ଗଣତନ୍ତ୍ର ପାଇଁ ‘ବୁରେଦିନ୍‌’

ଦେଶର ଗତି କୁଆଡ଼େ? ହେତୁବାଦୀ ସମାଜ ସଂସ୍କାରକ ନରେନ୍ଦ୍ର ଡାଭୋଲକର ଏବଂ କମ୍ୟୁନିଷ୍ଟ ନେତା ଗୋବିନ୍ଦ ପାନ୍‌ସାରେ ହତ୍ୟାକାଣ୍ଡର ତଦନ୍ତରେ ମନ୍ଥରତା ନେଇ ଆଗତ ଆବେଦନ ଉପରେ ଶୁଣାଣି ବେଳେ ମାନ୍ୟବର ମୁମ୍ବାଇ ହାଇକୋର୍ଟ ‘ପଦ୍ମାବତୀ’ ଫିଲ୍ମକୁ କେନ୍ଦ୍ର କରି ଚାଲିଥିବା ବିବାଦ ପ୍ରସଙ୍ଗରେ ଏହି ପ୍ରଶ୍ନ ପଚାରିଛନ୍ତି। ଭାରତରେ ଗଣତାନ୍ତ୍ରିକ ଭାବନା, ମୂଲ୍ୟବୋଧ, ବିଶେଷକରି ଗଣତନ୍ତ୍ରର ମୂଳମନ୍ତ୍ର- ବ୍ୟକ୍ତିର ଭାବ ପ୍ରକାଶ ବା ବାକ୍‌-ସ୍ୱାଧୀନତା ପ୍ରତି ସନ୍ଦେହରେ ଖୁନ୍ଦି ହୋଇଛି ଏହି ପ୍ରଶ୍ନ। ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦୁଇଜଣିଆ ଖଣ୍ଡପୀଠ ପଚାରିଥିବା ପ୍ରଶ୍ନ ସ୍ୱାଧୀନ ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। କିନ୍ତୁ ବିଶେଷକରି ସେହିମାନଙ୍କ ପ୍ରତି ଏହା ଅଧିକ ଉଦ୍ଦିଷ୍ଟ, ଯେଉଁମାନେ ସମ୍ବିଧାନର ରାଣ ଖାଇ ସାମ୍ବିଧାନିକ ପଦରେ ଅବସ୍ଥାପିତ ଏବଂ ସାମ୍ବିଧାନିକ ବ୍ୟବସ୍ଥା ତଥା ସମ୍ବିଧାନ ନିଶ୍ଚିତ କରିଥିବା ନାଗରିକ ଅଧିକାରର ସୁରକ୍ଷା ପାଇଁ ଶପଥ ନେଇଛନ୍ତି। ପୁଣି ସେହିମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ଯେଉଁମାନେ ସେହି ସାମ୍ବିଧାନିକ ପଦ ପାଇଁ ଆଶାୟୀ ଭାବେ ଦୌଡ଼ରେ ଅଛନ୍ତି।

ସାମ୍ବିଧାନିକ ପଦରେ ଅବସ୍ଥାପିତ ଓ ପଦ ଆଶାୟୀ ରାଜନୈତିକ ବର୍ଗ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ସେବାରେ ନିୟୋଜିତ ଅମଲାତାନ୍ତ୍ରିକ କାର୍ଯ୍ୟନିର୍ବାହୀ ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରଶ୍ନର ଯାହାବି ଉତ୍ତର ଦିଅନ୍ତୁ, ଅଦାଲତଙ୍କୁ ଯେ ଏ ପ୍ରଶ୍ନ ପଚାରିବାକୁ ପଡ଼ିଲା, ତାହା ସ୍ୱତଃ ଅବସ୍ଥାର ଗମ୍ଭୀରତା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ଓ ଗଣତାନ୍ତ୍ରିକ ଭାବନା ପ୍ରତି ବାତାବରଣ ପ୍ରତିକୂଳ ହେଉଥିବା ବିଷୟ ପ୍ରତି ଇଙ୍ଗିତ କରୁଛି। ‘ପଦ୍ମାବତୀ’କୁ କେନ୍ଦ୍ର କରି କେତେକ ମହଲରେ ବିବାଦ ଓ ପ୍ରତିବାଦର ଝଡ଼ ସୃଷ୍ଟି ହେବା ଆଦୌ ଅସ୍ୱାଭାବିକ ନୁହେଁ। କିନ୍ତୁ ଯେଉଁ ପ୍ରକାର ଉଗ୍ର ଢଙ୍ଗରେ ପ୍ରତିବାଦ କରାଯାଉଛି, ତାହା ନିଶ୍ଚିତଭାବେ ଅସ୍ୱାଭାବିକ ଓ ଉଦ୍‌ବେଗଜନକ। ମାନ୍ୟବର ବମ୍ବେ ଉଚ୍ଚ ନ୍ୟାୟାଳୟଙ୍କ ପ୍ରଶ୍ନରେ ଏହି ଉଦ୍‌ବେଗ ପ୍ରତିଫଳିତ।

