ନବ ଭାରତ

କ˚ଗ୍ରେସର ଅନିଚ୍ଛୁକ ସଭାପତି ରାହୁଲ ଗାନ୍ଧୀ ଜଣେ ଶ୍ବାନ-ବିଦ୍ବେଷୀ ନୁହଁନ୍ତି। ପ୍ରାୟ ଦୁଇ ବର୍ଷ ତଳେ ନିଜର ପୋଷା କୁକୁର ‘ପିଡି’କୁ ଏକ ମାନବୀୟ ମାନ୍ୟତା ପ୍ରଦାନ କରି ସେ କରିଥିବା ଚହଳ ସୃଷ୍ଟିକାରୀ ଟ୍ବିଟ୍‌ରୁ ଅନ୍ତତଃ ଏହା ସାବ୍ୟସ୍ତ ହୋଇଥାଏ। ତେଣୁ ଏହା ଏକ ବିଡ଼ମ୍ବନା ଭଳି ମନେ ହୁଏ ଯେ ଅଟଳ ଦୁବେ ନାମକ ମୁମ୍ବାଇର ଜଣେ ଆଡ୍‌ଭୋକେଟ୍‌ ମୁମ୍ବାଇ ପୁଲିସ୍‌ ନିକଟରେ ଏକ ଅଭିଯୋଗ ଦାଖଲ କରିବା ସମ୍ବାଦ ପ୍ରକାଶ ପାଇଛି, ଯେଉଁଥିରେ ସେ ଆଇପିସି ଧାରା-୫୦୫ (୨) ଅନୁସାରେ ରାହୁଲଙ୍କ ବିରୁଦ୍ଧରେ ଏକ ଏଫ୍‌ଆଇଆର‌୍‌ ଦରଜ କରିବା ପାଇଁ ପୁଲିସ୍‌କୁ ଅନୁରୋଧ କରିଛନ୍ତି। ବିଡ଼ମ୍ବନା କାରଣ ଯଦିବା ଭାରତୀୟ ସେବାବାହିନୀ ଏବ˚ ଆନ୍ତର୍ଜାତିକ ଯୋଗ ଦିବସ ପ୍ରତି ଅସମ୍ମାନ ପ୍ରଦର୍ଶନ ହେଉଛି ରାହୁଲଙ୍କ ଅପରାଧ ବୋଲି ଆଡ୍‌ଭୋକେଟ୍‌ ଜଣକ କହିଛନ୍ତି, ଘଟଣା ସହିତ ପରିଚିତ ସମସ୍ତଙ୍କୁ ଜଣା ଯେ ରାହୁଲଙ୍କ ଅସଲ ଅପରାଧ ହେଉଛି ସେନବାହିନୀର ଡଗ୍‌ ୟୁନିଟ୍‌ର କୁକୁରମାନଙ୍କ ପ୍ରତି ରାହୁଲ ପ୍ରଦର୍ଶନ କରିଥିବା ଉପହାସ।

ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସେନାବାହିନୀର ଏହି ତାଲିମପ୍ରାପ୍ତ କୁକୁରମାନେ ସେମାନଙ୍କର ପ୍ରଶିକ୍ଷକମାନଙ୍କୁ ଅନୁକରଣ କରି ବିଭିନ୍ନ ଯୋଗ ମୁଦ୍ରା ଅବଲମ୍ବନ କରିବା ଚିତ୍ରମାନ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିବା ବେଳେ ରାହୁଲ ଗାନ୍ଧୀ କିନ୍ତୁ ଏହାକୁ ଉପହାସ କରି ଏଭଳି ଦୁଇଟି ଚିତ୍ର ତଳେ ‘ନୂତନ ଭାରତ’ (ନିଉ ଇଣ୍ତିଆ) ନାମ ପ୍ରଦାନ କରି ଟ୍ବିଟ୍‌ କରି ଦେଇଥିଲେ। ଏହା ନରେନ୍ଦ୍ର ମୋଦୀ ସରକାର ଏକ ନୂତନ ଭାରତ ଗଠନ କରିବା ପାଇଁ ଘୋଷଣା କରିଥିବା ଲକ୍ଷ୍ୟ ପ୍ରତି ଏକ ବ୍ୟଙ୍ଗ ଥିଲା। ସତେ ଯେମିତି ମୋଦୀଙ୍କ ନୂତନ ଭାରତରେ ଯେଉଁ ଏକମାତ୍ର ନୂଆ କଥା ଘଟିବ, ତାହା ହେଉଛି କୁକୁରମାନେ ମଧୢ ମନୁଷ୍ୟଙ୍କ ପରି ଯୋଗାସନ କରିବା!

