ସାମ୍ୟବାଦୀ ମୋଦୀ

ଜୁନ୍‌ ଶେଷ ଆଡ଼କୁ ବମ୍ବେ ସେଆର‌୍‌ ବଜାରରେ ସେନ୍‌ସେକ୍ସ ସର୍ବକାଳୀନ ସର୍ବୋଚ୍ଚ ୪୦,୩୧୨ ଛୁଇଁଥିଲା। ତା ପରେ ଗତ କିଛି ଦିନ ଧରି ଲଗାତାର ହ୍ରାସ ପାଇ ଚାଲିଥିବା ସେନ୍‌ସେକ୍‌ସ ‌ସୋମବାର ଦିନ କାରବାର ଶେଷ ହେଲା ବେଳକୁ ପୂର୍ବ କାର୍ଯ୍ୟ ଦିବସ ଠାରୁ ଆହୁରି ୩୦୫ ପଏଣ୍ଟ ହ୍ରାସ ପାଇ ୩୮,୦୩୧ରେ ବନ୍ଦ ହୋଇଛି। ଏହା ମଧୢ ଏକ ଉଚ୍ଚ ସ˚ଖ୍ୟା ହେଲେ ବି ପ୍ରାୟ ଏକ ମାସ ମଧୢରେ ସେନ୍‌ସେକ୍ସରେ ପ୍ରାୟ ୨,୦୦୦ ପଏଣ୍ଟ ହ୍ରାସ ଘଟିବାର ତାତ୍ପର୍ଯ୍ୟକୁ ଏହା ପୂରାପୂରି ଘୋଡ଼ାଇ ଦେଇ ପାରିବ ନାହିଁ। ଏହି ଦୁଇ ପରିସ˚ଖ୍ୟାନର ମଧୢବର୍ତ୍ତୀ ସମୟରେ ଘଟିଥିବା ଏକ ଘଟଣାର ଯେ ଏହି ସ˚କୋଚନ ସହିତ ଘନିଷ୍ଠ ସମ୍ପର୍କ ରହିଛି, ତାହା ଜଣେ ସାଧାରଣ ପର୍ଯ୍ୟବେକ୍ଷକକୁ ମଧୢ ଜଳ ଜଳ ହୋଇ ଦିଶିଥାଏ। ଘଟଣାଟି ହେଉଛି ଜୁଲାଇ ୫ ତାରିଖରେ ମୋଦୀ ସରକାରର ନୂତନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା କେନ୍ଦ୍ର ବଜେଟ୍‌।

ସେଆର‌୍‌ ବଜାରରେ ପୁଞ୍ଜିନିବେଶକୁ ଏକ ପ୍ରକାର ଜୁଆଖେଳ ରୂପେ ବିଚାର କରାଯାଇଥାଏ। ନିବେଶକମାନେ ସେଆର‌୍‌ ଦାମ୍‌ରେ ବୃଦ୍ଧି ଘଟିଲେ ଲାଭ କରିବା ଉଦ୍ଦେଶ୍ୟରେ ସେଆର‌୍‌ କ୍ରୟ କରିଥାନ୍ତି। ଏବେ କିନ୍ତୁ ସେନ୍‌ସେକ୍ସରେ ଯେଉଁଭଳି କ୍ରମାଗତ ସ୍ଖଳନ ଘଟିବାରେ ଲାଗିଛି, ସେଥିଯୋଗୁଁ ଏଭଳି ନିବେଶକମାନେ ସମ୍ମୁଖୀନ ହୋଇଥିବା କ୍ଷତିର ପରିମାଣ ମୋଟ ପ୍ରାୟ ସାତ ଲକ୍ଷ କୋଟି ଟଙ୍କା ଟପିଗଲାଣି। ସେଆର‌୍‌ ବଜାର ହେଉଛି ଏକ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ। ଭାରତର ରାଜ୍ୟନୈତିକ ବ୍ୟବସ୍ଥା ହେଉଛି ଏକ ଗଣତନ୍ତ୍ର। ବିଶ୍ବାସ କରାଯାଇଥାଏ ଯେ ଏ ଦୁଇ ବ୍ୟବସ୍ଥା ସ୍ବାଭାବିକ୍‌ ଭାବରେ ସହାବସ୍ଥାନ କରିଥାନ୍ତି। ନିୟମ ଅନୁସାରେ ଗଣତନ୍ତ୍ରର ବିପରୀତ ସାମ୍ୟବାଦୀ ରାଜନୈତିକ ବ୍ୟବସ୍ଥାରେ ପୁଞ୍ଜିଧାରୀମାନଙ୍କର ସ୍ଥାନ ନାହିଁ। କିନ୍ତୁ ଅତୀତରେ ଉଭୟ ଅର୍ଥନୀତି ଓ ରାଜନୀତି କ୍ଷେତ୍ରରେ କେତେକ ଚିନ୍ତାନାୟକ ଏଭଳି ସହାବସ୍ଥାନ ନେଇ ସନ୍ଦେହ ପ୍ରକାଶ କରିବା ମଧୢ ଦେଖାଯାଇଛି।

