ପାପ ପ୍ରସାର

ଅବାସ୍ତବ ଆଶାବାଦକୁ ବିଦ୍ରୂପ କରି ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ଦାର୍ଶନିକ ଭଲଟେଆର୍ ରଚନା କରିଥିବା ତାଙ୍କର କାଳଜୟୀ ବ୍ୟଙ୍ଗ ଉପନ୍ୟାସିକା ‘କାଣ୍ଡିଡ୍‌’ରେ ନିରାପଦ ବିଳାସ ବ୍ୟସନ ମଧ୍ୟରେ ବାଲ୍ୟକାଳ ବିତାଇଥିବା ଯୁବକ କାଣ୍ଡିଡ୍ ତା’ର ଘଟଣାବହୁଳ ପଳାୟନ ଯାତ୍ରା କ୍ରମରେ ଯାଇ ପହଞ୍ଚିଛି ଦକ୍ଷିଣ ଆମେରିକାର ଆଖୁ ଉତ୍ପନ୍ନକାରୀ ଦେଶ ପାରାଗୁଏରେ। ସେଠାରେ ଏକ ଓଲନ୍ଦାଜ ଉପନିବେଶରେ ତା’ର ଭେଟ ହୋଇଛି ଜଣେ ଛିନ୍ନବସ୍ତ୍ର ପରିହିତ ନିଗ୍ରୋ କ୍ରୀତଦାସଙ୍କ ସହିତ ଯାହାଙ୍କୁ ତାଙ୍କର ଓଲନ୍ଦାଜ ମାଲିକ ନିଜର ଆଖୁ ଚାଷ କାର୍ଯ୍ୟରେ ପଶୁ ଭଳି ନିୟୋଜିତ କରିଥାନ୍ତି। ଏହି ନିଗ୍ରୋ କ୍ରୀତଦାସଙ୍କର ଦୃଶ୍ୟମାନ ଦୁରବସ୍ଥା କେବଳ ତାଙ୍କର ଶତଚ୍ଛିନ୍ନ ପୋଷାକରେ ସୀମିତ ନଥିଲା; ତାଙ୍କ ଶରୀରରେ ଈଶ୍ବରଦତ୍ତ ଦୁଇଟି ହାତରୁ ଥିଲା କେବଳ ଗୋଟିଏ ମାତ୍ର ହାତ ଏବଂ ଦୁଇଟି ଗୋଡ଼ରୁ ଗୋଟିଏ ମାତ୍ର ଗୋଡ଼। କ୍ରୀତଦାସ ଜଣକ କାଣ୍ଡିଡ୍‌କୁ ଏହାର କାରଣ ବୁଝାଇବାକୁ ଯାଇ କହିଛନ୍ତି ଯେ ସେମାନେ ଯେତେବେଳେ ଆଖୁ କ୍ଷେତରେ କାର୍ଯ୍ୟ କରୁଥାନ୍ତି ଏବଂ ଆଖୁ ପେଡ଼ା ହେଉଥିବା ବେଳେ କାହାର ଆଙ୍ଗୁଳି ଟିଏ କଳରେ ଚାପି ହୋଇ ରହିଯାଏ, ସେତେବେଳେ ତା’ର ପୂରା ହାତଟିକୁ କାଟି ଅଲଗା କରି ଦିଆଯାଇଥାଏ; ଏବଂ ଯେତେବେଳେ କୌଣସି କ୍ରୀତଦାସ ଖସି ପଳାଇବାକୁ ଚେଷ୍ଟା କରି ଧରାପଡ଼ିଯାଏ, ସେତେବେଳେ ତା’ର ଗୋଟିଏ ଗୋଡ଼ କାଟି ଉଡ଼ାଇ ଦିଆଯାଏ, ଯେପରି ସେ ଆଉ କେବେ ଖସି ପଳାଇ ଯାଇ ପାରିବ ନାହିଁ। ସେ ଏହି ପରି ନିଜର ହାତ ଗୋଡ଼ ହରାଇ ଥିଲେ ବୋଲି କ୍ରୀତଦାସ ଜଣକ କାଣ୍ଡିଡ୍‌କୁ ବୁଝାଇ ତା’ ପାଇଁ ଏକ ମାନସିକ ଧକ୍‌କା ସୃଷ୍ଟି କରିଥିଲେ।

ତା’ପରେ ସେ ଏକ-ହାତ, ଏକ-ଗୋଡ଼ ବିଶିଷ୍ଟ ନିଗ୍ରୋ କ୍ରୀତଦାସ ଜଣକ କାଣ୍ଡିଡ୍‌କୁ ଯାହା କହିଛନ୍ତି, ତାହା ଏବେ ହଠାତ୍ ଅବିଶ୍ବାସ୍ୟ ଭାବରେ ଆମ ଭାରତୀୟମାନଙ୍କ ପାଇଁ ଏପରି ଏକ କ୍ରୂର ପ୍ରାସଙ୍ଗିକତା ଆହରଣ କରିଛି, ଯାହା ପ୍ରମାଣ କରିଥାଏ ଦାର୍ଶନିକମାନେ ସତରେ କିଭଳି ଭବିଷ୍ୟଦ୍ରଷ୍ଟା ହୋଇଥାନ୍ତି। ଓଲନ୍ଦାଜମାନେ ଆସିଥିବା ଇଉରୋପ୍‌ରେ ସେ ସମୟରେ ଦକ୍ଷିଣ ଆମେରିକାରୁ ଆମଦାନି ହେଉଥିବା ଅପେକ୍ଷାକୃତ ନବ ଆବିଷ୍କୃତ ଚିନି ଏକ ସ୍ବାଦବର୍ଦ୍ଧକ ବିଳାସ ଖାଦ୍ୟଦ୍ରବ୍ୟ ରୂପେ ବ୍ୟବହୃତ ହେଉଥିଲା। ପାରାଗୁଏର ସେ କ୍ରୀତଦାସ କାଣ୍ଡିଡ୍‌କୁ କହିଛନ୍ତି: ‘‘ଏହାହିଁ ହେଉଛି ଇଉରୋପ୍‌ରେ ତୁମେମାନେ ଖାଉଥିବା ଚିନିର ମୂଲ୍ୟ।’’ ଅର୍ଥାତ୍ ତୁମର ପାଟି ସୁଆଦ ପାଇଁ ଆମକୁ ହାତ ଗୋଡ଼ ହରାଇବାକୁ ପଡୁଛି। ତାଙ୍କର ଏହି ମନ୍ତବ୍ୟକୁ ସାମାନ୍ୟ ପରିବର୍ତ୍ତିତ କରି କୁହାଯାଇପାରେ: ଆଖୁ କ୍ଷେତ ଓ ଚିନିକଳ ମାଲିକମାନଙ୍କ ଲାଭ ପାଇଁ ଆମକୁ ହାତ ଗୋଡ଼ ବଳିଦାନ ଦେବାକୁ ପଡୁଛି। ଭାରତରେ ଏବେ ଯେଉଁ ଘଟଣା ଦେଖାଦେଇଛି, ସେଥିରେ ଏହି ଦୃଶ୍ୟରେ ଆଉ ଏକ ଛୋଟ ପରିବର୍ତ୍ତନ ଘଟିଛି: ଆଖୁ ଉତ୍ପନ୍ନକାରୀ ଓ ଚିନିକଳ ମାଲିକମାନଙ୍କ ଲାଭ ପାଇଁ ଯେଉଁମାନଙ୍କୁ ବଳିଦାନ ଦେବାକୁ ଆହ୍ବାନ ଦିଆଯାଉଛି, ସେମାନେ ଭଲ୍‌ଟେଆର୍‌ଙ୍କ କାହାଣୀର କ୍ରୀତଦାସ ନୁହଁନ୍ତି, ସେମାନେ ହେଉଛନ୍ତି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ବିଶାଳ ଖାଉଟି ଗୋଷ୍ଠୀ। ଭାରତୀୟ ବଜାରରେ ଚିନିର ଚାହିଦା ତୁଳନାରେ ଚିନିର ଉତ୍ପାଦନ ଓ ଯୋଗାଣ ବହୁ ଅଧିକ ହେଉଥିବା ଯୋଗୁଁ ଚିନି ଶିଳ୍ପ କ୍ଷତିର ସମ୍ମୁଖୀନ ହେଉଛି। ରାଜନୈତିକ କାରଣରୁ ବିଭିନ୍ନ ରାଜ୍ୟରେ ଆଖୁଚାଷୀମାନେ ସରକାରଙ୍କଠାରୁ ବିପୁଳ ପ୍ରୋତ୍ସାହନ ପାଇବା ଫଳରେ ଆଖୁ ଓ ଚିନି ଉତ୍ପାଦନରେ ଯେଉଁ ବିସ୍ଫୋରକ ବୃଦ୍ଧି ଦେଖାଦେଉଛି, ଘରୋଇ ବଜାରରେ ତା’ପାଇଁ ଯଥେଷ୍ଟ ଚାହିଦା ନାହିଁ, ଏବଂ ଭାରତୀୟ ଚିନିର ଉତ୍ପାଦନ ଖର୍ଚ୍ଚ ଉଚ୍ଚା ହୋଇଥିବାରୁ ବିଦେଶ ବଜାରରେ ମଧ୍ୟ ଅନ୍ୟ ଚିନି ଉତ୍ପାଦନକାରୀ ଦେଶମାନଙ୍କ ସହିତ ସଫଳ ପ୍ରତିଯୋଗିତା କରି ରତ୍ପାନି କରାଯାଇପାରୁନାହିଁ।

ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ଚିନିକଳ ମାଲିକମାନେ ବର୍ତ୍ତମାନ ଯେଉଁ ଉପାୟ ଅବଲମ୍ବନ କରିବାକୁ ଆଗେଇ ଆସିଛନ୍ତି, ତାହା ହେଲା ଦେଶ ଭିତରେ ଚିନି ଚାହିଦାରେ ବୃଦ୍ଧି ଘଟାଇବା, ଅର୍ଥାତ୍‌ ଭାରତୀୟମାନେ ଯେପରି ଅଧିକରୁ ଅଧିକ ଚିନି ଖାଇବେ, ତାହା ନିଶ୍ଚିତ କରିବା। ଏହି ଉଦ୍ୟମର ଅ˚ଶ ସ୍ବରୂପ ସେମାନେ ଏବେ ଏକ ଅନ୍‌ଲାଇନ୍‌ ଅଭିଯାନ ଆରମ୍ଭ କରିବା ଦେଖାଯାଇଛି ଯେଉଁଥିରେ େଵବିନାର‌୍‌ ଓ ଵାର୍କସପ୍‌ମାନେ ଆୟୋଜନ କରାଯାଇ ସେଥିରେ ପୁଷ୍ଟି ବିଶେଷଜ୍ଞରୁ ଆରମ୍ଭ କରି ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଓ ଏଣ୍ତୋକ୍ରିନୋଲୋଜିଷ୍ଟ ପର୍ଯ୍ୟନ୍ତଙ୍କୁ ସମ୍ପୃକ୍ତ କରାଇ ସେମାନଙ୍କ ମାଧୢମରେ ଜନସାଧାରଣଙ୍କୁ ଅଧିକ ଚିନି ଖାଇବାକୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନର ଉଦ୍ୟୋକ୍ତା ‘ଭାରତୀୟ ଚିନି କଳ ସ˚ଘ’ (‘ଇଣ୍ତିଆନ୍‌ ସୁଗାର‌୍‌ ମିଲ୍‌ସ ଆସୋସିଏସନ୍‌’) ଯୁକ୍ତି ଦର୍ଶାଇଛି ଯେ ଚିନି ହେଉଛି ଆମର ମସ୍ତିଷ୍କକୁ ଶକ୍ତି ଯୋଗାଉଥିବା ସର୍ବୋତ୍କୃଷ୍ଟ ଇନ୍ଧନ; ମା˚ସପେଶୀ ଏବ˚ ଶରୀରର ଜୀବକୋଷମାନ ମଧୢ ଶକ୍ତିଶାଳୀ ଭାବରେ କାର୍ଯ୍ୟ କରିବା ପାଇଁ ଆବଶ୍ୟକ କରୁଥିବା ସର୍ବାଧିକ ଉପଯୁକ୍ତ ଇନ୍ଧନ। ସେମାନେ କହନ୍ତି, କ୍ୟାଲୋରିର ଉତ୍ସ ଦୃଷ୍ଟିରୁ ଚିନି ଓ ଅନ୍ୟ ଖାଦ୍ୟ ମଧୢରେ କୌଣସି ଫରକ୍‌ ନାହିଁ, କେବଳ ସ୍ବାସ୍ଥ୍ୟ ପାଇଁ ସମସ୍ୟା ଉପୁଜେ ଯେତେବେଳେ ଜଣେ ବ୍ୟକ୍ତି ଯଥେଷ୍ଟ ପରିଶ୍ରମ କରି ସେ ଆହାର ମାଧୢମରେ ଗ୍ରହଣ କରିଥିବା କ୍ୟାଲେରି ସବୁକୁ ଜଲାଇ ପାରେ ନାହିଁ। ତେଣୁ ଚିନିର ଦୋଷ କ’ଣ?

ଚିନିର ଯଦି କିଛି ଦୋଷ ନାହିଁ ତେବେ ପୃଥିବୀର ବିଭିନ୍ନ ଦେଶରେ ଚିନି ମିଶ୍ରିତ ଖାଦ୍ୟ ଓ ପାନୀୟମାନଙ୍କ ଉପରେ ‘ପାପ କର’ (‘ସିନ୍‌ ଟ୍ୟାକ୍‌ସ’) କାହିଁକି ଲାଗୁ କରିବା ଦେଖାଯାଉଛି (ଭାରତରେ ବି ଏକ ଉଚ୍ଚ ୪୦% ହାରରେ ଚିନିଯୁକ୍ତ ମୃଦୁପାନୀୟ ଉପରେ ୨୦୧୭ ଠାରୁ ଲାଗୁ କରାଯାଇଥିବା ‘ଜିଏସ୍‌ଟି’କୁ ଏହିପରି ଏକ ‘ପାପ କର’ ବୋଲି କୁହାଯାଇପାରେ)? ୨୦୧୪ରେ ଚିନିଯୁକ୍ତ ପାନୀୟ ଉପରେ ‘ପାପ କର’ ଲାଗୁ କରିବାରେ ମେକ୍‌ସିକୋ ପ୍ରଥମ ଦେଶରେ ପରିଣତ ହେବା ପରେ ଇଉରୋପରୁ ଆମେରିକା ପର୍ଯ୍ୟନ୍ତ ଅଞ୍ଚଳରେ ଗୋଟିକ ପରେ ଗୋଟିଏ ଦେଶ ଚିନିକୁ ଏକ ପାପ ଦ୍ରବ୍ୟ ରୂପେ ବିଚାର କରି ଦେଶବାସୀଙ୍କ ସ୍ବାସ୍ଥ୍ୟରକ୍ଷା ଉଦ୍ଦେଶ୍ୟରେ ଏହାର ବ୍ୟବହାର ସ˚କୁଚିତ କରିବା ପାଇଁ ଏହା ଉପରେ ‘ପାପ କର’ ଲାଗୁ କରିବା ଦେଖାଯାଇଛି। ଚିନିକଳ ମାଲିକମାନଙ୍କ ପ୍ରଚାର ସତ୍ତ୍ବେ ଆଜିକାଲି ଯାହା କାହାରିକି ଅଛପା ନାହିଁ, ତାହା ହେଲା ଚିନି ସହିତ ମଧୁମେହ (ଡାଇବିଟିସ୍‌) ରୋଗର ଘନିଷ୍ଠ ସମ୍ପର୍କ। ବିଭିନ୍ନ ସମୟରେ ହୋଇଥିବା ସର୍ବେକ୍ଷଣ ମାନଙ୍କରୁ ସାବ୍ୟସ୍ତ ହୋଇଛି ଭାରତ ହେଉଛି ପୃଥିବୀରେ ମଧୁମେହର ଏକ ଆଡ୍‌ଡାସ୍ଥଳୀ। ୨୦୧୭ରେ ବ୍ରିଟିସ୍‌ ମେଡିକାଲ୍‌ ପତ୍ରିକା ‘ଲାନ୍‌ସେଟ୍‌’ରେ ପ୍ରକାଶିତ ଏକ ଗବେଷଣାଲବ୍‌ଧ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଦେଶର ସମ୍ପୃକ୍ତ ୧୫ଟି ରାଜ୍ୟରେ ଜନସ˚ଖ୍ୟାର ୧୦-୧୫ ଶତା˚ଶ ଠାରେ ରକ୍ତରେ ଶର୍କରା ଅ˚ଶ ପ୍ରାକ୍‌-ମଧୁମେହ ସ୍ତରରେ ଥିବା ବେଳେ ୭ ଶତା˚ଶ ଲୋକ ବିଧିବଦ୍ଧ ଭାବରେ ଏହି ଦୁରାରୋଗ୍ୟ ଜୀବନବ୍ୟାପୀ ବ୍ୟାଧିର ଶିକାର ହୋଇସାରିଥିଲେ। ଗବେଷକମାନେ ମଧୢ ଆବିଷ୍କାର କରିଥିଲେ ଯେ ସ୍ବଚ୍ଛଳ ବର୍ଗମାନଙ୍କ ମଧୢରେ ସ୍ବାସ୍ଥ୍ୟ ସଚେତନତା ବୃଦ୍ଧି ପାଉଥିବାରୁ ସେମାନେ ଖାଦ୍ୟରେ ଚିନିଭଳି ଶର୍କରାଜାତୀୟ ପଦାର୍ଥ ଗ୍ରହଣ ସୀମିତ କରି ମଧୁମେହଠାରୁ ଦୂରରେ ରହୁଥିବା ବେଳେ ନିମ୍ନ ଆୟକାରୀ ବର୍ଗରେ ଆୟ ବୃଦ୍ଧି ସହିତ ତାଳ ଦେଇ ଚିନିଯୁକ୍ତ ଖାଦ୍ୟ ଅନୁପାତରେ ବୃଦ୍ଧି ଘଟୁଥିବାରୁ ସେମାନଙ୍କ ମଧୢରେ ମଧୁମେହର ଉପସ୍ଥିତି ଅଧିକ ବ୍ୟାପକ ହେବାରେ ଲାଗିଛି। କହିବା ଅନାବଶ୍ୟକ ମଧୁମେହ ହେଉଛି ଅନ୍ୟାନ୍ୟ ଅନେକ ଅସୁସ୍ଥତତାର ଜନନୀ। ଅତ୍ୟଧିକ ଚିନି ଆହାର ତେଣୁ ଭାରତକୁ ଏକ ଅସୁସ୍ଥ ଦେଶରେ ପରିଣତ କରିବା ସାର ହେବ। କ୍ରୀତଦାସ ଜଣକ କାଣ୍ତିଡ୍‌କୁ କହିଥିବା ଭଳି- କଳମାଲିକ ଓ ଆଖୁଚାଷୀଙ୍କ ଲାଭ ପାଇଁ ଭାରତୀୟମାନଙ୍କୁ ଏହି ମୂଲ୍ୟ ଦେବାକୁ ହେବ। ଚିନି ବ୍ୟବହାର ପ୍ରସାର ଅଭିଯାନ ହେଉଛି ଏକ ପାପ ପ୍ରସାର ଅଭିଯାନ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ସମ୍ବନ୍ଧିତ ଖବର