ବିଡ଼ମ୍ବିତ ଚିତ୍ର

ରାଜ୍ୟ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ ହେବା ଅବ୍ୟବହିତ ପୂର୍ବରୁ ୨୦୧୮-୧୯ ବର୍ଷର ‘ଅର୍ଥନୈତିକ ସର୍ଭେ’ ଉପସ୍ଥାପିତ ହୋଇଛି। ସର୍ଭେର ତଥ୍ୟ ଓ ପରିସ˚ଖ୍ୟାନ ଓଡ଼ିଶାର ଅର୍ଥନୈତିକ ବିକାଶର ଏକ ମିଶ୍ର ଅଥଚ ବିଡ଼ମ୍ବିତ ଚିତ୍ର ପ୍ରଦାନ କରୁଛି। ସର୍ଭେରେ ପ୍ରଦତ୍ତ କେତେକ ତଥ୍ୟ ଓ ପରିସ˚ଖ୍ୟାନ ଅର୍ଥନେତିକ ବିକାଶ ସୂଚକ ମୁଦ୍ରାର ଉଜ୍ଜ୍ବଳ ପାର୍ଶ୍ବକୁ ଦେଖାଉଥିବା ବେଳେ, ଆଉ କିଛି ତଥ୍ୟ ଏହାର ଅନୁଜ୍ଜ୍ବଳ ପାର୍ଶ୍ବକୁ ଦେଖାଉଛି। ବିକାଶ ଚିତ୍ରର ଗୋଟିଏ ପାଖ ଉତ୍ସାହ ଓ ସମ୍ଭାବନା ସୃଷ୍ଟି କରୁଛି। ଅନ୍ୟପକ୍ଷରେ ଅପର ପାଖଟି ନିରାଶା ସୃଷ୍ଟି କରି, ବିକାଶର ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ ସକାଶେ ନୂଆ ରଣନୀତି ସହ ତ୍ବରାନ୍ବିତ ପ୍ରୟାସ ପାଇଁ ଆହ୍ବାନ ଦେଉଛି।

ପ୍ରଥମେ ଅର୍ଥନୈତିକ ବିକାଶର ଉଜ୍ଜ୍ବଳ ଦିଗ ଉପରେ ଆଲୋକପାତ କରାଯାଉ। ଜାତୀୟ ହାରଠାରୁ ଅଧିକ ହାରରେ ଅର୍ଥନୈତିକ ଅଭିବୃଦ୍ଧିର ଧାରାକୁ ଓଡ଼ିଶା ବଜାୟ ରଖିଛି। ୨୦୧୮-୧୯ରେ ଜାତୀୟ ସ୍ତରରେ ବାଷିର୍କ ଅର୍ଥନୈତିକ ଅଭିବୃଦ୍ଧି ୬.୮% ରହିବ ବୋଲି ଆକଳନ କରାଯାଇଥିବା ବେଳେ ଓଡ଼ିଶାର ବାର୍ଷିକ ଅର୍ଥନୈତିକ ଅଭିବୃଦ୍ଧି ୮.୪% ହେବ ବୋଲି ସର୍ଭେରେ ଦର୍ଶାଯାଇଛି। ଗତ ୨୦୧୭-୧୮ରେ ଜାତୀୟ ସ୍ତରରେ ୬.୭% ଅଭିବୃଦ୍ଧି ତୁୁଳନାରେ ଓଡ଼ିଶାର ଅର୍ଥନୀତି ୭.୪% ହାରରେ ସ˚ପ୍ରସାରିତ ହୋଇଥିଲା। ଉଲ୍ଲେଖନୀୟ ହେଲା, ଗତ ପାଞ୍ଚବର୍ଷରେ ହାରାହାରି ଅର୍ଥନୈତିକ ଅଭିବୃଦ୍ଧି ଦୃଷ୍ଟିରୁ ଦେଶର ସବୁ ରାଜ୍ୟଙ୍କ ମଧୢରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ପାଞ୍ଚବର୍ଷରେ ଓଡ଼ିଶା ହାରାହାରି ୮.