ପ୍ରାୟ ଦଶ ବର୍ଷ ତଳେ, ୨୦୦୯ ମସିହାରେ ଅମନ କୋଚ୍ରୁ ନାମକ ଜଣେ ତରୁଣ ଡାକ୍ତରୀ ପଢ଼ିବା ଲାଗି ଗୁଡ଼ଗାଓଁରୁ ହିମାଚଳ ପ୍ରେଦଶ ଗଲେ। ଏହାର କିଛି ଦିନ ପରେ, ସେହି ବର୍ଷ ମାର୍ଚ୍ଚ ମାସରେ ଅମନଙ୍କ ପିତା ପ୍ରଫେସର୍ ରାଜେନ୍ଦ୍ର କୋଚ୍ରୁଙ୍କ ପାଖକୁ ଖବର ଆସିଲା ଯେ କିଛି ସିନିଅର ଛାତ୍ର ରୢାଗିଂ କଲାବେଳେ ଅମନଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ସେହି ଘଟଣାରେ ଚାରି ଜଣ ସିନିଅର ଛାତ୍ର ଗିରଫ ହେଲେ। ବିଚାର ପରେ ସେମାନଙ୍କୁ ଚାରି ବର୍ଷ ଲାଗି ସଶ୍ରମ କାରାଦଣ୍ଡର ଆଦେଶ ହେଲା। ଜେଲ ଭିତରେ ସେମାନେ ଉତ୍ତମ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଦର୍ଶାଯାଇ ସେମାନଙ୍କୁ ଦଣ୍ଡର ଅବଧି ପୂରିବା ପୂର୍ବରୁ ଖଲାସ କରିଦିଆଗଲା। ଅମନ କୋଚ୍ରୁ ହତ୍ୟା ଘଟଣାରେ ସାରା ଭାରତ ଦୋହଲି ଯାଇଥିଲା। ଗଣମାଧ୍ୟମରେ ଏ ନେଇ ଦିନ ଦିନ ଧରି ଆଲୋଚନା ଚାଲିଥିଲା। ପ୍ରଫେସର୍ ରାଜେନ୍ଦ୍ର କୋଚ୍ରୁଙ୍କ ଦ୍ବାରା ଆଗତ ଏ ସଂପର୍କିତ ଏକ ମାମଲା ଉପରେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଦୁଇ ମାସରୁ ଅଧିକ କାଳ ଧରି ବିଚାର ଆଲୋଚନା କରି କେତେକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। ରୢାଗିଂ ନେଇ ଆର୍. ରାଘବନ କମିଟିର ସୁପାରିସ କଡ଼ାକଡ଼ି ଲାଗୁ କରାଯିବା ଉପରେ େଜାର ଦିଆଗଲା। ତେବେ, ଏହାର କିଛି ଦିନ ପରେ ପୁଣି ସବୁ ଧୀରେ ଧୀରେ ନିଷ୍ପ୍ରଭ ହୋଇ ଆସିଲା। ଦେଶ ଓ ନାଗରିକ ସମାଜ ଗତାନୁଗତିକତା ଭିତରେ ପୁଣି ହଜିଗଲେ। ଏବଂ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ କରିବାର ଆବରଣ ତଳେ କ୍ରୂର ରୢାଗିଂ ପୂର୍ବବତ୍ ଚାଲୁ ରହିଲା।
ମୁଲ୍ଲା ନସିରୁଦ୍ଦିନଙ୍କ ବାବଦରେ ଗୋଟିଏ ଛୋଟ ଗପଟିଏ ଅଛି। ଥରେ ମୁଲ୍ଲାଙ୍କ ପୁଅ ଚୋରି କରୁଥିବା ବେଳେ ଧରାପଡ଼ିଲା। ଲୋକଲଜ୍ଜାରେ ମୁଲ୍ଲାଙ୍କ ମୁଣ୍ଡ ନଇଁଗଲା। ଅତିଶୟ କ୍ରୋଧରେ ସେ ପୁଅକୁ ଆକଟ କରି ଯେତେବେଳେ କହିଲେ- ତୁ କ’ଣ କଲୁରେ କୁଳାଙ୍ଗାର! ପୁଅ ଉତ୍ତର ଦେଲା- ବାପା, ମୁଁ ସଦାବେଳେ ସେୟା କରୁଥିଲି। କଥା ହେଲା, ଆଜି ଧରାପଡ଼ିଲି। