କମ୍ପାସୁର

କୁହାଯାଇଥାଏ ଯେ କୌଣସି ସ୍ଥାନରେ ଦାରିଦ୍ର୍ୟ ସାରା ପୃଥିବୀରେ ପ୍ରାଚୁର୍ଯ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ଯଦି କୌଣସି ଏକ ରୋଗ ସମ୍ବନ୍ଧରେ ମଧୢ ଏଭଳି କୁହାଯାଇପାରିବ, ସେଥିରେ ଅଗ୍ରଣୀ ହେବ ମ୍ୟାଲେରିଆ। କାରଣ ଏ ରୋଗର ବାହକ ଠାରେ ଈଶ୍ବର ଦୁଇଟି ଡେଣା ଖଞ୍ଜି ଦେଇଛନ୍ତି, ଯାହାକୁ ବ୍ୟବହାର କରି ସେ ଦେଶଦେଶ ମଧୢରେ ଥିବା କୃତ୍ରିମ ରାଜନୈତିକ ସୀମା ଲ˚ଘନ କରି ବ୍ୟାପକ ଭୌଗୋଳିକ ଅଞ୍ଚଳରେ ରୋଗ ବିସ୍ତାର କରିପାରେ। ଆନୋଫିଲିସ୍‌ ମଶା ନାମକ ଏହି ସୁପରିଚିତ ରୋଗବାହକ ସାଧାରଣତଃ ଆଫ୍ରିକା, ଏସିଆ ଆଦି ଉଷ୍ଣ ଜଳବାୟୁ ଅଞ୍ଚଳରେ ବାସ କରୁଥିବାରୁ ମେରୁ ନିକଟବର୍ତ୍ତୀ ଶୀତଳ ଜଳବାୟୁ ଅଞ୍ଚଳର ଦେଶମାନ ଏ ପର୍ଯ୍ୟନ୍ତ ଏ ବିପଦରୁ ମୁକ୍ତ ରହି ଆସିଥିଲେ- ଯେମିତି ଇଉରୋପୀୟ ଦେଶମାନ। ଜଳବାୟୁ ପରିବର୍ତ୍ତନ ଯୋଗୁଁ କିନ୍ତୁ ସ୍ବିଡେନ୍‌, ଫିନ୍‌ଲାଣ୍ତ ଆଦି ଭଳି ଜଣାଶୁଣା ହେମାଳ ଦେଶମାନଙ୍କରେ ମଧୢ ମଶାମାନଙ୍କ ଆବିର୍ଭାବ ଘଟିବାକୁ ଲାଗିଲାଣି ବୋଲି ରିପୋର୍ଟ ପ୍ରକାଶ ପାଇଲାଣି। ପୃଥିବୀର ପ୍ରତ୍ୟେକ ସ୍ଥାନରୁୁ ଦାରିଦ୍ର୍ୟ ଦୂର କରିବା ପାଇଁ ଉଦ୍ୟମ ଯେଉଁଭଳି ଅଗ୍ରାଧିକାର ପାଇଥାଏ, ପୃଥିବୀର ପ୍ରତ୍ୟେକ ସ୍ଥାନରୁ ତେଣୁ ମ୍ୟାଲେରିଆ ମୂଳପୋଛ କରିବା ମଧୢ ସେଇଭଳି ଗୁରୁତ୍ବ ବହନ କରିଥାଏ।

