ପଳାତକ ବୁଦ୍ଧ

୨୦୧୭ ଡିସେମ୍ବରରେ ନାଗପୁରଠାରେ ଅନୁଷ୍ଠିତ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ଏକ ସମ୍ମିଳନୀରେ ଅଭିଭାଷଣ ଦେବା ଅବସରରେ ଦଳର ମୁଖ୍ୟ କୁମାରୀ ମାୟାବତୀ ଘୋଷଣା କରିଥିଲେ ଯେ ସେ ନିକଟ ଭବିଷ୍ୟତରେ ହିନ୍ଦୁଧର୍ମ ପରିତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କରିପାରନ୍ତି। ତାଙ୍କର ଏହି ଘୋଷଣା ପ୍ରକୃତରେ ଥିଲା ଏକ ଧମକ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ବିଏସ୍‌ପି ସମ୍ମିଳନୀ ଯେଉଁଠାରେ ଅନୁଷ୍ଠିତ ହେଉଥିଲା, ତାହାର ଅନତିଦୂରରେ ଅବସ୍ଥିତ ଅଛି ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ (ଆର‌୍‌ଏସ୍‌ଏସ୍‌)ର ଜାତୀୟ ମୁଖ୍ୟାଳୟ। ମାୟାବତୀଙ୍କ ଧର୍ମାନ୍ତର ଧମକ ଯାହା ପ୍ରତି ଉଦ୍ଦିଷ୍ଟ ଥିଲା, ସେମାନେ ହେଲେ ଏହି ଆର‌୍‌ଏସ୍‌ଏସ୍‌ ଏବ˚ ତାର ରାଜନୈତିକ ଶାଖା ବୋଲି ବିଶ୍ବାସ କରାଯାଉଥିବା ଭାରତୀୟ ଜନତା ପାର୍ଟି (ଭାଜପା)। ଏହି ଦୁଇ ସ˚ଗଠନ ଯଦି ଦଳିତ ମାନଙ୍କ ଉପରେ ସେମାନଙ୍କର ତଥାକଥିତ ଅତ୍ୟାଚାର ବନ୍ଦ ନ କରନ୍ତି ତେବେ ସେ ତାଙ୍କର କୋଟି କୋଟି ଅନୁଗାମୀମାନଙ୍କ ସହିତ ହିନ୍ଦୁ ଧର୍ମ ତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ମାୟାବତୀ ସେଠାରେ ଧମକ ଦେଇଥିଲେ।
ତାଙ୍କର ଧମକ ଫମ୍ପା ନୁହେଁ ବୋଲି ହୃଦ୍‌ବୋଧ କରାଇବା ଉଦ୍ଦେଶ୍ୟରେ ମାୟାବତୀ ତାଙ୍କ ଭାଷଣରେ ଦେଶର ସର୍ବୋଚ୍ଚ ଦଳିତ ନେତା, ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କର ଉଦାହରଣ ପ୍ରଦାନ କରିଥିଲେ। ୧୯୩୫ରେ ଆମ୍ବେଦକର ହିନ୍ଦୁଧର୍ମର ଧର୍ମାଧୀଶମାନଙ୍କୁ (ବାସ୍ତବରେ ହିନ୍ଦୁ ଧର୍ମ ଏକ ପ୍ରଚାର ସୃଷ୍ଟ ଧର୍ମ ହୋଇନଥିବାରୁ ଏହି ଧର୍ମର ସେପରି କେହି ନିୟନ୍ତ୍ରକ ନଥାନ୍ତି) ଚେତାବନୀ ଦେଇଥିଲେ ଯେ ସେମାନେ ଯଦି ସ˚ସ୍କାର ନ ଆଣନ୍ତି, ସେ ନିଜର ଜନ୍ମିତ ଧର୍ମ ହିନ୍ଦୁଧର୍ମକୁ ତ୍ୟାଗ କରିବେ। ମାୟାବତୀ କହିଥିଲେ ଯେ ଦୀର୍ଘ ୨୧ ବର୍ଷ କାଳ ଅପେକ୍ଷା କଲା ପରେ କୌଣସି ସ˚ସ୍କାରମୂଳକ ପରିବର୍ତ୍ତନ ନ ଘଟିବାରୁ ଆମ୍ବେଦକର ଶେଷରେ ୧୯୫୬ରେ ସେଇ ନାଗପୁର ଠାରେ ହିଁ ହିନ୍ଦୁଧର୍ମ ତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଆମ୍ବେଦକରଙ୍କ ସହିତ ତାଙ୍କର ୬ ଲକ୍ଷ ଅନୁଗାମୀ ମଧୢ ସେଦିନ ବୌଦ୍ଧଧର୍ମ ଗ୍ରହଣ କରିଥିଲେ, ଯାହା ପୃଥିବୀର ଗଣଧର୍ମାନ୍ତର ଇତିହାସରେ ଏକ ରେକର୍ଡ ସ୍ଥାପନ କରିଥିଲା।
ଯଦି ଆର‌୍‌ଏସ୍‌ଏସ୍‌- ଭାଜପା ଦଳିତମାନଙ୍କ ପ୍ରତି ସେମାନଙ୍କର ତଥାକଥିତ ମାନସିକତାରେ ପରିବର୍ତ୍ତନ ନ ଆଣନ୍ତି, ସେ ‘‘ଆମ୍ବେଦକରଙ୍କ ପରି ଏକ ଉପଯୁକ୍ତ ସମୟରେ’’ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ମାୟାବତୀ ସେଦିନ ଘୋଷଣା କରିଥିଲେ। ଏବେ ମନେ ହେଉଛି ମାୟାବତୀ ସେଦିନ ଆମ୍ବେଦକରଙ୍କର ଉଦାହରଣ ପେସ୍‌ କରି ବୁଦ୍ଧିମତୀର କାର୍ଯ୍ୟ କରିଥିଲେ; କାରଣ ଏହା ଧର୍ମାନ୍ତର ନିଷ୍ପତ୍ତି ନେବା ପାଇଁ ତାଙ୍କୁ ଦୀର୍ଘ ୨୧ ବର୍ଷର ସମୟ ପ୍ରଦାନ କରିଥାଏ। ଏବେ ସେଥିରୁ ମାତ୍ର ଦୁଇ ବର୍ଷ ମଧୢ ପୂରି ନାହିଁ। ଏହା ବର୍ତ୍ତମାନ ସୁବିଦିତ ଯେ ଅନ୍ୟୂନ ତିନିଟି କାରଣରୁ ମାୟାବତୀ ତାଙ୍କର ରାଜନୈତିକ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ହିନ୍ଦୁ ଧର୍ମ ତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କରିବାର ନିକଟ ଭବିଷ୍ୟତରେ କୌଣସି ସମ୍ଭାବନା ନାହିଁ। ପ୍ରଥମ କାରଣ, ସମସ୍ତ ଜାତିଆଣ ବାଛ ବିଚାର ସତ୍ତ୍ବେ ଉତ୍ତର ପ୍ରଦେଶର ଦଳିତମାନଙ୍କ ମଧୢରୁ ୯୦ ଶତା˚ଶରୁ ଅଧିକ ହିନ୍ଦୁ ହୋଇ ରହିବାକୁ ହିଁ ପସନ୍ଦ କରୁଛନ୍ତି। ଦ୍ବିତୀୟ, ହିନ୍ଦୁଧର୍ମ ତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କଲା ପରେ ସେ ନିଜର ଦଳିତ ପରିଚୟ ହରାଇ ବସିବେ, କାରଣ ବୌଦ୍ଧଧର୍ମରେ ଜାତିପ୍ରଥା ନାହିଁ। ତୃତୀୟ, ଏକ ବିଡ଼ମ୍ବନା ଭଳି ଦଳିତ ରାଜନୀତି ବା ‘ଦଳିତବାଦ’ ତଥାକଥିତ ‘ମନୁବାଦ’ ଉପରେ ସମ୍ପୂର୍ଣ୍ଣ ରୂପେ ନିର୍ଭର