ସିଦ୍ଧାର୍ଥଙ୍କ ଆତ୍ମା

‘‘ଏ ଲଟ୍‌ କ୍ୟାନ୍‌ ହାପ୍‌ନ ଓଭର‌୍‌ କଫି’’। କଫି ପିଇବା ବେଳେ ବହୁତ କିଛି ଘଟିପାରେ। ‘କାଫେ କଫି ଡେ’ର ସମସ୍ତ ଗ୍ରାହକ ଏ ସ୍ଲୋଗାନ୍‌ ସହିତ ସୁପରିଚିତ। ଏ ବହୁତ କିଛି ଭିତରେ ଯାହା ସବୁ ଅନ୍ତର୍ଭୁକ୍ତ ହୋଇଥାଏ ତାହା ହୋଇପାରେ ନୂତନ ସମ୍ପର୍କ ସ୍ଥାପନ କରିବା, ଭାଙ୍ଗିବାକୁ ବସିଥିବା ସମ୍ପର୍କକୁ ଯୋଡ଼ିବା, ବ୍ୟବସାୟ ଚୁକ୍ତି ପକ୍‌କା କରିବା, କୌଣସି ସ୍ମରଣୀୟ ଦିବସ ପାଳନ କରିବା କିମ୍ବା ସେଇଭଳି ଆଉ କିଛି। କଫି ପ୍ରେମୀମାନେ ଏହାର ଏକ ଲମ୍ବା ତାଲିକା ପ୍ରଦାନ କରିପାରିବେ। ସେମାନେ କିନ୍ତୁ ସ୍ବପ୍ନରେ କିମ୍ବା ଦୁଃସ୍ବପ୍ନରେ ମଧୢ ଭାବିପାରି ନ ଥିବେ ଯେ ଏ ସ୍ଲୋଗାନ୍‌ର ସ୍ରଷ୍ଟା ‘କାଫେ କଫି ଡେ’ର ପ୍ରତିଷ୍ଠାତା ନିଜର ଜୀବନ ହାରିବା ମଧୢ ଦିନେ ଏ ତାଲିକାରେ ସ୍ଥାନ ପାଇବ। ‘କାଫେ କଫି ଡେ’ର ମୂଳ କମ୍ପାନି ‘କଫି ଡେ ଏଣ୍ଟର‌୍‌ପ୍ରାଇଜେସ୍‌’ର ବ୍ୟାବସାୟିକ ବିଫଳତା ହିଁ ହେଉଛି ଏହାର ପ୍ରତିଷ୍ଠାତା ଉଦ୍ୟୋଗପତି ୫୮ ବର୍ଷୀୟ ଭିଜି ସିଦ୍ଧାର୍ଥ ମାଙ୍ଗାଲୋର‌୍‌ର ନେତ୍ରାବତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିବାର କାରଣ। ସତେ ଯେମିତି କଫି ତାଙ୍କ ପାଇଁ ଏକ ବିଷାକ୍ତ ପାନୀୟରେ ପରିଣତ ହୋଇଛି।

ସିଦ୍ଧାର୍ଥଙ୍କ କଫିରେ ବିଷ ମିଶାଇଲା କିଏ? ତାଙ୍କ କମ୍ପାନି ‘କଫି ଡେ ଏଣ୍ଟରପ୍ରାଇଜେସ୍‌’ ଋଣ ଭାରରେ ବୁଡ଼ିଛି। ମାର୍ଚ୍ଚ ୨୦୧୯ ସୁଦ୍ଧା ଏହି ଋଣର ଆକାର ଥିଲା ୬,୫୫୦ କୋଟି ଟଙ୍କା, ଅଥଚ ୨୦୧୯ ବିତ୍ତ ବର୍ଷ ପାଇଁ ଏହାର କଫି ବ୍ୟବସାୟରୁ ମିଳିଥିବା ଆୟ ଥିଲା ମାତ୍ର ୧,୮୧୪ କୋଟି ଟଙ୍କା ଏବ˚ ତହିଁ ପୂର୍ବ ବର୍ଷ ଆୟ ଥିଲା ୧,୭୭୭ କୋଟି ଟଙ୍କା। ଆନ୍ତର୍ଜାତିକ ବଜାରରେ କଫି ଦର ବର୍ତ୍ତମାନ ବିଗତ ୧୩ ବର୍ଷ ମଧୢରେ ସର୍ବନିମ୍ନ ରହି କମ୍ପାନିର ଘରୋଇ ବ୍ୟବସାୟ ତଥା ରତ୍ପାନିକୁ ପ୍ରଭାବିତ କରିଛି। ଉଭୟ ବ୍ୟାଙ୍କ ଏବ˚ ଅଣ ବ୍ୟାଙ୍କ ଫାଇନାନ୍ସ କମ୍ପାନିମାନେ ଗୁରୁତର ସମସ୍ୟାମାନ ଦେଇ ଗତି କରୁଥିବାରୁ ଦୈନନ୍ଦିନ ବ୍ୟବସାୟ ଚଳାଇବା ପାଇଁ ସେମାନଙ୍କ ଠାରୁ ଆଉ ଋଣ ଆଣିବା ସମ୍ଭବ ହେଉନାହିଁ। ଏଭଳି ପରିସ୍ଥିତିରେ ସମସ୍ୟାର ମୁକାବିଲା କରିବା ପାଇଁ ଗତ ମାର୍ଚ୍ଚରେ ସିଦ୍ଧାର୍ଥ ଆଇଟି କମ୍ପାନି ‘ମାଇଣ୍ତ ଟ୍ରି’ରେ ଥିବା ନିଜର ୨୦.୩୨% ସେଆର‌୍‌କୁ ପ୍ରାୟ ୩,୨୦୦ କୋଟି ଟଙ୍କାରେ ଏଲଆଣ୍ତଟି କମ୍ପାନିକୁ ବିକ୍ରି କରି ଏକ ହଇଚଇ ସୃଷ୍ଟି କରିଥିଲେ। ଏବେ ଅଧିକ ସମ୍ବଳ ସ˚ଗ୍ରହ ନିମିତ୍ତ ସେ ‘କାଫେ କଫି ଡେ’ର ସେଆର କୋକାକୋଲା କମ୍ପାନିକୁ ବିକ୍ରି କରିବା ପାଇଁ କଥାବାର୍ତ୍ତା ଚଳାଇଥିବା ଖବର ପ୍ରକାଶ ପାଇଥିଲା, ଯେଉଁଥି ପାଇଁ ‘କାଫେ କଫି ଡେ’ର ମୂଲ୍ୟ ପ୍ରାୟ ୧୦,୦୦୦ କୋଟି ଟଙ୍କାରେ ନିର୍ଦ୍ଧାରଣ କରାଯାଇଥିଲା ବୋଲି ଶୁଣାଯାଏ।

ଏ ସମସ୍ତ ଉଦ୍ୟମ ସତ୍ତ୍ବେ ସିଦ୍ଧାର୍ଥ ନିଜର ବ୍ୟବସାୟକୁ ସଫଳ କରି ପାରିନାହାନ୍ତି ବୋଲି ତାଙ୍କର ମୃତ୍ୟୁ ପୂର୍ବର ଶେଷ ପତ୍ରରେ କ୍ଷୋଭ ପ୍ରକାଶ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଋଣଦାତାମାନଙ୍କର ପ୍ରବଳ ଚାପ ସେ ଆଉ ସମ୍ଭାଳି ପାରୁନାହାନ୍ତି ଏବ˚ ଯାହା ଅଧିକ ଚିନ୍ତାଜନକ, ତାହା ହେଲା ଆୟକର ଅଧିକାରୀ ତାଙ୍କୁ କରିଚାଲିଥିବା ହଇରାଣ ହରକତ ଯୋଗୁଁ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ମାଇଣ୍ତ ଟ୍ରି