ଅକଳରେ ପଡ଼ିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଏକ ପିଞ୍ଜରାବଦ୍ଧ ବାଘ ଦର୍ଶକକୁ ପଞ୍ଝା ଦେଖାଇ ଭୟଭୀତ କରିବାକୁ ଚେଷ୍ଟା କରିବା ଭଳି ଜାମିନ ଆବେଦନର ଶୁଣାଣି ନିମିତ୍ତ ସିବିଆଇ ହାଜତରୁ କୋର୍ଟକୁ ଅଣାଯିବା ଅବସରରେ ପ୍ରତିପକ୍ଷ ନରେନ୍ଦ୍ର ମୋଦୀ ସରକାରକୁ ନିଜର ପଞ୍ଝା ପ୍ରଦର୍ଶନ କରିବା ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଚିଦମ୍ବରମ୍ଙ୍କ ପଞ୍ଝା ତା’ର ଲକ୍ଷ୍ୟ ସ୍ଥଳ ଭେଦ କରି ସରକାରଙ୍କୁ ଏକ କୋମଳ ସ୍ଥାନରେ କ୍ଷତାକ୍ତ କରିବାରେ ସଫଳ ହୋଇଛି। ଚିଦମ୍ବରମ୍ଙ୍କ ପାଞ୍ଚ ଆଙ୍ଗୁଳି ଥିଲା ସଦ୍ୟ ପ୍ରକାଶିତ ଜିଡିପି ଅଭିବୃଦ୍ଧି ହାର ପ୍ରତି ଦିମୁନିଆ କଟାକ୍ଷ: ମୋଦୀ ସରକାର ଦେଶର ଜିଡିପିରେ ବୃଦ୍ଧି ଘଟାଇ ୫ ଟ୍ରିଲିଅନ୍ ଡଲାରରେ ପହଞ୍ଚାଇବାକୁ ଦେଶବାସୀଙ୍କୁ ସ୍ବପ୍ନ ଦେଖାଉଥିବା ବେଳେ ଦେଶର ଜିଡିପିରେ ସଦ୍ୟତମ ଅଭିବୃଦ୍ଧି ହାର ଖସି ୫ ଶତା˚ଶ ଛୁଇଁଲାଣି, ଯାହା ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ପରଠାରୁ ସବୁଠାରୁ ନୀଚା। ଚିଦମ୍ବରମ୍ ହୁଏତ ଶେଷରେ ତାଙ୍କ ବିିରୋଧରେ ଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି, କିନ୍ତୁ ତାଙ୍କର କଟାକ୍ଷ ମଧୢ ସତ୍ୟ ଉପରେ ଆଧାରିତ ଏବ˚ ଦେଶ ଯେ ଏକ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି; ଏଥିରେ କୌଣସି ସନ୍ଦେହ ନାହିଁ। ବର୍ତ୍ତମାନର ମାନ୍ଦା ଅବସ୍ଥା ଯେ ବାସ୍ତବ, ତାହା କେବଳ ଏହି ନିରସ ପରିସ˚ଖ୍ୟାନ ନୁହେଁ, ଏହାଠାରୁ ବହୁ ଅଧିକ ଅନ୍ତରଙ୍ଗ ଅନୁଭୂତି ମାଧୢମରେ ଜନସାଧାରଣ ହୃଦୟଙ୍ଗମ କରିବାକୁ ଆରମ୍ଭ କରିଲେଣି।
ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟବସ୍ଥା ‘ଫେଡେ଼ରାଲ ରିଜର୍ଭ’ର ପ୍ରସିଦ୍ଧ ପୂର୍ବତନ ଚେଆର୍ମ୍ୟାନ ଆଲାନ୍ ଗ୍ରୀନ୍ସ୍ପାନ୍ ଅର୍ଥନୀତିର ତାତି ମାପିବା ପାଇଁ କେତେକ ଅଣପାରମ୍ପରିକ ଦେହଘଷିଆ ସୂଚକ ବ୍ୟବହାର କରିବା ପାଇଁ ଜଣାଶୁଣା ଥିଲେ। ଏପରି ଏକ ସୂଚକ ଥିଲା ପୁରୁଷମାନଙ୍କର ଅନ୍ତର୍ବସ୍ତ୍ର ଚଡ଼ି। ଗ୍ରୀନ୍ସ୍ପାନ୍ କହୁଥିଲେ ଯେ ଚଡ଼ି ହେଉଛି ଏପରି ଏକ ପୋଷାକ ଯାହା ପ୍ରତି ଚାହିଦା ପ୍ରାୟତଃ ସ୍ଥିର ରହିଥାଏ। ଲୋକମାନେ ପିନ୍ଧୁଥିବା ଚଡ଼ି ପୁରୁଣା ହେବା ପରେ ଯାଇ ତାକୁ ପରିତ୍ୟାଗ କରି ନୂଆ କିଣିଥାନ୍ତି; ସାର୍ଟ ବା ପ୍ୟାଣ୍ଟ ପରି ଦରକାର ନ ଥିଲେ ମଧୢ ନୂଆ ନୂଆ କିଣି ନ ଥାନ୍ତି- କାରଣ ତାହା ଏକ ପ୍ରଦର୍ଶିତ ପୋଷାକ ନୁହେଁ। ଯେତେବେଳେ ଦେଶର ଅର୍ଥନୀତିରେ ମାନ୍ଦା ଅବସ୍ଥା ପ୍ରବେଶ କରେ, ସେ ସମୟରେ ପରିବାରର ବଜେଟ୍ରେ ଟାଣଟୁଣ ଅବସ୍ଥା ସୃଷ୍ଟି ହୁଏ। ଏହି ସମୟରେ ପରିବାରର ଆୟ ଅର୍ଜନକାରୀ ପୁରୁଷମାନେ ସେମାନଙ୍କ ପତ୍ନୀ, ସନ୍ତାନ ସନ୍ତତିମାନଙ୍କର ପୋଷାକ ଚାହିଦା ପ୍ରଥମେ ମେଣ୍ଟାଇବା ପରେ ଯାଇ ନିଜ ପୋଷାକ ବାବଦରେ ଖର୍ଚ୍ଚ କରନ୍ତି। ନିଜ ପୋଷାକ କ୍ରୟ କରିବା ବେଳେ ପ୍ରଥମେ ସେମାନେ ପ୍ରଦର୍ଶିତ ପୋଷାକ କଥା ଚିନ୍ତା କରନ୍ତି। ଏଭଳି ସମୟରେ ଚଡ଼ି ଭଳି ଲୁକ୍କାୟିତ ପୋଷାକକୁ ତୁରନ୍ତ ନ ବଦଳାଇ ତାହାକୁ ଯେତେ ଅଧିକା ସମୟ ସମ୍ଭବ ବ୍ୟବହାର କରି ଚାଲିଥାନ୍ତି। ତେଣୁ ପାରମ୍ପରିକ ଭାବରେ ଚଡ଼ି ପ୍ରତି ସ୍ଥିର ଥିବା ଚାହିଦାରେ ସ୍ଖଳନ ଦେଖା ଦେଇଥାଏ।
ଗ୍ରୀନ୍ସ୍ପାନ୍ଙ୍କ ସମ୍ମୁଖରେ ଏବେ କିଏ ଯଦି ଭାରତର ଚଡ଼ି ବଜାରର ଚିତ୍ର ଉପସ୍ଥାପିତ କରନ୍ତା, ତେବେ ସେ ନିଃସନ୍ଦେହରେ କହନ୍ତେ ଯେ ଭାରତୀୟ ଅର୍ଥନୀତି ନିଶ୍ଚିତ ରୂପେ ମାନ୍ଦା ଅବସ୍ଥାର ସମ୍ମୁଖୀନ। ପ୍ରକାଶିତ ସୂଚନା ଅନୁସାରେ ଜୁନ୍ରେ ସରିଥିବା ତିନିମାସ ବା ବର୍ଷର ଏକ ଚଉଠରେ ଦେଶର ଚାରିଟି ପ୍ରମୁଖ ପୁରୁଷ ଅନ୍ତର୍ବସ୍ତ୍ର ନିର୍ମାତା କମ୍ପାନିମାନଙ୍କର ବିକ୍ରୟ ହାରରେ ଗତ ଦଶ ବର୍ଷ ମଧୢରେ ସବୁଠାରୁ ତୀକ୍ଷ୍ଣ ସ୍ଖଳନ ଘଟିବା ଦେଖାଦେଇଛି।
