‘ଦାରିଦ୍ର୍ୟମୁକ୍ତ ଓଡ଼ିଶା’- ପ୍ରସ୍ତୁତି କାହିଁ?

ନବୀନ ପଟ୍ଟନାୟକ ସରକାର ପଞ୍ଚମ ପାଳିରେ ସମୃଦ୍ଧ-ସଶକ୍ତ ‘ନୂଆ ଓଡ଼ିଶା’ ଗଠନ ଦିଗରେ ଯାତ୍ରାକୁ କ୍ଷୀପ୍ରତର କରିବା ଲାଗି ଏକ ପାଞ୍ଚବଷିର୍ଆ ନକ୍ସା ପ୍ରସ୍ତୁତ କରିଛନ୍ତି। ନବଗଠିତ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଉଦ୍‌ଘାଟନ ଅବସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରେ ଏହି ନକ୍ସାର ଚିତ୍ର ଦେଖିବାକୁ ମିଳିଛି। ପ୍ରଗତି ଓ ପରିବର୍ତ୍ତନର ରାସ୍ତାରେ ଯାତ୍ରା ଲାଗି ମାର୍ଗଦର୍ଶକ ଏହି ନକ୍ସାରେ ଅନେକ ଉଚ୍ଚାକା˚କ୍ଷୀ ଲକ୍ଷ୍ୟ ରହିଛି। ପାଞ୍ଚବର୍ଷରେ ୫୦ ଲକ୍ଷ ନୂଆ ନିଯୁକ୍ତି, ୧୫ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, କଟକ-ଭୁବନେଶ୍ବର ମେଟ୍ରୋ ସେବା, କେନ୍ଦ୍ରୀୟ ଯୋଜନା ଢାଞ୍ଚାରେ ରାଜ୍ୟର ଅନ୍ୟ ତିନିଟି ସହର କଟକ, ବ୍ରହ୍ମପୁର ଓ ସମ୍ବଲପୁର ପାଇଁ ସ୍ମାର୍ଟ ସିଟି ପ୍ରକଳ୍ପ ଆଦି। ମହିଳା ସଶକ୍ତୀକରଣ ଓ ସାମାଜିକ ସୁରକ୍ଷାକୁ ଆହୁରି ସ˚ପ୍ରସାରିତ କରି ସମାଜର ପ୍ରତ୍ୟେକ ଦୁର୍ବଳ ଓ ସୀମାନ୍ତରିତ ବର୍ଗକୁ ଏଥିରେ ସାମିଲ ଲାଗି ଲାଗି ମଧୢ ଲକ୍ଷ୍ୟ ସ୍ଥିର ହୋଇଛି।

ତେବେ, ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇଥିବା ସବୁଠୁ ଅଧିକ ଉଚ୍ଚାକା˚କ୍ଷୀ ଲକ୍ଷ୍ୟଟି ହେଲା ଏକ ‘ଦାରିଦ୍ର୍ୟ ମୁକ୍ତ ଓଡ଼ିଶା’ର ସ୍ବପ୍ନ। ଯେଉଁ ଓଡ଼ିଶା ଦଶନ୍ଧି ଦଶନ୍ଧି ଧରି ଦାରିଦ୍ର୍ୟର ପ୍ରତିଶବ୍ଦ ପାଳଟି ଥିଲା, ସେଠାରେ ଦାରିଦ୍ର୍ୟକୁ ଇତିହାସ ପୃଷ୍ଠାକୁ ଠେଲି ଏକ ‘ଦାରିଦ୍ର୍ୟ ମୁକ୍ତ ଓଡ଼ିଶା’ର ସ୍ବପ୍ନଠାରୁ ଆଉ ଅଧିକ ଉଚ୍ଚାକା˚କ୍ଷୀ ଲକ୍ଷ୍ୟ କ’ଣ ହୋଇପାରେ? ଆଗାମୀ ପାଞ୍ଚବର୍ଷରେ ରାଜ୍ୟରେ ଦାରିଦ୍ର୍ୟ ହାର ୫%କୁ ଖସାଇ ଆଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସରକାରୀ ଆକଳନ ଅନୁଯାୟୀ ୨୦୦୪-୦୫ରେ ଓଡ଼ିଶାରେ ଦାରିଦ୍ର୍ୟ ହାର ୫୭.୨୦% ଥିଲା। ୨୦୧୧-୧୨ ବେଳକୁ ଏହା ୩୨.୫୯%କୁ ହ୍ରାସ ପାଇଥିଲା। ସରକାରଙ୍କ ଇକୋନମିକ୍‌ ସର୍ଭେରେ ୨୦୧୭-୧୮ରେ ରାଜ୍ୟ ଲୋକସ˚ଖ୍ୟାର ୨୬.୯୦% ଦାରିଦ୍ର୍ୟ ସାମାରେଖା ତଳେ ଥିବା ଆକଳନ କରାଯାଇଥିଲା।

ଏବେ ଲକ୍ଷ୍ୟ ପାଞ୍ଚବର୍ଷରେ ଆଗାମୀ ୨୦୨୪ ସୁଦ୍ଧା ଦାରିଦ୍ର୍ୟ ହାର ୫%କୁ ହ୍ରାସ। ଅର୍ଥାତ୍‌ ପରବର୍ତ୍ତୀ ପାଞ୍ଚ ବର୍ଷରେ ଦାରିଦ୍ର୍ୟ ହାର ପାଖାପାଖି ୨୨% ହ୍ରାସ କରି ପ୍ରାୟ କୋଟିଏ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠାଯିବ। ‘ଦାରିଦ୍ର୍ୟ ମୁକ୍ତ ଓଡ଼ିଶା’ ଲକ୍ଷ୍ୟ ଉଚ୍ଚାକା˚କ୍ଷୀ ହେଲେ ସୁଦ୍ଧା ‘ନୂଆ ଓଡ଼ିଶା’ ସ୍ବପ୍ନକୁ ସାକାର କରିବା ଲାଗି ଏକାନ୍ତ ଅପରିହାର୍ଯ୍ୟ। ଜଣେ ବ୍ୟକ୍ତି କିମ୍ବା ଗୋଟିଏ ପରିବାର ସମ୍ମାନଜନକ ଭାବେ ବଞ୍ଚି ରହିବା ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ ଦିଗରେ ସବୁଠାରୁ ବଡ଼ ଅନ୍ତରାୟ ଦାରିଦ୍ର୍ୟ। ଦାରିଦ୍ର୍ୟର ଚାପରେ ସର୍ବନିମ୍ନ ଆବଶ୍ୟକତା ପୂରଣ ନହେଲେ ବ୍ୟକ୍ତି କିମ୍ବା ପରିବାର ପକ୍ଷରେ ଅନ୍ୟ କୌଣସି ଉଚ୍ଚତର ଆକା˚କ୍ଷାର ଅବକାଶ ନଥାଏ; ଯାହା ଜୀବନ ଧାରଣ ମାନରେ ଉନ୍ନତିର ସମ୍ଭାବନାକୁ ସଙ୍କୁଚିତ କରିଥାଏ। ଉଚ୍ଚତର ଆକା˚କ୍ଷା ଲାଗି ସ୍ଥାନ ସୃଷ୍ଟି ଲାଗି ସର୍ବନିମ୍ନ ଆବଶ୍ୟକତା ପୂରଣ କ୍ଷେତ୍ରରେ ଥିବା ନିଅଣ୍ଟିଆ ଦୂର ହେବା ଏକାନ୍ତ ଆବଶ୍ୟକ ଓ ଦାରିଦ୍ର୍ୟ ଥିବା ପର୍ଯ୍ୟନ୍ତ ଏହା ସମ୍ଭବ ନୁହେଁ।

ସୁଖର କଥା, ‘ନୂଆ ଓଡ଼ିଶା’ ସ୍ବପ୍ନକୁ ବାସ୍ତବାୟିତ କରିବା ଦିଗରେ ସବୁଠାରୁ ବଡ଼ ବାଧକକୁ ଚିହ୍ନଟ କରାଯାଇଛି। ଓଡ଼ିଶା ପରିପ୍ରେକ୍ଷୀରେ ଦାରିଦ୍ର୍ୟର ମୁକାବିଲା ପାଇଁ ପ୍ରଧାନ ତଥା ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର ପ୍ରୟୋଗ ଲାଗି ମଧୢ ରଣନୀତି ସ୍ଥିର ହୋଇଛି। କୃଷିର ବିକାଶ ବିନା ଯେ ଦାରିଦ୍ର୍ୟର ମୁକାବିଲା ସମ୍ଭବ ନୁହେଁ, ଏ ବାସ୍ତବତାକୁ ହୃଦୟଙ୍ଗମ କରାଯାଇଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ପିଡି) ରେ କୃଷିର ଭାଗ ୧୫%କୁ କମି ଆସିଛି। ଅଥଚ ଜୀବିକା ଉପରେ ନିର୍ଭରଶୀଳ ଲୋକଙ୍କ ସ˚ଖ୍ୟା କମୁନାହିଁ। ଏବେ ବି ଲୋକସ˚ଖ୍ୟାର ଦୁଇ ତୃତୀୟା˚ଶ ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ। ସାଧାରଣ ଭାବେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବାର୍ଷିକ ୭ରୁ ୮%। ଅଥଚ କୃଷି ଅଭିବୃଦ୍ଧି ବାର୍ଷିକ ହାରାହାରିିି ୨.୫%। ଏହାହିଁ ସୂଚାଉଛି ଯେ, କୃଷିର ବିକାଶ ବିନା ଦାରିଦ୍ର୍ୟର ସଫଳ ମୁକାବିଲା ସମ୍ଭବ ନୁହେଁ। ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କହିଛନ୍ତି- ‘ମୋ ସରକାର ପରବର୍ତ୍ତୀ ପାଞ୍ଚବର୍ଷରେ ଦାରିଦ୍ର୍ୟ ହାରକୁ ୫%କୁ ହ୍ରାସ କରିିବା ଲାଗି କୃଷିର ବିକାଶ ଓ କୃଷକଙ୍କ କଲ୍ୟାଣକୁ ମୁଖ୍ୟ ରଣନୀତି ଭାବେ ଗୁରୁତ୍ବ ଦେବ।’ ନିକଟରେ ‘ନାବାର୍ଡ’ ପକ୍ଷରୁ ହୋଇଥିବା ଏକ ସର୍ଭେ ଅନୁଯାୟୀ ଓଡ଼ିଶାରେ ଗୋଟିଏ ଚାଷୀ ପରିବାରର ମାସିକ ହାରାହାରି ଆୟ ୭,୭୩୧ ଟଙ୍କା। କିନ୍ତୁ ଏହି ମାସିକ ଆୟରେ ଚାଷର ଭାଗ ମାତ୍ର ୧୪୬୯ ଟଙ୍କା। ଏବ˚ ପଶୁପାଳନରୁ ଆୟକୁ ମିଶାଇଲେ ମାସିକ ଆୟ ମାତ୍ର ୧୭୭୮ ଟଙ୍କା। ଏହା ସାମଗ୍ରିକ ଭାବେ ଓଡ଼ିଶାର ଗୋଟିଏ ଚାଷୀ ପରିବାର ହାରାହାରି ଆୟ। କିନ୍ତୁ ଦୁଇ ଏକରରୁ କମ୍‌ ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କ ଆୟ ନିଶ୍ଚୟ ଏହାଠାରୁ ଆହୁରି କମ୍‌। ରାଜ୍ୟର ଚାଷୀଙ୍କ ମଧୢରେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ଭାଗ ପାଖାପାଖି ୯୦%। ଏହି ସ୍ଥିତିରେ କୃଷିର ବିକାଶକୁ ଆୟୁଧ କରି ଦାରିଦ୍ର୍ୟ ମୁକାବିଲାର ଏକମାତ୍ର ପନ୍ଥା ହେଲା ଏହି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଚାଷର ଉନ୍ନତି ଓ ଚାଷୀର କଲ୍ୟାଣକୁ ଆୟୁଧ କରି ଦାରିଦ୍ର୍ୟ ମୁକାବିଲାର ରଣନୀତିକୁ କାର୍ଯ୍ୟକାରୀ କରିବା ଲାଗି ସରକାରୀ କଳର ଆବଶ୍ୟକ ପ୍ରସ୍ତୁତି ଅଛି ତ? ବୁଧବାର ବିଧାନସଭାରେ କୃଷି ସ˚କ୍ରାନ୍ତ କେତେକ ପ୍ରଶ୍ନ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରୁ ଏହାର କୌଣସି ସକାରାତ୍ମକ ସ˚କେତ ମିଳୁନାହିଁ। ରାଜ୍ୟରେ ଚାଷୀଙ୍କ ସ˚ଖ୍ୟା କେତେ? ଏ ନେଇ ମାନ୍ୟବର ମନ୍ତ୍ରୀ ମହୋଦୟଙ୍କ ପାଖରେ ତାଜା ତଥ୍ୟ ନାହିଁ। ୨୦୧୧ ଜନଗଣନା ତଥ୍ୟକୁ ଉଦ୍ଧାର କରି ମନ୍ତ୍ରୀ ଗୃହକୁ ସୂଚନା ଦେଲେ ଯେ, ରାଜ୍ୟରେ ଚାଷୀଙ୍କ ସ˚ଖ୍ୟା ୩୨.୮୦ ଲକ୍ଷ ଏବ˚ କୃଷି ଶ୍ରମିକଙ୍କ ସ˚ଖ୍ୟା ୨୪.୨୦ ଲକ୍ଷ। ଇତିମଧୢରେ ଆଠ ବର୍ଷ ବିତିଗଲାଣି, ବହୁ କୃଷି ଯୋଜନା କାର୍ଯ୍ୟକାରୀ ହେଉଛି, ଯାହାର ଅନେକ ଚାଷୀ ହିତାଧିକାରୀ, ଚାଷୀମାନେ ଜଳକର ଓ ଭୂ-ରାଜସ୍ବ ମଧୢ ପୈଠ କରୁଥିବେ। ଅଥଚ, ମନ୍ତ୍ରୀଙ୍କ ପାଖରେ ଚାଷୀଙ୍କ ସ˚ଖ୍ୟା ନେଇ ଠିକଣା ଓ ତାଜା ତଥ୍ୟ ନରହିବା ନିରାଶାଜନକ। ଏହା ସ୍ବତଃ କୃଷି ବିକାଶ ନେଇ ତତ୍ପରତା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୁଣି ଏବେ ଛଅ ବର୍ଷର ବ୍ୟବଧାନରେ ୨୦୧୩ କୃଷିନୀତି ବଦଳରେ ସରକାର ଆଉ ଏକ ନୂଆ କୃଷିନୀତି ପ୍ରଣୟନ କରିବେ ବୋଲି ଘୋଷଣା କରିଛନ୍ତି। ନୂଆ କୃଷିନୀତିର ଚୂଡ଼ାନ୍ତ ଚିଠା ଆସନ୍ତା ଜୁଲାଇରେ ପ୍ରକାଶ ପାଇବ। ରାଜ୍ୟରେ ଚାଷୀଙ୍କ ସ˚ଖ୍ୟା ଯଦି ଜଣା ନାହିଁ, ତେବେ ସରକାରୀ କୃଷିନୀତି ବିଶ୍ବସନୀୟ ହେବ କେମିତି? ପୁଣି ବିଧାନସଭାରେ ମନ୍ତ୍ରୀଙ୍କ ଅଧାପନ୍ତରିଆ ଉତ୍ତର ଚାଷୀଙ୍କ କଲ୍ୟାଣ ଓ ଜୀବିକା ସହାୟତା ପାଇଁ ଉଦ୍ଦିଷ୍ଟ ବହୁଳ ବିଜ୍ଞପିତ ‘କାଳିଆ’ ଓ କେନ୍ଦ୍ରର ‘ପିଏମ୍‌ କିଷାନ’ ଯୋଜନାର କାର୍ଯ୍ୟକାରିତା ଉପରେ ମଧୢ ପ୍ରଶ୍ନ ଚିହ୍ନ ଲଗାଉଛି। ସରକାର ନିଷ୍ପତ୍ତି ନେଇଛନ୍ତି କାଳିଆ ଯୋଜନାରେ ୭୫ ଲକ୍ଷ କୃଷିଜୀବୀ ପରିବାର ସହାୟତା ପାଇବେ। ଯଦି ସରକାରଙ୍କ ପାଖରେ ତଥ୍ୟ ନାହିଁ, ତେବେ ହିତାଧିକାରୀ ୭୫ ଲକ୍ଷ ପରିବାର ଚିହ୍ନଟ ହେବେ କେମିତି? ଅନେକ କୃଷି ବିକାଶ ଓ କୃଷକ କଲ୍ୟାଣ ଯୋଜନାର ଭାଗ୍ୟ ଏମିତି। ଯୋଜନା କାଗଜପତ୍ରରେ ରହିଯାଉଛି, ଚାଷଜମି ଓ ଚାଷୀଙ୍କ ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହିଁ।

