ନାଇଜେରିଆରେ ଇଗ୍ବୋ ଆଦିବାସୀ ସଂପ୍ରଦାୟରେ ଜନ୍ମିତ ବିଶ୍ବପ୍ରସିଦ୍ଧ ଉପନ୍ୟାସକାର ଚିନୁଆ ଆଚେବେ ଥରେ ହାର୍ଭାର୍ଡ୍ ବିଶ୍ବବିଦ୍ୟାଳୟରେ କହିଥିଲେ-‘ଅନେକେ ବିସ୍ମୟ ପ୍ରକାଶ କରନ୍ତି ଯେ ଆମେ ଆଦିବାସୀମାନେ କୌଣସି କଥା ଦିହକୁ ନେଉନା! କିନ୍ତୁ ସତ କଥା ହେଉଛି ପ୍ରକୃତରେ ଆମେ କୌଣସି କଥା ଦିହକୁ ନେଉନା।’ ଜଏସ୍ କେରୀ ନାମକ ଜଣେ ବ୍ରିଟିସ୍ ଲେଖକଙ୍କ ଦ୍ବାରା ରଚିତ ‘ମିଷ୍ଟର ଜନ୍ସନ୍’ ନାମକ ଉପନ୍ୟାସର ଆଲୋଚନା କଲା ବେଳେ ସେ ଏଭଳି ମନ୍ତବ୍ୟଟିଏ ଦେଇଥିଲେ। କେରୀ ମହାଶୟ ନାଇଜେରିଆର ଆଦିବାସୀ ସଂପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ନାୟକ ଭାବେ ନେଇ ଉପନ୍ୟାସଟିରେ ଯାହା ଲେଖିଛନ୍ତି, ତାକୁ ଆଚେବେ ଗ୍ରହଣ କରି ପାରୁ ନ ଥିଲେ। ଚିନୁଆ ଆଚେବେ ସ୍ବୟଂ ଥିଲେ ଆଦିବାସୀ ସଂପ୍ରଦାୟର ଜଣେ ଲେଖକ। ତେଣୁ ଆଦିବାସୀଙ୍କ ଜୀବନ ଧାରା, ସଂସ୍କୃତି ସଂପର୍କରେ ବହିରାଗତମାନଙ୍କ ବିଚାର, ଦୃଷ୍ଟିକୋଣ ଓ ଉପସଂହାରକୁ ନେଇ ତାଙ୍କ ମନରେ ଥିଲା କ୍ଷୋଭ ଓ ଅଭିଯୋଗ। ସୁତରାଂ, ଆଦିବାସୀମାନଙ୍କ ସ୍ବଭାବ ସମ୍ବନ୍ଧରେ ସେ ଏଭଳି ଟିପ୍ପଣୀଟି ଦେଇଥିଲେ। ତେବେ ଏ ମନ୍ତବ୍ୟରେ ସେ ବୋଧହୁଏ ବିଶ୍ବର ସବୁ ଜନଜାତି ବା ଆଦିବାସୀ ସଂପ୍ରଦାୟ ବିଷୟରେ ସତ କଥାଟି କହିଥିଲେ। ବୋଧହୁଏ ଏହା ହିଁ ଏକ କାରଣ ଯେଉଁଥି ଲାଗି ପୃଥିବୀର ସର୍ବତ୍ର ଆଦିବାସୀମାନେ ଅବିରତ ଭାବେ ଶୋଷଣର ଶିକାର ହୋଇ ଚାଲିଛନ୍ତି। ପୁଣି ଏଭଳି ଚତୁରତାର ସହିତ ସେମାନଙ୍କୁ ଶୋଷଣ କରାଯାଉଛି ଯେ ସେମାନେ ତାହାକୁ ନିଜର ଭାଗ୍ୟ ବା କପାଳ ଲିଖନ ବୋଲି ବିଚାର କରି ନିରବରେ ସହି ଚାଲିଛନ୍ତି।
