ଟ୍ରାଫିକ୍‌ ଜାମ୍‌

୧୯୫୩ ମସିହାର ଆଜି ଦିନ (୨୯ ମଇ)ରେ ତେନ୍‌ଜିଙ୍ଗ୍‌ ନର୍ଗେ ଓ ଏଡ୍‌ମଣ୍ତ ହିଲାରୀ ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଶିଖର ଉପରେ ସର୍ବପ୍ରଥମ ଥର ପାଇଁ ମନୁଷ୍ୟ ପାଦ ପକାଇବାରେ ସଫଳ ହେଲେ। ମନୁଷ୍ୟର ଦୈହିକ ଓ ମାନସିକ ଶକ୍ତିର ଏହା ଥିଲା କଠୋରତମ ପରୀକ୍ଷା, ଯେଉଁଥିରେ ଉତ୍ତୀର୍ଣ୍ଣ ହେବାରେ ଏ ଦୁଇଜଣ ଥିଲେ ସର୍ବପ୍ରଥମ। ଏହିପରି ଆଉ ଏକ ପରୀକ୍ଷା ଥିଲା କୌଣସି ଧାବକ ୧ ମାଇଲ (୧.୬୦୯ କି.ମି) ଦୂରତାକୁ ୪ ମିନିଟ୍‌ରୁ କମ୍‌ ସମୟରେ ଅତିକ୍ରମ କରିପାରିବା। ୧୯୫୪ ମଇ ୬ ତାରିଖ ଅପରାହ୍ନରେ ରଜର‌୍‌ ବାନିଷ୍ଟର‌୍‌ ନାମକ ବ୍ରିଟେନ୍‌ର ଜଣେ ଡାକ୍ତରୀ ଛାତ୍ର ଏହି ଦୂରତାକୁ ୩ ମିନିଟ ୫୯.୪ ସେକେଣ୍ତରେ ଅତିକ୍ରମ କରି ଅସମ୍ଭବକୁ ସମ୍ଭବ କରିଥିଲେ।
ସେଦିନ ଚାରିମିନିଟ୍‌- ମାଇଲ୍‌ ବିଜୟ କରିବାରେ ସେ ଇତିହାସରେ ଏକ ମାତ୍ର ମନୁଷ୍ୟ ହୋଇଥିବା ବେଳେ ୨୯,୦୨୯ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏଭରେଷ୍ଟ ବିଜୟ କରି ସାରିଥିଲେ ଦୁଇଜଣ। ରହସ୍ୟରେ କୁହାଯାଇଥାଏ ଯେ ରଜର‌୍‌ ବାନିଷ୍ଟର ସେଦିନ ପ୍ରମାଣ କରିଥିଲେ ଯେ ଚାରି ମିନିଟ୍‌- ମାଇଲ୍‌ ହେଉଛି ଏଭରେଷ୍ଟ ଆରୋହଣ ଅପେକ୍ଷା କଠିନତର କାର୍ଯ୍ୟ। ୨୦୧୨ରେ ଏକ ସମ୍ବାଦ ସରବରାହ ସ˚ସ୍ଥାକୁ ସାକ୍ଷାତକାର ଦେବା ଅବସରରେ ସାର ରଜର‌୍‌ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ସେତେବେଳ ସୁଦ୍ଧା ମଧୢ ଯେତିକି ସ˚ଖ୍ୟକ କ୍ରୀଡ଼ାବିତ୍‌ ଚାରିମିନିଟ୍‌- ମାଇଲ୍‌ ପ୍ରତିବନ୍ଧ ଲ˚ଘନ କରିବାରେ ସଫଳ ହୋଇଛନ୍ତି, ତା’ଠାରୁ ଅଧିକ ସ˚ଖ୍ୟକ ପର୍ବତାରୋହୀ ଏଭରେଷ୍ଟ ଆରୋହଣ କରିପାରିଛନ୍ତି। ଏବେବି ଯେ ସେହି ଧାରା ଅବ୍ୟାହତ ରହିଛି ଏବ˚ ଉଭୟ ରେକର୍ଡ ମଧୢରେ ତଫାତ୍‌ ବୃଦ୍ଧି ପାଇ ଚାଲିଛି, ତାହାର