ସେମାନେ ଭିନ୍ନ ଭିନ୍ନ କାରଣରୁ ଏପରି ସନ୍ଦେହ ପ୍ରକାଶ କରିଥିଲେ ହେଁ ସେଗୁଡ଼ିକ ମଧୢରୁ ଯାହା ସର୍ବପୁରାତନ, ତାହାହେଲା ଜନମତ ଉପରେ ପ୍ରତିଷ୍ଠିତ ଗଣତନ୍ତ୍ରରେ ଜନମତ ପୁଞ୍ଜିବାଦ ବିରୁଦ୍ଧରେ ଯିବା। ଏକ ପରିସ୍ଥିତି କଳ୍ପନା କରାଯାଇପାରେ ଯେଉଁଠି ଦେଶର ସ˚ଖ୍ୟାଗରିଷ୍ଠ ମତଦାତାମାନେ ଉଦ୍ୟୋଗପତି କିମ୍ବା ଭୂମି ମାଲିକମାନଙ୍କର ସମସ୍ତ ସମ୍ପଦ ରାଷ୍ଟ୍ର ଛଡ଼ାଇ ଆଣିବା ପାଇଁ ଆବଶ୍ୟକ ସ˚ଖ୍ୟାଗରିଷ୍ଠ ମତଦାନ କରିପାରନ୍ତି। ନିଶ୍ଚିତ ସମ୍ପତ୍ତି ଅଧିକାର ବିନା ଏକ ପୁଞ୍ଜିବାଦୀ ବ୍ୟବସ୍ଥାର ଅସ୍ତିତ୍ବ ରହିବ ନାହିଁ। ଅର୍ଥନୀତିଜ୍ଞଫ୍ରେଡେରିକ୍‌ ହାୟେକ୍‌ ଏହି ସମ୍ଭାବନାକୁ ସମ୍ପ୍ରସାରିତ କରି ଆଶଙ୍କା ପ୍ରକାଶ କରିଥିଲେ ଯେ ଏଭଳି ଜନମତର ଚାପରେ ଗଣତାନ୍ତ୍ରିକ ଦେଶରେ ସରକାରମାନେ ଅର୍ଥନୈତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକରୁ ଅଧିକ କେନ୍ଦ୍ରୀଭୂତ କରିବାରେ ଲାଗିବେ ଯାହା ଶେଷରେ ଏକଛତ୍ରବାଦ ଆଡ଼କୁ ମୁହାଁଇବ। ଏହା ଅବଶ୍ୟ ସତ ଯେ କୌଣସି ପ୍ରମୁଖ ପୁଞ୍ଜିବାଦୀ ଗଣତନ୍ତ୍ରରେ ଏହି କାରଣରୁ ରୂପାନ୍ତର ଘଟି ତାହା ଏକଛତ୍ର ଶାସନରେ ପରିଣତ ହେବା ଦେଖାଯାଇନାହିଁ। (ଯଦିବା କେତେକ ଛୋଟ ଛୋଟ ଦେଶରେ ଏଭଳି ଘଟିଛି- ଯେମିତି ଭେନେଜୁଏଲା); କିନ୍ତୁ ପୁଞ୍ଜିବାଦୀ ଗଣତନ୍ତ୍ର ରୂପେ ବର୍ଣ୍ଣନା କରାଯାଉଥିବା କେତେକ ପ୍ରମୁଖ ଦେଶରେ ଯେ ହାୟେକ୍‌ ଆଶଙ୍କା କରୁଥିବା ଭଳି ପ୍ରାଣୀଟି ତଥାପି ବେଶ୍‌ ଜୀବନ୍ତ ରହିିଛି, ତାହାର ଏକ ବଳିଷ୍ଠ ପ୍ରମାଣ ହେଉଛି ଦ୍ବିତୀୟ ପାଳି ମୋଦୀ ସରକାରର ଏହି ପ୍ରଥମ ବଜେଟ୍‌।

