ଗତ ସପ୍ତାହରେ ଲଣ୍ଡନ୍ର ମେୟର୍ ସାଦିକ୍ ଖାନ୍ ପାକିସ୍ତାନକୁ ଗସ୍ତରେ ଆସିଥିବା ସମୟରେ ବିବିସିର ଜଣେ ରିପୋର୍ଟର୍ ତାଙ୍କୁ ପଚାରି ଦେଲେ: ‘‘ଏହା କ’ଣ ଘରକୁ ଫେରିବା ଭଳି ଲାଗୁଛି?’’ ଅନେକ ପର୍ଯ୍ୟବେକ୍ଷକ ଏହାକୁ ବିବିସି ରିପୋର୍ଟର୍ଙ୍କର ଏକ ଜାତିବିଦ୍ୱେଷଭରା ପ୍ରଶ୍ନ ବୋଲି ସମାଲୋଚନା କରିଛନ୍ତି, କାରଣ ସାଦିକ୍ ଖାନ୍ ହେଉଛନ୍ତି ପାକିସ୍ତାନୀ ମୂଳର ବ୍ରିଟିସ୍ ନାଗରିକ- ତାଙ୍କର ପିତା ପାକିସ୍ତାନରୁ ଯାଇ ଲଣ୍ଡନରେ ବସ୍ ଚାଳକ ବୃତ୍ତି ଗ୍ରହଣ କରିଥିଲେ। ସାଦିକ୍ ଖାନ୍ କିନ୍ତୁ ଚମତ୍କାର ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ଦେଇ ତତ୍କ୍ଷଣାତ୍ ଉତ୍ତର ଦେଇଥିଲେ: ‘‘ଘର ହେଉଛି ଦକ୍ଷିଣ ଲଣ୍ଡନ୍, ବନ୍ଧୁ।’’ ତା’ ପରେ ପରେ ସାଦିକ୍ ଖାନ୍ ଆଉ କହିଥିଲେ: ‘‘କିନ୍ତୁ ପାକିସ୍ତାନକୁ ଆସି ଭଲ ଲାଗୁଛି, ମୋର ପିତା ପିତାମହଙ୍କର ଘର ଭାରତ ହୋଇ ଏଠାକୁ ଆସି ଭଲ ଲାଗୁଛି।’’ ସାଦିକ୍ ଖାନ୍ଙ୍କର ପିତାମାତା ଓ ପିତାମହ ପିତାମହୀ ୧୯୪୭ରେ ଭାରତର ବିଭାଜନ ପରେ ଭାରତରୁ ଚାଲି ଆସି ପାକିସ୍ତାନର ନାଗରିକତ୍ୱ ଗ୍ରହଣ କରିଥିଲେ। ୧୯୬୮ରେ ସାଦିକ୍ଙ୍କର ପିତା ପାକିସ୍ତାନ ଛାଡ଼ି ଲଣ୍ଡନ ଚାଲି ଆସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସାଦିକ୍ ଖାନ୍ ଓ୍ଵାଘା ସୀମାନ୍ତ ଦେଇ ପାକିସ୍ତାନରେ ପ୍ରବେଶ କରିବା ପୂର୍ବରୁ ଅମୃତସରସ୍ଥିତ ଜାଲିଆନାଓ୍ଵାଲାବାଗ୍ ଗସ୍ତ କରିବା ଅବସରରେ ସେଠାରେ ୧୯୧୯ରେ ବ୍ରିଟିସ୍ ସେନା ରଚନା କରିଥିବା ଗଣହତ୍ୟା ପାଇଁ ବର୍ତ୍ତମାନର ବ୍ରିଟିସ୍ ସରକାର କ୍ଷମା ପ୍ରାର୍ଥନା କରୁ ବୋଲି ଆହ୍ଵାନ ଦେଇଥିଲେ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ ନିରସ୍ତ୍ର ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ଜେନେରାଲ୍ ଡାୟାର୍ଙ୍କ ନେତୃତ୍ୱରେ ହୋଇଥିବା ସେହି ଗୁଳି ଚାଳନାରେ ଏକହଜାରରୁ ଅଧିକ ନିରୀହ ଭାରତୀୟ ପ୍ରାଣ ହରାଇଥିଲେ। ପୃଥିବୀରେ ବର୍ବରତାର ଇତିହାସରେ ଜାଲିଆନାଓ୍ଵାଲାବାଗ୍ ଏକ ବିଶେଷ ସ୍ଥାନ ଅଧିକାର କରିଥାଏ। ଏଥିପାଇଁ ବର୍ତ୍ତମାନର ବ୍ରିଟିସ୍ ସରକାର କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିବାରେ ସାଦିକ୍ ଖାନ୍ ଏକାକୀ ଜଣେ ବିଶିଷ୍ଟ ବ୍ୟକ୍ତି ନୁହଁନ୍ତି। ଅକ୍ଟୋବରରେ ବ୍ରିଟିସ୍ ପାର୍ଲିଆମେଣ୍ଟରେ ଶ୍ରମିକ ଦଳର ସାଂସଦ ଥିବା ଭାରତୀୟ ମୂଳର ବୀରେନ୍ଦ୍ର ଶର୍ମା ମଧ୍ୟ ବ୍ରିଟିସ୍ ସରକାର ଜାଲିଆନାଓ୍ଵାଲାବାଗ୍ କାଣ୍ଡ ପାଇଁ ବିଧିବଦ୍ଧ ଭାବରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଏକ ପ୍ରସ୍ତାବ ଆଗତ କରିଥିଲେ। ସେତିକି ନୁହେଁ, ଏଥିପାଇଁ ଏକ ସ୍ମାରକୀ ଦିବସ ପାଳନ କରାଯିବା ମଧ୍ୟ ପ୍ରସ୍ତାବରେ ଅନ୍ତର୍ଭୁକ୍ତ ଥିଲା।
ଏଠାରେ ମନେ ପକାଇ ଦିଆଯାଇପାରେ ଯେ ସାମ୍ପ୍ରତିକ ସମୟର ବ୍ରିଟିସ୍ ସରକାର ଯେ ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ଉପନିବେଶବାଦୀ ବ୍ରିଟିସ୍ ସରକାରଙ୍କର ଏହି ବର୍ବର ଆଚରଣ ପାଇଁ ଅନୁତାପ ପ୍ରକାଶ କରି ନାହାନ୍ତି, ଏପରି ନୁହେଁ। ବ୍ରିଟେନ୍ର ରାଣୀଙ୍କଠାରୁ ପ୍ରଧାନମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ସେ ଦେଶର ଅତୀତର ଏହି କଳଙ୍କ ପାଇଁ ଅନୁଶୋଚନା ପ୍ରକାଶ କରିବା ହେଉଛି ଏହାର ପ୍ରମାଣ। ବ୍ରିଟେନ୍ର ରାଣୀ ଦ୍ୱିତୀୟ ଏଲିଜାବେଥ୍, ପ୍ରଧାନମନ୍ତ୍ରୀ ଟନୀ ବ୍ଲେଆର୍ ଓ ପ୍ରଧାନମନ୍ତ୍ରୀ ଡେଭଡ୍ କ୍ୟାମେରନ୍ ଜାଲିଆନାଓ୍ଵାଲାବାଗ୍ର ପରିଦର୍ଶନ କରିବାକୁ ଯାଇଛନ୍ତି ଏବଂ ସେ ସମୟରେ ଅନୁତାପ ଓ ଲଜ୍ଜା ପ୍ରକାଶ କରିଛନ୍ତି। କିନ୍ତୁ ଏହା ସତ ଯେ ସେମାନେ ସାଦିକ୍ ଖାନ୍ କିମ୍ବା ବୀରେନ୍ଦ୍ର ଶର୍ମା ଦାବି କରିଥିବା ଭଳି ବିଧିବଦ୍ଧ ଭାବରେ କ୍ଷମା ପ୍ରାର୍ଥନା କରିନାହାନ୍ତି।
