ରାହୁଲ ଲସାଗୁ

ମମତା ବାନାର୍ଜୀ, ସାଇରସ୍‌ ମିସ୍ତ୍ରି, ରାହୁଲ ଗାନ୍ଧୀ- ଏମାନଙ୍କର ଲସାଗୁ କ’ଣ ବୋଲି ଯଦି ପଚରାଯାଏ, ତାହେଲେ ସଠିକ୍‌ ଉତ୍ତର ହେବ- ‘ଟାଟା ନାନୋ’ କାର୍‌। ପୃଥିବୀର ସବୁଠାରୁ ଶସ୍ତା ଛୋଟ କାର୍‌ ରୂପେ ଖ୍ୟାତି ଲାଭ କରିଥିବା ଟାଟା କମ୍ପାନିର ଏହି କୁନି କାର୍‌ଟି ବିଭିନ୍ନ ସମୟରେ ଏ ତିନି ଚରିତ୍ରଙ୍କର ସାଧାରଣ ଶତ୍ରୁ ରୂପେ ଆବିର୍ଭୂତ ହୋଇଛି। ପଶ୍ଚିମବଙ୍ଗର ସିଙ୍ଗୁର୍‌ଠାରେ ‘ନାନୋ’ କାରଖାନା ପ୍ରତିଷ୍ଠା ବିରୋଧରେ ମମତା ରଚନା କରିଥିବା ହିଂସାତ୍ମକ ଆନ୍ଦୋଳନ ଫଳରେ ୨୦୦୮ରେ ଟାଟା ମୋଟର୍ସ କମ୍ପାନି କାରଖାନାଟିକୁ ଗୁଜରାଟର ସାନନ୍ଦକୁ ସ୍ଥାନାନ୍ତରିତ କରିବାକୁ ବାଧ୍ୟ ହୋଇଥିଲା। ୨୦୧୬ ଅକ୍‌ଟୋବର୍‌ରେ ନିଜର ଅପାରଗତା ଯୋଗୁଁ ସାଇରସ୍‌ ମିସ୍ତ୍ରି ଟାଟା ସନ୍‌ସର ମୁଖ୍ୟ ପଦବିରୁ ବିତାଡ଼ିତ ହେବା ପରେ ସେ ମଧ୍ୟ ଔଷଧ ବିକଳରେ ତାଟିଆ କାମୁଡ଼ିବା ଭଳି ‘ନାନୋ’ ଉପରେ ବର୍ଷି ଯାଇ ଏହାକୁ ରତନ ଟାଟାଙ୍କର ଏକ କ୍ଷତିକାରକ ମାନସ ସନ୍ତାନ ରୂପେ ଭର୍ତ୍ସନା କରିଥିଲେ। ଏବେ ଗୁଜରାଟରେ ନିର୍ବାଚନ ଗସ୍ତ କରିବା ଅବସରରେ କଂଗ୍ରେସର ଆସନ୍ନ ସଭାପତି ରାହୁଲ ଗାନ୍ଧୀ ‘ନାନୋ’କୁ ‘ମେକ୍‌ ଇନ୍‌ ଇଣ୍ଡିଆ’ ଅଭିଯାନର ମୃତ୍ୟୁର ସଂକେତ ରୂପେ ବର୍ଣ୍ଣନା କରିଛନ୍ତି।

ଏମାନଙ୍କ ମଧ୍ୟରୁ ପ୍ରଥମ ଦୁଇଜଣଙ୍କ ନାନୋ- ବିରୋଧୀ ଆଭିମୁଖ୍ୟ ଆମକୁ ସେତିକି ଚକିତ ବା ଚିନ୍ତିତ କରି ନଥାଏ ଯେତିକି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ କରିଥାଏ। ମମତାଙ୍କ କାର୍ଯ୍ୟ ଥିଲା ତାଙ୍କର ସଂକୀର୍ଣ୍ଣ ଆଞ୍ଚଳିକ ତୁଷ୍ଟୀକରଣ ରାଜନୀତିର ଅଂଶ- ରାଜ୍ୟରେ ଶିଳ୍ପାୟନ ବାଧା ପାଉ ପଛକେ ଗ୍ରାମୀଣ ମତଦାତା ମାନଙ୍କ ସମର୍ଥନ ଲାଭ କରିବା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ସାଇରସ୍‌ ମିସ୍ତ୍ରିଙ୍କର ‘ନାନୋ’ ବିରୁଦ୍ଧରେ ବିଷୋଦ୍‌ଗାର ଥିଲା ଏକ ପ୍ରକାର ରତନ ଟାଟାଙ୍କ ସହିତ ତାଙ୍କର ପାରିବାରିକ କଳହରେ ବ୍ୟବହୃତ ଏକ କ୍ଷେପଣାସ୍ତ୍ର। କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଭାରତର ଜଣେ ପ୍ରଧାନମନ୍ତ୍ରୀ ବିକଳ୍ପ ରୂପେ ପ୍ରଦର୍ଶିତ କରାଯାଉଛି; ତେଣୁ ସାନନ୍ଦଠାରେ ପ୍ରତିଷ୍ଠିତ ‘ନାନୋ’ ପ୍ରକଳ୍ପ ପ୍ରତି ତାଙ୍କର ଆଭିମୁଖ୍ୟ ସମଗ୍ର ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉଦ୍ୟମରେ ଶିଳ୍ପାୟନ ଏବଂ ‘ମେକ୍‌ ଇନ୍‌ ଇଣ୍ଡିଆ’ ଭଳି ଅଭିଯାନ ଭୂମିକା ସମ୍ବନ୍ଧରେ ତାଙ୍କର ବିଚାର ଉପରେ ଆଲୋକପାତ କରିଥାଏ। ଆଉ ଏହି ଆଲୋକ ଯୋଗୁଁ ଯାହା ଦୃଶ୍ୟମାନ ହୋଇଥାଏ ତାହା ଚିନ୍ତାଶୀଳ ପର୍ଯ୍ୟବେକ୍ଷକମାନଙ୍କ ମନରେ ଅସ୍ୱସ୍ତି ସୃଷ୍ଟି କରିବା ପାଇଁ ଯଥେଷ୍ଟ।

ରାହୁଲ ଗାନ୍ଧୀ କରିଥିବା ଅଭିଯୋଗର ସାରମର୍ମ ହେଲା ଟାଟା ‘ନାନୋ’ ଏକ ବିଫଳ ମଡେଲ୍‌, ଏଣୁ ସାନନ୍ଦଠାରେ ଏହାର କାରଖାନା ପ୍ରତିଷ୍ଠା ଏକ ବିଫଳ ଉଦ୍ୟମ ଏବଂ ଗୁଜରାଟ ସରକାର ଟାଟାକୁ ପ୍ରୋତ୍ସାହନ ପ୍ରଦାନ କରି ‘ନାନୋ’ କାରଖାନାକୁ ସାନନ୍ଦକୁ ଆକର୍ଷିତ କରିବା ହେଉଛି ରାଜ୍ୟବାସୀଙ୍କର ସ୍ୱାର୍ଥ ବିରୋଧୀ କାର୍ଯ୍ୟ। ସେ ମଧ୍ୟ ରାଜ୍ୟ ସରକାରଙ୍କର ଏତାଦୃଶ ପଦକ୍ଷେପ ପଛରେ ଏକ ନିର୍ଦ୍ଦିଷ୍ଟ ମତଲବ ରହିଥିବା ଆବିଷ୍କାର କରିଛନ୍ତି- ବଡ଼ ବଡ଼ ଶିଳ୍ପପତିମାନଙ୍କୁ ସାହାଯ୍ୟ କରିବା, ସାଧାରଣ ଲୋକଙ୍କୁ ଅବହେଳା କରିବା (‘ସୁଟ୍‌ବୁଟ୍‌କୀ ସରକାର’)। ରାହୁଲଙ୍କର ଏସବୁ ଅଭିଯୋଗ କେତେଦୂର ତାଙ୍କ ସୁପରିଚିତ ଅଜ୍ଞତାରୁ ଜାତ ଏବଂ କେତେଦୂର ଉଦ୍ଦେଶ୍ୟ ପ୍ରଣୋଦିତ, ତାହା ଅନୁମାନ ସାପେକ୍ଷ, କିନ୍ତୁ ଅଭିଯୋଗ ଯେ ଏକ ଦୁର୍ବଳ ଭିତ୍ତି ଉପରେ ଆଧାରିତ, ତାହା ଏହାକୁ ଏକ ଉପଯୁକ୍ତ ପରିପ୍ରେକ୍ଷୀରେ ଅନୁଶୀଳନ କଲେ ସ୍ପଷ୍ଟ ହୋଇଥାଏ।

