ବିଧାନସଭା କାହାର ଓ କାହିଁକି?

ବିଧାନସଭା କାହା ପାଇଁ ଓ କାହିଁକି? ରାଜ୍ୟର ସାଧାରଣ ଜନତାଙ୍କ ସମସ୍ୟା ଉପରେ ଆଲୋଚନା କରି ସେଗୁଡ଼ିକର ସମାଧାନ ଲାଗି ବାଟ ଖୋଜିବା ସକାଶେ ଶ୍ରେଷ୍ଠ ମଞ୍ଚ? ନା ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ ହାସଲ ପାଇଁ ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଦଳଙ୍କ ମଧ୍ୟରେ ସଲାକୁସ୍ତିର ଆଖଡ଼ା? ରାଜ୍ୟ ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦୁଇଟି ଦିବସର କାର୍ଯ୍ୟଧାରା ପରିପ୍ରେକ୍ଷୀରେ ପୁଣି ଏହି ଅପ୍ରୀତିକର ପ୍ରଶ୍ନ ଉଠୁଛି।

ପ୍ରଥମେ ମରୁଡ଼ି, ପରେ ଚକଡ଼ା ପୋକର ସଂକ୍ରମଣ ଓ ପୁଣି ଅଦିନିଆ ବର୍ଷା ବିତ୍ପାତ ଯୋଗୁ ଚାଷ ବିପର୍ଯ୍ୟସ୍ତ ଓ ଚାଷୀକୁଳ ଚରମ ଦୁର୍ଦଶାରେ। ଏହି ପୃଷ୍ଠଭୂମିରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଲା। ଅଧିବେଶନ ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ଶାସକ ବିଜେଡି ଓ ଦୁଇ ବିରୋଧୀ କଂଗ୍ରେସ ଓ ବିଜେପିର ବିଧାୟକ ଦଳ ବୈଠକରୁ ବାର୍ତ୍ତା ଦିଆଗଲା ଯେ, ଗୃହରେ ଚାଷ ଓ ଚାଷୀଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦେଇ ଗୁରୁତ୍ୱର ସହ ଆଲୋଚନା କରାଯିବ। ବିଧାନସଭା ବୈଠକ ଆରମ୍ଭର ପୂର୍ବ ଦୁଇ ସପ୍ତାହ ଧରି ମଧ୍ୟ ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ସବୁ ରାଜନୈତିକ ଦଳ ଓ ବିଭିନ୍ନ କୃଷକ ସଂଗଠନଙ୍କ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର କ୍ରମ ଜାରି ରହିଥିଲା। ତେଣୁ ସ୍ୱାଭାବିକ ଭାବେ ଆଶା କରାଯାଉଥିଲା ଯେ, ଚାଷ ଓ ଚାଷୀ ପ୍ରସଙ୍ଗରେ ଗୃହରେ ଗୁରୁତ୍ୱପୂର୍ଣ୍ଣ ତଥା ଅର୍ଥପୂର୍ଣ୍ଣ ଆଲୋଚନା ହେବ। ସମସ୍ୟାର ସମାଧାନ ନେଇ ଚାଷୀକୁଳ ବିଶେଷ ଆଶାବାଦୀ ନଥିଲେ ସୁଦ୍ଧା, ଏହି ବିଶ୍ୱାସରେ ଥିଲେ ଯେ ଅନ୍ତତଃ ସେମାନଙ୍କ ଦୁଃଖ କଥା ରାଜ୍ୟସ୍ତରରେ ଶୀର୍ଷ ଗଣତାନ୍ତ୍ରିକ ମଞ୍ଚରେ ଉଠିବ। କୌଣସି ପ୍ରସଙ୍ଗ ଯେତେ ଯେଉଁଠି ଆଲୋଚନା ହେଉି, ବିଧାନସଭା ଓ ସଂସଦର ପବିତ୍ର କକ୍ଷରେ ତା’ ଉପରେ ଆଲୋଚନା ଏକ ସ୍ୱତନ୍ତ୍ର ମର୍ଯ୍ୟାଦା, ଗୁରୁତ୍ୱ ତଥା ତାତ୍ପର୍ଯ୍ୟ ବହନ କରେ।