ଖାଉଟିମାନଙ୍କ ଅଙ୍ଗ ଆଚ୍ଛାଦନ ନିମିତ୍ତ ଅନ୍ତର୍ବସ୍ତ୍ର ଯେଉଁ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଅନ୍ତରଙ୍ଗ ବସ୍ତୁ, ସେମାନଙ୍କ ପାଟି ଓ ପେଟ ପାଇଁ ବିସ୍କୁଟ ମଧୢ ସେଇଭଳି। ପାର୍ଲେ ପ୍ରଡକ୍ଟସ ହେଉଛି ଦେଶର ପ୍ରମୁଖ ବିସ୍କୁଟ୍ କମ୍ପାନି ଯିଏ ବିଗତ ୮୦ ବର୍ଷ ଧରି ଭାରତୀୟ ଜନସାଧାରଣଙ୍କ ପାଇଁ ସୁଲଭ ମୂଲ୍ୟରେ ବିଭିନ୍ନ ସ୍ବାଦର ବିସ୍କୁଟ୍ ତିଆରି କରି ଯୋଗାଇ ଆସୁଛି। ଏହାର ପାର୍ଲେ-ଜି ବିସ୍କୁଟ୍ ପ୍ୟାକେଟ୍ଟିଏ ଏବେ ବି ମାତ୍ର ପାଞ୍ଚ ଟଙ୍କା ମୂଲ୍ୟରେ ଉପଲବ୍ଧ। ଏହି କମ୍ପାନି ପ୍ରାୟ ଏକ ଲକ୍ଷ ଶ୍ରମିକଙ୍କୁ ନିଯୁକ୍ତି ଦେଇଥାଏ। ବର୍ତ୍ତମାନ କିନ୍ତୁ ଏଭଳି ଏକ ବହୁଳ ବ୍ୟବହୃତ ଖାଦ୍ୟ ପଦାର୍ଥର ବିକ୍ରୟରେ ଏପରି ମାନ୍ଦା ଅବସ୍ଥା ଦେଖା ଦେଇଛି ଯେ, କମ୍ପାନି ୮-୧୦,୦୦୦ ଶ୍ରମିକ ଛଟେଇ କରିପାରେ ବୋଲି ଘୋଷଣା କରିଛି।
ଏ ଉଭୟ ଦାନା କନା ଉଦାହରଣ ଦର୍ଶାଉଥିବା ମାନ୍ଦା ଅବସ୍ଥା ଯେ କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ର (ଯେମିତି ମଟରଗାଡ଼ି ନିର୍ମାଣ କିମ୍ବା ଗୃହ ନିର୍ମାଣ) ମଧୢରେ ସୀମିତ ନୁହେଁ, ତାହା ଯେ କୌଣସି ପର୍ଯ୍ୟବେକ୍ଷକ ବୁଝି ପାର୍ୁଥିବେ। ଅନ୍ତର୍ବସ୍ତ୍ର ଓ ବିସ୍କୁଟ୍ ଦେଶର ସବୁ ଲୋକଙ୍କର ଖାଉଟି ଖର୍ଚ୍ଚର ସ୍ବାକ୍ଷର ବହନ କରିଥାନ୍ତି। ଦେଶର ଅର୍ଥନୀତି ଉପରେ ଯେ ବିଶ୍ବ ଅର୍ଥନୀତିରେ ଦେଖା ଦେଇଥିବା ମାନ୍ଦା ଅବସ୍ଥାର ପ୍ରଭାବ ପଡୁଛି, ଏଥିରେ କେହି ଦ୍ବିମତ ହେବେ ନାହିଁ। କିନ୍ତୁ ଦେଶର ଖାଉଟିମାନେ ହଠାତ୍୍ ଏପରି ନିଃସ୍ବ ହୋଇଯାଇଛନ୍ତି କାହିଁକି ଯେ ସେମାନେ ୫ ଟଙ୍କା ମୂଲ୍ୟର ବିସ୍କୁଟ୍ ପ୍ୟାକେଟ୍ଟିଏ ମଧୢ କିଣି ପାରୁନାହାନ୍ତି?
