ବିଷଣ୍ଣ ବ୍ୟାଙ୍କ

ବ୍ୟାଙ୍କିଙ୍ଗ୍‌ ବିଶାରଦମାନଙ୍କ ମଧୢରେ ଏକ ସୁପରିଚିତ ବିତର୍କର ଶୀର୍ଷକ ହେଉଛି: ‘ବେଜଟ୍‌ ଅର‌୍‌ ବେଲ୍‌ଆଉଟ୍‌?’ (‘ବେଜଟ୍‌ ନା ବେଲ୍‌ଆଉଟ୍‌?’)। ବେଲ୍‌ଆଉଟ୍‌ ବର୍ତ୍ତମାନ ଏପରି ଏକ ଦୈନନ୍ଦିନ ଆଲୋଚିତ ଇ˚ରେଜୀ ଶବ୍ଦରେ ପରିଣତ ହୋଇଗଲାଣି ଯେ ତାହାର ଆକ୍ଷରିକ ଅନୁଦାନ ଅନାବଶ୍ୟକ। କୌଣସି ବ୍ୟାଙ୍କ୍‌ ବା କମ୍ପାନି ଯେତେବେଳେ ଦେବାଳିଆ ହୋଇ ବୁଡ଼ିଯିବାକୁ ବସେ, ସରକାର କରଦାତାଙ୍କ ଅର୍ଥ ଦ୍ବାରା ସାହାଯ୍ୟ ପ୍ରଦାନ କରି ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିବାକୁ ‘ବେଲ୍‌ଆଉଟ୍‌’ କୁହାଯାଇଥାଏ- ବୁଡ଼ିଯାଉଥିବା ନୌକାରୁ ପାଣି କାଢ଼ି ତାକୁ ଭାସମାନ କରି ରଖିବା ଭଳି।
ଉନବିଂଶ ଶତାବ୍ଦୀର ପ୍ରସିଦ୍ଧ ବ୍ରିଟିସ୍‌ ବୁଦ୍ଧିଜୀବୀ ସାମ୍ବାଦିକ ତଥା ବିତ୍ତୀୟ ଉପଦେଷ୍ଟା (ତାଙ୍କୁ ବ୍ରିଟେନ୍‌ର ପ୍ରତ୍ୟେକ ସରକାରଙ୍କ କ୍ୟାବିନେଟ୍‌ର ଅନୌପଚାରିକ ସଦସ୍ୟ ରୂପେ ବର୍ଣ୍ଣନା କରାଯାଉଥିଲା- ସରକାର ଯେଉଁ ଦଳର ହୋଇଥାଉ ନା କାହିଁକି) ଵାଲ୍‌ଟର‌୍‌ ବେଜଟ୍‌ଙ୍କ ଦୃଢ଼ ମତ ଥିଲା ଯେ ଅସଫଳ ବ୍ୟାଙ୍କକୁ ସାହାଯ୍ୟ ପ୍ରଦାନ କରି ଉଦ୍ଧାର କରିବା ପରିବର୍ତ୍ତେ ତାକୁ ବୁଡ଼ିଯିବାକୁ ଦିଆଯିବା ଶ୍ରେୟସ୍କର। କାରଣ, ଏଭଳି ଉଦ୍ଧାର ଏକ ଖରାପ ଉଦାହରଣ ସୃଷ୍ଟି କରିଥାଏ, ଯାହାକୁ ଅନ୍ୟ ବ୍ୟାଙ୍କମାନେ ଅନୁକରଣ କରି ବେପରୁଆ ହୋଇଯିବେ (‘ମୋରାଲ୍‌ ହାଜାର୍ଡ’ ବା ‘ନୈତିକ ବିପଦ’)।
ତେବେ ଆଜିର ଦୁନିଆରେ କୌଣସି ଏକ ବ୍ୟାଙ୍କକୁ ବୁଝିବାକୁ ଦିଆଯିବା ଏତେ ସହଜ ନୁହେଁ, କାରଣ ସେ ନୌକା ସହିତ ସେଥିରେ ବସିଥିବା କର୍ମଚାରୀ, ଗ୍ରାହକ, ନିବେଶକ ତଥା ଉଦ୍ୟୋଗମାନେ ମଧୢ ବୁଡ଼ିଯିବେ। ଯଦି ସ˚କଟର