କଂଗ୍ରେସର ଅପ୍ରତିଦ୍ୱନ୍ଦ୍ୱୀ ସଭାପତି ରୂପେ ଅଭିଷିକ୍ତ ହେବାକୁ ଯାଉଥିବା ରାହୁଲ ଗାନ୍ଧୀଙ୍କର ବ୍ୟକ୍ତିତ୍ୱର ଯେଉଁ ସଦ୍ୟ ଉନ୍ମୋଚିତ ଦିଗଟି ତାଙ୍କର ଅଭିଷେକର ଠିକ୍ ପୂର୍ବରୁ ନାଟକୀୟ ଢଙ୍ଗରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ତାହା ହେଉଛି ତାଙ୍କର ହିନ୍ଦୁତ୍ୱ ଓ ନିର୍ଦ୍ଦିଷ୍ଟ ଭାବରେ ବ୍ରାହ୍ମଣତ୍ୱ। ତାଙ୍କର ଦଳୀୟ ମୁଖପାତ୍ର ଦେଶବାସୀଙ୍କୁ ଜଣାଇ ଦେଇଛନ୍ତି ଯେ ରାହୁଲ କେବଳ ଜଣେ ପକ୍କା ଶିବଭକ୍ତ ହିନ୍ଦୁ ନୁହନ୍ତି, ସେ ମଧ୍ୟ ଜଣେ ଉପବୀତଧାରୀ ବ୍ରାହ୍ମଣ। ତେଣୁ ଖୋଲାଖୋଲି ଭାବରେ ଜଣେ ପଇତା ପକାଇଥିବା ହିନ୍ଦୁ ବ୍ରାହ୍ମଣ ରୂପେ ରାହୁଲ ଗାନ୍ଧୀ ତାଙ୍କର ଖ୍ରୀଷ୍ଟିଆନ୍ ମାତାଙ୍କ ଠାରୁ କଂଗ୍ରେସର ସର୍ବୋଚ୍ଚ ନିୟନ୍ତ୍ରକ ବା ହାଇକମାଣ୍ଡ୍ ପଦ ଗ୍ରହଣ କରିବେ। ଦେଶରେ ଧର୍ମନିରପେକ୍ଷ ରାଜନୀତିର ପ୍ରଧାନ ପାଳନକାରୀ ରୂପେ ନିଜକୁ ପ୍ରଦର୍ଶିତ କରି ଆସୁଥିବା ଦଳ ଓ ତାର ନେତାଙ୍କର ଏଭଳି ନୂତନ ବ୍ରାହ୍ମଣ ପ୍ରୀତି ଓ ପଇତା ପ୍ରୀତି ଦେଖି ଭାରତୀୟ ପୁରାଣ ଓ ଇତିହାସରୁ ଦୁଇଟି ଘଟଣା ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ ବୋଲି ଆମେ ବିଚାର କରୁଛୁ। ଗୋଟିଏ ଘଟଣା ହେଉଛି ମହାଭାରତରେ ବର୍ଣ୍ଣିତ ବଶିଷ୍ଠ-ବିଶ୍ୱାମିତ୍ର କାହାଣୀକୁ କେନ୍ଦ୍ର କରି; ଅନ୍ୟଟି ହେଉଛି ଶିଖ ଧର୍ମର ପ୍ରବର୍ତ୍ତକ ଗୁରୁ ନାନକଙ୍କ ଜୀବନ କାହାଣୀକୁ କେନ୍ଦ୍ର କରି।
ସୁପରିଚିତ ବଶିଷ୍ଠ-ବିଶ୍ୱାମିତ୍ର କାହାଣୀରେ କ୍ଷତ୍ରିୟ ରାଜା ବିଶ୍ୱାମିତ୍ର ସୈନ୍ୟ ସାମନ୍ତଙ୍କ ସହ ପାରିଧି କରିବାକୁ ଜଙ୍ଗଲ ଭିତରକୁ ଯାଇଥିଲେ। ସେଠାରେ ସେମାନେ ଏକ ସମୟରେ ପ୍ରବଳ ଭୋକ ଶୋଷର ସମ୍ମୁଖୀନ ହୋଇ ଘୋର ବନସ୍ତ ଭିତରେ ଥିବା ଏକ ଋଷି ଆଶ୍ରମରେ ପହଞ୍ଚିଲେ। ତାହା ଥିଲା ବ୍ରହ୍ମର୍ଷି ବଶିଷ୍ଠଙ୍କର ଆଶ୍ରମ। ବ୍ରହ୍ମର୍ଷି ଏମାନଙ୍କୁ ଅତିଥି ରୂପେ ସ୍ୱାଗତ କରିବା