ତରତରରେ ନବୀନ!

ମୁଖ୍ୟମନ୍ତ୍ରୀ ଭାବେ ସଦ୍ୟ ଆଉ ଏକ ପାଳିି ଆରମ୍ଭ କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବେଶ୍‌ ତରତରରେ ଥିବା ମନେ ହେଉଛି। ‘ସଶକ୍ତ- ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟ ହାସଲ ରାସ୍ତାରେ ଶାସନ କଳକୁ ଦୋହରା ଗତିରେ ଆଗେଇ ନେବା ପାଇଁ ପଞ୍ଚମ ପାଳିର ପ୍ରଥମ ଦିନରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଓ କୌଶଳରେ ନୂତନତ୍ବର ସୂଚନା ମିଳିଛି। ଶାସନର ଚରିତ୍ରଗତ ପାରମ୍ପରିକ ‘ଟେଷ୍ଟ କ୍ରିକେଟ୍‌’ର ମନ୍ଥରତା ପରିବର୍ତ୍ତେ, ନବୀନ ପଞ୍ଚମ ଇନି˚ସରେ ଫଟାଫଟ୍‌ କ୍ରିକେଟ୍‌ ‘ଟି-୨୦’ ର କ୍ଷିପ୍ରତା ଆଣିବାକୁ ଚାହୁଁଛନ୍ତି। ପ୍ରଥମ ଥର ପାଇଁ ରାଜଭବନ ବାହାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ବୁଧବାର ଶପଥ ଗ୍ରହଣ ପରେପରେ ନବୀନଙ୍କ ୨୧ ଜଣିଆ ମନ୍ତ୍ରୀ ପରିଷଦ ଏବ˚ ୧୦ ଜଣିଆ କ୍ୟାବିନେଟ୍‌ରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଏହାର ସୁଖଦ ସୂଚକ।

ମନ୍ତ୍ରିିପରିଷଦରେ ପ୍ରଥମ ବୈଠକରେ ବିଜେଡିର ନିର୍ବାଚନ ଇସ୍ତାହାରକୁ ସରକାରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ପର୍ଯ୍ୟାୟକ୍ରମେ ଏହାର କାର୍ଯ୍ୟକାରିତା ଲାଗି ପ୍ରସ୍ତାବ ଗୃହୀତ ହୋଇଛି। ପରେ ପରେ ଦୁଇଟି ବଡ଼ ନିର୍ବାଚନ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ଲାଗି କ୍ୟାବିନେଟ୍‌ର ପ୍ରଥମ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସରକାର ଗଠନର ପ୍ରଥମ ଦିନ ହିଁ, ‘କାଳିଆ’ ଯୋଜନାର ବକେୟା ହିତାଧିକାରୀଙ୍କୁ ବ୍ୟାଙ୍କ ଖାତାକୁ ଟଙ୍କାଯିବ ବୋଲି ନବୀନ ଯେଉଁ କଥା ଦେଇଥିଲେ, ତାକୁ ରକ୍ଷା କରିଛନ୍ତି। କେବଳ ସେତିକି ନୁହେଁ, କାଳିଆ ଯୋଜନାର ପରିସରକୁ ସ˚ପ୍ରସାରିତ କରାଯାଇ ଅତିରିିକ୍ତ ପ୍ରାୟ ୩୩ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇଛି। ଫଳରେ କାଳିଆ ଯୋଜନାରେ ମୋଟ ହିତାଧିକାରୀଙ୍କ ସ˚ଖ୍ୟା ୭୫ ଲକ୍ଷକୁ ବୃଦ୍ଧି ପାଇଛି। କୃଷି ସହିତ ଯୋଡ଼ି ହୋଇଥିବା ରାଜ୍ୟର କୌଣସି ପରିବାର ବୋଧହୁଏ ଆଉ ‘କାଳିଆ’ ଯୋଜନା ବାହାରେ ନାହାନ୍ତି। ସାମାଜିକ- ଅର୍ଥନୈତିକ- ଜାତିଗତ ଜନଗଣନା- ୨୦୧୧ ଅନୁଯାୟୀ ଓଡ଼ିଶାରେ ମୋଟ ଗ୍ରାମାଞ୍ଚଳ ପରିବାର ସ˚ଖ୍ୟା ପ୍ରାୟ ୮୭ (୮୬,୭୭,୬୧୫) ଲକ୍ଷ। ‘କାଳିଆ’ ହିତାଧିକାରୀ ସ˚ଖ୍ୟା ୭୫ ଲକ୍ଷକୁ ବୃଦ୍ଧି ଫଳରେ ଗ୍ରାମାଞ୍ଚଳର ୮୬ ପ୍ରତିଶତ ପରିବାର ଏହାର ପରିସରଭୁକ୍ତ ହୋଇ ଲାଭବାନ ହେବେ। ନୂଆ ତଥ୍ୟ ଅନୁଯାୟୀ ‘କାଳିଆ’ ହିତାଧିକାରୀଙ୍କ ମଧୢରେ ପ୍ରାୟ ୫୦ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ। ଏହି ଚାଷୀମାନଙ୍କୁ ଦୁଇଟି କିସ୍ତିରେ ବାର୍ଷିକ୧୦ ହଜାର ଟଙ୍କା ମିଳିବ। ଯାହାଦ୍ବାରା ଗ୍ରାମାଞ୍ଚଳର ୬୦% ପରିବାର ଗୋଟିଏ ପ୍ରକାର ନିଶ୍ଚିତ ରୋଜଗାର ସହାୟତା ପାଇପାରିବେ। ଗ୍ରାମାଞ୍ଚଳ ପରିବାରଙ୍କ ଆର୍ଥିକ ଦୁଃସ୍ଥିତିର ମୁକାବିଲା ଏବ˚ ଦୁର୍ଦଶାଗ୍ରସ୍ତ ଚାଷୀଙ୍କୁ ରୋଜଗାର ସହାୟତା ପ୍ରଦାନ କ୍ଷେତ୍ରରେ ଏହା ଏକ ବଳିଷ୍ଠ ପଦକ୍ଷେପ। କୃଷି କ୍ଷେତ୍ରରେ ଦେଖା ଦେଇଥିବା ସଙ୍କଟର ମୁକାବିଲାରେ ଏହା ଅବଶ୍ୟ ସହାୟକ ହେବ।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଟି ହେଲା, ସରକାର ରାଜ୍ୟର ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀଙ୍କ ସହ ୧୦୦୦ କୋଟି ଟଙ୍କାର କାରବାର କରିବେ। ମହିଳା ସ୍ବୟ˚ ସହାୟକ ଗୋଷ୍ଠୀଙ୍କ ସହ ସରକାର ବାର୍ଷିକ ୫ ହଜାର କୋଟି ଟଙ୍କାର କାରବାର କରିବେ ବୋଲି ନବୀନ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ। ସେହି ପ୍ରତିଶ୍ରୁତି ପାଳନ ଦିଗରେ ଏହା ପ୍ରଥମ ପଦକ୍ଷେପ। ଧାନ ସ˚ଗ୍ରହ, ସ୍କୁଲ ପିଲାଙ୍କୁ ପୋଷାକ ଯୋଗାଣ, ସ୍କୁଲରେ ମଧୢାହ୍ନ ଭୋଜନ, ମଶାରି ବଣ୍ଟନ, ଡାକ୍ତରଖାନାର ରୋଗୀଙ୍କୁ ଖାଦ୍ୟ ପରିବେଷଣ ଆଦି ସରକାରଙ୍କ ବିଭିନ୍ନ ୧୦ଟି ବିଭାଗ ଦ୍ବାରା ହେଉଥିବା କାର୍ଯ୍ୟ ଏବେ ‘ମିସନ ଶକ୍ତି’ ମାଧୢମରେ ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀଙ୍କୁ ଦିଆଯିବ। ଏଥିପାଇଁ ଆବଶ୍ୟକ ପଡ଼ିଲେ ସରକାରୀ ନୀତି ଓ ନିୟମରେ ପରିବର୍ତ୍ତନ କରାଯିବ। ବାର୍ଷିକ ୫ ହଜାର କୋଟିର ଏହି କାରବାରରୁ ମହିଳା ଏସ୍‌ଏଚ୍‌ଜିଙ୍କୁ ପ୍ରାୟ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବା ସମ୍ଭାବନା ରହିଛି। ମହିଳାଙ୍କ ଅର୍ଥନୈତିକ- ସାମାଜିକ ସଶକ୍ତୀକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦିଗରେ ଏହା ଏକ ବଳିଷ୍ଠ ପ୍ରୟାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡବଲ ଇଞ୍ଜିନ୍‌’ ତତ୍ତ୍ବର ଅର୍ଥ ହେଲା- ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଡବଲ ଇଞ୍ଜିନ୍‌’ ତତ୍ତ୍ବର ଅର୍ଥ ସମାଜରେ ପୁରୁଷଙ୍କ ସହ ମହିଳାଙ୍କ ସଶକ୍ତୀକରଣ। ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ମହିଳା ସଶକ୍ତୀକରଣ କୈନ୍ଦ୍ରିକ ‘ଡବଲ ଇଞ୍ଜିନ୍‌’ ତତ୍ତ୍ବକୁ ବାସ୍ତବ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହା ଏକ ପରୀକ୍ଷା।

