ସ୍ଫିଙ୍କ୍‌ସ ନା ଯୀଶୁ?

ମହାନ୍‌ କବି ଵିଲିଅମ୍‌ ବଟ୍‌ଲର‌୍‌ ୟେଟ୍‌ସଙ୍କର ୧୯୨୦ରେ ପ୍ରଥମେ ପ୍ରକାଶିତ କବିତା ‘ଦି ସେକେଣ୍ତ କମିଙ୍ଗ୍‌’ (‘ଦ୍ବିତୀୟ ଆଗମନ’)ର ବିଭିନ୍ନ ଧାଡ଼ିମାନ ସାମ୍ପ୍ରତିକ ସମୟରେ ରାଜନୀତିରୁ ଆରମ୍ଭ କରି ସମାଜତତ୍ତ୍ବ ପର୍ଯ୍ୟନ୍ତ ଆଲୋଚନାରେ ଯେଉଁଭଳି ବାରମ୍ବାର ବ୍ୟବହୃତ ହେବା ଦେଖାଯାଇଛି, ଅନ୍ୟ କୌଣସି ସାହିତ୍ୟ ସୃଷ୍ଟି ସେଭଳି ଗୌରବର ଅଧିକାରୀ ହେବା ବିରଳ। ୧୯୩୬ରେ ନିଜେ ୟେଟ୍‌ସ ତାଙ୍କର ଜଣେ ବନ୍ଧୁଙ୍କୁ ଲେଖିଥିବା ପତ୍ରରେ କହିଥିଲେ ଯେ ତାଙ୍କର ସେ କବିତାଟି ୟୁରୋପରେ ସେବେ ମୁଣ୍ତ ଟେକିଥିବା ଫାଶିବାଦ ଓ ନାତ୍‌ସିବାଦର ଆଗମନ ସମ୍ବନ୍ଧରେ ପ୍ରାୟ ୧୬-୧୭ ବର୍ଷ ପୂର୍ବରୁ ସଠିକ୍‌ ଭବିଷ୍ୟବାଣୀ କରିଥିଲା।