ସମ୍ମୁଖୀନ ହୋଇଥିବା ବ୍ୟାଙ୍କଟି ଅତିକାୟ ହୋଇଥାଏ, ତେବେ ତ ତାହା ସହିତ ସମ୍ପୃକ୍ତ ଅର୍ଥନୀତିର ଏକ ଏତେ ବଡ଼ ଅ˚ଶ ମଧୢ ବୁଡ଼ିଯିବାକୁ ବସିବ ଯେ କୌଣସି ଗଣତାନ୍ତ୍ରିକ ସରକାର ତାକୁ ବେଲ୍‌ଆଉଟ୍‌ ମାଧୢମରେ ଉଦ୍ଧାର କରିବା ବ୍ୟତୀତ ଅନ୍ୟ ଉପାୟ ନ ଥାଏ। ୨୦୦୭-୦୮ର ବିତ୍ତୀୟ ସ˚କଟ ସମୟରେ ‘ଲେହମ୍ୟାନ୍‌ ବ୍ରଦର୍ସ’ ବୁଡ଼ିଯିବା ଆମେରିକୀୟ ଅର୍ଥନୀତି ଓ ସମାଜକୁ ଏପରି ଧକ୍‌କା ପହଞ୍ଚାଇଲା ଯେ ତାପରେ ସରକାର ଆଉ କୌଣସି ବଡ଼ ବ୍ୟାଙ୍କକୁ ବୁଡ଼ିବାକୁ ନ ଦେଇ ପ୍ରାୟ ୧ ଟ୍ରିଲିଅନ୍‌ ଡଲାର‌୍‌ର ବେଲ୍‌ଆଉଟ୍‌ ପ୍ରଦାନ କରିବାକୁ ବାଧୢ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଏକ ପ୍ରକାର ବ୍ୟଙ୍ଗୋକ୍ତିର ପ୍ରସାର ଘଟିଥିଲା- ‘ଠୁ ବିଗ୍‌ ଟୁ ଫେଲ୍‌’ (ଏତେ ବିଶାଳ ଯେ ତାକୁ ବିଫଳ ହୋଇ ବୁଡ଼ିଯିବାକୁ ଦିଆଯାଇପାରିବ ନାହିଁ)।
ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥା (ଫେଡେରାଲ୍‌ ରିଜର୍ଭ)ର ଦୀର୍ଘ କାଳ ଧରି ଚେଆରମ୍ୟାନ୍‌ ରୂପେ ପ୍ରସିଦ୍ଧି ଅର୍ଜନ କରିଥିବା ଆଲାନ୍‌ ଗ୍ରୀନ୍‌ସ୍ପାନ୍‌ କିନ୍ତୁ ଏପରି ବେଲ୍‌ଆଉଟ୍‌ ନୀତିର ଘୋର ବିରୋଧୀ ଥିଲେ- ସେ ଵାଲ୍‌ଟର‌୍‌ ବେଜଟ୍‌କୁ ବିଶ୍ବାସ କରୁଥିଲେ। ଗ୍ରୀନ୍‌ସ୍ପାନ୍‌ଙ୍କର ଏ ସମ୍ପର୍କରେ ଏକ ପ୍ରସିଦ୍ଧ ମନ୍ତବ୍ୟ ହେଲା: ‘‘ଯଦି ସେମାନେ ଏତେ ବିଶାଳ ଯେ ସେମାନଙ୍କୁ ବୁଡ଼ିବାକୁ ଦିଆଯିବ ନାହିଁ, ତେବେ ସେମାନେ ଅତିରିକ୍ତ ବିଶାଳ ହୋଇଯାଇଛନ୍ତି।’’ ଅର୍ଥାତ୍‌ ସେମାନଙ୍କର ଆକାର ଅତିରିକ୍ତ ଭାବେ ବଡ଼ ହୋଇ ଯାଇଥିବାରୁ ହିଁ ସେମାନେ ଦକ୍ଷତା ହରାଇ ବିଫଳ ହେଉଛନ୍ତି। କେବଳ ଗ୍ରୀନ୍‌ସ୍ପାନ୍‌ ନୁହଁନ୍ତି, ଅନେକ ଅର୍ଥନୀତିଜ୍ଞ, ବିତ୍ତୀୟ ବିଶେଷଜ୍ଞ ଏବ˚ ଏପରିକି କେତେକ ପ୍ରମୁଖ ବ୍ୟାଙ୍କର‌୍‌ମାନେ ମଧୢ ସେ ସମୟରେ ବିଶାଳକାୟ ବ୍ୟାଙ୍କ୍‌ମାନଙ୍କୁ ଖଣ୍ତଖଣ୍ତ କରି ଏକାଧିକ ଅପେକ୍ଷାକୃତ କ୍ଷୁଦ୍ରକାୟ ବ୍ୟାଙ୍କମାନ ସୃଷ୍ଟି କରାଯିବା ଉଚିତ ହେବ ବୋଲି ମତ ପ୍ରକାଶ କରିଥିଲେ।
ଏହା ଥିଲା ୨୦୦୭-୦୮ ବିତ୍ତୀୟ ସଙ୍କଟରୁ ମିଳିଥିବା ଶିକ୍ଷା। ଏବେ କିନ୍ତୁ ଭାରତର ଅର୍ଥମନ୍ତ୍ରୀ ଠିକ୍‌ ଏହି ଶିକ୍ଷାର ବିପରୀତ ଧର୍ମୀ ମାର୍ଗ ଅନୁସରଣ କଲା ଭଳି ଭାରତରେ ଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ଭାଙ୍ଗିବା ପରିବର୍ତ୍ତେ ସେମାନଙ୍କ ମଧୢରୁ କେତେକଙ୍କୁୁ ଏକାଠି କରି କେତେଗୁଡ଼ିଏ ବିଶାଳ ଆକାରର ବ୍ୟାଙ୍କ୍‌ରେ ପରିଣତ କରିବାକୁ ଘୋଷଣା କରିଛନ୍ତି। ଅବଶ୍ୟ ଏ ପ୍ରକ୍ରିୟାର ଏହା ଆରମ୍ଭ ନୁହେଁ। ୨୦୧୭ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସ˚ଖ୍ୟା ଥିଲା ୨୭। ବର୍ତ୍ତମାନ ସେମାନଙ୍କର ସ˚ଖ୍ୟା ଅଛି ୧୮। ମିଶ୍ରଣ ପରେ ସେମାନଙ୍କର ସ˚ଖ୍ୟା ହେବ ୧୨। କୁହାଯାଉଛି ଯେ ମିଶ୍ରଣ ପରେ ମିଶ୍ରିତ ବ୍ୟାଙ୍କ୍‌ମାନେ ପରସ୍ପରର ସାଧନ ବ୍ୟବହାର କରିବା ଦ୍ବାରା ସେମାନେ ପୂର୍ବରୁ କରୁଥିବା ଅନେକ ଦୋହରା ଖର୍ଚ୍ଚରେ ସ˚କୋଚନ ଘଟିବ। ଏହା ତ ଫଳେନ ପରିଚୟେତ୍‌, କିନ୍ତୁ ସରକାର ଘୋଷଣା କରିଛନ୍ତି ଯେ କୌଣସି ବଳକା କର୍ମକାରୀଙ୍କୁ ଛଟେଇ କରାଯିବ ନାହିଁ। ତେଣୁ ଶ୍ରମ ବାବଦ ବ୍ୟୟରେ କୌଣସି ସ˚କୋଚନ ଘଟିବାକୁ ଯାଉନାହିଁ। ଏହା ସତ୍ତ୍ବେ ଚେନ୍ନାଇରୁ କଲିକତା ପର୍ଯ୍ୟନ୍ତରେ ପ୍ରଭାବିତ ବ୍ୟାଙ୍କ୍‌ମାନଙ୍କର କର୍ମଚାରୀ ସ˚ଘମାନେ ଏ ମିଶ୍ରଣ ପ୍ରସ୍ତାବକୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ କରିବା ଦେଖାଗଲାଣି।