କିନ୍ତୁ ବିଧାନସଭାର ମାନ୍ୟବର ସଦସ୍ୟଗଣ ସାଧାରଣ ଭାବେ ରାଜ୍ୟବାସୀଙ୍କୁ ଓ ନିର୍ଦ୍ଦିଷ୍ଟ ଭାବେ ଚାଷୀକୁଳକୁ ନିରାଶ କଲେ। ଅଧିବେଶନର ପ୍ରଥମ ଦୁଇଦିନ ଚାଷ ଓ ଚାଷୀ ପ୍ରସଙ୍ଗରେ କୌଣସି ଅର୍ଥପୂର୍ଣ୍ଣ ଆଲୋଚନା ହୋଇ ପାରିନାହିଁ। ଅଧିବେଶନ ପୂର୍ବରୁ ଚାଷୀଙ୍କ ପାଇଁ ଦଳଙ୍କ ମଧ୍ୟରେ କୁମ୍ଭୀର କାନ୍ଦଣାର ଯେଉଁ ପ୍ରତିଯୋଗିତା ଚାଲିଥିଲା, ବିଧାନସଭା କକ୍ଷରେ ତାହାର କେବଳ ପୁନରାବୃତ୍ତି ଦେଖିବାକୁ ମିଳିଲା। ଅବଶ୍ୟ, ଏହା ପ୍ରଥମ ନୁହେଁ, ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅର୍ଥପୂର୍ଣ୍ଣ ଆଲୋଚନା ହେବା ପରିବର୍ତ୍ତେ ଗୃହ ଦୁଇଦିନ ଧରି ବସ୍ତୁତଃ ଅଚଳ ହୋଇଗଲା। ପ୍ରାୟ ପ୍ରତ୍ୟେକ ଅଧିବେଶନରେ ବିଧାନସଭାରେ ଅନୁରୂପ ଅବସ୍ଥା ସୃଷ୍ଟି ହେଉଛି। ରାଜ୍ୟବାସୀଙ୍କ ବିବିଧ ସମସ୍ୟା, ରାଜ୍ୟର ବୃହତ୍ତର ସ୍ୱାର୍ଥ ଜଡ଼ିତ ମାଳ ମାଳ ପ୍ରସଙ୍ଗ ଥିଲେ ସୁଦ୍ଧା, ଦିନ ଦିନ ଧରି ଗୃହରେ ଅଚଳାବସ୍ଥା ଲାଗି ରହୁଛି କିମ୍ବା ହଟ୍ଟଗୋଳ, ବାକ୍‌ବିତଣ୍ଡାରେ ଗୃହର ମୂଲ୍ୟବାନ ସମୟର ଅପଚୟ ହେଉଛି। ବିଡ଼ମ୍ବନା ହେଲା, ଯେଉଁ ଟିକସଦାତାଙ୍କ ଅର୍ଥରେ ବିଧାନସଭା ଅଧିବେଶନ ଚାଲୁଛି, ସେହି ଟିକସଦାତାଙ୍କ ଦୁଃଖ, ସୁଖ ଗୃହରେ ପଡୁନାହିଁ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଗୃହର କାର୍ଯ୍ୟଧାରାର ଏ ପ୍ରକାର ଚିତ୍ର ଓ ଚରିତ୍ର ରାଜ୍ୟବାସୀଙ୍କ ଆଶା-ଆକାଂକ୍ଷାର ପ୍ରତୀକ ଭାବେ ବିଧାନସଭାର ଗରିମା ଓ ମର୍ଯ୍ୟାଦା ଉପରେ ଆଞ୍ଚ ଆଣୁଛି।