କରିଥାଏ। ‘ମନୁବାଦ’ ହେଉଛି ବୈଦିକ ହିନ୍ଦୁଧର୍ମର ଅ˚ଶ। ବୌଦ୍ଧଧର୍ମରେ ମନୁବାଦର ସ୍ଥାନ ନାହିଁ; ମନୁବାଦର ଅନ୍ତ ଅର୍ଥ ଦଳିତବାଦର ଅନ୍ତ। ଅର୍ଥାତ୍‌ ବୌଦ୍ଧଧର୍ମ ଗ୍ରହଣ ପରେ ମାୟାବତୀଙ୍କର ରାଜନୀତିର ଘଟିବ ଅନ୍ତ। ଏହା ବ୍ୟତୀତ ସମୟକ୍ରମେ ମାୟାବତୀ ମୂଳ ଦଳିତ ରାଜନୀତିର ପରିସୀମା ଅତିକ୍ରମ କରି ଉତ୍ତର ପ୍ରଦେଶରେ କେତେକ, ଉଚ୍ଚ ଜାତି, ମୁଖ୍ୟତଃ ବ୍ରାହ୍ମଣମାନଙ୍କର ବ୍ୟାପକ ସମର୍ଥନ ହାସଲ କରିବାରେ ମଧୢ ସଫଳ ହୋଇଛନ୍ତି। ବୌଦ୍ଧଧର୍ମ ଗ୍ରହଣ କରି ସେ ଏହା ହାତଛଡ଼ା କରିବାକୁ ଚାହିଁବେ ନାହିଁ।
ମାୟାବତୀ ଆମ୍ବେଦକରଙ୍କୁ ଅନୁସରଣ କରି ‘ବୁଦ୍ଧ˚ ଶରଣ˚ ଗଚ୍ଛାମି’ ହେବା ପଥରେ ଯଦି ଏ ସମସ୍ତ ପ୍ରତିବନ୍ଧମାନ ରହି ଆସିଥିଲା, ଏବେ ସେ ପଥରେ ଏକ ନୂତନ ପ୍ରତିବନ୍ଧର ହଠାତ୍‌ ଆବିର୍ଭାବ ଘଟିଛି, ଯାହା ମାୟାବତୀଙ୍କର ନିଜ ସୃଷ୍ଟ ବୋଲି କୁହାଯାଇପାରେ। ଏ ନୂତନ ପ୍ରତିବନ୍ଧ ଆଉ କେହି ନୁହେଁ ସେ ହେଉଛନ୍ତି- ନରେନ୍ଦ୍ର ମୋଦୀ। ଏଥିରେ ମଧୢ ଏକ ଦଳିତ ଯୋଗସୂତ୍ର ରହିଛି। ଯାହା ବର୍ତ୍ତମାନ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ମାସରେ ଏକ ଦଳିତ ଯୁବଦମ୍ପତି ରାଜସ୍ଥାନର ଅଲଵାର‌୍‌ଠାରେ ଏକ ମଟର ବାଇକ୍‌ରେ ଯାତ୍ରା କରୁଥିବାବେଳେ କେତେକ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ଅଟକାଇ ସ୍ବାମୀଙ୍କ ସମ୍ମୁଖରେ ମହିଳା ଜଣଙ୍କୁ ଗଣଧର୍ଷଣ କରିଥିଲେ। ନିର୍ବାଚନ ବ୍ୟସ୍ତତା ଆଳ ଦେଖାଇ ସେଠାକାର ପୁଲିସ ଏଫଆଇଆର‌୍‌ ଦରଜ କରିବାରେ ପ୍ରାୟ ଦୁଇ ସପ୍ତାହ ବିଳମ୍ବ କଲା। ମାୟାବତୀଙ୍କ ବିଏସ୍‌ପି ହେଉଛି ରାଜସ୍ଥାନର କ˚ଗ୍ରେସ ସରକାରର ସହଯୋଗୀ। ରବିବାର ଦିନ କୁଶାନଗର (ସ˚ଯୋଗବଶତଃ ଗୌତମ ବୁଦ୍ଧଙ୍କର ମହାପରିନିର୍ବାଣସ୍ଥଳୀ) ଠାରେ ଏକ ନିର୍ବାଚନ ସଭାରେ ଭାଷଣ ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନ ସରକାର ପ୍ରତି ସମର୍ଥନ ପ୍ରତ୍ୟାହାର କରିବା ପାଇଁ ଦଳିତ ନେତ୍ରୀ ମାୟାବତୀଙ୍କୁ ଆହ୍ବାନ ଦେଲେ।