ଏଥିରୁ ଗୋଟିଏ ବିଷୟ ସ୍ପଷ୍ଟ ହେଉଛି ଯେ, ପ୍ରଗତି ଓ ପରିବର୍ତ୍ତନ ଲାଗି ମୁଖ୍ୟମନ୍ତ୍ରୀ ମହୋଦୟ ଶୀର୍ଷ ସ୍ତରରେ ଯେଉଁ ପରିକଳ୍ପନା କରୁଛନ୍ତି, ତାହାକୁ ସରକାରୀ କଳ କ୍ଷେତ୍ର ସ୍ତରରେ ରୂପାୟିତ କରିପାରୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଓ ସମ୍ବେଦନଶୀଳତା ବିଭାଗୀୟ ମନ୍ତ୍ରୀ, ସଚିବ ଓ ଅନ୍ୟ କର୍ମଚାରୀଙ୍କ କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ। ନିର୍ବାଚନ ପାଇଁ ଅଟକି ଯାଇଥିବା ‘କାଳିଆ’ ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ ପାଇଁ ନୂଆ ମନ୍ତ୍ରୀ ପରିଷଦ ଗଠନ ଦିନ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଏକ ଲିଖିତ ଉତ୍ତର ଅନୁଯାୟୀ ଦ୍ବିତୀୟ କିସ୍ତି ଟଙ୍କା ପ୍ରଦାନ କରାଯାଇ ନାହିଁ। କ୍ୟାବିନେଟ୍‌ରେ ଗ୍ରହଣ କରାଯାଇଥିବା ଗୋଟିଏ ନିଷ୍ପତ୍ତି ଦୁଇ ସପ୍ତାହ ପରେ ମଧୢ କାର୍ଯ୍ୟକାରୀ ନହେବା ସରକାରୀ କଳର ଉଦାସୀନତା ଓ ସମ୍ବେଦନଶୂନ୍ୟତା ପ୍ରତି ଦୁଃଖଦ ଇଙ୍ଗିତ। କେବଳ କୃଷି ବିକାଶ ଓ କୃଷକ କଲ୍ୟାଣ ସ˚କ୍ରାନ୍ତ ଯୋଜନାରେ ନୁହେଁ, ପ୍ରତ୍ୟେକ ବିକାଶ ଓ କଲ୍ୟାଣ ଯୋଜନା ସରକାରୀ କଳର ଉଦାସୀନତା ଦ୍ବାରା ଆକ୍ରାନ୍ତ।

ବାର୍ତ୍ତା ହେଲା, ପରିବର୍ତ୍ତନ ଓ ପ୍ରଗତିର ରାସ୍ତାରେ ‘ନୂଆ ଓଡ଼ିଶା’ ଆଡ଼କୁ ଆଗେଇ ଯିବା ଲାଗି ରାଜ୍ୟପାଳଙ୍କ ଅଭିଭାଷଣରେ ଅଙ୍କା ଯାଇଥିବା ନକ୍ସା ଯଥେଷ୍ଟ ନୁହେଁ। କ୍ଷେତ୍ର ସ୍ତରରେ ଏହାର କାର୍ଯ୍ୟକାରିତା ପାଇଁ ସରକାରୀ କଳର ଚରିତ୍ର ଓ ଆଭିମୁଖ୍ୟରେ ପରିବର୍ତ୍ତନ ଆବଶ୍ୟକ। ଏ ପରିବର୍ତ୍ତନ କାର୍ଯ୍ୟକାରିତା ଲାଗି ଦୋରସ୍ତ ପ୍ରସ୍ତୁତିରେ ପ୍ରତିଫଳିତ ହେବା ଉଚିତ। ଅନ୍ୟଥା, ନକ୍ସାରେ ଉଜ୍ଜ୍ବଳ ଦେଖାଯାଉଥିବା ଦାରିଦ୍ର୍ୟ ମୁକ୍ତ ଓଡ଼ିଶାର ସ୍ବପ୍ନ ସେମିତି ସ୍ବପ୍ନ ହୋଇ ରହିଯିବ।

ସମ୍ବନ୍ଧିତ ଖବର