‘‘ଏକ ଚଳମାନ କାରାଗାର ଭିତରେ ବାସ ନ କରିବାର ଅଧିକାର ହାସଲ କରିବା ପାଇଁ ସେମାନେ ସମ୍ପୂର୍ଣ୍ଣ ହକ୍ଦାର।’’ ଏହି ଟ୍ବିଟ୍ରେ କୁହାଯାଇଥିବା ‘ସେମାନେ’ ହେଉଛନ୍ତି ଶ୍ରୀଲଙ୍କାରେ ବାସ କରୁଥିବା ମୁସଲମାନ ମହିଳାମାନେ। ଆଉ ଏ ଟ୍ବିଟ୍ କରିଛନ୍ତି ସୁପରିଚିତ ବା˚ଲାଦେଶୀ ବିଦ୍ରୋହୀ ଲେଖିକା ତସ୍ଲିମା ନସ୍ରିନ୍। ଇସଲାମୀୟ ଆତଙ୍କବାଦୀମାନଙ୍କ ଦ୍ବାରା ରଚିତ ଇଷ୍ଟର୍ ଆକ୍ରମଣମାନଙ୍କରେ ସେ ଦେଶରେ ୨୫୦ରୁ ଅଧିକ ନିରୀହ ଲୋକଙ୍କ ପ୍ରାଣନାଶ ଘଟିବା ପରେ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ମୁଖମଣ୍ତଳ ସମ୍ପୂର୍ଣ୍ଣ ଆଚ୍ଛାଦିତ କରୁଥିବା ବୁର୍ଖା ବା ନିକାବ୍ ଭଳି ପୋଷାକ ପିନ୍ଧିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିବା ସମ୍ପର୍କରେ ପ୍ରତିିକ୍ରିୟା ପ୍ରକାଶ କରି ତସ୍ଲିମା ଏଭଳି ଟ୍ବିଟ୍ କରିଛନ୍ତି। ସେହି ଟ୍ବିଟ୍ରେ ଶ୍ରୀଲଙ୍କା ସରକାରଙ୍କ ବୁର୍ଖା ନିଷେଧାଦେଶ ନିଷ୍ପତ୍ତିକୁ ଏକ ‘ଉତ୍ତମ ନିଷ୍ପତ୍ତି’ ରୂପେ ଅଭିହିତ କରି ତସ୍ଲିମା ଆହୁରି ମଧୢ କହିଛନ୍ତି: ‘‘ଏହା ମହିଳାମାନଙ୍କୁ ମନୁଷ୍ୟ ଭଳି ଅନୁଭବ କରିବାରେ ସାହାଯ୍ୟ କରିବ।’’
ଶ୍ରୀଲଙ୍କା ସରକାର ଅବଶ୍ୟ ଯେଉଁ କାରଣରୁ ସେ ଦେଶରେ ସମସ୍ତ ପ୍ରକାର ମୁହଁଲୁଚା ପୋଷାକ ପରିଧାନ କରିବା ନିଷେଧ କରିଛନ୍ତି, ତାହା ତସ୍ଲିମା ଉଲ୍ଲେଖ କରିଥିବା କାରଣ ଯୋଗୁଁ ନୁହେଁ। ଏହା ସର୍ବଜନବିଦିତ ଯେ ନିଜର ପରିଚୟ ଗୋପନ ରଖି ଆତଙ୍କବାଦୀ ଆକ୍ରମଣ ରଚନା କରିବାରେ ବୁର୍ଖା ଭଳି ପୋଷାକ ଯେଉଁଭଳି ସାହାଯ୍ୟ କରିଥାଏ, ଅନ୍ୟ କୌଣସି ଛଦ୍ମବେଶ ସେପରି କରି ପାରି ନ ଥାଏ। ତା’ର ସରଳ କାରଣ ହେଲା ବୁର୍ଖା ଏକ ଧର୍ମୀୟ ସ୍ବୀକୃତି ପ୍ରାପ୍ତ ବହୁଳ ବ୍ୟବହୃତ ପୋଷାକ ହୋଇଥିବାରୁ ଏହି ପୋଷାକ ଆଢୁଆଳେର କୌଣସି ସାର୍ବଜନୀନ ସ୍ଥାନରେ କୌଣସି