ଭାରତୀୟ ଅର୍ଥନୀତିର ଆକାରକୁ ପାଖାପାଖି ଦେଢ଼ଗୁଣ ବୃଦ୍ଧି କରାଯାଇ ଆଗାମୀ ୨୦୨୫ ସୁଦ୍ଧା ‘୫ ଟ୍ରିଲିୟନ୍‌ ଡଲାର’ (୫ ଲକ୍ଷ କୋଟି ଡଲାର) ଅର୍ଥନୀତିରେ ପରିଣତ କରାଯିବ। ଗତ ଜୁନ୍‌ ୧୫ ତାରିଖ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉଚ୍ଚାକା˚କ୍ଷୀ ଲକ୍ଷ୍ୟ ଘୋଷଣା କରିଥିଲେ। ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଆଗତର ଅବ୍ୟବହିତ ପୂର୍ବରୁ ଆଜି (ଗୁରୁବାର) ସ˚ସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ‘ଇକୋନମିକ୍‌ ସର୍ଭେ’ରେ ‘୫ ଟ୍ରିଲିୟନ୍‌’ ଲକ୍ଷ୍ୟ ହାସଲ ପାଇଁ ପ୍ରସ୍ତୁତ ଗୋଟିଏ ନକ୍ସାର ସୂଚନା ଦିଆଯାଇଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ.ଭି ସୁବ୍ରମନ୍ୟନ୍‌ଙ୍କ ତତ୍ତ୍ବାବଧାନରେ ପ୍ରସ୍ତୁତ ‘ଇକୋନମିକ ସର୍ଭେ ଅନୁଯାୟୀ ୫ ଲକ୍ଷ କୋଟି ଡଲାର ଅର୍ଥନୀତିର ଲକ୍ଷ୍ୟ ହାସଲ ପାଇଁ ବାର୍ଷିକ ହାରାହାରି ୮% ହାରରେ ଅର୍ଥନୈତିକ ଅଭିବୃଦ୍ଧି ଆବଶ୍ୟକ। ମାନ୍ଦାବସ୍ଥା ଫଳରେ ୨୦୧୮-୧୯ରେ ୬.୮% ଅଭିବୃଦ୍ଧି ପରିପ୍ରେକ୍ଷୀରେ ବାର୍ଷିକ ହାରାହାରି ୮% ଅଭିବୃଦ୍ଧି କଠିନ ମନେ ହେଉଛି। କିନ୍ତୁ ବିଗତ ପାଞ୍ଚବର୍ଷରେ ହାରାହାରି ବାର୍ଷିକ ୭.୫% ହାରରେ ଅର୍ଥନୀତିର ସ˚ପ୍ରସାରଣ ଆଧାରରେ ୮% ହାରରେ ବାର୍ଷିକ ଅଭିବୃଦ୍ଧି ଅବଶ୍ୟ ସମ୍ଭବ ବୋଲି ସର୍ଭେରେ ଦୃଢ଼ ଆଶା ପ୍ରକାଶ କରାଯାଇଛି।

Advertisment

ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ନେଇ ଏ ଦୃଢ଼ ଆଶାର ଯଥାର୍ଥତା ଦର୍ଶାଇବା ଲାଗି ସର୍ଭେରେ ଏକାଧିକ କାରଣର ଉଲ୍ଲେଖ ରହିଛି। ସର୍ଭେରେ କୁହାଯାଇଛି ଯେ, ଭାରତୀୟ ଅର୍ଥନୀତି କଡ଼ ଲେଉଟାଇ ମାନ୍ଦାବସ୍ଥାରୁ ମୁକୁଳିି ପୁଣି ଅଭିବୃଦ୍ଧି ରାସ୍ତାକୁ ଫେରିଛି। ଘରୋଇ ପୁଞ୍ଜି ନିବେଶ ବୃଦ୍ଧି ଓ ଖାଉଟି ଚାହିଦା ବଢ଼ିବା ଏହାର ସ˚କେତ। ଗୋଟିଏ ପକ୍ଷରେ ଅର୍ଥନୀତି ସୁସ୍ଥ ହେଉଥିବା ବେଳେ ମୋଦୀ ସରକାର ଦ୍ବିତୀୟ ବାର ସରକାରକୁ ଫେରିବା ଫଳରେ ଦେଶରେ ବାହାଲ ହୋଇଥିବା ରାଜନୈତିକ ସ୍ଥିରତା ଅଭିବୃଦ୍ଧିକୁ ବେଗ ଦେବା ସକାଶେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ସାମଗ୍ରିକ ଭାବେ ବାତାବରଣରେ ସକାରାତ୍ମକ ପରିବର୍ତ୍ତନ ନିବେଶକଙ୍କ ମଧୢରେ ଆତ୍ମବିଶ୍ବାସ ବୃଦ୍ଧି କରିଛି। ଫଳରେ ଅଭିବୃଦ୍ଧି ତ୍ବରାନ୍ବିତ ହେବା ସମ୍ଭାବନା ମଧୢରେ ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ଅର୍ଥନୀତିର ସ˚ପ୍ରସାରଣ ୭% ହେବ ବୋଲି ଆଶା ପ୍ରକାଶ କରାଯାଇଛି। ଦେଶର ଇନ୍ଧନ ଆବଶ୍ୟକତା ପୂରଣ ପାଇଁ ୮୦% ଆମଦାନୀ ତୈଳ ଉପରେ ନିର୍ଭରଶୀଳତା ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ବଜାରରେ ତୈଳ ଦର ସ୍ଥିର କିମ୍ବା ହ୍ରାସ ପାଇବା ନେଇ ଆକଳନ ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବ୍ୟଗ୍ର ସରକାରଙ୍କ ପକ୍ଷରେ ଆଉ ଏକ ଆଶ୍ବସ୍ତି। ବିତ୍ତୀୟ ନିଅଣ୍ଟ ପରିମାଣ ୨୦୧୫-୧୬ର ୩.୯% ଓ ବିଗତ ଦୁଇବର୍ଷରେ ୩.୫% ତୁଳନାରେ ୩.୪%କୁ ଖସିଛି। ଅବଶ୍ୟ, ଏବେବି ବିତ୍ତୀୟ ନିଅଣ୍ଟ ଧାର୍ଯ୍ୟ ସୀମା ୩.୩%ରୁ ଅଧିକ ରହିଛି। ବିତ୍ତୀୟ ନିଅଣ୍ଟ ପରିମାଣ ହ୍ରାସ ଓ ମୁଦ୍ରାସ୍ଫୀତି ହାର ନିୟନ୍ତ୍ରଣରେ ରହିଥିବା ବିଷୟ ଅର୍ଥନୀତି ନେଇ ଆଶାବାଦୀ ହେବା ଲାଗି ଅବକାଶ ଦେଉଛି।

ମୋଟାମୋଟି, ସ˚ସଦରେ ଉପସ୍ଥାପିତ ଇକୋନମିକ୍‌ ସର୍ଭେରେ ଆଗାମୀ ଦିନରେ ଭାରତୀୟ ଅର୍ଥନୀତିର ଏକ ଗୋଲାପୀ ଚିତ୍ର ଅଙ୍କାଯାଇଛି। ‘୫ ଟ୍ରିଲିୟନ୍‌’ ଲକ୍ଷ୍ୟ ଆଡକୁ ରାସ୍ତା ଧରିଲାଣି ବୋଲି ସୂଚନା ଦିଆଯାଇଛି। କିନ୍ତୁ ସର୍ଭେର ସ˚ଖ୍ୟା, ପରିସ˚ଖ୍ୟାନ ଓ ବିଭିନ୍ନ ପ୍ରକାର ଗ୍ରାଫ୍‌ରେ ଅର୍ଥନୀତିର ଆଗାମୀ ଚିତ୍ର ଯେତିକି ଗୋଲାପୀ ଦେଖାଯାଉଛି, ବର୍ତ୍ତମାନ ବାସ୍ତବତାର କଷଟିରେ ପରଖିଲେ ସେ ଗୋଲାପୀ ରଙ୍ଗ ସେତିକି ଫିକା ମନେ ହେବ। ଅର୍ଥନୈତିକ ପାଣିପାଗରେ ସକାରାତ୍ମକ ପରିବର୍ତ୍ତନ ନେଇ ଅନୁକୂଳ ସ˚କେତର ବିଶ୍ବସନୀୟତା ମଧୢ ସନ୍ଦେହାତୀତ ନୁହେଁ। ‘୫ ଟ୍ରିଲିୟନ୍‌’ ଲକ୍ଷ୍ୟ ଆଡ଼କୁ ରାସ୍ତା ଯେତେ ସହଜ ବୋଲି ଦର୍ଶାଯାଉଛି, ବାସ୍ତବରେ ତାହା ସେତେ ସହଜ ନୁୁହେଁ, ପଥ ବେଶ୍‌ ଆହ୍ବାନଭରା। ଅର୍ଥନୈତିକ ଅଭିବୃଦ୍ଧିିର ମୁଖ୍ୟ ଇନ୍ଧନ ହେଲା ପୁଞ୍ଜି ବିନିଯୋଗ। ପୁଞ୍ଜି ବିନିଯୋଗ ବଢ଼ୁଛି ବୋଲି ଦାବି କରି ଉଚ୍ଚ ଅଭିବୃଦ୍ଧି ଆଶା କରାଯାଉଛି। କିନ୍ତୁ ବାସ୍ତବରେ ପୁଞ୍ଜି ବିନିଯୋଗ ଉତ୍ସାହଜନକ ନୁହେଁ। ‘ସେଣ୍ଟର ଫର ମନିଟରି˚ ଅଫ୍‌ ଇଣ୍ତିଆନ୍‌ ଇକୋନମି’ (ସି.ଏମ୍‌.ଆଇ.ଇ.)ର ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଯେତିକି ପରିମାଣର ପୁଞ୍ଜି ବିନିଯୋଗ ହୋଇଛି, ତାହା ପୂର୍ବବର୍ଷ ତୁଳନାରେ ବହୁତ କମ୍‌। ଜୁନ୍‌ ସୁଦ୍ଧା ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗର ପରିମାଣ ୪୩୦୦୦ କୋଟି ଟଙ୍କା ଥିଲା। ଏହା ଗତବର୍ଷ ତୁଳନାରେ ୮୭% କମ୍‌। ଏହାପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷର ଶେଷ ତିନିମାସରେ ମଧୢ ପୁଞ୍ଜି ବିନିଯୋଗ, ପୂର୍ବବର୍ତ୍ତୀ ବର୍ଷ ତୁଳନାରେ ୮୧% କମ୍‌ ଥିଲା। ଅର୍ଥାତ୍‌ ଜୁନ୍‌ ସୁଦ୍ଧା ବିଗତ ଛଅ ମାସରେ ଯେତିକି ପରିମାଣର ପୁଞ୍ଜି ବିନିଯୋଗ ହୋଇଛି, ତାହା ଅର୍ଥନୀତିକୁ ମାନ୍ଦାବସ୍ଥାରୁ ଉଦ୍ଧାର କରି ଅଭିବୃଦ୍ଧିକୁ କ୍ଷିପ୍ର୍ରତର କରିବ ବୋଲି ଆଶାକୁ ବିଶ୍ବସନୀୟତା ପ୍ରଦାନ କରୁନାହିଁ। ରିଜର୍ଭବ୍ୟାଙ୍କ୍‌ କୋହଳ ଆଭିମୁଖ୍ୟ ଗ୍ରହଣ କରି କ୍ରମାଗତ ଦୁଇଥର ସୁଧହାର ହ୍ରାସ କରିଛନ୍ତି। ଫଳରେ ଋଣ ପ୍ରଦାନରେ ସାମାନ୍ୟ ଅଭିବୃଦ୍ଧି ଘଟିଥିଲେ ସୁଦ୍ଧା କ୍ଷେତ୍ରସ୍ତରରେ ପୁଞ୍ଜି ବିନିଯୋଗରେ ତାହା ଅଦ୍ୟାବଧି ପ୍ରତିଫଳିତ ହୋଇ ନାହିଁ। ତେବେ ଏ ପ୍ରସଙ୍ଗରେ ସବୁଠାରୁ ବଡ଼ ସମସ୍ୟା ହେଲା, ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ କାରଣରୁ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳର