‘‘ଆଇ ଉଇଲ୍ ନଟ୍ ସିଜ୍ ଫ୍ରମ୍ ମେଣ୍ଟାଲ୍ ଫ୍ଲାାଇଟ୍,/ନର୍ ସାଲ୍ ମାଇଁ ସୋର୍ଡ ସ୍ଲିପ୍ ଇନ୍ ମାଇଁ ହାଣ୍ଡ,/ ଟିଲ୍ ଉଇ ହାଭ୍ ବିଲ୍ଟ ଜେରୁସେଲମ୍/ ଇନ୍ ଇଂଲାଣ୍ଡ୍’ସ ଗ୍ରୀନ୍ ଆଣ୍ଡ୍ ପ୍ଲେଜାଣ୍ଟ୍ ଲ୍ୟାଣ୍ଡ।’’ ଯାହାର ଓଡ଼ିଆ ଗଦ୍ୟ ଅନୁବାଦ ହେବ- ଯେ ପର୍ଯ୍ୟନ୍ତ ଇଂଲାଣ୍ଡର ସବୁଜ ଏବଂ ଆନନ୍ଦମୟ ଭୂମିରେ ଆମେ ଜେରୁସେଲମ ଗଢ଼ି ସାରିନାହେଁ, ମୁଁ ମୋ ମାନସ ଉଡ଼ାଣରୁ ବିରତ ହେବି ନାହିଁ, କି ମୋ ଖଡ୍ଗ ମୋ ହାତରେ ନିଦ୍ରା ଯିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅଷ୍ଟାଦଶ-ଊନବିଂଶ ଶତାବ୍ଦୀର ପ୍ରସିଦ୍ଧ ଇଂରେଜ କବି ଓ୍ଵିଲିଅମ୍ ବ୍ଲେକ୍ଙ୍କ ରଚିତ ‘ଜେରୁସେଲମ୍’ କବିତାର ଏହି ଅନ୍ତିମ ପଦରେ ଯେଉଁ ସଂକଳ୍ପ ଘୋଷଣା କରାଯାଇଛି, ତାର ସ୍ଥାନ କାଳ ପାତ୍ର ଭିନ୍ନ ହୋଇଥିଲେ ହେଁ ଜେରୁସେଲମ୍ ପ୍ରତି ଏଥିରେ ଯେଉଁ ପ୍ରତିଶ୍ରୁତି ବଦ୍ଧତା ନିହିତ ଅଛି, ମନେ ହେଉଛି ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କର ଏକ ସଦ୍ୟ ପଦକ୍ଷେପ ତାହାର ଏକ ନିଚ୍ଛକ ପ୍ରତିଫଳନ। ସବୁଜ ସୁନ୍ଦର ଇଂଲାଣ୍ଡ୍ରେ ଏକ ଜେରୁସେଲମ୍ ନିର୍ମାଣ କରିବାକୁ ବ୍ଲେକ୍ କରିଥିବା ଉଦାତ୍ତ ଘୋଷଣାକୁ କେହି ତାହାର ଆକ୍ଷରିକ ଅର୍ଥରେ ଗ୍ରହଣ କରନ୍ତି ନାହିଁ, କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ହୋନାଲ୍ଡ ଟ୍ରମ୍ପ୍ ଜେରୁସେଲମ୍ ସମ୍ପର୍କରେ ଯେଉଁ ଘୋଷଣା କରିଥିଲେ ବର୍ତ୍ତମାନ ତାକୁ ଅକ୍ଷରେ ଅକ୍ଷରେ ପାଳନ କରି ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି।
ନିର୍ବାଚନ ଅଭିଯାନ ସମୟରେ ଆମେରିକାସ୍ଥିତ ଇହୁଦୀମାନଙ୍କୁ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ରାଷ୍ଟ୍ରପତି ଟ୍ରମ୍ପ୍ ଜେରୁସେଲମ୍କୁ ଇସ୍ରାଏଲ୍ର ରାଜଧାନୀ ରୂପେ ସ୍ୱୀକୃତି ପ୍ରଦାନ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୧୯୪୮ରେ ଇସ୍ରାଏଲ ଦେଶ ପ୍ରତିଷ୍ଠିତ ହେବା ପରେ ବର୍ତ୍ତମାନ ଜେରୁସେଲମ୍କୁ ସେ ଦେଶର ରାଜଧାନୀ ରୂପେ ସ୍ୱୀକୃତି ପ୍ରଦାନ କରିବାରେ ପ୍ରଥମ ଦେଶ ହୋଇଛି ଆମେରିକା। ସମୟକ୍ରମେ ଆମେରିକା ବର୍ତ୍ତମାନ ଇସ୍ରାଏଲ୍ରେ ଥିବା ତା’ର ଦୂତାବାସକୁ ଟେଲ୍ଆଭିଭ୍ରୁ ଜେରୁସେଲମ୍କୁ ସ୍ଥାନାନ୍ତରିତ କରିବା ଏବେ ପ୍ରାୟ ନିଶ୍ଚିତ ହୋଇ ପଡ଼ିଛି। ଇସ୍ରାଏଲ୍ ସର୍ବଦା ଜେରୁସେଲମ୍କୁ ତା’ର ରାଜଧାନୀ ରୁପେ ପ୍ରଦର୍ଶିତ କରି ଆସିଥିଲେ ହେଁ ସେଠାକାର ପାଲେଷ୍ଟିନୀୟମାନେ ଏହାକୁ କେବେହେଲେ ସ୍ୱୀକାର କରିନାହାନ୍ତି। ଅପରପକ୍ଷେ ସେମାନେ ପୂର୍ବ-ଜେରୁସେଲମ୍କୁ ଭବିଷ୍ୟତରେ ସୃଷ୍ଟି ହେବାକୁ ସମ୍ଭାବନା ଥିବା ପାଲେଷ୍ଟାଇନ୍ ଦେଶର ରାଜଧାନୀ ରୂପେ ଦାବି କରି ଆସୁଛନ୍ତି। ଅବଶ୍ୟ ବର୍ତ୍ତମାନର ପରିସ୍ଥିତି ଦେଖିଲେ ମନେହୁଏ ନିକଟ ଭବିଷ୍ୟତରେ ଏକ ପାଲେଷ୍ଟାଇନ୍ ଦେଶ ପ୍ରତିଷ୍ଠାର କୌଣସି ବାସ୍ତବ ସମ୍ଭାବନା ନାହିଁ; ଏହା ଏକ ଦିବା ସ୍ୱପ୍ନ ମାତ୍ର।
ଆମେରିକାର ଉପରୋକ୍ତ ଘୋଷଣା ଆରବ କୁଆ ବସାରେ ଢମଣା ପଶିବା ପରି ହୋଇଛି। ଆମେରିକାର ମିତ୍ର ରାଷ୍ଟ୍ର ସାଉଦୀ ଆରବର ରାଜା ସଲମାନ୍ ବିନ୍ ଅବଦୁଲ୍ଅଜିଜ୍ ଆଲ୍-ସାଉଦ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମେରିକାର ଏହି ପଦକ୍ଷେପ ପୃଥିବୀସାରା ମୁସଲମାନମାନଙ୍କୁ ଖୋଲାଖୋଲି ଉତ୍ତେଜିତ କରିବା ନିଶ୍ଚିତ। ପାଲେଷ୍ଟିନୀୟ ନେତା ମହମୁଦ୍ ଆବ୍ବାସ୍ ସତର୍କବାଣୀ ଶୁଣାଇ ଦେଇଛନ୍ତି ଯେ ଏହାର ବିପଜ୍ଜନକ ପରିଣତି ସ୍ୱରୂପ ସେଠାରେ ଚାଲିଥିବା ଶାନ୍ତି ପ୍ରତିଷ୍ଠା ଉଦ୍ୟମ ବ୍ୟାହତ ହେବା ସହିତ କେବଳ ସେ ଅଞ୍ଚଳ ନୁହେଁ, ସାରା ପୃଥିବୀର ଶାନ୍ତି ଓ ନିରାପତ୍ତା ବାଧାପ୍ରାପ୍ତ ହେବ। ସଶସ୍ତ୍ର ପ୍ରତିରୋଧକାରୀ ଗୋଷ୍ଠୀ ହମାସ୍ର ନେତା ଇସ୍ମାଇଲ୍ ହାନିୟା ଆସନ୍ତା ଶୁକ୍ରବାରକୁ କ୍ରୋଧ ଦିବସ ରୂପେ ପାଳନ କରିବାକୁ ଡାକରା ଦେଇ ସାରିଲେଣି। ଜୋର୍ଡାନ୍ର ରାଜା ଅବଦୁଲ୍ଲା ଆମେରିକାର କାର୍ଯ୍ୟକୁ ନିନ୍ଦା କରି ଏହା ଶାନ୍ତି ପ୍ରକ୍ରିୟାକୁ ବ୍ୟାହତ କରିବା ସଙ୍ଗେ ସଙ୍ଗେ ମୁସଲମାନମାନଙ୍କୁ ଉସ୍କାଇବ ବୋଲି ଚେତାବନୀ ଶୁଣାଇଛନ୍ତି। ମିଶରର ରାଷ୍ଟ୍ରପତି ଆବ୍ଦେଲ୍ ଫାତା ଆଲ୍-ସିସି ଅପେକ୍ଷାକୃତ ନରମ ଶବ୍ଦରେ ସମାନ ମନୋଭାବ ପ୍ରକାଶ କରି ରାଷ୍ଟ୍ରପତି ଟ୍ରମ୍ପ୍ଙ୍କୁ ସେ ଅଞ୍ଚଳର ପରିସ୍ଥିତି ଜଟିଳ ନକରିବାକୁ ଅନୁରୋଧ କରିଛନ୍ତି।
ଜେରୁସେଲମ୍କୁ ନେଇ ଆରବ ଦେଶମାନଙ୍କର ଏଭଳି ପ୍ରତିକ୍ରିୟାର କାରଣ ବୁଝିବା କଷ୍ଟକର ନୁହେଁ। ଇସ୍ରାଏଲ୍ ଓ ପାଲେଷ୍ଟିନୀୟ ଆରବ ମାନଙ୍କ ମଧ୍ୟରେ ଦୀର୍ଘକାଳ ଧରି ଚାଲିଥିବା ବିବାଦରେ ସ୍ୱାଭାବିକ ଭାବରେ ସେ ଅଞ୍ଚଳର ସମସ୍ତ ଆରବ ଦେଶମାନେ ପାଲେଷ୍ଟିନୀୟମାନଙ୍କୁ ସମର୍ଥନ କରି ଆସିଛନ୍ତି। କେବଳ ଆରବ ମାନେ ନୁହନ୍ତି ପୃଥିବୀସାରାର ଅନ୍ୟ ସମସ୍ତ ମୁସଲମାନମାନେ ମଧ୍ୟ ଭ୍ରାତୃସୁଲଭ ମନୋଭାବ ପୋଷଣ କରି ପାଲେଷ୍ଟିନୀୟମାନଙ୍କୁ ସମର୍ଥନ କରିଥାନ୍ତି। ଆଉ ଇସ୍ରାଏଲ୍-ପାଲେଷ୍ଟିନୀୟ ବିବାଦର ସ୍ନାୟୁ କେନ୍ଦ୍ର ହେଉଛି ଜେରୁସେଲମ୍। ଜେରୁସେଲମ୍ ହେଉଛି ତିନିଟିଯାକ ଆବ୍ରାହମୀୟ ଧର୍ମ-ଇହୁଦୀମାନଙ୍କର ଜୁଡୀୟଧର୍ମ, ଖ୍ରୀଷ୍ଟଧର୍ମ ଏବଂ ଇସ୍ଲାମ-ର ପବିତ୍ରତମ ପୀଠ। ବିଶେଷକରି ପୂର୍ବ-ଜେରୁସେଲମ୍ ହେଉଛି ଏ ତିନିଧର୍ମର ମିଳନପୀଠ। ୧୯୬୭ର ଯୁଦ୍ଧରେ ବିଜୟ ଲାଭ କରି ଇସ୍ରାଏଲ୍ ଜୋର୍ଡାନ୍ଠାରୁ ଏହି କ୍ଷେତ୍ର ଛଡ଼ାଇ ଆଣି ନିଜ ଅଞ୍ଚଳରେ ମିଶାଇ ଦେଇଥିଲା। ସେବେଠାରୁ ଇସ୍ରାଏଲ୍ ସମଗ୍ର ଜେରୁସେଲମ୍କୁ ନିଜର ଅବିଭକ୍ତ ରାଜଧାନୀ ରୂପେ ବିଚାର କରି ଆସିଛି।
୧୯୯୩ରେ ହୋଇଥିବା ଇସ୍ରାଏଲ୍-ପାଲେଷ୍ଟାଇନ୍ ଶାନ୍ତି ଚୁକ୍ତି ଅନୁସାରେ ଜେରୁସେଲମ୍ର ଅନ୍ତିମ ଅବସ୍ଥା ଶାନ୍ତି କଥାବାର୍ତ୍ତାର ପରବର୍ତ୍ତୀ ପର୍ଯ୍ୟାୟମାନଙ୍କରେ ନିର୍ଣ୍ଣିତ ହେବା କଥା। ଜେରୁସେଲମ୍ ଉପରେ ଇସ୍ରାଏଲ୍ର ସାର୍ବଭୌମତ୍ୱ କେବେହେଲେ ଏଯାଏଁ ଆନ୍ତର୍ଜାତିକ ସ୍ୱୀକୃତି ଲାଭ କରି ନାହିଁ। ଇସ୍ରାଏଲ୍ ସହିତ କୂଟନୈତିକ ସମ୍ପର୍କ ରଖିଥିବା ପୃଥିବୀର ସମସ୍ତ ଦେଶ ସେମାନଙ୍କର ଦୂତାବାସ ଟେଲ୍ଆଭିଭ୍ଠାରେ ହିଁ ରଖିଛନ୍ତି। ୧୯୬୭ଠାରୁ ଇସ୍ରାଏଲ୍ କିନ୍ତୁ ପୂର୍ବ-ଇସ୍ରାଏଲ୍ରେ ନିଜର ଉପସ୍ଥିତି ଜାହିର କରିବାରେ ଲାଗିଛି। ଏହି କ୍ରମରେ ଇସ୍ରାଏଲ୍ ସେ ଅଞ୍ଚଳରେ ପ୍ରାୟ ଏକ ଡଜନ ବସତି ସ୍ଥାପନ କରିଛି ଯେଉଁଠାରେ ପ୍ରାୟ ଦୁଇଲକ୍ଷ ଇହୁଦୀ ବସବାସ କରୁଛନ୍ତି। ଆନ୍ତର୍ଜାତିକ ଆଇନ ଅନୁସାରେ ଏହା ଅବୈଧ ହୋଇଥିଲେ ହେଁ, ଇସ୍ରାଏଲ୍ ଏଥିରେ କେବେ ଏକମତ ନୁହେଁ। ବର୍ତ୍ତମାନ ଆମେରିକା ଜେରୁସେଲମ୍କୁ ଇସ୍ରାଏଲ୍ର ରାଜଧାନୀ ରୂପେ ସ୍ୱୀକୃତି ପ୍ରଦାନ କଲା ପରେ ସେଇ ସମୀକରଣରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିବ। ପୂର୍ବ-ଜେରୁସେଲମ୍ରେ ଇସ୍ରାଏଲ୍ ସ୍ଥାପନ କରିଥିବା ବସତିମାନ ଯେ ସମ୍ପୂର୍ଣ୍ଣ ବୈଧ, ଆମେରିକାର ସଦ୍ୟତମ ପଦକ୍ଷେପ ତାହାର ପ୍ରମାଣ ରୂପେ ଇସ୍ରାଏଲ୍ ପ୍ରଦର୍ଶିତ କରିବ।
