ଚାନ୍ଦା ଆଦାୟ

କିଏ କହୁଛି ଚୋରି ତ କିଏ କହୁଛି ଲୁଟ୍‌ ତ କିଏ କହୁଛି ପୁଅର ‘ପିଗି ବ୍ୟାଙ୍କ’ (ସଞ୍ଚିତ ପଇସା ଥିବା ନିବୁଜ ଠେକି) ଭାଙ୍ଗି ବାପା ପଇସା ହଡ଼ପ କରି ନେଲେ। ଯିଏ ଯାହା କହୁନା କାହିଁକି, ସତ କଥା ହେଲା ବାଧୢ ସନ୍ତାନ ଭଳି ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର‌୍‌ ଶକ୍ତିକାନ୍ତ ଦାସ ଭାରତ ସରକାରଙ୍କୁ ତାଙ୍କ ପାଖରେ ଥିବା ବଳକା ଅର୍ଥରୁ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ଦେଇ ଦେବେ ବୋଲି ସୋମବାର ଦିନ ଘୋଷଣା କରିଛନ୍ତି। ତାଙ୍କ ପୂର୍ବବର୍ତ୍ତୀ ଗଭର୍ଣ୍ଣର‌୍‌ ଉର୍ଜିତ ପଟେଲ୍‌ କିମ୍ବା ରଘୁରାମ ରାଜନ୍‌ଙ୍କ ଠାରୁ ଶକ୍ତିକାନ୍ତ ଦାସ ଅନେକ ଦୃଷ୍ଟିରୁ ଭିନ୍ନ (ଯେମିତି, ସେମାନେ ଅର୍ଥନୀତି ବିଶାରଦ ହୋଇଥିବା ବେଳେ ଶକ୍ତିକାନ୍ତ ହେଉଛନ୍ତି ଇତିହାସ ଛାତ୍ର); କିନ୍ତୁ ସେମାନଙ୍କ ମଧୢରେ ଅସଲ ଭିନ୍ନତା ଏହି ସମ୍ବଳ ହସ୍ତାନ୍ତରରୁ ସ୍ପଷ୍ଟ ହୋଇଥାଏ- ସେମାନେ ଅବାଧୢ ହୋଇଥିବା ବେଳେ ଶକ୍ତିକାନ୍ତ ଦାସ ହେଉଛନ୍ତି ସମ୍ପୂର୍ଣ୍ଣ ବାଧୢ ସନ୍ତାନ। ଉଭୟ ରାଜନ୍‌ ଓ ପଟେଲ୍‌ ଏଭଳି ସମ୍ବଳ ହସ୍ତାନ୍ତରର ଘୋର ବିରୋଧ ଥିଲେ।

ଏ ବିଶାଳ ଅର୍ଥ ହସ୍ତାନ୍ତର ପ୍ରତି ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଅର୍ଥନୀତିକୁ ମାନ୍ଦା ଅବସ୍ଥାରୁ ମୁକୁଳାଇବା ପାଇଁ ସରକାରଙ୍କ ଲାଗି ଏହା ଠାରୁ ବଳି ବଡ଼ ସାହାଯ୍ୟ କିନ୍ତୁ ଆଉ କିଛି ନ ହୋଇପାରେ। ବିଶେଷ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ ଗୋଟିଏ ପରେ ଗୋଟିଏ ବଜେଟ୍‌ରେ ନିଆଯାଇଥିବା ସମ୍ବଳ ସ˚ଗ୍ରହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧୢ ହେଉଛନ୍ତି, ଏହି ବଜେଟ୍‌ ବହିର୍ଭୂତ ଧନବର୍ଷା ତାଙ୍କ ପାଇଁ ଚରମ ଆଶ୍ବସ୍ତି ସୃଷ୍ଟି କରୁଥିବ। ସୀତାରମଣ ଇତି ମଧୢରେ ବିଭିନ୍ନ ଟିକସ ପ୍ରସ୍ତାବ ପ୍ରତ୍ୟାହାର କରି ସାରିଥଲେ ମଧୢ, ସମ୍ବଳ ସ˚ଗ୍ରହ ବୃଦ୍ଧି ପାଇଁ ସେ ଉପସ୍ଥାପିତ କରିଥିବା ଅନ୍ୟ ଏକ ଏପରି ବିବଦମାନ ପ୍ରସ୍ତାବ ଏ ପର୍ଯ୍ୟନ୍ତ ଜୀବନ୍ତ ଅଛି, ଯାହାକୁ ପ୍ରତ୍ୟାହାର ବା ସ୍ଥଗିତ କରିବା ପାଇଁ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ୍‌ ସମ୍ବଳ ହସ୍ତାନ୍ତର ବେଶ୍‌ ସହାୟକ ହୋଇପାରେ। ତାହା ହେଉଛି ବୈଦେଶିକ ବଣ୍ତ (ସୋଭରେନ୍‌ ବଣ୍ତ) ମାଧୢମରେ ବିଦେଶ ଋଣ ବଜାରରୁ ବୈଦେଶିକ ମୁଦ୍ରାରେ ଋଣ ସ˚ଗ୍ରହ କରିବା ପାଇଁ ବଜେଟ୍‌ରେ ଥିବା ପ୍ରସ୍ତାବ। ସରକାର ଏହି ସୂତ୍ରରୁ ୭୦ ରୁ ୮୦,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତର ଋଣ ସ˚ଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ।