ଏହି ମ୍ୟାଲେରିଆ ମୂଳପୋଛ ଅଭିଯାନ ଉଭୟ ଚିକିତ୍ସା ଓ ନିରାକରଣ କ୍ଷେତ୍ରରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଏ- କୀଟନାଶକ ଔଷଧଯୁକ୍ତ ମଶାରି ବ୍ୟବହାରରୁ ଆରମ୍ଭ କରି ଆର୍ଟେମିସିନିନ୍‌ ଭଳି ନୂତନ କିସମର ଔଷଧ ଆଦି ଚିକିତ୍ସାରେ ବ୍ୟବହାର ପର୍ଯ୍ୟନ୍ତ। ଏହି ଉଦ୍ୟମରୁ ଯେ ସୁଫଳ ନ ମିଳିଛି, ଏପରି ନୁହେଁ। ମ୍ୟାଲେରିଆ ଯୋଗୁଁ ବାର୍ଷିକ ମୃତ୍ୟୁ ସ˚ଖ୍ୟାକୁ ବର୍ତ୍ତମାନ ପ୍ରାୟ ୪,୩୫,୦୦୦କୁ ହ୍ରାସ କରାଯାଇ ପାରିଛି, ଯାହା ଶହେ ବର୍ଷ ତଳେ ଥିଲା ଏହି ସ˚ଖ୍ୟାର ପ୍ରାୟ ପାଞ୍ଚ ଗୁଣା ମଇ ୨୨ ତାରିଖ ଦିନ ବିଶ୍ବସ୍ବାସ୍ଥ୍ୟ ସ˚ଗଠନ (ହୁ) ଦୁଇଟି ନୂଆ ଦେଶକୁ ମ୍ୟାଲେରିଆମୁକ୍ତ ବୋଲି ଘୋଷଣା କରି ପୃଥିବୀରେ ମ୍ୟାଲେରିଆକୁ ତଡ଼ି ଦିଆଯାଇ ପାରିଥିବା ଦେଶ ସ˚ଖ୍ୟାକୁ ବିଧିବଦ୍ଧ ଭାବରେ ୩୮ରେ ପହଞ୍ଚାଇଛି। ଏ ଦେଶ ଦୁଇଟି ହେଲେ- ଆଲ୍‌ଜେରିଆ ଏବ˚ ଆର୍ଜେଣ୍ଟିନା। ଏ ଦୁଇଟି ମଧୢରୁ ଆଲ୍‌ଜେରିଆ ହେଉଛି ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ, କାରଣ ଏହା ହେଉଛି ଆଫ୍ରିକାର ଏକ ଦେଶ। ଆଫ୍ରିକା ହେଉଛି ମ୍ୟାଲେରିଆର ମୂଳ ବାସସ୍ଥଳୀ। ୨୦୧୭ରେ ସାରା ପୃଥିବୀରେ ଯେଉଁ ୨୧୯ ନିୟୁତ ମ୍ୟାଲେରିଆ କେସ୍‌ ଦେଖାଯାଇଥିଲା, ସେଥିମଧୢରୁ ୯୦% କେସ୍‌ ଦେଖାଯାଇଥିଲା ଆଫ୍ରିକାରେ। ଆଫ୍ରିକାରେ ମ୍ୟାଲେରିଆ ଯେତେ ଦିନ ଲୁଚି ଛକି ରହିଥିବ, ସାରା ପୃଥିବୀ ପାଇଁ ତାହା ଏକ ବିପଦର ସମ୍ଭାବନା ସୃଷ୍ଟି କରି ଚାଲିଥିବ।

‘ହୁ’ ସୂଚନା ଦେଇଥିବା ଏହି ସଫଳତା ଯଦିବା ଏକ ଆଶା ସୃଷ୍ଟି କରିଥାଏ ଯେ ଭବିଷ୍ୟତରେ ସାରା ପୃଥିବୀକୁ ମ୍ୟାଲେରିଆମୁକ୍ତ କରାଯାଇ ପାରିବ, ଦୁଇଟି କାରଣରୁ ଏ ସମ୍ଭାବ୍ୟ ସଫଳତାର ନିଶ୍ଚିତତା ନେଇ ଅଭିଯାନକାରୀଙ୍କ ମନରେ ଏବେ ସନ୍ଦେହ ଉଙ୍କି ମାରିବାକୁ ଆରମ୍ଭ କରିଛି। ଗୋଟିଏ ହେଲା -ସାହାରା ମରୁଭୂମିର ଦକ୍ଷିଣ ପାର୍ଶ୍ବସ୍ଥ ଦେଶମାନଙ୍କରେ ମ୍ୟାଲେରିଆ ତଥାପି ନଛୋଡ଼ବନ୍ଦା ହୋଇ ରହିଥିବା, ଏବ˚ ଅନ୍ୟଟି ହେଲା ଉପଲବ୍ଧ ଚିକିତ୍ସା ସବୁର ବୋଲ ମାନୁ ନ ଥିବା ନୂତନ ମ୍ୟାଲେରିଆ ଧାରାର ଆବିର୍ଭାବ ଘଟିବା। ଏହା ଅବଶ୍ୟ ସତ ଯେ ଆଫ୍ରିକାରେ ପୂର୍ବ ତୁଳନାରେ ମ୍ୟାଲେରିଆଜନିତ ମୃତ୍ୟୁ ସ˚ଖ୍ୟାରେ ହ୍ରାସ ଘଟିଛି; କିନ୍ତୁ ୨୦୧୧ରୁ ବର୍ତ୍ତମାନ ମଧୢରେ ସେଠାରେ କେସ୍‌ ସ˚ଖ୍ୟା (ରୋଗରେ ପଡ଼ିବା ଲୋକଙ୍କ ସ˚ଖ୍ୟା)ରେ କୌଣସି ପରିବର୍ତ୍ତନ ଘଟିନାହିଁ କହିଲେ ଚଳେ। ଆଫ୍ରିକାର ୧୦ଟି ଦେଶ ଓ ଭାରତରେ ମିଶି ପୃଥିବୀର ମୋଟ ମ୍ୟାଲେରିଆ କେସ୍‌ ସ˚ଖ୍ୟାର ପ୍ରାୟ ୭୦% ଦେଖା ଯାଇଥାଏ। ଭାରତରେ କେସ୍‌ ସ˚ଖ୍ୟାରେ ହ୍ରାସ ଘଟି ଚାଲିଛି କିନ୍ତୁ ଆଫ୍ରିକାର ବିଶେଷ ଭାବରେ ମ୍ୟାଲେରିଆ ଅଧ୍ୟୁଷିତ ଦେଶମାନଙ୍କରେ ଏହା ହ୍ରାସ ପାଇବାର ନାମ ଧରୁ ନାହିଁ।

