ସାବାସ୍‌ ପଟର‌୍‌!

‘‘ହି, ହୁ ମଷ୍ଟ୍ ନଟ୍‌ ବି ନେମ୍‌ଡ।’’ ‘‘ସିଏ, ଯାହାର ନାମ ତୁଣ୍ତରେ ଧରାଯିବା ନିଷିଦ୍ଧ।’’ ତୁଣ୍ତରେ ସେ ନାଁ ଧରିବା ପାଇଁ ଏଭଳି କୁଣ୍ଠାର କାରଣ ହେଉଛି ଭୀଷଣ ଭୟ। ପୃଥିବୀର ସର୍ବାଧିକ ଲୋକପ୍ରିୟ ପିଲାଙ୍କ କାହାଣୀମାଳା ହ୍ୟାରୀ ପଟର‌୍‌ ସିରିଜ୍‌ ସହିତ ପରିଚିତ ସମସ୍ତଙ୍କୁ ଜଣା ଯାହାଙ୍କର ନାମ ଉଚ୍ଚାରଣ କରିବାକୁ ସମସ୍ତେ ଏଭଳି ଡରନ୍ତି ସେ ହେଉଛନ୍ତି କାହାଣୀର ଅତ୍ୟନ୍ତ ପରାକ୍ରମୀ ଯାଦୁକର ଖଳନାୟକ ଲର୍ଡ ଭଲ୍‌ଡେମର୍ଟ। ସ୍ବାଧୀନତା ପର ଠାରୁ ଭାରତରେ ଶାସନ କ୍ଷମତାରେ ରହି ଆସିଥିବା ପ୍ରାୟ ସମସ୍ତ ପ୍ରଧାନମନ୍ତ୍ରୀମାନଙ୍କ ପାଇଁ ସମ୍ବିଧାନର ଧାରା-୩୭୦ ଥିଲା ଏହି ଲର୍ଡ ଭଲ୍‌ଡେମର୍ଟ ସଦୃଶ, ଯାହାକୁ ଉଚ୍ଛେଦ କରିବା ତ ଦୂରର କଥା, ତା’ର ନାଁ ମଧୢ ଧରିବା ପାଇଁ ସେମାନଙ୍କର ଗାତ୍ର କମ୍ପ ହେଉଥିଲା। ଶେଷରେ ଯାଦୁକର ବାଳକ ହ୍ୟାରୀ ପଟର‌୍‌ ଏକ ଅନ୍ତିମ ଯୁଦ୍ଧରେ ଭଲ୍‌ଡେମର୍ଟକୁ ନିପାତ କରିଥିବା ପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧାରା-୩୭୦ର ମୂଳୋତ୍ପାଟନ କରିବା ପାଇଁ ଆବଶ୍ୟକ ସାହସିକତା ପ୍ରଦର୍ଶନ କରିଛନ୍ତି। ଭଲ୍‌ଡେମର୍ଟ ଅନ୍ତ ହ୍ୟାରୀ ପଟର‌୍‌ କାହାଣୀର କୋଟି କୋଟି ପାଠକ ପାଠିକାଙ୍କୁ ଆନନ୍ଦିତ କରିଥିବା ଭଳି ଧାରା-୩୭୦ର ଅନ୍ତ ଶହେ କୋଟିରୁ ଅଧିକ ଭାରତୀୟମାନଙ୍କୁ ଉଲ୍ଲସିତ କରି ତୋଳିଛି।

ଏକ ଶୁଖୁ ନଥିବା ଘା’ପରି ଭାରତକୁ ସାତ ଦଶନ୍ଧିରୁ ଅଧିକ କାଳ ଧରି ଆକ୍ରାନ୍ତ କରି ରଖିଥିବା ତଥାକଥିତ କଶ୍ମୀର ସମସ୍ୟାର ମଞ୍ଜି ବୋଲି ଯଦି କିଛି ଥାଏ, ତାହା ହେଉଛି ଏହି ଧାରା-୩୭୦। ଏହି ଧାରା ଅଦ୍ଭୁତ ଭାବରେ ଦେଶର ଏକ ରାଜ୍ୟକୁ ବାକି ଦେଶ ଠାରୁ ପ୍ରାୟ ସମ୍ପୂର୍ଣ୍ଣ ନିବୁଜ କରି ରଖିଆସିଛି। କେବଳ ଦେଶରକ୍ଷା, ବୈଦେଶିକ ବ୍ୟାପାର ଏବ˚ ଯୋଗାଯୋଗ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାପାରରେ ଏହି ରାଜ୍ୟକୁ ଏପରି ସ୍ବାୟତ୍ତ କ୍ଷମତା ପ୍ରଦାନ କରାଯାଇଛି, ସତେ ଯେମିତି ତାହା ଭାରତର ଏକ ଅନ୍ୟତମ ରାଜ୍ୟ ନୁହେଁ, ତାହା ହେଉଛି ଅନ୍ୟ ଏକ ସାର୍ବଭୌମ ଦେଶ। ଭାରତର ପାର୍ଲିଆମେଣ୍ଟ ଯେତେବେଳେ କୌଣସି ଆଇନ ପ୍ରଣୟନ କରେ, ସେଥିରେ ପ୍ରଥମେ ପରିଷ୍କାର କରି ଦିଆଯାଇଥାଏ ଯେ, ଏହି ଆଇନ୍‌ ଜମ୍ମୁ-କଶ୍ମୀର ରାଜ୍ୟକୁ ଛାଡ଼ି ଦେଶର ବାକି ସମସ୍ତ ଅଞ୍ଚଳରେ ଲାଗୁ ହେବ! ଦେଶର ଅନ୍ୟ ରାଜ୍ୟମାନେ ବିତ୍ତୀୟ ସଙ୍କଟ ସମୟରେ ବିତ୍ତୀୟ ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି, କିନ୍ତୁ କଶ୍ମୀର ପ୍ରତି ତାହା ଲାଗୁ ହୋଇପାରେ ନାହିଁ।

ସତେ ଯେମିତି ୧୯୪୮ରେ ରଚିତ ଧାରା-୩୭୦ ଯଥେଷ୍ଟ ନ ଥିଲା, ୧୯୫୪ରେ ରାଷ୍ଟ୍ରପତିଙ୍କ ଦ୍ବାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ବଳରେ ଧାରା-୩୫ଏକୁ ମଧୢ ଭର୍ତ୍ତି କରି ଦିଆଯାଇଥିଲା ଯାହା ଜମ୍ମୁ-କଶ୍ମୀର ରାଜ୍ୟରେ ସ୍ଥାୟୀ ବାସିନ୍ଦା ମର୍ଯ୍ୟାଦା ନିର୍ଦ୍ଧାରଣ କ୍ଷମତା ସମ୍ପୂର୍ଣ୍ଣ ରୂପେ ସେ ରାଜ୍ୟ ବିଧାନସଭା ଉପରେ ନ୍ୟସ୍ତ କରିଦେଲା। ସେଠାରେ ତେଣୁ ବଳବତ୍ତର ଥିବା ଏହି ଧାରା ଅନୁସାରେ ସେ ରାଜ୍ୟରେ ସ୍ଥାୟୀ ବାସିନ୍ଦା ହୋଇ ନଥିବା କୌଣସି ଭାରତୀୟ ନାଗରିକ ସେଠାରେ ସ୍ଥାୟୀ ସମ୍ପତ୍ତିର ମାଲିକ ହୋଇପାରିବେ ନାହିଁ, ସରକାରୀ ଚାକିରି କରିପାରିବେ ନାହିଁ, କୌଣସି ଶିକ୍ଷା ବୃତ୍ତି ପାଇପାରିବେ ନାହିଁ। ଏହାର ମର୍ମ ହେଲା କଶ୍ମୀର ରାଜ୍ୟର ଜଣେ ବାସିନ୍ଦା ଭୁବନେଶ୍ବରରେ ଏକ ଘର କିଣିପାରିବେ, କିନ୍ତୁ ଓଡ଼ିଶାର ଜଣେ ବାସିନ୍ଦା ଶ୍ରୀନଗରରେ ଫ୍ଲାଟ୍‌ଟିଏ କିଣିପାରିବ ନାହିଁ। ଏ ପ୍ରକାର ବ୍ୟବସ୍ଥା କେବଳ ସ˚ଘୀୟ ବ୍ୟବସ୍ଥା ଦୃଷ୍ଟିରୁ ଏକ ଅନ୍ୟାୟ, ତାହା ନୁହେଁ, ଏହା