ପାକ୍‌କୁ ବିସ୍କେକ୍‌ ଧକ୍କା

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ପୁଣି ଥରେ ଆଉ ଗୋଟିଏ ଅନ୍ତର୍ରାଷ୍ଟ୍ରୀୟ ମଞ୍ଚରେ ଏକଘରିକିଆ ହୋଇଛି। ପାକ୍‌- ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଯୋଗ ଦେଇଥିଲେ ମଧ୍ୟ ଅଷ୍ଟ-ରାଷ୍ଟ୍ରୀୟ ସା˚ଘାଇ ସହଯୋଗ ସ˚ଗଠନ (ସା˚ଘାଇ କୋପରେସନ୍‌ ଅର୍ଗାନାଇଜେସନ୍-ଏସ୍‌୍‌ସିଓ) ଶିଖର ବୈଠକରେ ପାକିସ୍ତାନକୁ ଏ ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। କିର‌୍‌ଗିଜସ୍ତାନର ରାଜଧାନୀଠାରେ ଅନୁଷ୍ଠିତ ଏସ୍‌ସିଓ ରାଷ୍ଟ୍ରର ସରକାରୀ ମୁଖ୍ୟମାନଙ୍କ ସମ୍ମିଳନୀ ପରେ ଜାରି ‘ବିସ୍କେକ୍‌୍‌ ଘୋଷଣାନାମା’ର ଆତଙ୍କବାଦ ପ୍ରସଙ୍ଗରେ ପ୍ରତ୍ୟେକଟି ଧାଡ଼ି ‘ଆନ୍ତର୍ଜାତିକ ଆତଙ୍କବାଦର ନାଭିକେନ୍ଦ୍ର’ ପାକିସ୍ତାନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଘୋଷଣାନାମାରେ ପାକିସ୍ତାନର ନାମ ଆଦୌ ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ଘୋଷଣାନାମାର ଭାଷା ଓ ଭାବନାରୁ ଏହା ଆଦୌ ଅଛପା ରହୁ ନାହିଁ ଯେ, ଆତଙ୍କବାଦକୁ ପାକିିସ୍ତାନର ପ୍ରଶ୍ରୟ ଓ ପ୍ରୋତ୍ସାହନ ବିରୋଧରେ ଏହା ଉଦ୍ଦିଷ୍ଟ। ଏସ୍‌ସିଓର ଅନ୍ୟତମ ସଦସ୍ୟ ରାଷ୍ଟ୍ର ତଥା ପାକ୍‌ ପ୍ରାୟୋଜିତ ଆତଙ୍କବାଦ ଦ୍ବାରା ପୀଡ଼ିତ ଭାରତ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେଲା, ଘୋଷଣାନାମାରେ ନିର୍ଦ୍ଦିଷ୍ଟ ଭାବେ ‘ସୀମାପାର ଆତଙ୍କବାଦ’ ବିଷୟ ଉଲ୍ଲେଖ କରାଯାଇଛି। ଯେ କୌଣସି ରୂପରେ ଆତଙ୍କବାଦ ବା ଆତଙ୍କବାଦକୁ ଜନ୍ମ ଦେଉଥିବା ଚରମପନ୍ଥୀ ଆଦର୍ଶକୁ କଠୋର ଭାବେ ନିନ୍ଦା କରିବା ସହ ଆତଙ୍କବାଦ କିମ୍ବା ଆତଙ୍କବାଦୀ ସ˚ଗଠନକୁ ଅନ୍ୟ କୌଣସି ରାଷ୍ଟ୍ର ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର ବିରୋଧରେ ଘୋଷଣାନାମାରେ ଆହ୍ବାନ ଦିଆଯାଇଛି। ସିସିଓ ରାଷ୍ଟ୍ର ସମୂହର ସ୍ପଷ୍ଟ ମତ ଯେ, କୌଣସି ରାଷ୍ଟ୍ର ବିରୋଧରେ ଆତଙ୍କବାଦକୁ ଆୟୁଧ କରାଯିବା ସମ୍ପୃକ୍ତ ରାଷ୍ଟ୍ରର ସାର୍ବଭୌମତ୍ବ ଓ ସ୍ବାଧୀନତା ଉପରେ ଆକ୍ରମଣ। ଉଲ୍ଲେଖ ଅନାବଶ୍ୟକ ଯେ, ଇସ୍‌ଲାମାବାଦ ତଥାକଥିତ ଜେହାଦୀ ସ˚ଗଠନ ମାନଙ୍କୁ ହାତବାରିସି କରି ଆତଙ୍କବାଦକୁ ଭାରତ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରିଆସିଛି। ପାକିସ୍ତାନର ଏହା ଏକ ଅଘୋଷିତ ରାଷ୍ଟ୍ରନୀତି। ଏସ୍‌ସିଓ ନେତୃବୃନ୍ଦ ଆତଙ୍କବାଦ ବିରୋଧରେ ମିଳିତ-ସମନ୍ବିତ ଲଢେ଼ଇ ଲାଗି ଆନ୍ତର୍ଜାତିକ ସମୁଦାୟଙ୍କୁ ଆହ୍ବାନ ଦେଇଛନ୍ତି। ଆତଙ୍କବାଦ ପ୍ରସଙ୍ଗରେ କୌଣସି ପ୍ରକାର ‘ଦୋ-ମୁହାଁ ନୀତି’ ଏହାକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ବୋଲି ମଧୢ ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ନିଃସନ୍ଦେହ, ଏହା ମଧୢ ପାକିସ୍ତାନ ବିରୋଧରେ ଉଦ୍ଦିଷ୍ଟ। ଗୋଟିଏ ପକ୍ଷରେ ପାକିସ୍ତାନ ନିଜକୁ ଆତଙ୍କବାଦର ଶିକାର ବୋଲି ଛଦ୍ମ ଦୁଃଖ ପ୍ରକାଶ କରୁଛି। ଅଥଚ, ଅନ୍ୟପକ୍ଷରେ ଭାରତ ବିରୋଧରେ ଆତଙ୍କବାଦକୁ ‘ସ୍ବାଧୀନତା ସ˚ଗ୍ରାମ’ର ଆଖ୍ୟା ଦେଇ ଆତଙ୍କବାଦର ମହିମା ମଣ୍ତନ କରୁଛି। ଆତଙ୍କବାଦକୁ ପ୍ରଶ୍ରୟ ଓ ପ୍ରୋତ୍ସାହନ ପାକିସ୍ତାନ ପାଇଁ ଅନେକଥର ଆତ୍ମଘାତୀ ସାବ୍ୟସ୍ତ ହୋଇଛି। ତାଲିବାନୀ ଆତଙ୍କବାଦୀଙ୍କ ନରସ˚ହାରରେ ଦେଶର ଅନେକ ନିରୀହ ନାଗରିକଙ୍କ ପ୍ରାଣ ଯାଇଛି। ତଥାପି ଉଗ୍ର ଭାରତ ବିଦ୍ବେଷୀ ମନୋଭାବରୁ ମୁକୁଳି ନପାରି ପାକିସ୍ତାନ ଆତଙ୍କବାଦର ପୃଷ୍ଠପୋଷକ ସାଜି ଆସିଛି। ଅଲ-କାଏଦା ମୁଖ୍ୟ ଓସାମା ବିନ୍‌ ଲାଦେନ୍‌କୁ ନିଜ ଦେଶରେ ଆଶ୍ରୟ ଓ କେବଳ ଭାରତ ନୁହେଁ, ବିଶ୍ବର ବହୁ ସ୍ଥାନରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ସହ ପାକ୍‌- ପ୍ରଶିକ୍ଷିତ ଜେହାଦୀଙ୍କ ସମ୍ପୃକ୍ତି ଆତଙ୍କବାଦ ପ୍ରସଙ୍ଗରେ ଇସ୍‌ଲାମାବାଦର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି। ଏ ଦୋମୁହାଁ ନୀତି ଯୋଗୁଁ ଆମେରିକା ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ବିଶ୍ବାସ କରି ନପାରି ଆର୍ଥିକ ଓ ଅସ୍ତ୍ରଶସ୍ତ୍ର ସହାୟତାରେ କାଣ୍ଟଛାଣ୍ଟ କରିଛି। ତଥାପି ସେହି ଦରପୋଡ଼ା କାଠ ନ୍ୟାୟରେ ଇସ୍‌ଲାମାବାଦର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନଆସିବା ଦୁର୍ଭାଗ୍ୟଜନକ। ପାକିସ୍ତାନର ବେସାମରିକ ସରକାର ହୁଅନ୍ତୁ କି ସାମରିକ ନେତୃତ୍ବ, ଜେହାଦୀଙ୍କ ଉପରେ କାହାର ନିୟନ୍ତ୍ରଣ ନାହିଁ। ବର˚ ଓଲଟା ଆତଙ୍କବାଦୀ ସ˚ଗଠନଙ୍କ ନିୟନ୍ତ୍ରଣରେ ପାକ୍‌ ସରକାର ଓ ସାମରିକ ବାହିନୀ। ଆନ୍ତର୍ଜାତିକ ସମୁଦାୟର ଆତଙ୍କ ବିରୋଧରେ ମିଳିତ ଲଢେ଼ଇରେ ପାକିସ୍ତାନ ବିଶ୍ବାସଯୋଗ୍ୟ ନୁହେଁ।

ଏସ୍‌ସିଓ ଘୋଷଣାନାମା ନିଶ୍ଚୟ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ପାଇଁ ଆଉ ଏକ କଡ଼ା ଚେତାବନୀ। ଉଲ୍ଲେଖନୀୟ ହେଲା, ଏସ୍‌ସିଓର ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ତଥା, ପାକିସ୍ତାନର ସବୁଦିନିଆ ମିତ୍ର ଚୀନ୍‌ ଆତଙ୍କବାଦ ପ୍ରସଙ୍ଗରେ ଇସ୍‌ଲାମାବାଦ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବିସ୍କେକ୍‌ ଘୋଷଣାନାମାର ଅନ୍ୟତମ ସ୍ବାକ୍ଷରକାରୀ। ଏହା କୂଟନୈତିକ ଦୃଷ୍ଟିରୁ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଏସ୍‌ସିଓ ବୈଠକରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଏହି କୋଣଠେସା ଅବସ୍ଥା ପାଇଁ ସମସ୍ତ ଶ୍ରେୟ ଭାରତର କୂଟନୈତିକ କୌଶଳକୁ ଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟବାର କ୍ଷମତାକୁ ଆସିବା ପରେ ଏସ୍‌ସିଓ ଶିଖର ସମ୍ମିଳନୀ ଥିଲା ପ୍ରଥମ ବହୁରାଷ୍ଟ୍ରୀୟ ଆନ୍ତର୍ଜାତିକ ମଞ୍ଚ। ସେଠାରେ ଭାରତ ବିରୋଧୀ ଆତଙ୍କବାଦର ଉତ୍ସ ପାକିସ୍ତାନକୁ ଘେରିବାରେ ଭାରତୀୟ କୂଟନୀତି ସଫଳ ହୋଇଛି। ଆଞ୍ଚଳିକ ନିରାପତ୍ତା ଓ ଅର୍ଥନୈତିକ ସହଯୋଗ ପ୍ରସଙ୍ଗରେ ଗଠିତ ଏସ୍‌ସିଓର ଆତଙ୍କବାଦ ବିରୋଧରେ ଏହି କଡ଼ା ଆଭିମୁଖ୍ୟ ଭାରତର ନୀତିକୁ ସ୍ବୀକୃତି ଓ ଅନୁମୋଦନ। ଏସ୍‌ସିଓ ବୈଠକ ପୂର୍ବରୁ ମାଳଦ୍ବୀପ ଓ ଶ୍ରୀଲଙ୍କା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରି ଦେଇଥିଲେ ଯେ, ମାନବ ଜାତିର ସବୁଠାରୁ ବଡ଼ ଶତ୍ରୁ ଆତଙ୍କବାଦ ବିରୋଧରେ ବିଶ୍ବକୁ ଏକାଠି କରିବା ଲାଗି ଭାରତର ଅଭିଯାନ ଜାରି ରହିବ।

ଏସ୍‌ସିଓ ବୈଠକ ଅବସରରେ ସାକ୍ଷାତ ଆଲୋଚନା ପାଇଁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ମୋଦୀ ଇସ୍‌ଲାମାବାଦକୁ ଆଉ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଆତଙ୍କବାଦକୁ ପୃଷ୍ଠପୋଷକତା ବନ୍ଦ ନ ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ଦ୍ବିପାକ୍ଷିକ କଥାବାର୍ତ୍ତା ସମ୍ଭବ ନୁହେଁ। ପୁଲଵାମା ଆତଙ୍କବାଦୀ ଆକ୍ରମଣ ଓ ଏହାର ଜବାବର ବାଲାକୋଟ ଜୈସ-ଏ-ମହମ୍ମଦ ଆଡ୍ଡା ଉପରେ ଭାରତୀୟ ବାୟୁ ସେନାର ‘ଏୟାର ଷ୍ଟ୍ରାଇକ୍‌’ ପରେ ଏସ୍‌ସିଓ ଅବସରରେ ଭାରତ ଓ ପାକ୍‌ ପ୍ରଧାନମନ୍ତ୍ରୀ ପ୍ରଥମ ଥର ଲାଗି ଏକାଠି ହୋଇଥିଲେ। ତେବେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧୢରେ କେବଳ ଔପଚାରିକ ଶୁଭେଚ୍ଛା ଆଦାନ ପ୍ରଦାନ ବ୍ୟତୀତ ଅନ୍ୟ କୌଣସି କଥାବାର୍ତ୍ତା ହୋଇନାହିଁ। ଇମ୍ରାନ୍‌ ନିଜ ଆଡୁ କଥାବାର୍ତ୍ତା ପାଇଁ ଆଗ୍ରହୀ ଥିଲେ ମଧୢ ମୋଦୀ ଏହାକୁ ଏଡ଼ାଇଯିବା ଭାରତର ଏକ କୂଟନୈତିକ କୌଶଳ। ଏହାଦ୍ବାରା ଆତଙ୍କବାଦ ପ୍ରସଙ୍ଗରେ ଭାରତର ଉଦ୍‌ବେଗକୁ ଅଧିକ ଓଜନ ମିଳିଛି। ଅବଶ୍ୟ, ଇମ୍ରାନ୍‌ଙ୍କୁ ଭେଟି ନଥିଲେ ମଧୢ ପାକିସ୍ତାନକୁ ଯାହା ଜଣାଇବା କଥା, ଚୀନ୍‌ ମାଧୢମରେ ମୋଦୀ ତାହା ଜଣାଇ ଦେଇଛନ୍ତି। ଚୀନ୍‌ ରାଷ୍ଟ୍ରପତି ଜି-ପିଙ୍ଗଙ୍କ ସହ ଏସ୍‌ସିଓ ବୈଠକ ଅବସରରେ କଥାବାର୍ତ୍ତା ବେଳେ ମୋଦୀ ଜଣାଇ ଦେଇଛନ୍ତି ଯେ, ପାକ୍‌ ସହ କଥାବାର୍ତ୍ତା ଲାଗି ଭାରତ ପ୍ରସ୍ତୁତ। କିନ୍ତୁ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଆଭିମୁଖ୍ୟ କଥାବାର୍ତ୍ତା ରାସ୍ତାରେ ବାଧକ। ଭାରତୀୟ ପ୍ରଧାନମନ୍ତ୍ରୀ ଏହା ମଧୢ ସ୍ପଷ୍ଟ କରି ଦେଇଛନ୍ତି ଯେ, ପାକିସ୍ତାନ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ସ˚ପୃକ୍ତି କିମ୍ବା ମଧୢସ୍ଥତାର ଆବଶ୍ୟକତା ନାହିଁ।

