ଗୁରୁବାର ବିଧାନସଭା କକ୍ଷରେ ଦେଶର ପ୍ରଧାନମନ୍ତ୍ରୀ କଠୋର ସମାଲୋଚନାର ଶରବ୍ୟ ହେବା ଆଦୌ ସ୍ୱସ୍ତିକର ନଥିଲା। କିନ୍ତୁ, ଅସ୍ୱସ୍ତିକର ହେଲେ ସୁଦ୍ଧା, ବିଷୋଦ୍‌ଗାରକୁ ଅଯଥାର୍ଥ ବୋଲି କୁହାଯାଇପାରିବ ନାହିଁ। ଗୋଟିଏ ରାଜ୍ୟର ବିଧାନସଭାରେ ନିର୍ଦ୍ଦିଷ୍ଟ ଏକ ବିଷୟରେ ପ୍ରସ୍ତାବ ଗୃହୀତ ହେଲା ଓ ସେ ସଂକ୍ରାନ୍ତରେ ବିଧାନସଭାର ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ପାଇଁ ସମୟ ଲୋଡ଼ିଲେ। ଅଥଚ ଆଠ ମାସ ଭିତରେ ଗୃହ କମିଟିକୁ ଭେଟିବା ଲାଗି ମାନ୍ୟବର ପ୍ରଧାନମନ୍ତ୍ରୀ ମହୋଦୟ ସମୟ ପାଇଲେ ନାହିଁ। ଏହା କେବଳ ଦୁର୍ଭାଗ୍ୟଜନକ ନୁହେଁ, ସଂଘୀୟ ବ୍ୟବସ୍ଥାରେ ଅନ୍ତର୍ନିହିତ ଭାବନାର ପରିପନ୍ଥୀ ମଧ୍ୟ। ବିଡ଼ମ୍ବନା ହେଲା, ଗୋଟିଏ ପକ୍ଷରେ ଶାସନ ଭାର ଗ୍ରହଣ କରିବା ଦିନ ଠାରୁ ଖୋଦ୍‌ ପ୍ରଧାନମନ୍ତ୍ରୀ ସହଯୋଗପୂର୍ଣ୍ଣ ସଂଘୀୟ ବ୍ୟବସ୍ଥା ଉପରେ ଜୋର୍‌ ଦେଇ ଆସୁଛନ୍ତି। ଅନ୍ୟପକ୍ଷରେ ଏକ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ଲାଗି କେନ୍ଦ୍ରର ସହଯୋଗ ଆଶା କରୁଥିବା ଗୋଟିଏ ରାଜ୍ୟର ବିଧାନସଭା କମିଟି ସହ ଆଲୋଚନାକୁ ସେ ଗୁରୁତ୍ୱ ଦେଲେ ନାହିଁ। ଏହା କ୍ଷମତାସୀନ ରାଜନୈତିକ ବର୍ଗଙ୍କ ଉଚ୍ଚାରଣ ଓ ଆଚରଣରେ ପାର୍ଥକ୍ୟ ତଥା ନୀତି, ନୈତିକତା ପ୍ରସଙ୍ଗରେ ଶଠତା ପ୍ରତି ଦୁଃଖଦ ଇଙ୍ଗିତ।

Advertisment

ଯେ କୌଣସି ଶାସନ ବ୍ୟବସ୍ଥାରେ ଗୋଟିଏ ଅଭିଯୋଗ ବା ସମସ୍ୟାର ସହସା ସମାଧାନ ସମ୍ଭବ ହୋଇ ନପାରେ। କିନ୍ତୁ ଧୈର୍ଯ୍ୟର ସହ ଅଭିଯୋଗର ଶୁଣାଣି ଶାସନକର୍ତ୍ତାଙ୍କ ପରମ କର୍ତ୍ତବ୍ୟ। ଏହା ଦ୍ୱାରା ଅନ୍ତତଃ ଶାସନ ବ୍ୟବସ୍ଥା ଯେ ଅଭିଯୋଗକାରୀଙ୍କ ପ୍ରତି ସମ୍ବେଦନଶୀଳ ଓ ଶାସନକର୍ତ୍ତା ନିଜ କ୍ଷମତା ପରିସର ମଧ୍ୟରେ ସମସ୍ୟାର ସମାଧାନ ଲାଗି ନିଷ୍ଠାପର, ଆନ୍ତରିକତାପୂର୍ଣ୍ଣ ପ୍ରୟାସ କରିବେ, ସେ ନେଇ ସକାରାତ୍ମକ ସଂକେତ ମିଳେ। ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶା ବିଧାନସଭା କମିଟିକୁ ଭେଟିବା ଲାଗି ସମୟ ନଦେଇ ଦେଶର ଶାସନ ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ଏକ ନକାରାତ୍ମକ ସଂକେତ ଦେଇଛନ୍ତି। ସକଳ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ଭେଟିବା ଉଚିତ ଥିଲା। ବିଧାନସଭା