ଉପରେ ଏ କଥାଟି କୁହାଯିବାର କାରଣ ହେଉଛି ସଦ୍ୟ ପ୍ରକାଶିତ ହୋଇଥିବା ସିଏଜି ରିପୋର୍ଟ। ଏଥିରେ ଉଲ୍ଲେଖ ରହିଛି କିଭଳି ଆମ ରାଜ୍ୟରେ ଆଦିବାସୀମାନଙ୍କ ବିକାଶ ଲାଗି ଉତ୍ସର୍ଗୀକୃତ ସଂସ୍ଥା ଆଇଟିଡିଏ (‘ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା’) ଦ୍ବାରା କୋଟି କୋଟି ଟଙ୍କାର ଦୁର୍ନୀତି ଓ ଅନିୟମିତତା ସାଧିତ ହୋଇଛି। ଆମ ରାଜ୍ୟରେ କାର୍ଯ୍ୟ କରୁଥିବା ୨୨ଟି ଆଇଟିଡିଏ ଭିତରୁ ୮ଟି ଆଇଟିଡିଏର ଗଲା ପାଞ୍ଚ ବର୍ଷର କାର୍ଯ୍ୟକଳାପ ଉପରେ କରାଯାଇଥିବା ଅଡ଼ିଟ୍ରୁ ଜଣାପଡ଼ିଛି ଯେ େକଉଁ ହିତାଧିକାରୀ େକଉଁ େଯାଜନାରେ କେତେ ଲାଭବାନ ହେଲେ, କେତେ ଅନୁଦାନ କିଏ ପାଇଲେ, ତାର କୌଣସି ତାଲିକା ନାହିଁ। ପୁଣି ଜଣାପଡ଼ିଛି ଯେ ୩୧ଜଣ ଅଣ-ଆଦିବାସୀ ବ୍ୟକ୍ତି ୧୩ଲକ୍ଷ ୫ ହଜାର ଟଙ୍କା େନଇଯାଇଛନ୍ତି। ୭୮୧ ଜଣ ହିତାଧିକାରୀ ଓ ୧୪ଟି ସ୍ବୟଂ ସହାୟକ େଗାଷ୍ଠୀ କୃଷି ବିଭାଗରୁ ସବ୍ସିଡି ପାଇଥିବା ସତ୍ତ୍ବେ ଅନୁସୂଚିତ ଜନଜାତି ବିଭାଗରୁ ମଧ୍ୟ ୯୧ଲକ୍ଷ ୭୦ ହଜାର ଟଙ୍କା ନେଇଯାଇଛନ୍ତି। ଆଉ ଏକ ଗୁରୁତର ଅନିୟମିତତା ହେଲା, ୨୦୧୮ ଜୁଲାଇ ମାସ ସୁଦ୍ଧା ୪୬୪ଜଣ ସରକାରୀ କର୍ମଚାରୀ, କିଛି ସରକାରୀ ଓ ବେସରକାରୀ ଅନୁଷ୍ଠାନ ୫୭ େକାଟି ୫୩ଲକ୍ଷ ଟଙ୍କା ଅଗ୍ରିମ ବା ‘ଆଡ୍ଭାନ୍ସ’ ନେଇ ଆଉ େଫରାଇ ନାହାନ୍ତି। କୌଣସି ସରକାରୀ କର୍ମଚାରୀ ଅଗ୍ରିମ େନଇ ବର୍ଷକ ମଧ୍ୟରେ ପରିେଶାଧ ନ କଲେ ତାଙ୍କ ବିେରାଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଅର୍ଥ ବିଭାଗର ସ୍ପଷ୍ଟ ନିେର୍ଦଶ ଥିବା ସତ୍ତ୍ବେ ତାର ଖୋଲା ଉଲ୍ଲଂଘନ କରାଯାଇଛି। କାରଣ ଏ ମଧ୍ୟରୁ ୬ େକାଟି ୬୫ଲକ୍ଷ ଟଙ୍କାର ‘ଆଡଭାନ୍ସ’ ୫ ବର୍ଷରୁ ଅଧିକ ସମୟ ଧରି ଖାତାରେ ଗଡୁଛି। ସେମିତି େକନ୍ଦ୍ର ସରକାର ୨୦୧୩ରୁ ୨୦୧୭ ମଧ୍ୟରେ ଅନୁସୂଚିତ ଜନଜାତି ବିଭାଗକୁ ପ୍ରଦାନ କରିଥିବା ୬୪୩ େକାଟି ୪୪ଲକ୍ଷ ଟଙ୍କାର ଅନୁଦାନ ୨୨ଟି ଆଇଟିଡିଏ ପାଇଥିବା ସତ୍ତ୍ବେ ୨୦୧୮ େମ’ ମାସ ସୁଦ୍ଧା କେବଳ ମାତ୍ର ୪୩୯ େକାଟି ୯୩ଲକ୍ଷ ଟଙ୍କାର ବିନିେଯାଗ ପ୍ରମାଣପତ୍ର ଦିଆଯାଇପାରିଛି। ଏଠାରେ ଉଲ୍ଲେଖ କରାଯାଇପାରେ କି, ପୂର୍ବ ଅଡିଟ୍ରୁ ଜଣାପଡ଼ିଥିଲା ଯେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ଅଣ-ଆଦିବାସୀ ରହୁଥିବା ଅଞ୍ଚଳରେ ବିନିଯୁକ୍ତ ହୋଇଛି। ସେତେବେଳେ ଏହାକୁ ନେଇ ରାଜ୍ୟରେ ଭୀଷଣ ହୋ ହଲ୍ଲା ହୋଇଥିଲା। ତା’ ସତ୍ତ୍ବେ ଅନିୟମିତତା ଓ ଦୁର୍ନୀତିର କ୍ରମ ଜାରି ରହିଛି। ଆଦିବାସୀ କଲ୍ୟାଣ ଲାଗି ଉଦ୍ଦିଷ୍ଟ ବିପୁଳ ଅର୍ଥର ଯଦି ବାଟମାରଣାର ଉଦ୍ୟମ ଏଭଳି ଭୟଶୂନ୍ୟ ଭାବେ କରାଯାଏ, ତେବେ ଏହା ବୁଝିବାକୁ ହେବ ଯେ ସରକାରୀ ବାବୁମାେନ ନିଶ୍ଚିତ ଯେ ଏଥି ଲାଗି ସେମାନଙ୍କୁ ବିଶେଷ କିଛି ମୂଲ୍ୟ ଦେବାକୁ ପଡ଼ିବ ନାହିଁ। କିଛି ଦିନର ଚର୍ଚ୍ଚା, ହୋ ହଲ୍ଲା ପରେ ପୁଣି ସବୁ ଥଣ୍ଡା ପଡ଼ିଯିବ। ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ କିଛି ତଳିଆ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ବୁଝାଇବାକୁ ପ୍ରୟାସ କରାଯିବ ଯେ ପଦକ୍ଷେପ ନିଆଗଲା।
ଆମ ରାଜ୍ୟରେ ଆଦିବାସୀମାନଙ୍କ ବିକାଶ ଲାଗି କୋଟି କୋଟି ଟଙ୍କାର ନିରନ୍ତର ଯୋଜନା ଚାଲିଥିଲେ ବି କାହିଁକି ସେମାନଙ୍କର ବିକାଶ ହେଉନାହିଁ, କାହିଁକି ସେମାନଙ୍କ ଭିତରୁ ଦାରିଦ୍ର୍ୟ, ଅଶିକ୍ଷା, କୁସଂସ୍କାର ଆଦି ହଟୁନାହିଁ; ଏହା ବୁଝିବା ବିଶେଷ କଷ୍ଟକର ନୁହେଁ। ଏକ ବିଡ଼ମ୍ବନା ହେଲା, ଏବେ ବି ଯଦି କୌଣସି ସରକାରୀ କର୍ମଚାରୀଙ୍କ ବଦଳି ଆଦିବାସୀ ବହୁଳ ଅଞ୍ଚଳକୁ ହୁଏ, ତେବେ ସେ ତାକୁ ଏକ ଦଣ୍ଡ ବୋଲି ବିଚାର କରନ୍ତି। ଉପରିସ୍ଥ ଅଧିକାରୀ ବିରକ୍ତ ହେଲେ ତଳିଆ କର୍ମଚାରୀଙ୍କୁ କୋରାପୁଟ ବା ମାଲକାନଗିରି ବଦଳି କରିଦେବାର ଧମକ ଦିଅନ୍ତି। ଏଭଳି ପରିସ୍ଥିତିରେ ଅନେକ ଆଦିବାସୀ ବହୁଳ ଇଲାକାରେ ପ୍ରଶାସନର ଉପସ୍ଥିତି ହିଁ କ୍ଷୀଣ। ଆଉ ଯେଉଁଠାରେ ବି ସରକାରୀ ବାବୁମାନେ ଥାଆନ୍ତି, ସେମାନେ ସେଠାରେ ଏମିତି ‘ପ୍ରଜା’ଗୁଡ଼ିଏ ପାଆନ୍ତି, ଯେଉଁମାନେ ଅନ୍ୟାୟର ପ୍ରତିବାଦ କରନ୍ତି ନାହିଁ, ସରକାରୀ କଳକୁ ନେଇ ଭୀତତ୍ରସ୍ତ ହୋଇ ରହନ୍ତି ଏବଂ ସର୍ବଦା ଭାଗ୍ୟକୁ ଆଦରି ପଡ଼ିଥାଆନ୍ତି। ଏହା ବାରମ୍ବାର ଦେଖାଯିବାରେ ଲାଗିଛି ଯେ କୌଣସି ଖଣିଖାଦାନ ହେଉ ବା କୌଣସି ବିଶାଳ ଶିଳ୍ପ ପ୍ରକଳ୍ପ ହେଉ ବା ଜଳ ଭଣ୍ଡାର ଆଦି ହେଉ ନିଜ ଭିଟାମାଟି ହରାଇ ଉଦ୍ବାସ୍ତୁ ହେଉଥିବା ଲୋକଙ୍କ ଭିତରୁ ସିଂହଭାଗ ହେଉଛନ୍ତି ଆଦିବାସୀ ସଂପ୍ରଦାୟର। କହିବା ବାହୁଲ୍ୟ ଯେ ପ୍ରଶାସନର ଦୁର୍ନୀତି, ଅବହେଳା, ଆକ୍ରୋଶ ଆଦି କାରଣରୁ ତ୍ରସ୍ତ ଆଦିବାସୀଙ୍କ ତ୍ରାଣକର୍ତ୍ତା ରୂପେ ଆଦିବାସୀ ବହୁଳ ଇଲାକାରେ ମାଓବାଦ ମୁଣ୍ଡ ଟେକିଛି ।
ସେହି ଚିନୁଆ ଆଚେବେ ଆଫ୍ରିକୀୟ ଆଦିବାସୀଙ୍କ ଶୋଷଣ ସଂଦର୍ଭରେ ଆଉ ଗୋଟିଏ କଥା କହିଥିଲେ। ସେ କହିଥିଲେ-‘ଗୋରା ଶାସକମାନେ ଆମକୁ ଶୋଷଣ କରୁଥିବାରୁ ଆମେ ତାଙ୍କ ବିରୋଧରେ ସଂଗ୍ରାମ କଲେ। କିନ୍ତୁ ଯେତେବେଳେ ସେମାନେ ଆମ ନିଜ ଲୋକଙ୍କୁ ସେଇ ଶୋଷଣର ବିଦ୍ୟାରେ ଦୀକ୍ଷିତ କରାଇ ଦେଲେ, ଆମେ ସଂଗ୍ରାମ କାହା ବିରୋଧରେ କରିବୁ?’ ଏ ପ୍ରଶ୍ନ କେବଳ ଆଫ୍ରିକୀୟ ଆଦିବାସୀଙ୍କ ଲାଗି ଉଦ୍ଦିଷ୍ଟ ନୁହେଁ, ଆମ ଦେଶ ଓ ରାଜ୍ୟର ଆଦିବାସୀଙ୍କ ଲାଗି ବି ଏହା ପ୍ରଯୁଜ୍ୟ। ଯଦି ଆମ ଘର ଲୋକେ ଆମର ଶୋଷଣ କରିବେ, ତେବେ ଆମେ କାହା ବିରୋଧରେ ଲଢ଼ିବା?