ଯଥାର୍ଥ ପ୍ରାଥମିକତା

ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବଜେଟ୍‌ ବିଧାନସଭାରେ ଆଗତ ହୋଇଛି। ଅର୍ଥମନ୍ତ୍ରୀ ଭାବେ ନିରଞ୍ଜନ ପୂଜାରୀ ମହୋଦୟ ଗୃହରେ ତାଙ୍କର ପ୍ରଥମ ବଜେଟ୍‌ ଉପସ୍ଥାପନ ଅବସରରେ ଦେଇଥିବା ଭାଷଣରେ ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଦୁଇଟି କବିତାର ଦୁଇଟି ପୃଥକ୍‌ ପୃଥକ୍‌ ପ˚କ୍ତି ଉଦ୍ଧାର କରିଥିଲେ। କୃଷି ବଜେଟ୍‌ ଶେଷରେ ମେହେରଙ୍କ ‘କୃଷିର ଗୌରବ’ କବିତାରୁ ଗୋଟିଏ ପ˚କ୍ତି ଏବ˚ ‘ଉଦ୍‌ବୋଧନ’ କବିତାରୁ ଆଉ ଗୋଟିଏ ପ˚କ୍ତି ଆବୃତ୍ତି କରି ଅର୍ଥମନ୍ତ୍ରୀ ବଜେଟ ଭାଷଣ ସମାପ୍ତ କରିଥିଲେ। ତେବେ ଗୃହର ସଦସ୍ୟ ଓ ଗଣମାଧୢମକୁ ଦିଆଯାଇଥିବା ବଜେଟ ଭାଷଣର ମୁଦ୍ରିତ ପୁସ୍ତିକାରେ ‘ଉଦ୍‌ବୋଧନ’ କବିତାରୁ ଉଦ୍ଧୃତ ପ˚କ୍ତିରେ କେତେକ ମୁଦ୍ରଣ ତ୍ରୁଟି ରହିଛି। ଫଳରେ କବିତା ମାଧୢମରେ ଭାବ ପ୍ରକାଶ ପାଇଁ ମାନ୍ୟବର ମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଠିକଣା ଭାବେ ସାଧିତ ହୋଇପାରିନାହିଁ। କିନ୍ତୁ ଅର୍ଥମନ୍ତ୍ରୀ ମହୋଦୟ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟରେ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପ୍ରାଥମିକତା ଧାର୍ଯ୍ୟ କରିବାରେ କୌଣସି ତ୍ରୁଟି କରିନାହାନ୍ତି। ବଜେଟରେ ନିର୍ଧାରିତ ପ୍ରାଥମିକତା ସବୁ ଯଥାର୍ଥ। ବିକାଶ ଓ କଲ୍ୟାଣ ପରିପ୍ରେକ୍ଷୀରେ ଯେଉଁ ସବୁ କ୍ଷେତ୍ର ପ୍ରାଥମିକତାର ଅପେକ୍ଷା ରଖେ, ୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ୍‌ରେ ଅର୍ଥମନ୍ତ୍ରୀ ସେ ସବୁ କ୍ଷେତ୍ରକୁ ସମାନୁପାତିକ ପ୍ରାଥମିକତା ଦେଇ ଆବଶ୍ୟକ ବ୍ୟୟବରାଦ କରିଛନ୍ତି। ବଜେଟର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ କ୍ଷମତାସୀନ ରାଜନୈତିକ ନେତୃତ୍ବ ବଜେଟ୍‌ ଜରିଆରେ ରାଜ୍ୟବାସୀଙ୍କୁ ଯେଉଁ ବାର୍ତ୍ତା ଦେବାକୁ ଚାହାନ୍ତି, ତାହାକୁ ମଧୢ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ବଜେଟର ବାର୍ତ୍ତା ହେଲା, ରାଜ୍ୟବାସୀ ଯେଉଁ ଆଶା ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ପୁଣିଥରେ ଆସ୍ଥା ଓ ବିଶ୍ବାସ ପ୍ରକାଶ କରିଛନ୍ତି, ସେହି ଆଶା ପୂରଣ ଲାଗି ସରକାର ଉଦ୍ୟମରତ। ପ୍ରଗତି ଓ ପରିବର୍ତ୍ତନର ରାସ୍ତାରେ ‘ନୂଆ ଓଡ଼ିଶା’ ଗଠନ ଦିଗରେ ଯାତ୍ରାକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟପାଳଙ୍କ ଅଭିଭାଷଣରେ ଯେଉଁ ନୀଳ ନକ୍ସାର ସୂଚନା ଦିଆଯାଇଥିଲା, ତାହାକୁ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କ ନିଷ୍ଠା, ଆନ୍ତରିକତା ଓ ସର୍ବୋପରି ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବଜେଟରେ ପ୍ରତିଫଳିତ ହୋଇଛି।

ବିକାଶକୁ ଗତି ଦେବା ଉଦ୍ଦେଶ୍ୟରେ ୨୦୧୯-୨୦ ବଜେଟରେ ପ୍ରାଥମିକତା ତାଲିକାରେ ସ୍ଥାନ ପାଇଥିବା ବିବିଧ କ୍ଷେତ୍ର ମଧୢରେ ଶୀର୍ଷରେ ରହିଛି କୃଷି। ସଙ୍କଟଗ୍ରସ୍ତ କୃଷିର ପୁନରୁଦ୍ଧାର ଓ ଦୁର୍ଦଶାଗ୍ରସ୍ତ କୃଷକଙ୍କ କଲ୍ୟାଣ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସୁଥିବା କୃଷି ବଜେଟର ସପ୍ତମ ସ˚ସ୍କରଣରେ ୨୦,୭୪୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ମୋଟାମୋଟି ବଜେଟ ବ୍ୟୟ ଅଟକଳ ଗତବର୍ଷ ତୁଳନାରେ ୧୫.୮% ବୃଦ୍ଧି କରାଯାଇଥିବା ବେଳେ, କୃଷି ବଜେଟରେ ବ୍ୟୟବରାଦ ୨୩.୫% ବୃଦ୍ଧି କରାଯାଇଛି। ୨୦୧୩-୧୪ର ପ୍ରଥମ କୃଷି ବଜେଟ ତୁଳନାରେ ଏଥରର ବ୍ୟୟବରାଦ ପାଖାପାଖି ୩ ଗୁଣ ଅଧିକ। କୌଣସି ନୂଆ ଯୋଜନା କୃଷି ବଜେଟରେ ଘୋଷଣା କରାଯାଇନାହିଁ। ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ଲକ୍ଷ୍ୟରେ ପୁରୁଣା ଯୋଜନା ଗୁଡ଼ିକର ନବୀକରଣ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ହେଲା, ‘କାଳିଆ’ ଯୋଜନାର ସ˚ପ୍ରସାରଣ କରି ୭୫ ଲକ୍ଷ କୃଷିଜୀବୀ ପରିବାରଙ୍କୁ ଜୀବିକା ସହାୟତା ପ୍ରଦାନ ଲାଗି ୫,୬୧୧ କୋଟି ବ୍ୟୟବରାଦ କରାଯାଇଛି। ଏହି ସ˚ପ୍ରସାରଣ ଫଳରେ ‘କାଳିଆ’ କୃଷି କ୍ଷେତ୍ର ପାଇଁ ଏକ ସାର୍ବଜନୀନ ଯୋଜନାର ରୂପ ନେଇଛି। ଜଳସେଚନ ପାଇଁ ପାଞ୍ଚବର୍ଷରେ ୫୦ ହଜାର କୋଟି ଟଙ୍କା ବିନିଯୋଗର ଘୋଷଣା ଅନୁଯାୟୀ ପ୍ରଥମ କିସ୍ତିରେ ବଜେଟରେ ୯,୭୧୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କୃଷି ସହ ସାମଗ୍ରିକ ଭାବେ ଗ୍ରାମାଞ୍ଚଳ ବିକାଶ ମଧୢ ଗୁରୁତ୍ବ ପାଇଛି। ପୃଥକ୍‌ ଭାବେ ଗ୍ରାମାଞ୍ଚଳ ବିକାଶ ଲାଗି ୨୦, ୮୦୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳ, ବିଦ୍ୟୁତ୍‌କରଣ ଓ ବାସଗୃହ ଯୋଗାଣ ବାବଦ ବର୍ଧିତ ପାଣ୍ଠି ମଞ୍ଜୁର ଲାଗି ପ୍ରସ୍ତାବ ରହିଛି।

