ଜାନ୍ତବ ନିରୁତ୍ସାହ

ଗୁରୁବାର ଦିନ ଲଗାତାର ଷଷ୍ଠଥର ପାଇଁ ଲାଲକିଲ୍ଲାରୁ ଜାତି ଉଦ୍ଦେଶ୍ୟରେ ସ୍ବାଧୀନତା ଦିବସର ଅଭିଭାଷଣ ପ୍ରଦାନ କଲା ପରେ ପରେ ପ୍ରଧାନମନ୍ତ୍ରୀ ସିଧା ଯାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ତାଙ୍କର ଅର୍ଥମନ୍ତ୍ରଣାଳୟର ଉଚ୍ଚ ଅମଲାମାନଙ୍କ ସହିତ ଦେଶର ସାମ୍ପ୍ରତିକ ଅର୍ଥନୈତିକ ମାନ୍ଦା ଅବସ୍ଥାରୁ ମୁକୁଳିବା ଉପାୟ ସମ୍ବନ୍ଧରେ ଆଲୋଚନା କରିଥିବା ସମ୍ବାଦ ପ୍ରକାଶ ପାଇଛି। ଯଦି ଏ ସମ୍ବାଦ ସତ୍ୟ ହୋଇଥାଏ, ତେବେ କୁହାଯାଇପାରେ ଯେ ମୋଦୀ ଏପରି ଏକ ପଦକ୍ଷେପ ନେବାରେ ବେଶ୍‌ ବିଳମ୍ବ ହୋଇ ସାରିଲାଣି ଓ ଆଉ ବିଳମ୍ବ ହେବା ପୂର୍ବରୁ ସୀତାରମଣ ମୋଦୀଙ୍କ ନିର୍ଦ୍ଦେଶରେ ଏଥର ଅର୍ଥନୀତିରେ ପ୍ରାଣ ସଞ୍ଚାର କରିବା ପାଇଁ ଆନ୍ତରିକ ଉଦ୍ୟମ ନେବା ଆରମ୍ଭ କରନ୍ତୁ।

ମଇ ମାସରେ ନରେନ୍ଦ୍ର ମୋଦୀଙ୍କର ସରକାର ଯେତେବେଳେ ଦ୍ବିତୀୟ ପାଳି ପାଇଁ ବିପୁଳ ସ˚ଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାରେ ରହିଲା, ସେତେବେଳେ ଦେଶର ଶିଳ୍ପପତି, ନିବେଶକ ତଥା ବ୍ୟାଙ୍କର‌୍‌ମାନେ ଏହାକୁ ବାହୁପ୍ରସାରୀ ସ୍ବାଗତ କରିବା ଦେଖାଯାଇଥିଲା। ମୋଦୀଙ୍କର ଏହି ବିଜୟ ସେମାନଙ୍କ ମନରେ ଥିବା ଏକ ଛନକାରେ ଅନ୍ତ ଘଟାଇଥିଲା। ମୋଦୀଙ୍କର ବିକଳ୍ପ ଥିଲେ କ˚ଗ୍ରେସର ରାହୁଲ ଗାନ୍ଧୀ ଏବ˚ ରାହୁଲ ଗାନ୍ଧୀ ତାଙ୍କର ନିର୍ବାଚନ ପ୍ରଚାର ପୂର୍ବରୁ ଏକ ସ୍ପଷ୍ଟ ରୂପେ ଶିଳ୍ପ-ବାଣିଜ୍ୟ-ବିରୋଧୀ ଅଭିମୁଖ୍ୟ ପ୍ରକାଶ କରି ମୋଦୀଙ୍କୁ ଧରାଶାୟୀ କରିବାକୁ ଉଦ୍ୟମ କରି ଆସିଥିଲେ। ରାହୁଲଙ୍କର ‘ସୁଟ୍‌ ବୁଟ୍‌କୀ ସରକାର’ କଟାକ୍ଷ କିମ୍ବା ରାଫାଲ୍‌ ବ୍ୟାପାରରେ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ପ୍ରତି ମୋଦୀଙ୍କର ତଥାକଥିତ ଅନୁଗ୍ରହ ଅଭିଯୋଗ ଦେଶର ଶିଳ୍ପବାଣିଜ୍ୟ ମହଲରେ ଏହି ଛାନିଆ ଭାବେ ସୃଷ୍ଟି କରିଥିଲା ବେଳେ ତା’ ପୂର୍ବରୁ ମଧୢପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ବିଧାନସଭା ନିର୍ବାଚନରେ କ˚ଗ୍ରେସର ବିଜୟ କେନ୍ଦ୍ରରେ ମଧୢ କ˚ଗ୍ରେସ ସରକାରକୁ ଫେରିବାର ଏକ ବାସ୍ତବ ସମ୍ଭାବନା ସୃଷ୍ଟି କରିଥିଲା।