ଅଚ୍ଛେଦିନ୍‌ର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାରଙ୍କ ଅମଳରେ ଗଣତନ୍ତ୍ର ପାଇଁ ‘ବୁରେଦିନ୍‌’ର ଅଶୁଭ ସଂକେତ ଦେଉଛି ହାଇକୋର୍ଟଙ୍କ ପ୍ରଶ୍ନ। ‘ପଦ୍ମାବତୀ’କୁ ବିରୋଧ କରାଯିବାର ସାମ୍ବିଧାନିକ ଅଧିକାର ନିଶ୍ଚୟ ରହିଛି, କିନ୍ତୁ ଫିଲ୍ମର ଅଭିନେତ୍ରୀଙ୍କ ନାକ କାଟିବା କିମ୍ବା ନିର୍ଦ୍ଦେଶକଙ୍କ ମୁଣ୍ଡ କାଟ ପାଇଁ ଧମକ ଦେବା ନିଶ୍ଚିତ ଭାବେ ଏ ଅଧିକାର ପରିସରଭୁକ୍ତ ନୁହେଁ। ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଅନ୍ୟର ଅଧିକାରର ହନନ ଗ୍ରହଣୀୟ ନୁହେଁ। ଜଣେ ବ୍ୟକ୍ତିର ହାତ ହଲାଇବାର ଅଧିକାର ସେ ପର୍ଯ୍ୟନ୍ତ ଅଛି ଯେ ପର୍ଯ୍ୟନ୍ତ ଆଉ ଜଣକର ନାକ ଆରମ୍ଭ ହୋଇ ନାହିଁ। କାରଣ ଭାରତ ଏକ ଗଣତନ୍ତ୍ର, ‘ଜୋରଦାର ମୁଲକ ତାର’ ଚାଲୁଥିବା ଜଙ୍ଗଲ ରାଜ୍ୟ ନୁହେଁ। ହରିଆନାରେ ଶାସକ ଦଳର ଜଣେ କର୍ମକର୍ତ୍ତା ସୁରଜ୍‌ପାଲ୍‌ ଅମୁ, ‘ପଦ୍ମାବତୀ’ ନାୟିକା ଦୀପିକା ପାଦୁକୋନ୍‌ ଏବଂ ନିର୍ଦ୍ଦେଶକ ସଞ୍ଜୟ ବଂଶାଲୀଙ୍କ ମୁଣ୍ଡ ପାଇଁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କଲେ। ଏପରି ଏକ ଉଗ୍ର-ହିଂସାତ୍ମକ ଧମକ ସାଧାରଣ ଶାନ୍ତି ଓ ଆଇନ ଶୃଙ୍ଖଳା ପ୍ରତି ବିପଦ ହୋଇଥିଲେ ସୁଦ୍ଧା ସେ ଗର୍ବରେ ଖୋଲାରେ ବୁଲୁଛନ୍ତି। କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନାହିଁ। ଏହା ଉଗ୍ର ଅଗଣତାନ୍ତ୍ରିକ ଅସହିଷ୍ଣୁତାକୁ ବ୍ୟବସ୍ଥା ବା ରାଷ୍ଟ୍ରର ପୃଷ୍ଠପୋଷକତା ନୁହେଁ ତ? ଏହା ଅନ୍ୟ ସୁରଜ୍‌ପାଲ୍‌ ମାନଙ୍କୁ ପ୍ରୋତ୍ସାହିତ କରୁନାହିଁ କି? ସେଥିପାଇଁ ପଦ୍ମାବତୀ ବିରୋଧରେ ହିଂସାତ୍ମକ ଧମକର ସୁଅ ଛୁଟିଛି।