ସାମାଜିକ ବିକାଶ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିର ବିକାଶ ମଧୢ ପ୍ରାଥମିକତା ତାଲିକାରେ ରହିଛି। ଏହି ସବୁ କ୍ଷେତ୍ର ପାଇଁ ପୂର୍ବାପେକ୍ଷା ଅଧିକ ଯଥାକ୍ରମେ ୧୯,୪୯୨ କୋଟି, ୬,୭୮୩ କୋଟି ଏବ˚ ୧୭,୮୦୯ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରଳୟଙ୍କରୀ ‘ଫନୀ’ ବାତ୍ୟା ଦ୍ବାରା ପ୍ରଭାବିତ ଅଞ୍ଚଳରେ ପୁନଃନିର୍ମାଣ ବେଳେ ବାତ୍ୟା ପ୍ରତିରୋଧକ ଭିତ୍ତିଭୂମି ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଶିଶୁ କଲ୍ୟାଣ, ବିକାଶ ଓ ମହିଳାଙ୍କ କଲ୍ୟାଣ ଓ ସଶକ୍ତୀକରଣ ପ୍ରାଥମିକତା ପାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର। ଏ କ୍ଷେତ୍ର ପାଇଁ ବ୍ୟୟବରାଦ ଉଲ୍ଲେଖନୀୟ ଭାବେ ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ବଜେଟରେ ବିଭିନ୍ନ ବିଭାଗ ଦ୍ବାରା ମହିଳା ଓ ଶିଶୁଙ୍କ କଲ୍ୟାଣ ଓ ବିକାଶ ଲାଗି ଖର୍ଚ୍ଚର ଏକ ସମନ୍ବିତ ହିସାବ ଦିଆଯାଇଛି। ଏହି ହିସାବ ଅନୁଯାୟୀ ୨୦୧୭-୧୮ରେ ମହିଳା ଓ ଶିଶୁଙ୍କ ପାଇଁ ୨୭,୮୧୩ କୋଟି ଟଙ୍କା ଖର୍ଚ୍ଚ ତୁଳନାରେ ୨୦୧୯-୨୦ ବଜେଟରେ ବ୍ୟୟବରାଦ ୪୬,୪୮୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ୬୭% ଅଧିକ। ଏହି ବ୍ୟୟବରାଦର ୨୯% ‘ମିସନ ଶକ୍ତି’ ଜରିଆରେ ଖର୍ଚ୍ଚ ହେବ। ରାଜନୈତିକ ଦୃଷ୍ଟିରୁ ଏହା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ଶାସକ ଦଳର ରାଜନୈତିକ ସୂଚୀରେ ମହିଳା କଲ୍ୟାଣ ଓ ସଶକ୍ତୀକରଣର ସ୍ବତନ୍ତ୍ର ଗୁରୁତ୍ବ ରହିଛି। ସାମାଜିକ ଦୃଷ୍ଟିରୁ ଦୁର୍ବଳତମ ଅନୁସୂଚୀତ ଜାତି ଓ ଜନଜାତିଙ୍କ ପାଇଁ ମଧୢ ୨୩,୭୬୦ କୋଟି ଟଙ୍କା ବ୍ୟୟବରାଦ ସବୁ କ୍ଷେତ୍ର ମଧୢରେ ସର୍ବାଧିକ। ପ୍ରାଥମିକତା ତାଲିକାରେ ଥିବା ପାନୀୟ ଜଳ, ବିପର୍ଯ୍ୟୟ ପରିଚାଳନା ବାବଦ ଯଥାକ୍ରମେ ୫୦୦୦ କୋଟି ଏବ˚ ୪,୬୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ପୌର ନିର୍ବାଚନକୁ ଆଖି ଆଗରେ ରଖି ସହରାଞ୍ଚଳ ବିକାଶ ପ୍ରତି ସ୍ବତନ୍ତ୍ର ଧୢାନ ଦିଆଯାଇଛି। ପୌରସ˚ସ୍ଥା ଓ ଆଞ୍ଚଳିକ ଉନ୍ନୟନ ପ୍ରାଧିକରଣ ଗୁଡ଼ିକୁ ଲାଗି ୬,୪୯୦ କୋଟି ଟଙ୍କା ହସ୍ତାନ୍ତରର ବ୍ୟବସ୍ଥା ହୋଇଛି।