ଏଣୁ ମଇ ମାସରେ ମୋଦୀ ଯେତେବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ଆସନରେ ବସିଲେ ଦେଶର ଶିଳ୍ପବାଣିଜ୍ୟର ମଙ୍ଗୁଆଳ ମାନେ ଏକ ଆଶ୍ବସ୍ତିର ନିଃଶ୍ବାସ ଛାଡ଼ିଥିଲେ। ସେମାନେ ଭାବିଥିଲେ ମୋଦୀ ଏଥର ଶିଳ୍ପବାଣିଜ୍ୟକୁ ସହାୟକ ହେବା ଭଳି କୌଣସି ଚମକପ୍ରଦ ପଦକ୍ଷେପ ଘୋଷଣା କରିବେ, ଯେମିତି ପ୍ରଥମ ପାଳିରେ ଜିଏସ୍‌ଟି ଲାଗୁ ହେବା ପାଇଁ କିମ୍ବା ନୂତନ ବ୍ୟାଙ୍କ୍ରପ୍‌ସି କୋଡ଼ ଲାଗୁ କରିବା ପାଇଁ ସେ କହିଥିଲେ। ଦୁଇମାସ ପରେ କିନ୍ତୁ ସେମାନଙ୍କର ସେ ଆଶା ଯେ ବାଷ୍ପପରି ମିଳାଇ ଯାଇଛି ତାର ପ୍ରମାଣ ଦେଉଛି ବର୍ତ୍ତମାନ ବମ୍ବେ ସେଆର ବଜାରର ସେନ୍‌ସେକ୍ସ ସୂଚନାଙ୍କର ଆଚରଣ। ମୋଦୀଙ୍କର ପ୍ରତ୍ୟାବର୍ତ୍ତନ ଉଲ୍ଲାସରେ ଯେଉଁ ସେନ୍‌ସେକ୍ସ ଜୁନ୍‌ରେ ସର୍ବକାଳୀନ ସର୍ବୋଚ୍ଚ ଶିଖର ଆରୋହଣ କରିଥିଲା, ତାହା ଏବେ ପୂର୍ବବର୍ଷ ଅକ୍ଟୋବର ଭଳି ରସାତଳରେ ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଜୁଲାଇରେ ବିଦେଶୀ ନିବେଶକମାନେ ଭାରତୀୟ ସେଆର ମାନଙ୍କରେ ଯେତିକି ପୁଞ୍ଜିନିବେଶ କରିଥିଲେ, ତା’ଠାରୁ ଅଧିକ ଏଠାରୁ କାଢ଼ି ନେଇ ପଳାଇଥିଲେ। ଭାରତୀୟ ଅର୍ଥନୀତିରେ ଚାହିଦାର ମରୁଡ଼ି ଦେଖାଦେବା ସହିତ ଘରୋଇ ନିବେଶ ମଧୢ ଶୁଖିଗଲାଣି। ଏ ଉଭୟ ହେଉଛନ୍ତି ଶିଳ୍ପବାଣିଜ୍ୟ କ୍ଷେତ୍ରରେ ଅଭିବୃଦ୍ଧିର ଆଧାର। ତେଣୁ ଅର୍ଥନୀତିର ଅଭିବୃଦ୍ଧି କେଉଁଠୁ ଆସିବ ବୋଲି ଏକ ବିରାଟ ପ୍ରଶ୍ନବାଚୀ ଉଭା ହୋଇଛି।