୬% ହାରରେ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଛି। ଏ ପାଞ୍ଚବର୍ଷରେ ଗୁଜୁରାଟ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ପରେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସର୍ବାଧିକ। ମୁଣ୍ତପିଛା ଆୟ ଦୃଷ୍ଟିରୁ ମଧୢ ଓଡ଼ିଶାରେ ବୃଦ୍ଧି ଉଲ୍ଲେଖନୀୟ। ରାଜ୍ୟବାସୀଙ୍କ ମୁଣ୍ତ ପିଛା ଆୟ ଗତ ସାତବର୍ଷରେ ବାର୍ଷିକ ୬.୬% ହାରରେ ୨୮୦୦୦ ଟଙ୍କା ବୃଦ୍ଧି ପାଇଛି। ଓଡ଼ିଶାରେ ମୁଣ୍ତପିଛା ଆୟରେ ଏହି ଅଭିବୃଦ୍ଧି ମଧୢ ଜାତୀୟ ହାରଠାରୁ ଅଧିକ। ଜାତୀୟ ସ୍ତରରେ ମୁଣ୍ତପିଛା ଆୟ ୬.୧% ହାରରେ ବଢ଼ିଛି। ୨୦୧୭-୧୮ରେ ଓଡ଼ିଶାରେ ମୁଣ୍ତପିଛା ଆୟ ବାର୍ଷିକ ୭୦,୭୯୯ ଟଙ୍କା ତୁଳନାରେ ୨୦୧୮-୧୯ରେ ଏହା ୭୫,୭୯୬ ଟଙ୍କାରେ ପହଞ୍ଚିଛି। ମୁଣ୍ତପିଛା ଆୟ ଦୃଷ୍ଟିରୁ ରାଜ୍ୟ ମାନଙ୍କ ମଧୢରେ ଓଡ଼ିଶା ୧୬ତମ ସ୍ଥାନରେ ରହିଛି। ଜନସ˚ଖ୍ୟା ନିୟନ୍ତ୍ରଣରେ ସଫଳତା ଓ ମୁଦ୍ରାସ୍ଫୀତି ହାର ରାଜ୍ୟରେ କମ୍‌ ଥିବାରୁ ରାଜ୍ୟବାସୀଙ୍କ କ୍ରୟ କ୍ଷମତା ବୃଦ୍ଧି ପାଇଛି। ଅର୍ଥନୈତିକ ଦୃଷ୍ଟିରୁ ନିମ୍ନ ଆୟକାରୀ ଦୁର୍ବଳତମ ୩୦% ଲୋକସ˚ଖ୍ୟାର ମାସିକ ଖର୍ଚ୍ଚ କ୍ଷମତା ଅଭିବୃଦ୍ଧିରେ ଏହା ପ୍ରତିଫଳିତ। ଅର୍ଥନୈତିକ ଦୃଷ୍ଟିରୁ ଏହି ଦୁର୍ବଳତମ ୩୦%ଙ୍କ ମାସିକ ଖାଦ୍ୟ ଓ ଅଣ-ଖାଦ୍ୟ ବାବଦ ଖର୍ଚ୍ଚ ଯଥାକ୍ରମେ ୧୨.୯% ଓ ୧୮.୦୩% ବୃଦ୍ଧି ପାଇଛି।

ନିରବଚ୍ଛିନ୍ନ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି, ମୁଣ୍ତପିଛା ଆୟ ଓ କ୍ରୟ କ୍ଷମତା ବୃଦ୍ଧି ଅର୍ଥନୈତିକ ବିକାଶର ଉଜ୍ଜ୍ବଳ ଦିଗ। ଅନ୍ୟ ପକ୍ଷରେ ଜାତୀୟ ହାରଠାରୁ ଅଧିକ ବେକାରି, ଜାତୀୟ ସ୍ତର ତୁଳନାରେ ଓଡ଼ିଶାର ଲୋକସ˚ଖ୍ୟା ତୁଳନାରେ ଶ୍ରମଶକ୍ତିର ଅନୁପାତ କମ୍‌ ରହିବା ବିକାଶର ଅନୁଜ୍ଜ୍ବଳ ଓ ନିରାଶାଜନକ ଦିଗ ପ୍ରତି ଇଙ୍ଗିତ କରୁଛି। ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିନାହିଁ। ଜାତୀୟ ହାର ତୁଳନାରେ ଓଡ଼ିଶାରେ ଅଧିକ ବେକାରି ହାର ସ˚କ୍ରାନ୍ତ ତଥ୍ୟର ତାତିରେ ଜାତୀୟ ହାର ତୁଳନାରେ ଲଗାତାର ଅଧିକ ହାରରେ ଅର୍ଥନୈତିକ ଅଭିବୃଦ୍ଧି ହାସଲର ଗୌରବ ତରଳି ଯାଉଛି। ଏନ୍‌ଏସ୍‌ଏସ୍‌ଓର ଆକଳନ ଅନୁଯାୟୀ ୨୦୧୭-୧୮ରେ ଦେଶରେ କର୍ମକ୍ଷମ ଶ୍ରମଶକ୍ତିଙ୍କ ମଧୢରେ ୬.୧% ବେକାର ଥିଲେ। ୪୫ ବର୍ଷରେ ଏହା ଦେଶରେ ସର୍ବାଧିକ ବେକାରି ହାର ଥିଲା। କିନ୍ତୁ ଓଡ଼ିଶାରେ ବେକାରଙ୍କ ଭାଗ ଆହୁରି ୧% ଅଧିକ, ଅର୍ଥାତ୍‌ ୭.୧% ଥିଲା। ରାଜ୍ୟର ଗ୍ରାମାଞ୍ଚଳରେ କର୍ମକ୍ଷମ ଶ୍ରମଶକ୍ତିର ୬.୯% ଓ ସହରାଞ୍ଚଳରେ ଆହୁରି ଅଧିକ ୮.୪% କାମଧନ୍ଦା ନ ପାଇ ବେକାର ଥିଲେ। ଜାତୀୟ ସ୍ତରରେ ମୋଟ ଲୋକସ˚ଖ୍ୟାର ୪୬.୮% ଶ୍ରମଶକ୍ତିିରେ ସାମିଲ ହୋଇଥିବା ବେଳେ ଓଡ଼ିଶାରେ ଏହା ୪୪.୯%। ଶ୍ରମଶକ୍ତିରେ ମହିଳାଙ୍କ ଅ˚ଶଗ୍ରହଣ ଜାତୀୟ ସ୍ତରରେ ୨୭% ତୁଳନାରେ ଓଡ଼ିଶାର ମାତ୍ର ୧୯.୫%।

ଉକ୍ତ ପରିସ˚ଖ୍ୟାନ କ’ଣ ସୂଚାଉଛି? ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଅତିରିକ୍ତ ନିଯୁକ୍ତି ସିଯୋଗ ସୃଷ୍ଟିରେ ବିଫଳ ହୋଇଛି। କାମଧନ୍ଦା ଚାହୁଁଥିବା କର୍ମକ୍ଷମ ବର୍ଗର ସବୁ ଲୋକଙ୍କୁ ରୋଜଗାରର ଅବସର ମିଳୁନାହିଁ। ଏହା ଉଚ୍ଚ ଅଭିବୃଦ୍ଧି ସୂଚାଉଥିବା ଅର୍ଥନୈତିକ ବିକାଶର ଉଜ୍ଜ୍ବଳତାକୁ ନିଶ୍ଚୟ ଫିକା ପକାଇ ଦେଉଛି। ଶିଳ୍ପ କ୍ଷେତ୍ରରେ ୯.୩%, ଖଣିରେ ୪.୩% ଓ ନିର୍ମାଣ କ୍ଷେତ୍ରରେ ୧୫.୮% ଅଭିବୃଦ୍ଧି ଘଟିଛି। କିନ୍ତୁ ସେଥିରେ ରାଜ୍ୟବାସୀ ଭାଗିଦାର ହୋଇ ନ ପାରିବା ଏକ ବିଡ଼ମ୍ବନା। ଅଭିବୃଦ୍ଧି ସତ୍ତ୍ବେ, କେଉଁ କାରଣରୁ ଅତିିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିଲା ନାହିଁ? ଯଦି ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା, ତେବେ ରାଜ୍ୟର କର୍ମଶକ୍ତି କାହିଁକି ସେଥିରେ ସାମିଲ ହୋଇ ପାରିଲେ ନାହିଁ? ନିଯୁକ୍ତିକ୍ଷମ ଦକ୍ଷତାର ଅଭାବ ନା ଏଥିପାଇଁ ଅନ୍ୟ ଆଉ କିଛି କାରଣ ରହିଛି? ଏ ସବୁ ପ୍ରଶ୍ନର ଉତ୍ତର ଖୋଜାଯିବା ଏକାନ୍ତ ଆବଶ୍ୟକ। ଅନ୍ୟଥା ବେକାର ସମସ୍ୟାର ପ୍ରଭାବଶାଳୀ ମୁକାବିଲା ହୋଇ ପାରିବ ନାହିଁ। ବର˚, ସମସ୍ୟା ଅଧିକ ଉତ୍କଟ ହେବା ଆଶଙ୍କା ରହିଛି। ଅର୍ଥନୈତିକ ଅଭିବୃଦ୍ଧି ଯେପରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୁଏ ସେଥିପ୍ରତି ସମୁଚିତ ଧୢାନ ଦେଇ ଆବଶ୍ୟକ ରଣନୀତି ସ୍ଥିର କରିବାକୁ ପଡ଼ିବ। ନିକଟରେ ସରକାର ଘୋଷଣା କରିବାକୁ ଯାଉଥିବା ନୂଆ ଶିଳ୍ପ ନୀତିରେ ନିଯୁକ୍ତି ଅବଶ୍ୟ ପ୍ରାଥମିକତାର ଅପେକ୍ଷା ରଖୁଛି। ରାଜ୍ୟରେ ସ୍ଥାପିତ କଳକାରଖାନାରେ ସ୍ଥାନୀୟ ଲୋକଙ୍କୁ ୭୫% ନିଯୁକ୍ତି ନୀତି ଯଥେଷ୍ଟ ନୁହେଁ।

ସବୁଠାରୁ ଚିନ୍ତାର ବିଷୟ ହେଲା, ନିରବଚ୍ଛିନ୍ନ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧିର ଏହି ଉଜ୍ଜ୍ବଳ କାହାଣୀରେ ରାଜ୍ୟ ଲୋକସ˚ଖ୍ୟାର ସର୍ବାଧିକ ନିର୍ଭରଶୀଳ କୃଷିକ୍ଷେତ୍ରର ଭୂମିକା ଅତ୍ୟନ୍ତ ନଗଣ୍ୟ। ରାଜ୍ୟ ଶ୍ରମଶକ୍ତିର ପାଖାପାଖି ଅଧା-୪୮.୮% କୃଷିରେ ନିୟୋଜିତ। ଅଥଚ, ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ରେ କୃଷିର ଭାଗ ଲଗାତାର ସ˚କୁଚିତ ହୋଇ ଚାଲିଛି। ଅର୍ଥନୈତିକ ସର୍ଭେର ତଥ୍ୟ ଅନୁଯାୟୀ ୨୦୦୩-୦୪ରେ ଜିଏସ୍‌ଡିପିକୁ କୃଷିର ଅବଦାନ ୨୭.୭% ଥିଲା। ୨୦୧୮-୧୯ରେ ଜିଏସ୍‌ଡିପିରେ କୃଷିର ଭାଗ ୧୮.