ଆମେରିକାର ପ୍ରମୁଖ ସମ୍ବାଦପତ୍ର ‘ଦି ନ୍ୟୁୟର୍କ ଟାଇମ୍ସ’ର ଜୁନ୍ ୨୩, ୧୯୫୯ ସ˚ସ୍କରଣରେ ଏକ ଉପନ୍ୟାସର ପ୍ରଚାର ପ୍ରସାର କରିବା ପାଇଁ ଏକ ପୂରା ପୃଷ୍ଠା ବିଜ୍ଞାପନର ଆବିର୍ଭାବ ଦେଖିବାକୁ ମିଳିଥିଲା। ନିଜ ଖର୍ଚ୍ଚରେ ବିଜ୍ଞାପନଟି ଯିଏ ସେଠାରେ ସ୍ଥାନିତ କରିଥିଲେ, ସିଏ ପୁସ୍ତକଟିର ପ୍ରକାଶକ ନ ଥିଲେ କିମ୍ବା ଲେଖକ ନ ଥିଲେ। ସେ ଥିଲେ ସେତେବେଳେ ଆମେରିକୀୟ ସିନେଟ୍ରେ ଅନ୍ୟତମ ସଦସ୍ୟ ଥିବା ଜନ୍ ଏଫ୍ କେନେଡି (୧୯୬୧ରେ ଆମେରିକାର ୩୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ)। ଏହି ବାସ୍ତବଧର୍ମୀ ଉପନ୍ୟାସଟି ଥିଲା, ‘ଦି ଅଗ୍ଲି ଆମେରିକାନ୍’ (‘କୁତ୍ସିତ ଆମେରିକାନ୍’), ଯାହାର ରଚୟିତା ଦ୍ବୟ ଥିଲେ ପୂର୍ବତନ ଆମେରିକୀୟ ନେଭି କ୍ୟାପ୍ଟେନ୍ ଵିଲିଅମ୍ ଲେଡ଼ରର୍ ଏବ˚ ରାଜନୀତି ବିଜ୍ଞାନୀ ଇଉଜିନ୍ ବର୍ଡିକ୍। ୧୯୫୮ରେ ପ୍ରଥମ ପ୍ରକାଶିତ ଏହି ପୁସ୍ତକ କେନେଡ଼ିଙ୍କୁ ଏପରି ପ୍ରଭାବିତ କରିଥିଲା ଯେ ସେ ସିନେଟ୍ର ପ୍ରତ୍ୟେକ ସଦସ୍ୟଙ୍କୁ ଖଣ୍ତିଏ ଲେଖାଏଁ ଉପହାର ଦେଇ ପଢ଼ିବା ପାଇଁ ଅନୁରୋଧ କରିଥିଲେ।
ଭାରତର ପଡେ଼ାଶୀ ବର୍ମା (ବର୍ତ୍ତମାନର ମ୍ୟାମାର୍) କାହାଣୀର କାଳ୍ପନିକ ସ୍ଥାନର ପ୍ରତିନିଧିତ୍ବ କରେ ବୋଲି ବିଶ୍ବାସ କରାଯାଉଥିଲେ ମଧୢ ସମଗ୍ର ଦକ୍ଷିଣ ପୂର୍ବ ଏସିଆରେ ଆମେରିକୀୟମାନେ କାହିଁକି ଘୃଣା ଓ ବିଦ୍ବେଷର ପାତ୍ରରେ ପରିଣତ ହୋଇଛନ୍ତି ଏବ˚ ସୋଭିଏତ୍ ରୁଷ୍ ପ୍ରିୟଭାଜନ ହୋଇପାରିଛି, ତାହାର ହିଁ ଅନୁଶୀଳନ ହେଉଛି ପୁସ୍ତକଟିର କଥାବସ୍ତୁ। ପୃଥିବୀରେ ଆମେରିକୀୟ ମାନଙ୍କର ଚେହେରାକୁ କୁତ୍ସିତ କରିବା ପାଇଁ ଯେଉଁମାନେ ଦାୟୀ ସେମାନେ ହେଉଛନ୍ତି ଆମେରିକାର କୂଟନୀତଜ୍ଞ ବାହିନୀ, ଯେଉଁମାନଙ୍କର ଭୀଷଣ ଆତ୍ମବଡ଼ିମା ଏବ˚ ଅଦକ୍ଷତା ସେମାନଙ୍କ ପ୍ରତି ଏ ଅଞ୍ଚଳରେ ଏକ ବ୍ୟାପକ ବିରୋଧ ଭାବ ସୃଷ୍ଟି କରିଥାଏ ବୋଲି କାହାଣୀରେ ଦର୍ଶାଯାଇଛି।