ପ୍ରକଳ୍ପ ଅଟକି ରହିଛି; ଯାହା ଅର୍ଥନୀତିକୁ ପ୍ରଭାବିତ କରୁଛି। ଅଟକି ରହିଥିବା ଏ ସବୁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ପୁନର୍ବାର ଆରମ୍ଭ କରିବା ଏକ ବଡ଼ ଆହ୍ବାନ। ଅଧିକା˚ଶ ପ୍ରକଳ୍ପର ନିର୍ମାଣରେ ଅଚଳାବସ୍ଥାର ମୁଖ୍ୟ କାରଣ ପାଣ୍ଠି ଅଭାବ। ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣ ପରିମାଣ କିଛି ମାତ୍ରାରେ ହ୍ରାସ ପାଇଛି। କିନ୍ତୁ ତଥାପି ଚିନ୍ତାଜନକ ସ୍ତରରେ ରହିଛି, ଯାହା ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକ ପାଇଁ ପାଣ୍ଠି ପ୍ରବାହକୁ ପ୍ରଭାବିତ କରିଛି। ଏହାଛଡ଼ା ଅଣବ୍ୟାଙ୍କି˚ ବିତ୍ତୀୟ ଅନୁଷ୍ଠାନ କ୍ଷେତ୍ରରେ ସଙ୍କଟ ଆଉ ଏକ ସମସ୍ୟା। ଆନ୍ତର୍ଜାତିକ ବଜାରରେ ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଭାରତର ରପ୍ତାନି ସନ୍ତୋଷଜନକ କୁହାଯାଇପାରେ। କିନ୍ତୁ ବିଗତ ଦୁଇବର୍ଷ ତୁଳନାରେ ୨୦୧୮-୧୯ରେ ରପ୍ତାନି ଅଭିବୃଦ୍ଧି ହାର କମ୍‌ ରହିଛି। ଏହା ଦର୍ଶାଉଛି ଯେ ପୁନରୁଦ୍ଧାର ରାସ୍ତାରେ ଭାରତୀୟ ଅର୍ଥନୀତି ପାଇଁ ଆହୁରି ବହୁତ ବାଟ ବାକି ଅଛି।

‘ଅର୍ଥନୈତିକ ସର୍ଭେ’ରେ କେତେକ ପରସ୍ପର ବିରୋଧାତ୍ମକ ତଥ୍ୟ ଆଗାମୀ ଦିନ ପାଇଁ ଆଶା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ପକ୍ଷରେ କୁହାଯାଇଛି ଯେ, ଖାଉଟିଙ୍କ ମଧୢରେ ଅଣ-ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଛି। ଅନ୍ୟ ପକ୍ଷରେ ଜିଏସଟି ବାବଦ ରାଜସ୍ବ ଆୟରେ ହ୍ରାସ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି। ଖାଉଟିଙ୍କ ମଧୢରେ ଯଦି ଚାହିଦା ବଢ଼ିଛି, ତେବେ ଜିଏସଟି ଆୟ କମୁଛି କାହିଁକି? ପୁଣି ଗ୍ରାମାଞ୍ଚଳରେ ଅର୍ଥନୀତି ସୁଧୁରୁଛି ବୋଲି ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷରେ କୁହାଯାଇଛି ଯେ, ଉଚିତ ମୂଲ୍ୟ ନ ପାଇବା ଫଳରେ ଚାଷୀମାନେ କୃଷି ଉତ୍ପାଦନ କମାଇ ଦେଇଛନ୍ତି। ଏହି ପରସ୍ପର ବିରୋଧାତ୍ମକ ବିବରଣୀ ଅର୍ଥନୀତିର ଭବିଷ୍ୟତ ଆକଳନ ନେଇ ବିଭ୍ରାନ୍ତି ସୃଷ୍ଟି କରୁଛି। ପୁଣି ଘରେ ନପଶୁଣୁ ମୁଣ୍ତରେ ଚାଳ ବାଜିଲା ଭଳି ‘୫ ଟ୍ରିଲିୟନ’ ଲକ୍ଷ୍ୟ ରାସ୍ତାରେ ପ୍ରଥମ ପାଦରେ ଚଳିତ ବର୍ଷ ୭% ଅଭିବୃଦ୍ଧିର ଆଶା ଉପରେ ଅନିଶ୍ଚିତ ମୌସୁମୀ ଆଶଙ୍କା ସୃଷ୍ଟି କରିଛି। ଦେଶର ୬୦% ଚାଷ ଜମିରେ ଫସଲ ବର୍ଷା ପାଣି ଉପରେ ନିର୍ଭର କରେ। ଅଥଚ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଚରଣ ବର୍ତ୍ତମାନ ସୁଦ୍ଧା ନିରାଶାଜନକ। ଜୁନ ୧ରୁ ଜୁଲାଇ ୨ ମଧୢରେ ଦେଶରେ ସ୍ବାଭାବିକତା ଠାରୁ ୬୯% କମ୍‌ ବୃଷ୍ଟିପାତ ହୋଇଛି। ଫଳତଃ ଚାଷ କାର୍ଯ୍ୟ ବିଳମ୍ବିତ ହେଉଛି ଓ ଏହାଦ୍ବାରା କୃଷି ଉତ୍ପାଦନ ଓ ଉତ୍ପାଦକତା ବିଶେଷ ପ୍ରଭାବିତ ହେବା ଆଶଙ୍କା ଦେଖା ଦେଇଛି। ୨୦୧୮-୧୯ରେ କୃଷି ଅଭିବୃଦ୍ଧି ପୂର୍ବବର୍ତ୍ତୀ ବର୍ଷର ୫% ତୁଳନାରେ ୨.୭%କୁ ହ୍ରାସ ପାଇଥିଲା। ଏ ବର୍ଷ ମୌସୁମୀର ଅନିଶ୍ଚିତତା କୃଷି ସ˚କଟକୁ ଅଧିକ ଘନୀଭୂତ କରିବା ଆଶଙ୍କାକୁ ଅସ୍ବୀକାର କରାଯାଇ ନ ପାରେ। ଦେଶର ଜିଡିପିରେ କୃଷିର ଭାଗ କମି ଚାଲିିଥିଲେ ସୁଦ୍ଧା କୃଷି ସଙ୍କଟ ଲାଗି ରହିିଲେ ‘୫ ଟ୍ରିଲିୟନ’ ଲକ୍ଷ୍ୟ ହାସଲ ଆହୁରି କଠିନ ହୋଇପଡ଼ିବ। ଗୁରୁତ୍ବପୂର୍ଣ୍ଣ ହେଲା, ଉଚ୍ଚ ଅଭିବୃଦ୍ଧି ସହ ‘୫ ଟ୍ରିଲିୟନ’ ଅର୍ଥନୀତିର ଲକ୍ଷ୍ୟ କୌଣସିମତେ ହାସଲ ହେଲେ ସୁଦ୍ଧା ସେଥିରେ କୃଷି ଉପରେ ନିର୍ଭରଶୀଳ ୬୦% ଦେଶବାସୀ ଭାଗିଦାର ହୋଇପାରିବେ ନାହିଁ। ଅର୍ଥନୀତିକୁ ଗତି ଦେଇ ‘୫ ଟ୍ରିଲିୟନ୍‌’ ଲକ୍ଷ୍ୟ ହାସଲ ସକାଶେ ବ୍ୟାପକ ଅର୍ଥନୈତିକ ସ˚ସ୍କାର ଉପରେ ସର୍ଭେରେ ଗୁରୁତ୍ବ ଦିଆଯାଇଛ। ଆଶା କରାଯାଇଛି ଯେ, ରାଜନୈତିକ ସ୍ଥିରତା ସ˚ସ୍କାର ପାଇଁ ସୁଯୋଗ ସୃଷ୍ଟି କରିବ। ତେବେ ସାମଗ୍ରିକ ଭାବେ ଅର୍ଥନୈତିକ ସ˚ସ୍କାର ବିଷୟ ଚିନ୍ତା କଲା ବେଳେ କୃଷି କ୍ଷେତ୍ରର ସ˚ସ୍କାର ମଧୢ ଯଥୋଚିତ ଗୁରୁତ୍ବର ଅପେକ୍ଷା ରଖେ।