ପ୍ରମାଣ ସ୍ବରୂପ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧,୪୦୦ ଜଣ ପୁରୁଷ ଧାବକ ଚାରିମିନିଟ୍‌-ମାଇଲ ଅତିକ୍ରମ କରିବାରେ ସଫଳ ହୋଇଥିବା ବେଳେ ନାରୀ, ପୁରୁଷ ମିଶି ପ୍ରାୟ ୪,୦୦୦ ଜଣ ପର୍ବତାରୋହୀ ଏଭରେଷ୍ଟ ଉପରେ ପାଦ ଥୋଇବାରେ ସଫଳ ହୋଇଛନ୍ତି ଓ ଏମାନଙ୍କ ମଧୢରୁ କେତେକ ଏକାଧିକ ଥର।
ଏହି ପରିସ˚ଖ୍ୟାନ ଯଦି ଏଭରେଷ୍ଟ ଆରୋହଣକୁ ଦୌଡ଼ ପ୍ରତିଯୋଗିତା ଅପେକ୍ଷା ଏକ ସହଜ କାର୍ଯ୍ୟ ବୋଲି ଧାରଣା ସୃଷ୍ଟି କରୁଥାଏ, ତେବେ ସେ ଧାରଣା ଓଲଟି ଯିବ ଯଦି ଏହା ପଛରେ ଲୁଚି ରହିଥିବା ଆଉ ଏକ ଭୟଙ୍କର ପରି ସ˚ଖ୍ୟାନ ଉପରେ ଦୃଷ୍ଟିପାତ କରାଯାଏ। ଚାରି ମିନିଟ୍‌-ମାଇଲ୍‌ ବିଜୟ କରିବା ପାଇଁ କାହାରି ପ୍ରାଣହାନି ଘଟିନାହିଁ। କିନ୍ତୁ ଏଭରେଷ୍ଟ ଶିଖରରେ ପହଞ୍ଚିବା ଉଦ୍ୟମରେ ଏ ଯାବତ୍‌ ପ୍ରାୟ ୩୦୦ ଜଣଙ୍କର ପ୍ରାଣହାନି ଘଟି ସାରିଲାଣି। ଏଥି ମଧୢରୁ କେବଳ ବିଗତ ସପ୍ତାହମାନଙ୍କରେ ଆଠ ଜଣ ପ୍ରାଣ ହରାଇ ଏକ ବିଶ୍ବବ୍ୟାପୀ ଚାଞ୍ଚଲ୍ୟ ଓ ଶୋକ ସୃଷ୍ଟି କରିିଛନ୍ତି। ଏମାନଙ୍କ ମଧୢରେ ଅଛନ୍ତି ଓଡ଼ିଶାର ୫୦ ବର୍ଷୀୟା ପର୍ବତାରୋହିଣୀ କଳ୍ପନା ଦାସ ଯିଏ ଦ୍ବିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରି ସାରି ଅବତରଣ କରିବା ପଥରେ ଅସୁସ୍ଥ ହୋଇପଡ଼ି ଗତ ଗୁରୁବାର ଦିନ ପ୍ରାଣ ତ୍ୟାଗ କରିଛନ୍ତି।
ନିଜର ଅକାଳ ବିୟୋଗ ଯୋଗୁଁ କେବଳ ଓଡ଼ିଶା ନୁହେଁ, ଦେଶବ୍ୟାପୀ ଶୋକର ଛାୟା ଖେଳାଇ ଦେଇଥିବା କଳ୍ପନା କିନ୍ତୁ ହିମାଳୟ କୋଳରେ ଶେଷ ନିଃଶ୍ବାସ ତ୍ୟାଗ କଲା ବେଳେ ଏକାକିନୀ ନ ଥିଲେ। ଅନ୍ୟ ଜଣେ ପର୍ବତାରୋହୀ ନିର୍ମଳ ପୁର୍ଜା ଉତ୍ତୋଳନ କରିଥିବା ଏକ ବହୁଳ ପ୍ରସାରିତ ଫଟୋ ଦେଖିଲେ ମନେ ହୁଏ କଳ୍ପନା ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗ ନିକଟରେ ଏକ ଟ୍ରାଫିକ ଜାମ୍‌ରେ ଫସିଥିବା ଅବସ୍ଥାରେ ଏ ଦୁର୍ଭାଗ୍ୟର ଶିକାର ହୋଇଛନ୍ତି। ସାଲ୍‌ଭାଡର‌୍‌ ଡ଼ାଲିଙ୍କର ଏକ ଅତିବାସ୍ତବ ଚିତ୍ର ଭଳି ମନେ ହେଉଥିବା ଏ ଚିତ୍ର ଯିଏ ଦେଖିଥିବେ, ସେମାନଙ୍କ ମନରେ ଏହିଭଳି ଧାରଣା ଜାଗ୍ରତ ହେଉଥିବ। ଏଭରେଷ୍ଟ ଶିଖରରୁ ବହୁ ତଳ ପର୍ଯ୍ୟନ୍ତ ଲମ୍ବି ରହିଥିବା ଉଜ୍ଜ୍ବଳ ଲାଲ୍‌ ଆଦି ପୋଷାକରେ ଆଦୃତ ହୋଇଥିବା ପର୍ବତାରୋହୀମାନଙ୍କର ଏହି ଲମ୍ବା ଧାଡ଼ିର ଚିତ୍ର କୌଣସି ଧର୍ମପୀଠରେ ଦର୍ଶନ ପାଇଁ ଧାଡ଼ିବାନ୍ଧି ଅପେକ୍ଷା କରିଥିବା ଭକ୍ତମାନଙ୍କର ଭିଡ଼ର ଭ୍ରମ ସୃଷ୍ଟି କରିଥାଏ। ମଇ ୨୨ ତାରିଖ ଦିନ ଅନେକ ଅରୋହୀ ଦଳମାନଙ୍କୁ ଶିଖର ଛୁଇଁବା ପାଇଁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥିଲା, ଠିକ୍‌ ଦେବଦର୍ଶନ ପାଇଁ ଯେପରି ଅପେକ୍ଷା କରିବାକୁ ପଡ଼ିଥାଏ। ଏତେ ଅଧିକ ସମୟ ଧରି ସେ ତୁଷାରମୟ ଉଚ୍ଚତାରେ ସ୍ଥିର ହୋଇ ଛିଡ଼ା ହେବା ଯୋଗୁଁ କେତେକ ଆରୋହୀ ତୁଷାର କ୍ଷତ (ଫ୍ରଷ୍ଟ ବାଇଟ୍‌) କିମ୍ବା ଉଚ୍ଚତା ଅସୁସ୍ଥତା (ଅଲ୍‌ଟିଚ୍ୟୁଡ୍‌ ସିକ୍‌ନେସ୍‌)ର ଶିକାର ହୋଇଥିଲେ।
ଏଭରେଷ୍ଟ ସମୀପରେ ଏପରି ଭିଡ଼ର କାରଣ ମଧୢ ସେହିପରି, ଯେଉଁପରି କୌଣସି ଏକ ନିର୍ଦ୍ଦିଷ୍ଟ ପବିତ୍ର ଦିନରେ ଦେବଦର୍ଶନ ପାଇଁ ଭକ୍ତମାନଙ୍କର ଭିଡ଼ ଲାଗିଥାଏ। ବର୍ଷର ଯେକୌଣସି ସମୟରେ ଏଭରେଷ୍ଟ ଆରୋହଣ କରାଯାଇ ପାରି ନ ଥାଏ, କାରଣ ପାଗ ଅନୁକୂଳ ନ ଥାଏ। ଗ୍ରୀଷ୍ମଋତୁର ଏଇ ସମୟ ହିଁ ସେଥିପାଇଁ ଅନୁକୁଳ ହୋଇଥାଏ ଏବ˚ ତାହା ମଧୢ ସବୁଦିନେ ନୁହେଁ। ଯେତେବେଳେ ପାଣିପାଗର ପୂର୍ବାନୁମାନରୁ ଲଗାତାର କେତେଦିନ ପାଇଁ ତୁଷାର ଝଡ଼ ଆଦିର ସମ୍ଭାବନା ନ ଥାଏ ବୋଲି ଜଣା ପଡ଼ିଥାଏ, ସେତେବେଳେ ଅଧିକ ସ˚ଖ୍ୟକ ଆରୋହୀଙ୍କୁ ଆରୋହଣ ପାଇଁ ଅନୁମତି ପ୍ରଦାନ କରାଯାଇଥାଏ। ଯଦି ଏକାଦିକ୍ରମେ ସପ୍ତାହେ କିମ୍ବା ଅଧିକ ସମୟ ପାଇଁ ଏକ ଅନୁକୂଳ ପାଗ ଝରକା ଖୋଲା ରହେ, ତେବେ ଶୃଙ୍ଗ ନିକଟରେ ଏପରି ଭିଡ଼ ସୃଷ୍ଟି ହୁଏ ନାହିଁ। କିନ୍ତୁ ଯଦି ମାତ୍ର ଦୁଇତିନି ଦିନ ପାଇଁ ଏହି ଝରକା ଖୋଲା ରହେ, ତେବେ ସେଠାରେ ଏପରି ଟ୍ରାଫିକ୍‌ ଜାମ୍‌ ସୃଷ୍ଟି ହୁଏ।