ତେବେ ଯାହା ଅଧିକ ବିବ୍ରତ କରୁଛି ତାହାହେଲା, ଅନେକ ସମୟରେ ବିଧାନସଭା କକ୍ଷରେ ମାନ୍ୟବର ବିଧାୟକ ମାନଙ୍କ ଆଚରଣ, ଯାହା ଜନତାଙ୍କ ପ୍ରତିନିଧି ଭାବେ କମ୍‌, ଦଳୀୟ ପ୍ରତିନିଧି ଭାବେ ଅଧିକ ମନେ ହୁଏ। ଚଳିତ ବିଧାନସଭାରେ ସାମଗ୍ରିକ ଭାବେ ଚାଷ ଓ ଚାଷୀଙ୍କୁ ଆକ୍ରାନ୍ତ କରିଥିବା ବିବିଧ ସମସ୍ୟା- ଫସଲ କ୍ଷତିଠାରୁ ଆରମ୍ଭ କରି ଚାଷୀ ଆତ୍ମହତ୍ୟା, ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପର୍ଯ୍ୟନ୍ତ- ଆଲୋଚନାର ଅପେକ୍ଷା ରଖୁଛି। ଅଥଚ, ଶାସକ ଦଳ କେବଳ ଏମଏସ୍‌ପି ଉପରେ ଆଲୋଚନା ପାଇଁ ବ୍ୟଗ୍ର। ଅନ୍ୟପକ୍ଷରେ ଅନ୍ୟତମ ବିରୋଧୀ ଦଳ ବିଜେପି ଏମ୍‌ଏସ୍‌ପିକୁ ଏଡ଼ାଇ ଚାଷୀ ଆତ୍ମହତ୍ୟା, ଫସଲ କ୍ଷତି, ସରକାରୀ ଅପାରଗତା ଉପରେ ଜୋର୍‌ ଦେଉଛି। ରାଜ୍ୟ ଓ କେନ୍ଦ୍ରରେ କ୍ଷମତାସୀନ ନିଜ ନିଜ ଦଳର ସରକାରଙ୍କୁ ସୁରକ୍ଷା ଦେବା ପାଇଁ ଦୁଇ ଦଳ ମଧ୍ୟରେ ଏ ପ୍ରତିଦ୍ୱନ୍ଦ୍ୱିତା। ସେ ପଟେ ମୁଖ୍ୟ ବିରୋଧୀ କଂଗ୍ରେସର ଟାର୍ଗେଟ୍‌ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏ ଛକାପଂଝା ଭିତରେ ଆଦୌ ଆଲୋଚନା ହୋଇ ପାରିଲା ନାହିଁ। ଦଳୀୟ ସ୍ୱାର୍ଥର ଚଷମା ପିନ୍ଧି ଚାଷୀଙ୍କ ସମସ୍ୟାକୁ ଦେଖାଯାଉଛି। ଏଠାରେ ଏହା ଉଲ୍ଲେଖ କରିବା ଆଦୌ ଅବାନ୍ତର ହେବ ନାହିଁ ଯେ, ବିଧାନସଭାରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଅପେକ୍ଷା ଦଳୀୟ ସ୍ୱାର୍ଥ ତଥା ନିଜ ଦଳର ସରକାରଙ୍କ ସୁରକ୍ଷା ମୁଖ୍ୟ। ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା ଗୌଣ, ପ୍ରତିପକ୍ଷଙ୍କୁ ଅଡୁଆରେ ପକାଇବା ମୁଖ୍ୟ।

ଏ ପରିପ୍ରେକ୍ଷୀରେ ନିକଟରେ ବିଶିଷ୍ଟ ଗାନ୍ଧୀବାଦୀ ସମାଜସେବୀ ଆନ୍ନା ହଜାରେ ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ଆନ୍ନାଙ୍କ ଯୁକ୍ତି ହେଲା ଭାରତୀୟ ସମ୍ବିଧାନ ‘ବ୍ୟକ୍ତି’କୁ ସ୍ୱୀକୃତି ଦେଇଛି। ‘ଦଳ’ର କୌଣସି ସାମ୍ବିଧାନିକ ମାନ୍ୟତା ନାହିଁ। ଅଥଚ ‘ବ୍ୟକ୍ତି’ ନାମରେ ‘ଦଳ’ର କବ୍‌ଜାର ବ୍ୟବସ୍ଥା ରହିଛି। ଫଳତଃ ଭାରତୀୟ ‘ଗଣତନ୍ତ୍ର’ ବସ୍ତୁତଃ ‘ଦଳତନ୍ତ୍ର’ରେ ପରିଣତ ହୋଇଛି। ବିଧାନସଭାରେ ମାନ୍ୟବର ବିଧାୟକଗଣଙ୍କ ଭୂମିକା ଜନ ପ୍ରତିନିଧି ଭାବେ କମ୍‌, ‘ଦଳୀୟ ପ୍ରତିନିଧି’ ଭାବେ ଅଧିକ ହେବା ଆନ୍ନାଙ୍କ ଯୁକ୍ତିକୁ ଯଥାର୍ଥତା ପ୍ରଦାନ କରିବା ଲାଗି ଯଦି ଯଥେଷ୍ଟ ମନେ ହେଉ ନାହିଁ, ତେବେ ସଂଖ୍ୟା ଗରିଷ୍ଠ ଶାସକ ଦଳର ଆଭିମୁଖ୍ୟ ଓ ଆଚରଣ ଏହାକୁ ଯଥାର୍ଥ ସାବ୍ୟସ୍ତ କରିବା ଲାଗି ଯଥେଷ୍ଟ ହେବ। ବିଧି ବ୍ୟବସ୍ଥା ଅନୁଯାୟୀ ଶୃଙ୍ଖଳାର ସହ ଗୃହର ପରିଚାଳନା ସଂଖ୍ୟାଗରିଷ୍ଠ ଶାସକ ଦଳର ସାମ୍ବିଧାନିକ ତଥା ନୈତିକ ଦାୟିତ୍ୱ। ଏକଚାଟିଆ କିମ୍ବା ଏକପାଖିଆ ଭାବେ ଏ ସଂସଦୀୟ ଦାୟିତ୍ୱ ନିର୍ବାହ ସମ୍ଭବ ନୁହେଁ। ବିରୋଧୀ ଦଳକୁ ମଧ୍ୟ ସାଙ୍ଗରେ ନେବାକୁ ପଡ଼ିବ। କିନ୍ତୁ ଏହାର ଅନେକ ଦୁଃଖଦ ନଜିର ଅଛି, ଯେଉଁଠି ଶାସକ ଦଳ ବିରୋଧୀଙ୍କୁ ଉପେକ୍ଷା କରି ଏକଚାଟିଆ ଓ ଏକପାଖିଆ ଭାବେ ଗୃହ ପରିଚାଳନା କରିଛନ୍ତି। ଏପରିକି ଖୋଦ୍‌ ଶାସକ ଦଳ ଗୃହକୁ ଅଚଳ କରିବାରେ ଅଗ୍ରଣୀ ଭୂମିକା ଅଗ୍ରହଣ କରୁଛି। ଗୃହ ପରିଚାଳନାରେ ସଂଖ୍ୟା ଗରିଷ୍ଠତାର ପଶୁ ବଳ ପ୍ରୟୋଗ ସଂସଦୀୟ ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ।