ରାହୁଲଙ୍କ ଏଭଳି କୁକୁର କୈନ୍ଦ୍ରିକ ବ୍ୟଙ୍ଗ ବେଶ୍‌ ଆଶ୍ଚର୍ଯ୍ୟଜନକ, କାରଣ ସେନାବାହିନୀର କୁକୁରମାନେ ସେ ଛବି ଗୁଡ଼ିକରେ କେବଳ ଯୋଗାସନ ଭଳି ଶାରୀରିକ କୌଶଳ ପ୍ରଦର୍ଶିତ କରିଥିଲେ ହେଁ, ରାହୁଲଙ୍କ କୁକୁର ‘ପିଡି’ ଏହାଠାରୁ ବହୁଗୁଣ ଅଧିକ ବୌଦ୍ଧିକ ଦକ୍ଷତା ପ୍ରଦର୍ଶନ କରି ବୁଦ୍ଧିମାନ ଟ୍ବିଟ୍‌ ସବୁ ପ୍ରସାର କରିଥାଏ ବୋଲି ରାହୁଲ ଦୁଇବର୍ଷ ତଳେ ଦାବି କରିବା ଦେଖାଯାଇଥିଲା। ଏହା ଜଣାଶୁଣା ଯେ ଦୀର୍ଘ କାଳ ଧରି ‘ଟ୍ବିଟର‌୍‌’ ପରି ସୋସିଆଲ ମିଡ଼ିଆ ଦୁନିଆରେ ମୋଦୀ ଭକ୍ତମାନଙ୍କର ସର୍ବାଧିକ ପ୍ରଭାବ ରହି ଆସିଛି। କିନ୍ତୁ ଦୁଇ ବର୍ଷତଳେ ହଠାତ୍‌ ଦେଖାଗଲା ଯେ ବିମୁଦ୍ରୀକରଣ, ଜିଏସ୍‌ଟି ପ୍ରବର୍ତ୍ତନ ଏବ˚ ‘ଆଧାର’ ଆଦିକୁ ପ୍ରସଙ୍ଗ କରି ରାହୁଲ ଗାନ୍ଧୀଙ୍କ ଟ୍ବିଟର‌୍‌ ହ୍ୟାଣ୍ତଲରୁ ବିଚକ୍ଷଣ ଟ୍ବିଟ୍‌ମାନ ପ୍ରସାରିତ ହୋଇ ତାଙ୍କ ଅନୁଗାମୀଙ୍କ ସ˚ଖ୍ୟାରେ ବେଶ୍‌ ବୃଦ୍ଧି ଘଟିବାକୁ ଆରମ୍ଭ କରିଛି। ଅନେକ ପର୍ଯ୍ୟବେକ୍ଷକ ଏସବୁ ଟ୍ବିଟ୍‌ ରାହୁଲଙ୍କ ଦ୍ବାରା ହୋଇନଥିବା ବୋଲି ସନ୍ଦେହ ପ୍ରକାଶ କରି ଏହା ପ୍ରକୃତରେ କିଏ କରୁଛି ବୋଲି ପ୍ରଶ୍ନ କରିବା ଦେଖାଗଲା। ଏହାର ଜବାବରେ ରାହୁଲଙ୍କ ଟ୍ବିଟ୍‌ର ଏକାଉଣ୍ଟରୁ ଏକ ଚଟୁଳ ଟ୍ବିଟ୍‌ ପ୍ରସାରିତ ହେଲା ଯେ ‘ପିଡି’ ନାମକ ଏକ ଅତ୍ୟନ୍ତ ବୁଦ୍ଧିମାନ କୁକୁର ହିଁ ଏସବୁ ଟ୍ବିଟ୍‌ କରୁଛି। ‘ପିଡି’ ହେଉଛି ଦେଶର ଯୋଗ୍ୟତମ କୁମାର ରୂପେ ପରିଚିତ ୫୦ ବର୍ଷୀୟ ରାହୁଲ ଗାନ୍ଧୀଙ୍କର ଅତ୍ୟନ୍ତ ପ୍ରିୟ ସାଥୀ ଓ ସହଚର। ଏକଥା ବିସ୍ତାରିତ ଭାବରେ ଜଣାପଡ଼ିଲା ଯେତେବେଳେ କ˚ଗ୍ରେସ ତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦାନ କରିଥିବା ଆସାମର ନେତା ହିମନ୍ତ ବିଶ୍ବଶର୍ମା ଏହାର ଜବାବରେ ଟ୍ବିଟ୍‌ କଲେ: ‘‘ସାର‌୍‌, ମୋ ଅପେକ୍ଷା ତାକୁ (ପିଡ଼ିକୁ) ଆଉ ଅଧିକ ଭଲ ଭାବରେ କିଏ ଜାଣେ? ଏବେ ବି ମନେ ଅଛି ଆମେ ଯେତେବେଳେ ଜରୁରୀ ଆସାମ ପ୍ରସଙ୍ଗମାନ ଆଲୋଚନା କରିବାକୁ ଚାହୁଁଥିଲୁ, ଆପଣ କିପରି ତାକୁ ବିସ୍କୁଟ ଖୁଆଇବାରେ ବ୍ୟସ୍ତ ଥିଲେ।’’

