ପ୍ରଖ୍ୟାତ ଇ˚ରେଜୀ ନାଟ୍ୟକାର ଜର୍ଜ ବର୍ନାଡ ଶ’ ଥରେ କହିଥିଲେ- ‘ପରିବର୍ତ୍ତନ ବିନା ପ୍ରଗତି ଅସମ୍ଭବ। ଏବ˚ ଯେଉଁମାନେ ନିଜ ମନର ପରିବର୍ତ୍ତନ କରି ନ ପାରନ୍ତି, ସେମାନେ କିଛି ହେଲେ ବଦଳାଇ ପାରିବେ ନାହିଁ।’ ଏ କଥାଟି ଆଜି ଆମ ଦେଶ ଲାଗି ଏତେ ପ୍ରାସଙ୍ଗିକ ଲାଗୁଛି ଯେ ସତେ ଯେମିତି ସେ ତାଙ୍କ ମାନସ ଚକ୍ଷୁରେ ଆଜିର ଭାରତର ଏକ ଚିତ୍ର ଦେଖିପାରିଥିଲେ। କାରଣ ପ୍ରଗତି (ବିକାଶ) ନା ପରିବେଶ? ଏହି ପ୍ରଶ୍ନରେ ବିକାଶ ପକ୍ଷବାଦୀ ଓ ପରିବେଶ ପକ୍ଷବାଦୀଙ୍କ ଠାରୁ ଆଜି ଯେଉଁଭଳି ଉତ୍ତରମାନ ଆସୁଥିବାର ଦେଖାଯାଉଛି, ତାହା କେବଳ ବର୍ନାଡ ଶ କହିଥିବା ଭଳି ‘ରୁଦ୍ଧ ମନ’କୁ ହିଁ ଦେଖାଉଛି।

Advertisment

ଆମ ଦେଶ ବିଜୁଳି ଶକ୍ତିର ନିଅଣ୍ଟ ଭରଣା କରିବା ଲାଗି ଯେଉଁ ପ୍ରୟାସ ଚଳାଇଛି, ସେଥିରେ ଅଣ ପାର˚ପରିକ ଶକ୍ତି ସ୍ରୋତ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି। କାରଣ ପରିବେଶ ପ୍ରଦୂଷଣ ଏବ˚ ବିଶ୍ବ ତାପନ ଦୃଷ୍ଟିରୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ସବୁ ଆଡୁ ସମାଲୋଚନାର ଶରବ୍ୟ। ତେବେ, ଅଣପାର˚ପରିକ ଶକ୍ତି ସ୍ରୋତ ଭାବେ ଯେଉଁ ତିନିଟି ଭଣ୍ତାର ଉପରେ ନିର୍ଭର କରିବାକୁ ପଡ଼ିବ, ସେଗୁଡ଼ିକ ହେଲା ସୌର, ବାୟୁ ଏବ˚ ଜଳ। ତେବେ, ସୌର ଶକ୍ତି ବା ପବନ ଶକ୍ତିକୁ ‘ଦୁର୍ବଳ ଶକ୍ତି’ ରୂପେ ଅଭିହିତ କରାଯାଉଛି, କାରଣ ଏଥିରୁ ବିଜୁଳି ଉତ୍ପାଦନର ନିଶ୍ଚିତତା ନେଇ ସର୍ବଦା ଜୋର ଦେଇ କୁହାଯାଇ ନ ପାରେ। ଦୀର୍ଘ ଦିନ ଧରି ସୂର୍ଯ୍ୟ ମେଘ ପଛରେ ଲୁଚି ରହିଲେ (ବର୍ଷା ଦିନେ) ବା ପବନ ଠିକଣା ବେଗରେ ନ ବହିିଲେ, ଏଥିରୁ ଶକ୍ତି ଉତ୍ପାଦନର ଦକ୍ଷତା ହ୍ରାସ ପାଇପାରେ। ତେଣୁ ଏ ତିନି ଅଣପାର˚ପରିକ ଶକ୍ତି ସ୍ରୋତ ଭିତରୁ କେବଳ ଜଳ ବିଦ୍ୟୁତ୍ ହେଉଛି ଏକମାତ୍ର ଭରସାଯୋଗ୍ୟ ଶକ୍ତି ସ୍ରୋତ। କିନ୍ତୁ ବିଡ଼ମ୍ବନା ହେଲା, ଗୋଟିଏ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରିବା ଏବେ କେବଳ ଏକ ଦୂରୁହ ବ୍ୟାପାର ନୁହେଁ, ଏହା ପ୍ରାୟ ଏକ ଅସମ୍ଭବ ବ୍ୟାପାର।

