ଯାଯାବର ଯନ୍ତ୍ରଣା

0

କାଠୁଆ ନାବାଳିକା ଗଣଧର୍ଷଣ ଓ ହତ୍ୟା ମାମଲାର ତ୍ବରିତ ବିଚାର କରି ପଠାଣକୋଟ୍‌ର ଅଦାଲତ ସୋମବାର ଦିନ ପ୍ରଦାନ କରିଥିବା ରାୟ ଦୁଇଟି କାରଣରୁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ: ଏହା ଭାରତୀୟ ରାଷ୍ଟ୍ରର ଗରିମା ବୃଦ୍ଧି କରିଥାଏ ଏବ˚ ଭାରତୀୟ ଅାପରାଧିକ ନ୍ୟାୟ ବ୍ୟବସ୍ଥାର ବିଶ୍ବସନୀୟତା ସାବ୍ୟସ୍ତ କରିଥାଏ। ରାଷ୍ଟ୍ର କାହା ପାଇଁ? ଏ ପ୍ରଶ୍ନର ଉତ୍ତର ଖୋଜିବା ବେଳେ ସ୍ବାଭାବିକ ଭାବରେ ଯେଉଁ ଚିତ୍ର ଆଖି ଆଗକୁ ଆସିଥାଏ, ତାହା ହେଉଛି ଗ୍ରାମରୁ ସହର ପର୍ଯ୍ୟନ୍ତ ସ˚ଗଠିତ ସମାଜରେ ବସବାସ ଓ ଜୀବିକା ନିର୍ବାହ କରୁଥିବା ନାଗରିକମାନେ ହିଁ ହେଉଛନ୍ତି ରାଷ୍ଟ୍ରର ଅ˚ଶ ଏବ˚ ସେଇମାନଙ୍କର ସୁରକ୍ଷା ଓ ମଙ୍ଗଳ ନିଶ୍ଚିତ କରିବା ହେଉଛି ରାଷ୍ଟ୍ରର ଦାୟିତ୍ବ। କିନ୍ତୁ ଦୁର୍ଭାଗ୍ୟଜନକ ଭାବରେ ଏକ ରାଷ୍ଟ୍ରର ଭୌ‌େଗାଳିକ ପରିସୀମା ଭିତରେ ମଧୢ କେତେକ ମନୁଷ୍ୟ ଥାନ୍ତି, ଯେଉଁମାନଙ୍କର କୌଣସି ସ୍ଥାୟୀ ବସବାସ ନ ଥାଏ, ସ୍ଥାୟୀ ସମ୍ପତ୍ତି ନ ଥାଏ, କିମ୍ବା ସ୍ଥାୟୀ ଠିକଣା ନ ଥାଏ- ଯେଉଁଠି ରାତି ପାହେ, ତାହା ହିଁ ସେଦିନର ଠିକଣା। ଏମାନଙ୍କ ସାଧାରଣ ପରିଚୟ ହେଲା- ଯାଯାବର।
ଇଉରୋପ୍‌ର ରୋମାମାନଙ୍କ ଠାରୁ ଭାରତର ବକର‌୍‌ଵାଲ୍‌ମାନଙ୍କ ଭଳି ପୃଥିବୀର ବିଭିନ୍ନ ଅଞ୍ଚଳରେ ଏବେ ବି ଯାଯାବରମାନଙ୍କୁ ଦେଖିବାକୁ ମିଳିଥାଏ। ଆଉ ପ୍ରାୟ ପ୍ରତ୍ୟେକ ଏଭଳି ସ୍ଥାନରେ ସ୍ଥାୟୀ ବାସିନ୍ଦାମାନେ ଯାଯାବରମାନଙ୍କୁ ଏକ ଅବାଞ୍ଛିତ ଉପସ୍ଥିତି ରୂପେ ଦେଖୁଥିବା ବେଳେ ରାଷ୍ଟ୍ର ମଧୢ ସେମାନଙ୍କୁ ସମାଜ ବହିର୍ଭୁତ ରୂପେ ବିଚାର କରି ସେମାନଙ୍କ ପ୍ରତି ଘୋର ଅବହେଳା ପ୍ରଦର୍ଶନ କରିଥାଏ। କାଠୁଆ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ଆଠବର୍ଷର ବାଳିକାଟି ଥିଲା ଛେଳି ଚରାଳି ଯାଯାବର ବକର‌୍‌ଵାଲ୍‌ ସମ୍ପ୍ରଦାୟର। ଛେଳି ପଲ ଧରି କଶ୍ମୀର ଉପତ୍ୟକାରୁ ଜମ୍ମୁ ପର୍ଯ୍ୟନ୍ତ ପାହାଡ଼ ପର୍ବତ ଅତିକ୍ରମ କରି ଘୂରି ବୁଲୁଥିବା ବକର‌୍‌ଵାଲମାନେ ମଧୢ ସେ ଅଞ୍ଚଳର ବିଚ୍ଛିନ୍ନତାବାଦୀ ରାଜନୀତିର ସହଜ ଶିକାରରେ ପରିଣତ ହୋଇଛନ୍ତି। ବିଚ୍ଛିନ୍ନତାବାଦୀ ଚରମପନ୍ଥୀମାନେ ସେମାନଙ୍କୁ ଭାରତର ସମର୍ଥକ ରୂପେ ଦେଖୁଥିବାବେଳେ ଜମ୍ମୁ ଅଞ୍ଚଳର ହିନ୍ଦୁମାନେ ସେମାନଙ୍କୁ ମୁସଲମାନ ଅନୁପ୍ରବେଶକାରୀ ରୂପେ ଦେଖିବାକୁ ଲାଗିଲେଣି, ଯଦିବା ହିନ୍ଦୁମାନଙ୍କ ସହିତ ସେମାନଙ୍କର ପୂର୍ବରୁ ଉତ୍ତମ ସମ୍ପର୍କ ରହି ଆସିଥିଲା। ଅନେକ ସମୟରେ ବିଚ୍ଛିନ୍ନତାବାଦୀମାନେ ବକର‌୍‌ଵାଲ୍‌ ବାଳକମାନଙ୍କୁ ଅପହରଣ କରି ନେଇ ଆତଙ୍କବାଦୀ ତାଲିମ ଶିବିରରେ ଭର୍ତ୍ତି କରିବା ଭଳି ଘଟଣା ଘଟିଥାଏ।
ସମୟ ବଦଳିବା ସହିତ ବକର‌୍‌ଵାଲ୍‌ମାନେ ମଧୢ କ୍ରମେ ସେମାନଙ୍କର ବିଶୁଦ୍ଧ ଯାଯାବର ଜୀବନର ଗତିରେ କିଛି କିଛି ପରିବର୍ତ୍ତନ ଘଟାଇ ଜନବସତି ନିକଟରେ ରହି ନିଜର ପିଲାମାନଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରି ଶିକ୍ଷିତ କରିବାକୁ ଚେଷ୍ଟା କରିବା ଦେଖାଗଲାଣି। କାଠୁଆ ଘଟଣାର ହତ ଭାଗିନୀ ଝିଅଟିକୁ ତା’ର ପିତାମାତା ଏଇଭଳି ପାଠ ପଢ଼ାଇବା ପାଇଁ ଉଦ୍ୟମ କରୁଥିଲେ। ସେମାନେ ତେଣୁ କାଠୁଆରେ ଏକ ପ୍ରକାର ସ୍ଥାୟୀ ବା ଦୀର୍ଘକାଳୀନ ବସବାସ କରିବାକୁ ଚାହୁଁଥିଲେ। ସ୍ଥାନୀୟ ବାସିନ୍ଦାମାନେ କିନ୍ତୁ ସେମାନଙ୍କୁ ସେଠାରୁ ହଟାଇବାକୁ ଚାହୁଁଥିଲେ। ବକର‌୍‌ଵାଲ୍‌ମାନେ କିନ୍ତୁ ସେଠାରୁ ହଟିବାକୁ ନ ଚାହିଁବାରୁ କେତେକ ସ୍ଥାନୀୟ ବ୍ୟକ୍ତି ବିଶେଷ ବକର‌୍‌ଵାଲ୍‌ମାନଙ୍କ ମଧୢରେ ଭୀତି ସଞ୍ଚାର କରିବା ଉଦ୍ଦେଶ୍ୟରେ ଏ ପୈଶାବିକ କାଣ୍ତ ଘଟାଇଥିଲେ, ଯାହା ଦ୍ବାରା ସେମାନେ କାଠୁଆ ଛାଡ଼ି ପଳାଇଯିବେ ବୋଲି ଅପରାଧୀମାନେ ବିଶ୍ବାସ କରୁଥିଲେ।