ଏ ଘଟଣାରୁ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା ‘ପିଡି’-ପ୍ରିୟ ରାହୁଲ ଗାନ୍ଧୀଙ୍କର ସେନାବାହିନୀର ମନଲୋଭା ଯୋଗାଭ୍ୟାସୀ କୁକୁରମାନଙ୍କ ପ୍ରତି କୌଣସି ବିଦ୍ବେଷ ନାହିଁ। ତେଣୁ ନିଃସନ୍ଦେହରେ ତାଙ୍କର ବିବଦମାନ ଟ୍ବିଟ୍‌ଟି ଥିଲା ସମ୍ପୂର୍ଣ୍ଣ ରାଜନୈତିକ- ମୋଦୀଙ୍କର ନବ-ଭାରତ ନିର୍ମାଣ ପରିକଳ୍ପନା ପ୍ରତି ଏକ ପରିହାସ। କିନ୍ତୁ ଏଠାରେ ମଧୢ କୁକୁରମାନଙ୍କ ପ୍ରତି ଏଭଳି ଉପହାସ ରାହୁଲ ଗାନ୍ଧୀଙ୍କୁ ଏକ ଦୁର୍ବଳ ଵିକେଟ୍‌ରେ ଛିଡ଼ା କରାଇଥାଏ। ନରେନ୍ଦ୍ର ମୋଦୀ ଯେତେ ଶୀଘ୍ର ସମ୍ଭବ ଭାରତୀୟ ଅର୍ଥନୀତିକୁ ଏକ ୫ ଲକ୍ଷ କୋଟି ଡଲାର‌୍‌ ଜିଡିପି ବିଶିଷ୍ଟ ଅର୍ଥନୀତିରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏବ˚ ବିଶିଷ୍ଟ ଅର୍ଥନୀତିଜ୍ଞ ମାନଙ୍କ ସହିତ ଏ ବାବଦରେ ଏକ ସଦ୍ୟ ଆଲୋଚନା ମଧୢ ଆରମ୍ଭ କରିସାରିଲେଣି। ୨୦୧୯ରେ ବ୍ରିଟେନ୍‌ଙ୍କୁ ସ୍ଥାନଚ୍ୟୂତ କରି ଭାରତ ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି, ଯେଉଁ ସମୟରେ ଭାରତର ଜିଡିପିର ଆକାର ୩ ଲକ୍ଷ କୋଟି ଡଲାର‌୍‌ ଅତିକ୍ରମ କରିଯିବ। ଏହି ଅଭିବୃଦ୍ଧି ସହିତ ତାଳ ଦେଇ ଅଧିକରୁ ଅଧିକ ସ˚ଖ୍ୟକ ଭାରତୀୟ ସ୍ବଚ୍ଛଳ ବର୍ଗରେ ପ୍ରବେଶ କରି ଚାଲିବେ।

