ବ୍ୟାଣ୍ତେଜ୍‌ ଯୁଦ୍ଧ

ଏକ ସପ୍ତାହ ତଳେ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଡାକ୍ତର ଅଶାନ୍ତି ବର୍ତ୍ତମାନ ଏକ କ୍ରାନ୍ତିମଣ୍ତଳୀୟ ବାତ୍ୟା ପରି ସାରା ଦେଶରେ ବ୍ୟାପିଗଲାଣି। ରବିବାର ଦିନ ଦେଶରେ କାର୍ଯ୍ୟ କରୁଥିବା ଡାକ୍ତରମାନଙ୍କର ସ˚ଘ ‘ଇଣ୍ତିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ (ଆଇଏମ୍‌ଏ) ଘୋଷଣା କରିଥିଲା ଯେ ପଶ୍ଚିମବଙ୍ଗର ଡାକ୍ତରମାନଙ୍କ ସହିତ ସମ୍ପୂର୍ଣ୍ଣ ସ˚ହତି ପ୍ରଦର୍ଶନ କରି, ଦେଶସାରା ଡାକ୍ତରମାନେ ଧର୍ମଘଟ କରିବେ। ସୋମବାର ସକାଳ ୬ଟାରୁ ଆରମ୍ଭ କରି ୨୪ ଘଣ୍ଟା ଧରି ସେମାନେ ସମସ୍ତ ପ୍ରକାର ଅଣ-ଅତ୍ୟାବଶକ ସେବା ପ୍ରଦାନରୁ ନିବୃତ୍ତ ରହିବେ ବୋଲି ଆଇଏମ୍‌ଏ ଘୋଷଣା କରିଥିଲା। ଫଳ ସ୍ବରୂପ ଦିଲ୍ଲୀରୁ ଚେନ୍ନାଇ ପର୍ଯ୍ୟନ୍ତ, ମୁମ୍ବାଇରୁ ଭୁବନେଶ୍ବର ପର୍ଯ୍ୟନ୍ତ ଡାକ୍ତରମାନ କାର୍ଯ୍ୟ ବନ୍ଦ ଓ ବିଭିନ୍ନ ଢ଼ଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରିବା ଦେଖାଯାଇଛି।

ସୋମବାର ସକାଳେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୦,୦୦୦ରୁ ଅଧିକ ସ˚ଖ୍ୟକ ଡାକ୍ତର ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ସକାଳ ୮ଟାରେ ଦିଲ୍ଲୀର ମର୍ଯ୍ୟାଦାଜନକ ‘ଅଲ୍‌ ଇଣ୍ତିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇକ୍‌ସେସ୍‌’ (ଏମ୍‌ସ)ର ଡାକ୍ତରମାନେ ମଧୢ ଧର୍ମଘଟରେ ସାମିଲ ହୋଇଥିଲେ। ଅନ୍ୟ ଏକ ଖ୍ୟାତନାମା ଡାକ୍ତରୀ ଶିକ୍ଷାନୁଷ୍ଠାନ ତଥା ହସ୍‌ପିଟାଲ୍‌-ପଣ୍ତିଚେରୀର ଜବାହରଲାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟ ଗ୍ରାଜୁଏଟ୍‌ ମେଡିକାଲ ଏଜୁକେସନ୍‌ ଆଣ୍ତ ରିସର୍ଚ୍ଚ (ଜିପ୍‌ମର‌୍‌)ର ଡାକ୍ତରମାନେ ଏମର୍ଜେନ୍‌ସି ବ୍ଲକ୍‌ ସମ୍ମୁଖରେ ପ୍ରତିବାଦମୂଳକ ବିକ୍ଷୋଭ ପ୍ରଦର୍ଶନ କରିବା ଦେଖା ଯାଇଥିଲା। କର୍ଣ୍ଣାଟକର ସରକାରୀ ଅନୁଷ୍ଠାନ- ହାସାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ୍‌ ସାଇକ୍‌ସେସ୍‌ର ଡାକ୍ତରମାନେ ଘଣ୍ଟାଏ ପାଇଁ ‘ଓପିଡି’ (ବାହ୍ୟ ରୋଗୀ ବିଭାଗ) ବନ୍ଦ କରି ଦେଇ ଆଇଏମ୍‌ଏର ଧର୍ମଘଟ ଡାକରା ପ୍ରତି ସମର୍ଥନ ଜ୍ଞାପନ କରିଥିଲେ। ତାମିଲନାଡ଼ୁ, କର୍ଣ୍ଣାଟକ ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା ଘରୋଇ ହସ୍‌ପିଟାଲ୍‌ ଡାକ୍ତରମାନେ ମଧୢ ଧର୍ମଘଟରେ ଯୋଗ ଦେଇଛନ୍ତି।