ବାଳିକାଟିକୁ ୨୦୧୮ ଜାନୁଆରି ୧୦ ତାରିଖରେ ଅପହରଣ କରାଯାଇ ଏକ ନିଛାଟିଆ କୋଠରିରେ ଅଟକ ରଖି ତାକୁ ନିଶାଦ୍ରବ୍ୟ ସାହାଯ୍ୟରେ ଅଚେତ କରି ବାରମ୍ବାର ଧର୍ଷଣ ଓ ହତ୍ୟା କରାଯାଇଥିଲା। ଅଦାଲତ ଏବେ ଅଭିଯୁକ୍ତମାନଙ୍କ ମଧୢରୁ ତିନିଜଣଙ୍କୁ ଗଣଧର୍ଷଣ, ହତ୍ୟା ଓ ଅାପରାଧିକ ଚକ୍ରାନ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଉ ତିନିଜଣ ଅଭିଯୁକ୍ତ- ଜଣେ ସବ୍‌ଇନ୍ସପେକ୍ଟର, ଜଣେ ହେଡ଼୍ କନଷ୍ଟେବ୍‌ଲ ଏବ˚ ଜଣେ ସ୍ପେଶାଲ ପୁଲିସ ଅଫିସର-ଙ୍କୁ ପ୍ରମାଣ ନଷ୍ଟ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ କରିଛି। ସପ୍ତମ ଅଭିଯୁକ୍ତ ଜଣକ ଘଟଣା ଘଟିବା ଦିନ ରାଜ୍ୟ ବାହାରେ ଥିବା ପ୍ରମାଣିତ ହେବାରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛି।
ଏଠାରେ ସ୍ମରଣଯୋଗ୍ୟ ଯେ ଘଟଣା ପ୍ରକାଶ ପାଇବା ପରେ କାଠୁଆର ଓକିଲମାନେ ଆନ୍ଦୋଳନ କରି ଘଟଣାର ଅନୁସନ୍ଧାନ କରୁଥିବା କ୍ରାଇମ୍‌ ବ୍ରାଞ୍ଚ୍‌ ପୁଲିସକୁ ଚାର୍ଜସିଟ୍‌ ଦାଖଲ କରିବାରେ ବାଧା ଦେଇଥିଲେ। ଶେଷରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରି ମାମଲାକୁ ବିଚାର ପାଇଁ ଜମ୍ମୁକଶ୍ମୀର ବାହାରକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତା’ପରେ ଯାଇ କାଠୁଆ ଠାରୁ ୩୦ କିମି ଦୂରରେ ଅବସ୍ଥିତ ପଞ୍ଜାବର ପଠାଣକୋଟ୍‌ର ଏହି ଅଦାଲତରେ ଶୁଣାଣି ଆରମ୍ଭ ହୋଇଥିଲା। ଠିକ୍‌ ପ୍ରାୟ ବର୍ଷକ ତଳେ ଜୁନ୍‌ ୨୦୧୮ରେ ଆରମ୍ଭ ହୋଇଥିବା ଏହି ମାମଲାର ବିଚାର ପାଇଁ ସେଠାରେ ପ୍ରାୟ ପ୍ରତି ଦିନ ଶୁଣାଣି କରାଯାଇଥିଲା, ଯାହାଫଳରେ ଏ ଜଘନ୍ୟ ଅପରାଧର ରାୟ ଏତେ ଶୀଘ୍ର ଶୁଣାଯାଇପାରିଛି।