ଏହା ଏକ କ୍ରୂର ବିଡ଼ମ୍ବନା ପରି ମନେ ହୋଇପାରେ ଯେ ଏହି ହାୟେକୀୟ ପ୍ରାଣୀ ଯେଉଁମାନଙ୍କ ପ୍ରତି ସବୁଠାରୁ ଅଧିକ ବିପଦ ସୃଷ୍ଟି କରିଥାଏ, ସେଇମାନେ ହିଁ ଏହାର ଉପସ୍ଥିତି ସମ୍ବନ୍ଧରେ ସବୁଠାରୁ କମ୍‌ ସଚେତନ ଥିଲେ। ନରେନ୍ଦ୍ର ମୋଦୀ ସମାଜର ପ୍ରାୟ ସବୁ ବର୍ଗର ଲୋକମାନଙ୍କର ସମର୍ଥନ ଲାଭ କରିବାରେ ସଫଳ ହୋଇଛନ୍ତି, କିନ୍ତୁ ଯେଉଁମାନେ ତାଙ୍କୁ ସର୍ବାଧିକ ଅକୁଣ୍ଠ ସମର୍ଥନ ପ୍ରଦାନ କରି ଆସିଛନ୍ତି, ସେମାନେ ସାଧାରଣରେ ବିଶ୍ବାସ କରାଯାଉଥିବା ଭଳି ଦେଶଭକ୍ତ, ଦକ୍ଷିଣପନ୍ଥୀ ହିନ୍ଦୁ ନୁହଁନ୍ତି, ସେମାନେ ହେଉଛନ୍ତି ଶିଳ୍ପୋଦ୍ୟୋଗୀ, ବ୍ୟବସାୟୀ, ପୁଞ୍ଜିନିବେଶକ ଗୋଷ୍ଠୀ। ମୋଦୀ ସରକାରର ପ୍ରାୟ ପ୍ରତ୍ୟେକ ପଦକ୍ଷେପକୁ ସେମାନେ ଏପରି ସମର୍ଥନ ପ୍ରଦାନ କରି ଆସିଛନ୍ତି ଯେ ଏକ ଧାରଣା ସୃଷ୍ଟି ହୋଇଛି ସତେ ଯେମିତି ମୋଦୀ ସରକାର ହେଉଛି ଏକ ଶିଳ୍ପ-ବାଣିଜ୍ୟ-ନିବେଶ ଅନୁକୂଳ ସରକାର।

ଆମୋଦଦାୟକ ଭାବରେ ମୋଦୀଙ୍କର ପ୍ରତିପକ୍ଷ ତାଙ୍କୁ ପୁଞ୍ଜିପତିର ବନ୍ଧୁ ରୂପେ ଚିତ୍ରିତ କରିବା ପାଇଁ ଅବିରତ ଉଦ୍ୟମ କରିଥିଲେ। ମୋଦୀଙ୍କର ଏହି ତଥା କଥିତ ବନ୍ଧୁମାନେ ତାଙ୍କ ଠାରୁ ବଜେଟ୍‌ରେ କ’ଣ ପାଇଛନ୍ତି ଦେଖାଯାଉ। ଗତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏମାନଙ୍କୁ ଉପହାର ଦେଇଥିଲେ ଦୀର୍ଘକାଳୀନ ପୁଞ୍ଜିନିବେଶରୁ ଉପଲବ୍ଧ ଲାଭ ଉପରେ ଟିକସ (ଏଲ୍‌ଟିସିଜି), ଯାହା ପୂର୍ବରୁ କରମୁକ୍ତ ଥିଲା। ଚଳିତ ବର୍ଷ ସେମାନଙ୍କୁ ଯାହା ମିଳିଛି ତାହା ହେଲା- ଲାଭା˚ଶ (ଡିଭିଡେଣ୍ତ) ଉପରେ ଟିକସ, ସେଆର‌୍‌ ପୁନଃକ୍ରୟ (ବାଏ ବ୍ୟାକ୍‌) ଉପରେ ଟିକସ, ଏକ ଉଦ୍ୟୋଗର ସ୍ଥାପୟିତାଙ୍କ ହାତରେ ରଖାଯାଇ ପାରୁଥିବା ସେଆର‌୍‌୍‌ର ସର୍ବୋଚ୍ଚ ସୀମାକୁ ହ୍ରାସ କରି ୬୫ ଶତା˚ଶ ମଧୢରେ ସୀମିତ ରଖିବା ପାଇଁ ପ୍ରସ୍ତାବ। ଏହା ବାଦ୍‌ ରହିଛି ୨ରୁ ୫ କୋଟି ଟଙ୍କା ବାର୍ଷିକ ଆୟ ଉପରେ ଲାଗୁ ହେଉଥିବା ଟିକସରେ ୩ ଶତା˚ଶ ବୃଦ୍ଧି, ଏବ˚ ଯେଉଁମାନଙ୍କ ଆୟ ୫ କୋଟି ଟଙ୍କାରୁ ଅଧିକ, ସେମାନଙ୍କ ଉପରେ ଟିକସରେ ୭ ଶତା˚ଶ ବୃଦ୍ଧି।

ଉଲ୍ଲେଖଯୋଗ୍ୟ, ଭାରତୀୟ ସେଆର‌୍‌ ବଜାରରେ କ୍ରୟ କରୁଥିବା ବିବେଶୀ ନିବେଶକ (ଏଫ୍‌ପିଆଇ)ମାନଙ୍କ ମଧୢରୁ ପ୍ରାୟ ୪୦ ଶତା˚ଶ ଏହି ଟିକସ ବୃଦ୍ଧି ଦ୍ବାରା ପ୍ରଭାବିତ ହେବେ। ଗତ ଗୁରୁବାର ଦିନ ସୀତାରମଣ ଏହି ଟିକସ କୋହଳ କରିବା ପାଇଁ ସେମାନଙ୍କର ଅନୁରୋଧ ପ୍ରତ୍ୟାଖାନ କରିବା ପରେ ସେନ୍‌ସେକ୍ସରେ ସ୍ଖଳନ ତୀବ୍ରତର ହୋଇଥିଲା। ସୂଚନା ଅନୁସାରେ ଜୁଲାଇରେ ଏପର୍ଯ୍ୟନ୍ତ ଏଫ୍‌ପିଆଇମାନେ ଭାରତରୁ ୭,୭୧୨ କୋଟି ଟଙ୍କାର ନିବେଶ ପ୍ରତ୍ୟାହାର କରି ନେଇ ସାରିଲେଣି। ଇନ୍ଦିରା ଗାନ୍ଧୀଙ୍କ ବ୍ୟାଙ୍କ ଜାତୀୟକରଣ ଯେପରି ଏକ ହାୟେକୀୟ ପଦକ୍ଷେପ ଥିଲା, ବିନା ସର୍ତ୍ତରେ ବିଫଳ ବ୍ୟାଙ୍କ୍‌ମାନଙ୍କରେ ପୁଣି କରଦାତା ଅର୍ଥ ଭର୍ତ୍ତି କରିବା ପାଇଁ ମୋଦୀ ସରକାରର ନିଷ୍ପତ୍ତି ମଧୢ ସେଇଭଳି ଏକ ପଦକ୍ଷେପ। ସଫଳ କମ୍ପାନି ଓ ନିବେଶକମାନଙ୍କ ପକେଟ୍‌ରୁ ଅଧିକ ପଇସା କାଢ଼ି ନେଇ ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉଦ୍ୟମ ସରକାରଙ୍କର ପୁଞ୍ଜିବାଦୀ ନୁହେଁ, କ˚ଗ୍ରେସ ସୁଲଭ ସମାଜବାଦୀ ପରିଚୟକୁ ମଜଭୁତ କରିଥାଏ। ଏହା କିନ୍ତୁ ବର୍ତ୍ତମାନର ଅର୍ଥନୈତିକ ମାନ୍ଦା ଅବସ୍ଥା ଦୂର କରିବାରେ କିମ୍ବା ନିଯୁକ୍ତି ସୃଷ୍ଟି ବୃଦ୍ଧି କରିବାରେ କୌଣସି ସାହାଯ୍ୟ କରୁନାହିଁ। ହତୋତ୍ସାହିତ ଶିଳ୍ପୋଦ୍ୟୋଗୀ ଓ ନିବେଶକମାନେ ଏଥିରେ ସହଯୋଗ କରିବାକୁ କୁଣ୍ଠିତ ହେବା ସ୍ବାଭାବିକ।

ସମ୍ବନ୍ଧିତ ଖବର