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଦ୍ବିତୀୟ ବର୍ଷର ଛାତ୍ରମାନଙ୍କୁ ଗଣ ରୢାଗିଂ କରାଯିବାର ଦୃଶ୍ୟ ଭାଇରାଲ୍ ହେବା ପରେ ଯେତେବେଳେ ସର୍ବତ୍ର ଏ ନେଇ ଚର୍ଚ୍ଚା ଚାଲିଛି, ସେତିକି ବେଳେ କୁହାଯାଇପାରେ ଯେ ଏହା ସର୍ବଦା ଚାଲିଥିଲା, ଏବେ ଯାହା ଧରା ପଡ଼ିଛି ମାତ୍ର। ତେବେ, କେବଳ ଭିସୁଟ୍ ନୁହେଁ, ଆମ ରାଜ୍ୟ ତଥା ଦେଶର ପ୍ରାୟ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ଊଣା-ଅଧିକେ ରୢାଗିଂ ଚାଲିଛି ଏବଂ ନିଃଶବ୍ଦରେ ଚାଲିଛି! ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଅଠର ବର୍ଷ ତଳୁ ରୢାଗିଂ ବିରୋଧରେ ବ୍ୟବସ୍ଥିତ ଉପାୟରେ ପଦକ୍ଷେପ ନିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ବି ବିଶେଷ କିଛି ଲାଭ ମିଳିନାହିଁ।
୨୦୦୧ ମସିହାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ରୢାଗିଂକୁ ମାନବାଧିକାର ହନନ ପ୍ରସଙ୍ଗ ରୂପେ ଆଖ୍ୟାୟିତ କରି ଏହି ଦାନବକୁ ପ୍ରତିହତ କରିବା ଲାଗି ଏକ ‘ଗାଇଡ୍ଲାଇନ୍’ ପ୍ରସ୍ତୁତି ଉପରେ ଗୁରୁତ୍ବ ଦେଇଥିଲେ। ସେଥିଲାଗି କେନ୍ଦ୍ର ସରକାରଙ୍କ ତରଫରୁ ପୂର୍ବତନ ସିବିଆଇ ମୁଖ୍ୟ ଆର୍. ରାଘବନଙ୍କ ଅଧ୍ୟକ୍ଷତାରେ ଏକ କିମଟି ଗଠନ କରାଯାଇଥିଲା। କମିଟିର ସୁପାରିସ ଅନୁସାରେ ୟୁଜିସି ଦ୍ବାରା ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଥିଲା। ଏହି ସୁପାରିସ କ୍ରମେ କୌଣସି ଶିକ୍ଷାନୁଷ୍ଠାନରେ ରୢାଗିଂ ହେଉଥିବାର ଜଣାପଡ଼ିଲେ ଅନୁଷ୍ଠାନର ମୁଖ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଲା। ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଏବଂ ସେମାନଙ୍କ ଲାଗି ମନୋେବୖଜ୍ଞାନିକ ପରାମର୍ଶ ଉପରେ ମଧ୍ୟ ଗୁରୁତ୍ବ ଦିଆଗଲା। ନାମ ଲେଖା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଏକ ସତ୍ୟପାଠ ଦାଖଲ କରିବାର ବ୍ୟବସ୍ଥା ରହିଲା, ଯେଉଁଥିରେ କୁହାଗଲା ଯେ ରୢାଗିଂରେ ଦୋଷୀ ବୋଲି ପ୍ରମାଣିତ େହଲେ ସଂପୃକ୍ତ ଛାତ୍ର ବା ଛାତ୍ରୀଙ୍କୁ ଅନୁଷ୍ଠାନରୁ ବହିଷ୍କାର କରାଯିବ। ଶିକ୍ଷାନୁଷ୍ଠାନଗୁଡ଼ିକରେ ନିଜସ୍ବ ରୢାଗିଂ ନିରୋଧୀ ସ୍କ୍ବାଡ୍ ଏବଂ ସେଲ୍ ଗଠନ କରିବାର ପ୍ରସ୍ତାବ ରହିଲା। ଏ ସବୁ ପ୍ରସ୍ତାବ କାର୍ଯ୍ୟକାରୀ ମଧ୍ୟ ହେଲା। କିନ୍ତୁ ରୢାଗିଂ ପୂର୍ବବତ୍ ଜାରି ରହିଲା ଓ ରହିଛି ମଧ୍ୟ।