ପରେ ଅଳ୍ପ ସମୟ ମଧ୍ୟରେ ସମସ୍ତଙ୍କୁ ଦିବ୍ୟ ପାନ ଭୋଜନରେ ଆପ୍ୟାୟିତ କଲେ। ସେହି ଅଗନା ଅଗନି ବନସ୍ତ ମଧ୍ୟରେ ଋଷି କିଭଳି ଏ ସବୁ ଆୟୋଜନ କଲେ ବୋଲି ରାଜା ପଚାରିବାରୁ ବଶିଷ୍ଠ କହିଲେ ତାଙ୍କୁ ଦେବରାଜ ଇନ୍ଦ୍ର ଉପହାର ଦେଇଥିବା କାମଧେନୁର କନ୍ୟା ନନ୍ଦିନୀ ନାମକ ଗାଈଠାରୁ ହିଁ ଏ ସମସ୍ତ ଖାଦ୍ୟ ପାନୀୟ ନିମିଷକରେ ଉପଲବ୍ଧ ହୋଇଛି। ରାଜା ବିଶ୍ୱାମିତ୍ର ନନ୍ଦିନୀକୁ ତାଙ୍କୁ ଦେଇଦେବାକୁ ଋଷିଙ୍କୁ କହିଲେ। କିନ୍ତୁ ଇନ୍ଦ୍ରଙ୍କ ଉପହାରଟିକୁ ସେ ଅନ୍ୟ କାହାକୁ ଦେଇପାରିବେ ନାହିଁ ବୋଲି ବଶିଷ୍ଠ ଦୃଢ଼ ଭାବରେ ଜଣାଇବାରୁ ବିଶ୍ୱାମିତ୍ର ବଳପ୍ରୟୋଗ କରି ନନ୍ଦିନୀକୁ ନେଇ ଯିବାକୁ ବସିଲେ। ନନ୍ଦିନୀ ଏହା ଦେଖି ଦୁର୍ଦ୍ଧର୍ଷ ଯୋଦ୍ଧାମାନଙ୍କୁ ସୃଷ୍ଟି କରି ବିଶ୍ୱାମିତ୍ରଙ୍କ ସମଗ୍ର ସେନାବାହିନୀକୁ ଧ୍ୱଂସ କରିଦେଲା। ଏହା ପରେ ବିଶ୍ୱାମିତ୍ର ବିଶ୍ୱାସ କଲେ ଯେ ବ୍ରହ୍ମର୍ଷିଙ୍କ ତପଃ ଶକ୍ତି ନିକଟର ରାଜଶକ୍ତି କିଛି ନୁହେଁ। ଜଣେ କ୍ଷତ୍ରିୟ ହୋଇଥିଲେ ହେଁ ସେ ମଧ୍ୟ ଜଣେ ବ୍ରହ୍ମର୍ଷି ହେବା ପାଇଁ ବିଶ୍ୱାମିତ୍ର ଘୋର ତପସ୍ୟା ଚଳାଇଲେ। ଦେବତାମାନେ ତାଙ୍କ ତପସ୍ୟାରେ ତୁଷ୍ଟ ହୋଇ ଏକ ସମୟରେ ତାଙ୍କୁ ରାଜର୍ଷି ଘୋଷିତ କରିଦେଲେ। ବିଶ୍ୱାମିତ୍ର କିନ୍ତୁ ସେଥିରେ ସନ୍ତୁଷ୍ଟ ନହୋଇ ପୁଣି ତପସ୍ୟାରେ ଲାଗିଗଲେ। ଅଗତ୍ୟା ବ୍ରହ୍ମା ତାଙ୍କୁ ବ୍ରହ୍ମର୍ଷି ଘୋଷଣା କଲେ, କିନ୍ତୁ ଖୋଦ୍ ବ୍ରହ୍ମର୍ଷି ବଶିଷ୍ଠ ତାଙ୍କୁ ବ୍ରହ୍ମର୍ଷି ରୂପେ ସମ୍ବୋଧନ ନକରିବା ପର୍ଯ୍ୟନ୍ତ ବିଶ୍ୱାମିତ୍ର ସେଥିରେ ସନ୍ତୁଷ୍ଟ ହେଲେ ନାହିଁ। ଏହି ଲମ୍ବା କାହାଣୀର ଏକ ରୋଚକ ମୋଡ଼ରେ ଶେଷରେ ବଶିଷ୍ଠ ଯେତେବେଳେ ବିଶ୍ୱାମିତ୍ରଙ୍କୁ ବ୍ରହ୍ମର୍ଷି ରୂପେ ସମ୍ବୋଧନ କରିଛନ୍ତି, ବିଶ୍ୱାମିତ୍ରଙ୍କର ବ୍ରହ୍ମର୍ଷିତ୍ୱ ଲାଭ ଅଭିଯାନ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛି। କ୍ଷତ୍ରିୟ ବିଶ୍ୱାମିତ୍ର ପଇତାଧାରୀ ବ୍ରାହ୍ମଣ ଋଷିରେ ପରିଣତ ହୋଇଛନ୍ତି।
ଗୁରୁ ନାନକଙ୍କ ବୟସ ଯେତେବେଳେ ନ’ବର୍ଷ ଛୁଇଁଲା ହିନ୍ଦୁ ରୀତି ଅନୁସାରେ ତାଙ୍କର ପିତା ତାଙ୍କର ଉପନୟନ କରି ତାଙ୍କ କାନ୍ଧରେ ପଇତା ପକାଇବା ପାଇଁ ଆୟୋଜନ କଲେ। ଯେତେବେଳେ କୁଳପୁରୋହିତ ପୂଜାପାଠ ପରେ ନାନକଙ୍କ ବେକରେ ପଇତା ପକାଇବା ପାଇଁ ଉଦ୍ୟତ ହେଲେ, ନାନକ ତାଙ୍କୁ ବାଧା ଦେଇ ପଇତାର ମହତ୍ତ୍ୱ କ’ଣ ବୋଲି ପ୍ରଶ୍ନ କଲେ। ପୁରୋହିତ ନାନକଙ୍କୁ ଯେତେବେଳେ କହିଲେ ବୈଦିକ ଯୁଗରୁ ଏ ରୀତି ଚଳିଆସିଛି ଏବଂ ସେ ଯଦି ପଇତା ନ ପିନ୍ଧିବେ ତେବେ ସେ ଜଣେ ଶୂଦ୍ରରେ ପରିଣତ ହେବେ, ବାଳକ ନାନକ ସେତେବେଳେ ପଇତାର ନିରର୍ଥକତା ସମ୍ବନ୍ଧରେ ନିମ୍ନମତେ ବାଣୀ ଶୁଣାଇଛନ୍ତି। ‘‘ଲୋକମାନେ ଯେତେବେଳେ ସଂଖ୍ୟାହୀନ ଚୋରି କରନ୍ତି, ସଂଖ୍ୟାହୀନ ବ୍ୟଭିଚାର କରନ୍ତି, ସଂଖ୍ୟାହୀନ ମିଛ କହନ୍ତି ଏବଂ ସଂଖ୍ୟାହୀନ ଗାଳିମନ୍ଦ ଦିଅନ୍ତି; ଯେତେବେଳେ ସେମାନେ ଦିନରାତି ନିଜ ଭଳି ଅନ୍ୟ ମନୁଷ୍ୟମାନଙ୍କ ବିରୋଧରେ ସଂଖ୍ୟାହୀନ ଅପରାଧ ଓ ଲୁଣ୍ଠନ ମାନ ଘଟାଇଥାନ୍ତି...’’ ସେତେବେଳେ ଜଣେ ପୁରୋହିତ ହାତରେ କପା ସୂତାରେ ବଳା ଯାଇଥିବା ରଶିଟିଏ ବେକରେ ପକାଇବାର ଅର୍ଥ କ’ଣ? ସେ ପୁଣି ଶାଣିତ ଢଙ୍ଗରେ ପଚାରିଥିଲେ ଯଦି ଯୌନେନ୍ଦ୍ରିୟ ପାଇଁ କୌଣସି ରଶି ନାହିଁ, ହାତ ପାଇଁ କୌଣସି ରଶି ନାହିଁ, ପାଦ ପାଇଁ କୌଣସି ରଶି ନାହିଁ, ଜିଭ ପାଇଁ କୌଣସି ରଶି ନାହିଁ ଏବଂ ଏ ସବୁ ରଶି ଅର୍ଥାତ୍ ବନ୍ଧନ ବିନା ନିଜେ ବ୍ରାହ୍ମଣ ବିପଥଗାମୀ ହୋଇଥାଏ, ତା’ହେଲେ ସେଇ ବ୍ରାହ୍ମଣ ହାତରେ ତିଆରି ହୋଇଥିବା ପଇତା ନାମକ ରଶି ଅନ୍ୟ ଜଣକର ବେକରେ ପଡ଼ି ସେ ଜଣକୁ କିପରି ନିୟନ୍ତ୍ରଣ କରିବ? ନାନକ ପଇତାକୁ ପରିତ୍ୟାଗ କରିଥିଲେ।