ଭିତରେ ଓ ବାହାରେ ରାଜ୍ୟ ବିଜେପି ନେତାଏ ପ୍ରଧାନମନ୍ତ୍ରୀ ମହୋଦୟଙ୍କ ସପକ୍ଷରେ ଯେତେ ଓକିଲାତି କଲେ ସୁଦ୍ଧା, ତାହା ଗୃହ କମିଟି ପ୍ରତି ଉପେକ୍ଷାକୁ ଯଥାର୍ଥ ସାବ୍ୟସ୍ତ କରି ପାରିବ ନାହିଁ। ବିଧାନସଭା ଗୃହ କମିଟିକୁ ଅନ୍ୟ କୌଣସି ଗୋଷ୍ଠୀ ବା ସଂଗଠନ ଭାବେ ବିଚାର କରାଯାଇ ନପାରେ। ବିଧାନସଭା କମିଟି ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ପ୍ରତିନିଧି, ସେମାନଙ୍କ ଆଶା, ଆକାଂକ୍ଷାର ପ୍ରତୀକ। ଯେଉଁ ପ୍ରସଙ୍ଗ ନେଇ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଲୋଡ଼ିଥିଲେ, ତାହା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ସହ କେବଳ ଓଡ଼ିଶା ଚାଷୀଙ୍କ ସ୍ୱାର୍ଥ ଯୋଡ଼ି ହୋଇନାହିଁ, ଏ କୃଷି ପ୍ରଧାନ ଦେଶର ଅଧାରୁ ଅଧିକ ଲୋକଙ୍କ ଜୀବନ ଜୀବିକା ସହ ଏହାର ସଂପର୍କ ଅଛି। ଦାବି ମଧ୍ୟ ଯଥାର୍ଥ, ଉତ୍ପାଦନ ଖର୍ଚ୍ଚର ୫୦ ପ୍ରତିଶତ ଅଧିକରେ ଏମ୍‌ଏସ୍‌ପି ଧାର୍ଯ୍ୟ ଲାଗି ନିଜେ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଚଉଦ ନିର୍ବାଚନରେ ବିଜେପି ଇସ୍ତାହାରରେ ଏହା ସ୍ଥାନ ପାଇଥିଲା। ସମ୍ଭବତଃ ଏମ୍‌ଏସ୍‌ପି ପ୍ରସଙ୍ଗରେ ରାଜନୈତିକ ଦୃଷ୍ଟିରୁ ଅଡୁଆକୁ ଏଡ଼ାଇବା ଲାଗି ବିଧାନସଭା କମିଟିକୁ ଏଡ଼ାଇଯିବା ପ୍ରଧାନମନ୍ତ୍ରୀଙ୍କ ଏକ ରଣକୌଶଳ। କିନ୍ତୁ ସମସ୍ୟାକୁ ଏଡ଼ାଇଗଲେ ସମସ୍ୟା ଦୂର ହୁଏ ନାହିଁ। ଦେଶରେ ସଂପ୍ରତି କୃଷି ସଂକଟ ଅଧିକରୁ ଅଧିକ ଗୁରୁତର ହୋଇ ଦୁର୍ଭାଗ୍ୟଜନକ ଚାଷୀ ଆତ୍ମହତ୍ୟାର କ୍ରମ ଜାରି ରହିଛି। ଏହି ସମୟରେ ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ଓଡ଼ିଶା ଗୃହ କମିଟି ସହ ଆଲୋଚନା ଆବଶ୍ୟକ ଥିଲା। କୃଷି ସଂକଟର ଅନ୍ୟାନ୍ୟ ଦିଗ ଉପରେ ବିଚାରବିମର୍ଶ ଜରିଆରେ ସମାଧାନର ବାଟ ଖୋଜିବା ଲାଗି ଅବକାଶ ସୃଷ୍ଟି ହୋଇଥାଆନ୍ତା। କମିଟିକୁ ଏଡ଼ାଇ ପ୍ରଧାନମନ୍ତ୍ରୀ କୃଷି ସଂକଟର ସମାଧାନ ଲାଗି ମାନସ ମନ୍ଥନର ଗୋଟିଏ ଭଲ ସୁଯୋଗ ହାତଛଡ଼ା କଲେ।