ଇତି ମଧୢରେ ପ୍ରାୟ ଛ ଦଶନ୍ଧି ଅତୀତ ହୋଇଗଲାଣି ଏବ˚ ଆମେରିକାର ଭାବମୂର୍ତ୍ତିରେ ଉନ୍ନତି ଆଣିବା ପାଇଁ ଚିନ୍ତିତ ‘ଜେଏଫ୍କେ’ଙ୍କ ସ୍ଥାନରେ ଏବେ ସେ ଦେଶର ମଙ୍ଗ ଧରିଛନ୍ତି ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ଼ ଜେ ଟ୍ରମ୍ପ୍, ଯିଏ ପ୍ରଶାସନକୁ ଏକ ବ୍ୟବସାୟ କାରବାର ରୂପେ ବିଚାର କରନ୍ତି। ସେ ତାଙ୍କର ତିନିବର୍ଷର କାର୍ଯ୍ୟକାଳ ମଧୢରେ ଯେଉଁଭଳି ସମ୍ପୂର୍ଣ୍ଣ ଆତ୍ମସ୍ବାର୍ଥାନ୍ବେଷୀ ନୀତିମାନ ଅବଲମ୍ବନ କରି ଅନ୍ୟମାନଙ୍କ କଥା ଛାଡ଼, ଆମେରିକାର ପାରମ୍ପରିକ ସହଯୋଗୀମାନଙ୍କୁ ମଧୢ ଦୂରକୁ ଠେଲି ଦେଲେଣି, ତାହା ସେଇ ଅଗ୍ଲି ଆମେରିକାନ୍ ଛବିକୁ ପୁଣି ଏପରି ଜୀବନ୍ତ କରିଛି ଯେ କେନେଡ଼ିଙ୍କ ଦଳ ଡେମୋକ୍ରାଟିକ୍ ପାର୍ଟିର କେହି ଛାମୁହାଁ ସିନେଟର୍ ଆଉଥରେ ସେ ପୁସ୍ତକର କପି ବଣ୍ଟନ କରିବାର ବେଳ ଉପସ୍ଥିତ ହେଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଟ୍ରମ୍ପ୍ଙ୍କର ଅଗ୍ଲି ଆମେରିକାନ୍ ସୁଲଭ ଆଚରଣର ସଦ୍ୟତମ ପରିପ୍ରକାଶ ଘଟିଛି କଶ୍ମୀର ବ୍ୟାପାର ପରିପ୍ରେକ୍ଷୀରେ। ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ନିକଟରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କର ଵାସିଙ୍ଗ୍ଟନ ଗସ୍ତ ସମୟରେ, ଯେତେବେଳେ ଟ୍ରମ୍ପ୍ ମିଛରେ କହିଲେ ଯେ କଶ୍ମୀର ପ୍ରସଙ୍ଗରେ ଭାରତ ପାକିସ୍ତାନ ମଧୢରେ ମଧୢସ୍ଥତା କରିବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜାପାନରେ ଜି-୨୦ ଶୀର୍ଷ ସମ୍ମିଳନୀରେ ଭେଟ ସମୟରେ ଅନୁରୋଧ କରିଛନ୍ତି। ଭାରତ ସରକାର କାଳ ବିଳମ୍ବ ନ କରି ତାଙ୍କର ଏ ଉଦ୍ଭଟ ଦାବିକୁ ଖଣ୍ତନ କଲା ପରେ ସେ କିଛିକାଳ ଚୁପ୍ ରହିଯିବା ପରେ ଏବେ ପୁଣି କଶ୍ମୀରକୁ ନେଇ ଉପରେ ପଡ଼ି ମଧୢସ୍ଥି ସାଜିବାକୁ ଯେପରି ବୟାନବାଜି ଚଳାଇଛନ୍ତି, ତାହା ୧୩୦ କୋଟି ଭାରତୀୟଙ୍କ ମନରେ ଆମେରିକା ପ୍ରତି ସେଇଭଳି ବିଦ୍ବେଷ ଆଉ ଥରେ ଜାଗ୍ରତ କଲାଣି ଯେଉଁଭଳି ଶୀତଳଯୁଦ୍ଧ ସମୟରେ ଦେଖାଯାଇଥିଲା।