ମୋଟାମୋଟି,ଏସ୍‌ସିଓ ଶିଖର ବୈଠକ ଭାରତ ପାଇଁ ଏକ କୂଟନୈତିକ ସଫଳତା। ଆତଙ୍କବାଦ ପ୍ରସଙ୍ଗରେ ଭାରତର ବାର୍ତ୍ତା ପୁଣି ଥରେ ବିଶ୍ବ ସମୁଦାୟ ପାଖରେ ପହଞ୍ଚିଛି। ଅନ୍ୟପକ୍ଷରେ ‘ବିସ୍କେକ୍‌ ଘୋଷଣାନାମା’ ପାକିସ୍ତାନର ‘କଶ୍ମୀର ସ୍ବପ୍ନ’କୁ ଏକ ଶକ୍ତ ଧକ୍କା। ଆତଙ୍କବାଦ, ବିଶେଷକରି ‘ସୀମାପାର ଆତଙ୍କବାଦ’କୁ ପାକିସ୍ତାନର ପ୍ରୋତ୍ସାହନ ଓ ପ୍ରଶ୍ରୟର ମୂଳରେ ରହିଛି ଏହି ‘କଶ୍ମୀର ସ୍ବପ୍ନ’। ଭାରତର ଅବିଚ୍ଛେଦ୍ୟ ଅ˚ଶ ମୁସଲମାନ ବହୁଳ ୧୫,୬୯୪୮ ବର୍ଗ କିଲୋମିଟର ପରିମିତ କଶ୍ମୀର ଉପତ୍ୟକାକୁ ଛଡ଼ାଇ ନିଜ ଦେଶରେ ମିଶାଇବା ଲାଳସାରେ ପାକିସ୍ତାନ ଆତଙ୍କବାଦକୁ ଅସ୍ତ୍ର କରି ଛାୟାଯୁଦ୍ଧ ଚଳାଇ ଆସିଛି। ଏସ୍‌ସିଓରୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନିଶ୍ଚୟ ଏହି ବାର୍ତ୍ତା ନେଇ ଫେରିଥିବେ ଯେ, ଭାରତ ବିରୋଧରେ ଆତଙ୍କବାଦକୁ ଆୟୁଧ କରି ‘କଶ୍ମୀର ସ୍ବପ୍ନ’ ସାକାର କରିବା ସମୟ ସରି ଆସିଛି। ବର˚ ସଭ୍ୟ ରାଷ୍ଟ୍ର ଭାବେ ପାକିସ୍ତାନର ଅସ୍ତିତ୍ବ ଉପରେ ଆତଙ୍କବାଦ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇମ୍ରାନ୍‌ ଖାଁ ଏବେ ‘କଶ୍ମୀର ସ୍ବପ୍ନ’ ଛାଡ଼ି ନିଜର ‘ନୟା ପାକିସ୍ତାନ’ ସ୍ବପ୍ନକୁ ବାସ୍ତବାୟିତ କରିବା ଲାଗି ବ୍ୟସ୍ତ ରହନ୍ତୁ। ଏଥିପାଇଁ ସେ ନିଜ ସରକାର ଓ ସାମରିକ ବାହିନୀକୁ ଭାରତ ବିରୋଧୀ ମାନସିକତାରୁ ମୁକୁଳାଇ ୧୦୩ ବିଲିୟନ୍‌ ଡଲାର ଋଣ ଯନ୍ତାରୁ କେମିତି ମୁକୁଳିବେ, ଦୁଇ ଅଙ୍କରେ ପହଞ୍ଚିଥିବା ମୁଦ୍ରାସ୍ପୀତି କେମିତି କାବୁ ହେବ ତା’ର ବାଟ ଖୋଜନ୍ତୁ। ଏ ଦିଗରେ ହିନ୍ଦୁସ୍ଥାନ ବିରୋଧରେ ଜିହାଦ ନୁହେଁ, ଭାରତ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ପାରସ୍ପରିକ ସହଯୋଗ ସହାୟକ ହୋଇପାରେ।

ସମ୍ବନ୍ଧିତ ଖବର