ସେଆର ବିକ୍ରି ସମୟରେ ସେମାନେ ବାଧା ସୃଷ୍ଟି କରିବା ଏବ˚ କଫି ଡେ ସେଆର ସବୁକୁ ସେମାନେ ନିଜ ଅକ୍ତିଆରକୁ ନେଇଯିବା ସମ୍ବନ୍ଧରେ ସିଦ୍ଧାର୍ଥ ତାଙ୍କ ପତ୍ରରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି। ତା’ ପୂର୍ବରୁ ୨୦୧୭ରେ ଆୟକର ବିଭାଗ ସିଦ୍ଧାର୍ଥଙ୍କ ବ୍ୟବସାୟ ଉପରେ ଚଢ଼ାଉ କରି ୬୫୦ କୋଟି ଟଙ୍କାର ଲୁକ୍କାୟିତ ଆୟ ଠାବ କରିଥିବାର ସମ୍ବାଦ ପ୍ରକାଶ ପାଇଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେ ତାଙ୍କର ଦୀର୍ଘ ୩୭ ବର୍ଷର ଉଦ୍ୟୋଗୀ ଜୀବନକାଳ ମଧୢରେ କଫିରୁ ଆଇଟି ପର୍ଯ୍ୟନ୍ତ କ୍ଷେତ୍ରମାନଙ୍କରେ ମୋଟ ପ୍ରାୟ ୫୦,୦୦୦ ନିଯୁକ୍ତି ସୃଷ୍ଟି ସହିତ ସମ୍ପୃକ୍ତ ଅଛନ୍ତି ବୋଲି ସିଦ୍ଧାର୍ଥ ତାଙ୍କର ଶେଷପତ୍ରରେ ଉଲ୍ଲେଖ କରିଛନ୍ତି। ଦେଶରେ ନିଯୁକ୍ତି ସୃଷ୍ଟି ଯେତେବେଳେ ସରକାରଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ରୂପେ ଉଭା ହୋଇଛି, ସିଦ୍ଧାର୍ଥଙ୍କ ଭଳି ନିଯୁକ୍ତି ସ୍ରଷ୍ଟାମାନଙ୍କୁ ହଇରାଣ ହରକତ କରି ସେପୁରକୁ ପଠାଇ ଦେବା ସେ ସମସ୍ୟା ସମାଧାନର ନିଶ୍ଚିତ ଭାବରେ ପ୍ରକୃଷ୍ଟ ଉପାୟ ନୁହେଁ।

ବିଶିଷ୍ଟ ଉଦ୍ୟୋଗ ନାୟିକା କିରଣ ମଜୁମଦାର ଶ’ଙ୍କଠାରୁ ଆରମ୍ଭ କରି ଆଇଟି କ୍ଷେତ୍ରରେ ସମ୍ମାନଜନକ ଉଦ୍ୟୋଗପତି ତଥା ଚିନ୍ତାନାୟକ ଟିଭି ମୋହନ ଦାସ ପାଇ (ଜଣେ ଜଣାଶୁଣା ମୋଦୀ ସମର୍ଥକ ମଧୢ)ଙ୍କ ପର୍ଯ୍ୟନ୍ତ ଏକମତ ଯେ ସିଦ୍ଧାର୍ଥ ଟିକସ କତ୍ତୃର୍ପକ୍ଷଙ୍କ ଦ୍ବାରା ଭୀଷଣ ହଇରାଣ ହରକତ ହୋଇଥିଲେ। ଉଭୟ ଏକମତ ଯେ ଦେଶରେ ଉଦ୍ୟୋଗପତି ଓ ନିବେଶକମାନେ ବର୍ତ୍ତମାନ ଟିକସ ସନ୍ତ୍ରାସବାଦର ସମ୍ମୁଖୀନ। ଏକ ନିଷ୍ଠୁର