ଗୋଟିଏ ଉଦାହରଣ ସ୍ବରୂପ ଅରୁଣାଚଳ ପ୍ରଦେଶର ଜେମିଥଙ୍ଗ ଉପତ୍ୟକାର ‘ନୟନଜଙ୍ଗ ଚୁ’ ପ୍ରକଳ୍ପକୁ ନିଆଯାଇପାରେ। ଏହି ମହାତ୍ବାକା˚କ୍ଷୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୯୦୦ ମେଗାଵାଟ୍‌ ବିଜୁଳି ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ତାହା ଏବେ ନିଜର ଅନିର୍ଦ୍ଦିଷ୍ଟ ଭାଗ୍ୟକୁ ନେଇ ପଡ଼ିରହିଛି। ଏହାର କାରଣ ଏହା ହେଉଛି ବିପନ୍ନ ‘କଳା ବେକଧାରୀ ବଗ’ମାନଙ୍କ ଆବାସସ୍ଥଳୀ। ଏହା ଛଡ଼ା ଜେମିଥଙ୍ଗ ଉପତ୍ୟକାରେ ବସବାସ କରୁଥିବା ‘ମୋମ୍‌ପା’ ଜନଜାତିର ଲୋକଙ୍କ ବିଶ୍ବାସ ଯେ ଏହି ବଗଗୁଡ଼ିକ ହେଉଛନ୍ତି ଷଷ୍ଠ ଦଲାଇ ଲାମା ‘ସାଙ୍ଗୟାଙ୍ଗ ଗ୍ୟାଟ୍‌ସୋ’ଙ୍କ ଅବତାର। ତେଣୁ ସେମାନେ ଏହି ବଗଗୁଡ଼ିକୁ ପୂଜା କରନ୍ତି। ଆହୁରି ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ବଗ ପ୍ରଜାତିକୁ ‘ଆଇୟୁସିଏନ୍‌’ ଦ୍ବାରା ‘ରେଡ୍‌ ଲିଷ୍ଟ୍’ ବା ଲୋହିତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। କେବଳ ସେତିକି ନୁହେଁ, ସେହି ଅଞ୍ଚଳଟି ବିରଳ ନାଲି ପାଣ୍ତା, ହିମାଳୟର କଳା ଭାଲୁ ଓ କସ୍ତୁରୀ ମୃଗଙ୍କ ମଧ୍ୟ ଘର।

୨୦୧୨ ମସିହାରେ ଏହି ୬୪୦୦ କୋଟିର ବୃହତ୍‌ ପ୍ରକଳ୍ପ ଲାଗି କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିଯାଇଥିଲା। କିନ୍ତୁ ଏ ପ୍ରକଳ୍ପ ଦ୍ବାରା ଏଠାରେ ବସବାସ କରୁଥିବା ବିରଳ ପ୍ରାଣୀମାନେ କିଭଳି ପ୍ରତିକୂଳ ଭାବେ ପ୍ରଭାବିତ ହେବେ, ସେ ସଂକ୍ରାନ୍ତ ଖବର ଗଣମାଧୢମରେ ବିସ୍ତୃତ ଭାବେ ପ୍ରକାଶ ପାଇବା ପରେ ୨୦୧୬ ମସିହାରେ ‘ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ’ ଏହି ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାକୁ ଆଦେଶ ଦେଲେ। ତେବେ, ଏହାକୁ ନାପସନ୍ଦ କରି ବିକାଶ ପକ୍ଷଧରମାନେ ଯୁକ୍ତି କରୁଛନ୍ତି ଯେ ଯଦି ଜଳ ବିଦ୍ୟୁତ୍‌ ଉତ୍ପାଦନର ସ୍ରୋତକୁ ଏଭଳି ବନ୍ଦ କରିଦିଆଯାଏ, ତେବେ ତାହା ରାଷ୍ଟ୍ର ବିକାଶର ହିତରେ ଯିବ ନାହିଁ। ଆମ ଦେଶରେ ଏବେ ଉତ୍ପାଦିତ ହେଉଥିବା ବିଜୁଳିର ପରିମାଣ ହେଉଛି ୩ ଲକ୍ଷ ୫୭ ହଜାର ୮୫୫ ମେଗାଵାଟ୍‌। ଏହାର ମାତ୍ର ୧୩ ପ୍ରତିଶତ ଅର୍ଥାତ୍‌ ୪୫ ହଜାର ୩୯୯ ମେଗାଵାଟ୍‌ ହେଉଛି ଜଳ ବିଦ୍ୟୁତ୍‌ର ଭାଗ। ଏହି ଭାଗକୁ ନ ବଢ଼ାଇଲେ ଦେଶର ବିଜୁଳି ଚାହିଦା ପୂରଣ କରାଯାଇପାରିବ ନାହିଁ। ବିକାଶ ପକ୍ଷଧରମାନେ ଗୋଟିଏ ପରିସ˚ଖ୍ୟାନ ଆଡେ଼ ବିଶେଷ ଧୢାନ ଆକର୍ଷଣ କରି କହନ୍ତି ଯେ ଯେଉଁ ସମୟରେ ‘ନୟନଜଙ୍ଗ ଚୁ’ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଦିଆଗଲା, ସେତିକିବେଳେ ପ୍ୟାରିସ୍‌ସ୍ଥିତ ‘ଇଣ୍ଟରନେସନାଲ ଏନର୍ଜି ଏଜେନ୍‌ସି’ ପକ୍ଷରୁ ଭାରତକୁ ପ୍ରଶ˚ସା କରି କୁହାଯାଇଛି ଯେ ୨୬.୪ ନିୟୁତ ନୂଆ ବିଜୁଳି ସ˚ଯୋଗ ଦେଇ ଭାରତ ସର୍ବାଧିକ ଉପଭୋକ୍ତାଙ୍କୁ ବିଜୁଳି ଯୋଗାଇଥିବାର ବିଶ୍ବ ରେକର୍ଡ ସ୍ଥାପନ କରିଛି। ଜଳ ବିଦ୍ୟୁତ ପ୍ରକଳ୍ପର ସମର୍ଥକମାନେ କହନ୍ତି ଯେ କେବଳ ଅଣପାର˚ପରିକ ଶକ୍ତି ସ୍ରୋତରୁ ଭାରତ ୧୭୫ ଗିଗାଵାଟ୍‌ (୧ ଗିଗାଵାଟ୍‌ ହେଉଛି ୧୦୦୦ ମେଗାଵାଟ୍‌) ବିଜୁଳି ଉତ୍ପାଦନ କରିବାର ଉଚ୍ଚାଭିଳାଷ ରଖିଛି। ଏଭଳି ସ୍ଥିତିରେ ଯଦି ଜଳ ବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟକୁ ଏମିତି ବନ୍ଦ କରି ରଖାଯାଏ, ତେବେ ଅନ୍ୟ ଦୁଇଟି ‘ଦୁର୍ବଳ ଶକ୍ତି ସ୍ରୋତ’ ଉପରେ ଭରସା କରି ଭାରତ ଆଗେଇ ପାରିବ ନାହିଁ ଓ ରାଷ୍ଟ୍ରୀୟ ବିଦ୍ୟୁତ୍‌ ଗ୍ରିଡ୍‌ ଅସ୍ଥିର ରହିବ। ଏଭଳି ହେଲେ, ଭାରତ କଦାପି ୫ ଟ୍ରିଲିଅନ୍‌ ଅର୍ଥନୀତିରେ ପହଞ୍ଚି ପାରିବ ନାହିଁ।