ବାଇବେଲ୍ ଅନୁସାରେ, ପୃଥିବୀରେ ଅରାଜକତା ଓ ଅତ୍ୟାଚାର ଆଦି ଓ ସେଥିଯୋଗୁଁ ରକ୍ତପାତ ବୃଦ୍ଧି ପାଇ ଚାଲିଲେ ଜଗତର ତ୍ରାଣକର୍ତ୍ତା ଯୀଶୁ ପୁଣି ଥରେ ଆଗମନ କରି ମାନବ ଜାତିକୁ ଉଦ୍ଧାର କରିବେ। ୟେଟ୍‌ସ ତାଙ୍କର ଏହି ପ୍ରସିଦ୍ଧ କବିତାର ଆରମ୍ଭ ଅ˚ଶରେ ପ୍ରଥମ ବିଶ୍ବଯୁଦ୍ଧ (୧୯୧୪-୧୯) ସମୟର ‘ଅରାଜକତା’, ‘ରକ୍ତର ଜୁଆର’ ଏବ˚ ଭଲ ଲୋକମାନଙ୍କ ଠାରେ ‘ବିଶ୍ବାସର ଅଭାବ’ (‘ଦି ବେଷ୍ଟ ଲ୍ୟାକ୍‌ ଅଲ୍‌ କନ୍‌ଭିକ୍‌ସନ୍‌’) ଓ ‘ମନ୍ଦ ଲୋକମାନଙ୍କର ଉନ୍ମତ୍ତ’ ଅନସ୍ଥା (‘ଦି ଓର୍ଷ୍ଟ ଆର‌୍‌ ଫୁଲ୍‌ ଅଫ୍‌ ପ୍ୟାସନେଟ୍‌ ଇଣ୍ଟେନସିଟି) ସମ୍ବନ୍ଧରେ ଉଲ୍ଲେଖ କଲା ପରେ ଏଥର ଯୀଶୁଙ୍କର ଦ୍ବିତୀୟ ଆଗମନ ଆସନ୍ନ ବୋଲି କଳ୍ପନା କରିଛନ୍ତି। ସେ କିନ୍ତୁ ତତ୍‌କ୍ଷଣାତ୍‌ ନିଜର ସେହି କଳ୍ପନାକୁ ଦୂରେଇ ଦେଇ ଏହି ଦ୍ବିତୀୟ ଆଗମନ ଯାହାର ସେ ଯୀଶୁ ନୁହଁନ୍ତି, ସେ ହେଉଛି ସି˚ହର ଶରୀର ଓ ମନୁଷ୍ୟର ମସ୍ତକ ଧାରଣ କରିଥିବା, ଆଖିରୁ ସୂର୍ଯ୍ୟଙ୍କର ପ୍ରଖର ରଶ୍ମି ଭଳି ନିଷ୍ଠୁର ଚାହାଣି ନିର୍ଗତ ହେଉଥିବା ଏକ ଭୀଷଣକାୟ ଜନ୍ତୁ ବୋଲି ପାଠକଙ୍କୁ ସଚେତନ କରି ଦେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପରେ ନରେନ୍ଦ୍ର ମୋଦୀ ବିପୁଳ ବିଜୟ ହାସଲ କରି ଦ୍ବିତୀୟ ପାଳି ପାଇଁ ଭାରତର ପ୍ରଧାନମନ୍ତ୍ରୀ ଆସନ ଦଖଲ କରିବାକୁ ୟେଟସ୍‌ଙ୍କ କବିତାର ଶୀର୍ଷକକୁ ଅନୁସରଣ କରି ମୋଦୀଙ୍କର ‘ଦ୍ବିତୀୟ ଆଗମନ’ ବୋଲି ବର୍ଣ୍ଣନା କରାଯିବା ଦେଖାଯାଉଛି। ଶୋଚନୀୟ ଭାବରେ ପରାସ୍ତ ହୋଇଥିବା ମୋଦୀଙ୍କ ସମସ୍ତ ବିରୋଧୀମାନେ ଏହାକୁ ଯେଉଁଭଳି ପ୍ରଦର୍ଶିତ କରୁଛନ୍ତି, ମନେ ହେବ ସତେ ଯେମିତି ମୋଦୀଙ୍କର ଜଣେ ତ୍ରାଣକର୍ତ୍ତା ରୂପେ ନୁହେଁ, ଜଣେ ବିଭାଜନକାରୀ ୟେଟ୍‌ସୀୟ ନରସି˚ହ (ସ୍ଫିଙ୍କ୍‌ସ) ରୂପେ ଦ୍ବିତୀୟ ଆଗମନ ଘଟିଛି (ମମତା ବାନାର୍ଜୀଙ୍କ ଠାରୁ ଆରମ୍ଭ କରି ଓସାଦୁଦ୍ଦିନ୍‌ ଓଵାଇସିଙ୍କ ପର୍ଯ୍ୟନ୍ତଙ୍କର ମନ୍ତବ୍ୟମାନ ଏଇଭଳି)। ସାମ୍ପ୍ରଦାୟିକ ବିଭାଜନ ଓ ତଦ୍‌ଜନିତ ହି˚ସା ହେଉଛି ମୋଦୀଙ୍କର ରାଜନୈତିକ ଦର୍ଶନ ବୋଲି ମୋଦୀଙ୍କର ଏଭଳି ବିରୋଧୀମାନଙ୍କର ଦୃଢ଼ ମତ।

ନରେନ୍ଦ୍ର ମୋଦୀ କିନ୍ତୁ ତାଙ୍କର ମେଣ୍ଟ ଏନ୍‌ଡିଏ ଦ୍ବାରା ନେତା ନିର୍ବାଚିତ ହେବା ଅବସରରେ ସମସ୍ତ ଏନ୍‌ଡିଏ ସା˚ସଦମାନଙ୍କୁ ଯେଉଁ ଅଭିଭାଷଣ ପ୍ରଦାନ କଲେ, ସେଥିରେ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ଏ ସମ୍ପର୍କରେ ଯାହା ସ୍ପଷ୍ଟ କରି ଦେଇଛନ୍ତି ତାହା ହେଲା ନିର୍ବାଚନ ସମାପ୍ତ ହୋଇ ଦେଶର ଶାସନ କାର୍ଯ୍ୟ ସମ୍ଭାଳିବା ପରେ ସେମାନେ ହେଉଛନ୍ତି ସାରା ଦେଶବାସୀଙ୍କର ପ୍ରତିନିଧି, କେବଳ ସେମାନଙ୍କର ସମର୍ଥକମାନଙ୍କର ନୁହଁନ୍ତି। ତାଙ୍କର ପୁରୁଣା ସ୍ଲୋଗାନ୍‌ ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ରେ ଏଥର ମିଶିଲା ‘ସବ୍‌କା ବିଶ୍ବାସ’। ଏହା ଜଣାଶୁଣା ଯେ ମୋଦୀଙ୍କର ପ୍ରଥମ ପାଳି ଶାସନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଆତ୍ମନିଯୁକ୍ତ ଗୋ-ରକ୍ଷକମାନେ ସନ୍ଦିଗ୍ଧ ଗୋ-ଚାଲାଣକାରୀ ତଥା ଗୋ-ମା˚ସ ଚାଲାଣକାରୀମାନଙ୍କ ଉପରେ ବର୍ବର ଆକ୍ରମଣମାନ ଘଟାଇବା ଦେଖାଯାଇଥିଲା। ମୋଦୀଙ୍କ ବିଳମ୍ବିତ ହସ୍ତକ୍ଷେପ ପରେ ମଧୢ ଏଭଳି ଘଟଣାମାନ ସମ୍ପୂର୍ଣ୍ଣ ବନ୍ଦ ହୋଇ ନଥିଲା। ସେହିପରି କେତେକ ସ୍ଥାନରେ ଦଳିତମାନେ ମଧୢ ସବର୍ଣ୍ଣମାନଙ୍କର ହି˚ସାତ୍ମକ ଅତ୍ୟାଚାରର ଶିକାର ହେବା ଦେଖା ଯାଇଥିଲା। ମୋଦୀ ଏହାକୁ ଘୋର ନିନ୍ଦା କରିଥିଲେ ସତ, କିନ୍ତୁ ଅତ୍ୟାଚାରୀମାନଙ୍କ ଉପରେ ତା’ର ବିଶେଷ ପ୍ରଭାବ ପଡ଼ି ନଥିଲା।

ମୋଦୀଙ୍କ ବିରୋଧୀମାନେ ଏଥିରୁ ସମ୍ଭାବ୍ୟ ଫାଇଦା ଉଠାଇବା ପାଇଁ ଯେଉଁ ମହାଗଠବନ୍ଧନ ଗଠନ କରିଥିଲେ ତାହା ଏହି ମୁସଲମାନ, ଦଳିତ ଓ ପଛୁଆ ବର୍ଗମାନଙ୍କୁ ଏକତ୍ର କରି ସେମାନଙ୍କ ଭୋଟ ବିଭାଜନ ପ୍ରତିହତ କରି ମୋଦୀଙ୍କୁ ପରାସ୍ତ କରିବାକୁ ଆଶାବାନ୍ଧି ବସିଥିଲେ। କିନ୍ତୁ ମୋଦୀଙ୍କର ମ୍ୟାଜିକ୍‌ ସୋ, ଜାତି ସମୀକରଣକୁ ଅକାମି କରି ଦେଇ ଅଧିକା˚ଶ ଉତ୍ତର ଭାରତ ରାଜ୍ୟମାନଙ୍କରେ ତାଙ୍କ ଦଳ ସପକ୍ଷରେ ପ୍ରାୟ ୫୦% ଭୋଟ୍‌ ହାସଲ କରି ସମସ୍ତ ରାଜନୈତିକ ପଣ୍ତିତମାନଙ୍କୁ ଚମତ୍କୃତ କରିଦେଇଛି। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ରାଜନୀତିରେ ଜାତି ପ୍ରଥାର ମୂଳପୋଛ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହା ଲାଲୁ, ମୁଲାୟମ, ମାୟାବତୀଙ୍କ ଭଳି ଜାତିବାଦୀ ନେତାମାନଙ୍କ ବ୍ୟବସାୟ ବୁଡ଼ାଇ ଦେଇଛି। ସେହିପରି ଏହି ମ୍ୟାଜିକ୍‌ ତୁଷ୍ଟୀକରଣ ରାଜନୀତିକୁ ଏକ ପ୍ରଚଣ୍ତ ଧକ୍କା ଦେଇ, ଏହାର ପ୍ରଧାନ ହିତାଧିକାରୀ ମମତା ବାନାର୍ଜୀଙ୍କ ଗଡ଼ ଦୋହଲାଇ ଦେଇଛି।

