ମଇଳା ଡାଏପର‌୍‌

ରାଜନେତାମାନଙ୍କ ସମ୍ବନ୍ଧରେ ବିଶ୍ବବିଶ୍ରୁତ ଆମେରିକୀୟ ସାହିତ୍ୟରଥୀ ତଥା ବ୍ୟଙ୍ଗକାର ମାର୍କ ଟ୍ବେନ୍‌ଙ୍କର ଏକ ସୁପରିଚିତ ମନ୍ତବ୍ୟ ହେଉଛି: ‘‘ରାଜନେତା ଓ ଡାଏପର‌୍‌ ବାରମ୍ବାର ବଦଳାଯିବା ଦରକାର ଏବ˚ ସମାନ କାରଣ ପାଇଁ।’’ ଶରୀରରୁ ନିର୍ଗତ ମଳମୂତ୍ରକୁ ସାମୟିକ ଭାବରେ ଧାରଣ କରିବା ପାଇଁ ଶିଶୁ, ରୋଗୀ କିମ୍ବା ବୃଦ୍ଧବୃଦ୍ଧାମାନଙ୍କୁ ଡାଏପର‌୍‌ ପିନ୍ଧାଇ ଦିଆଯାଇଥାଏ। ଦୀର୍ଘ ସମୟ ପର୍ଯ୍ୟନ୍ତ ଡାଏପର‌୍‌ ନ ବଦଳାଇଲେ ତା’ର ପରିଣାମ କ’ଣ ହେବ ଏବ˚ ମାର୍କଟ୍ବେନ୍‌ଙ୍କର ମନ୍ତବ୍ୟର ତାତ୍ପର୍ଯ୍ୟ କ’ଣ, ତାହାର ଅଧିକ ବ୍ୟାଖ୍ୟା ଅନାବଶ୍ୟକ। କିନ୍ତୁ ଟ୍ବେନ୍‌ଙ୍କ ଉପଦେଶ ମାନି ଡାଏପର‌୍‌ ବଦଳାଇଲେ ମଧୢ ଯେ ତାହା ବେଶୀ ସମୟ ପାଇଁ ଶୁଖିଲା ନ ରହିପାରେ, ତାହାର ଏକ ତାଜା ପ୍ରମାଣ ଦେଖିବାକୁ ମିଳିଛି ଏବେ ଆନ୍ଧ୍ରପ୍ରଦେଶରେ।

ସେ ରାଜ୍ୟରେ ମତଦାତାମାନେ ଅତ୍ୟନ୍ତ ମଇଳା ହୋଇଯାଇଥିବା ଭାବମୂର୍ତ୍ତି ଏବ˚ ସ˚କୀର୍ଣ୍ଣ ଆଞ୍ଚଳିକ ବାଦର ବାହକ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ କ୍ଷମତାରୁ ହଟାଇ ଅଳିଆ ଗଦାକୁ ଫିଙ୍ଗି ଦେଇ ତାଙ୍କ ସ୍ଥାନରେ ଅର୍ଖ ନୂଆ ଯୁବ ରାଜନେତା ଜଗନମୋହନ ରେଡ୍ଡିଙ୍କୁ ବସାଇ ଦେଇଛନ୍ତି। କିନ୍ତୁ ଆନ୍ଧ୍ରବାସୀ ଏହା ଦେଖି ପାରୁଛନ୍ତି କି ନାହିଁ ଜଣା ନାହିଁ, ବାକି ଦେଶବାସୀ ବର୍ତ୍ତମାନ ଜଳଜଳ ଦେଖି ପାରୁଛନ୍ତି ଯେ ସେ ରାଜ୍ୟରେ ଏ ନୂଆ ଡାଏପର ଦୁଇମାସ ନ ପୂରୁଣୁ ପୁଣି ଏପରି ମଇଳା ହୋଇଗଲାଣି ଯେ ସେଥିରୁ ଅନ୍ୟ ରାଜ୍ୟମାନଙ୍କୁ ସ˚କ୍ରମଣ ବ୍ୟାପିବାର ବିପଦ ଦେଖା ଦେଲାଣି।