ବର୍ତ୍ତମାନର ଶୋଚନୀୟ ଅବସ୍ଥା ପାଇଁ ଯଦି ଏକ ତାତ୍‌କାଳିକ କାରଣ ଖୋଜାଯାଏ ତେବେ ତାହା ମୋଦୀଙ୍କୁ ମିଳିଯିବ ତାଙ୍କର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଠାରୁ। ସୀତାରମଣ ଜୁଲାଇ ୫ରେ ଉପସ୍ଥାପନ କରିଥିବା ବଜେଟ୍‌ରେ ଶିଳ୍ପଦ୍ୟୋଗୀ ଓ ନିବେଶକମାନଙ୍କୁ ନିରୁତ୍ସାହିତ କରିବା ଭଳି ଯେତେଗୁଡ଼ିଏ ଉପାଦାନ ରହିଛି, ସେଗୁଡ଼ିକ ଏପରି ଏକତ୍ର ପରିବେଷଣ ଅତୀତରେ ଖୁବ୍‌ କମ୍‌ ବଜେଟ୍‌ରେ ଦେଖାଯାଇଛି। ସେମାନେ ଆଶା କରୁଥିଲେ ଏକ ଅଭିବୃଦ୍ଧି ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ସୀତାରମଣ ତାଙ୍କ ବଜେଟ୍‌ ମାଧୢମରେ ନାଲି ଫିତା ଗୁଡ଼ିଏ କାଟି ତେବେ, ଶୁଳ୍କ ମାହାସୁଲ ଆଦି ସ˚ଖ୍ୟାରେ ହ୍ରାସ ଘଟାଇବେ, କର ହାରରେ ହ୍ରାସ ଘଟାଇବେ ଏବ˚ ପୁଞ୍ଜିନିବେଶ ପାଇଁ ପ୍ରୋତ୍ସାହନମାନ ପ୍ରଦାନ କରିବେ। ସେମାନେ କିନ୍ତୁ ଯାହା ପାଇଲେ ତାହା ହେଉଛି ତାହାର ଠିକ୍‌ ବିପରୀତ।