ନିର୍ବାଚନ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା ପାଇଁ ଶପଥ ଗ୍ରହଣ ପରେ ପରେ ନୂଆ ସରକାରଙ୍କ ଏହି ଦୁଇଟି ବଡ଼ ନିଷ୍ପତ୍ତି ବ୍ୟତୀତ ନବୀନ ତାଙ୍କ ମନ୍ତ୍ରିପରିଷଦର ସଦସ୍ୟ ଓ ଅମଲାତନ୍ତ୍ରର କାନରେ ଫୁଙ୍କି ଥିବା ଗୋଟିଏ ଅତିରିକ୍ତ ‘ଟି’ର ମନ୍ତ୍ର ମଧୢ ଏହାର ସ˚କେତ ଦେଉଛି ଯେ, ଶାସନରେ ମୁଖ୍ୟ ଏଥର କାର୍ଯ୍ୟଶୈଳୀରେ ‘ଟି-୨୦’ର କ୍ଷିପ୍ରତା ଉପରେ ଗୁରୁତ୍ବ ଦେଉଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଶାସନରେ ୩ ‘ଟି’- ଟିମ୍‌ ଵାର୍କ (ଦଳଗତ କାର୍ଯ୍ୟ), ଟ୍ରାନ୍ସପରେନ୍ସି (ସ୍ବଚ୍ଛତା) ଓ ଟେକ୍‌ନୋଲୋଜି (ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ) ଉପରେ ଗୁରୁତ୍ବ ଦେଉଥିଲେ। ଏବେ ମୁଖ୍ୟମନ୍ତ୍ରୀ ୩ ‘ଟି’ରେ ଆଉ ଗୋଟିଏ ‘ଟି’-ଟାଇମ୍‌ (ସମୟ) ଯୋଡ଼ିଛନ୍ତି। ଅର୍ଥାତ୍‌ ଏକ ସଶକ୍ତ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ହାସଲ ସକାଶେ ବିଭିନ୍ନ କ୍ଷେତ୍ରରେ ଈପ୍‌ସିତ ପରିବର୍ତ୍ତନ ଆଣିବା ପାଇଁ ଦଳଗତ କାର୍ଯ୍ୟ, ସ୍ବଚ୍ଛତା, ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ ସହ ଏକ ସମୟବଦ୍ଧ ସାରଣୀ ଅନୁଯାୟୀ ଶାସନକଳ କାର୍ଯ୍ୟକରିବ। ବାସ୍ତବରେ ନିର୍ଦ୍ଧାରିତ ସମୟ ସୀମା ମଧୢରେ ଗୋଟିଏ ଯୋଜନା କାର୍ଯ୍ୟକାରୀ ନହେଲେ, ସେଥିରୁ ଆବଶ୍ୟକ ସୁଫଳ ମିଳିପାରେ ନାହିିଁ। ଯୋଜନା ବିଳମ୍ବିତ ହେଲେ ଅଯଥା ବ୍ୟୟଭାର ବଢେ଼ ଓ ଟିକସଦାତାଙ୍କ କଷ୍ଟଲବ୍‌ଧ ଧନର ବିନିଯୋଗ ସତ୍ତ୍ବେ ରାଷ୍ଟ୍ର କିମ୍ବା ଲୋକଙ୍କ କୌଣସି ଲାଭ ହୁଏନାହିଁ।

ଶାସକୀୟ କାର୍ଯ୍ୟରେ ସମୟ ଉପରେ ଗୁରୁତ୍ବ ନିଶ୍ଚୟ ଆଭିମୁଖ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ। ବିକାଶ ଓ କଲ୍ୟାଣ ସ˚କ୍ରାନ୍ତ ଲକ୍ଷ୍ୟ ନିର୍ଦ୍ଧାରିତ ସମୟରେ ହାସଲ ପାଇଁ ଶାସନମୁଖ୍ୟଙ୍କ ବ୍ୟଗ୍ରତାର ସୂଚନା ଦେଉଛି। ତେବେ ପ୍ରଶ୍ନ ଉଠୁଛି, ଆଉ ଗୋଟିଏ ‘ଟି’ କୁ ଯୋଡ଼ି ମୁଖ୍ୟମନ୍ତ୍ରୀଙ୍କ ୪ ‘ଟି’ ମନ୍ତ୍ର କ୍ଷେତ୍ରସ୍ତରରେ କେତେଦୂର କାର୍ଯ୍ୟକାରୀ ହେବ? ପ୍ରକୃତରେ କ’ଣ ଶାସନରେ କ୍ଷିପ୍ରତା ଆସିବ ଓ ବିକାଶର