ସରକାରୀ ନିଯୁକ୍ତି ଓ ଶିକ୍ଷାକ୍ଷେତ୍ରରେ ଅନୁସୃତ ଆରକ୍ଷଣ ଦେଶରେ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା ବିବିଦମାନ ପ୍ରସଙ୍ଗ ରୂପେ ଏକ ପ୍ରକାର ସ୍ଥାୟିତ୍ବ ଲାଭ କରିସାରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଆଉ ପାଦେ ଆଗକୁ ଯାଇ ଏକଦା କହିବା ଦେଖା ଯାଇଥିଲା ଯେ ଘରୋଇ କ୍ଷେତ୍ରରେ ମଧୢ ଆରକ୍ଷଣ ଲାଗୁ କରାଯିବାର ସମୟ ଉପସ୍ଥିତ। ଜଣେ ତୁଙ୍ଗ ଅର୍ଥନୀତିଜ୍ଞ ରୂପେ ସ୍ବୀକୃତ ମନମୋହନ ଭଲ ରୂପେ ଜାଣନ୍ତି ଯେ ଶ୍ରମ କ୍ଷେତ୍ରରେ ଏପରି କୃତ୍ରିମ ପ୍ରତିବନ୍ଧ ଛିଡା କରାଇଲେ, ସେଥିଯୋଗୁଁ ଦକ୍ଷତା, ଉତ୍ପାଦନଶୀଳତା, ପ୍ରତିଯୋଗିତା କ୍ଷମତା, ଉତ୍ପାଦନ ଓ ଶେଷରେ ନିଯୁକ୍ତି ବାଧାପ୍ରାପ୍ତ ହେବ- ନିଯୁକ୍ତି ଉପଲବ୍ଧ ନ ହେଲେ ଆରକ୍ଷଣର ମୂଲ୍ୟ କ’ଣ? କିନ୍ତୁ ଦୀର୍ଘକାଳ ଧରି କ୍ଷମତାରେ ଥିବା ରାଜନେତା ମନମୋହନ ସି˚ହ ନିଜ ଭିତରେ ଥିବା ଅର୍ଥନୀତିଜ୍ଞର ଚେତାବନୀକୁ କର୍ଣ୍ଣପାତ ନ କରି ଏପରି ଏକ ଦୂର ଦୃଷ୍ଟିହୀନ ମନ୍ତବ୍ୟ ଦେଇଥିଲେ।

ଜଗନ ରେଡ୍ଡୀ ଏବେ ଏହାଠାରୁ ବହୁ ଆଗକୁ ଡେଇଁ ପଡ଼ି ସେ କଥାକୁ କାର୍ଯ୍ୟରେ ପରିଣତ କରିବାକୁ ଯାଉଛନ୍ତି। ତାଙ୍କ ସରକାର ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏକ ବିଲ୍‌ ଆଗତ କରିଛନ୍ତି ଯାହା ଆଇନରେ ପରିଣତ ହେଲେ ସେ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଘରୋଇ କ୍ଷେତ୍ର ଶିଳ୍ପସ˚ସ୍ଥାମାନଙ୍କରେ ନିଯୁକ୍ତି ପାଇଁ ସେ ରାଜ୍ୟର ବାସିନ୍ଦା ହୋଇଥିବା ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୭୫% ସ୍ଥାନ ଆରକ୍ଷିତ ରହିବ। ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ଶିଳ୍ପସ˚ସ୍ଥାମାନେ ରାଜ୍ୟ ସରକାରଙ୍କ ଠାରୁ କୌଣସି ସୁବିଧା ବା ସାହାଯ୍ୟ ପାଇନଥିଲେ ମଧୢ ସେମାନଙ୍କ ପ୍ରତି ଏ ଆଇନ ଲାଗୁ ହେବ। କୁହାଯାଇଛି ଯେ ଏଭଳି ପଦକ୍ଷେପ ନେଇ ଜଗନମୋହନ ରେଡ୍ଡୀ ନିର୍ବାଚନ ପ୍ରଚାର ସମୟରେ ରାଜ୍ୟବାସୀଙ୍କୁ ପ୍ରଦାନ କରିଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ମାତ୍ର। ଏଭଳି ପ୍ରତିଶ୍ରୁତି ପ୍ରଦାନ କରିବାରେ ଜଗନ ରେଡ୍ଡୀ ଅବଶ୍ୟ ଦେଶର ପ୍ରଥମ ପ୍ରାଦେଶିକ ନେତା ନୁହଁନ୍ତି। ଏଥିପୂର୍ବରୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧୢପ୍ରଦେଶ ଆଦି ରାଜ୍ୟରେ ଏଥିପାଇଁ ଦାବି ଶୁଣାଯାଇଛି। ମଧୢପ୍ରଦେଶର କ˚ଗ୍ରେସ ମୁଖ୍ୟମନ୍ତ୍ରୀ କମଲନାଥ ସ୍ଥାନୀୟ ପ୍ରାର୍ଥୀମାନଙ୍କ ପାଇଁ ୭୦% ଆରକ୍ଷଣ ଦେବାକୁ ବଦ୍ଧପରିକର ଥିବା ଘୋଷଣା କରିଛନ୍ତି।