ଏହା ସେମାନଙ୍କ ଠାରେ ପ୍ରାୟ ଅର୍ଦ୍ଧଶତାବ୍ଦୀ ତଳର ସ୍ମୃତି ଜାଗରୁକ କରାଇଲାଣି ଯେତେବେଳେ ପାକିସ୍ତାନ ତତ୍କାଳୀନ ପୂର୍ବ ପାକିସ୍ତାନରେ ଅକଥନୀୟ ବର୍ବର ଦମନଲୀଳା ଚଳାଇବାରୁ ଭାରତରେ ନିୟୁତ ନିୟୁତ ଶରଣାର୍ଥୀ ପ୍ରବେଶ କରିବା ପରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ ଆରମ୍ଭ କରିଦେଲା। ଜବାବରେ ଭାରତ ପ୍ରତି-ଆକ୍ରମଣ କଲା ଓ ଫଳ ସ୍ବରୂପ ପାକିସ୍ତାନ ଦୁଇଖଣ୍ତ ହୋଇ ସ୍ବାଧୀନ ବା˚ଲାଦେଶ ସୃଷ୍ଟି ହେଲା। ସେତେବେଳେ ଆମେରିକାର ରାଷ୍ଟ୍ରପତି ରିଚାର୍ଡ୍ ନିକ୍ସନ୍ ଓ ତାଙ୍କ କୂଟନୈତିକ ପରାମର୍ଶଦାତା ହେନ୍ରି କିସିଞ୍ଜର୍ ପାକିସ୍ତାନ ଦ୍ବାରା ବା˚ଲାଦେଶରେ ଘଟିଥିବା ଅମାନୁଷିକ ଗଣମାନବାଧିକାର ଉଲ୍ଲ˚ଘନ ସତ୍ତ୍ବେ ପାକିସ୍ତାନର ପକ୍ଷ ନେଇ ଭାରତକୁ ଭୟଭୀତ କରିବା ପାଇଁ ବଙ୍ଗୋପସାଗରକୁ ଏକ ବିମାନବାହୀ ଜାହାଜ ପ୍ରେରଣ କରିଥିଲେ। ସେମାନେ ଭାବୁଥିଲେ ଯୁଦ୍ଧରେ ଭାରତର ବିଜୟ ସୋଭିଏତ୍ ରୁଷର ପ୍ରଭାବ ବୃଦ୍ଧି କରିବାରେ ସହାୟକ ହେବ। ଆଫଗାନିସ୍ତାନରେ ରୁଷିଆକୁ ହରକତ କରିବା ପାଇଁ ଏବ˚ ପାକିସ୍ତାନ ମାଧୢମରେ ଚୀନ୍ ସହିତ ବନ୍ଧୁତା ସ୍ଥାପନ କରିବା ଉଦ୍ଦେଶ୍ୟରେ ଆମେରିକା ସେତେବେଳେ ପାକିସ୍ତାନ ଆଡ଼କୁ ଢ଼ଳି ରହିଥିଲା।
୧୯୮୯ରେ ରୁଷିଆ ଆଫଗାନିସ୍ତାନ ଛାଡ଼ି ପଳାଇବା ଏବ˚ ଶୀତଳ ଯୁଦ୍ଧର ଅବସାନ ଘଟିବା ପରେ ଆମେରିକା ତାର ଦକ୍ଷିଣ ଏସିଆ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ଆରମ୍ଭ କରି ଭାରତକୁ କ୍ରମେ ଅଧିକ ଗୁରୁତ୍ବ ଦେବା ଦେଖାଯାଇଥିଲା। ଭାରତର ଅର୍ଥନୈତିକ ଶକ୍ତି ବୃଦ୍ଧି, ବିଶାଳ ଗଣତନ୍ତ୍ର ଓ ଆମେରିକାସ୍ଥିତ ଭାରତୀୟ ବ˚ଶୋଦ୍ଭବମାନଙ୍କର ପ୍ରଭାବ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ପାକିସ୍ତାନ ଜିହାଦୀମାନଙ୍କର ଚରାଭୂଇଁରେ ପରିଣତ ହେବା ପରେ ଏବ˚ ୨୦୦୧ରେ ଅଲ୍ କାଏଦା ଦ୍ବାରା ଵର୍ଲଡ଼ ଟ୍ରେଡ୍ ସେଣ୍ଟର ଧ୍ବ˚ସ ସ୍ତୂପରେ ପରିଣତ ହେବା ପରେ ଆମେରିକା ପାକିସ୍ତାନ ପ୍ରତି ବିମୁଖ ହେବାକୁ ଆରମ୍ଭ କରିଥିଲା। ଖୋଦ୍ ଟ୍ରମ୍ପ୍ ଏଥିପାଇଁ ପାକିସ୍ତାନକୁ ତୀବ୍ର ଭର୍ତ୍ସନା କରିଛନ୍ତି ଓ ଚୀନ୍ର ପ୍ରଭାବକୁ ପ୍ରତିହତ କରିବାକୁ ଭାରତ ସହିତ ହାତ ମିଳାଇବାକୁ ମଧୢ ଉଦ୍ୟମ କରିଛନ୍ତି।
