ନକଲି ନାରୀ

ନାରୀ କିଏ? ସ୍ତ୍ରୀ-ଲିଙ୍ଗର ପ୍ରତିନିଧି ରୂପେ ସେ ଈଶ୍ୱର ସୃଷ୍ଟ ନା ମନୁଷ୍ୟର କଳ୍ପନାପ୍ରସୂତ? ଅର୍ଥାତ୍‌ କିଏ ନିଜକୁ ଜଣେ ନାରୀ ରୂପେ ପରିଚୟ ଦେଇ ପାରିବ, ଯିଏ ନାରୀର ସମସ୍ତ ଶାରୀରିକ ଲକ୍ଷଣ ଧାରଣ କରି ଜନ୍ମ ପାଇଛି, ନା ଯିଏ କେବଳ ନିଜର କଳ୍ପନାରେ ନିଜକୁ ଜଣେ ନାରୀ ବୋଲି ଅନୁଭବ କରୁଛି? ଅନେକଙ୍କ ପାଇଁ ଏଭଳି ପ୍ରଶ୍ନ ଉଦ୍ଭଟ ତଥା ଅନାବଶ୍ୟକ ମନେ ହୋଇପାରେ, କାରଣ ଶାରୀରିକ ଲକ୍ଷଣ ହିଁ ସେମାନଙ୍କ ମତରେ ହେଉଛି, ନାରୀତ୍ୱର ଏକମାତ୍ର ପରିଚୟ; ଏଥିରେ କଳ୍ପନାର ଭୂମିକା କ’ଣ? କିନ୍ତୁ ବର୍ତ୍ତମାନର ପରିବର୍ତ୍ତନଶୀଳ ସମାଜରେ ନାରୀ-ପୁରୁଷ ଲିଙ୍ଗଗତ ପ୍ରଭେଦ ଯେ ଆଉ ଏପରି ସିଧାସଳଖ ହୋଇ ରହିନାହିଁ, ଏ ସମ୍ପର୍କରେ ସେମାନେ କେବେ ହେଲେ ସମ୍ପୂର୍ଣ୍ଣ ଅଚେତନ ନଥିବେ। ଉଦାହରଣ ସ୍ୱରୂପ ସମଲିଙ୍ଗୀ ବିବାହ ଯେମିତି ଉଦ୍ଭଟ ହେଲେ ମଧ୍ୟ ଭାରତୀୟ ସମାଜ ସମେତ ପୃଥିବୀର ଅଧିକାଂଶ ସମାଜରେ ଅନୁପ୍ରବେଶ କରି ସାରିଲାଣି, ନାରୀକୁ ସେମିତି ଈଶ୍ୱରଙ୍କ ସୃଷ୍ଟି (ଏକ ବିଜ୍ଞାପନ ଅନୁସାରେ: ‘ଈଶ୍ୱରଙ୍କର ସୁନ୍ଦରତମ ସୃଷ୍ଟି’) ରୂପେ ବିଚାର ନ କରି ମନୁଷ୍ୟର କଳ୍ପନାପ୍ରସୂତ ବୋଲି ବିଚାର କରିବା ଅଧିକରୁ ଅଧିକ ଏକ ମୁଖ୍ୟ ଧାରାରେ ପରିଣତ ହେବାକୁ ଆରମ୍ଭ କଲାଣି।

ଏହି ଚିନ୍ତାଧାରା ଅନୁସାରେ ପୁଂ-ଲିଙ୍ଗର ସମସ୍ତ ଶାରୀରିକ ଲକ୍ଷଣ (ଯେମିତି ନିଶ ଦାଢ଼ି, ବଳିଷ୍ଠ ମାଂସପେଶୀ କିମ୍ବା ଗୁରୁଗମ୍ଭୀର ସ୍ୱର ଇତ୍ୟାଦି) ବହନ କରୁଥିବା ଜଣେ ବ୍ୟକ୍ତି (ଯାହାକୁ ଆମେ ‘ପୁରୁଷ’ ବୋଲି କହିଥାଉ) ଯଦି ତା’ର ଅନ୍ତଃସ୍କରଣରେ ନିଜକୁ ଜଣେ ନାରୀ ଭଳି ଅନୁଭବ କରେ, ତାହେଲେ ତାକୁ ନାରୀ ବୋଲି ବିଚାର କରାଯିବ। ଏମାନଙ୍କୁ ଇଂରେଜୀରେ କୁହାଯାଉଛି ‘ଟ୍ରାନ୍‌ସଜେଣ୍ଡର’ ବା ‘ରୂପାନ୍ତରିତ ଲିଙ୍ଗ’ ଧାରଣକାରୀ ବ୍ୟକ୍ତି। ବର୍ତ୍ତମାନ ସୁପରିଚିତ ‘ଏଲ୍‌ଜିବିଟି’ ଗୋଷ୍ଠୀରେ ଥିବା ଇଂରେଜୀ ଅକ୍ଷର ‘ଟି’ ଏମାନଙ୍କ ପ୍ରତି ଉଦ୍ଦିଷ୍ଟ। ଟ୍ରାନ୍‌ସଜେଣ୍ଡର୍‌ମାନଙ୍କ ଏଭଳି ଲିଙ୍ଗଭେଦୀ ଚିନ୍ତା ଯଦି କେବଳ ଚିନ୍ତାରେ ସୀମିତ ଥାନ୍ତା, ତେବେ ତାହା ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ହୋଇ ରହନ୍ତା ଏବଂ ବୃହତ୍ତର ସମାଜ ପାଇଁ କୌଣସି ସମସ୍ୟା ସୃଷ୍ଟି କରନ୍ତା ନାହିଁ। କିନ୍ତୁ ଅନେକ ଉଗ୍ର-ଉଦାରପନ୍ଥୀ ଦେଶରେ, ବିଶେଷକରି ପାଶ୍ଚାତ୍ୟ ସମାଜରେ ଏହାକୁ ବ୍ୟକ୍ତି ସ୍ୱାଧୀନତାର ଏକ ବିଷୟ ରୂପେ ଗ୍ରହଣ କରି ଯେତେବେଳେ ବ୍ୟବସ୍ଥା ଓ ଆଇନ କାନୁନ୍‌କୁ ମଧ୍ୟ ସେଥି ସହିତ ଖାପ ଖୁଆଇବା ଉଦ୍ଦେଶ୍ୟରେ ପରିବର୍ତ୍ତନ କରାଯାଉଛି, ସେତେବେଳେ ବିଭିନ୍ନ ଅଭାବିତ ସମସ୍ୟାମାନ ସୃଷ୍ଟି ହେବା ଦେଖିବାକୁ ମିଳୁଛି ଯାହା ପ୍ରକୃତିକୁ ବିକୃତ କରିବା ପାଇଁ ଯେ କୌଣସି ଉଦ୍ୟମର ପରିଣାମ ହୋଇଥାଏ।

ଏହାର ଏକ ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର କେତେକ ରାଜ୍ୟରେ ସ୍କୁଲମାନଙ୍କରେ ପିଲାଙ୍କ ବ୍ୟବହାର ପାଇଁ ଥିବା ଶୌଚାଳୟ ମାନଙ୍କରେ। ବାରାକ୍‌ ଓବାମା ରାଷ୍ଟ୍ରପତି ଥିବା ସମୟରେ ଏକ ସରକାରୀ ନିର୍ଦ୍ଦେଶନାମା ଜାରି କରିଥିଲେ ଯେ ଶୌଚାଳୟ ବ୍ୟବହାରକାରୀମାନେ ନିଜକୁ ଯେଉଁ ଲିଙ୍ଗର ବୋଲି ଅନୁଭବ କରୁଥିବେ, ସେଇ ଲିଙ୍ଗ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ସେମାନେ ପ୍ରବେଶ କରିପାରିବେ। କେନ୍ଦ୍ରସରକାରଙ୍କଠାରୁ ପାଣ୍ଠି ପାଉଥିବା ସମସ୍ତ ସ୍କୁଲମାନଙ୍କ ପାଇଁ ଏହା ଲାଗୁ ହୋଇଥିଲା। ଏହି ନିର୍ଦ୍ଦେଶନାମାର ଅର୍ଥ ହେଲା ଯଦି ଜଣେ ବାଳକ ନିଜକୁ ବାଳିକା ଭଳି ମନେ କରୁଥାଏ (ଅର୍ଥାତ୍‌ ସେ ପୁଂ-ଲିଙ୍ଗଧାରୀ ହୋଇଥିଲେ ହେଁ ତା’ର ତଥାକଥିତ ‘ଲିଙ୍ଗ-ପରିଚୟ’ ହେଉଛି ସ୍ତ୍ରୀ-ଲିଙ୍ଗ) ତେବେ ସେ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ବ୍ୟବହାର କରିପାରିବ। ଓବାମା ଏଭଳି ନିର୍ଦେଶନାମା ଜାରି କରିବା ପୂର୍ବରୁ ଟେକ୍ସାସ, ଇଣ୍ଡିଆନା, ନର୍ଥ କ୍ୟାରୋଲାଇନା ଆଦି ରାଜ୍ୟମାନେ ନିୟମ ପ୍ରଣୟନ କରିଥିଲେ ଯେ କେବଳ ଜନ୍ମ ପତ୍ରିକା (‘ବାର୍ଥ ସାର୍ଟିଫିକେଟ୍‌’)ରେ ଉଲ୍ଲେଖଥିବା ଲିଙ୍ଗ ଅନୁସାରେ ଜଣେ ଶୌଚାଳୟ ବ୍ୟବହାରକାରୀ ଏକ ଶୌଚାଳୟରେ ପ୍ରବେଶ କରିପାରିବ। ଏହା ଅନୁସାରେ ଜଣେ ପ୍ରାକୃତିକ ବାଳକ କେବଳ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ପ୍ରବେଶ କରିପାରୁଥିଲା ଏବଂ କେବଳ ଜଣେ ପ୍ରାକୃତିକ ବାଳିକା ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ପ୍ରବେଶ କରି ପାରୁଥିଲା। ଓବାମାଙ୍କ ନିର୍ଦେଶ ଅନୁଯାୟୀ ସେ ନିୟମ ରଦ୍ଦ ହୋଇ ଜଣେ ପ୍ରାକୃତିକ ବାଳକଙ୍କୁ କୃତ୍ରିମ ବାଳିକା ବେଶରେ ବାଳିକାମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ପ୍ରବେଶ କରିବାକୁ ଅଧିକାର ମିଳିଲା। ଏହା ବାଳିକା ମାନଙ୍କ ପାଇଁ କିଭଳି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିପାରେ ତାହା ବୁଝାଇବା ଅନାବଶ୍ୟକ। ରକ୍ଷଣଶୀଳ ପିତାମାତାମାନେ ଏ ନେଇ ନିଜ କନ୍ୟାମାନଙ୍କର ନିରାପତ୍ତା ପାଇଁ ଘୋର ଚିନ୍ତିତ ଥିବା ବେଳେ ଡୋନାଲ୍‌ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ହେବା ପରେ ଓବାମାଙ୍କ ନିର୍ଦେଶକୁ ବାତିଲ କରି ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି। ତେବେ ସେଠାରେ ବ୍ୟାପାରଟିରେ ସମ୍ପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ ଏବଂ ଅଦାଲତ ମାନଙ୍କରେ ଏ ସମ୍ପର୍କିତ ମାମଲା ମାନ ବିଚାରାଧୀନ ରହିଛି।

ଆଟ୍‌ଲାଣ୍ଟିକ୍‌ ମହାସାଗର ଏପଟେ ବ୍ରିଟେନ୍‌ରେ ମଧ୍ୟ ଏବେ ଟ୍ରାନ୍‌ସଜେଣ୍ଡର୍‌ ମାନଙ୍କୁ ନେଇ ଏକ ଅନୁରୂପ ଉଦ୍‌ବେଳନ ଦେଖାଦେଇଛି। ବର୍ତ୍ତମାନ ସେଠାରେ ଥିବା ଜେଣ୍ଡର ରେକଗ୍‌ନିସନ୍‌ ଆକ୍ଟ ନାମକ ଆଇନ ଅନୁସାରେ ଯେଉଁମାନେ ନିଜର ଆଇନଗତ ଲିଙ୍ଗକୁ ପ୍ରକୃତିଦତ୍ତ ଲିଙ୍ଗଠାରୁ ଭିନ୍ନ କରିବାକୁ ଚାହାନ୍ତି ସେମାନଙ୍କୁ କେତେକ ସର୍ତ୍ତପୂରଣ କରିବାକୁ ହେଉଛି: ଡାକ୍ତରୀ ପରୀକ୍ଷାରୁ ସାବ୍ୟସ୍ତ ହେବା ଆବଶ୍ୟକ ଯେ ସେମାନେ ସେମାନଙ୍କର ଜନ୍ମଗତ ଲିଙ୍ଗ ଓ ସ୍ୱଭାବଗତ ଲିଙ୍ଗ ମଧ୍ୟରେ ତାଳମେଳ ରହୁ ନଥିବାରୁ ମାନସିକ ଯନ୍ତ୍ରଣା (ଜେଣ୍ଡର୍‌ ଡିସ୍‌ଫୋରିଆ) ଭୋଗୁଛନ୍ତି; ଏବଂ ସେମାନେ ଅନ୍ୟୂନ ଦୁଇବର୍ଷ ଧରି ସେମାନଙ୍କର ପସନ୍ଦର ଲିଙ୍ଗ ଅନୁଯାୟୀ ଚଳି ଆସୁଛନ୍ତି। ବ୍ରିଟିସ୍‌ ସରକାର ବର୍ତ୍ତମାନ ଏ ସର୍ତ୍ତ ମାନ ଉଠାଇ ଦେଇ ଏହି ଆଇନକୁ ସରଳ କରି ଦେବାକୁ ଉଦ୍ୟତ। ଏହା କାର୍ଯ୍ୟକାରୀ ହେଲେ ଆବେଦନକାରୀ କେବଳ ଲିଙ୍ଗ ବଦଳାଇବାକୁ ଚାହୁଁଛି ବୋଲି ଘୋଷଣା କରିଦେଲେ ଯଥେଷ୍ଟ ହେବ। ସେହିପରି ସେ ଦେଶର ସରକାର ‘ଇକ୍ୱାଲିଟି ଆକ୍ଟ’ (ସାମ୍ୟ ଆଇନ) ନାମକ ବଳବତ୍ତର ଥିବା ଏକ ଆଇନରେ ସଂଶୋଧନ କରି ତାହାକୁ ଟ୍ରାନ୍‌ସଜେଣ୍ଡର୍‌ ମାନଙ୍କ ପାଇଁ ଅନୁକୂଳ କରିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ ହସ୍‌ପିଟାଲ ଓ୍ଵାର୍ଡରୁ ଜେଲ୍‌ ଓ୍ଵାର୍ଡ ପର୍ଯ୍ୟନ୍ତରେ ବିପଦର ସମ୍ଭାବନା ଥିଲେ ନାରୀବେଶୀ ପୁରୁଷମାନଙ୍କୁ ପ୍ରବେଶ ଅନୁମତି ଦିଆଯାଉ ନଥିଲା। ଏଣିକି ନିଜକୁ ନାରୀ କହି ପୁରୁଷମାନେ ଫିମେଲ୍‌ ଓ୍ଵାର୍ଡରେ ରହିପାରିବେ। ଏହା ଯେ ସେଠାକାର ମହିଳା ଅନ୍ତେବାସିନୀ ମାନଙ୍କ ପାଇଁ ଘୋର ବିପଦ ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ। ଏହାର ଅନେକ ପ୍ରମାଣ ମଧ୍ୟରୁ ପ୍ୟାରିସ୍‌ ଗ୍ରୀନ୍‌ ନାମକ ଜଣେ ଟ୍ରାନ୍‌ସଜେଣ୍ଡର୍‌ଙ୍କ ଉଦାହରଣ ଏଠାରେ ଉଲ୍ଲେଖଯୋଗ୍ୟ। ସେ ପୁରୁଷ ପରିଚୟ ବହନ କରୁଥିବା ସମୟରେ ଏକ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଯିବା ପରେ ନିଜକୁ ଟ୍ରାନ୍‌ସଜେଣ୍ଡର୍‌ କହି ମହିଳା ଜେଲକୁ ଦୁଇଥର ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ କିନ୍ତୁ ସେ ମହିଳା ବନ୍ଦୀମାନଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରିବାରୁ ତାଙ୍କୁ ପୁଣି ପୁରୁଷ ଜେଲକୁ ଫେରାଇ ଅଣାଯାଇଛି। ବ୍ରିଟେନ୍‌ର ‘ଜାତୀୟ ସ୍ୱାସ୍ଥ୍ୟ ସେବା’ (ଏନ୍‌ଏଚ୍‌ଏସ୍‌)ର ଲିଙ୍ଗ ପରିଚୟ ଶାଖାର ମୁଖ୍ୟ ଚିକିତ୍ସକ କହନ୍ତି ଯେ ବ୍ରିଟେନ୍‌ର ଜେଲ୍‌ ମାନଙ୍କରେ ଥିବା ଏଭଳି ଟ୍ରାନ୍‌ସଜେଣ୍ଡର ବନ୍ଦୀମାନଙ୍କ ମଧ୍ୟରୁ ଅଧା ଯୌନ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉଦାରବାଦ ନାମରେ ପ୍ରକୃତି ସହିତ ଏପରି ଖେଳିଲେ ଏକ ଆଦର୍ଶ ସମାଜ ପରିବର୍ତ୍ତେ ଏକ ବିକୃତ ବିପଦପୂର୍ଣ୍ଣ ସମାଜ ଯେ ସୃଷ୍ଟି ହେବ ଏହା ତା’ର ସତର୍କ ସୂଚନା। ଆମ ଦେଶରେ ମଧ୍ୟ ଏଭଳି ଅପ୍ରାକୃତିକ ଚିନ୍ତାଧାରା କାୟା ବିସ୍ତାର କରିବାକୁ ଆରମ୍ଭ କରୁଥିବା ବେଳେ ଆମ ପାଇଁ ମଧ୍ୟ ଏହା ଏକ ସତର୍କ ଘଣ୍ଟି।

ସମ୍ବନ୍ଧିତ ଖବର