ଜଗନ କିନ୍ତୁ ଦାବି ଓ ଘୋଷଣାକୁ ଅତିକ୍ରମ କରି ବିଧିବଦ୍ଧ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି, ଯାହା ବଳରେ ସେ ରାଜ୍ୟରେ ଥିବା ସବୁ କିସମର ଘରୋଇ ଉଦ୍ୟୋଗରେ ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ବାଧୢତାମୂଳକ ଭାବରେ ସର୍ବନିମ୍ନ ୭୫% ନିଯୁକ୍ତି ଆରକ୍ଷିତ ରହିବ। ଯଦି କୌଣସି ଉଦ୍ୟୋଗ ଆବଶ୍ୟକ କରୁଥିବା ଏକ ନିର୍ଦ୍ଦିଷ୍ଟ ଦକ୍ଷତାର ଅଧିକାରୀ ହୋଇଥିବା ଯଥେଷ୍ଟ ସ˚ଖ୍ୟକ ସ୍ଥାନୀୟ ପ୍ରାର୍ଥୀ ଉପଲବ୍ଧ ନ ହୁଅନ୍ତି, ତେବେ ବି ସମ୍ପୃକ୍ତ ଉଦ୍ୟୋଗ ଏ ଆଇନ କବଳରୁ ଖସି ଯାଇପାରିବ ନାହିଁ। ଆଇନ ଅନୁସାରେ ସେ ଉଦ୍ୟୋଗ ଉପଲବ୍ଧ ଅଦକ୍ଷ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ବାଧୢ ହେବ ଏବ˚ ସେମାନେ କାର୍ଯ୍ୟରେ ଯୋଗ ଦେବା ପରେ ସେମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରି ସେମାନଙ୍କର ଦକ୍ଷତା ବୃଦ୍ଧି କରିବାର ଦାୟିତ୍ବ ହେବ ସମ୍ପୃକ୍ତ ଉଦ୍ୟୋଗର। ଅନ୍ୟ ଭାବରେ କହିଲେ ଏକ ଉତ୍ପାଦନକାରୀ ସ˚ସ୍ଥାକୁ ଏକ ତାଲିମ ପ୍ରଦାନକାରୀ ସ˚ସ୍ଥାର ଭୂମିକା ମଧ୍ୟ ନିର୍ବାହ କରିବାକୁ ହେବ। ଏଥିଯୋଗୁଁ ସେ ଉଦ୍ୟୋଗର ଯେଉଁଭଳି ସମ୍ବଳ ଓ ସମୟ ନଷ୍ଟ ହେବ, ସେଥିଯୋଗୁଁ ତାହାର ଆୟ ଓ ଲାଭ ଯେ ବିଶେଷ ଭାବରେ ବ୍ୟାହତ ହେବ, ରାଜନେତା ଜଗନଙ୍କର ସେଥିପ୍ରତି ତିଳେ ହେଲେ ଭ୍ରୂକ୍ଷେପ ନାହିଁ।