ଏପରି ଅବସ୍ଥାରେ ଶୃଙ୍ଗ ନିକଟରେ ଦୁଇଟି ଧାଡ଼ି ସୃଷ୍ଟିହୁଏ- ଗୋଟିଏ ଆରୋହଣ ପାଇଁ ଏବ˚ ଅନ୍ୟଟି ଅବତରଣ ପାଇଁ। ଗୋଟିଏ ରଶିକୁ ସମସ୍ତେ ଜାବୁଡ଼ି ଧରିଥାନ୍ତି। ଅବତରଣ ହେଉଛି ଆରୋହଣ ଅପେକ୍ଷା କଠିନତର କାର୍ଯ୍ୟ। କାରଣ ଆରୋହଣ ସମୟର ଉତ୍ସାହ ଓ ମନୋବଳ ଅବତରଣ ସମୟରେ ଅନେକା˚ଶରେ ହ୍ରାସ ପାଇ ଯାଇଥାଏ। ଶାରୀରିକ ଶକ୍ତିରେ ମଧୢ ହ୍ରାସ ଘଟିଥାଏ। ଯଦି ଭିଡ଼ ଯୋଗୁଁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡେ଼, ତେବେ ଅନ୍ୟ ଏକ ଗୁରୁତର ସମସ୍ୟା ସୃଷ୍ଟି ହୁଏ- ସାଙ୍ଗରେ ନେଇଥିବା ଅମ୍ଳଜାନ ସରି ସରି ଆସେ। ସେ ଉଚ୍ଚତାରେ ଅମ୍ଳଜାନ ସରିଯିବା ପାଣିରେ ବୁଡ଼ି ଶ୍ବାସକ୍ରିୟା ବନ୍ଦ ହେବା ସହ ସମାନ। କଳ୍ପନାଙ୍କ ପରି ଅଞ୍ଜଳି କୁଲ୍‌କର୍ଣ୍ଣି ନାମକ ଜଣେ ୫୫ ବର୍ଷୀୟା ଆରୋହିଣୀଙ୍କର ମଧୢ ଟ୍ରାଫିକ ଜାମ୍‌ ଯୋଗୁଁ ଅବତରଣରେ ବିଳମ୍ବ ହେତୁ ମୃତ୍ୟୁ ଘଟିଛି।
ପୃଥିବୀ ବ୍ୟାପୀ ପର୍ବତାରୋହଣ ଏକ ଲୋକପ୍ରିୟ ଆଡ୍‌ଭଞ୍ଚର‌୍‌ରେ ପରିଣତ ହେବା ସହିତ ଏଭରେଷ୍ଟ ଏହାର ପ୍ରଧାନ ଆକର୍ଷଣରେ ପରିଣତ ହୋଇଛି। ଏହା ଗରିବ ଦେଶ ନେପାଳ ପାଇଁ ଏକ ମୁଖ୍ୟ ପର୍ଯ୍ୟଟନ ଲାଗି ବ୍ୟବସାୟରେ ପରିଣତ ହୋଇଛି। କିନ୍ତୁ ବ୍ୟବସାୟ ଲୋଭରେ ନେପାଳ ସରକାର ଯଦି ଏଭରେଷ୍ଟର କ୍ଷମତା ଠାରୁ ବହୁ ଅଧିକ ଆରୋହୀଙ୍କୁ ଅନୁମତି ପ୍ରଦାନ କରନ୍ତି, ତେବେ ଏଇଭଳି ମାନବୀୟ ଟ୍ରାଜେଡ଼ି ମାନ ନିୟମିତ ଭାବରେ ଦେଖିବାକୁ ମିଳିବ। ଚାରିମିନିଟ୍‌-ମାଇଲ ଏହା ଠାରୁ କଠିନ ହେଲେ ମଧୢ ସର୍ବଦା ନିରାପଦ ହୋଇ ରହିଥିବ- ସେଠାରେ ଟ୍ରାଫିକ୍‌ ଜାମ୍‌ର ଭୟ ନାହିଁ।

ସମ୍ବନ୍ଧିତ ଖବର