୨୦୦୯ରେ ପ୍ରଫେସର୍ ରାଜେନ୍ଦ୍ର କୋଚ୍ରୁ ସୁପ୍ରିମକୋର୍ଟରେ ଯେଉଁ ମାମଲା ଦାଖଲ କରିଥିଲେ, ତାର ବିଚାର କରି ସୁପ୍ରିମକୋର୍ଟ ଏକ ତିନି-ଶିଙ୍ଗିଆ ଆଭିମୁଖ୍ୟ ଗ୍ରହଣ ଲାଗି ନିର୍ଦେଶ ଦେଇଥିଲେ। ନିଜ ପରିଚୟ ନ ଦେଇ ରୢାଗିଂ ବିରୋଧରେ ଅଭିଯୋଗ କରିବା ଲାଗି ‘ହେଲ୍ପ ଲାଇନ୍’ ନମ୍ବରର ବ୍ୟବସ୍ଥା କରିବାକୁ ଏବଂ ସାରା ଭାରତର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ‘ରାଷ୍ଟ୍ରୀୟ ଡାଟା ବେସ୍’ ତିଆରି କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଥିଲେ। କିନ୍ତୁ ସେସବୁ ମଧ୍ୟ ବିଶେଷ ଫଳପ୍ରଦ ହୋଇପାରିନାହିଁ। ଉଦାହରଣ ସ୍ବରୂପ ସୁପ୍ରିମ କୋର୍ଟଙ୍କ ଆଦେଶର ବର୍ଷକ ପରେ ସୂଚନା ଅଧିକାର ଆଇନ ବଳରେ ପ୍ରାପ୍ତ ୟୁଜିସିର ତଥ୍ୟରୁ ଜଣାପଡ଼ିଲା ଯେ ଛଅ ମାସ ଭିତରେ ହେଲ୍ପଲାଇନ୍ ଜରିଆରେ ୧.୬ ଲକ୍ଷ ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ମାତ୍ର ତିନି ଶହ ଅଭିଯୋଗକୁ ରୢାଗିଂ ପର୍ଯ୍ୟାୟଭୁକ୍ତ ବୋଲି ଗ୍ରହଣ କରାଗଲା। ତନ୍ମଧ୍ୟରୁ ୧୮୦ଟି ଶିକ୍ଷାନୁଷ୍ଠାନକୁ ୟୁଜିସି ପକ୍ଷରୁ ଚିଠି କରାଗଲା, ଯାହାର ଉତ୍ତର ମାତ୍ର ୬୦ଟି କଲେଜରୁ ମିଳିଲା। ରୢାଗିଂ ବିରୋଧରେ ଏ ଯାବତ୍ ଅକ୍ଳାନ୍ତ ଅଭିଯାନ ଚଳାଇ ଆସିଥିବା ରାଜେନ୍ଦ୍ର କୋଚ୍ରୁ କହନ୍ତି ଯେ ସେ ଏଥିଲାଗି ଗଭୀର ହତାଶାବୋଧର ଶିକାର ଯେ ସୁପ୍ରିମକୋର୍ଟଙ୍କ ଦୁଇ ବରିଷ୍ଠ ନ୍ୟାୟମୂର୍ତ୍ତିଙ୍କ ଦୁଇ ମାସରୁ ଅଧିକ ଅବଧିର ପରିଶ୍ରମଜନିତ ରାୟ ଓ ନିଷ୍କର୍ଷ ଅଳିଆ ଗଦାକୁ ଫୋପାଡ଼ି ଦିଆଗଲା।
ଅନେକ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ରୢାଗିଂ ଚାଲିଥିବା କଥା ଜାଣିଥିଲେ ବି ଏହା ନିରୀହ ଗମାତ ଏବଂ ଏହା ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ପରଂପରା ଅନ୍ତର୍ଭୁକ୍ତ ବୋଲି କହି ଚଳାଇ ନେବାକୁ ଚେଷ୍ଟା କରନ୍ତି। ରାଘବନ କମିଟିର ମୁଖ୍ୟ ଆର୍. ରାଘବନ ଏକ ସାକ୍ଷାତକାରରେ କହିଥିଲେ ଯେ ଅଧିକାଂଶ ସମୟରେ ରୢାଗିଂ ନିରୋଧୀ ସତ୍ୟପାଠରେ ଦସ୍ତଖତ କରିଥିବା ଅଭିଭାବକମାନେ ଜାଣି ନ ଥାଆନ୍ତି ଯେ ସେମାନେ କେଉଁ କାଗଜରେ ସ୍ବାକ୍ଷର କରିଛନ୍ତି ଓ ସେଥିରେ କ’ଣ ଲେଖାଯାଇଛି। କେବଳ ଏତିକିରୁ ଏହା ସ୍ପଷ୍ଟ ଯେ ରୢାଗିଂ ସହ ସଂପୃକ୍ତ ପ୍ରମୁଖ ତ୍ରିପକ୍ଷ- ‘ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଛାତ୍ର’ ଭିତରୁ ଦୁଇ ମୁଖ୍ୟ ପକ୍ଷ ରୢାଗିଂକୁ ନେଇ କିଭଳି ସହଜ ଓ କୋହଳ ମନୋଭାବ ପୋଷଣ କରନ୍ତି। ଗଣମାଧ୍ୟମରେ କାଳେ ପ୍ରଘଟ ହୋଇଯିବ, କେବଳ ଏହି ଭୟରେ ରୢାଗିଂ ପ୍ରଚ୍ଛନ୍ନ ଭାବେ ଚାଲୁ ରହିବାର ପ୍ରଶ୍ରୟ ପାଏ।
ବ୍ରିଟିସ୍ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଯେତେବେଳେ ରୢାଗିଂ ପ୍ରଥା ଆରମ୍ଭ ହେଲା, ସେତିକି େବଳେ ତାହା ଥିଲା ନିରୀହ କୌତୁକ। କିନ୍ତୁ ତାହା କ୍ରମଶଃ ସାରା ପୃଥିବୀର ସମସ୍ତ ଶିକ୍ଷାନୁଷ୍ଠାନକୁ ବ୍ୟାପିଗଲା ଏବଂ ଭୟାବହ ରୂପ ନେବାରେ ଲାଗିଲା। ଅନେକ ସମୟରେ ଶାରୀରିକ ଓ ମାନସିକ ଯାତନା ସୀମା ଲଂଘନ କଲା। ତା’ ପରେ ଯାଇ େଚତା ପଶିଲା ଏବଂ ସବୁ ଦେଶରେ ରୢାଗିଂ ନିରୋଧକ ଆଇନମାନ ତିଆରି କରାଗଲା। ଏବେ ଜାପାନ ସଂପୂର୍ଣ୍ଣ ରୢାଗିଂମୁକ୍ତ ଦେଶ ଭାବେ ଘୋଷିତ। ଆମ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ରୢାଗିଂ ଯଦିଓ ପୂର୍ବ ତୁଳନାରେ କିଛି କମିଛି, ତେବେ ଏ ନେଇ ରେକର୍ଡ୍ ଆଦୌ ଉତ୍ସାହଜନକ ନୁହେଁ। କିନ୍ତୁ ରୢାଗିଂ ସଂପୂର୍ଣ୍ଣ ଭାବେ ବନ୍ଦ ହେବା ଜରୁରୀ। ନିରୀହ ଗମାତ ଯେ କେତେବେଳେ ଆଗ୍ରହାତିଶଯ୍ୟରେ ମାତ୍ରାଧିକ ଆଚରଣରେ ପରିଣତ ହୁଏ, ତାହା ତରୁଣ ବୟସର ପିଲାଏ ଜାଣିପାରନ୍ତି ନାହିଁ। ତେଣୁ ରାଘବନ କମିଟିର ସୁପାରିସ ଅନୁସାରେ ଛାତ୍ରଛାତ୍ରୀମାନଙ୍କ ଲାଗି ମନୋବୈଜ୍ଞାନିକ ପରାମର୍ଶର ଆବଶ୍ୟକତାକୁ ନଜରଅନ୍ଦାଜ କରିବା ଅନୁଚିତ। ସେମିତି ରାଘବନ କମିଟି ସୁପାରିସ ଅନୁସାରେ ରୢାଗିଂ ହେଉଥିବା ଶିକ୍ଷାନୁଷ୍ଠାନରୁ ଏମ୍ସିଆଇ(ମେଡିକାଲ କଲେଜ କ୍ଷେତ୍ରରେ) ଏବଂ ଏଆଇସିଟିଇ(ଇଂଜିନିଅରିଂ କଲେଜ କ୍ଷେତ୍ରରେ) ସ୍ବୀକୃତି ପ୍ରତ୍ୟାହାର କରିଦେବା ଉଚିତ। କୌଣସି ଶିକ୍ଷାନୁଷ୍ଠାନରେ ରୢାଗିଂ ଭଳି ଏକ ନିଷ୍ଠୁର କାର୍ଯ୍ୟକାଳାପ ପ୍ରଶ୍ରୟ ପାଇବା ଆଦୌ ଉଚିତ ନୁହେଁ।