ଏହା ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ନାଗରିକମାନଙ୍କର ବିଶ୍ବାସକୁ ଯେତିକି ଦୃଢ଼ୀଭୂତ କରିଛି, ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପରେ ଏକ ଗୋଷ୍ଠୀ ଦ୍ବାରା ଆୟୋଜିତ ପ୍ରତିବାଦ ଆନ୍ଦୋଳନରେ ଦୁଇଜଣ ମନ୍ତ୍ରୀ ସାମିଲ ହେବା ସେତେବେଳର ଭାଜପା-ପିଡ଼ିପି ସରକାର ପାଇଁ ସେତିକି ଲଜ୍ଜାଜନକ ଓ ନିନ୍ଦନୀୟ ଥିଲା। ଅଦାଲତର ରାୟ ବାଳିକାଟିର ପରିବାରବର୍ଗଙ୍କର ମାନସିକ ଯନ୍ତ୍ରଣା ଲାଘବ କରିପାରିବ ନାହିଁ ସତ, କିନ୍ତୁ ଭାରତୀୟ ରାଷ୍ଟ୍ର ଉପରେ ସେମାନଙ୍କର ବିଶ୍ବାସ ଯେ ଦୃଢ଼ୀଭୂତ କରିବାରେ ସାହାଯ୍ୟ କରିବ, ଏଥିରେ କୌଣସି ସନ୍ଦେହ ନାହିଁ।
ତେବେ ସମାଜର ଉପାନ୍ତ ଅଞ୍ଚଳର ଏକ ଦୁର୍ବଳ ଯାଯାବର ସମ୍ପ୍ରଦାୟର ନିରୀହ ବାଳିକାଟି ଏପରି ଜଘନ୍ୟ ଅପରାଧର ଶିକାର ହେବା ଅତ୍ୟନ୍ତ ହୃଦୟ ବିଦାରକ ହୋଇଥିଲେ ହେଁ, ଏହା ମଧୢ ଭୁଲିଯିବା ଉଚିତ ନୁହେଁ ଯେ ସ୍ଥାୟୀ ବାସିନ୍ଦା ସମାଜର ନିରୀହ ଶିଶୁମାନେ ମଧୢ ଏପରି ଅପରାଧରୁ ଆଦୌ ସୁରକ୍ଷିତ ନୁହନ୍ତି। ଉଦାହରଣ ସ୍ବରୂପ କାଠୁଆ ମାମଲାର ରାୟ ପ୍ରକାଶର ଅଳ୍ପ ଦିନ ପୂର୍ବରୁ ହିଁ ଆଲିଗଡ଼ ଓ ଭୋପାଳରେ ଶିଶୁମାନେ ଏପରି ନରକୀୟ ଅପରାଧର ଶିକାର ହେବା ଖବର ପ୍ରକାଶ ପାଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଯଦି ଏଭଳି ପ୍ରତ୍ୟେକ ଅପରାଧର ବିଚାର କାଠୁଆ ମାମଲା ପରି ତ୍ବରାନ୍ବିତ କରାଯାଆନ୍ତା, ତେବେ ହୁଏତ ସମ୍ଭାବ୍ୟ ଅପରାଧୀମାନେ ଭୟରେ ଏଥିରୁ ନିବୃତ୍ତ ହୁଅନ୍ତେ।

ସମ୍ବନ୍ଧିତ ଖବର