ତେବେ ଉଗ୍ର ଅସହିଷ୍ଣୁତା ପାଇଁ ହରିଆନା ବିଜେପି କର୍ମକର୍ତ୍ତା ସୁରଜପାଲ ବା ଅନ୍ୟମାନଙ୍କୁ ଏକା ଦାୟୀ କରାଯାଇ ପାରିବ ନାହିଁ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିବାଦୀୟ ଫିଲ୍ମକୁ ଆଗୁଆ ନିଷିଦ୍ଧ ଘୋଷଣା କରି ସାରିଲେଣି, ଯଦିଓ ଏ ସଂକ୍ରାନ୍ତ କ୍ଷମତାପ୍ରାପ୍ତ ସଂସ୍ଥା ସିବିଏଫ୍‌ସି (ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସିର୍ଟିଫିକେସନ୍‌) ବର୍ତ୍ତମାନ ସୁଦ୍ଧା ‘ପଦ୍ମାବତୀ’ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ସମ୍ବିଧାନର ସୁରକ୍ଷା ଓ ଆଇନର ଶାସନ ବଜାୟ ରଖିବା ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଗଣ ସିବିଏଫ୍‌ସିଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବା କ’ଣ ଉଚିତ ନଥିଲା? ଅସଲ କଥା ହେଲା ଶାସନ ବ୍ୟବସ୍ଥା ଚଳାଉଥିବା ମୁଖ୍ୟମନ୍ତ୍ରୀମାନଙ୍କ ଆଇନ ଓ ସମ୍ବିଧାନ ପ୍ରତି ଅଙ୍ଗୀକାର ଯେତିକି ନାହିଁ, ନିଜେ ବିଶ୍ୱାସ କରୁଥିବା ରାଜନୈତିକ ଆଦର୍ଶ, ଦଳୀୟ ନୀତି ପ୍ରତି ଅଙ୍ଗୀକାର ତା’ଠାରୁ ଅଧିକ। ଶାସନ ବ୍ୟବସ୍ଥା ଯେତେବେଳେ ଏକପାଖିଆ, ପକ୍ଷଭୁକ୍ତ ହେଇଯାଏ, ସେତେବେଳେ ଆଇନ ସମସ୍ତଙ୍କ ପାଇଁ ସମାନ ହେବ କେମିତି? ସବୁ ବର୍ଗଙ୍କୁ ସମାନ ଭାବେ ଆଇନ ଓ ସମ୍ବିଧାନର ସୁରକ୍ଷା ମିଳିବ କେମିତି?

‘ପଦ୍ମାବତୀ’ ପ୍ରସଙ୍ଗରେ ଉଗ୍ର-ଅସହିଷ୍ଣୁତା ଏକ ବ୍ୟତିକ୍ରମ ନୁହେଁ। ଗୋ-ସୁରକ୍ଷା ପ୍ରସଙ୍ଗରେ ଉଗ୍ର-ଅସହିଷ୍ଣୁତା ହିଂସାର ରୂପ ନେଇ ଅନେକ ଜୀବନ ନେଲାଣି। ଖାଦ୍ୟାଭ୍ୟାସ ପ୍ରସଙ୍ଗରେ ସମାଜରେ ବିଦ୍ୱେଷର ବିଷ ମଞ୍ଜି ବୁଣାଯାଉଛି। ନିଜର ଭାବନା ଓ ମତ ପ୍ରତି ସମ୍ମାନ ସହ ଅନ୍ୟର ଭାବନା ଓ ଭିନ୍ନମତ ପ୍ରତି ସମ୍ମାନ ଗଣତନ୍ତ୍ରର ମୂଳାଧାର। ସମାଜ ଓ ରାଜନୀତିର ବିଭିନ୍ନ ଗୋଷ୍ଠୀ ଓ ଦଳ ଗଣତନ୍ତ୍ରର ଏହି ମୌଳିକତାକୁ ଭୁଲି ଯାଉଛନ୍ତି। ଯାହାର ପରିଣତି, ସମାଜରେ ହିଂସା ବଢୁଛି, ରାଜନୀତି ମଧ୍ୟ ଅଧିକ ହିଂସାପ୍ରବଣ ହୋଇପଡୁଛି। ତେବେ ଦୁର୍ଭାଗ୍ୟର ବିଷୟ ହେଲା ଶାସନ ବ୍ୟବସ୍ଥା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଆଇନ ଶୃଙ୍ଖଳା ରକ୍ଷା କରିବାରେ ନିଜର କର୍ତ୍ତବ୍ୟ ପାଳନ କରୁନାହାନ୍ତି। ଫଳରେ ଗୌରୀ ଲଙ୍କେଶଙ୍କ ଭଳି ସାମ୍ବାଦିକ, କୁଲବର୍ଗୀଙ୍କ ଭଳି ସାହିତ୍ୟିକ, ଡାଭୋଲକରଙ୍କ ଭଳି ହେତୁବାଦୀଙ୍କୁ ନିଜର ମୁକ୍ତ ବିଚାର ଓ ଭିନ୍ନମତ ପାଇଁ ହିଂସାର ଶିକାର ହେବାକୁ ପଡୁଛି।