ପୂର୍ବାଭାସ ଭଳି ସିଦ୍ଧାର୍ଥଙ୍କ ଦୁର୍ଭାଗ୍ୟଜନକ ଆତ୍ମହତ୍ୟାର ମାତ୍ର ପ୍ରାୟ ଏକ ସପ୍ତାହ ପୂର୍ବେ ଟିଭି ମୋହନଦାସ ପାଇ ଏକ ଜାତୀୟ ସମ୍ବାଦପତ୍ରରେ ଦେଶରୁ ଟିକସ ସନ୍ତ୍ରାସ ହଟାଇବାରେ ମୋଦୀ ସରକାର କିପରି ବିଫଳ ହୋଇଛି, ତାହାର ଏକ ବିସ୍ତୃତ ବିବରଣୀ ପ୍ରଦାନ କରି ଲେଖିଥିଲେ। ଏଥିରେ ସେ ୨୦୧୪ ନିର୍ବାଚନ ପୂର୍ବରୁ ଅରୁଣ ଜେଟ୍‌ଲି କିପରି ଟିକସ ସନ୍ତ୍ରାସକୁ ଦେଶର ସବୁଠାରୁ ବଡ଼ ସମସ୍ୟା ରୂପେ ବର୍ଣ୍ଣନା କରି ତାହାର ମୂଳପୋଛ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ତାହା ମନେ ପକାଇ ଦେଇଛନ୍ତି। ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୭ ଜୁଲାଇ ପହିଲାରେ ଜିଏସ୍‌ଟି ପ୍ରବର୍ତ୍ତନ ଅବସରରେ ଦେଶବାସୀଙ୍କୁ ମଧୢ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ଯେ ଏଥର ଦେଶରେ ଟିକସ ସନ୍ତ୍ରାସର ଅନ୍ତ ଘଟିଲା।

ମୋହନଦାସ ପାଇ କିନ୍ତୁ ବଳିଷ୍ଠ ତଥ୍ୟ ମାଧୢମରେ ଏଭଳି ଦାବିକୁ ଖଣ୍ତନ କରିଛନ୍ତି। ଏକ ନମୁନା ସ୍ବରୂପ, ବଜେଟ୍‌ରୁ ଜଣାପଡେ ଯେ ୨୦୧୭-୧୮ ରିପୋଟିଙ୍ଗ୍‌ ବର୍ଷରେ ବିବାଦ ମୁକ୍ତ ଆୟ ଉପରେ ଟିକସ ପରିମାଣ ୧.୦୯ ଲକ୍ଷ କୋଟି ଟଙ୍କା ଥିବାବେଳେ ବିବଦମାନ ପରିମାଣ ଥିଲା ଏହାର ପ୍ରାୟ ଛ’ଗୁଣ-୬.୨୪ ଲକ୍ଷ କୋଟି ଟଙ୍କା। ଚିନ୍ତାଜନକ ଭାବରେ ଅସମାହିତ ବିବାଦର ପ୍ରାୟ ୫୦% ସୃଷ୍ଟି ହୋଇଥିଲା ତା’ର ପୂର୍ବବର୍ତ୍ତୀ ଦୁଇ ବର୍ଷ ମଧୢରେ- ମୋଦୀ ସରକାର ସମୟରେ। ଏଭଳି ବିବାଦ ହେଉଛି ଟିକସ ସନ୍ତ୍ରାସର ନିଶ୍ଚିତ ସ୍ବାକ୍ଷର। ମୋହନଦାସ ପାଇ ଟିକସ ସନ୍ତ୍ରାସର କାରଣ ଏକା ନିଃଶ୍ବାସରେ ଯାହା କହିଛନ୍ତି ତାହା