୯%କୁ ଖସି ଆସିଛି। କୃଷି କ୍ଷେତ୍ରର ଆଉ ଏକ ଦୁର୍ଭାଗ୍ୟ ହେଲା, ଘନଘନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟରେ କୃଷି ଅଭିବୃଦ୍ଧି ଆଦୌ ସ୍ଥିର ନୁହେଁ। ୨୦୧୭-୧୮ରେ କୃଷି କ୍ଷେତ୍ର ୮.୨% ବିଯୁକ୍ତାତ୍ମକ ଅଭିବୃଦ୍ଧିର ଶିକାର ହୋଇଥିଲା। ୨୦୧୮-୧୯ରେ ୮.୩% ଅଭିବୃଦ୍ଧିର ଆଶା କରାଯାଉଛି; ଯାହା ଗତବର୍ଷର କ୍ଷତିକୁ ଭରଣା ଲାଗି ଯଥେଷ୍ଟ ନୁହେଁ। ସେମିତି, ୨୦୧୫-୧୬ ଓ ୨୦୧୭-୧୮ରେ ମଧୢ କୃଷି କ୍ଷେତ୍ରରେ ଯଥାକ୍ରମେ ୧୩% ବିଯୁକ୍ତାତ୍ମକ ଓ ୨୦% ଅଭିବୃଦ୍ଧି ହୋଇଥିଲା। ଗୋଦରା କୋଡେ଼ ଯେତେ, ମାଡେ଼ ସେତେ ଭଳି ବର୍ଷେ ଛାଡ଼ି ବର୍ଷେ ବିଯୁକ୍ତାତ୍ମକ ଅଭିବୃଦ୍ଧି ଯୋଗୁ କୃଷିର ବିପର୍ଯ୍ୟସ୍ତ ଅବସ୍ଥା ବଦଳି ପାରୁନାହିଁ। ଲୋକସ˚ଖ୍ୟାର ପାଖାପାଖି ଦୁଇ ତୃତୀୟା˚ଶ ନିର୍ଭରଶୀଳ କୃଷି କ୍ଷେତ୍ରର ଏ ସ୍ଥାଣୁବସ୍ଥା, ରାଜ୍ୟରେ ଅର୍ଥନୈତିକ ଅସମାନତାକୁ ପ୍ରଶ୍ରୟ ଦେଉଛି। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଅର୍ଥନୈତିକ ଅସମାନତା ସାମାଜିକ ଅସମାନତାକୁ ପ୍ରୋତ୍ସାହିତ କରେ।

ତେଣୁ, ସମାଜର ସବୁ ବର୍ଗଙ୍କୁ ବିକାଶରେ ସହଭାଗୀ କରାଇ ସାମାଜିକ ବିକାଶର ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ ଅପରିହାର୍ଯ୍ୟ। ଏଥି ପାଇଁ ପ୍ରାକ୍‌ ଆବଶ୍ୟକତା ହେଲା, ସମଷ୍ଟିଗତ ଅର୍ଥନୈତିକ ବିକାଶ ବା ଅର୍ଥନୈତିକ ବିକାଶର ଅନ୍ତର୍ଭୁକ୍ତୀକରଣ। ଏହା ସେତେବେଳେ ସମ୍ଭବ, ଯେତେବେଳେ ସମାଜର ସବୁ ବର୍ଗଙ୍କ ମଧୢରେ ଅର୍ଥନୈତିକ ଅଭିବୃଦ୍ଧିଜନିତ ସୁଫଳର ସୁଷମ ବଣ୍ଟନ ହୋଇପାରିବ। ବିଶେଷ କରି ଯେତେବେଳେ, ସମାଜର ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗ ଏଥିରେ ଭାଗିଦାର ହୋଇପାରେିବେ।

ସମ୍ବନ୍ଧିତ ଖବର