ଏଥିରେ ସନ୍ଦେହ ନାହିଁ ଯେ ବର୍ତ୍ତମାନ ଶୁଣାଯାଉଥିବା ଏଭଳି କ୍ଷମା ପ୍ରାର୍ଥନା ଦାବି କେବେହେଲେ ଏହି ଦାବିକାରୀମାନଙ୍କର ଏକ ମୌଳିକ ନିଜସ୍ୱ ଚିନ୍ତା ନୁହେଁ। ପୃଥିବୀରେ ଅନ୍ୟତ୍ର ହୋଇ ଆସୁଥିବା ଅନୁରୂପ ଦାବି ସବୁର ଏହା ଏକ ଅନୁକରଣ ମାତ୍ର। ଉଦାହରଣ ସ୍ୱରୂପ ବିଶ୍ୱଯୁଦ୍ଧ ସମୟରେ ଜର୍ମାନୀ ରଚନା କରିଥିବା ଇହୁଦୀମାନଙ୍କର ଗଣହତ୍ୟା (ହଲୋକଷ୍ଟ) ପାଇଁ ଜର୍ମାନୀ କି ସାମ୍ରାଜ୍ୟବାଦୀ ଜାପାନ ଚୀନ୍ ଓ କୋରିଆରେ ଘଟାଇଥିବା ଗଣହତ୍ୟା ଓ ମାନବାଧିକାର ଉଲ୍ଲଂଘନ (ଯେମିତି ‘କମ୍ଫର୍ଟ ଓ୍ଵିମେନ୍’ ପ୍ରସଙ୍ଗ) ଆଦି କାର୍ଯ୍ୟ ପାଇଁ ଜାପାନ କ୍ଷମାଭିକ୍ଷା କରୁ ବୋଲି ବିଭିନ୍ନ ସମୟରେ ହୋଇ ଆସୁଥିବା ଦାବି ଯେ ଏଭଳି ଐତିହାସିକ ଭୁଲ୍ ପାଇଁ ପରବର୍ତ୍ତୀ ପିଢ଼ି ଉପରେ କ୍ଷମାଭିକ୍ଷାର ବୋଝ ଲଦିବାକୁ ଏକ ନିୟମିତ ଧାରାରେ ପରିଣତ କରିଛି, ଏଥିରେ ସନ୍ଦେହ ନାହିଁ।
କିନ୍ତୁ ଜାଲିଆନାଓ୍ଵାଲାବାଗ୍ ଘଟଣା ପାଇଁ ବର୍ତ୍ତମାନର ବ୍ରିଟେନ୍ ଅର୍ଥାତ୍ ବର୍ତ୍ତମାନ ପିଢ଼ିର ବ୍ରିଟିସ୍ ସମାଜଠାରୁ କ୍ଷମାଭିକ୍ଷା ଦାବି କରିବା କେତେଦୂର ଯୁକ୍ତିଯୁକ୍ତ ତାହା ସନ୍ଦେହଜନକ। ପ୍ରଥମ କଥା ହେଲା ବ୍ରିଟିସ୍ ସାମ୍ରାଜ୍ୟରେ ଯେ କେବେହେଳେ ସୂର୍ଯ୍ୟ ଅସ୍ତ ହେଉ ନଥିଲେ ବୋଲି ବର୍ତ୍ତମାନର ବ୍ରିଟିସ୍ ନାଗରିକ ପାଇଁ ଯେଉଁଭଳି ଏକ ଅଜଣା ଇତିହାସରେ ପରିଣତ ହୋଇ ସାରିଲାଣି, ଜାଲିଆନାଓ୍ଵାଲାବାଗ୍ ସେଇଭଳି ପୃଥିବୀର କେଉଁ ଅଜ୍ଞାତ କୋଣରେ ଅବସ୍ଥିତ ତାହା କେବଳ କତିପୟ ନିର୍ଦ୍ଦିଷ୍ଟ ଇତିହାସର ଛାତ୍ର ବ୍ୟତୀତ ବ୍ରିଟିସ୍ ସମାଜର ବୃହତ୍ତର ଅଂଶକୁ ଜଣା ନଥିବ। ଦ୍ୱିତୀୟରେ ଯଦି ଐତିହାସିକ କାଳରେ ବ୍ରିଟିସ୍ ଉପନିବେଶ ଦଖଲକାରୀମାନେ କରିଥିବା ବଡ଼ ବଡ଼ ଅପରାଧ ପାଇଁ ବ୍ରିଟେନ୍ ବର୍ତ୍ତମାନ ଭୁଲ୍ ମାଗିବା ଉଚିତ ବୋଲି ବିଚାର କରାଯାଏ, ତେବେ କେବଳ ଜାଲିଆନାଓ୍ଵାଲାବାଗ୍ ପାଇଁ କାହିଁକି, ଅନ୍ୟ ଅନେକ ସେଇଭଳି ବର୍ବରୋଚିତ କାଣ୍ଡମାନଙ୍କ ପାଇଁ କାହିଁକି ସେଭଳି କ୍ଷମା ପ୍ରାର୍ଥନା କରିବ ନାହିଁ? ଉଦାହରଣ ସ୍ୱରୂପ ୧୮୬୦ ଦଶକ ପରବର୍ତ୍ତୀ ସମୟରେ ଭାରତରେ ଘଟିଥିବା ଭୟାନକ ଦୁର୍ଭିକ୍ଷମାନଙ୍କ ପାଇଁ (ଯେମିତି ଓଡ଼ିଶାର ନ’ଅଙ୍କ ଦୁର୍ଭିକ୍ଷ) ତତ୍କାଳୀନ ବ୍ରିଟିସ୍ ସରକାରଙ୍କର ପ୍ରଶାସନିକ ନୀତିର ଅବଦାନ ଯେ ସର୍ବାଧିକ, ଏହା ସମସ୍ତେ ସ୍ୱୀକାର କରନ୍ତି। ସେତେବେଳେ ସରକାର ପରିସ୍ଥିତିରେ ସୁଧାର ଆସିବା ପାଇଁ ସମ୍ପୂର୍ଣ୍ଣ ରୂପେ ବଜାର ଶକ୍ତି ଉପରେ ନିର୍ଭର କରୁଥିଲେ ଏବଂ ଏକଥା ମଧ୍ୟ ବିଶ୍ୱାସ କରୁଥିଲେ ଯେ ମାଗଣା ସରକାରୀ ସହାୟତା ଲୋକଙ୍କୁ ଅଳସୁଆ କରିଦେବ। କିମ୍ବା, ୧୯୪୩ର ବେଙ୍ଗଲ ଦୁର୍ଭିକ୍ଷରେ ଯେତେବେଳେ ପ୍ରାୟ ୩୦ ଲକ୍ଷ ଲୋକ ପ୍ରାଣ ହରାଇଲେ, ସେତେବେଳେ ବେଙ୍ଗଲରୁ ବ୍ରିଟେନ୍କୁ ଯେଉଁ ଖାଦ୍ୟଶସ୍ୟ ରପ୍ତାନି ଅବ୍ୟାହତ ରହିଥିଲା, ସେଥିପାଇଁ ନିଶ୍ଚିତ ରୂପେ ବ୍ରିଟିସ୍ ସରକାରଙ୍କୁ ଦାୟୀ କରାଯିବ। ଏସବୁ ପାଇଁ ବ୍ରିଟେନ୍ କାହିଁକି ଏବେ କ୍ଷମା ପ୍ରାର୍ଥନା ନ କରିବ?
ଅସଲ ଅପି୍ରୟ ସତ୍ୟ ହେଲା ପୃଥିବୀରେ ମାନବ ଇତିହାସ ହେଉଛି ଏକ ଦୃଷ୍ଟିରେ ବର୍ବରତାର ଇତିହାସ। ଯଦି ଅତୀତର କୌଣସି ଐତିହାସିକ ଭୁଲ୍ ପାଇଁ ବର୍ତ୍ତମାନର ପିଢ଼ିକୁ ଦାୟୀ କରାଯାଏ, ତେବେ ବ୍ରିଟିସ୍ମାନଙ୍କ ପୂର୍ବରୁ ଭାରତ ଆକ୍ରମଣ କରି ଦଖଲ କରି ବିଭିନ୍ନ ବର୍ବର ଅତ୍ୟାଚାର ଘଟାଇଥିବା ମୁସଲମାନ ଓ ମୋଗଲ ଦଖଲକାରୀଙ୍କ କାର୍ଯ୍ୟ ପାଇଁ ସାଦିକ୍ ଖାନ୍ ମଧ୍ୟ ଏବେ କ୍ଷମା ପ୍ରାର୍ଥନା କରିବା ଉଚିତ। ଶେଷରେ, ଯଦି ପ୍ରକୃତ କ୍ଷମା ପ୍ରାର୍ଥନା କଥାରେ ନୁହେଁ, କାର୍ଯ୍ୟରେ ହିଁ କରାଯାଇଥାଏ, ତେବେ ସାଦିକ୍ ଖାନ୍ଙ୍କ ଭଳି ଜଣେ ପାକିସ୍ତାନୀ ମୂଳର କିମ୍ବା ବିରେନ୍ଦ୍ର ଶର୍ମାଙ୍କ ଭଳି ଭାରତୀୟ ମୂଳର ବ୍ୟକ୍ତିଙ୍କୁ ଲଣ୍ଡନ୍ର ମେୟର ପଦରେ ଅଧିଷ୍ଠିତ କରି କିମ୍ବା ପାର୍ଲିଆମେଣ୍ଟର ସଦସ୍ୟ କରି ବ୍ରିଟେନ୍ ଆନ୍ତରିକ କ୍ଷମା ପ୍ରାର୍ଥନା କରିନାହିଁ କି? ସାଦିକ୍ ଖାନ୍ଙ୍କୁ ପଚରା ଯାଇଥିବା ଘରବାହୁଡ଼ା ପ୍ରଶ୍ନ ହେଉଛି ଏହାର ପ୍ରମାଣ।