ଆମ ଦେଶରେ ଅନେକ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରିବେଶ ସୁରକ୍ଷା କାରଣରୁ ଅନିଶ୍ଚିତତା ଦେଇ ଗତି କରୁଛନ୍ତି। କେଉଁଠାରେ ବିରଳ ପ୍ରଜାପତି ତ କେଉଁଠାରେ ମୂଲ୍ୟବାନ ଔଷଧୀୟ ବୃକ୍ଷଲତା ଏହି ସବୁ ପ୍ରକଳ୍ପର ବାଟ ଓଗାଳି ଛିଡ଼ା ହୋଇଛନ୍ତି। ଥରେ ଜିଡୁ କୃଷ୍ଣମୂର୍ତ୍ତି କହିଥିଲେ ଯେ ଈଶ୍ବରଙ୍କ ବିଚାରବୋଧ ଓ ମଣିଷର ବିଚାରବୋଧ ଏକା ପ୍ରକାର ନୁହେଁ। ତେଣୁ ବୋଧହୁଏ, ପୃଥିବୀର ସବୁଠାରୁ ଅଧିକ ପ୍ରାକୃତିକ ଭାବେ ମନୋରମ ସ୍ଥାନ ଓ ବିରଳ ପଶୁପକ୍ଷୀ ବା ବୃକ୍ଷଲତା ଭରା ସ୍ଥାନଗୁଡ଼ିକ ହେଉଛି ଖଣିଖାଦାନ ଓ ଜଳ ପ୍ରପାତ ଆଦିରେ ଭଣ୍ତାର। ଏଭଳି ସ୍ଥିତିରେ ଈଶ୍ବରଙ୍କ ସର୍ଜନାକୁ ସମ୍ମାନ ଜଣାଇ ମଣିଷ କେମିତି ନିଜ ପାଇଁ ଲାଭ ହାସଲ କରି ପାରିବ, ତାର ଉପାୟ ବାହାର କରାଯିବା ଉଚିତ। କିନ୍ତୁ ଏବେ ଯେଉଁ ଆଭିମୁଖ୍ୟ ଉଭୟ ବିକାଶ ଓ ପରିବେଶ ସପକ୍ଷବାଦୀମାନଙ୍କ ଠାରୁ ପ୍ରକାଶ ପାଉଛି, ତାହା ହେଲା କେବଳ ‘ହଁ’ ଆଉ ‘ନା’ ଭିତରୁ ଗୋଟିକୁ ବାଛିବା। ‘ହଁ’ ଏବ˚ ‘ନା’ ଭିତରେ ମଧୢମ ମାର୍ଗଟିଏ ସମ୍ଭବ ହୋଇଥିଲେ ସୁଦ୍ଧା ସେହି ମାର୍ଗ ଜନଶୂନ୍ୟ ଥିବା ଭଳି ଲାଗୁଛି। ଜର୍ଜ ବର୍ନାଡ ଶ’ଙ୍କ ଉକ୍ତିରେ ବର୍ଣ୍ଣିତ ‘ରୁଦ୍ଧ ମନ’ରୁ କେବଳ ‘ହଁ’ ବା ‘ନା’ ବାହାରିପାରେ। କିନ୍ତୁ ଯାହା ଆଜି ସମସ୍ତଙ୍କ ହିତରେ ଯିବ ତାହା ହେଉଛି କଳା ଓ ଧଳା ଭିତରେ ଗୋଟିଏ ଧୂସର ରଙ୍ଗକୁ ଖୋଜିବା, ରୋକଠୋକ୍‌ ‘ହଁ’ ଆଉ ‘ନା’ ଭିତରେ ‘ଆସ ମିଳିମିଶି ବିଚାର କରିବା’ ଭଳି ମାର୍ଗଟିଏ ଆପଣାଇବା। ଏଥି ଲାଗି ଉଭୟ ପକ୍ଷଙ୍କୁ ମନର ଝରକା ଖୋଲି ଦେବାକୁ ପଡ଼ିବ।