ଟ୍ରମ୍ପ୍ କିନ୍ତୁ ନିଜକୁ ଜଣେ ସଫଳ ଓ ଚତୁର ବେପାରି ବୋଲି ଗର୍ବ କରିଥାନ୍ତି। ସେ ୨୦୨୦ରେ ପୁନରାୟ ରାଷ୍ଟ୍ରପତି ହେବା ପାଇଁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଆଫଗାନିସ୍ତାନରେ ବିଗତ ପ୍ରାୟ ଦୁଇ ଦଶନ୍ଧିି ଧରି ଲାଖି ରହିଥିବା ଆମେରିକୀୟ ସୈନ୍ୟମାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଲେ ଦେଶରେ ତାଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଇ ତାଙ୍କୁ ନିର୍ବାଚନ ଜିଣିବାରେ ସହାୟକ ହେବ ବୋଲି ସେ ବ୍ୟବସାୟୀସୁଲଭ ହିସାବ କରିଛନ୍ତି। ଏଣୁ ସେ ହଠାତ୍ ପୁଣି ପାକିସ୍ତାନ ପଟକୁ ଢ଼ଳିବାକୁ ଆରମ୍ଭ କରିଛନ୍ତି, କାରଣ ପାକିସ୍ତାନ ସହଯୋଗ ବିନା ଆଫଗାନିସ୍ତାନରୁ ମୁଖଲଜ୍ଜା ରକ୍ଷା କରି ନିଷ୍କ୍ରାନ୍ତ ହେବା ପାଇଁ ଅପରିହାର୍ଯ୍ୟ ତାଲିବାନ୍ ସହିିତ ବୁଝାମଣା କରିବା ସମ୍ଭବ ହେବନାହିଁ। ପାକିସ୍ତାନ ତାଲିବାନ୍କୁ ପାଳି ପୋଷି ରଖିଛି।
୧୯୭୩ରେ ଠିକ୍ ଏଇଭଳି ଆମେରିକା ଉତ୍ତର ଭିଏତ୍ନାମ ସହିତ ଏକ ରାଜିନାମା ସ୍ବାକ୍ଷର କରି ଭିଏତ୍ନାମରୁ ବାହାରିଯିବାର ବାଟ ପାଇବା ପରେ କମ୍ୟୁନିଷ୍ଟମାନେ ପୂରା ଭିିଏତ୍ନାମକୁ ଦଖଲ କରିବା ପରି ତା ସହିତ ରାଜିନାମା କରି ଆମେରିକା ସୈନ୍ୟ ପ୍ରତ୍ୟାହାର କରି ନେବା ପରେ ଆତଙ୍କବାଦୀ ତାଲିବାନ ଆଫଗାନିସ୍ତାନ ଦଖଲ କରି ନେବା ନିଶ୍ଚିତ। ତେବେ ଟ୍ରମ୍ପ୍ଙ୍କର ଯାଏ ଆସେ କ’ଣ? ନିର୍ବାଚନ ଜିତିବା ତାଙ୍କର ଏକ ମାତ୍ର ଲକ୍ଷ୍ୟ। ସେଥିପାଇଁ ସେ ପାକିସ୍ତାନ ଆଡ଼କୁ ପୁଣି ଥରେ ଢ଼ଳି ସଇତାନ ସହ ଏକତ୍ର ଭୋଜନ କରିବା ପାଇଁ ପ୍ରସ୍ତୁତ। ନିଜ ଦେଶରେ ବର୍ଣ୍ଣ ବିଦ୍ବେଷଠାରୁ ଆରମ୍ଭ କରି ଅବୈଧ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ମେକ୍ସିକୋ ସୀମାରେ କାନ୍ଥ ନିର୍ମାଣ ପର୍ଯ୍ୟନ୍ତ ହଜାରେ ଆଭ୍ୟନ୍ତରୀଣ ସମସ୍ୟା ଥିବା ବେଳେ ସେ ଭାରତର ଆଭ୍ୟନ୍ତରୀଣ ମାମଲାରେ ନାକ ଗଳାଇବା ପାଇଁ ଉଦ୍ୟମ କରୁଛନ୍ତି। ଆଗାମୀ ଜି-୭ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅଗ୍ଲି ଆମେରିକାନ୍ଙ୍କୁ ଆଇନାଟିଏ ଦେଖାଇ ଦେବେ ବୋଲି ଆଶା କରାଯାଏ।