‘ଈଶ୍ବର ଏକ ତରାଜୁରେ ଜଣେ ପଣ୍ତିତ ବ୍ରାହ୍ମଣଙ୍କ ହତ୍ୟା ଅପରାଧ ସହିତ ସୁଧ ଆଦାୟ ଅପରାଧକୁ ତଉଲିଲେ; ବ୍ରହ୍ମହତ୍ୟାକାରୀ ରହିଲା ଉପରେ, ସୁଧ ଆଦାୟକାରୀ ଝୁଲିଲା ତଳକୁ।’ ମହର୍ଷି ବଶିଷ୍ଠଙ୍କର ଏହି ବିଚାର ଅନୁସାରେ ଋଣ ଉପରେ ସୁଧ ଆଦାୟ କରିବା ଯଦି ବ୍ରହ୍ମହତ୍ୟା ଠାରୁ ମଧୢ ଅଧିକ ଗୁରୁତର ଅପରାଧ, ସୁଧ ଉପରେ ଆହୁରି ସୁଧ ଆଦାୟ କରିବା ତେବେ ଈଶ୍ବରଙ୍କ ତରାଜୁରେ କେଉଁଭଳି ଅପରାଧ ରୂପେ ବିବେଚିତ ହେବ? କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟ ବ୍ୟାଙ୍କ୍ ମାନଙ୍କୁ ସୁପ୍ରିମ୍ କୋର୍ଟ ଠିକ୍ ଏହି ପ୍ରଶ୍ନ ପଚାରି ନଥିଲେ ମଧୢ, ସେପ୍ଟେମ୍ବର ୨୮ରେ ସେମାନେ ଯେତେବେଳେ ସୁପ୍ରିମ୍ କୋର୍ଟଙ୍କ ନିକଟରେ ଜବାବ ଦାଖଲ କରିବେ, ସେତେବେଳେ ବଶିଷ୍ଠଙ୍କର ଏହି ବିଚାର ସମ୍ବନ୍ଧରେ ସଚେତନ ଥିବେ ବୋଲି ଆଶା କରାଯାଏ। କାରଣ ସେଦିନ ସେମାନେ କୋଭିଡ୍-୧୯ ଯୋଗୁଁ ବଳବତ୍ତର କରାଯାଇଥିବା ଋଣ ଆଦାୟ ସ୍ଥଗନ ବା ‘ମୋରାଟୋରିଅମ୍’ ସମୟରେ ଯେଉଁ ସୁଧ ଛାଡ଼ ପ୍ରତି ସେମାନଙ୍କର ଆଭିମୁଖ୍ୟ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିବେ, ସେଥିରେ ମଧୢ ଅନ୍ତର୍ଭୁକ୍ତ ଅଛି ସ୍ଥଗିତ ସୁଧ ଉପରେ ସେମାନେ ଆଦାୟ କରିବାକୁ ଚାହୁଁଥିବା ଆହୁରି ସୁଧ।
ଏଠାରେ ମନେ ପକାଇ ଦିଆ ଯାଇପାରେ ଯେ ଚୀନା କରୋନା ଯେତେବେଳେ ଦେଶର ଅର୍ଥନୀତିକୁ ଗ୍ରାସ କରିବାକୁ ଆରମ୍ଭ କଲା ଏବ˚ ଋଣଗ୍ରସ୍ତ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ବ୍ୟବସାୟ ଅନୁଷ୍ଠାନ ପର୍ଯ୍ୟନ୍ତଙ୍କର ଋଣ ପରିଶୋଧ କ୍ଷମତା ଗୁରୁତର ବାଧାପ୍ରାପ୍ତ ହେଲା, ସେତେବେଳେ ସରକାରଙ୍କ ଉପଦେଶ ଅନୁସାରେ ରିଜର୍ଭ ବ୍ୟାଙ୍କ୍ ମାର୍ଚ୍ଚ ୨୦୨୦ ଠାରୁ ପ୍ରଥମେ ତିନିମାସ ପାଇଁ ଓ ତା’ପରେ ଆଉ ତିନିମାସ ପାଇଁ କିସ୍ତି ପରିଶୋଧକୁ ସ୍ଥଗିତ କରି ଦେଇଥିଲେ, ଯାହାର ଅବଧି ଅଗଷ୍ଟ ୩୧ ତାରିଖରେ ଶେଷ ହୋଇ ଯାଇଥିଲା। ଇତିମଧୢରେ ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କିସ୍ତି ପରିଶୋଧ ହୋଇ ନ ପାରିଲେ ମଧୢ କୌଣସି ଋଣକୁ ଆଉ ଦୁଇ ମାସ ପାଇଁ ଅର୍ଥାତ୍ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଖିଲାପି ଋଣ ବା ‘ଏନ୍ପିଏ’ ଶ୍ରେଣୀଭୁକ୍ତ ନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଉପରେ କୁହାଯାଇଥିବା ଭଳି କେନ୍ଦ୍ର ସରକାର, ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟ ବ୍ୟାଙ୍କ୍ମାନଙ୍କୁ ସେପ୍ଟେମ୍ବର ୨୮ରେ ଜବାବ ଦାଖଲ କରିବାକୁ କହିଛନ୍ତି।
ତେବେ ମୋରାଟୋରିଅମ୍ର ସମ୍ପ୍ରସାରଣ ପାଇଁ ଏଭଳି ଦାବି ହୋଇଥିଲେ ମଧୢ ଆରମ୍ଭରୁ ଏହାର କାର୍ଯ୍ୟକାରିତା ନେଇ ଏକ ପ୍ରକାର ଅସ˚ଗତି ଦେଖିବାକୁ ମିଳିଛି। ଆଶା କରାଯାଉଥିବା ଭଳି ଏକ ଉଚ୍ଚ ଅନୁପାତର ଋଣ ଏହି ସାମୟିକ ସ୍ଥଗନର ସୁଯୋଗ ନେବା ଦେଖାଯାଇନଥିଲା। ଏହାର କାରଣ ନୁହେଁ ଯେ ସେଭଳି ସ୍ଥଗନ ସୁଯୋଗ ନେବାକୁ ଅନିଚ୍ଛୁକ ଋଣଗ୍ରସ୍ତମାନେ ଅର୍ଥନୀତିର କରୋନାଗ୍ରସ୍ତ ମାନ୍ଦା ଅବସ୍ଥା ସତ୍ତ୍ବେ ବେଶ୍ ସ୍ବଚ୍ଛଳ ଅବସ୍ଥାରେ ଅଛନ୍ତି। ଏହାର କାରଣ ହେଉଛି ଲାଭକ୍ଷତି ସମ୍ବନ୍ଧରେ ସାମାନ୍ୟ ଜ୍ଞାନର ଉପସ୍ଥିତି। ଯେତେବେଳେ ଋଣ ପରିଶୋଧ ସ୍ଥଗନ ପ୍ରସ୍ତାବ ଘୋଷିତ ହେଲା, ସେତେବେଳେ ଏହାର ଟିକିନିଖି ରୂପରେଖ ନେଇ ଏକ ସ୍ପଷ୍ଟ ଚିତ୍ର ସମସ୍ତଙ୍କ ସମ୍ମୁଖରେ ଉପଲବ୍ଧ ନଥିଲା। ପରେ ଯେତେବେଳେ ଚିତ୍ର ସ୍ପଷ୍ଟ ହେବାକୁ ଲାଗିଲା, ସେତେବେଳେ ଜଣାପଡ଼ିଲା ଯେ ମୋରାଟୋରିଅମ୍ ଯୋଗୁଁ ଯେଉଁ କିସ୍ତି ବା ‘ଇଏମ୍ଆଇ’ ସ୍ଥଗିତ ରହିବ, ପରବର୍ତ୍ତୀ ସମୟରେ ସେଇ ସମୟ ପାଇଁ ସେ ରାଶି ଉପରେ ସୁଧ ଆଦାୟ କରାଯିବ। ଯେହେତୁ କିସ୍ତିରେ ସୁଧ ମିଶିଯାଏ, ଏହାର ଅର୍ଥ ପରେ ସୁଧ ଉପରେ ମଧୢ ପୁଣି ସୁଧ ଦେବାକୁ ହେବ (ଯେମିତି ଏକ ଖରାପ ଟିକସ ବ୍ୟବସ୍ଥାରେ ଟିକସ ଉପରେ ମଧୢ ଟିକସ ଦେବାକୁ ପଡ଼ିଥାଏ, ଯାହା ‘ଟ୍ୟାକ୍ସ କାସ୍କେଡିଙ୍ଗ୍’ ନାମରେ କୁଖ୍ୟାତ)। ଯେଉଁଠି ଋଣର ଆକାର ବହୁତ ବଡ଼ ଏବ˚ ତେଣୁ କିସ୍ତିର ଆକାର ମଧୢ ବହୁତ ବଡ଼, ସେଠାରେ ମୋରାଟୋରିଅମ୍ ଜନିତ ସୁଧ ଉପରେ ସୁଧର ଆକାର ସ୍ବାଭାବିକ ଭାବରେ ବିଶାଳ ହେବ। ତେଣୁ ଦେଖାଯାଏ ବଡ଼ ବଡ଼ ବ୍ୟବସାୟ ଅପେକ୍ଷା ବେତନ ଭୋଗୀ ଏବ˚ କ୍ଷୁଦ୍ର ବ୍ୟବସାୟୀମାନେ ଅଧିକତର ଏହି ମୋରାଟୋରିଅମ୍ ସ୍କିମ୍ରେ ପ୍ରବେଶ କରିବାକୁ ଆଗେଇ ଆସିଛନ୍ତି। ଋଣଗ୍ରହୀତାଙ୍କ ପାଇଁ ମୋରାଟୋରିଅମ୍ରେ ପ୍ରବେଶ କରିବା ବାଧୢତାମୂଳକ ହୋଇ ନଥିବାରୁ ଅନେକ ଋଣଗ୍ରହୀତା ପରିଶୋଧ ଜାରି ରଖିବାକୁ ପସନ୍ଦ କରିଛନ୍ତି।
ଏଠାରେ ସୂଚାଇ ଦିଆଯାଇପାରେ ରିଜର୍ଭ ବ୍ୟାଙ୍କ୍ ଦେଇଥିବା ନିର୍ଦ୍ଦେଶ ଅନୁସାରେ ମୋରାଟୋରିଅମ୍ ବଳବତ୍ତର ଥିବା ସମୟରେ ଯେଉଁ ଋଣର କିସ୍ତି ପରିଶୋଧ ସ୍ଥଗିତ ରହିବ, ସେ ଋଣକୁ ବ୍ୟାଙ୍କ୍ ‘ଖିଲାପି ଋଣ’ ବା ‘ଏନ୍ପିଏ’ରେ ପରିଣତ କରିବ ନାହିଁ, ଯାହା ସ୍ବାଭାବିକ ଭାବରେ ପ୍ରଚଳିତ ନିୟମ ଅନୁସାରେ ଘଟିଥାନ୍ତା। ଏହା ସମ୍ପୃକ୍ତ ବ୍ୟାଙ୍କ୍ ପାଇଁ ଆଶ୍ବସ୍ତି ଆଣିଥାଏ। ସମ୍ପୃକ୍ତ ଋଣଗ୍ରହୀତାଙ୍କ ପାଇଁ ମଧୢ ଏଥିରେ ଅନୁରୂପ ଆଶ୍ବସ୍ତିର ବ୍ୟବସ୍ଥା ରହିଛି। ସାଧାରଣତଃ ଋଣ ‘ଏନ୍ପିଏ’ ଘୋଷିତ ହେଲେ, ସେ ଋଣଗ୍ରହୀତାଙ୍କର ଋଣ ଗ୍ରହଣ ଯୋଗ୍ୟତା (କେଡ୍ରିଟ୍ ରେଟିଙ୍ଗ୍)ରେ କଳାଦାଗ ଲାଗିଥାଏ। କିନ୍ତୁ ମୋରାଟୋରିଅମ୍ ସମୟରେ ଋଣଗ୍ରହୀତା କିସ୍ତି ଖିଲାପ କଲେ ମଧୢ ତାଙ୍କ ମର୍ଯ୍ୟାଦାରେ ସେ ପ୍ରକାର ଆଞ୍ଚ ଆସିବ ନାହିଁ। ଋଣଗ୍ରହୀତା ଚାହିଁଲେ ମୋରାଟୋରିଅମ୍ ଅବଧି ସମ୍ପୂର୍ଣ୍ଣ ହେବା ପରେ ପରେ ହିଁ ମୂଳ, ସୁଧ ଓ ସୁଧ ଉପରେ ସୁଧ ଫେରସ୍ତ କରି ଦେଇ ପାରିବେ କିମ୍ବା ଭବିଷ୍ୟତର କିସ୍ତିମାନଙ୍କରେ ଏହାକୁ ମିଶାଇ ଦେଇପାରିବେ। ଏହା ସତ୍ତ୍ବେ ମଧୢ ରିଜର୍ଭ ବ୍ୟାଙ୍କ୍ ପ୍ରଦାନ କରିଥିବା ମୋରାଟୋରିଅମ୍ ସୁବିଧା ବ୍ୟାଙ୍କ୍ମାନଙ୍କର ଗ୍ରାହକମାନଙ୍କ ମଧୢରେ ସେଇଭଳି ଉତ୍ସାହ ସୃଷ୍ଟି କରିପାରି ନାହିଁ, ଯେଉଁଭଳି ସରକାର ଆଶା କରୁଥିଲେ। ଏହାର ବିଭିନ୍ନ କାରଣ ରହିଛି। ପ୍ରଥମ କଥା ହେଲା, ପରିସ୍ଥିତିର ଭୟାବହତା ଦୃଷ୍ଟିରୁ ଏହାର ଅବଧି ହେଉଛି ଅତ୍ୟନ୍ତ ସ˚କ୍ଷିପ୍ତ। ପ୍ରଥମେ ଆଶା କରାଯାଉଥିବା ଭଳି ଅଠର ଦିନର ମହାଭାରତ ଯୁଦ୍ଧ ଠାରୁ ଆଉ ତିନି ଦିନ ଅଧିକ ସମୟରେ, ଅର୍ଥାତ୍ ମାତ୍ର ତିନି ସପ୍ତାହରେ ଚୀନା କରୋନାକୁ କାବୁ କରାଯାଇ ପାରିନାହିଁ। ବର˚ ଏହି ପୀତ ଆତଙ୍କ ବର୍ଷାଧିକ କାଳ ଦେଶକୁ କବଳିତ କରି ରଖିବାର ସମସ୍ତ ଆଶଙ୍କା ଦେଖା ଦେଲାଣି। ଏହି ସମୟରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ଓ ଲୋକମାନଙ୍କର ଆୟ ଅର୍ଜନ ସ୍ବାଭାବିକ ଅବସ୍ଥାକୁ ଫେରିଆସିବା ସମ୍ଭାବନା କ୍ଷୀଣ।
ଯଦିବା ଚଳିତ ମାସ ଆରମ୍ଭରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍ ଦେଶର ଅର୍ଥନୀତିରେ ଏକ ଇ˚ରେଜୀ ଅକ୍ଷର ‘ଭି’(V) ଆକାରର ପୁନର୍ଜାଗରଣ ଦେଖାଦେବାକୁ ଆରମ୍ଭ କଲାଣି ବୋଲି ଦାବି କରିଥିଲେ, ପର୍ଯ୍ୟବେକ୍ଷକମାନେ କହୁଛନ୍ତି ଏହି ‘ଭି’ର ବାମ ପଟର ଗଡ଼ାଣି ଗାରଟି ବେଶ୍ ତୀକ୍ଷ୍ଣ ହୋଇଥିବା ବେଳେ, ଡାହାଣ ପଟର ଉଠାଣି ଗାରଟି ଅଧିକ ସମତଳ ( ) ହେବାକୁ ଯାଉଛି। ଏହାର ଅର୍ଥ ଅର୍ଥନୀତି ଅତ୍ୟନ୍ତ ଧୀର ମନ୍ଥର ଗତିରେ ନିଜର ସ୍ବାସ୍ଥ୍ୟ ଫେରି ପାଇବ, ଯାହା ବେଶ୍ ସମୟ ସାପେକ୍ଷ। ଅନ୍ୟ କେତେକ ତ କହୁଛନ୍ତି ଆଗକୁ ଅର୍ଥନୀତିର ଗତି ‘ଭି’ ପରି ନୁହେଁ, ଇ˚ରେଜୀ ଅକ୍ଷର (K) ପରି ଆକୃତି ଅନୁସରଣ କରିବାକୁ ଯାଉଛି। ‘କେ’ର ସଳଖ ଖୁଣ୍ଟଟି ସ୍ଥାଣୁପ୍ରାୟ ଅର୍ଥନୀତିକୁ ସୂଚାଉଥିବା ବେଳେ ସେ ଖୁଣ୍ଟରୁ ବାହାରିଛି ଦୁଇ କିସମର ଲୋକଙ୍କର ଅର୍ଥନୈତିକ ଭାଗ୍ୟ। ଗୋଟିଏ କିସମର ଲୋକ କରୋନା ଜନିତ ପରିବର୍ତ୍ତିତ ପରିସ୍ଥିତିରୁ ଲାଭ ଉଠାଇ ଉପରମୁହାଁ ତେରେଛା ବାଡ଼ିରେ ଚଢ଼ି ପାରିଛନ୍ତି (ଯେମିତି ଅନଲାଇନ ସେବା ପ୍ରଦାନକାରୀ), କିନ୍ତୁ ସ˚ଖ୍ୟାବହୁଳ ଲୋକ ଆୟ ହରାଇ ‘କେ’ର ତଳମୁହାଁ ବାଡ଼ିରେ ଖସିବାକୁ ଲାଗିଛନ୍ତି (ଯେମିତି ଜଳଖିଆ ଦୋକାନୀ)। ଏହି ଦ୍ବିତୀୟ ଶ୍ରେଣୀର ଋଣଗ୍ରହୀତାଙ୍କ ପାଇଁ ମାତ୍ର ଛ’ମାସର ପରିଶୋଧ ସ୍ଥଗନ ହେଉଛି ସମୁଦ୍ରକୁ ଶଙ୍ଖେ ଭଳି। ଯେହେତୁ କରୋନା ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ବିଧ୍ବ˚ସକାରୀ ଶକ୍ତି ରୂପେ ଅର୍ଥନୀତିକୁ ଧରାଶାୟୀ କରିଛି, ଆଇନ ଅନୁସାରେ ଏହାକୁ ଏକ ‘ଫୋର୍ସ ମାଜ୍ୟୁର୍’ ରୂପେ ବିଚାର କରି ମୋରାଟୋରିଅମ୍ ସମୟରେ ଋଣ ଉପରେ ସମ୍ପୂର୍ଣ୍ଣ ରୂପେ ସୁଧ ଛାଡ଼ କରି ଦେବା କଥା। ତା’ ବଦଳରେ ସୁଧ ଉପରେ ପୁଣି ସୁଧ ଆଦାୟ ଅଧିକା˚ଶ ଋଣଗ୍ରହୀତାଙ୍କ ପ୍ରତି ହେବ ମହର୍ଷି ବଶିଷ୍ଠଙ୍କ ବିଚାରରେ ବ୍ରହ୍ମହତ୍ୟା ଠାରୁ ମଧୢ ଅଧିକ ଜଘନ୍ୟ ଅପରାଧ। ଆଶା ସରକାର ଗଠନ କରିଥିବା ଏ ସମ୍ପର୍କିତ ରାଜୀବ ମହର୍ଷି (ପୂର୍ବତନ ‘ସିଏଜି’) କମିଟି ଅନ୍ତତଃ ସୁଧ ଉପରେ ସୁଧ ଆଦାୟ ବାତିଲ ପାଇଁ କୋର୍ଟଙ୍କୁ ସୁପାରିସ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/sampadakiya-logo-ff.jpg)