ଆହୁରି ଦୁର୍ଭାଗ୍ୟର ବିଷୟ ହେଲା, ଅନେକ ସମୟରେ ଭିନ୍ନମତବାଦୀଙ୍କ କଣ୍ଠରୋଧ ଲାଗି ଆଇନ ଓ କ୍ଷମତାକୁ ଅସ୍ତ୍ର ଭାବେ ଅପବ୍ୟବହାର କରାଯାଉଛି। ବ୍ୟକ୍ତି ବିଶେଷ ଓ ଗୋଷ୍ଠୀଙ୍କ ଅସହିଷ୍ଣୁତା ଅପେକ୍ଷା ରାଷ୍ଟ୍ରର ଅସହିଷ୍ଣୁତା ଅଧିକ ବିପଜ୍ଜନକ। ଜେଏନ୍‌ୟୁ ବିଶ୍ୱବିଦ୍ୟାଳୟର ଛାତ୍ର ନେତାଙ୍କ ସମେତ ବହୁ ଲେଖକ, ସାମ୍ବାଦିକ ଓ ବ୍ୟଙ୍ଗ ଚିତ୍ରକାରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଏହାର ଦୁଃଖଦ ପ୍ରମାଣ। କେବଳ ଚଳିତ ସରକାରଙ୍କ ଅମଳରେ ନୁହେଁ, ଦେଶଦ୍ରୋହ ସଂକ୍ରାନ୍ତ ଭାରତୀୟ ପିଙ୍ଗଳ କୋଡର ୧୨୪ (କ) ଧାରାର ଅପବ୍ୟବହାର ପ୍ରତିଟି ରାଜନୈତିକ ଦଳର ସରକାରଙ୍କ ଦ୍ୱାରା ହୋଇ ଆସୁଛି। ଗୋଟିଏ ପକ୍ଷରେ ପ୍ୟାରିସ୍‌ର ଚାର୍ଲି ହେବ୍‌ଡୋ ବ୍ୟଙ୍ଗ ପତ୍ରିକା କାର୍ଯ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ, ଡେନ୍‌ମାର୍କର ବ୍ୟଙ୍ଗ ଚିତ୍ରକରଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଫତଓ୍ଵାର ନିନ୍ଦା ଓ ସମାଲୋଚନା କରାଯାଉଛି, ଅଥଚ ଅନ୍ୟପକ୍ଷରେ ଆମ ଦେଶରେ କଳାକାର, ଲେଖକଙ୍କୁ ଭୟଭୀତ କରିବା ପାଇଁ ଉଗ୍ରତାକୁ ପ୍ରଶ୍ରୟ ଦିଆଯାଉଛି।

ଗୋ-ସୁରକ୍ଷା ଆଳରେ ହିଂସାଠାରୁ ଆରମ୍ଭ କରି ଭିନ୍ନମତବାଦୀ ସାମ୍ବାଦିକ, ଲେଖକ, ରାଜନୈତତିକ କର୍ମୀଙ୍କ ବିରୋଧରେ ହିଂସା, ଛାତ୍ର ନେତା ଓ ସାମାଜିକ ଓ ରାଜନୈତିକ କର୍ମୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଏବଂ ଫିଲ୍ମ କଳାକାରଙ୍କ ମୁଣ୍ଡକାଟ ଧମକ ପର୍ଯ୍ୟନ୍ତ- ଦୁର୍ଭାଗ୍ୟଜନକ ଘଟଣାବଳୀ ଗୋଟିଏ ଗଣତନ୍ତ୍ର ଭାବେ ଭାରତର ଛବିକୁ ବିଶ୍ୱ ଦରବାରରେ ମଳିନ ଓ ସନ୍ଦିଗ୍‌ଧ କରିଛି। ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥା ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଓ ମାନ୍ୟତା ତାଲିକାରେ ଏହା ପ୍ରତିଫଳିତ ହୋଇଛି। ବିଶ୍ୱର ଗଣତାନ୍ତ୍ରିକ ଦେଶଗୁଡ଼ିକର ନାଗରିକ ଅଧିକାର ଓ ରାଜନୈତିକ ଅଧିକାରର ସ୍ଥିତି ଉପରେ ନଜର ରଖିଥିବା ଆମେରିକାର ଏକ ଅଣ-ସରକାରୀ ସଂସ୍ଥା ‘ଫ୍ରିଡମ୍‌ ହାଉସ୍‌’ର ରିପୋର୍ଟ ଅନୁଯାୟୀ ଭାରତରେ ରାଜନୈତିକ ଓ ନାଗରିକ ଅଧିକାର ନେଇ ସ୍ଥିତି ଆଦୌ ସନ୍ତୋଷଜନକ ନୁହେଁ। ବିଶ୍ୱର ଅନେକ ଗଣତାନ୍ତ୍ରିକ ଦେଶ ତୁଳନାରେ ଭାରତରେ ବ୍ୟକ୍ତିର ନାଗରିକ ଓ ରାଜନୈତିକ ଅଧିକାର ଯଥେଷ୍ଟ ସଙ୍କୁଚିତ। ସମ୍ବିଧାନ ଅଧିକାର ଦେଇଥିଲେ ମଧ୍ୟ ସେଥିପାଇଁ ଅନୁକୂଳ ରାଜନୀତିକ ଓ ସାମାଜିକ ବାତାବରଣ ନାହିଁ।