ଟାଟା କମ୍ପାନି ଯେତେବେଳେ ପଶ୍ଚିମବଙ୍ଗରୁ ହଟିଯିବାକୁ ନିଷ୍ପତ୍ତି ନେବା କଥା ଘୋଷଣା କଲା ସେତେବେଳେ ଅନ୍ୟାନ୍ୟ ଅନେକ ରାଜ୍ୟ ‘ନାନୋ’ କାରଖାନା ପ୍ରତିଷ୍ଠା ପାଇଁ ଟାଟାକୁ ପ୍ରୋତ୍ସାହନ ପ୍ରତିଶ୍ରୁତି ସହ ନିମନ୍ତ୍ରଣ ଜଣାଇଥିଲେ। ସେତେବେଳେ ନରେନ୍ଦ୍ର ମୋଦୀ ଥିଲେ ଗୁଜରାଟର ମୁଖ୍ୟମନ୍ତ୍ରୀ। ସେ ମଧ୍ୟ ଏହି ନିମନ୍ତ୍ରଣ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ଆଶାରେ ପୃଥିବୀରେ ସର୍ବତ୍ର ଏହା ଘଟିଥାଏ। ଏଇ ନିକଟରେ ଆମେରିକାରେ ‘ଆମାଜନ୍‌’ କମ୍ପାନି ତା’ର ଦ୍ୱିତୀୟ ମୁଖ୍ୟାଳୟ ପ୍ରତିଷ୍ଠା ଯୋଜନା ଘୋଷଣା କରିବା ପରେ ଅକ୍‌ଟୋବର ୧୯ ଶେଷ ତାରିଖ ସୁଦ୍ଧା ସେଠାକାର ୨୩୮ଟି ସହର ଆମାଜନ୍‌କୁ ମନାଇବା ପାଇଁ ପ୍ରତିଯୋଗିତାକୁ ଡେଇଁ ପଡ଼ିଛନ୍ତି। ସେମାନେ ମାଗଣା ଜମିରୁ ଆରମ୍ଭ କରି ଟିକସ ଛାଡ଼ ପର୍ଯ୍ୟନ୍ତ ପ୍ରଲୋଭନମାନ ପ୍ରଦର୍ଶିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ତାହାହିଁ କରିଥିଲେ। ସେ ନାନୋ କାରଖାନା ସ୍ଥାପନ ପାଇଁ ସାନନ୍ଦଠାରେ ଶସ୍ତାରେ ଜମି, ଟିକସ ରିହାତି ଏବଂ ଶସ୍ତା ଋଣ ଆଦି ଯୋଗାଇ ଦେଇଥିଲେ। ସେଠାରେ କେବଳ ‘ନାନୋ’ କାରଖାନା ପ୍ରତିଷ୍ଠା ତାଙ୍କର ଲକ୍ଷ୍ୟ ନଥିଲା, ବରଂ ମଟରଗାଡ଼ି ଯନ୍ତ୍ରାଂଶ ନିର୍ମାଣ ଏବଂ ମଟର ଗାଡ଼ି ଶିଳ୍ପ ପାଇଁ ଦକ୍ଷ ଶ୍ରମଶକ୍ତି ସୃଷ୍ଟିର ଏକ ଏନ୍ତୁଡ଼ିଶାଳ ରୂପେ ସାନନ୍ଦର ଆବିର୍ଭାବ ଥିଲା ତାଙ୍କର ବୃହତ୍ତର ଲକ୍ଷ୍ୟ। ମହାରାଷ୍ଟ୍ର, ତାମିଲନାଡୁ କିମ୍ବା ଦିଲ୍ଲୀ ଭଳି ଗୁଜରାଟକୁ ମଧ୍ୟ ଦେଶର ଏକ ପ୍ରମୁଖ ମଟରଗାଡ଼ି ନିର୍ମାଣ କେନ୍ଦ୍ରରେ ପରିଣତ କରିବା ଦିଗରେ ନାନୋର ଆଗମନ ସାହାଯ୍ୟ କରିବ ବୋଲି ସେ ଆଶା କରିଥିଲେ।

ବର୍ତ୍ତମାନ ଦେଖାଯାଇଛି ଯେ ‘ନାନୋ’ ଖୋଦ୍‌ ଏକ ବିଫଳ ମଡେଲ୍‌ରେ ପରିଣତ ହୋଇଥିଲେ ମଧ୍ୟ ମୋଦୀଙ୍କର ବୃହତ୍ତର ଆଶା ଫଳବତୀ ହୋଇଛି। ‘ନାନୋ’ ଆସିବା ପରବର୍ତ୍ତୀ ଅନୁକୂଳ ପରିବେଶ ଦ୍ୱାରା ଆକର୍ଷିତ ହୋଇ ଫୋର୍ଡ, ମାରୁତି-ସୁଜୁକୀ, ହଣ୍ଡା, ଏଏମ୍‌ଡବ୍‌ଲ୍ୟୁ ମୋଟର୍ସ, ଅତୁଲ ଅଟୋ ଆଦି ଗାଡ଼ି ନିର୍ମାତାମାନେ ସେମାନଙ୍କର କାର୍‌, ଟ୍ରକ୍‌, ଦୁଇଚକିଆ, ତିନିଚକିଆ ଯାନ ମାନ ନିର୍ମାଣ ପାଇଁ ଗୁଜରାଟରେ କାରଖାନାମାନ ପ୍ରତିଷ୍ଠା କରି ଗୁଜରାଟକୁ ଏକ ମଟରଗାଡ଼ି ନିର୍ମାଣ କେନ୍ଦ୍ରରେ ପରିଣତ କରିସାରିଲେଣି। ଆଉ ‘ନାନୋ’ ସିନା ବଜାରରେ ବିଫଳ ହୋଇଛି, ସାନନ୍ଦଠାରେ ତା’ପାଇଁ ନିର୍ମିତ କାରଖାନା ସେଥିଯୋଗୁଁ ଖାଲି ପଡ଼ିନାହିଁ। ସେଇ କାରଖାନାରେ ନିର୍ମିତ ହେଉଥିବା ଟାଟାର ‘ଟିଆଗୋ’ ଏବଂ ‘ଟାଇଗର୍‌’ କାର୍‌ମାନ ବଜାରରେ ଏପରି ସଫଳତା ହାସଲ କଲେଣି ଯେ ଗ୍ରାହକମାନଙ୍କୁ ଗାଡ଼ିଟିଏ ପାଇବା ପାଇଁ ଏବେ ଚାରି ମାସ ଅପେକ୍ଷା କରିବାକୁ ପଡୁଛି। ରାହୁଲ ଗାନ୍ଧୀ କ’ଣ ଏଭଳି ସମସ୍ତ ଶିଳ୍ପାୟନର ବିରୋଧୀ? ଭାରତୀୟ ଅର୍ଥନୀତି ପାଇଁ ତାଙ୍କର ଦୂରଦୃଷ୍ଟି କ’ଣ କେବଳ କୃଷି ଋଣ ଛାଡ଼ କିମ୍ବା ମାଛ ଧରାଳିମାନଙ୍କ ପାଇଁ ରିହାତି ଦରରେ ଡିଜେଲ୍‌ ଯୋଗାଣରେ ସୀମିତ? ଏମିତିରେ ତାଙ୍କର ‘ସୁଟ୍‌ ବୁଟ୍‌କୀ ସରକାର’ ଆକ୍ଷେପ ମଧ୍ୟ ଆନ୍ତରିକତା ଉପରେ ପ୍ରତିଷ୍ଠିତ ନୁହେଁ। ଏହା ତାଙ୍କ ଦଳ ନିକଟରେ ଛନ୍ଦି ହୋଇଥିବା ‘ଚା’ ବିକାଳି ମୋଦୀ’ ବିବାଦରୁ ସ୍ପଷ୍ଟ ହୋଇଥାଏ। ଇଂରେଜୀ ଭାଷାରେ ମୋଦୀଙ୍କ ଦୁର୍ବଳତାକୁ ଆଧାର କରି ସେମାନେ ପ୍ରସାର କରିଥିବା ଏକ କାର୍ଟୁନ୍‌ରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଥେରେସା ମେ ମୋଦୀଙ୍କୁ ଉପଦେଶ ଦେବା ଦେଖା ଯାଇଥିଲା- ‘ତୁମେ ଯାଅ, ଚା ବିକ’। ରାହୁଲଙ୍କର ପିଲାମାନେ ଭୁଲି ଯାଇଥିଲେ ଯେ ସୁଟ୍‌ ବୁଟ୍‌ ଧାରୀମାନେ ହିଁ ଭଲ ଇଂରେଜୀ କରିପାରନ୍ତି। ଇଂରେଜୀରେ ମୋଦୀଙ୍କର ଦୁର୍ବଳତା ତାଙ୍କୁ ସାଧାରଣ ଜନତାର ନିକଟତର କରିଥାଏ। ଇଂରେଜୀରେ ଦକ୍ଷତା ରାହୁଲଙ୍କୁ ସୁଟ୍‌ ବୁଟ୍‌ବାଲାଙ୍କ ନିକଟତର କରାଇଥାଏ। ରାହୁଲ ବୋଧହୁଏ ନିଜେ ଜାଣନ୍ତି ନାହିଁ ସେ କାହାର ନିକଟତର ହେବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର