ସୁନ‌ା କଦଳୀ

ଘରଟି ଥିଲା କାଠରେ ତିଆରି। କାଠ ଉପରେ କୌଣସି ରଙ୍ଗ ବୋଳା ଯାଇନଥିଲା। ସମୁଦାୟ ଦୁଇଟି ମାତ୍ର ଛୋଟିଆ କୋଠରି। ଘରକୁ ଲାଗି ବାହାରେ ଛୋଟିଆ ଚାଳିଟିଏ ରୋଷେଇ ଘର କାମ ଦିଏ। ଘର ଭିତରେ କୌଣସି ଆସବାବ ପତ୍ର ନ ଥିଲା କହିଲେ ଚଳେ- କେବଳ ବିଛଣା ରୂପେ ବ୍ୟବହୃତ ହେଉଥିବା ସପ କେତେ ଖଣ୍ତି ଏବ˚ ବାରଣ୍ତାରେ ଥୁଆ ହୋଇଥିବା ଦୋହଲିବା ଚଉକିଟିଏ। ଯେଉଁମାନେ ନିକଟରେ ଚଣ୍ତୀଗଡ଼ସ୍ଥିତ ପଞ୍ଚତାରକା ହୋଟେଲ୍‌ ଜେଡ୍‌ ବ୍ଲୁ ମାରିଅଟ୍‌ରେ ଅବସ୍ଥାନ କରୁଥିବା ଅଭିନେତା ରାହୁଲ ବୋଷ୍‌ଙ୍କର ଭାଇରାଲ୍‌ ହୋଇଥିବା ଭିଡ଼ିଓ ଦେଖିଥିବେ, ସେମାନେ ନିମିଷକରେ ଉପରବର୍ଣ୍ଣିତ ବାସଗୃହ ଓ ରାହୁଲ୍‌ ବୋଷ୍‌ଙ୍କ ଭିଡ଼ିଓରେ ପ୍ରଦର୍ଶିତ ତାଙ୍କର ହୋଟେଲ ସୁଇଟ୍‌ର ବିଳାସପୂର୍ଣ୍ଣ ସାଜସଜ୍ଜା ମଧୢରେ ରହିଥିବା ଆକାଶ ପାତାଳ ଫରକ୍‌ ହୃଦୟଙ୍ଗମ କରି ପାରୁଥିବେ।
ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ଟାହିଟିରେ ଅବସ୍ଥିତ ଉପରବର୍ଣ୍ଣିତ ଏହି ଫୁଙ୍ଗୁଳା କୁଟୀରଟିରେ କିନ୍ତୁ ଲଣ୍ତନର ଜଣେ ସଫଳ ବିତ୍ତଶାଳୀ ବ୍ୟାଙ୍କର‌୍‌ ତାଙ୍କ ଜୀବନର ସବୁଠାରୁ ଆନନ୍ଦମୟ ତିନିଟି ବର୍ଷ ବିତାଇଥିବା ବେଳେ, ଅଭିନେତା ରାହୁଲ୍‌ ବୋଷ୍‌ଙ୍କର ନିଜର ସ୍ବୀକାରୋକ୍ତି ଅନୁସାରେ ତାଙ୍କ ଭିଡ଼ିଓରେ ପ୍ରଦର୍ଶିତ ଏହି ବିଳାସ ପୂର୍ଣ୍ଣ ପଞ୍ଚତାରକା ପରିବେଶରେ ସେ ତାଙ୍କ ଜୀବନର ଏକ ଅତ୍ୟନ୍ତ ଅସ୍ବାଭାବିକ ବେଦନାଦାୟକ ମୁହୂର୍ତ୍ତର ସମ୍ମୁଖୀନ ହୋଇଛନ୍ତି। ଆମୋଦଦାୟକ ଭାବରେ ଏ ଦୁଇ ପରସ୍ପର ବିରୋଧୀ ଅନୁଭୂତି ପଛରେ ରହିଛି ଗୋଟିଏ ସାଧାରଣ କାରଣ-କଦଳୀ।
ବୃତ୍ତିରେ ବ୍ୟାଙ୍କର‌୍‌ ଜଣକ ହେଉଛନ୍ତି ୧୯୧୯ରେ ପ୍ରଥମେ ପ୍ରକାଶିତ ଵିଲିଅମ୍‌ ସମର‌୍‌ସେଟ୍‌ ମମ୍‌ଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଦି ମୁନ୍‌ ଆଣ୍ତ ସିକ୍ସ ପେନ୍ସ’ର ମୁଖ୍ୟ ଚରିତ୍ର ଚାର୍ଲସ ଷ୍ଟ୍ରିକ୍‌ଲ୍ୟାଣ୍ତ, ଯିଏ ପ୍ରବୃତ୍ତିରେ ହେଉଛନ୍ତି ରାହୁଲ୍‌ ବୋଷ୍‌ଙ୍କ ଭଳି ଜଣେ କଳାକାର। ଚିତ୍ର ଆଙ୍କିବା ପାଇଁ ତାଙ୍କର ‘ଅନ୍ତର୍ନିହିତ ପ୍ରବୃତ୍ତିର ତାଡ଼ନାରେ ସେ ନିଜର ସ୍ବଚ୍ଛଳ, ନିରାପଦ ବୃତ୍ତି, ପରିବାର ଓ ପରିସର ପରିତ୍ୟାଗ କରି ଶେଷରେ ଯାଇ ଉଠିଛନ୍ତି ଟାହିଟିରେ। ଉପରବର୍ଣ୍ଣିତ ଘରଟି ହେଉଛି ସେଠାରେ ସେ ଗ୍ରହଣ କରିଥିବା ଟାହିଟୀୟ ତରୁଣୀ ଆଟାର ନିକାଞ୍ଚନ କୁଟୀର। ସବୁଜିମା ପରିବେଷ୍ଟିତ ଆଟାର ସେଇ ବାସସ୍ଥଳୀରେ ଷ୍ଟ୍ରିକ୍‌ଲ୍ୟାଣ୍ତଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥିଲା ଘରକୁ ଲାଗି ଛିଡ଼ା ହୋଇଥିବା କଦଳୀ ଗଛଗୁଡ଼ିକ। ଠାଏ ଠାଏ ପବନରେ ଫାଟି ଯାଇଥିବା ବିଶାଳ, ଲମ୍ବା ଲମ୍ବା ସବୁଜ କଦଳୀ ପତ୍ର ମମ୍‌ଙ୍କ ଅନନୁକରଣୀୟ ବର୍ଣ୍ଣନା ଅନୁସାରେ ଷ୍ଟ୍ରିକ୍‌ଲ୍ୟାଣ୍ତଙ୍କ କଳାକାର ମନରେ ଯେଉଁ ଛବି ଆଙ୍କିଥାଏ, ତାହା ହେଲା ଦୁଃସ୍ଥିିତିରେ ପଡ଼ିଥିବା ଜଣେ ସାମ୍ରାଜ୍ଞୀଙ୍କର ଚିରା ଫଟା ଅଙ୍ଗବସ୍ତ୍ର!
ବୋଧହୁଏ ମମ୍‌ କଦଳୀକୁ ପ୍ରଦାନ କରିଥିବା ଏହି ରାଜକୀୟ ମର୍ଯ୍ୟାଦାଦ୍ବାରା ପ୍ରଭାବିତ ହୋଇ ଚଣ୍ତୀଗଡ଼ର ସେହି ପଞ୍ଚ ତାରକା ହୋଟେଲ୍‌ ରାହୁଲ ବୋଷ ଚାହିଁବା ଅନୁସାରେ ଦୁଇଟି ପାଚିଲା କଦଳୀକୁ ଉପଯୁକ୍ତ ଆଦବ କାଇଦା ରକ୍ଷା କରି ଏକ ଟ୍ରେ’ରେ ପରିବେଷଣ କରିବା ସଙ୍ଗେ ସଙ୍ଗେ ସେଥିସହିତ ଯେଉଁ ବିଲ୍‌ଟି ପଠାଇ ଦେଇଥିଲା, ତାହା ମଧୢ ରାଜକୀୟ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ- ଟ୪୪୨.୫୦ପ! ଏହା ରାହୁଲ୍‌ ବୋଷ୍‌ଙ୍କ ପାଇଁ ଏପରି ବେଦନାଦାୟକ ଥିଲା ଯେ ସେ ହତଭମ୍ଭ ହୋଇ ତାଙ୍କର ସେ ପଞ୍ଚତାରକା ହୋଟେଲ୍‌ କୋଠରିର ବିଳାସପୂର୍ଣ୍ଣ ଅଭ୍ୟନ୍ତର ସହିତ ନିଜର ମନ୍ତବ୍ୟ ସହ ସେ ମହାର୍ଘ କଦଳୀ ଦୁଇଟି ଓ ତାର ବିଲ୍‌ର ଭିଡିଓ ଉତ୍ତୋଳନ କରି ତାହାକୁ ଟ୍ବିଟ୍‌ କରିଦେଲେ। ଅଳ୍ପ ସମୟ ମଧୢରେ ପ୍ରାୟ ୨୦,୦୦୦ରୁ ଊର୍ଦ୍ଧ୍ବ ‘ଲାଇକ୍‌ସ’ ଏବ˚ ୫,୦୦୦ ରିଟ୍ବିଟ୍‌ ହାସଲ କରିବା ପରେ ରାହୁଲ ବୋଷ୍‌ଙ୍କର ସେହି କଦଳୀ ଭିଡ଼ିଓ ସୋସିଆଲ୍‌ ମିଡ଼ିଆକୁ ଅତିକ୍ରମ କରି ମୁଖ୍ୟ ସ୍ରୋତ ଛାପା ଓ ଇଲେକ୍‌ଟ୍ରୋନିକ୍‌ ଗଣ ମାଧୢମରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ବସ୍ତୁ ହୋଇଯାଇଛି।
ଭାରତରେ ଯଦି କୌଣସି ଏକ ଫଳକୁ ସବୁଠାରୁ ସାଧାରଣ ବୋଲି କୁହାଯାଇ ପାରିବ, ତାହା ହେଉଛି କଦଳୀ। ଦେଶର ପ୍ରାୟ ଯେ କୌଣସି ସ୍ଥାନରେ ବର୍ଷର ପ୍ରାୟ ‌େଯ କୌଣସି ସମୟରେ ପାଚିଲା କଦଳୀ ଉପଲବ୍ଧ ହୋଇଥାଏ। କଦଳୀ ଚାଷ ହେଉଥିବା ଭାରତର ନିକଟତମ ଯେ କୌଣସି ପ୍ରତିଦ୍ବନ୍ଦ୍ବୀ ତୁଳନାରେ ଭାରତର କଦଳୀ ଉତ୍ପାଦନ ହେଉଛି ଦୁଇଗୁଣରୁ ଅଧିକ। ବାଷ୍ପୀୟ ଇଞ୍ଜିନ୍‌ର ଆବିର୍ଭାବ ପରେ ଏହି ଦ୍ରୁତ ପଚମାନ ଫଳକୁ ନେଇ ଆମେରିକାରେ ପହଞ୍ଚାଇବା ସମ୍ଭବ ହେଲା। ଏହି ଉଦ୍ୟମର ବାଣିଜ୍ୟିକ ସଫଳତା ଦ୍ବାରା ପ୍ରଭାବିତ ହୋଇ ୧୮୯୯ରେ ‘ୟୁନାଇଟେଡ୍‌ ଫ୍ରୁଟ୍‌ କମ୍ପାନି’ ନାମକ ଏକ ବ୍ୟାବସାୟିକ ସ˚ଗଠନ ପ୍ରତିଷ୍ଠିତ ହେଲା। ଏହି କମ୍ପାନି ଆମେରିକା ସରକାରଙ୍କ ଠାରୁ ସକ୍ରିୟ ସହଯୋଗ ଲାଭ କରି କ୍ୟାରିବିଆନ୍‌ ସାଗର ଅଞ୍ଚଳରେ କଦଳୀ ଚାଷ ଉପରେ ନିର୍ଭର କରୁଥିବା ହଣ୍ତୁରାସ୍‌, ଗୁଆଟେମାଲା, ପୁଏର୍ଟୋରିକୋ ଭଳି ଛୋଟ ଛୋଟ ଦେଶମାନଙ୍କର ସୃଷ୍ଟି କରିଥିଲା, ଯେଉଁଗୁଡ଼ିକ ସର୍ବଦା ରାଜନୈତିକ ଅସ୍ଥିରତାର ସମ୍ମୁଖୀନ ହୋଇ ଆସିଛନ୍ତି। ଏମାନଙ୍କୁ ତେଣୁ ହେୟଜ୍ଞାନ କରି ‘ବାନାନା ରିପବ୍ଲିକ୍‌’ (କଦଳୀ ସାଧାରଣତନ୍ତ୍ର) ରୂପେ ସମ୍ବୋଧନ କରାଯାଇଥାଏ। ଏଭଳି ରାଷ୍ଟ୍ରରେ କ୍ଷମତା ଦଖଲରେ ଯିଏଥାଏ, ସିଏ ତା’ର ନିଜର ନିୟମ ବନାଇଥାଏ; ଆଇନର ଶାସନ ବୋଲି କିଛି ନ ଥାଏ।
ମ୍ୟାରିଅଟ୍‌ ହୋଟେଲ୍‌ରେ କଦଳୀର ଦାମ ଦେଖିଲେ ମନେ ହୋଇପାରେ ସତେ ଯେମତି ସେ ହୋଟେଲ୍‌ ଭାରତକୁ ମଧୢ ଏକ ବାନାନା ରିପବ୍ଲିକ୍‌ ରୂପେ ଦେଖୁଛି। ଅବଶ୍ୟ ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇ ୨୦୧୨ରେ ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରା ତାଙ୍କ ଅଭିଯୋଗକାରୀଙ୍କୁ ଛିଗୁଲାଇ ନିଜର ଫେସ୍‌ବୁକ୍‌ ପେଜ୍‌ରେ ଲେଖିଥିଲେ: ‘‘ମ୍ୟାଙ୍ଗୋ ପିପୁଲ୍‌ ଇନ୍‌ ବାନାନା ରିପବ୍ଲିକ୍‌’’- ହିନ୍ଦୀରେ ‘ଆମ୍‌ ଆଦମୀ’କୁ ସେ ‘ମ୍ୟାଙ୍ଗୋ ପିପୁଲ୍‌’ରେ ପରିଣତ କରିବାର କାରଣ ହେଲା ‘ଆମ୍‌ ଆଦ୍‌ମୀ ପାର୍ଟି’ର ନେତାମାନେ ଥିଲେ ଅଭିଯୋଗକାରୀ। ସେ ସମୟର ଭାରତ ହୁଏତ ଭଦ୍ରାଙ୍କୁ ଏକ ବାନାନା ରିପବ୍ଲିକ୍‌ ପରି ମନେ ହୋଇଥିବ। ତା’ର ଦୁଇବର୍ଷ ପରେ କିନ୍ତୁ ଭାରତର ରାଜନୈତିକ ଦୃଶ୍ୟପଟ‌େର ଘଟିଥିବା ପରିବର୍ତ୍ତନ ସେଭଳି ଧାରଣାକୁ ସମ୍ପୂର୍ଣ୍ଣ ଦୂରୀଭୂତ କରିଛି।
ଆଜିର ଭାରତରେ ତେଣୁ ଯେତେବେଳେ କୌଣସି ହୋଟେଲ୍‌ ଦୁଇଟି କଦଳୀକୁ ସୁନା ଦାମ୍‌ରେ ବିକ୍ରି କରିବା ଭଳି ଖବର ପ୍ରସାରିତ ହେଲା ପ୍ରତିଦ୍ବନ୍ଦୀମାନେ ତତ୍‌କ୍ଷଣାତ୍‌ ଏହାକୁ ନିଜର ବ୍ୟବସାୟ ବୃଦ୍ଧି କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗରେ ପରିଣତ କରିବା ଦେଖାଯାଇଛି। ଯେମିତି ‘ଓୟୋ’ ତାର ଗ୍ରାହକମାନଙ୍କୁ ଜଣାଇଛି ଯେ ସେମାନେ ଦୁଇଟି କଦଳୀ ଦାମରେ ପୂରା ହୋଟେଲ୍‌ ରୁମଟିଏ ପାଇ ପାରିବେ। ପାର୍କ ହୋଟେଲ୍‌ ଚେନ୍‌ କହିଛିି ଯେ ସେମାନେ ତାଙ୍କ ହୋଟେଲ୍‌ର ‘ସ୍ପା’ରେ ମାଗଣାରେ କଦଳୀ ଦିଅନ୍ତି। ‘ପିଜା ହଟ୍‌’ କହିଛି ଯେ ୪୪୨ ଟଙ୍କା ଦେଇ ଦୁଇଟି ମାତ୍ର କଦଳୀ ଖାଇବା ପରିବର୍ତ୍ତେ ମାତ୍ର ୯୯ ଟଙ୍କାରେ ପୂରା ଗୋଟିଏ ପିଜା ଖାଇ ପେଟ ଭର୍ତ୍ତି କରନ୍ତୁ। ସମ୍ପୃକ୍ତ ହୋଟେଲ୍‌ ପାଇଁ ଏଭଳି ପ୍ରତିକୂଳ ପ୍ରଚାର ସତେ ଯେମିତି ଯଥେଷ୍ଟ ନ ଥିଲା, ସେମାନେ ମଧୢ ଆଇନ ଉଲ୍ଲ˚ଘନ କରି ରାହୁଲ ବୋଷଙ୍କୁ ବିକ୍ରି କରିଥିବା କଦଳୀ ଦୁଇଟି ଉପରେ ଜିଏସ୍‌ଟି ଆଦାୟ କରିଛନ୍ତି ଯଦିବା କଦଳୀ ଜିଏସ୍‌ଟି ପରିସରଭୁକ୍ତ ନୁହେଁ। ଏହା ପ୍ରଚାର ହେବା ପରେ ଟିକସ କତ୍ତୃର୍ପକ୍ଷ ସେ ହୋଟେଲ୍‌ ଉପରେ ଚଢ଼ାଉ କରିଥିବା ଖବର ପ୍ରକାଶ ପାଇଛି। ଏ ସମସ୍ତ ଦୁର୍ଦ୍ଦଶା ଦେଖିବା ପରେ କାହାର ବି ସନ୍ଦେହ ରହିବ ନାହିଁ ଯେ ଭାରତ ଏକ ବାନାନା ରିପବ୍ଲିକ୍‌ ନୁହେଁ- ରବର୍ଟ ଭଦ୍ରାଙ୍କର ମଧୢ।

ସମ୍ବନ୍ଧିତ ଖବର