ସମ୍ବିଧାନର ୧୯ ଧାରାରେ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଦତ୍ତ ବାକ୍‌ ସ୍ୱାଧୀନତା ବା ମୁକ୍ତ ବିଚାରର ଅଧିକାର ଯେ ବିଶେଷ ସୁରକ୍ଷିତ ନୁହେଁ ତାହା ପ୍ରତିଫଳିତ ହୋଇଛି ଗଣମାଧ୍ୟମର ସ୍ୱାଧୀନତା ସୂଚକାଙ୍କ ଆଧାରରେ ପ୍ରକାଶିତ ମାନ୍ୟତା ତାଲିକାରେ। ‘ରିପୋଟର୍ସ ଓ୍ଵିଦାଉଟ୍‌ ବର୍ଡର୍‌ସ’ ପକ୍ଷରୁ ପ୍ରକାଶିତ ମାନ୍ୟତା ତାଲିକାରେ ୧୮୦ ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୬। ୨୦୧୬ ତୁଳନାରେ ଭାରତର ସ୍ଥାନ ୨୦୧୭ରେ ତିନିପାଦ ତଳକୁ ଖସିଛି। ଶାନ୍ତି ସୂଚକାଙ୍କରେ ମଧ୍ୟ ଭାରତ ୧୩୭ ସ୍ଥାନରେ ରହିବା ଓ ହିଂସା ଯୋଗୁ ଦେଶର ଅର୍ଥନୀତି ଜିଡିପିର ୮.୬ ପ୍ରତିଶତ କ୍ଷତି ସହିବା ଏହାର ଦୁଃଖଦ ପ୍ରମାଣ ଯେ ଭାରତ ବିଶ୍ୱର ଅନ୍ୟ ବହୁ ଦେଶ ଅପେକ୍ଷା ଅଧିକ ହିଂସା ଆକ୍ରାନ୍ତ। ଏହାର ଏକ ମୁଖ୍ୟ କାରଣ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଉଗ୍ର- ଅସହିଷ୍ଣୁତା। ଏହା ଗଣତନ୍ତ୍ର ପାଇଁ ଆଦୌ ଏକ ଶୁଭ ଲକ୍ଷଣ ନୁହେଁ।

ତେଣୁ ମାନ୍ୟବର ମୁମ୍ବାଇ ହାଇକୋର୍ଟ ପଚାରିଥିବା ପ୍ରଶ୍ନ ଆଧାରରେ ପ୍ରତ୍ୟେକ ଭାରତୀୟ, ବିଶେଷ କରି ରାଜନୈତିକ ବର୍ଗ ଏବଂ ଅମଲାତନ୍ତ୍ର- ଆତ୍ମସମୀକ୍ଷା କରନ୍ତୁ। ଭାରତରେ ଗଣତନ୍ତ୍ର, ଗଣତାନ୍ତ୍ରିକ ମୂଲ୍ୟବୋଧ, ବ୍ୟକ୍ତି ସ୍ୱାଧୀନତା କେତେ ସୁରକ୍ଷିତ? ‘ପଦ୍ମାବତୀ’ ଭଳି ଅସ୍ୱସ୍ତିକର ପ୍ରକରଣର ପୁନରାବୃତ୍ତିକୁ କ’ଣ ଏଡ଼ାଯାଇ ପାରିବ ନାହିଁ?

ସମ୍ବନ୍ଧିତ ଖବର