ଏଥିପ୍ରତି ମାୟାବତୀଙ୍କ ପ୍ରତିିକ୍ରିୟା ହିଁ ସେ ବୁଦ୍ଧଙ୍କ ଅନୁଗାମିନୀ ହେବା ପଥରେ ସଦ୍ୟତମ ପ୍ରତିବନ୍ଧ ହୋଇ ଉଭା ହୋଇଛି। ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରି ମାୟାବତୀ ମୋଦୀଙ୍କୁ ଲକ୍ଷ୍ୟ କରି କହିଛନ୍ତି, ଯିଏ ବିବାହ ପରେ ନିଜର ପତ୍ନୀଙ୍କୁ ଉପେକ୍ଷା କରି ପଳାୟନ କରିଛି, ସେ ପୁଣି ମହିଳାଙ୍କ ସୁରକ୍ଷା ବିଷୟରେ କ’ଣ କହିବ? ସେତିକି ନୁହେଁ ଆହୁରି ମସଲା ଦେଇ ମାୟାବତୀ ଇସାରା ଦେଇଛନ୍ତି ଯେ ଭାଜପାର ନାରୀନେତ୍ରୀମାନେ ସେମାନଙ୍କର ସ୍ବାମୀମାନଙ୍କର ମୋଦୀଙ୍କ ସହିତ ଭେଟ ହେବାକୁ ଭୟ କରୁଛନ୍ତି- କାରଣ ସେମାନେ ନିଜ ନିଜର ପତ୍ନୀମାନଙ୍କୁ ଛାଡି ପଳାଇ ପାରନ୍ତି।
ଦେଶବାସୀ ଜାଣନ୍ତି ନବବିବାହିତ ନରେନ୍ଦ୍ର ମୋଦୀ ତାଙ୍କ ପତ୍ନୀ ‘ଯଶୋଦା’ଙ୍କୁ ଛାଡି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଓ ଆଧୢାତ୍ମିକ ଦର୍ଶନ ଗ୍ରହଣ କରି ସମାଜସେବା କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରି ଦେଇଛନ୍ତି। ଠିକ୍‌ ଯେଉଁଭଳି ଦିନେ ସିଦ୍ଧାର୍ଥ ଆଧୢାତ୍ମିକ ଜ୍ଞାନ ଲାଭ ପାଇଁ ନିଜର ଯୁବତୀ ପତ୍ନୀ ‘ଯଶୋଧାରା’ (ଦୁଇ ନାମର ସାଦୃଶ୍ୟ ଏକ ବିଚିତ୍ର ସଂଯୋଗ) ଏବ˚ ଶିଶୁ ପୁତ୍ର ରାହୁଲଙ୍କୁ ଛାଡିଦେଇ ପଳାଇଥିଲେ। ବ୍ୟକ୍ତିଗତ ସ୍ତରକୁ ଯାଇ ମାୟାବତୀ ନରେନ୍ଦ୍ର ମୋଦୀଙ୍କ ବୈବାହିକ ଜୀବନର ଆଲୋଚନା କରିବା ଅତ୍ୟନ୍ତ ଅରୁଚିକର ଓ ନାରୀ ବିଦ୍ବେଷୀ ମନୋଭାବର ପରିଚୟକ ବୋଲି ବ୍ୟାପକ ସମାଲୋଚନା ହେବାରେ ଲାଗିଛି (ଯଶୋଦାବେନ୍‌ ନିଜ ସ୍ବାମୀଙ୍କ ବିରୁଦ୍ଧରେ କେବେ କୌଣସି ଅଭିଯୋଗ କରିନାହାନ୍ତି)। କିନ୍ତୁ ଏହା ଗୋଟିଏ କଥା ନିଶ୍ଚିତ କରି ଦେଇଛି ଯେ ମାୟାବତୀ ତାଙ୍କର ନାଗପୁର ଘୋଷଣାର ୨୧ ବର୍ଷ ଭିତରେ ମଧୢ ସେହି ଧର୍ମ ଗ୍ରହଣ କରିବାକୁ ଯାଉନାହାନ୍ତି, ଯାହାର ପ୍ରତିଷ୍ଠାତା ମୋଦୀଙ୍କ ଭଳି ନିଜର ପତ୍ନୀଙ୍କୁ ଛାଡି ପଳାୟନ କରିଥିଲେ। ସେ କେବେହେଲେ ପଳାତକ ବୁଦ୍ଧଙ୍କର ଶରଣ ଭିକ୍ଷା କରିବେ ନାହିଁ।

ସମ୍ବନ୍ଧିତ ଖବର