ସୀତାରମଣ ପୁଣି ଏପରି ଏକ ସମୟରେ ତାଙ୍କର ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ଘୋଷଣା କରିଛନ୍ତି, ଯେଉଁ ସମୟରେ ଅର୍ଥନୀତିର ଅଭିବୃଦ୍ଧି ଆହୁରି ଆହୁରି ମନ୍ଥର ହୋଇ ଚାଲିବା ସୂଚନା ପ୍ରକାଶ ପାଇବାରେ ଲାଗିଛି। ଅର୍ଥନୀତିରେ ପ୍ରାଣ ସଞ୍ଚାର ଦିଗରେ ଏକ ପଦକ୍ଷେପ ସ୍ବରୂପ ସେ ବେଜଟ୍‌ଙ୍କ ଉପଦେଶ ଅମାନ୍ୟ କରି, ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ବେଲ୍‌ଆଉଟ୍‌ ନିମିତ୍ତ ବଜେଟ୍‌ରେ ୭୦,୦୦୦ କୋଟି ଟଙ୍କା ବରାଦ କରିଛନ୍ତି। ଏହା ଫଳପ୍ରଦ ହେବା ପାଇଁ ବ୍ୟାଙ୍କ୍‌ମାନେ ଉପଯୁକ୍ତ ନିବେଶକ ଓ ଗ୍ରାହକମାନଙ୍କୁ ଆବଶ୍ୟକ ସମ୍ବଳ ଉପଲବ୍‌ଧ କରାଇବା ପାଇଁ ତୁରନ୍ତ ଋଣ ପ୍ରଦାନରେ ବୃଦ୍ଧି ଘଟାଇବା ଆବଶ୍ୟକ। ବର୍ତ୍ତମାନ କିନ୍ତୁ ବ୍ୟାଙ୍କମାନେ ମିଶ୍ରଣ ଯୋଗୁଁ ଏକ ଢ଼ାଞ୍ଚାଗତ ଅସ୍ଥିରତା ଦେଇ ଗତି କରିବେ ଏବ˚ ସେମାନଙ୍କର ପରିବର୍ତ୍ତିତ ସ˚ସ୍ଥାମାନଙ୍କୁ ଗୁଳାରେ ପକାଇବାରେ ସେମାନଙ୍କର ସମସ୍ତ ସମୟ ଓ ଶକ୍ତି ବିନିଯୋଗ କରିବା ପାଇଁ ବାଧୢ ହେବେ। ଏଣୁ ବ୍ୟାଙ୍କ୍‌ ମିଶ୍ରଣରୁ ଯଦିବା କିଛି ସୁଫଳ ମିଳିବାର ଥାଏ, ତାହା ମିଳିବାରେ ବେଶ୍‌ ଅନାବଶ୍ୟକ ବିଳମ୍ବ ଦେଖା ଦେବାର ସମସ୍ତ ସମ୍ଭାବନା ଦେଖାଯାଉଛି।
ଅଳ୍ପଦିନ ତଳେ ଏକ ଶବ୍ଦ ପ୍ରତିଯୋଗିତା ଆରମ୍ଭ କରିଥିବା ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଭାଷାରେ ଏକ ‘ପାଙ୍ଗ୍ଲୋସିଆନ୍‌’ ଆଭିମୁଖ୍ୟ ଗ୍ରହଣ କରି ସ୍ମିତହାସ୍ୟ ପ୍ରଦର୍ଶନ କରିବା ପାଇଁ ଯେତେ ଚେଷ୍ଟା କଲେ ମଧୢ ବ୍ୟାଙ୍କ୍‌ମାନେ ଏକ ବିଷଣ୍ଣ ବଦନ ବ୍ୟତୀତ ନିକଟ ଭବିଷ୍ୟତରେ ଆଉ କିଛି ପ୍ରଦର୍ଶନ କରିବା ସମ୍ଭାବନା କ୍ଷୀଣ

ସମ୍ବନ୍ଧିତ ଖବର