ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ବାତ୍ୟା ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟର ପ୍ରଶ˚ସା କରି ଦିଲ୍ଲୀ ଫେରି ଯାଇଛନ୍ତି। ତେବେ ଏଥିରେ ଆତ୍ମତୃପ୍ତି ଲାଭର କୌଣସି ଅବକାଶ ନାହିଁ। ପୁନଃନିର୍ମାଣରେ ନିୟୋଜିତ ସରକାରୀ କଳ ଓ ଅନ୍ୟ ସମ୍ପୃକ୍ତ ସ˚ସ୍ଥାଙ୍କୁ ଅଧିକ ନିଷ୍ଠା ଓ ଆନ୍ତରିକତାର ସହ ତ୍ବରାନ୍ବିତ ଗତିରେ କାର୍ଯ୍ୟ କରିବାକୁ ପଡ଼ିବ। ନିଃସନ୍ଦେହ, ପ୍ରଭାବିତ ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଜୀବନଯାତ୍ରାରେ ସ୍ବାଭାବିକତା ଫେରାଇ ଆଣିବା ଦିଗରେ ଦିନରାତି ଏକ କରି ଲାଗିଥିବା ସରକାରୀ ଅଧିକାରୀ, କର୍ମଚାରୀ ଓ ସ୍ବେଚ୍ଛାସେବୀ ଧନ୍ୟବାଦର ପାତ୍ର। ସ୍ବାଭାବିକତା ଫେରାଇ ଆଣିବା ରାସ୍ତାରେ କିଛି କମ୍ ବାଧା ନଥିଲା। ଅନ୍ତତଃ ୫୦ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାଵାର୍, ଗ୍ରାଡ଼- ସବ୍ଷ୍ଟେସନ ଓ ପ୍ରାୟ ୪୦ ହଜାର କିମିର ୩୩ ଓ ୧୧ କେଭି ଲାଇନ ସମେତ ପ୍ରାୟ ୮୦ ହଜାର କିମିର ଏଲ୍ଟି ଲାଇନ ଓ ୬୪ ହଜାର ଟ୍ରାନ୍ସଫର୍ମର୍ ଫନୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍ ସେବାରେ ସ୍ବାଭାବିକତା ଫେରିବା ସହ ସ୍ବାଭାବିକ ଜଳଯୋଗାଣ ମଧୢ ଯୋଡ଼ି ହୋଇଛି। ଏହାସତ୍ତ୍ବେ ଅକ୍ଲାନ୍ତ ପରିଶ୍ରମ ଯୋଗୁ ବହୁ ପ୍ରଭାବିତ ଅଞ୍ଚଳରେ ଦୁଇ ମୌଳିକ ଆବଶ୍ୟକତା- ପାଣି ଓ ବିଜୁଳି ଯୋଗାଣ ପୁନଃବାହାଲ ହୋଇପାରିଛି। କିନ୍ତୁ ପୁନଃବାହାଲ ପ୍ରକ୍ରିୟାର ଗତି ଅଧିକ ହୋଇଥିଲେ, ବହୁ ପ୍ରଭାବିତ ଅଞ୍ଚଳରେ ଏବେବି ଲୋକେ ପାଣି ଓ ବିଜୁଳି ପାଇଁ ଡହଳ ବିକଳ ହେଉ ନଥାନ୍ତେ। ଏଭଳି ମନ୍ତବ୍ୟ ଦେବା ବେଳେ ଆମେ ସମ୍ପର୍ଣ୍ଣ ଅବଗତ ଯେ, ବାତ୍ୟା ଜନିତ କ୍ଷୟକ୍ଷତିର ମାତ୍ରା ଓ ଲୋକଶକ୍ତିର ଉତ୍କଟ ଅଭାବ ପରିପ୍ରେକ୍ଷୀରେ ପୁନଃବାହାଲ ପ୍ରକ୍ରିୟାର ଅଗ୍ରଗତି ବିଶେଷ ନିରାଶାଜନକ ବୋଲି କୁହାଯାଇ ପାରିବ ନାହିଁ। ତଥାପି ‘ଫନି’ର ପ୍ରଳୟ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି କରିଛି। ସାଧାରଣ ପରିସ୍ଥିତିରେ ସାଧାରଣ ପଦକ୍ଷେପ ପର୍ଯ୍ୟାପ୍ତ ହୋଇପାରେ। କିନ୍ତୁ ଅସାଧାରଣ ପରିସ୍ଥିତିର ମୁକାବିଲା ଲାଗି ଅସାଧାରଣ ପଦକ୍ଷେପ ଆଶା କରାଯାଏ। ସେ ଦୃଷ୍ଟିରୁ ପ୍ରଳୟଙ୍କରୀ ବାତ୍ୟା ଦ୍ବାରା ସ୍ବାଭାବିକ ଜୀବନଯାତ୍ରା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଯୋଗୁ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତିର ମୁକାବିଲା ଲାଗି ପୁନଃବାହାଲ ପ୍ର୍ରକ୍ରିୟାରେ ଅସାଧାରଣ ଗତି ଆଶା କରିବା ଅସ୍ବାଭାବିକ ନୁହେଁ।
Sambad is now on WhatsApp
Join and get latest news updates delivered to you via WhatsApp
ପାଣି, ବିଜୁଳି, ସଡ଼କ ଓ ଟେଲିଯୋଗାଯୋଗ ଆଦି ଅତ୍ୟାବଶ୍ୟକୀୟ ସେବାର ପୁନଃବାହାଲ ସହ ପ୍ରଭାବିତ ଅଞ୍ଚଳରେ ଜୀବନଯାତ୍ରାରେ ସ୍ବାଭାବିକତା ଫେରିବା ଯୋଡ଼ି ହୋଇଥିବା ବେଳେ ପୁନଃନିର୍ମାଣ ସହ ପୀଡ଼ିତ ପରିବାରଙ୍କ ଜୀବିକାର ପୁନରୁଦ୍ଧାର ଯୋଡ଼ି ହୋଇଛି। ଏ ପ୍ରସଙ୍ଗରେ ଇଣ୍ତୋନେସିଆର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସେହି ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ମୁଲଯାନୀ ଇନ୍ଦ୍ରାବତୀଙ୍କ ଗୋଟିଏ ଉକ୍ତି ଉଦ୍ଧାର କରାଯାଇପାରେ। ‘ଫୋର୍ବସ’ର ବିଶ୍ବର କ୍ଷମତାଶାଳୀ ମହିଳାଙ୍କ ମାନ୍ୟତା ତାଲିକାରେ ୩୮ତମ ସ୍ଥାନରେ ଥିବା ଇନ୍ଦ୍ରାବତୀଙ୍କ ମତରେ ପ୍ରାକୃତିକ ବିପର୍ଯ୍ୟୟରେ ଭାଙ୍ଗି ଯାଇଥିବା ଗୋଟିଏ ଘରର ପୁନଃନିର୍ମାଣର ଅର୍ଥ ଗୋଟିଏ ପରିବାରର ଥଇଥାନ। ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳର ପୁନଃନିର୍ମାଣର ଲକ୍ଷ୍ୟ ପୀଡିତଙ୍କ ଜୀବନ ଓ ଜୀବିକାର ପୁନରୁଦ୍ଧାର। ଏହାର ଅର୍ଥ ପ୍ରଭାବିତ ଅଞ୍ଚଳରେ ସମ୍ପୂର୍ଣ୍ଣ ଭାଙ୍ଗି ପାଇଥିବା କିମ୍ବା ଆ˚ଶିକ ଭାଙ୍ଗି ଯାଇଥିବା ୫ ଲକ୍ଷରୁ ଅଧିକ ବାସଗୃହ, ୪,୬୧୦ ସରକାରୀ କୋଠାବାଡ଼ି କିମ୍ବା ପ୍ରାୟ ୯,୬୩୯ କିମି ରାସ୍ତାର ପୁନଃନିର୍ମାଣ ନୁହେଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଜୀବିକା ଦୃଷ୍ଟିର ଅନିଶ୍ଚିତତା ମଧୢରେ ଥିବା ଲକ୍ଷ ଲକ୍ଷ ହତାଶ ପରିବାରଙ୍କୁ ପେଟପାଟଣାର ନୂଆ ରାହା ଦେଖାଇବା। ଅନ୍ୟଥା, ଶ୍ରୀକ୍ଷେତ୍ର ପୁରୀରେ ପର୍ଯ୍ୟଟନର ବିପର୍ଯ୍ୟସ୍ତ ଅବସ୍ଥା ଯୋଗୁ ଜୀବିକା ହରାଇଥିବା ହଜାର ହଜାର ପରିବାର କିମ୍ବା ନଡ଼ିଆ ବଗିଚା, ପାନବରଜ, ପରିବା ଫସଲ ଉଜୁଡ଼ି ଯାଇଥିବା ଯୋଗୁ ଜୀବିକା ଛେଉଣ୍ତ ବାତ୍ୟା ପୀଡ଼ିତ ଗ୍ରାମାଞ୍ଚଳ ପରିବାରଙ୍କ ଅର୍ଥନୈତିକ ଜୀବନର ପୁନରୁଦ୍ଧାର ହୋଇପାରିବ ନାହିଁ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରାର ପୁନଃବାହାଲ ଯେତିକି ଆହ୍ବାନଭରା, ବାତ୍ୟା ବିପନ୍ନ ପରିବାରଙ୍କ ଥଇଥାନ ଏବ˚ ଜୀବିକା ପୁନରୁଦ୍ଧାର ତା’ଠାରୁ ବହୁଗୁଣ ଅଧିକ ଆହ୍ବାନଭରା। ସରକାରଙ୍କ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆର୍ଥିକ ଦୃଷ୍ଟିରୁ ବାତ୍ୟା ଯୋଗୁ କ୍ଷୟକ୍ଷତିର ପରିମାଣ ୧୨ ହଜାର କୋଟି ଟଙ୍କା। ଚୂଡାନ୍ତ କ୍ଷୟକ୍ଷତିର ପରିମାଣ ଏହାର ଚାରିଗୁୁଣ ହୋଇ ୫୦ ହଜାର କୋଟି ଟଙ୍କାକୁ ଟପିଯାଇପାରେ। ଏହା ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଡିପି) (୨୦୧୭-୧୮ ଆଥିର୍କ ବର୍ଷ)ର ୧୧%ରୁ ଅଧିକ ହେବ। ଅବଶ୍ୟ, ଏଥିରେ କେବଳ ଧନସମ୍ପତ୍ତି, ତ୍ତିତ୍ତିଭୂମି, କୋଠାବାଡ଼ି ଆଦିର କ୍ଷୟକ୍ଷତିର ମୂଲ୍ୟ ଅନ୍ତର୍ଭୁକ୍ତ। ଜୀବିକା ଦୃଷ୍ଟିରୁ ପ୍ରଭାବିତ ପରିବାରଙ୍କ ଆର୍ଥିକ କ୍ଷତିର ପରିମାଣ ଏହା ଅପେକ୍ଷା ଅଧିକ। ଉଦରାହରଣ ସ୍ବରୂପ, ପ୍ରାୟ ୧୨ହଜାର ହେକ୍ଟର ପରିମିତ ଅଞ୍ଚଳରେ ଥିବା ହଜାର ହଜାର ନଡ଼ିଆ ଗଛ ଭାଙ୍ଗି ଯାଇଛି। ପାନବରଜ, ପରିବା ଚାଷ ନଷ୍ଟ ହୋଇଛି। ନଡ଼ିଆ ଗଛ, ପାନବରଜ ସହ ଯେଉଁମାନଙ୍କ ଜୀବିକା ନିର୍ଭର କରୁଥିଲା, ସେମାନଙ୍କ କ୍ଷତି ଅକଳନୀୟ। ସରକାରୀ କ୍ଷତିପୂରଣ ଜୀବିକା ଦୃଷ୍ଟିରୁ ଏ କ୍ଷତିର ଭରଣା କରିପାରିବ ନାହଁ। ଜୀବିକା ଦୃଷ୍ଟିରୁ ଅନିଶ୍ଚିତତା ମଧୢରେ ଥିବା ଏହି କ୍ଷତିଗ୍ରସ୍ତଙ୍କୁ ସାମୟିକ ଭାବେ ବିକଳ୍ପ ଜୀବିକା ଯୋଗାଇ ଦେବାକୁ ପଡ଼ିବ। ତା’ସହ ପୁଣିଥରେ ପାରମ୍ପରିକ ଜୀବିକାର ସ୍ଥାୟୀ ପନ୍ଥା- ସେ ନଡ଼ିଆଗଛ ରୋପଣ ହେଉ ଅବା ଚାଷ ପାଇଁ ସହାୟତା, ଯୋଗାଇ ଦିଆଯିବା ଏକାନ୍ତ ଆବଶ୍ୟକ। ସେହିପରି ପୁରୀରେ ବିପର୍ଯ୍ୟସ୍ତ ପର୍ଯ୍ୟଟନ ଯୋଗୁ ଅନେକ ପରିବାରଙ୍କ ଜୀବିକା ଏବେ ବିପନ୍ନ। ରୋଜଗାର ନେଇ ଅନିଶ୍ଚିତତା। ଏହି ବାତ୍ୟା ପ୍ରଭାବିତ ପରିବାରଙ୍କୁ ମଧୢ ପର୍ଯ୍ୟଟନ ଶିଳ୍ପରେ ସ୍ବାଭାବିିକତା ଫେରି ଆସିବା ପର୍ଯ୍ୟନ୍ତ ମଧୢବର୍ତ୍ତୀକାଳୀନ ବ୍ୟବସ୍ଥା ସ୍ବରୂପ ଜୀବିକା ସହାୟତା ଯୋଗାଇ ଦିଆଯିବା ଜରୁରୀ।
‘ରିଲିଫ କୋଡ୍’ର ଧରାବନ୍ଧା ନିୟମ ମଧୢରେ କିମ୍ବା ଗତାନୁଗତିକ ଧାରାରେ ଏହା ସମ୍ଭବ ହୋଇ ନପାରେ। ପୁନଃନିର୍ମାଣ, ବିଶେଷକରି ପ୍ରଭାବିତ ପରିବାରଙ୍କ ଥଇଥାନ ଓ ଜୀବିକାର ପୁନରୁଦ୍ଧାର ପ୍ରସଙ୍ଗରେ କିଛି ଅଭିନବ ଚିନ୍ତନ ବର୍ତ୍ତମାନ ସମୟ ଓ ପରିସ୍ଥିତିର ଆବଶ୍ୟକତା। ପୂର୍ବରୁ କୁହାଯାଇଛି, ଅସାଧାରଣ ପରିସ୍ଥିତିରେ କିଛି ଅସାଧାରଣ ପଦକ୍ଷେପ ନିଆଯିବା ଦରକାର। ଉଭୟ ଦୀର୍ଘ ମିଆଦୀ ଓ ସ୍ବଳ୍ପ ମିଆଦୀ ପଦକ୍ଷେପ ଦ୍ବାରା ପ୍ରଭାବିତ ଅଞ୍ଚଳର ପୀଡ଼ିତ ପରିବାରଙ୍କ ଥଇଥାନ ଓ ଜୀବିକା ସମସ୍ୟାର ସମାଧାନ କରାଯିବା ଉଚିତ। ଏହା ନିଶ୍ଚୟ ଏକ ହିମାଳୟ ତୁଲ୍ୟ ଆହ୍ବାନ। କିନ୍ତୁ ରାଜନୈତିକ ନେତୃତ୍ବର ଦୃଢ଼ ଇଚ୍ଛାଶକ୍ତି ଏବ˚ ଅମଲାତନ୍ତ୍ରର ନିଷ୍ଠା, ଆନ୍ତରିକତା ସହ ସୃଜନଶୀଳତା ବଳରେ ଏ ଆହ୍ବାନର ସଫଳତାର ସହ ମୁକାବିଲା ଅବଶ୍ୟ ସମ୍ଭବ।