ମ୍ୟାଲେରିଆ ବିରୁଦ୍ଧରେ ଲଢ଼ିବା ପାଇଁ ପୃଥିବୀରେ ବାର୍ଷିକ ଯେଉଁ ୩ ବିଲିଅନ ଡଲାରରୁ ଉର୍ଦ୍ଧ୍ବ ରାଶି ବ୍ୟୟ କରାଯାଉଛି, ତାହାର ପ୍ରାୟ ତିନି-ଚତୁର୍ଥା˚ଶ ଅ˚ଶ ଯାଇଥାଏ ଆଫ୍ରିକାକୁ। କିନ୍ତୁ ଦେଖାଯାଇଛି ଆଫ୍ରିକାର ଯେଉଁ ଦେଶମାନଙ୍କରେ ମ୍ୟାଲେରିଆ ପରିସ୍ଥିତି ସବୁଠାରୁ ଖରାପ ସେ ଦେଶମାନଙ୍କରେ ମ୍ୟାଲେରିଆ ନିରାକରଣ ପାଇଁ ହେଉଥିବା ମୁଣ୍ତ ପିଛା ବ୍ୟୟ ହ୍ରାସ ପାଇବାରେ ଲାଗିଛି। ପୁରାତନ ଚିକିତ୍ସା କାଟୁ କରୁନଥିବା ନୂତନ ଧାରାର ମ୍ୟାଲେରିଆକୁ ଚିକିତ୍ସା କରିବା ପାଇଁ ଏସବୁ ଦେଶମାନଙ୍କର କ୍ଷମତା ନାହିଁ।

ପ୍ରାୟ ୫୦ ବର୍ଷ ତଳେ କ୍ଲୋରୋକୁଇନ ଭଳି ସୁପରିଚିତ ଔଷଧକୁ ଖାତିର କରୁନଥିବା ନୂତନ ଧାରାର ମ୍ୟାଲେରିଆ ପୃଥିବୀ ସାରା ବ୍ୟାପି ଯାଇଥିଲା, ଯାହାକୁ ଶେଷରେ ଆର୍ଟେମିସିନିନ୍‌-ଭିତ୍ତିକ ଏକତ୍ର ଚିକିତ୍ସା (ଏସିଟିଏସ) ଦ୍ବାରା ମୁକାବିଲା କରାଗଲା। ବର୍ତ୍ତମାନ ‘ଏସିଟିଏସ୍‌’କୁ ମଧୢ ଅବଜ୍ଞା କରୁଥିବା ନୂତନ ଧାରାର ମ୍ୟାଲେରିଆର ଆବିର୍ଭାବ ଘଟିଲାଣି। ଯେ କୌଣସି ଅନ୍ୟ ଜୀବନ୍ତ ବସ୍ତୁ ଭଳି ମ୍ୟାଲେରିଆର ପରାଙ୍ଗପୁଷ୍ଟ ଜୀବାଣୁ (ପାରାସାଇଟ୍‌) ମଧୢ କୌଣସି ଔଷଧ ଦ୍ବାରା ଚାପଗ୍ରସ୍ତ ହେଲେ ନିଜର ବିବର୍ତ୍ତନ ଘଟାଇ ଏକ ନୂତନ ଧାରାରେ ପରିଣତ ହୁଏ ଯାହା ଉପରେ ପୁରୁଣା ଔଷଧର କୌଣସି ପ୍ରଭାବ କାମ କରେ ନାହିଁ।

ପାଶ୍ଚାତ୍ୟ ଧନୀ ଦେଶର ଔଷଧ କମ୍ପାନି ଓ ଗବେଷକମାନେ ଅବଶ୍ୟ ମ୍ୟାଲେରିଆ ଉପରେ ବିଜୟ ହାସଲ ପାଇଁ ଆହୁରି ନୂଆ ନୂଆ ଔଷଧମାନ ଉଦ୍ଭାବନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ନୂତନ ଔଷଧଟିଏ ଉଦ୍ଭାବନ କରି ତାର ପରୀକ୍ଷା ଆରମ୍ଭ କରିବା ପାଇଁ ପ୍ରାୟ ସାତ ବର୍ଷ ସମୟ ଲାଗିଥାଏ। ଯେଉଁ ଭଳି ଦ୍ରୁତଗତିରେ ମ୍ୟାଲେରିଆ ପାରାସାଇଟ୍‌ର ରୂପାନ୍ତର ଘଟିଥାଏ ତାହା ତୁଳନାରେ ଏହା ଏକ ଅତି ମନ୍ଥର ପ୍ରକ୍ରିୟା। ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଉଭୟ ନିୟନ୍ତ୍ରଣ ଉଦ୍ୟମ ଓ ଗବେଷଣା ପାଇଁ ଯଦି ଯଥେଷ୍ଟ ସମ୍ବଳ ବିନିଯୋଗ କରାନଯାଏ ତେବେ ପୃଥିବୀରେ ମ୍ୟାଲେରିଆର ପୁଣି ବ୍ୟାପକ ପ୍ରତ୍ୟାବର୍ତ୍ତନ ଘଟିପାରେ ଯେମିତି ଭାରତ ସମେତ ବିଭିନ୍ନ ଦେଶରେ ୧୯୬୦ ଦଶକରେ ଦେଖା ଯାଇଥିଲା। ଏପ୍ରିଲରେ ଏକ ମ୍ୟାଲେରିଆ ଟୀକାର ପରୀକ୍ଷାମୂଳକ ପ୍ରୟୋଗ ଏକ ନୂତନ ଆଶା ସୃଷ୍ଟି କରିଛି। ‘ହୁ’ର ଆକଳନ ଅନୁସାରେ ପୃଥିବୀ ବ୍ୟାପୀ ମ୍ୟାଲେରିଆ ବିରୁଦ୍ଧରେ ଏକ ଫଳପ୍ରଦ ଅଭିଯାନ ପାଇଁ ଏବେ ପ୍ରାୟ ୬.୬ ବିଲିଅନ୍‌ ଡଲାର ଆବଶ୍ୟକ ଯାହା ଉପଲବ୍‌ଧ ସମ୍ବଳ ଠାରୁ ବହୁ ଅଧିକ। ବିଶ୍ବ ସମୁଦାୟ ଯଦି ଏଥିପାଇଁ ହାତ ନ ଖୋଲନ୍ତିି, ତେବେ ଭବିଷ୍ୟତରେ ମନୁଷ୍ୟକୁ ମ୍ୟାଲେରିଆ ନାମକ ନିରନ୍ତର ରୂପ ପରିବର୍ତ୍ତନ କରୁଥିବା କମ୍ପ ଜ୍ବର ସୃଷ୍ଟିକାରୀ ଘାତକ କମ୍ପାସୁର କବଳରୁ କେହି ରକ୍ଷା କରିପାରିବେ ନାହିଁ।

ସମ୍ବନ୍ଧିତ ଖବର