ଏଭଳି ବୈଦେଶିକ ମୁଦ୍ରା ଋଣ ସହିତ ଏକ ସମ୍ଭାବ୍ୟ ବିପଦ ଯୋଡ଼ି ହୋଇ ରହିଥାଏ। ତାହା ହେଉଛି ସମ୍ପୃକ୍ତ ବୈଦେଶିକ ମୁଦ୍ରା ସହିତ ଭାରତୀୟ ଟଙ୍କାର ବିନିମୟ ହାରରେ ପରିବର୍ତ୍ତନ ଜନିତ ସମ୍ଭାବ୍ୟ ବିପଦ ବା ‘କରେନ୍‌ସି ରିସ୍କ’। ଯେହେତୁ ଭାରତୀୟ ଟଙ୍କା ଭବିଷ୍ୟତରେ ଦୁର୍ବଳ ହେବାର ସମ୍ଭାବନା ଅଧିକ ତେଣୁ ଏଭଳି ଋଣର ପରିଶୋଧ ବୋଝରେ ଅସହନୀୟ ଭାବରେ ବୃଦ୍ଧି ଘଟିପାରେ। ଏହି କାରଣରୁ ବଜେଟ୍‌ ଉପସ୍ଥାପିତ ହେବା ପରେ ଏହି ପ୍ରସ୍ତାବ ପ୍ରତି ବିଜ୍ଞ ପର୍ଯ୍ୟବେଷକ ମହଲରେ ବ୍ୟାପକ ବିରୋଧ ପ୍ରକାଶ ପାଇଥିଲା। ସୀତାରମଣଙ୍କୁ ରିଜର୍ଭ ବ୍ୟାଙ୍କରୁ ଉପଲବ୍ଧ ବିପୁଳ ଅର୍ଥ ଏ ନିଷ୍ପତ୍ତିକୁ ପୂରାପୂରି କିମ୍ବା କିଛି କାଳ ପାଇଁ ନିଷ୍କ୍ରିୟ କରିବାରେ ସହାୟକ ହେବ- ଯଦି ସେ ଚାହାନ୍ତି। ବର୍ତ୍ତମାନର ପୃଥିବୀରେ ଆମେରିକା, ଚୀନ୍‌, ଇଉରୋପିଆନ୍‌ ୟୁନିଅନ ଓ ବ୍ରେକ୍ସିଟ୍‌- ଆକ୍ରାନ୍ତ ବ୍ରିଟେନ୍‌ ଭଳି ପ୍ରମୁଖ ଅର୍ଥନୈତିକ ଶକ୍ତିମାନଙ୍କ ମଧୢରେ (ତେଣେ ଜାପାନ୍‌ ଓ ଦକ୍ଷିଣ କୋରିଆ ମଧୢରେ) ଯେଉଁ ଭଳି ବାଣିଜ୍ୟିକ ଯୁଦ୍ଧ ଦେଖା ଦେଇଛି ତାହା ଆନ୍ତର୍ଜାତିକ ମୁଦ୍ରା ବଜାରରେ ଘୋର ଅସ୍ଥିରତା ସୃଷ୍ଟିର ସମସ୍ତ ଉପାଦାନ ବହନ କରୁଛି। ଏଭଳି ପରିସ୍ଥିତିରେ ବୈଦେଶିକ ବଣ୍ତ ମାଧୢମରେ ଋଣ ସ˚ଗ୍ରହ ବିତ୍ତୀୟ ବୁଦ୍ଧିମତ୍ତାର ପରିଚୟ ଦିଏ ନାହିଁ।

ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ରିଜର୍ଭ ବ୍ୟାଙ୍କ ଠାରୁ ଉପଲବ୍‌ଧ ଅର୍ଥ ବ୍ୟବହାର କରି ଦେଶରେ ପୁଞ୍ଜିନିବେଶକୁ ଆଗେଇ ନିଆଯିବ। କିନ୍ତୁ ଏକ ଧାରଣା ବ୍ୟାପକ ହେବାରେ ଲାଗିଛି ଯେ ସରକାର ଏହି ଅର୍ଥ ବ୍ୟବହାର କରି ପୁଞ୍ଜି ଅଭାବଗ୍ରସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ ଅତିରିକ୍ତ ପୁଞ୍ଜି ଭର୍ତ୍ତି କରିବେ। ସେହି ବ୍ୟାଙ୍କମାନଙ୍କୁ ଦେବା ପାଇଁ ଘୋଷଣା କରାଯାଇଥିବା ୭୦,୦୦୦ କୋଟି ଟଙ୍କା ଏଥିରୁ ଆସିପାରେ କିମ୍ବା ତା’ବାଦ ସେମାନଙ୍କୁ ଆହୁରି ଅଧିକ ସମ୍ବଳ ପ୍ରଦାନ କରାଯାଇପାରେ ଯାହା ଦ୍ବାରା ଆଗାମୀ ବର୍ଷମାନଙ୍କରେ ସେମାନେ ନିର୍ବିଘ୍ନରେ କାର୍ଯ୍ୟ କରିପାରିବେ। ଏହା ଜନମାନସରେ ସ୍ବାଭାବିକ ଭାବରେ ଏକ ନୈତିକ ସ˚ଘାତ ସୃଷ୍ଟି କରୁଛି। ବିଜୟମାଲ୍ୟା ଓ ନିରବ ମୋଦୀଙ୍କ ଭଳି ଠକମାନେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ପରିଶୋଧ ନ କରି ଫେରାର‌୍‌ ହୋଇ ଯାଉଥିବା ବେଳେ ରିଜର୍ଭ ବ୍ୟାଙ୍କର ସଞ୍ଚିତ ସମ୍ବଳ ଉଠାଇ ଆଣି ବ୍ୟାଙ୍କମାନଙ୍କର କ୍ଷତି ଭରଣା କରିବା କେତେଦୂର ଯୁକ୍ତିଯୁକ୍ତ, ତାହା ଏକ ବିରାଟ ପ୍ରଶ୍ନବାଚୀ।

ତେବେ, ଏହି ଠକମାନେ ବ୍ୟାଙ୍କମାନଙ୍କର କ୍ଷତିର ଏକ ମାତ୍ର କାରଣ ନୁହନ୍ତି। ସରକାରଙ୍କର ବହୁଳ ପ୍ରଚାରିତ ‘ମୁଦ୍ରା’ ଯୋଜନାରେ ବ୍ୟାଙ୍କମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରି ସାରିଲେଣି। ଏଥିରୁ ୧୭,୨୫୦ କୋଟି ଟଙ୍କାରୁ ଅଧିକ ଖିଲାପି ଋଣ (ଏନ୍‌ପିଏ)ରେ ପରିଣତ ହୋଇସାରିଲାଣି ବୋଲି ୨୦୧୯ ମାର୍ଚ୍ଚରେ ବ୍ୟାଙ୍କମାନେ ସୂଚନା ପ୍ରଦାନ କରିଥିଲେ। କ୍ଷୁଦ୍ର ଏବ˚ ମଧୢମ ଉଦ୍ୟୋଗମାନଙ୍କୁ ଏଭଳି କ୍ଷୁଦ୍ର ଆକାରର ଋଣମାନ ଦେଉଥିବା ‘ନାବାର୍ଡ’ ଓ ‘ସିଡ୍‌ବି’ ଭଳି ସ˚ସ୍ଥାମାନଙ୍କୁ ଏହି ଅର୍ଥ ସାହାଯ୍ୟରେ ସହାୟତା ପ୍ରଦାନ କରାଯାଇପାରେ।

ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ବଜେଟ୍‌ରେ ସରକାର ୪.୭୬ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ସମ୍ବଳ ସ˚ଗ୍ରହ କରିବାକୁ ଯାଉଛନ୍ତି ବୋଲି ଏକ ଆଶାବାଦୀ ଚିତ୍ର ପ୍ରଦାନ କରିଥିଲେ। କିନ୍ତୁ ଯେଉଁଭଳି ଅର୍ଥନୈତିକ ମାନ୍ଦା ଅବସ୍ଥା ଲାଗି ରହିଛି, ସରକାରଙ୍କର ଏହି ସମ୍ବଳ ସ˚ଗ୍ରହ ଲକ୍ଷ୍ୟ ପୂରଣ ହୋଇପାରିବା ନେଇ ଘୋର ସନ୍ଦେହ ସୃଷ୍ଟି ହୋଇଛି। ଏଥିରେ ଯେଉଁ ନିଅଣ୍ଟ ଦେଖା ଦେବ, ଜବରଦସ୍ତ ଚାନ୍ଦା ଆଦାୟ ଭଳି ରିଜର୍ଭ ବ୍ୟାଙ୍କରୁ ମିଳୁଥିବା ବାହ୍ୟ ଅର୍ଥ ଦ୍ବାରା ତାହାକୁ ଯେ ଭରଣା କରାଯିବ, ତାହା ଜଳ ଜଳ ହୋଇ ଦେଖାଯାଉଛି। କିନ୍ତୁ ଯଦି ସୌଭାଗ୍ୟ କ୍ରମେ ବଜେଟରେ ଧାର୍ଯ୍ୟ କରାଯାଇଥିବା ସମ୍ବଳ ସ˚ଗ୍ରହ ଲକ୍ଷ୍ୟ ପୂରଣ ହୋଇଯାଏ, ତେବେ ରିଜର୍ଭ ବ୍ୟାଙ୍କ ଠାରୁ ମିଳିବା ଅର୍ଥକୁ ଅର୍ଥନୀତିକୁ ନୂତନ ପ୍ରୋତ୍ସାହନ ଯୋଗାଇବା କାର୍ଯ୍ୟରେ ନିୟୋଜିତ କରିବା ଲାଗି ସରକାରଙ୍କ ପାଇଁ ବିଶେଷ ସୁଯୋଗ ସୃଷ୍ଟି ହେବ। ସରକାର ଯଦି ସୁଚିନ୍ତିତ ଭାବରେ ତାହାର ଉପଯୋଗ କରିପାରିବେ ତେବେ ରିଜର୍ଭ ବ୍ୟାଙ୍କରୁ ଏଭଳି ହାତ ପୂରାଇ ଟଙ୍କା ନେଇ ଆସିବା ଅଭିଯୋଗର ତୀବ୍ରତାରେ କିଛି ମାତ୍ରାରେ ଉପଶମ ଘଟିବ। କିନ୍ତୁ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ଓ ନିରାପତ୍ତା ପ୍ରତି ଆଞ୍ଚ ଆଣି ସରକାର ଯେଉଁ ନୂତନ ପରମ୍ପରା ସୃଷ୍ଟି କଲେ, ଇତିହାସରେ ତାହା ଆଜିର ସରକାର ପାଇଁ ଏକ କଳା ଦାଗ ହୋଇ ରହିବ।

ସମ୍ବନ୍ଧିତ ଖବର