୨୦୧୭, ମାର୍ଚ୍ଚରେ ରାଜ୍ୟ ବିଧାନସଭାରେ ଧାନର ସହାୟକ ମୂଲ୍ୟ ବୃଦ୍ଧି ନେଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେଲା। ସ୍ଥିର ହେଲା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ପ୍ରତିନିଧିଙ୍କୁ ନେଇ ଗଠିତ ଏକ ଗୃହ କମିଟି ପ୍ରସ୍ତାବ ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଏପ୍ରିଲ୍‌ରେ ଗୃହ କମିଟିର ପ୍ରଥମ ବୈଠକ ବସି ସାକ୍ଷାତ ଲୋଡ଼ାଗଲା। ଏହା ପରେ ଆହୁରି ଦୁଇଥର ସମୟ ମଗାଯାଇଛି; କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ କୌଣସି ଉତ୍ତର ମିଳିନାହିଁ। ଏପରିକି କମିଟି ପକ୍ଷରୁ ଲେଖାଯାଇଥିବା ପତ୍ରର ପ୍ରାପ୍ତି ସ୍ୱୀକାର ସୁଦ୍ଧା କରାଯାଇ ନାହିଁ। ଏହା ଓଡ଼ିଶାର ନିର୍ବାଚିତ ଜନପ୍ରତିନିଧି ତଥା ଓଡ଼ିଶାବାସୀଙ୍କ ସାମୂହିକ ଭାବନା ପ୍ରତି ଅବଜ୍ଞା, ବିଧାନସଭାର ଗରିମା ପ୍ରତି ଅସମ୍ମାନ। ଚାଷୀଙ୍କ ପ୍ରତି ଦେଶର ସର୍ବୋଚ୍ଚ ଶାସନ କର୍ତ୍ତାଙ୍କ ତଥାକଥିତ ଦରଦ ଯେ କେତେ ଭେଜାଲ, ଏହା ତା’ର ଆଉ ଏକ ଦୁଃଖଦ ନଜିର। ଉଲ୍ଲେଖନୀୟ ହେଲା, ଫେବ୍ରୁଆରି ପଞ୍ଚାୟତ ନିର୍ବାଚନରେ ବିଜେପିର ଆଶା ଠାରୁ ଅଧିକ ଭଲ ପ୍ରଦର୍ଶନ ପରେ ଏକ ପ୍ରକାର ବିଜୟ ଉତ୍ସବ ପାଳନ ପାଇଁ ଏପ୍ରିଲ୍‌ରେ ଭୁବନେଶ୍ୱରରେ ଦଳର ଜାତୀୟ କାର୍ଯ୍ୟକାରିଣୀ ଆୟୋଜିତ ହେଲା। ପ୍ରଧାନମନ୍ତ୍ରୀ ରାଜଧାନୀରେ ଆଡ଼ମ୍ବରପୂର୍ଣ୍ଣ ବର୍ଣ୍ଣାଢ଼୍ୟ ‘ରୋଡ୍‌ ସୋ’ କଲେ। ଦୁଇ ଦିନ ଅବସ୍ଥାନ କଲେ। ଯଦିଓ, ସେତେବେଳକୁ ସାକ୍ଷାତ ପାଇଁ ଆନୁଷ୍ଠାନିକ ଭାବେ ଗୃହ କମିଟିର ଅନୁରୋଧ ପତ୍ର ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚି ନଥାଇ ପାରେ, ତଥାପି ବିଧାନସଭାରେ ଗୃହୀତ ପ୍ରସ୍ତାବ ସଂପର୍କରେ ପ୍ରଧାନମନ୍ତ୍ରୀ ଯେ ଅବଗତ ନ ଥିଲେ , ଏହା ନୁହେଁ। ପ୍ରଧାନମନ୍ତ୍ରୀ ଇଚ୍ଛା କରିଥିଲେ ଓଡ଼ିଶା ଅବସ୍ଥାନ କାଳରେ ପ୍ରସ୍ତାବ ନେଇ ରାଜ୍ୟ ସରକାର କିଂବା ଗୃହର ପ୍ରତିନିଧିଙ୍କ ସହ ଆଲୋଚନା କରିପାରିଥାନ୍ତେ। କିନ୍ତୁ, ନା ପ୍ରଧାନମନ୍ତ୍ରୀ, ନା ରାଜ୍ୟ ସରକାର ନା ବିଧାନସଭା ପକ୍ଷରୁ ଆଲୋଚନା ପାଇଁ କୌଣସି ଉଦ୍ୟମ ହେଲା। ଆମ ଦେଶରେ ଏହା ଏକ ଅସ୍ୱସ୍ତିକର ବାସ୍ତବତା ଯେ, ସମସ୍ୟା ଯେତେ ଗମ୍ଭୀର ହେଉ, ଉପନିବେଶବାଦୀ ଅମଲାତାନ୍ତ୍ରିକ ପରମ୍ପରାରେ ଔପଚାରିକତାର ସରହଦ ଡେଇଁ କ୍ୱଚିତ ସମାଧାନ ଲାଗି ପ୍ରୟାସ ହୁଏ। ସେଥିପାଇଁ ବିଜେପି ଜାତୀୟ କାର୍ଯ୍ୟକାରିଣୀ ଅବସରରେ ଓଡ଼ିଶା ରହଣି କାଳରେ ଏମ୍‌ଏସ୍‌ପି ନେଇ ଆଲୋଚନା ଲାଗି ଉଦ୍ୟମ କରିନଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଦୋଷ ଦିଆଯାଇ ପାରିବ ନାହିଁ। କିନ୍ତୁ ଏକାଧିକବାର ଅନୁରୋଧ ସତ୍ତ୍ୱେ ଗୃହ କମିଟିଙ୍କୁ ସମୟ ଦେଇ ନଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା ଯଥାର୍ଥ। ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀ ମହାଶୟ ନିଜର ‘ଚା’ ବିକାଳି’ ଅତୀତକୁ ବାରମ୍ବାର ବିଜ୍ଞପିତ କରିଥାଆନ୍ତି। ଏହା ସତ୍ତ୍ୱେ ମୋଦୀ ସରକାରକୁ ‘ସୁଟ୍‌ ବୁଟ୍‌’ର ସରକାର ବୋଲି କଟାକ୍ଷ କରାଯିବା ପଛରେ ଯେ ଯଥେଷ୍ଟ ଯଥାର୍ଥତା ରହିଛି; କୃଷକଙ୍କ ସମସ୍ୟା ନେଇ ବିଧାନସଭା କମିଟି ପାଇଁ ଦ୍ୱାର ବନ୍ଦ କରି ନିଜେ ପ୍ରଧାନମନ୍ତ୍ରୀ ତା’ର ଆଉ ଏକ ଉଦାହରଣ ରଖିଛନ୍ତି।

ଅବଶ୍ୟ, ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରର ଏନ୍‌ଡିଏ ସରକାର ବିରୋଧରେ ବିଷୋଦ୍‌ଗାର କେବଳ ଗୃହ କମିଟି ପ୍ରତି ଉପେକ୍ଷାର ପ୍ରତିବାଦ ନଥିଲା, ଅନେକ ପ୍ରସଙ୍ଗରେ କେନ୍ଦ୍ରର ଓଡ଼ିଶା ବିରୋଧୀ ଆଭିମୁଖ୍ୟ ନେଇ ପୁଞ୍ଜିଭୂତ ଅସନ୍ତୋଷର ମଧ୍ୟ ଏହା ଏକ ପରିପ୍ରକାଶ ଥିଲା। ମହାନଦୀ ଓ ପୋଲାଭରମ୍‌ ନେଇ କେନ୍ଦ୍ରର ଆଭିମୁଖ୍ୟ ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ। ମହାନଦୀ ଜଳ ବିବାଦର ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ସକାଶେ କେନ୍ଦ୍ରର ଟାଳଟୁଳ ନୀତି ଜାରି ରହିଛି। ଯାହା ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଉଥିବା ବେଳେ ଛତିଶଗଡ଼ର ସ୍ୱାର୍ଥକୁ ସୁହାଉଛି। ପୋଲାଭରମ୍‌ର କାର୍ଯ୍ୟ ବନ୍ଦ ଲାଗି ଓଡ଼ିଶାର ଅନୁରୋଧ ପ୍ରତି କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ନୀତିଗତ ଭାବେ ଏବେ ନୁହେଁ, ବିଜେଡିର ମେଣ୍ଟ ସହଯୋଗୀ ଥିବା ଦିନ ଠାରୁ ବିଜେପିର ଆଭିମୁଖ୍ୟ ନକାରାତ୍ମକ। ଅଥଚ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ କିଂବା ସ୍ୱତନ୍ତ୍ର ଯୋଜନା ନେଇ ଦଳର ଆଭିମୁଖ୍ୟ ଶିଥିଳ। ବିଜେପି ଓଡ଼ିଶା ଦଖଲର ସ୍ୱପ୍ନ ଦେଖୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ଓ ଏନ୍‌ଡିଏ ସରକାରଙ୍କ ଓଡ଼ିଶା ସ୍ୱାର୍ଥ ପ୍ରସଙ୍ଗରେ ଏ ପ୍ରକାର ନକାରାତ୍ମକ ଆଭିମୁଖ୍ୟ ସେ ସ୍ୱପ୍ନ ପାଇଁ ଅନୁକୂଳ ନ ହେବା ଆଶଙ୍କା ରହିଛି।