ରାହୁଲ ଗାନ୍ଧୀଙ୍କର ଏ ପର୍ଯ୍ୟନ୍ତ ଆଚରଣ ଦେଖି ମନେହେଉଥିଲା ସେ ନାନକଙ୍କ ଭଳି ଜାତିଧର୍ମର ଏକ ଶକ୍ତିଶାଳୀ ସଂକେତ ପଇତା ଠାରୁ ବହୁ ଦୂରରେ ଥିବେ। ବାସ୍ତବରେ ସେ ୨୦୦୮ରେ ଯେତେବେଳେ ବିଦର୍ଭର ଦରିଦ୍ର ଦଳିତ ବିଧବା କଳାବତୀଙ୍କ ଘରେ କେତେ ଘଣ୍ଟା ବିତାଇବା ପରେ ଲୋକସଭାରେ ତାଙ୍କୁ ଆଲୋଚନାର ଅଂଶରେ ପରିଣତ କରି କଳାବତୀଙ୍କ ପାଇଁ ଜାତୀୟ ପ୍ରସିଦ୍ଧି ଆଣିଦେଲେ, ସେତେବେଳେ ମନେ ହେଉଥିଲା ରାହୁଲ ନିଜକୁ ଦଳିତମାନଙ୍କ ମଧ୍ୟରୁ ଜଣେ ବୋଲି ପ୍ରଦର୍ଶିତ କରିବାକୁ ଚେଷ୍ଟା କରୁଛନ୍ତି। ସେଇଭଳି ୨୦୦୯ରେ ଯେତେବେଳେ ରାହୁଲ ତତ୍କାଳୀନ ବ୍ରିଟିସ୍ ଯୁବ ବୈଦେଶିକ ମନ୍ତ୍ରୀ ଡେଭିଡ୍ ମିଲିଆଣ୍ଡ୍ଙ୍କୁ ସାଙ୍ଗରେ ନେଇ ଜାନୁଆରିର ଏକ ଶୀତରାତିରେ ଆମେଥିର ଏକ ଗାଁରେ ଏକ ଦଳିତ ପରିବାରରେ କଟାଇ ପରିବାର ସଦସ୍ୟମାନଙ୍କ ସହିତ ରାତ୍ରିଭୋଜନ କରି ସେଠାରେ ଥିବା ଦଉଡ଼ି ଖଟ (ଚାର୍ ପାୟ)ରେ ଶୋଇଲେ, ସେତେବେଳେ ତାଙ୍କର ଏହି ଦଳିତ-ଆତ୍ମା ଭାବମୂର୍ତ୍ତି ଆହୁରି ମଜବୁତ ହୋଇଥିଲା। ତାହା ଥିଲା ସେମ୍ରା ଗ୍ରାମର ଶିବକୁମାରୀଙ୍କର ଘର। ବର୍ତ୍ତମାନ କିନ୍ତୁ ଜଣାପଡୁଛି କଳାବତୀ କିଂବା ଶିବକୁମାରୀଙ୍କ ସହିତ ବାହାରକୁ ଏକାତ୍ମଭାବ ପ୍ରକଟ କରୁଥିବା ବେଳେ ଭିତରେ ରାହୁଲଙ୍କ କାନ୍ଧରେ ପଡ଼ିଥିଲା ତାଙ୍କର ଉଚ୍ଚ ବର୍ଣ୍ଣର ସଗର୍ବ ସନ୍ତକ ପଇତା। କ୍ଷତ୍ରିୟ ରାଜା ବିଶ୍ୱାମିତ୍ର ବ୍ରହ୍ମର୍ଷିରେ ପରିଣତ ହେବା ଭଳି ଫିରୋଜ ଗାନ୍ଧୀଙ୍କ ନାତି ରାହୁଲ ଗାନ୍ଧୀ ବ୍ରାହ୍ମଣରେ ପରିଣତ ହୋଇ କଂଗ୍ରେସ ସିଂହାସନ ଆରୋହଣ କରିବାକୁ ଯାଉଛନ୍ତି। ସେ ନାନକପନ୍ଥୀ ନୁହନ୍ତି, ସେ ବିଶ୍ୱାମିତ୍ରପନ୍ଥୀ। ତେବେ ସମସ୍ୟା ହେଲା କଂଗ୍ରେସ ଦଳ ଯେତେବେଳେ ରାହୁଲଙ୍କ ହିନ୍ଦୁତ୍ୱକୁ ଏକ ରାଜନୈତିକ ରଣକୌଶଳ ରୂପେ ବ୍ୟବହାର କରିବାକୁ ଆରମ୍ଭ କରୁଛି, ସେତେବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଭାଷାରେ ଭାଜପା ନାମକ ଏକ ଅସଲି ହିନ୍ଦୁତ୍ୱ ପାର୍ଟି ଏପରି ଆସ୍ଥାନ ଜମାଇ ସାରିଛି ଯେ, ଏ ନକଲି ହିନ୍ଦୁତ୍ୱ ପାର୍ଟିକୁ କିଏ ଗ୍ରହଣ କରିବ?