ଏହି ପ୍ରଶ୍ନର ଉତ୍ତର ଦେଶ ବାହାରେ ମିଳିବ ନାହିଁ; ଏହା ରହିଛି ଦେଶ ଭିତରେ। ଏହା ହେଲା-ଏକ ମହତ୍ କିନ୍ତୁ ଅବିଚାରିତ ଉଦ୍ଦେଶ୍ୟ ନେଇ ମୋଦୀ ସରକାର ଦେଶର ଅଣଆନୁଷ୍ଠାନିକ କ୍ଷେତ୍ର ଉପରେ ବିମୁଦ୍ରୀକରଣ ଓ ଜିଏସ୍ଟି ମାଧୢମରେ ଚଳାଇଥିବା ଆକ୍ରମଣ। ଯିଏ ଯାହା କହୁନା କାହିଁକି, ବାସ୍ତବତା ହେଲା ଦେଶର ଅର୍ଥନୀତିର ପ୍ରାୟ ୩୦ ଶତା˚ଶ ହେଉଛି ପୂରାପୂରି ଅଣଆନୁଷ୍ଠାନିକ ଏବ˚ ପ୍ରାୟ ୫୦ ଶତା˚ଶ ହେଉଛି ଅର୍ଦ୍ଧଆନୁଷ୍ଠାନିକ। ଦେଶର ଶ୍ରମଶକ୍ତିର ପ୍ରାୟ ଦୁଇ-ତୃତୀୟା˚ଶ ଏହି ଅଣଆନୁଷ୍ଠାନିକ କ୍ଷେତ୍ରରୁ ଜୀବିକା ଅର୍ଜନ କରିଥାନ୍ତି। ଅଣଆନୁଷ୍ଠାନିକ କ୍ଷେତ୍ର ମୁଖ୍ୟତଃ ମୁଦ୍ରାଭିତ୍ତିକ ହୋଇଥିବାରୁ ବିମୁଦ୍ରୀକରଣ ସେ କ୍ଷେତ୍ରକୁ ସର୍ବାଧିକ କ୍ଷତି ପହଞ୍ଚାଇଛି। ସେ କ୍ଷେତ୍ରରେ ନିଯୁକ୍ତି ଓ ଆୟରେ ସ˚କୋଚନ ଦେଖାଦେଇଛି। ସେହିପରି ଜିଏସ୍ଟି ପ୍ରବର୍ତ୍ତନର ଉଦ୍ଦେଶ୍ୟ ମହତ୍ ହୋଇଥିଲେ ହେଁ ତାହାର ଜଟିଳତା ଏବ˚ ସମ୍ବେଦନହୀନ ପ୍ରୟୋଗ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ଦୁର୍ବିଷହ ହୋଇଯାଇଛି। ଟିକସ ଆଦାୟକାରୀମାନେ ସରକାରୀଙ୍କ ଠାରୁ ବହପ ପାଇ ବ୍ୟବସାୟୀମାନଙ୍କୁ ଅପରାଧୀ ଦୃଷ୍ଟିରେ ଦେଖୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଟିକସର ଅନେକ ବିରୋଧାଭାସ ମଧୢରୁ ଗୋଟିଏ ନମୁନା ସ୍ବରୂପ ପାର୍ଲେ-ଜି ବିସ୍କୁଟ୍ ଉପରେ ୧୮% ହାରରେ ଜିଏସ୍ଟି ଲାଗୁ ହେଉଥିବା ବେଳେ, ସୁନା ଉପରେ ତାହା ହେଉଛି ୩% ଏବ˚ ହୀରା ଉପରେ ହେଉଛି ୦.୨୫%!
ଏଥି ସତ୍ତ୍ବେ ମୋଦୀଙ୍କ ଉଦ୍ଦେଶ୍ୟ ମହତ୍ ବୋଲି ଜନତା ଜନାର୍ଦ୍ଦନ ତଥାପି ତାଙ୍କୁ ବିପୁଳ ସମର୍ଥନ ପ୍ରଦାନ କରି ଚାଲିଛନ୍ତି। କିନ୍ତୁ ପିଲାଙ୍କ ପାଟିରେ ପାର୍ଲେ-ଜି ବିସ୍କୁଟ୍ଟିଏ ନ ଦେଇ ପାରିଲେ ସେ ସମର୍ଥନ କେତେ ଦିନ ଧରି ଅତୁଟ ରହିବ, କିଏ କହିବ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/sampadakiya-logo-ff-8.jpg)