ମୋଟାମୋଟି ସବୁ କ୍ଷେତ୍ରରେ ଉନ୍ନୟନ କାର୍ଯ୍ୟ ସହ ସମ୍ପୃକ୍ତ ସମସ୍ତ ବିଭାଗ ଗୁଡ଼ିକ ପାଇଁ ବଜେଟରେ ପୂର୍ବାପେକ୍ଷା ଅଧିକ ବ୍ୟୟବରାଦ ହୋଇଛି। ମୋଟ ୧.୩୯ ଲକ୍ଷ କୋଟି ଟଙ୍କାର ବ୍ୟୟ ଅଟକଳରୁ ୬୦%ରୁ ଅଧିକ ଅର୍ଥ ଯୋଜନା କ୍ରିୟାନ୍ବୟନ ପାଇଁ ବରାଦ ହୋଇଛି। ଦରମା, ପେନ୍‌ସନ ସମେତ ପ୍ରଶାସନିକ ଖର୍ଚ୍ଚ ବାବଦ ପ୍ରାୟ ୪୦% ଖର୍ଚ୍ଚ ଅଟକଳ କରାଯାଇଛି। ୨୦୧୯-୨୦ ବଜେଟରେ ବ୍ୟୟବରାଦ ଆଲୋଚନା ବେଳେ ଦୁଇଟି ବିଷୟ ବିଶେଷ ଉଲ୍ଲେଖର ଅପେକ୍ଷା ରଖୁଛି; ଯାହା ରାଜ୍ୟର ଆର୍ଥିକ ସ୍ଥିତିରେ ଉନ୍ନତି ଓ ବିକାଶ କ୍ଷେତ୍ରରେ ଲଗାତାର ବିନିଯୋଗ ବୃଦ୍ଧିର ସୂଚନା ଦେଉଛି। ୨୦୦୭-୦୮ରୁ ୨୦୧୯-୨୦ ମଧୢରେ ଯୋଜନା ବାବଦ ବ୍ୟୟବରାଦ ପାଖାପାଖି ୧୫ ଗୁଣ ବୃଦ୍ଧି ପାଇ ୫,୧୦୫ କୋଟି ଟଙ୍କାରୁ ବଢ଼ି ୭୪,୬୦୦ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ବିକାଶର ସୂଚକ କୁହାଯାଉଥିବା ପୁଞ୍ଜିଗତ ଖର୍ଚ୍ଚର ପରିମାଣ ମଧୢ ଏହି ସମୟ ମଧୢରେ ୧୨ ଗୁଣ ବୃଦ୍ଧି ପାଇ ୨,୮୪୩ କୋଟିରୁ ୨୪,୭୩୪ କୋଟି ଟଙ୍କା ହୋଇଛି। ଏକ ବିକାଶମୁଖୀ ରାଜ୍ୟରେ ପୁଞ୍ଜିଗତ ଖର୍ଚ୍ଚ ଜିଡିପିର ୪.୫%ରେ ପହଞ୍ଚିବା ଗୋଟିଏ ସୁସ୍ଥ ସଙ୍କେତ। ଋଣ ଭାର ବୃଦ୍ଧି ନେଇ କେତେକ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। କିନ୍ତୁ ଋଣ ଅର୍ଥ ଯେପର୍ଯ୍ୟନ୍ତ ବିକାଶ ପାଇଁ ବିନିଯୋଗ ହେଉଛି, ସେପର୍ଯ୍ୟନ୍ତ ବିଶେଷ ଚିନ୍ତାର କାରଣ ନାହିଁ। ୨୦୧୯-୨୦ରେ ୨୩,୭୪୩ କୋଟି ଟଙ୍କା ଋଣ ଉଠାଇବା ପ୍ରସ୍ତାବ ଅଛି। କିନ୍ତୁ ତାହା ସହ ବଜେଟ୍‌ ପ୍ରସ୍ତାବ ଅନୁଯାୟୀ ଯଦି ୨୪,୪୭୩ କୋଟି ଟଙ୍କା ପୁଞ୍ଜିଗତ ଖର୍ଚ୍ଚ ହୁଏ, ତେବେ ସମସ୍ୟା ନାହିଁ। ରାଜ୍ୟର ଋଣ ଭାର ୧ ଲକ୍ଷ ୬ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଅଟକଳ କରାଯାଇଛି। କିନ୍ତୁ ତଥାପି ଏହା ଧାର୍ଯ୍ୟ ସର୍ବୋଚ୍ଚ ସୀମା ଜିଡିପିର ୨୫% ରୁ କମ୍‌। ବର୍ଷ ଶେଷକୁ ଋଣ ପରିମାଣ ଜିଡିପିର ୧୯.୪୭% ହେବ। ଋଣ ଭାର ନେଇ ଚିନ୍ତା ନଥିଲେ ସୁଦ୍ଧା ବିତ୍ତୀୟ ନିଅଣ୍ଟ ପରିମାଣ ଧାର୍ଯ୍ୟ ସୀମା ଜିଡିପିର ୩%ରୁ ଅଧିକ ୩.୪୯% ହେବା ନିଶ୍ଚୟ ଏକ ଚିନ୍ତାର ବିଷୟ। ଏହା ଆର୍ଥିକ ପରିଚାଳନାରେ ଅଧିକ ଦକ୍ଷତାର ଅପେକ୍ଷା ରଖୁଛି।