ଏହା ବର୍ତ୍ତମାନ ସମସ୍ତେ ସ୍ବୀକାର କରୁଛନ୍ତି ଯେ ତୁଷ୍ଟୀକରଣ ଓ ଜାତିଆଣ ରାଜନୀତିର ଦୀର୍ଘ ରାଜତ୍ବ ପ୍ରତି ପ୍ରତିକ୍ରିୟା ସ୍ବରୂପ ପୂର୍ବରୁ ସର୍ବଦା ବିଖଣ୍ତିତ ଥିବା ହିନ୍ଦୁ ମତଦାତା ମାମଲାରେ ଧ୍ରୁବୀକରଣ ହିଁ ହେଉଛି ମୋଦୀଙ୍କର ସଫଳତାର ଅନ୍ୟତମ ରହସ୍ୟ। ଏଣୁ ଆଶଙ୍କା କରିବା କଥା ଯେ ମୋଦୀ ଏଥର ମଧୢ ଏହି କୌଶଳକୁ ଆହୁରି ଅଧିକ ଉତ୍ସାହର ସହିତ ଅବଲମ୍ବନ କରି ନିଜ ପକ୍ଷର ସ୍ଥିତିକୁ ଆହୁରି ମଜଭୁତ କରିବେ। ତାଙ୍କର ବିରୋଧୀମାନଙ୍କୁ ଚମକାଇ ଦେଇ ମୋଦୀ କିନ୍ତୁ ତାଙ୍କ ଭାଷଣରେ ଏହାକୁ ଅପ୍ରମାଣ କରିବା ପାଇଁ ଯେଉଁ ବାକ୍ୟ ବ୍ୟବହାର କରିଛନ୍ତି ତାହାକୁ ବିଚକ୍ଷଣ ଶିଳ୍ପପତି ଆନନ୍ଦ ମହୀନ୍ଦ୍ରା ସ୍ବାଧୀନତା ପ୍ରାପ୍ତି ପରେ ଜବାହରଲାଲ ନେହରୁ ପ୍ରଦାନ କରିଥିବା କିଂବଦନ୍ତିରେ ପରିଣତ ହୋଇଥିବା ‘ଟ୍ରିଷ୍ଟ ଵିଥ୍‌ ଡେଷ୍ଟିନୀ’ (‘ଭାଗ୍ୟ ସହ ଭେଟ’) ଅଭିଭାଷଣ ସହ ତୁଳନୀୟ ବୋଲି ଟ୍ବିଟ୍‌ କରିଛନ୍ତି।

ମୋଦୀ ସେଦିନ ସନ୍ଧ୍ୟାରେ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ଉଚ୍ଚାରଣ କରିଥିବା ସେଇ ବାକ୍ୟଟି ହେଲା: ‘‘ଅବ୍‌ ହମାରା କୋଇ ପରାୟା ନେହିଁ ହୋ ସକ୍‌୍‌ତା ହୈ।’’ ‘‘ଏଥର ଆମର କେହି  ପର ହୋଇପାରିବେ ନାହିଁ।’’ ଅର୍ଥାତ୍ ନିର୍ବାଚନୀ ଜାତିପ୍ରଥାର ବିଲୋପ ଶତ୍ରୁ-ମିତ୍ର ମଧୢରେ ବିଭାଜନ ରେଖାକୁ ଲିଭାଇ ଦେଇ ସମସ୍ତଙ୍କୁ ମିତ୍ରରେ ପରିଣତ କରି ଦେଇଛି। ତେଣୁ ଘୃଣା ଓ ବିଦ୍ବେଷର ଅନ୍ତ ଘଟିଛି। ମହୀନ୍ଦ୍ରା ତ କହିଛନ୍ତି ଏଥର ନିର୍ବାଚନ ପରେ ତାଙ୍କୁ ଇତିହାସର ଏକ ମୋଡ଼କୁ ସ୍ବଚକ୍ଷୁରେ ଦେଖିବା ଭଳି ଲାଗୁଛି। ଯଦି ତାହା ସତ ହୁଏ, ତେବେ ମୋଦୀଙ୍କ  ‘ଦ୍ବିତୀୟ ଆଗମନ’ ୟେଟ୍‌ସଙ୍କ ସ୍ଫିଙ୍କ୍‌ସ ଭଳି ନ ହୋଇ ବାଇବେଲର ଯୀଶୁଙ୍କ ଭଳି ହେବ।

ସମ୍ବନ୍ଧିତ ଖବର