରେ ବସ୍ତୁତଃ ଅନ୍ତ ଘଟିଥାଏ, ଯଦିବା ଆଇନ ଅନୁସାରେ ବିବାହ ବିଚ୍ଛେଦ ଘଟିନଥାଏ। ଏକ ଆକଳନ ଅନୁସାରେ ଭାରତରେ ଏପରି ଏନ୍ଆର୍ଆଇ ପତିମାନଙ୍କ ବିରୁଦ୍ଧରେ ପଞ୍ଜିକୃତ ହୋଇଥିବା ମାମଲା ସ˚ଖ୍ୟା ହେଉଛି ଅନ୍ୟୂନ ୫୦,୦୦୦। ଅନେକ ଏପରି ସ୍ବାମୀ ପରିତ୍ୟକ୍ତା ପତ୍ନୀ ଏଭଳି ବିବାହରୁ ସମ୍ଭୂତ ସନ୍ତାନସନ୍ତତିଙ୍କୁ ଧରି ଏଠାରେ ଅସହାୟ ଅବସ୍ଥରେ ପଡ଼ିରହିଥାନ୍ତି। ଏହି ବିବାହ ଯୋଗୁଁ ସେମାନେ ବିଭିନ୍ନ ଗୁରୁତର ସମସ୍ୟାମାନଙ୍କର ସମ୍ମୁଖୀନ ହୋଇଥାନ୍ତି: ଆର୍ଥିକ ସମସ୍ୟା, ସମ୍ପତ୍ତି ମାଲିକାନା, ଉତ୍ତରାଧିକାର, ସନ୍ତାନ ଲାଳନ ପାଳନ ଏବଂ ସାମାଜିକ କଳଙ୍କ ତଥା ମାନସିକ ଅସ୍ଥିରତା ଇତ୍ୟାଦି।
ଆମ ଦେଶରେ ଏପରି ଅପରାଧର ମୁକାବିଲା ପାଇଁ ବିଭିନ୍ନ ଆଇନକାନୁନ୍ ରହିଥିଲେ ମଧ୍ୟ ବିଦେଶରେ ରହିଥିବା ଅପରାଧୀ ପତି ବିରୁଦ୍ଧରେ ଏହା ଲାଗୁ ହୋଇ ନଥାଏ ଏବଂ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏପରି ପଳାତକ ପତିମାନଙ୍କୁ ସାବାଡ଼ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏହି ଗୁରୁତର ଅନ୍ୟାୟର ମୁକାବିଲା ପାଇଁ ଭାରତ ସରକାର ବର୍ତ୍ତମାନ ଏକ ବହୁ ପ୍ରତୀକ୍ଷିତ ପଦକ୍ଷେପ ନେଇଛନ୍ତି। ଅପରାଧୀକୁ ଧରିବା ପାଇଁ, ତା ବିରୁଦ୍ଧରେ ମାମଲା ରୁଜୁ କରି ତାକୁ ଦଣ୍ଡ ଦେବା ପାଇଁ ଏବଂ ପରିତ୍ୟକ୍ତା ପତ୍ନୀକୁ ନ୍ୟାୟ ପ୍ରଦାନ ସହିତ ଯଥେଷ୍ଟ ଆର୍ଥିକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ଚିଗ୍ ବିଲ୍ ପ୍ରସ୍ତୁତ କରି ରାଜ୍ୟ ସଭାରେ ଉପସ୍ଥାପନ କରିଛି। ‘ରେଜିଷ୍ଟ୍ରେସନ୍ ଅଫ୍ ମ୍ୟାରେଜ୍ ଅଫ୍ ନନ୍-ରେସିଡେଣ୍ଟ୍ ଇଣ୍ଡିଆନ୍ ବିଲ୍, ୨୦୧୯’ ରୂପେ ନାମିତ ଏହି ବିଲ୍ରେ ଯେଉଁ ସବୁ ପ୍ରସ୍ତାବମାନ ରହିଛି ସେଥିରେ ଅନ୍ତର୍ଭୁକ୍ତ ଅଛି: ବିବାହର ୩୦ ଦିନ ମଧ୍ୟରେ ‘ଏନ୍ଆର୍ଆଇ’ଙ୍କୁ ବିବାହର ପଞ୍ଜୀକରଣ କରିବା ବାଧ୍ୟତାମୂଳକ; ପାସ୍ପୋର୍ଟ ଆକ୍ଟ, ୧୯୬୭ ଏବଂ ସିଆର୍ପିସି, ୧୯୭୩ର ଆବଶ୍ୟକ ସଂଶୋଧନ କରାଯିବ; ବିବାହର ଯଦି ଏହି ଅନୁଯାୟୀ ପଞ୍ଜୀକରଣ କରାଯାଇ ନଥାଏ, ତେବେ ସମ୍ପୃକ୍ତ ‘ଏନ୍ଆର୍ଆଇ’ଙ୍କର ପାସ୍ପୋର୍ଟ ତଥା ଅନ୍ୟାନ୍ୟ ଭ୍ରମଣ ପତ୍ର ରଦ୍ଦ କରିବା ପାଇଁ ପାସ୍ପୋର୍ଟ କର୍ତ୍ତୃପକ୍ଷଙ୍କୁ ଅନୁମତି ପ୍ରଦାନ; ମନ୍ତ୍ରଣାଳୟର ୱେବ୍ସାଇଟ୍ ମାଧ୍ୟମରେ ଅଭିଯୁକ୍ତିଙ୍କ ବିରୁଦ୍ଧରେ ୱାରେଣ୍ଟ୍ ବା ସମନ୍ ଜାରି କରିବା ପାଇଁ କୋର୍ଟଙ୍କୁ ଅନୁମତି ପ୍ରଦାନ; ଦୋଷୀ ଘୋଷିତ ଏନ୍ଆର୍ଆଇଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରାଯିବ।
ଏହି ବିଲ୍ ଆଇନରେ ପରିଣତ ହେବାପରେ ପଳାତକ ଏନ୍ଆର୍ଆଇ ହନିମୁନ୍ ପତିମାନଙ୍କ ମଧ୍ୟରେ ଛନକା ପଶିବା ନିଶ୍ଚିତ। ତେବେ ଏ ଆଇନକୁ କାର୍ଯ୍ୟକାରୀ କରିବା ପଥରେ ଯାହା ସବୁଠାରୁ ବଡ଼ ପ୍ରତିବନ୍ଧ ହୋଇ ଉଭା ହୋଇପାରେ, ତାହା ହେଲା ଅଭିଯୁକ୍ତ ପାଖରେ ଅଦାଲତର ସମନ ବା ନୋଟିସ୍ ପହଞ୍ଚାଇବା। ଅନେକ ସମୟରେ ତାଙ୍କର ବାସସ୍ଥାନ ବା କର୍ମସ୍ଥଳୀ ଠିକଣା ସମ୍ବନ୍ଧରେ ପରିତ୍ୟକ୍ତା ପତ୍ନୀକୁ ସଠିକ୍ କିଛି ଜଣା ନଥାଏ। ହୁଏତ ୱେବ୍ସାଇଟ୍ର ବ୍ୟବହାର ଏ ସମସ୍ୟାର ସମାଧାନ କରିପାରେ। କିନ୍ତୁ ସମ୍ପତ୍ତି ବାଜ୍ୟାପ୍ତ ମଧ୍ୟ ଏତେ ସହଜ ନ େହାଇ ପାେର। ପିତାମାତାମାନେ ଅଭିଯୁକ୍ତ ପୁତ୍ରକୁ ତ୍ୟଜ୍ୟପୁତ୍ର ଘୋଷଣା କରି ସମ୍ବାଦପତ୍ରରେ ବିଜ୍ଞାପନଟିଏ ବାହାର କରିଦେଲେ, ସେମାନଙ୍କ ସମ୍ପତ୍ତି ସୁରକ୍ଷିତ ରହିଯିବ। ଏନ୍ଆର୍ଆଇ ସାଧାରଣତଃ ପିତାମାତାଙ୍କ ନାମରେ ଏଠାରେ ସମ୍ପତ୍ତି କ୍ରୟ କରିଥିବାରୁ, ଏ କୌଶଳ ବେଶ୍ ଫଳପ୍ରଦ ହେବ। ସେଇଭଳି ଅଭିଯୁକ୍ତର ପାସ୍ପୋର୍ଟ ସମ୍ବନ୍ଧିତ ସୂଚନା ଯଦି ଅଭିଯୋଗକାରିଣୀ ନିକଟରେ ଉପଲବ୍ଧ ନଥାଏ, ତେବେ ପାସ୍ପୋର୍ଟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ କରିବା ସହଜ ହେବ ନାହିଁ। ତେବେ ଏ ସବୁ ସମ୍ଭାବ୍ୟ ବାଧାବିଘ୍ନ ସତ୍ତ୍ବେ ଏନ୍ଆର୍ଆଇ ଠକମାନଙ୍କ ଭଳି ‘ଅନ୍ସୁଇଟେବଲ ବଏ’ମାନଙ୍କ ହାବୁଡ଼ରୁ ଭାରତୀୟ ନାରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କରଏ ଉଦ୍ୟମ ଯେ ଅତୀବ ପ୍ରଶଂସନୀୟ, ଏଥିରେ କୌଣସି ସନ୍ଦେହ ନାହିଁ।