ଗୁରୁବାର ଅଧିବେଶନର ତୃତୀୟ ଦିନ ଗୃହକୁ ସ୍ୱାଭାବିକତା ଫେରିଛି। କାରଣ ଶାସକ ଦଳର ରାଜନୈତିକ ‘ଏଜେଣ୍ଡା’ ଅନୁଯାୟୀ କେନ୍ଦ୍ର ପାଇଁ ଅଡୁଆ ‘ଧାନର ସହାୟକ ମୂଲ୍ୟ ପ୍ରସଙ୍ଗ’ ଗୃହର ସୂଚୀକୁ ଆସିଛି। ତୃତୀୟ ଦିବସରେ ଯଦି ଶାସକ ପକ୍ଷଙ୍କ ଦ୍ୱାରା ଆଗତ ପ୍ରସଙ୍ଗକୁ ଆଲୋଚନା ପାଇଁ ଗ୍ରହଣ କରାଗଲା, ତେବେ ପୂର୍ବରୁ ବିରୋଧୀଙ୍କ ଦ୍ୱାରା ଆଗତ ପ୍ରାୟତଃ ସମାନ ପ୍ରସଙ୍ଗକୁ ଆଲୋଚନା ପାଇଁ ଗ୍ରହଣ କରାଗଲା ନାହିଁ କାହିଁକି? ଏହା କେବଳ ଶାସକ ଦଳର ‘ଏକତରଫା- ଏକଚାଟିଆ’ ମନୋଭାବ ପ୍ରତି ଇଙ୍ଗିତ କରୁନାହିଁ, ଗୃହର ଅଧ୍ୟକ୍ଷଙ୍କ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବାଚସ୍ପତି କୌଣସି ଦଳର ନୁହନ୍ତି, ସେ ସବୁ ଦଳର। ସଂସଦୀୟ ଗଣତନ୍ତ୍ରର ଏ ମୌଳିକ ନୀତି ଏଠାରେ ପରାହତ ହେଉଛି।

ଆଶା ଆଗାମୀ ଦିନରେ ଶାସକ ଦଳର ଆଭିମୁଖ୍ୟ ଓ ଆଚରଣ ବଦଳିବ। ସାମୂହିକ ଭାବେ ମାନ୍ୟବର ବିଧାୟକମାନଙ୍କ ଆଚରଣ ଓ ଆଭିମୁଖ୍ୟରେ ‘ଦଳୀୟ ପ୍ରତିନିଧି’ କମ୍‌ ‘ଜନ ପ୍ରତିନିଧି’ର ଚରିତ୍ର ଅଧିକ ପ୍ରତିଫଳିତ ହେବ। ଫଳରେ ରାଜ୍ୟବାସୀଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ ଭାବେ ବିଧାନସଭାର ଗରିମା ଓ ମର୍ଯ୍ୟାଦା ଆହୁରି ଉଜ୍ଜ୍ୱଳ ହୋଇପାରିବ।

ସମ୍ବନ୍ଧିତ ଖବର