ସୀତାରମଣଙ୍କର ବଜେଟ୍‌ରେ ଥିବା ୧୪୩ଟି ବ୍ୟବସ୍ଥା ମଧୢରେ ଏହି ସମସ୍ତ ନକାରାତ୍ମକ ଉପାଦାନ ଆସ୍ଥାନ ଜମାଇଛନ୍ତି। ଅତି ଉଚ୍ଚ ଆୟକାରୀଙ୍କ ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ କର ହାର ୩୫.୯%ରୁ ବୃଦ୍ଧିପାଇ ହୋଇଛି ୪୨.୭% (ଧନୀ ଦେଶ ମାନଙ୍କ ଭଳି); ବଡ଼ ବଡ଼ କମ୍ପାନିମାନଙ୍କ ପାଇଁ କର୍ପୋରେଟ୍‌ ଟିକସ ହାର ୩୫%ରେ ରହିଛି। (ଆମେରିକା ଏହା ୨୧% ଓ ସାରା ପୃଥିବୀର ହାରାହାରି ୨୩%); ସେଆର ପୁନଃକ୍ରୟ (ବାଏ ବ୍ୟାକ୍‌) ଉପରେ ଲାଗୁ କରାଯାଇଥିବା ୨୦% ଟିକସ ମିଶି କ୍ୟାପିଟାଲ ଗେନ୍‌ସ (ପୁଞ୍ଜିଜନିତ ଲାଭ) ଟିକସ ହାର ହୋଇଛି ୪୦%ରୁ ଅଧିକ। ଯଦି ଡିଭିଡେ଼ଣ୍ତ ଉପରେ ଏକ ପ୍ରାପକ (ରିସିଡ଼ିଏଣ୍ଟ)ମାନଙ୍କ ଉପରେ ଏବେ ବସା ଯାଇଥିବା ଟିକସକୁ ମିଶାଯାଏ, ତେବେ ସରକାର କର୍ପୋରେଟ୍‌ ଲାଭର ପ୍ରାୟ ୬୦% ନିଜ ଖଜଣାଖାନାକୁ ନେଇଯିବେ। ବିଦେଶୀ ନିବେଶକମାନେ ଯେଉଁ ଟ୍ରଷ୍ଟ ବାଟ ଦେଇ ଏଠାର ସେଆର ବଜାରରେ ନିବେଶ କରନ୍ତି, ସେଗୁଡ଼ିକ ଉପରେ ଉଚ୍ଚା ହାରରେ ଟିକସ ଲଗାଯିବା ଫଳରେ ଏଠାରୁ ପଳାୟନ କରୁଛନ୍ତି। ଏହା ଯେମିତି ଯଥେଷ୍ଟ ନ ଥିଲା, ଜୁଲାଇ ୩୦ରେ କମ୍ପାନି ଆକ୍ଟରେ କରାଯାଇଥିବା ଏ ସ˚ଶୋଧନ ଅନୁସାରେ ଯେଉଁ କମ୍ପାନିମାନେ ଟିକସ ପରବର୍ତ୍ତୀ ଲାଭର ଏକ ନିର୍ଦ୍ଧାରିତ ଅ˚ଶ ସମାଜମଙ୍ଗଳ କାର୍ଯ୍ୟକ୍ରମ‌େର(ସିଏସ୍‌ଆର୍‌) ନିୟୋଜିତ ନ କରିବେ ସେ କମ୍ପାନିର ଉଚ୍ଚ ପଦାଧିକାରୀମାନଙ୍କୁ ଜେଲ୍‌ଦଣ୍ତ ଦିଆଯିବ।

କୌଣସି ଏକ ଦେଶର ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ବୃଦ୍ଧି ଘଟି ଅର୍ଥନୀତିକୁ ଚଳଚଞ୍ଚଳ କରିବା ସେଠାକାର ନିବେଶକ ଓ ଉଦ୍ୟୋଗପତିମାନଙ୍କ ‘ଆନିମଲ୍‌ ସ୍ପିରିଟ୍‌’ ବା ‘ଜାନ୍ତବ ଉତ୍ସାହ’ ଉପରେ ନିର୍ଭର କରିଥାଏ ବୋଲି ମହାନ୍‌ ଅର୍ଥନୀତିଜ୍ଞ ଜନ୍‌ ମେନାର୍ଡ କୀନ୍‌ସ କହିଥିଲେ। ମୋଦୀଙ୍କର ଦ୍ବିତୀୟ ପାଳି ସରକାରରେ ଏ ଯେଉଁ ପଦକ୍ଷେପମାନ ଦେଖିବାକୁ ମିଳିଛି, ତାହା ଯେ ଜାନ୍ତବ ଉତ୍ସାହ ପରିବର୍ତ୍ତେ କେବଳ ଜାନ୍ତବ ନିରୁତ୍ସାହ ସୃଷ୍ଟି କରୁଛି। ତାଙ୍କର ଲାଲକିଲ୍ଲା ଅଭିଭାଷଣରେ ସମ୍ପଦ ସୃଷ୍ଟିକର୍ତ୍ତାମାନଙ୍କୁ ପ୍ରଶ˚ସା କରିଥିବା ନରେନ୍ଦ୍ର ମୋଦୀ ତାଙ୍କର ଅର୍ଥମନ୍ତ୍ରୀଙ୍କୁ ଆଲୋଚନା ସମୟରେ ବୁଝାଇ ଥିବେ ବୋଲି ଆଶା କରାଯାଏ।

ସମ୍ବନ୍ଧିତ ଖବର