ହେଲା: ଅବାସ୍ତବ ଟିକସ ସ˚ଗ୍ରହ ଲକ୍ଷ୍ୟ ନିର୍ଦ୍ଧାରଣ, ଯାହା ଅବାସ୍ତବ ଭାବରେ ଉଚ୍ଚା ଆକଳନ ସୃଷ୍ଟି କରିଥାଏ; ଉପରିସ୍ଥ ଅଧିକାରୀମାନଙ୍କର ଏଭଳି ଆକଳନ ଯାଞ୍ଚ କରିବା ପାଇଁ ଅନିଚ୍ଛା; ଟିକସ ଅଧିକାରୀମାନଙ୍କୁ ଲଗାମହୀନ ଅଧିକାର ପ୍ରଦାନ; ଅଦାଲତମାନଙ୍କର କଚ୍ଛପ ଗତି; ଅପିଲ ଫଇସଲା କରିବାରେ କାଳକ୍ଷେପଣ ଏବ˚ ଟିକସ ଆଇନର ପିଛିଲା ତାରିଖରୁ ସ˚ଶୋଧନ (କୁଖ୍ୟାତ ରେଟ୍ରୋସ୍ପେକ୍ଟିଭ୍‌ ଟ୍ୟାକ୍ସ)। ଅନ୍ୟ ଏକ ଅବସରରେ ପାଇ କହିଥିଲେ ଯେ ସେ ପ୍ରମୁଖ ଆଇଟି କମ୍ପାନି ଇନ୍‌ଫୋସିସ୍‌ର କର୍ଣ୍ଣଧାର ଥିବା ବେଳେ ପୃଥିବୀର ବିଭିନ୍ନ ଦେଶରେ ତାଙ୍କ କମ୍ପାନି ଟିକସ ପୈଠ କରୁଥିିଲା ଏବ˚ ଭାରତର ଟିକସ ବ୍ୟବସ୍ଥା ଥିଲା ସେଥିମଧୢରେ ନିକୃଷ୍ଟତମ। କିରଣ ମଜୁମଦାର ଶ’ କହିଛନ୍ତି ଦେଶରୁ ଲାଇସେନ୍ସ ରାଜ ଦୂର ହୋଇଛି କିନ୍ତୁ ଇନ୍‌ସପେକ୍ଟର ରାଜ ପୂରା ଦମ୍‌ରେ ରାଜୁତି କରୁଛି। ଏହାର ଉତ୍ପୀଡ଼ନର କରୁଣ ପରିଣତି ହେଉଛି ଭିଜି ସିଦ୍ଧାର୍ଥଙ୍କର ଅକାଳ ଅପମୃତ୍ୟୁ।

ମୃତ ରାଜାଙ୍କର ଅଶରୀରୀ ଆତ୍ମାକୁ ଦେଖିଲା ପରେ ସେକ୍ସପିଅରଙ୍କ ନାଟକ ‘ହାମଲେଟ୍‌’ରେ ଜଣେ ପ୍ରାସାଦରକ୍ଷୀ ଯେମିତି କହିଥିଲା: ‘‘ସମ୍‌ଥିଙ୍ଗ୍‌ ଇଜ୍‌ ରଟ୍‌ନ ଇନ୍‌ ଦି ଷ୍ଟେଟ୍‌ ଅଫ୍‌ ଡେନ୍‌ମାର୍କ’’ (ଡେନ୍‌ମାର୍କ ରାଜ୍ୟରେ କ’ଣ କିଛି ପଚିଶଢ଼ି ଗଲାଣି), ସିଦ୍ଧାର୍ଥଙ୍କ ପରଲୋକଗତ ଆତ୍ମା ଭାରତର ଶିଳ୍ପ ଉଦ୍ୟୋଗ ମହଲରେ ନିଜ ଦେଶ ସମ୍ବନ୍ଧରେ ଅନୁରୂପ ପ୍ରତିକ୍ରିୟା ସୃଷ୍ଟି କରିଲାଣି। ଟିକସ ସନ୍ତ୍ରାସବାଦର ମୂଳୋତ୍ପାଟନ କରି ସରକାର ଅର୍ଥନୀତିକୁ ରକ୍ଷା କରିବା ପାଇଁ ସେମାନଙ୍କ ବିଶ୍ବାସ ଫେରାଇ ଆଣନ୍ତୁ।

ସମ୍ବନ୍ଧିତ ଖବର