କୁକୁର ପାଳିବା କିମ୍ବା ତାକୁ ସ୍ନେହ, ଶ୍ରଦ୍ଧା ପ୍ରଦର୍ଶନ କରିବା ମନୁଷ୍ୟର ଏକ ନୂତନ ଅଭ୍ୟାସ ନୁହେଁ। ପ୍ରତ୍ନତତ୍ତ୍ବବିତ୍‌ମାନେ ଖନନ କରିବା ସମୟରେ ପ୍ରାୟ ୧୦,୦୦୦ ବର୍ଷ ତଳର ପ୍ରାଚୀନ କବର ଭିତରେ ମନୁଷ୍ୟ ଓ କୁକୁରର କଙ୍କାଳ ଏକତ୍ର ଆବିଷ୍କାର କରିଛନ୍ତି। ସେମାନେ ମଧୢ ଅନୁଶୀଳନରୁ ଜାଣି ପାରିଛନ୍ତି ଯେ କେତେକ କଙ୍କାଳ ଥିଲା ରୋଗଗ୍ରସ୍ତ କୁକୁରମାନଙ୍କର ଏବ˚ ସେମାନେ ମନୁଷ୍ୟର ସେବା ଶୁଶ୍ରୂଷା ଲାଭ କରିଥିବାର ଚିହ୍ନ ରହିଛି। କିନ୍ତୁ ମନୁଷ୍ୟର ଜୀବନ ଧାରଣର ମାନରେ ଯେତେ ଉନ୍ନତି ଘଟେ, ଗୃହପାଳିତ ପଶୁପକ୍ଷୀଙ୍କ ପ୍ରତି ସେମାନଙ୍କର ସ୍ନେହ ଶ୍ରଦ୍ଧା ସେତେ ବୃଦ୍ଧି ପାଏ ବୋଲି ମଧୢ ଜଣାପଡ଼ିଛି। ‘ଇଉରୋମନିଟର’ ନାମକ ଏକ ବଜାର ଗବେଷଣା ପ୍ରତିଷ୍ଠାନ କରିଥିବା ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତ ଭଳି ଅଭ୍ୟୁଦୟମୁଖୀ ଦେଶମାନଙ୍କରେ ସ୍ବଚ୍ଛଳ ମାଲିକମାନେ ଅଧିକରୁ ଅଧିକ ସେମାନଙ୍କର ଗୃହପାଳିତ ଜୀବମାନଙ୍କୁ ସେମାନଙ୍କ ପରିବାରର ସଦସ୍ୟ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରନ୍ତି। ନିଜ ବିଛଣାରେ କୁକୁର ବା ବିଲେଇକୁ ଶୁଆଇବାରୁ ଆରମ୍ଭ କରି ସେମାନଙ୍କ ପାଇଁ ଜନ୍ମଦିନ ପାଳନ କରିବା ପର୍ଯ୍ୟନ୍ତ ଏଥିରେ ଅନ୍ତର୍ଭୁକ୍ତ। ମୋଦୀଙ୍କ ସ୍ବପ୍ନର ନବ ଭାରତରେ ପରିବାରମାନଙ୍କର ଆୟରେ ଘଟିବାକୁ ଯାଉଥିବା ବୃଦ୍ଧି ସହିତ ତାଳ ଦେଇ ଅଧିକରୁ ଅଧିକ ସ˚ଖ୍ୟାରେ କୁକୁର ମଧୢ ମନୁଷ୍ୟ ପରିବାରର ସଦସ୍ୟ ହେବାରେ ଲାଗିବେ। ଏକ ଦୃଷ୍ଟିରୁ ଦେଖିଲେ ତେଣୁ କୁକୁରମାନଙ୍କ ଛବି ତଳେ ନବ ଭାରତ ଲେଖି ରାହୁଲ କରିଥିବା ଟ୍ବିଟ୍‌ରେ କୌଣସି ଅପ୍ରାସଙ୍ଗିକତା ନାହିଁ। ନୂତନ ଭାରତରେ ପୋଷା କୁକୁରଙ୍କ ସ୍ଥାନ ସୁଦୃଢ଼।

କୁକୁର ପାଳିବା ସପକ୍ଷରେ ଅନେକ କାରଣ ରହିଛି। ତେବେ ସେଥିରୁ ଗୋଟାଏ ଏଠାରେ ଉଲ୍ଲେଖଯୋଗ୍ୟ। ପ୍ରାୟ ୧୦ ବର୍ଷ ତଳେ ଗବେଷକମାନେ ପ୍ୟାରିସ୍‌ର ଏକ ପାର୍କରେ ଜଣେ ୨୦ ବର୍ଷର ଅବିବାହିତ ଯୁବକଙ୍କୁ ୨୪୦ ଜଣ ଅଚିହ୍ନା ଯୁବତୀଙ୍କ ସହିତ ଗପସପ କରି ସେମାନଙ୍କଠାରୁ ସେମାନଙ୍କର ଫୋନ୍‌ ନମ୍ବର ଆଣିବାକୁ କହିଲେ। ସମସ୍ତଙ୍କୁ ସେ ଏକା ପ୍ରକାର କଥା କହିଥିଲେ। ଯୁବକ ଜଣକ ମାତ୍ର ୯% ଯୁବତୀଙ୍କ ଠାରୁ ସେମାନଙ୍କର ଫୋନ୍‌ ନମ୍ବର ଆଦାୟ କରିପାରିଥିଲେ। ଯୁବକ ଜଣକ କିନ୍ତୁ, ଯେତେବେଳେ ସାଙ୍ଗରେ ପୋଷା କୁକୁରଟିଏ ଧରି ସେଇ ଉଦ୍ୟମ କଲେ, ତାଙ୍କର ସଫଳତା ହାରରେ ତିନିଗୁଣରୁ ଅଧିକ ବୃଦ୍ଧି ଘଟିଲା- ୨୮% ଯୁବତୀ କୁକୁରପ୍ରେମୀ ଯୁବକଙ୍କୁ ସେମାନଙ୍କ ଫୋନ୍‌ ନମ୍ବର ଦେଇ ଦେଲେ। ଏହା ମଧୢ ନୂତନ ଭାରତର ନୂତନ ସମ୍ଭାବନା!

ସମ୍ବନ୍ଧିତ ଖବର