ଦେଶବ୍ୟାପୀ ଧର୍ମଘଟରେ ଯୋଗ ଦେଇଥିବା ଡାକ୍ତରମାନେ ବିଭିନ୍ନ ପ୍ରକାର ସ୍ଲୋଗାନ ଓ ପ୍ଲାକାର୍ଡ ବ୍ୟବହାର କରିବା ଦେଖା ଯାଇଥିଲେ ହେଁ ସମସ୍ତେ ଯେଉଁ ସାଧାରଣ ମାଧୢମ ବ୍ୟବହାର କରି ନିଜର ଚିନ୍ତା ପ୍ରକାଶ କରିଥିଲେ, ତାହା ହେଲା ସେମାନେ ମୁଣ୍ତରେ ଭିଡ଼ିଥିବା ଲାଲ ରଙ୍ଗ ଲାଗିଥିବା (ରକ୍ତଭିଜା ପରି) ବ୍ୟାଣ୍ତେଜ୍‌। ଏଥିରେ ସନ୍ଦେହ ନାହିଁ ଯେ ପ୍ରତ୍ୟେକ ଏଭଳି ବ୍ୟାଣ୍ତେଜ୍‌ ବାନ୍ଧିଥିବା ପ୍ରତିବାଦ ପ୍ରଦର୍ଶନକାରୀ ଡାକ୍ତର କଲିକତାର ଜୁନିଅର‌୍‌ ଡାକ୍ତର ପରିବହ ମୁଖାର୍ଜୀଙ୍କର ପ୍ରତିନିଧି ସାଜିଥିଲେ। ଯେଉଁମାନେ ଏ ନାମଧାରୀ ଡାକ୍ତରଙ୍କ ସହିତ ପରିଚିତ ନୁହଁନ୍ତି, ସେମାନଙ୍କ ଜାଣିବା ପାଇଁ କୁହାଯାଇପାରେ ପରିବହ ହେଉଛନ୍ତି ସେହି ଯୁବ ଡାକ୍ତର ଯାହାଙ୍କର ଗୁଣ୍ତାମାନଙ୍କ ଆକ୍ରମଣରେ ଗୁରୁତର ଭାବରେ ମୁଣ୍ତ ଫାଟିଥିଲା। ଜଣେ ୮୫ ବର୍ଷୀୟ ରୋଗୀଙ୍କର ମୃତ୍ୟୁ ଘଟିବାରୁ ତାଙ୍କର ସମ୍ପର୍କୀୟମାନେ ଦୁଇଟି ଟ୍ରକ୍‌ରେ ଭର୍ତ୍ତି ଗୁଣ୍ତାମାନଙ୍କୁ ଆଣି ସମ୍ପୃକ୍ତ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ- ନୀଲ୍‌ ରତନ୍‌ ସରକାର ମେଡ଼ିକାଲ କଲେଜର ଡାକ୍ତରମାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ହୋଇଥିବା ଦୁଇଜଣ ଡାକ୍ତରଙ୍କ ମଧୢରୁ ଜୁନିଅର‌୍‌ ଡାକ୍ତର ପରିବହ ମୁଖାର୍ଜୀ ହେଉଛନ୍ତି ଜଣେ।

ଏନ୍‌ଆରଏସ୍‌ ମେଡ଼ିକାଲ କଲେଜରେ ଘଟିଥିବା ଘଟଣାଟିର ଏପରି ଦେଶବ୍ୟାପୀ ପ୍ରତିକ୍ରିୟା ଯଦି କାହାକୁ ସର୍ବାଧିକ ଆଶ୍ଚର୍ଯ୍ୟାନ୍ବିତ କରିଥିବ, ସେ ହେଉଛନ୍ତି ପଶ୍ଚିବମଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ- ଏଥିରେ କୌଣସି ସନ୍ଦେହ ନାହିଁ। କାରଣ ଯେଉଁ ଦୁଇଟି ମୁଖ୍ୟ ଆଧାରକୁ ଆଶ୍ରୟ କରି ମମତା ତାଙ୍କର କ୍ଷମତା ରାଜନୀତି ଚଳାଇଛନ୍ତି, ଏହି ଡାକ୍ତରୀ ଝଡ଼ ତାହାକୁ ଭୀଷଣ ଭାବରେ ଦୋହଲାଇ ଦେଇଛି। ଗୋଟିଏ ହେଲା- ସ˚ଖ୍ୟାଲଘୁ ତୁଷ୍ଟୀକରଣ। ଏନ୍‌ଆର‌୍‌ଏସ୍‌ ମେଡ଼ିକାଲ କଲେଜ ଘଟଣାରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘୋର ନିନ୍ଦନୀୟ, କିନ୍ତୁ ଏହା ଦେଶରେ ଘଟୁଥିବା ଏକମାତ୍ର ଏଭଳି ଘଟଣା ନୁହେଁ। ପର୍ଯ୍ୟବେକ୍ଷିକମାନଙ୍କର ଦୃଷ୍ଟି ଯାହା ଏଡ଼ାଇ ଯାଇନଥିବ, ତାହା ହେଲା ଏଭଳି ଘଟଣାରେ ଆକ୍ରମଣକାରୀମାନଙ୍କର ଧର୍ମ କେବେହେଲେ ଚର୍ଚ୍ଚାକୁ ଆସିନଥାଏ। କଲିକତା ଘଟଣାରେ କିନ୍ତୁ ମୃତ ରୋଗୀ ଏବ˚ ଆକ୍ରମଣକାରୀମାନେ ମୁସଲମାନ ଥିଲେ ବୋଲି ଖୋଲାଖୋଲି ଚର୍ଚ୍ଚା ହେଉଛି। ଏହାର କାରଣ ହେଲା ପଶ୍ଚିମବଙ୍ଗରେ ଏକ ଧାରଣ ବଳବତ୍ତର ହୋଇସାରିଛି ଯେ ମମତାଙ୍କ ତୁଷ୍ଟୀକରଣ ନୀତି ଯୋଗୁଁ ମୁସଲମାନ ଅପରାଧୀମାନଙ୍କ ପ୍ରତି ପୁଲିସ ନିଷ୍କ୍ରିୟତା ଅବଲମ୍ବନ କରିଥାଏ, ଯାହା ଏନ୍‌ଆରଏସ୍‌ ମେଡ଼ିକାଲ୍‌ ଘଟଣାରେ ଦେଖାଯାଇଛି।

ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତେଣୁ ହେଉଛି ଡାକ୍ତରମାନଙ୍କର ଅନ୍ୟତମ ଦାବି। ସେମାନଙ୍କ ନ୍ୟାୟୋଚିତ ଦାବି ମାନି ନେବା ପରିବର୍ତ୍ତେ ମମତା ଆନ୍ଦୋଳନକାରୀମାନଙ୍କୁ ଭାରତୀୟ ଜନତା ପାର୍ଟିର ସମର୍ଥକ ବୋଲି ଅଭିଯୋଗ କରି ନିଆଁରେ ଘିଅ ଢ଼ାଳିଛନ୍ତି। ମମତାଙ୍କର ଭୋଟ୍‌ ବ୍ୟାଙ୍କ୍‌ ରାଜନୀତିର ଏହି ନଗ୍ନ ପ୍ରଦର୍ଶନ ସ˚ଖ୍ୟାଗରିଷ୍ଠମାନଙ୍କୁ ଏକଜୁଟ କରିବାର ଯେଉଁ ସଦ୍ୟ ସମ୍ଭାବନା ସୃଷ୍ଟି କରିଛି, ତାହା ତାଙ୍କୁ ସମ୍ପୂର୍ଣ୍ଣ ବିଚଳିତ କରି ଦେଇଥିବା ଭଳି ମନେ ହେଉଛି। ବର୍ତ୍ତମାନ ଚିଟ୍‌ଫଣ୍ତ କେଳେଙ୍କାରୀର ଅନ୍ୟତମ ଅଭିଯୁକ୍ତରେ ପରିଣତ ହୋଇଥିବା ତାଙ୍କର ନିକଟତମ ପୁଲିସ ଅଫିସର ରାଜୀବ କୁମାରଙ୍କୁ ମମତା ପ୍ରଦାନ କରି ଆସୁଥିବା ସୁରକ୍ଷା ଅସୁରକ୍ଷିତ ଡାକ୍ତରମାନଙ୍କ ନଜରକୁ ଏଡ଼ାଇ ଯାଇନାହିଁ। ସେମାନେ ଏହାର ନଜିର ଦେଇ ତୁଷ୍ଟୀକରଣ ନୀତି ଯୋଗୁଁ ମମତାଙ୍କର ଡାକ୍ତରଙ୍କ ପ୍ରତି ସମ୍ବେଦନହୀନତାର ଘୋର ନିନ୍ଦା କରିଛନ୍ତି।

ମମତାଙ୍କର ସ˚କୀର୍ଣ୍ଣ ରାଜନୀତିର ଦ୍ବିତୀୟ ଆଧାର ହେଉଛି ରାଜ୍ୟବାସୀମାନଙ୍କ ମଧୢରେ ଏକ ଆଞ୍ଚଳିକ ଭାବ ବା ପ୍ରାଦେଶିକ ଭାବ ସୃଷ୍ଟି କରି କେନ୍ଦ୍ର ଓ ରାଜ୍ୟ ମଧୢରେ ଏକ କାଳ୍ପନିକ ବିରୋଧ ଭାବ ସୃଷ୍ଟି କରିବା। ସ˚ଘୀୟ ବ୍ୟବସ୍ଥା ନାମରେ ଏକ ଜାତୀୟତା ବିରୋଧୀ ଆଞ୍ଚଳିକ ଭାବନା ସୃଷ୍ଟି କରି ନିଜକୁ ସେ ଆଞ୍ଚଳିକ ଗର୍ବବୋଧର ବାହିକା ରୂପେ ପ୍ରଦର୍ଶିତ କରି ରାଜ୍ୟରେ ମତଦାତାମାନଙ୍କର ସମର୍ଥନ ମଜଭୁତ କରିବା ହେଉଛି ଏହି କୌଶଳର ଅସଲ ଉଦ୍ଦେଶ୍ୟ। ଏହାର ଏକ ସଦ୍ୟତମ ପ୍ରମାଣ ସ୍ବରୂପ ସେ ପଶ୍ଚିମବଙ୍ଗରେ ଥିବା ସମସ୍ତେ ବଙ୍ଗଳା‌େର କଥାବାର୍ତ୍ତା କରିବାକୁ ବାଧୢ ବୋଲି ଏବେ ଘୋଷଣା କରିଛନ୍ତି। ଏପରି ଜଣେ ନେତ୍ରୀ ତେଣୁ ଆଶା କରିଥିବେ ଯେ ଏନ୍‌ଆରଏସ୍‌ ଘଟଣାର ଯାହାକିଛି ପ୍ରଭାବ କେବଳ କଲିକତା କିମ୍ବା ଅତି ବେଶିରେ ପଶ୍ଚିମବଙ୍ଗ ରାଜ୍ୟ ମଧୢରେ ସୀମାବଦ୍ଧ ହୋଇ ରହିବ। ସେ ତାଙ୍କର ସ୍ବପ୍ନରେ କିମ୍ବା ଦୁଃସ୍ବପ୍ନରେ ମଧୢ ଭାବି ନ ଥିବେ ଯେ ଏହା ଏକ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହେବ, ଯାହାର ନିଶାଣ ହେଉଛନ୍ତି ମମତା ବାନାର୍ଜୀ। ଏହାକୁ ଆଞ୍ଚଳିକତାବାଦ ଉପରେ ଜାତୀୟତାବାଦର ବିଜୟ ରୂପେ ବିଚାର କରାଯାଇପାରେ।

ନିଜର ରାଜନୈତିକ କ୍ୟାରିଅର ସାରା ନିଜର ବ୍ୟାଣ୍ତେଜ୍‌ ବନ୍ଧା ମୁଣ୍ତକୁ ଏକ ଅତ୍ୟନ୍ତ ଫଳପ୍ରଦ ଶକ୍ତିଶାଳୀ ପ୍ରତୀକ ରୂପେ ବ୍ୟବହାର କରିଥିବା ମମତା ଏବେ ଶେଷରେ ଆଉ ଏକ ଶକ୍ତିଶାଳୀ ବ୍ୟାଣ୍ତେଜ୍‌ ବନ୍ଧା ପ୍ରତିପକ୍ଷ ଦ୍ବାରା ପରାସ୍ତ ହେବାର ସମ୍ଭାବନା ଯଦି କାହାକୁ ଏକ ଦୈବୀ ନ୍ୟାୟ ଭଳି ମନେ ହେଉଥାଏ, ସେଥିରେ କିଛି ଅସ୍ବାଭାବିକତା ନାହିଁ।

ସମ୍ବନ୍ଧିତ ଖବର