ଟ୍ରମ୍ପ୍ ପ୍ରଶାସନର ଘୋଷଣାରେ ସ୍ପଷ୍ଟ କରାଯାଇଛି ଯେ ଏହା ହୋଇଛି ବାସ୍ତବ ପରିସ୍ଥିତିକୁ ସ୍ୱୀକୃତି ପ୍ରଦାନ ମାତ୍ର। କିନ୍ତୁ ଜେରୁସେଲମ୍ର ଅନ୍ତିମ ସୀମା ନିର୍ଦ୍ଧାରଣ ଏକ ଅନ୍ତିମ ରାଜିନାମା ଉପରେ ନିର୍ଭର କରେ। ଟେଲ୍ଆଭିଭ୍ରୁ ଆମେରିକୀୟ ଦୂତାବାସକୁ ମଧ୍ୟ ତତ୍କ୍ଷଣାତ୍ ଜେରୁସେଲମ୍କୁ ସ୍ଥାନାନ୍ତରିତ କରାଯିବାର ସମ୍ଭାବନା ନାହିଁ, ଯଦିବା ଅଚିରେ ତାହା ଘଟିବ। ମନେରଖିବା କଥା ଯେ ଜେରୁସେଲମ୍ସ୍ଥିତ ଇସ୍ଲାମୀୟ ପବିତ୍ର ପୀଠର ତତ୍ତ୍ୱାବଧାରକ ହେଉଛନ୍ତି ସାଉଦୀଆରବ ଏବଂ ଜୋର୍ଡାନ୍। ସେମାନେ ଏବେ ପ୍ରକଟ କରିଥିବା ବିରୋଧ ସମଗ୍ର ମୁସଲମାନ ଦୁନିଆକୁ ଉତ୍ତେଜିତ କରି ତୋଳିପାରେ। ଜେରୁସେଲମ୍କୁ ଆଳ କରି ଯଦି ପୃଥିବୀ ସାରା ଇସ୍ଲାମୀୟ ଆତଙ୍କବାଦୀ କାର୍ଯ୍ୟକଳାପରେ ବିସ୍ଫୋରକ ବୃଦ୍ଧି ଘଟେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଟ୍ରମ୍ପ୍ଙ୍କ ସପକ୍ଷରେ କିନ୍ତୁ ଏତିକି କୁହାଯାଇପାରେ ଯେ ସେ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି, ଯାହା ରାଜନେତାମାନେ କ୍ୱଚିତ କରିଥାନ୍ତି। କିନ୍ତୁ ତା’ସହିତ ଏକଥା ମଧ୍ୟ ମନକୁ ଆସେ ‘‘ଫୁଲ୍ସ ରସ୍ ଇନ୍ ହେ୍ଵଆର୍ ଆଞ୍ଜେଲ୍ସ ଫିଅର୍ ଟୁ ଟ୍ରେଡ୍’’ (ବିଜ୍ଞମାନେ ଯେଉଁଠି ପାଦ ପକାଇବାକୁ ଡରନ୍ତି ବୋକାମାନେ ସେଠାକୁ ଧସେଇ ପଶନ୍ତି)। ଏସବୁ ଦେଖି ଶେଷରେ ଲ୍ୟାରୀ କଲିନ୍ସ ଓ ଡୋମିନିକ୍ ଲାପିଏର୍ଙ୍କୁ ଅନୁସରଣ କରି ଆମେ ହତାଶ ହୋଇ କହିବୁ: ‘ଓ’ଜେରୁସେଲମ୍’।