ନିକଟ ଅତୀତରେ ‘ସହଜରେ ବ୍ୟବସାୟ କରିବାର ସୁଯୋଗ’ (ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌) କ୍ଷେତ୍ରରେ ଉଚ୍ଚ ମାନ୍ୟତା ଲାଭ କରିବା ପାଇଁ ରାଜ୍ୟ-ରାଜ୍ୟ ମାନଙ୍କ ମଧୢରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବିଶ୍ବବ୍ୟାଙ୍କ ଦ୍ବାରା ପ୍ରଦତ୍ତ ଏହି ମାନ୍ୟତା ତାଲିକାରେ ୨୦୧୮ରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି ଜଗନଙ୍କ ରାଜ୍ୟ ଆନ୍ଧ୍ରପ୍ରଦେଶ, ଦ୍ବିତୀୟ ସ୍ଥାନରେ ହରିଆନା ଓ ତୃତୀୟ ସ୍ଥାନରେ ପଡେ଼ାଶୀ ତେଲେଙ୍ଗାନା। ଏବେ ଆନ୍ଧ୍ରରେ ଉଦ୍ୟୋଗମାନେ ଯେତେବେଳେ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଏଭଳି ବିକୃତ ପ୍ରତିବନ୍ଧର ସମ୍ମୁଖୀନ ହେବେ ସେତେବେଳେ ଏହି ମାନ୍ୟତା ତାଲିକାରେ ରାଜ୍ୟର ସ୍ଥାନରେ ସ୍ଖଳନ ଘଟିବା ନିଶ୍ଚିତ ଏବ˚ ପଡେ଼ାଶୀ-ପ୍ରତିଦ୍ବନ୍ଦ୍ବୀ ଆଡେ଼ ଉଦ୍ୟୋଗମାନେ ମୁହାଁଇବା ନିଶ୍ଚିତ (ଯଦି ସେଠାରେ ଏପରି ଆରକ୍ଷଣ ନୀତି ଅନୁସୃତ ନ ହୁଏ)।

ବର୍ତ୍ତମାନ ସମୟରେ ସ୍ଥାନାନ୍ତର ଗମନ କରୁଥିବା ଶ୍ରମଶକ୍ତି ସାହାଯ୍ୟରେ ହିଁ ପୃଥିବୀ ସାରା ଶିଳ୍ପାୟନ ସମ୍ଭବ ହୋଇଛି- ବାଙ୍ଗାଲୋରରୁ ସିଲିକନ୍‌ ଭ୍ୟାଲି ପର୍ଯ୍ୟନ୍ତ। ଉଦାହରଣ ସ୍ବରୂପ ବାଙ୍ଗାଲୋରର ଆଇଟି ଶିଳ୍ପରେ ହଜାର ହଜାର ତେଲୁଗୁ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏଥିଯୋଗୁଁ ବାଙ୍ଗାଲୋରରେ ସ୍ଥାନୀୟ ଲୋକଙ୍କ ପାଇଁ ମଧୢ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗରେ ସମ୍ପ୍ରସାରଣ ଘଟିଛି। ବିଡ଼ମ୍ବନାର କଥା ଜିଏସ୍‌ଟି ପ୍ରବର୍ତ୍ତନ ପରେ ଦେଶରେ ରାଜ୍ୟ-ରାଜ୍ୟ ମଧୢରେ ଯେତେବେଳେ ମାଲ ପରିବହନ ପଥରୁ କୃତ୍ରିମ ପ୍ରତିବନ୍ଧମାନ ହଟିଯାଇ ସାରା ଦେଶ ଗୋଟିଏ ବଜାରରେ ପରିଣତ ହୋଇପାରିଛି; ଜଗନ ରେଡ୍ଡୀଙ୍କ ପରି ସ˚କୀର୍ଣ୍ଣମନା ନେତାଙ୍କ ଅବିମୃଶ୍ୟକାରିତା ଯୋଗୁଁ ଦେଶରେ ଶ୍ରମ ସ୍ରୋତରେ କୃତ୍ରିମ ବନ୍ଧମାନ ଉଭା ହେବାର ସମ୍ଭାବନା ଦେଖାଦେଇଛି। ଯଦି ଅନ୍ୟ ରାଜ୍ୟମାନଙ୍କୁ ମଧୢ ଏ ମଇଳା ଡାଏପର‌୍‌ରେ ଥିବା ଜୀବାଣୁ ସ˚କ୍ରମିତ କରନ୍ତି ତେବେ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଘୋର ବାଧାପ୍ରାପ୍ତ ହେବ ଏବ˚ ଜାତୀୟ ସ˚ହତି ବିପଦାପନ୍ନ ହେବ।

ସମ୍ବନ୍ଧିତ ଖବର