ଗତି ବଢ଼ିବ? ଏକା ଶାସନ ମୁଖ୍ୟଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ‘ନୂଆ ସଶକ୍ତ ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟ ହାସଲ ପାଇଁ ଯଥେଷ୍ଟ ନୁହେଁ। ମନ୍ତ୍ରୀ, ସଚିବଙ୍କଠାରୁ ଆରମ୍ଭ କରି କ୍ଷେତ୍ର କର୍ମଚାରୀ, ଏପରିକି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପର୍ଯ୍ୟନ୍ତ, ଶାସନ ସହ ଯୋଡ଼ି ହୋଇଥିବା ପୂରା ଟିମ୍‌ର ଆଭିମୁଖ୍ୟରେ ପରିବର୍ତ୍ତନ ଆବଶ୍ୟକ। ଏମିତି ଦେଖିଲେ ଶାସନ କଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪ ‘ଟି’ ମନ୍ତ୍ରରେ ବିଶେଷ କିଛି ନୂତନତ୍ବ ନାହିଁ। ଊଣେଇଶ ବର୍ଷ ତଳେ ୨୦୦୦ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ଦିନଠାରୁୁ ନବୀନ ସ୍ବଚ୍ଛ, ସମ୍ବେଦନଶୀଳ, ଦକ୍ଷ, ଉତ୍ତରଦାୟୀ, ଲୋକାଭିମୁଖୀ ଶାସନ ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ୪ ‘ଟି’ ଏହାର ଏକ ନୂଆ ନାମକରଣ ମାତ୍ର। ଲଗାତାର ପଞ୍ଚମଥର ପାଇଁ ଜନାଦେଶ ନିଶ୍ଚୟ ଏହାର ସୂଚକ ଯେ, ନବୀନଙ୍କ ସ୍ବଚ୍ଛ, ସମ୍ବେଦନଶୀଳ, ଉତ୍ତରଦାୟୀ ଦକ୍ଷ ଶାସନ ଉପରେ ରାଜ୍ୟବାସୀ ଭରସା ରଖିଛନ୍ତି। କିନ୍ତୁ ଏହାର ଅର୍ଥ ଏହା ମଧୢ ନୁହେଁ ଯେ, ଶାସନରେ ଦକ୍ଷତା, ସ୍ବଚ୍ଛତା ଆଦି କ୍ଷେତ୍ରରେ କୌଣସି ନିଅଣ୍ଟିଆ ନାହିଁ। ଏହାର ଅନେକ ଉଦାହରଣ ରହିଛି, ଯେଉଁଠି ଶାସନର ସ୍ବଚ୍ଛ, ଉତ୍ତରଦାୟୀ, ଦକ୍ଷ ଚରିତ୍ର ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। ଶାସନରେ ଏହି ନିଅଣ୍ଟିଆ ଭରଣା ଲାଗି ଏକମାତ୍ର ବିକଳ୍ପ ରାଜନୈତିକ ନେତଭୃତ୍ବର ନିର୍ଭେଜାଲ ଅଙ୍ଗୀକାର, ସାଧୁତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଓ ଅମଲାତାନ୍ତ୍ରିକ ନିଷ୍ଠା, ଆନ୍ତରିକତା। ଆଶା, ପଞ୍ଚମ ଇନି˚ସ୍‌ରେ ନବୀନଙ୍କ ନେତୃତ୍ବାଧୀନ ମନ୍ତ୍ରିମଣ୍ତଳ ପାଖରେ ସାମୂହିକ ଅଙ୍ଗୀକାର, ସାଧୁତା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ରହିବ ନାହିଁ; ଯାହା ଅମଲାତନ୍ତ୍ରକୁ ଆନ୍ତରିକତାର ସହ ନିଷ୍ପାପର ଭାବେ କାର୍ଯ୍ୟ କରିବା ଲାଗି ବାଧୢ କରିବ। ଏତିକି ହେଲେ ଯାଇ ‘ନବୀନ ଶାସନ’ରେ ଥିବା ନିଅଣ୍ଟିଆ ଭରଣା ହୋଇପାରିବ ଓ ‘ଟି-୨୦’ କ୍ରିକେଟ୍‌ର କ୍ଷିପ୍ରତା ସହ ଓଡ଼ିଶା ତାର ଈପ୍‌ସିତ ସଶକ୍ତ- ସମୃଦ୍ଧ ‘ନୂଆ ଓଡ଼ିଶା’ ଲକ୍ଷ୍ୟ ଆଡ଼କୁ ଦ୍ରୁତଗତିରେ ଆଗେଇ ପାରିବ।

ସମ୍ବନ୍ଧିତ ଖବର