ପ୍ରାକୃତିକ ନ୍ୟାୟର ମଧୢ ଘୋର ବିରୋଧାଚରଣ କରିଥାଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସ୍ବାଧୀନତା ପ୍ରାପ୍ତିି ସମୟରେ ଭାରତରେ ପାଞ୍ଚଶହରୁ ଅଧିକ କଶ୍ମୀର ପରି ରାଜୁଡ଼ା ଶାସନାଧୀନ ରାଜ୍ୟ ଥିଲେ ଯେଉଁମାନଙ୍କୁ ଭାରତରେ ଏକୀଭୂତ କରାଇବାରେ ତତ୍କାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଦୁର୍ଭାଗ୍ୟକ୍ରମେ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁ କିନ୍ତୁ କଶ୍ମୀର ବ୍ୟାପାରକୁ ନିଜେ ତଦାରଖ କରୁଥିଲେ। ଏଠାରେ ଆଜିର ମୁହୂର୍ତ୍ତରେ ଇତିହାସକୁ ଦୋହରାଇ କିଛି ଲାଭ ନାହିଁ, କିନ୍ତୁ ଏହା ବର୍ତ୍ତମାନ ସମସ୍ତଙ୍କୁ ଜଣା କିପରି କୌଣସି କାରଣରୁ ନେହରୁଙ୍କ ଅବିମୃଶ୍ୟକାରିତା ଯୋଗୁଁ କେବଳ କଶ୍ମୀରକୁ ଏଭଳି ଉଦ୍ଭଟ ସ୍ବତନ୍ତ୍ର ମର୍ଯ୍ୟାଦା ଓ କ୍ଷମତା ପ୍ରଦାନ କରାଯାଇଥିଲା, ତାହା ନୁହେଁ, କଶ୍ମୀରର ଭାଗ୍ୟ ନିର୍ଦ୍ଧାରଣ ଦାୟିତ୍ବ ଜାତିସ˚ଘ ଭଳି ଏକ ଆନ୍ତର୍ଜାତିକ ଅନୁଷ୍ଠାନ ଉପରେ ମଧୢ ନ୍ୟସ୍ତ କରି ଦିଆଯାଇଥିଲା, ଯାହାକୁ ଆଳ କରି ଉଭୟ ପାକିସ୍ତାନ ଓ କଶ୍ମୀରୀ ବିଚ୍ଛିନ୍ନତାବାଦୀମାନେ ଆନ୍ତର୍ଜାତିକ ଦରବାରରେ ଭାରତକୁ ଅକଳରେ ପକାଇବାକୁ ଚେଷ୍ଟା କରି ଆସିଛନ୍ତି।

ନେହରୁ କରିଥିବା ବନ୍ଦୋବସ୍ତ ଅନୁସାରେ ସେ ନିଜେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଶେଖ୍‌ ଅବଦୁଲ୍ଲା କଶ୍ମୀରର ପ୍ରଧାନମନ୍ତ୍ରୀ ପଦବୀ (ମୁଖ୍ୟମନ୍ତ୍ରୀ ନୁହେଁ) ଲାଭ କରିଥିଲେ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଶେଖ୍‌ ଅବଦୁଲ୍ଲାଙ୍କ ନାତି ଓମାର‌୍‌ ଅବ୍‌ଦୁଲ୍ଲା ନିକଟରେ ସେଠାରେ ପୁଣି ପ୍ରଧାନମନ୍ତ୍ରୀ ପଦବୀ ଫେରି ଆସିବାକୁ ଦାବି କରିଥିଲେ। ସେତିକି ନୁହେଁ, ସେ ରାଜ୍ୟକୁ ମଧୢ ଅଲଗା ପତାକା ପ୍ରଦାନ କରାଯାଇଥିଲା। ଏସବୁ ମିଶି ଆନ୍ତର୍ଜାତିକ ସ୍ତରରେ ଏକ ଧାରଣା ସୃଷ୍ଟି କରିବାକୁ ଯଥେଷ୍ଟ ଥିଲା ସତେ ଯେପରି କଶ୍ମୀର ହେଉଛି ଏକ ସ୍ବତନ୍ତ୍ର ଦେଶ, ଯାହାର ସାର୍ବଭୌମତ୍ବକୁ ଭାରତ ମଧୢ ସ୍ବୀକାର କରୁଛି। ତେଣୁ କଶ୍ମୀରକୁ ଏକ ଆନ୍ତର୍ଜାତିକ ସମସ୍ୟାର ରୂପ ଦେବା ପାଇଁ ପାକିସ୍ତାନ ପକ୍ଷରେ ଏତେ ସହଜ ହୋଇଆସିଛି।

ବର୍ତ୍ତମାନ ଧାରା-୩୭୦ ସହ ୩୫-ଏର ଉଚ୍ଛେଦ ଓ ସେ ରାଜ୍ୟର ବିଭାଜନ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ରୂପାନ୍ତର ପରେ ତାହା ବିଧିବଦ୍ଧ ଭାବରେ ଭାରତର ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ ହୋଇଛି। କେନ୍ଦ୍ରର ପ୍ରତ୍ୟକ୍ଷ ନିୟନ୍ତ୍ରଣ ମଧୢକୁ ଆସିବା ପରେ ସେଠାରେ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀମାନେ ଆଉ ପୂର୍ବଭଳି ପରିପୁଷ୍ଟ ହୋଇପାରିବେ ନାହିଁ, ଯେପରି ସ୍ଥାନୀୟ ରାଜନେତାଙ୍କ ବାହୁଛାୟା ତଳେ ଏ ପର୍ଯ୍ୟନ୍ତ ହୋଇଆସିଥିଲେ। ଆମ ନେତାମାନଙ୍କର ସ୍ବାର୍ଥାନ୍ଧତା ଓ ଭୀରୁତା ସହିତ ପରିଚିତ ସମସ୍ତେ ବିଗତ କେତେଦିନର ଘଟଣା ଦେଖି ଭାବୁଥିଲେ ଅତିବେଶୀରେ ମୋଦୀ ବୋଧହୁଏ ଧାରା-୩୫ଏର ଉଚ୍ଛେଦ କରିବାକୁ ଯାଉଛନ୍ତି। କିନ୍ତୁ, ସମସ୍ତଙ୍କୁ ଚମତ୍କୃତ କରି ମୋଦୀ-ଶାହ ଯୋଡ଼ି ୩୫-ଏ ସହିତ ମୂଳ ରୋଗ ୩୭୦ ଧାରାର ଉଚ୍ଛେଦ ଓ ଜମ୍ମୁ କଶ୍ମୀର ରାଜ୍ୟର ବିଭାଜନ କରି ଏକାଥରେ ସମସ୍ୟାର ମୂଳୋତ୍ପାଟନ କରିବାକୁ ଚେଷ୍ଟା କରିଛନ୍ତି। ସେମାନଙ୍କର ଏହି ସାହସିକ ପଦକ୍ଷେପ ସହିତ ଆମେରିକାର ବିଚକ୍ଷଣ ଭୂତପୂର୍ବ ରାଷ୍ଟ୍ରପତି ଥିଓଡ଼ର ରୁଜ୍‌ଭେଲ୍‌ଟ ଏକମତ ହୁଅନ୍ତେ, ଯିଏ କହିଥିଲେ; ‘‘ଧୀର ପାହାର ହେଉଛି ଅକ୍ଷମଣୀୟ ଅପରାଧ। ଯଦି ଏଡ଼ାଇ ଦେଇ ହେବ ତେବେ ଆଦୌ ପାହାର ଦିଅ ନାହିଁ; କିନ୍ତୁ କେବେ ଧୀର ପାହାର ଦିଅ ନାହିଁ।’’

ସମ୍ବନ୍ଧିତ ଖବର