ବଜେଟର ବର୍ଧିତ ବ୍ୟୟବରାଦ ବିକାଶ ପ୍ରକ୍ରିୟାକୁ ତ୍ବାରାନ୍ବିତ ଓ ସାମାଜିକ ସୁରକ୍ଷା, ସଶକ୍ତୀକରଣ ଦିଗରେ କଲ୍ୟାଣ କାର୍ଯ୍ୟକ୍ରମଗୁଡିକୁ ଅଧିକ ବ୍ୟାପକ କରିବ ବୋଲି ନିଶ୍ଚୟ ଆଶା ସୃଷ୍ଟି କରୁଛି। କିନ୍ତୁ ଫଳେନ ପରିଚୟେତ୍‌- ନ୍ୟାୟରେ ସବୁ ନିର୍ଭର କରେ କାର୍ଯ୍ୟକ୍ରମ ଓ ଯୋଜନା ରୂପାୟନର ଚିତ୍ର, ଚରିତ୍ର ଉପରେ। ଅପ୍ରୀତିକର ହେଲେ ମଧୢ ଏହା ଏକ ନିଷ୍ଠୁର ବାସ୍ତବତା ଯେ, ବଜେଟରେ ବରାଦ ଅର୍ଥର ଖର୍ଚ୍ଚ କରି ଯୋଜନାର ରୂପାୟନ କ୍ଷେତ୍ରରେ ଦକ୍ଷତା, ଆନ୍ତରିକତା ଓ ସ୍ବଚ୍ଛତାରେ ଉତ୍କଟ ନିଅଣ୍ଟିଆ ରହିଆସୁଛିି। ଫଳରେ ଯେଉଁ ଅନୁପାତରେ ଯୋଜନା ବାବଦ ବ୍ୟୟବରାଦ ବଢ଼ୁଛି, ସେହି ଅନୁପାତରେ ବିକାଶରେ ଅଗ୍ରଗତି ହେଉନାହିଁ। କଲ୍ୟାଣ କ୍ଷେତ୍ରରେ ମଧୢ ସମାନ ଅବସ୍ଥା। ଶେଷ ମୁଣ୍ତର ହିତାଧିକାରୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମବର ସୁଫଳ ପହଞ୍ଚିି ପାରୁନାହିଁ। କିଛି ଅବାଞ୍ଛିତ ଅହେତୁକ ଫାଇଦା ମାରିନେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। ଯୋଜନା ଓ କାର୍ଯ୍ୟକ୍ରମ ରୂପାୟନ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ‘୫-ଟି’ ଉପରେ ଗୁରୁତ୍ବ ଦେଇଛନ୍ତି। ବର୍ଷ ଶେଷରେ ଜଣାପଡ଼ିବ ‘୫ଟି’କୁ ମନ୍ତ୍ର କରି ବଜେଟ୍‌ ଅର୍ଥର କିଭଳି ବିନିଯୋଗ ହୋଇଛି ଓ ରାଜ୍ୟରେ ବିକାଶ କ୍ଷେତ୍ରରେ ନିଅଣ୍ଟିଆ କେତେ ମାତ୍ରାରେ ଭରଣା ହୋଇଛି। ଶେଷ ମୁଣ୍ତରେ ଥିବା ହିତାଧିକାରୀ ପର୍ଯ୍ୟନ୍ତ କଲ୍ୟାଣ କାର୍ଯ୍ୟକ୍ରମର ଲାଭ କେତେଦୂର ପହଞ୍ଚିଛି। ବଜେଟର ଆକାର ଯେମିତି ଆଖିଦୃଶିଆ, ରାଜ୍ୟରେ ବିକାଶ ମଧୢ ସେମିତି ଆଖିଦୃଶିଆ ଓ କଲ୍ୟାଣ କାର୍ଯ୍ୟକ୍ରମର ପ୍ରଭାବ ଅନୁଭୂତ ହେବା ଉଚିତ। ଆଶା, ପରବର୍ତ୍ତୀ ବଜେଟ ଉପସ୍ଥାପନ ପୂର୍ବରୁ ୨୦୧୯-୨୦ ବଜେଟ ଅର୍ଥର ବିନିଯୋଗରେ ବିକାଶ ଓ କଲ୍ୟାଣର ଏକ ହିସାବ ଫର୍ଦ୍ଦ ଉପସ୍ଥାପନ କରି ସରକାର ଉତ୍ତରଦାୟିତ୍ବ ନିର୍ବାହ କରିିବେ।

ସମ୍ବନ୍ଧିତ ଖବର