ଆତଙ୍କବାଦୀର ଉପସ୍ଥିତିକୁ କେହି ସନ୍ଦେହ ଦୃଷ୍ଟିରେ ଦେଖିନଥାନ୍ତି। ଶ୍ରୀଲଙ୍କାରେ ଘଟିଥିବା ବିଭୀଷିକାର ଅ˚ଶ ସ୍ବରୂପ ଏକ ସନ୍ଦିଗ୍ଧ ଆତଙ୍କବାଦୀକୁ ପଚରା ଉଚରା କରିବା ପାଇଁ ପହଞ୍ଚିଥିବା ପୁଲିସ୍ ସେଇ ଆତଙ୍କବାଦୀର ଆତ୍ମଘାତୀ ବିସ୍ଫୋରଣର ଶିକାର ହୋଇଥିଲେ, ଯେଉଁଥିରେ ତିନିଜଣ ପୁଲିସ୍ ପ୍ରାଣ ହରାଇଥିଲେ।
ବୁର୍ଖା ବାସନ୍ଦ କରିବାରେ ଶ୍ରୀଲଙ୍କା ଏକ ସାହସିକ ଓ ସମ୍ପୂର୍ଣ୍ଣ ପଦକ୍ଷେପ ନେଇଥିଲେ ହେଁ ବୁର୍ଖା ବ୍ୟବହାରକୁ ନେଇ ଅସ୍ବସ୍ତି ଅନୁଭବ କରିବାରେ ଏହି ଦେଶ ପ୍ରଥମ ଦେଶ ନୁହେଁ। ବାସ୍ତବରେ ଉଇରୋପର ଅଧିକା˚ଶ ଦେଶ ବିିଭିନ୍ନ ସମୟରେ ବୁର୍ଖାର ସମ୍ପୂର୍ଣ୍ଣ ବା ଆ˚ଶିକ ନିଷେଧ ସମ୍ବନ୍ଧରେ ପଦକ୍ଷେପ ନେବା ବା ଚିନ୍ତା କରିବା ଦେଖାଯାଇଛି। ୨୦୧୬ ଶେଷ ବେଳକୁ ଜର୍ମାନୀର ଚାନ୍ସେଲର୍ ଆଞ୍ଜେଲା ମର୍କେଲ୍ ତାଙ୍କର ରାଜନୈତିକ ଦଳ ‘ଖ୍ରୀଷ୍ଟିଆନ୍ ଡେମୋକ୍ରାଟିକ୍ ୟୁନିଅନ୍’ର ଏକ ବୈଠକରେ କହିଥିଲେ ଯେ ଜର୍ମାନୀରେ ପୂରା ମୁହଁ ଢ଼ାଙ୍କୁଥିବା ବୁର୍ଖାକୁ ନିଷେଧ କରାଯିବା ଆବଶ୍ୟକ। ତାଙ୍କର ଏତାଦୃଶ ଆହ୍ବାନ ପରେ ବାଭାରିଆ ପରି ରାଜ୍ୟ ୨୦୧୭ ଆରମ୍ଭରୁ ସ୍କୁଲ, ଅଫିସ୍, ବିଶ୍ବବିଦ୍ୟାଳୟ ଓ ଭୋଟ୍ କେନ୍ଦ୍ର ମାନଙ୍କରେ ମୁହଁଢ଼ଙ୍କା ପୋଷାକ ସବୁକୁ ନିଷେଧ କରି ଦେଇଥିବା ବେଳେ ସେ ଦେଶର ୧୬ଟି ରାଜ୍ୟ ମଧୢରୁ ଅନ୍ତତଃ ଅର୍ଦ୍ଧେକ ରାଜ୍ୟରେ ଶିକ୍ଷୟିତ୍ରୀମାନଙ୍କର ମୁଣ୍ତରେ ହିଜବ୍ ମଧୢ ପିନ୍ଧିବା ଉପରେ ନିଷେଧାଦେଶ ଲାଗୁ କରାଯାଇଛି। ସେଇ ସମୟରୁ ମଧୢ ଅଷ୍ଟ୍ରିଆରେ ସ୍କୁଲ, କଲେଜ, କୋର୍ଟ ଆଦି ଭଳି ସାର୍ବଜନୀନ ସ୍ଥାନରେ ନିକାବ୍, ବୁର୍ଖା ଭଳି ସମ୍ପୂର୍ଣ୍ଣ ମୁଖ-ଆଚ୍ଛାଦନକାରୀ ପୋଷାକ ପରିଧାନ କରିବା ଉପରେ ନିଷେଧାଦେଶ ଲାଗୁ କରାଯାଇଛି। ୨୦୧୧ରେ ଏପରି କରିବାରେ ଇଉରୋପର ପ୍ରଥମ ଦେଶ ରୂପେ ଫ୍ରାନ୍ସ ସେ ଦେଶର ସମସ୍ତ ସାର୍ବଜନୀନ ସ୍ଥାନମାନଙ୍କରେ ପୂରା ମୁହଁ ଲୁଚାଉଥିବା ଇସ୍ଲାମୀୟ ପର୍ଦ୍ଦା ପରିଧାନ ନିଷେଧ କରିଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଇଉରୋପର ଦେଶମାନଙ୍କ ମଧୢରେ ଫ୍ରାନ୍ସ ହେଉଛି ସର୍ବାଧିକ ସ˚ଖ୍ୟକ ମୁସଲମାନ ବାସ କରୁଥିବା ଦେଶ, ଯେଉଁଠି ସେମାନଙ୍କ ସ˚ଖ୍ୟା ୫୦ ଲକ୍ଷ ଅତିିକ୍ରମ କରି ସାରିଲାଣି। ସେଇବର୍ଷ ହିଁ ପଡେ଼ାଶୀ ବେଲ୍ଜିଅମ୍ରେ ବୁର୍ଖା ଆଦି ଉପରେ ଲାଗୁ କରାଯାଇଥିବା ନିଷେଧାଦେଶ ଶେଷରେ ୨୦୧୭ରେ ଇଉରୋପୀୟ ମାନବାଧିକାର ଅଦାଲତ ଦ୍ବାରା କାଏମ୍ ରହିଥିଲା। ନେଦର୍ଲାଣ୍ତ, ଡେନ୍ମାର୍କ, ଇଟାଲୀ ଓ ସ୍ପେନ୍ ଆଦି ଦେଶରେ ଊଣାଅଧିକେ ଏହି ଇସ୍ଲାମୀୟ ପୋଷାକ ଉପରେ ନିଷେଧାଦେଶ ଲାଗିଥିଲେ ହେଁ ବ୍ରିଟେନ୍ ବୋଧହୁଏ ହେଉଛି ଏକ ମାତ୍ର ଦେଶ ଯେଉଁଠି ଏହା ଏଭଳି ନିଷେଧାଦେଶ ମୁକ୍ତ ରହିଛି। ତେବେ ସେଠାରେ ମଧୢ ଏ ସମ୍ପର୍କରେ ନିଜର ନିଷ୍ପତ୍ତି ନେବା ପାଇଁ ସ୍କୁଲମାନଙ୍କୁ ଅନୁମତି ପ୍ରଦାନ କରାଯାଇଛି।
ସୋମାଲିଆରେ ଜନ୍ମିତ ଓ ପରବର୍ତ୍ତୀ ସମୟରେ ନେଦର୍ଲାଣ୍ତରେ ଜଣେ ସା˚ସଦ ହୋଇଥିବା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନା ଚିନ୍ତାନାୟିକା ଆୟାନ୍ ହିର୍ସି ଅଲି ଇସଲାମ୍ରେ ନାରୀ ନିଷ୍ପେଷଣ ବ୍ୟବସ୍ଥାର ଜଣେ ତୀବ୍ର ବିରୋଧୀ। ତାଙ୍କର ମୁକ୍ତ ଚିନ୍ତା ଯୋଗୁଁ ସେ ଜିହାଦୀମାନଙ୍କର ଏକ ଶରବ୍ୟ ହୋଇ କାଳାତିପାତ କରୁଛନ୍ତି। ସେ ଦେଶର ଇସ୍ଲାମୀୟ ପ୍ରଥା ଅନୁସାରେ କିଶୋରୀ ଅବସ୍ଥାରେ ଲିଙ୍ଗଚ୍ଛେଦନର ଶିକାର ହୋଇଥିବା ହିର୍ସି ଅଲି ତସ୍ଲିମା ନସ୍ରିନ୍ଙ୍କ ପରି ହିଜିବ୍ରୁ ବୁର୍ଖା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଇସ୍ଲାମୀୟ ପରିଚୟ-ବିଲୁପ୍ତକାରୀ ମହିଳା ପରିଧାନର ସମ୍ପୂର୍ଣ୍ଣ ବିରୋଧୀ। ସେ କହନ୍ତି ଯେ ନାରୀମାନେ ବୁର୍ଖା ପିନ୍ଧିବା ପଛରେ ମୁଖ୍ୟତଃ ଦୁଇଟି କାରଣ ରହିଛି। ପ୍ରଥମଟି ହେଉଛି ଧର୍ମୀୟ। ଇସଲାମୀୟ ଆଚରଣବିଧି ଅନୁସାରେ ବାଳିକାମାନେ ନିଜର ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ନମ୍ରତା ପ୍ରଦର୍ଶନ କରିବା ଉଚିତ୍ ବୋଲି ସେମାନଙ୍କ ଠାରେ ଦୃଢ଼ ବିଶ୍ବାସ ସୃଷ୍ଟି କରାଯାଇଥାଏ। ଏଣୁ ଅନେକ ମହିଳା ସ୍ବତଃପ୍ରଦୃତ୍ତ ହୋଇ ବୁର୍ଖା ଭିତରେ ନିଜକୁ ପରିଚୟହୀନ କରି ଦିଅନ୍ତି। ଦ୍ବିତୀୟଟି ହେଉଛି ରାଜନୈତିକ। ପୃଥିବୀସାରା ଇସ୍ଲାମୀୟ ମୌଳବାଦ ପ୍ରସାର କରିବାରେ ଯେଉଁ ଦେଶ ପ୍ରମୁଖ ସ୍ଥାନ ଅଧିକାର କରିଥାଏ, ତାହା ହେଉଛି ସାଉଦୀ ଆରବ। ବୁର୍ଖା ପରିଧାନ ହେଉଛି ଏହି ମୌଳବାଦର ଏକ ଗୁରୁତ୍ବପୂର୍ଣ୍ଣ ଅ˚ଶ। ସାଉଦୀଆରବ ଓ ସେଇଭଳି ଅନ୍ୟାନ୍ୟ ଉପସାଗରୀୟ ଦେଶମାନଙ୍କ ଠାରୁ ମୁକ୍ତ ହସ୍ତରେ ଦାନ ପାଉଥିବା ଇସଲାମୀୟ ଦେଶ ଓ ସ˚ଗଠନମାନେ ତେଣୁ ମୁସଲମାନ ମହିଳାମାନଙ୍କ ମଧୢରେ ବୁର୍ଖାର ପ୍ରସାର ଅପରିବର୍ତ୍ତିତ ରଖିବା ପାଇଁ ସବୁମନ୍ତେ ଉଦ୍ୟମ କରିଥାନ୍ତି।
ବୁର୍ଖାର ବ୍ୟବହାର କିନ୍ତୁ ମୁସଲମାନ ମହିଳାମାନଙ୍କ ନିଯୁକ୍ତି ପାଇବା ପଥରେ ପ୍ରତିବନ୍ଧ ହୋଇଥାଏ, ଅଣ ଇସ୍ଲାସୀୟ ନ୍ୟାୟ ବ୍ୟବସ୍ଥା ସହିତ ଆଦୌ ଖାପ ଖାଇ ନ ଥାଏ, ଏବ˚ ଶ୍ରୀଲଙ୍କା ସରକାର ହୃଦୟଙ୍ଗମ କରିଥିବା ଭଳି ସମ୍ପୃକ୍ତ ଦେଶ ବା ସମାଜର ନିରାପତ୍ତା ପ୍ରତି ଏକ ଗୁରୁତର ବିପଦ ସୃଷ୍ଟି କରିଥାଏ। ସର୍ବୋପରି ଏକ ମୂଲ୍ୟବାନ୍ ସମ୍ପତ୍ତି କିମ୍ବା ଚୋରା ମାଲ୍ ଭଳି ସର୍ବସାଧାରଣ ଦୃଷ୍ଟି ଏଡ଼ାଇବା ପାଇଁ ନାରୀକୁ ଆପାଦମସ୍ତକ ଏକ ତମ୍ବୁ ଭିତରେ ଲୁଚାଇ ରଖିବା ହେଉଛି ତାକୁ ଏକ ବ୍ୟକ୍ତି ନୁହେଁ ଜଣେ ବସ୍ତୁ ରୂପେ ବିଚାର କରିବା। ନସରିନ୍ ବା ହିର୍ସି ଅଲିଙ୍କ ଭଳି ସ୍ବାଧୀନଚେତା ନାରୀମାନେ ଏହି ଚିନ୍ତାଧାରାକୁ ହିଁ ବିରୋଧ କରୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp